Unknown

 

 

 

 

 

 

 

 

 

 

 

ଅନ୍ଧଗଳିର ଅନ୍ଧକାର

ରବି ପଟ୍ଟନାୟକ

 

କୃତଜ୍ଞତା ସ୍ଵୀକାର

 

ଏହି ସଂକଳନରେ ସନ୍ନିବେଶିତ ସମସ୍ତ ଗଳ୍ପ ଓଡ଼ିଶାର ପ୍ରତିଷ୍ଠିତ ପତ୍ର ପତ୍ରିକାରେ ପୂର୍ବରୁ ପ୍ରକାଶିତ ହୋଇଥିଲା । ସେଥିମଧ୍ୟରୁ ତିନୋଟି ଗଳ୍ପ ‘ବୃତ୍ତ’, ‘ପରକୀୟା’ ଓ ‘ଅନ୍ଧଗଳିର ଅନ୍ଧକାର’ ‘ଝଙ୍କାର’ରେ ପ୍ରକାଶିତ ହେବା ପରେ କଠୋର ଭାବେ ସମାଲୋଚିତ ହୋଇଥିଲା । ସେଇଥିପାଇଁ ପ୍ରକାରାନ୍ତରେ ସଂପାଦକଙ୍କୁ ଦାୟୀ କରି ତାଙ୍କୁ ବ୍ୟକ୍ତିଗତ ଭାବେ ମଧ୍ୟ ତୀବ୍ର ସମାଲୋଚନା କରାଯାଇଥିଲା । କିନ୍ତୁ ଏ ସବୁ ସତ୍ତ୍ଵେ ମଧ୍ୟ ସେ ପତ୍ରିକାରେ କ୍ରମାଗତ ଭାବେ ମୋରି ଗଳ୍ପ ପ୍ରକାଶିତ ହୋଇ ଆସିଛି । ତେଣୁ ଏହି ଅବସରରେ ‘ଝଙ୍କାର’ ର ମୁଖ୍ୟ ସଂପାଦକ ଡକ୍ଟର ହରେକୃଷ୍ଣ ମହତାବ୍ ଓ ତତ୍କାଳୀନ ପରିଚାଳନା ସଂପାଦକମାନଙ୍କୁ ମୋର ଗଭୀର କୃତଜ୍ଞତା ଜଣାଉଛି । ଏଥି ସହିତ ଅନ୍ୟାନ୍ୟ ପତ୍ରିକାର (ଯେଉଁଥିରେ ମୋ ଗଳ୍ପ ପ୍ରକାଶିତ ହୋଇଛି) ସଂପାଦକମାନଙ୍କୁ ମଧ୍ୟ ମୋର କୃତଜ୍ଞତା ଜଣାଉଛି ।

 

ଓଡ଼ିଶାର କୌଣସି ପ୍ରସ୍ତକ ପ୍ରକାଶକ ମୋର ଏହି ସଂକଳନ ପ୍ରକାଶ କରିବାକୁ ଆଗ୍ରହୀ ନଥିଲେ । ବ୍ୟକ୍ତିଗତ ଭାବେ ନିଜ ତରଫରୁ ପ୍ରକାଶ କରିବା ପାଇଁ ମୋର ଧୈର୍ଯ୍ୟ, ଶ୍ରମ ଓ ଆଗ୍ରହ ଅଭାବ ଥିଲା । ତେଣୁ ଏହି ସଂକଳନ ଯେ କେବେ ପ୍ରକାଶ ପାଇବ, ମୋର ଆଶା ନଥିଲା । କିନ୍ତୁ ମୋର ବଡ଼ଭାଇ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ଶ୍ରୀ ଧୀରେନ୍ଦ୍ର ନାଥ ପଟ୍ଟନାୟକଙ୍କ ବ୍ୟକ୍ତିଗତ ଚେଷ୍ଟା, ଅକ୍ଳାନ୍ତ ଉଦ୍ୟମ ଓ ଶ୍ରମ ଫଳରେ ଏହା ଲୋକ ଲୋଚନକୁ ଆସି ପାରିଛି । ତେଣୁ ଯଦି ଏହି ସଂକଳନରେ କିଛି ମୂଲ୍ୟ ଥାଏ, ଯଦି ଏହା କିଞ୍ଚିତ୍ ପ୍ରଶଂସା ପାଏ ତେବେ ତାହା ସମସ୍ତ ତାଙ୍କରି ପ୍ରାପ୍ୟ ।

 

ପରିଶେଷରେ କଟକର ଶୈଳ ପ୍ରିଣ୍ଟିଂସ୍ ତାଙ୍କର ଅକୁଣ୍ଠ ସାହାଯ୍ୟ ଓ ସହଯୋଗ ଦେଇ ଅତି ଅଳ୍ପ ସମୟରେ ପୁସ୍ତକର ମୁଦ୍ରଣ କାର୍ଯ୍ୟ ସଂପୂର୍ଣ୍ଣ କରିଥିବାରୁ, ତାଙ୍କ ନିକଟରେ ମୁଁ ମୋର କୃତଜ୍ଞତା ଜଣାଉଛି ।

 

–ଲେଖକ

☆☆☆

 

ସୂଚୀପତ୍ର

 

୧.

କୋଣାର୍କ

୨.

ସୁରୁଚି ଓ ସୁନୀତି

୩.

କଲମ

୪.

ବୃତ୍ତ

୫.

ଦ୍ରଷ୍ଟା

୬.

ବଣା ବାଟୋଇର ଚମ୍ପୁ

୭.

ବିଦୁଷକର ନିବେଦନ

୮.

ଜଣା ଅଜଣା

୯.

ପର୍ଶୁରାମ

୧୦.

ନଷ୍ଟ ନଗରୀ

୧୧.

ବିଶର ମହାନ୍ତି

୧୨.

ଚିରାପଥିକର ଚାରଣ ଗୀତ

୧୩.

ପରକୀୟା

୧୪.

ଭୁବନେଶ୍ଵର

୧୫.

କବନ୍ଧ

୧୬.

ଅନ୍ଧଗଳିର ଅନ୍ଧକାର

☆☆☆

 

କୋଣାର୍କ

 

କେଲେଣ୍ଡାରଟା କିଏ କେବେ ଆଣିଥିଲା କେଜାଣେ, ସେ ଦିନ ବାକ୍ସ ଝାଡ଼ୁ ଝାଡ଼ୁ ପାଇଲା ସୁମତି ।

 

ଗାଢ଼ ନାଲି ପୃଷ୍ଠଭୂମିରେ ଈଷତ୍ ହଳଦିଆ ସୁନାରଙ୍ଗରେ ଅଙ୍କିତ ଗୋଟାଏ ଉଲଙ୍ଗ ନାରୀମୂର୍ତ୍ତି । ପାତଳା ଝିଲ୍‍ମିଲ୍ ଧଳା ରଙ୍ଗର ଉତ୍ତରୀୟ ଦେହର ମଧ୍ୟଭାଗ ଓ ସ୍ତନସନ୍ଧି ଦେଇ ଚିତ୍ରକର ପିଠି ପଟକୁ ପକେଇ ଦେଇଛି ଠିକ୍ ଉଡ଼ିଲାପରି । ଏଇ ଦରଲୁଚାର ପଟ୍ଟଭୂମିରେ ସେ ଆଙ୍କିଛି ଗୋଟାଏ ଉଦ୍ଧଯୌବନାର ବଳିଷ୍ଠ ଅଙ୍ଗସୌଷ୍ଠବ । ଗାଲରେ ପାତଳ ନାଲି ରଙ୍ଗ, ଲଜ୍ଜାର ଆଭାପାଇଁ । ଭ୍ରୂଲତା ଦୁଇଟି ଗାଢ଼ କଳା; ଟାଣି ହୋଇଯାଇଛି କାନ ଆଡ଼କୁ, ଆଖିପତା ଯୋଡ଼ିକ ଅର୍ଦ୍ଧନିମୀଳିତ । ପତା ଉପରେ ଖୁବ୍ ପାତଳ ନୀଳରଙ୍ଗ । ଦୁଇଟି ସ୍ତନ ଅର୍ଦ୍ଧବୃତ୍ତପରି । ଅଙ୍ଗ ତୁଳନାରେ ଟିକେ ବେଶୀ ବର୍ଦ୍ଧିଷ୍ଣୁ । ଧଳା ଉତ୍ତରୀୟ ଭିତରେ ବି ପାତଳ ନାଲି ନାଲି ରଙ୍ଗ ସୂଚେଇ ଦେଉଛି ସେଗୁଡ଼ିକର ପୂର୍ଣ୍ଣ ଆକାର ।

 

କେଉଁ ନାମହୀନ ଚିତ୍ରକରର କଳ୍ପନା ।

 

ସୁମତି ଥରେ ଆଖି ବୁଲେଇ ନେଇ ତଳକୁ ପକେଇଦେଲା । କୋଉଠି ରହିଲା କେଜାଣି ସେହି ଓସାରିଆ ନାଲିଧଡ଼ି ଥିବା ଧଳା ଶାଢ଼ୀଟା ? ମନ୍ଦିରକୁ ପିନ୍ଧି ଯିବ ବୋଲି ଖୋଜି ଖୋଜି ସେ ନୟାନ୍ତ ହେଲାଣି ।

 

ଚାରିବର୍ଷର ପୁଅ ଟୁନା ତଳେ ବସି ଆଳିମାଳିକା ଘାଣ୍ଟୁ ଘାଣ୍ଟୁ ହଠାତ୍ ଦେଖିଲା ଫଟଟାକୁ ‘ମୋ ନାଲି ଫଟ’ ‘ମୋ ନାଲି ଫଟ’ କହି ଗୋଟେଇ ନେଇ ବାହାରକୁ ପଳେଇଲା ସେ । ଆରପଟ ଘରେ ବସି ପଢ଼ୁଛି ମିଲି ।

 

“ନାନି, ଦେଖିଲୁ ମୋ ନାଲି ଫଟ ।”

 

“କାହିଁ ଆଣ ତ ଦେଖେ ?”

 

“ତୁ ନବୁନି କହ ?”

 

“ହଁ ତୋ ଫଟ ତ ନେବାକୁ ମୁଁ ମରିଯାଉଛି । ଆଣ ଦେଖେ । ଦେ—”

 

ତେର ବରଷର ଗଜରା ଦେହଟା ତାର ଉଷୁମ ପରର ଧୀର ଆଉଁଷାରେ ଥରି ଉଠିଲା ଯେମିତି । ଆଖି ଫେରେଇ ନେଉ ନେଉ କି ଅଟକିଗଲା ଆଖି ଦିଟା । ଅଙ୍କ ପଢ଼ଉଥିବା ସୁରମା ଦିଦିଙ୍କ ପରି ଚେହେରାଟା । ସୁରମା ଦିଦି ଲଙ୍ଗଳା ହେଲେ ତ ଏମିତି ଦେଖା ଯାଉଥିବେ । ଛି, ଚଟ୍‍କରି ଫେରିପଡ଼ି ସେ ଟୁନା ମୁହଁକୁ ଚାହିଁଲା । ଟୁନା ମୁହଁରେ ଆଶଙ୍କାର ଛାଇ । ‘ଦେ ?’, ଫରହ ନା, ଥାଉ ଟିକିଏ, କିଏ ତୋର ନେଇଯାଇଛି ?’ କୋଠରୀ ସେପାଖ ଦୁଆରମୁହଁ ଆଡ଼ୁ ପୁଣି ଆଖିଟା ବୁଲେଇ ଆଣିଲା ସେ । ଇସ୍...ବଡ଼ ହୋଇ ଲଙ୍ଗଳା ହେଲେ ଏମିତି ଦେଖାଯାନ୍ତି ! ସେ ବି ତ ବଡ଼ ହେଲେ ଏମିତି ଦେଖାଯିବ ।

 

ଓଃ, କେତେ ଡେରି । ଆହୁରି କେତେ ବର୍ଷ ? ଆଖି ବୁଜି ହୋଇ ଆସୁଛି ।

 

“ଦେ ।”

 

“ନେଇ ଯା । ଖାଲି ଦେ ଦେ, କିଏ ଯେମିତି ଖାଇଯାଉଛି ।” ଟୁନା ଚିତ୍ରଟା ନେଇ, ବାହାରେ ବାରଣ୍ଡାକୁ ବାହାରିଗଲା ।

 

ମିଲି ଟେବୁଲ ଉପରେ କହୁଣୀଭଟ ଦେଇ ମୁଣ୍ଡରଖି ଆଖି ବୁଝିଲା ସକାଳୁ କେମିତି ଅଳସ ଲାଗୁଛି ଦେହଟା । ନାଲି ରଙ୍ଗଟା ତାର ସାରା ଦେହରେ ଛାଇଯାଉଛି ଯେମିତି । ଆଉ ସେଇ ନାଲିରଙ୍ଗରୁ କେତେ ରଙ୍ଗ ଉକୁଟୁଛି । କେତେ ଭଙ୍ଗୀରେ, କେତେ ଢଙ୍ଗରେ, କେତେ ରୂପରେ । ଆଙ୍ଗୁଳିଟା ଲାଲ । ପାଣି ପାଇପ୍‍ଟା ବି ନାଲି ଦିଶୁଛି । କଲମ, ପେନ୍ସିଲ ସବୁ ନାଲି । ପାଖ କ୍ୱାଟରର ରମ୍ଭର ମୁହଁଟା ବି ନାଲି । ମନା ଭାଇନାର ମୁହଁଟା ବି ନାଲି । ଆରେ ରମୁର ମୁହଁଟା କୁକୁର ମୁହଁ ପାଲଟି ଯାଉଛି । ଆଲସେସିଆନ କୁକୁର । କେଡ଼େ ବିକଟାଳ, କେଡ଼େ ଭୟଙ୍କର, କଦର୍ଯ୍ୟ, କୁତ୍ସିତ । ହସୁଛି । ଦୁଇ ପାଟିରୁ କେମିତି ଦୁଇ ଧାର ନାଳ ଝରୁଛି । ତା ଆଡ଼କୁ ଝପଟି ଚାଲି ଆସୁଛି । ସେ ଯାଇ ପାରୁନି । ପଥର ମୂର୍ତ୍ତି ପରି ସେ ଖାଲି ଗୋଟାଏ ଜାଗାରେ ଅଟକି ରହିଛି । ପାଖକୁ–ପାଖକୁ–ଆହୁରି ପାଖକୁ—

 

“ଏଇ ଟୁନା, ସେଇଟା କି ଫଟ କିରେ, ଦେଖି ?”

 

“ମୋ ନାଲି ଫଟ । ମୁଁ ଦେବିନି ।”

 

“ନ ଦେ । ଆଉ ତୋତେ ସାଇକେଲରେ ବସେଇ ବୁଲେଇ ନେବି ?”

 

“ନେ, ଦେଖିସାରି ଫେରେଇ ଦେବୁ ।”

 

ଚିତ୍ର ବଢ଼େଇଦେଲା ଟୁନା । ମନା ମିଲିଠୁ ଦୁଇବର୍ଷ ବଡ଼ ।

 

ସତେ ଯେମିତି ଇଲେକ୍‍ଟ୍ରିକ ତାର ଉପରେ ହାତ ପଡ଼ିଗଲା ତା’ର । ଏକଦମ ଲଙ୍ଗଳା ଫଟ । ଇସ୍ ! ବଡ଼ ମାଇକିନା ଲଙ୍ଗଳା ହେଲେ ଏମିତି ଦିଶନ୍ତି । ଶୁଭ୍ରା ବି ଲଙ୍ଗଳା ହେଲେ ତ ଏମିତି ଦିଶିବ ! ଦେହ, ହାତ, ଛାତି—ଠିକ୍ ଏକାପରି ବୋଧେ । ଆଖିରେ ଅନେକ ଆଲୁଅ । ବୁଜି ହୋଇ ଆସୁଛି ଆଖିପତା । ନାଲି ଦିଶୁଛି । ଟକ ଟକ ନାଲି ଭିତରେ ଭାସୁଛି କଳା କଳା ଛାଇ । ସେଇ କଳା ଛାଇଗୁଡ଼ାକ ମେଞ୍ଚାଏ ଲେଖା ଜେଲିଫିସ୍ ପରି ପ୍ରତି ମୁହୂର୍ତ୍ତରେ ଆକାର ବଦଳଉଛନ୍ତି-। ଗୋଲ, ସିଲିଣ୍ଡାର, ତ୍ରିଭୁଜ, ହାଇପାରବୋଲା । କଳା ଆଉ ଲାଲର ମଝିରେ ଗୋଟାଏ ନୀଳାଭ ଆଲୋକ—ଅକ୍‍ସିଡାଇଜିଂ ଶିକାର ମଧ୍ୟାଂଶ ପରି ଏକାଗ୍ର । ନୀଳାଭ ରେଖା କ୍ରମଶଃ ଫିକା ହଳଦିଆରୁ ଉଜ୍ଜ୍ୱଳ ହଳଦିଆ ହୋଇଆସିଛି । ନାଲି ଭିତରେ ସେଇ ହଳଦିଆ ରଙ୍ଗଟା ଅଧେ ଲୁଚି ଅଧେ ଦିଶୁଛି । କଳା ମେଞ୍ଚଟା ବିଭିନ୍ନ ରୂପ ନେଉଛି । ଶୁଭ୍ର, ମେହନ୍ତରାଣି, ବାସନମଜା ଚାକରାଣୀ, ଦିଲୁର ନୂଆବୋହୂ । ଶୋଷ ଲାଗୁଛି ମନାକୁ । ଭୀଷଣ ଶୋଷ । ଶୁଭ୍ରା ପାଣି ଗିଲାସଟା ଧରି ଆସୁ ଆସୁ ସେ ନାଲି ଭିତରେ କୋଉଠି ହଜି ଯାଉଛି ! ପୁଣି ଆସି ଠିକ୍ ପାଖରେ ପହଞ୍ଚିଲା ବେଳକୁ ନାଲି କୁହୁଡ଼ିଟା ଫେର ତା ମଝିରେ ରହିଯାଉଛି ।

 

“କିରେ ସେଇଟା କଣ ?” ସାନ କକେଇଙ୍କ ପାଟି ମନା ଚମକି ଉଠିଲା ।

 

“ଏଇଟା ମୋ ନାଲି ଫଟା” ଟୁନା ଉତ୍ତର ଦେଲା ।

 

“ନାଇଁ କଳେଇ, ଟୁନା କୋଉଠୁ ଗୋଟେ କେଲେଣ୍ଡାର ଆଣିଥିଲା ଯେ ଦେଖୁଥିଲି ।”

 

“ଟୁନା ଫେର କୋଉଠୁ...ଦେଖି ଦେଖି ?”

 

“ମୋ ଫଟ, ହୋଇ ଦେଖ ।”

 

ମନା ଖସିଗଲାଣି ।

 

ବାଃ, ବେଶ୍ ଚମତ୍କାର ହୋଇଛି ତ !

 

“କୋଉଠୁ ଆଣିଲୁ କିରେ ?”

 

“ବୋଉ ଦେଲା ।”

 

“ଓଃ !”

 

ହଷ୍ଟେଲକୁ ନେଇଯିବା । ତା ରୁମରେ ଆଗ କାନ୍ଥ ଉପରେ ଟାଙ୍ଗି ରଖିବା । ଭାଉଜ ତ ବାଛି ବାଛି ବେଶ୍ ଫଟ ଆଣିଛନ୍ତି । ଭାଇନା ବୋଧେ ଆଣିଥିବେ । ଆଖି ଦୁଇଟା ଓ ସ୍ତନ ଦୁଇଟା ସୁନ୍ଦର ଭାବେ ଆଙ୍କିଛି । ଅଳକା ପରି ଦିଶୁଛି । ଶାଢ଼ୀ, ବ୍ଲାଉଜ୍ ସବୁ ଖୋଲି ଯଦି ଅଳକାକୁ ଏମିତି ଭାବରେ... । ସେଦିନ ସେ ସ୍ମିଭ୍‍ଲେଶ ଭିନେକ୍ ବ୍ଲାଉଜ ପିନ୍ଧି କ୍ଲାସକୁ ଆସିଥିଲା । ଆବୃତ ହୋଇଥିଲା ଅନାବୃତ । ଓଃ, ଲାଲ, ଲାଲ, ଲାଲ, ଲାଲ, ଅଙ୍ଗାର । ନାଲି ଟୁକୁଟୁକୁ ଜଳନ୍ତା ଅଙ୍ଗାର, ଜାଳୁଛି । ସେ ଉତ୍ତପ୍ତ ହେଉଛି । ଗରମ ବାମ୍ଫ ଦେହ ଭିତରୁ କୁହୁଡ଼ି ପରି ମାଡ଼ି ଆସୁଛି । ଆଖି ଝାପ୍‍ସା ହେଉଛି । ଦୁଇଟି ଉବୁଡ଼ା ପିଆଲା ! ସ୍ଫଟିକ ସ୍ୱଚ୍ଛ । ତା’ ଭିତରେ ନାଲି ନାଲି ସୁରା ଉଛୁଳି ପଡ଼ିଛି । ଆଗରେ ବୁଦୁବୁଦୁକିଆ ଜଙ୍ଗଲ । ସେ ଦୌଡ଼ଛି । ସେ ଆହୁରି ଜୋରରେ ଦୌଡ଼ଛି । ଉବୁଡ଼ା ପିଆଲା ଦୁଇଟା ପଛରେ ପଡ଼ିରହୁଛି ।

 

ହେଇ, ନନା ଆସିଲେଣି ।

 

ମିଲି, ମନା ପଢ଼ାରେ ଯୋଗ ଦେଲେଣି । ସାନ କକେଇ ରୋଷେଇଘରେ ।

 

“ନନା, ନନା ମ ?” ଟୁନା ଡାକିଲା ।

 

“କଣ ବାପା ?’

 

“ଦେଖ ମୋ ନାଲି ଫଟ ।”

 

“ଦେଖି ?”

 

ସାପ, ଗୋଖୁର ସାପ, ଫଣା ଟେକିଛି ।

 

“ଏ ଫଟ ତୋତେ କିଏ ଦେଲା ? ଭାଇନା ?” ଗର୍ଜନ କଲେ ମନ୍ମଥବାବୁ ।

 

“ନା, ବୋଉ ।”

 

“ବୋଉ । ହୁଃ । ଟିକେ ଇଆଡ଼େ ଶୁଣିଲ ?”

 

“କ’ଣ ହେଲା ?” ସୁମତି ସିଆଡ଼ୁ କହି କହି ଆସିଲେ ।” ଘରେ ନ ପଶୁଣୁ ଏଡ଼େ ପାଟି-?”

 

“ଏ ବାଜେ ଫଟ ସବୁ କୋଉଠୁ ଆସୁଛି ?”

 

“ମୁଁ କ’ଣ ଜାଣେ ? ଆଜି ତୁମର ପୁରୁଣା ବାକ୍ସ ଖେଳଉ ଖେଳଉ ତା’ରି ଭିତରେ ଦେଖିଲି । ଟୁନାକୁ ଦେଇଥିଲେ ଖେଳିବ ବୋଲି ?”

 

“ଛି, ଛି, ଛି, ଏଇଠି ଛୁଆପିଲାଗୁଡ଼ାକ ଅଛନ୍ତି । ଏଇସବୁ ଫଟ ତାଙ୍କ ଆଗର–” ଫଡ଼ଫାଡ଼ ହୋଇ ଚିରିବାକୁ ଲାଗିଲେ ସେ ।

 

ଟୁନା ଭେରଣ୍ଡା ପାଟିରେ ଚିତ୍କାର ଆରମ୍ଭ କଲା” ମୋ ନାଲି ଫଟ । ଏଁ ଏଁ ଏଁ ମୋ ନାଲି ଫଟ | ନନା ମୋ ନାଲି ଫଟ ଚିରିଦେଲେ । ମୋ ନାଲିଫଟ ଉଁ ଉଁ ଉଁ... ।

☆☆☆

 

ସୁରୁଚି ଓ ସୁନୀତି

 

ସୁରୁଚି ଝିଅଟା ଦେଖିବାକୁ ବେଶ୍ ଚମତ୍କାର । ଦେହ, ହାତ, ଗୋଡ଼, ନାକ, ମୁହଁ, ଆଖି କୋଉଥିରେ କିଛି ବାଛିବାକୁ ନାହିଁ । ପରିଷ୍କାର ଗୋରା । ସ୍ୱାସ୍ଥ୍ୟବତୀ ।

 

ଧନୀ ଘରର ଝିଅ ସେ । ଭୋଗ ବିଳାସରେ ବଢ଼ି ଆସିଛି । କିନ୍ତୁ ସେ ପ୍ରାଚୁର୍ଯ୍ୟ ଭିତରେ ବି ଦେହରେ ଶିଥିଳତା ଆସିନି । କାମ ଦାମରେ (ସୌଖିନ ଅବଶ୍ୟ) ବି ଉଣା ନୁହେଁ । ଚମତ୍କାର ଉଲ୍‍ର ବୁଣା ଜାଣେ । ଚପ୍, କଟଲେଟ ମଧ୍ୟ ସୁନ୍ଦର ଭାବରେ ରାନ୍ଧି ଜାଣେ । ବି.ଏ. ପଢ଼ୁଛି । ଗୀତ ବି ଗାଇ ଜାଣେ । ପିଲାଦିନେ ନାଚରେ ପ୍ରାଇଜ୍ ପାଇଛି । ଗୋଟାଏ କଥାରେ କହିବାକୁ ଗଲେ ସମ୍ପୂର୍ଣ୍ଣ ଆଧୁନିକା । ପ୍ରତ୍ୟେକ କାମରେ ତାର ଗୋଟାଏ ଶ୍ରୀ ଥାଏ । କଥାବାର୍ତ୍ତା, ବ୍ୟବହାର ଅନେକ କାଇଦା, ପ୍ରତ୍ୟକଟିରେ ମାର୍ଜିତ ରୁଚିର ପରିଚୟ ମିଳେ । ଯାହାକୁ କହନ୍ତି ସର୍ବଗୁଣସଂପନ୍ନା ।

 

(କିନ୍ତୁ ସୁନୀତି ବ୍ୟଥା ପାଏ ।)

 

ସୁରୁଚିର ବାହାଘର ବି ହେଲା ଜଣେ ସୁନ୍ଦର, ଉଚ୍ଚ ଶିକ୍ଷିତ ଏବଂ ଉଚ୍ଚ କ୍ଷମତାପ୍ରାପ୍ତ ସରକାରୀ କର୍ମଚାରୀ ସାଙ୍ଗରେ । ଅବଶ୍ୟ ଶଶୁରଘର ଧନୀ ନୁହନ୍ତି । ଶଶୁର କୋଉ ଗୋଟାଏ ଘରୋଇ କମ୍ପାନୀରେ ହେଡ–କ୍ଲର୍କ । ଘରର ଅବସ୍ଥା ବି ସେମିତି ବେଶୀ କିଛି ଭଲ ନୁହେଁ । କିନ୍ତୁ ସୁରୁଚି—ବାହାଘର ପରେ ବେଶୀଦିନ ଶଶୁର ଘରେ ରହେନି । ସେଥିପାଇଁ ମଧ୍ୟବିତ୍ତ ପରିବାରର ପରିବେଶ ସହିତ ସେ ପରିଚିତ ନୁହେଁ । ସ୍ଵାମୀ ତାକୁ ନେଇ ଆସିଲେ ତାଙ୍କ କର୍ମସ୍ଥଳୀକୁ । ସହର ଜାଗା । ସୁରୁଚି ପାଇଲା ତାର ନିଜର ପରିବେଶ । ଆସିଲାଦିନୁ ସେ ଘରସଜା କାମରେ ଲାଗିଗଲା-। କୋଉଠି କୋଉଟା ରହିଲେ ସୁନ୍ଦର ଦେଖାଯିବ । କୋଉ କମ୍ପାନୀର କୋଉ ଜିନିଷଟା ଭଲ ତାର ନଖଦର୍ପଣରେ । ସୋଫା ଉପରେ କି ରଙ୍ଗର ଗଦି ଦେଲେ ଭଲ ସାଜିବ, କୋଉ ଫୁଲଦାନୀରେ କି ପ୍ରକାର ଫୁଲ ରହିବ, ଘରର ଝରକାରେ କି ରଙ୍ଗର ପରଦା ରହିବ ସବୁଥିରେ ତାର ନିଖୁଣ ହାତର ଗୁପ୍ତ । ବୈଠକଖାନା ଘରକୁ ପଶିଯାଇ ଏମିତି କେହି ଲୋକ ନାହିଁ ଯେ ତାର ଘରସଜ୍ଜା ଆଉ ରୁଚିକୁ ପସନ୍ଦ କରି ନାହିଁ । ପ୍ରତ୍ୟେକଟି ଜିନିଷରେ ଗୋଟାଏ ଆର୍ଟିଷ୍ଟିକ୍ ଛାପ । ରଙ୍ଗର ବହୁଳତା ନାହିଁ । ଜିନିଷପତ୍ରର ପ୍ରାଚୁର୍ଯ୍ୟ ନାହିଁ, କିନ୍ତୁ ଦେଖିଲେ ମନେ ହେବ ତାର ଏଇ ସରଳ ସୁନ୍ଦର ସାଜସଜ୍ଜା ଭିତରେ ବି ସେ ଅନ୍ୟମାନଙ୍କ ବହୁ ମୂଲ୍ୟ ଜିନିଷଠାରୁ ଯଥେଷ୍ଟ ଉପରେ ।

 

ତା ‘ଛଡ଼ା, ବଜାର ସଉଦାଠାରୁ ପାର୍ଟି ଆଟେଣ୍ଡ କରିବା ପର୍ଯ୍ୟନ୍ତ ସବୁକାମ ସେ ସହଜରେ କରିଯାଏ । କୌଣସିଠାରେ ତାକୁ ଯେମିତି କିଛି ବାଧେନା । ହୁଏତ ତାର ଏଇ ସହଜତା ତାର ଏକ ଇଶ୍ୱରଦତ୍ତ ଗୁଣ ।

 

ସ୍ଵାମୀ ସୁକୁମାର ବାବୁ ସମସ୍ତ ଦାୟିତ୍ଵ ତା ଉପରେ ଛାଡ଼ିଦେଇ ନିଶ୍ଚିନ୍ତ । କେବଳ ଅଫିସ କାମ ଛଡ଼ା ବାକି କାମରେ ମୁଣ୍ଡ ପୁରାନ୍ତି ନାହିଁ । ବନ୍ଧୁମାନଙ୍କ ମେଳରେ କହନ୍ତି, ‘‘ମୋର ଭାଗ୍ୟ ଯେ ଏମିତି ସ୍ତ୍ରୀଟିଏ ପାଇଛି” । ବନ୍ଧୁମାନେ ମଧ୍ୟ ଏକଥା ମୁକ୍ତ କଣ୍ଠରେ ସ୍ୱୀକାର କରନ୍ତି ‘‘ମିସେସ୍ ମିଶ୍ରଙ୍କ ପରି ସର୍ବଗୁଣସଂପନ୍ନା ଝିଅଟିଏ ମିଳିବା କୋଟିକରେ ଗୋଟିଏ” ।

 

(କିନ୍ତୁ ଏତେ ସବୁ ଗୁଣ ଥାଇ ସେ ସୁମୀତି କାହିଁକି ବ୍ୟଥାପାଏ ଭୁଝିବା କଠିନ । )

 

କିଛି ବର୍ଷ ପରେ ସେଦିନ–

 

ମିଷ୍ଟର୍ ଶର୍ମାଙ୍କ ପାର୍ଟି । ସଜ ହୋଇସାରି ବାହାରିଲା ବେଳକୁ ସାନଝିଅ ମିନି ଜିଦ୍ ଧରିଲା ମା ସାଙ୍ଗରେ ଯିବାକୁ । ବଡ଼ ପୁଅଟା ବୁଝି ଗଲାଣି । କିନ୍ତୁ ଏଇ ଝିଅଟା ଭାରି ଅଝଟିଆ ହୋଇଛି । କେକ୍, ଚକୋଲେଟ୍, ଲଜେନ୍‍ସ, ବିସ୍କୁଟ କିନ୍ତୁ କିଛି ହେଲା ନାହିଁ । ମା’ର ଶାଢ଼ୀପଣତ ଧରି କାନ୍ଦି ଗଡ଼ିବାକୁ ଲାଗିଲା । ବିରକ୍ତ ହୋଇ ଉଠିଲା ସୁରୁଚି । ଶାଢ଼ୀଟାକୁ ଦଳି ମକଚି ନଷ୍ଟ କରି ଦେଲାଣି । “ଛୁଆ ନେଇ ପାର୍ଟିକୁ ଯିବା କ’ଣ ସାଜେ ?” ଆୟାକୁ ଧମକ ଦେଲା ଯିବାବେଳେ ଛୁଆଟାକୁ ନେଇ ବାହାରକୁ ଯାଆନ୍ତାନି । ଠିକ୍ ବାହାରିଲା ବେଳକୁ ସାମନାରେ ଧରି ଛିଡ଼ା ହୋଇଥିବ । ଲୁଲିର ଚିତ୍କାର ସେତେବେଳକୁ ଆହୁରି ବଢ଼ିଲାଣି । ଠାଏ, ଠାଏ ଦି ଚଟକଣା କଷି ଦେଲା ସୁରୁଚି । ଅତି ଅବାଧ୍ୟ ହୋଇଛି । ଆୟା ଜବରଦସ୍ତି ଧରି ନେଇଗଲା ବାଗିଚାଆଡ଼କୁ । ଶାଢ଼ୀଟାକୁ ଆଉ ଥରେ ସଜାଡ଼ି ନେଇ ସୁରୁଚି ଓହ୍ଲାଇଗଲା । ହର୍ଣ୍ଣ ଦେଲାଣି ସୁକୁମାର । କେତେବେଳୁ ଯାଇ ବସିଛି । ଏଇନେ କହିବ, “ଧନ୍ୟ ତମ ମାଇକିନାଙ୍କ ସଜ” । ସୁରୁଚି ତର ତର ହୋଇ ବାହାରିଗଲା ।

 

(ସୁନୀତି ସେଦିନ କାନ୍ଦିଲା)

 

ଏ ଭିତରେ ସୁକୁମାର ବାବୁଙ୍କ ବାବା ରିଟାୟାର କରି ଗଲେଣି । ସୁକୁମାର କହିଲା ତାଙ୍କ ପାଖରେ ରହିବାକୁ । ବୁଢ଼ା ବୁଢ଼ୀ ମନାକଲେ । ଗାଁରେ ରହିବେ । ଯାହା ଜମି ବାଡ଼ି ଅଛି ସେଗୁଡ଼ା ନ ଦେଖିଲେ ଯୋଉ ଯୁଗ ହେଲାଣି କିଏ କେତେବେଳେ ଦଖଲ କରି ନେଇଯିବ ତାର କି ଠିକ୍ ଅଛି ।

 

ସୁରୁଚି କହିଲା “ସେଗୁଡ଼ା ସବୁ ବିକିଦିଅ । କଣ ହେବ ସେଗୁଡ଼ା ଥାଇ । ଆମର ତ କେହି ଯାଇ ଆଉ ଗାଁରେ ରହିବୁନି । ବରଂ ଏଇଠି ଗୋଟାଏ ଘର କରିବା ।”

 

ଠିକ୍ କଥା କିନ୍ତୁ ଶଶୁର ଶାଶୁ ବିରକ୍ତ ହେଲେ । “ଆମେ ମରିଗଲେ ତମେ ବିକ ଭାଙ୍ଗ ଯାହାକର, ଜୀଇଥିଲା ଯାଏ ସେଥିରେ କାହାକୁ ହାତ ମାରିବାକୁ ଦେବି ନାହିଁ ।”

 

ସୁରୁଚି ମୁହଁ ମୋଡ଼ିଲା । ପୁରୁଣାକାଳିଆ ସେଣ୍ଟିମେଣ୍ଟ । ସୁକୁମାର କହିଲା, “ତମେ ଚୁପ୍ ରୁହ । ପିତୃ ପୁରୁଷର ଭିଟାମାଟିର ମାୟା ତାଙ୍କର ଏବେ ବି ରହିଛି । ରହିବ । ସେମାନେ ସେକାଳର ମଣିଷ ।”

 

ଗାଁକୁ ଯିବାର କିଛିଦିନ ପରେ ବାପାଙ୍କର ଜର ହେଲା । ଅତଏବ ପରିବାର ସହ ଗାଁକୁ ଯିବାକୁ ସୁକୁମାର ବାବୁ ବାଧ୍ୟ ହେଲେ । ସୁରୁଚି କହିଲା, “ଦେଖିଲ, ମୁଁ କହିଥିଲିନା, ଏତେଦିନ ବିଦେଶରେ ଭଲ ଭାବରେ ଚଳି ଆସିଲେ, ଗାଁକୁ ଯାଇ ସେ ଅସ୍ୱାସ୍ଥ୍ୟକର ପରିବେଶ ଭିତରେ ଯେ ନିଶ୍ଚୟ ଦେହ ଖରାପ ହେବ, ଏଥିରେ ଆଶ୍ଚର୍ଯ୍ୟ କଣ ?” ସୁକୁମାର ଚୁପ ରହିଲା ।

 

ସୁରୁଚି ଜୀବନରେ କେବେ ଗାଁ ଦେଖିନି ।

 

ଗାଁର ସେଇ ମୁଣ୍ଡବଜା ଚାଳଘର । ପଛପାଖ ଜଳପୂର୍ଣ୍ଣ ପଡ଼ିଆ ଆଉ ସାମନାରେ ଗୁହାଳ ଦେଖି ତାକୁ ବାନ୍ତି ମାଡ଼ିଲା । ସେ କହିଲା, “ଦେଖ ମୁଁ ଏଠି ମୋଟେ ରହି ପାରିବିନି । ବାପାଙ୍କୁ ନେ ଚାଲ ବରଂ ସେଇଠିକୁ ଚାଲିଯିବା । ଏଠି କଣ ଅସୁବିଧା ଅଛି ? ନା ଅଛି ଡାକ୍ତରଖାନା ନା ଡାକ୍ତର ।”

ବୁଢ଼ା ମନାକଲେ । କିଛି ହେଇନି । ସାମାନ୍ୟ ଟିକିଏ ଜର । ଛାଡ଼ି ଯିବନି ଯେ । ଦି ଦିନ ପରେ ଛାଡ଼ିଗଲା ବି । ପିଲାମାନଙ୍କୁ ଗାଁରେ ରଖି ସୁକୁମାର ବାବୁ ଚାଲି ଆସିଲେ ।

କିନ୍ତୁ ସୁରୁଚିକି ଅସହ୍ୟ ଲାଗିଲା ଏଇ ପରିବେଶ । ପାଇଖାନା ନାହିଁ । ଢାଳ ନେଇ ଗୁଡ଼ାଏ ଲୋକଙ୍କ ଏଡ଼େ ଏଡ଼େ ଆଖି ଆଗରେ ସେଇ କିଆବୁଦା ମୂଳକୁ ଯିବାକୁ ହେବ । ତାଛଡ଼ା କି ଦୁର୍ଗନ୍ଧ ଆଉ ଅସନା ସେ ଜାଗାଟା । ସାପ ତ ଭର୍ତ୍ତି ହୋଇଥିବେ ସେଇଠି । ଭୟରେ ଦି ଦିନ ସେ ବାହାରକୁ ଗଲେନି । କିନ୍ତୁ ତା ପରଦିନ ବାଧ୍ୟହୋଇ ଯିବାକୁ ପଡ଼ିଲା । ଚଟିମାଡ଼ି ହାତରେ ଫିନାଇଲ ଶିଶି ଧରି ସେ ଝାଡ଼ା ଗଲେ । ବୁଢ଼ୀ କହିଲେ, “ବ୍ରାହ୍ମଣ ଘର ବୋହୂ ଗାଁ ସାହିରେ ଚଟିମାଡ଼ି ବୁଲୁଛି” । “ମୁଁ କଣ ଖୁସିରେ ବୁଲୁଛି ? ଏଠି ଯୋଉ ଅବସ୍ଥାନା । କେତେବେଳେ ଯେ କି ପୋକ କାମୁଡ଼ି ଦେବ ତାର ଠିକଣା ଅଛି ? ତା’ଛଡ଼ା ସାରା ରାସ୍ତା ତ ଅସନା ଆଉ ଅବର୍ଯ୍ୟାରେ ଭର୍ତ୍ତି । ଚଟି ନ ମାଡ଼ି ମୁଁ କୁଆଡ଼କୁ ଯାଇ ପାରିବିନି ।” ସତ କଥା । ବୁଢ଼ୀ ଚୁପ ରହିଲେ ।

ଦିନେ ରାତିରେ ବୁଢ଼ୀ କହିଲେ, ଟିକିଏ ଦେହରେ ହାତ ମାରି ଦେବାକୁ । ସୁରୁଚି ଚାକରାଣୀ କି ପଠେଇ ଦେଲା । “ବାଃରେ କି ଅଦ୍ଭୁତ କଥା । ମୁଁ କ’ଣ ଦାସୀ ? ମୁଁ ଜୀବନରେ କାହାରି ଗୋଡ଼ ଘସିନି କି ଘସା ଜାଣେନି । ମୋ ଅପେକ୍ଷା ତ ମେନି (ଚାକରାଣୀ) ଭଲ ଘସିବ । ସେ ଘସିଲେ ବଂର ଦେହ ହାତରୁ ବଥା ଛାଡ଼ିବ । ମୁଁ ଯାଇ ସେଠି କରିବି କ’ଣ ? ଖାଲି ହାତ ମାରିବାଟା ସାର ହେବ । ତାଛଡ଼ା ଗୋଡ଼ କି ଅସନା କରିଛନ୍ତି ଦେଖିଲେ ଘୃଣା ଲାଗିବ ।” ଏ ବି ଠିକ୍ । କିନ୍ତୁ ଚାକରାଣୀକି ଫେରେଇ ଦେଇ ବୁଢ଼ୀ ମୁଁହମାଡ଼ି ଶୋଇଲେ । ସୁରୁଚି କହିଲା, “ଅଯଥା ଅଭିମାନ” । “ଯୋଉଟା ଜାଣେନି ସେଇଟା ବାଧ୍ୟକରି କରିବାକୁ ଯେ କାହିଁକି କୁହାଯାଉଛି ମୁଁ ବୁଝି ପାରେନା ।”

ତାର କିଛିଦିନ ପରେ ସୁକୁମାର ବାବୁ ଆସି ନେଇଗଲେ । “ବାପା ଭଲ ହୋଇଗଲେଣି-। ଚାକର, ଚାକରାଣୀ ତ ରହିଛନ୍ତି । କିଛି ଅସୁବିଧା ହେବନି ।”

ଯିବାଦିନ ରାତିରେ ବୁଢ଼ା କହିଲେ ନାତି ଟୁଲୁକୁ ରଖିଯିବା ପାଇଁ ସ୍ଵରୁଚି ମନା କଲା, “ଏଠି ରହିବ । ଗାଁ ଟୋକାଙ୍କ ସାଙ୍ଗେ ମିଶି ଯେତକ ବାଜେ କଥା ଶିଖିବ । ତାଛଡ଼ା ଯାହାସବୁ ପଢ଼ିଛି ସବୁ ଭୁଲି ପୋଡ଼ି ଖାଇ ଯିବ । ତା’ ପାଇଁ ମାଷ୍ଟର ରଖିଛି । ଭଲ ମାଷ୍ଟରଟାଏ ସେ ଯଦି ହାତଛଡ଼ା ହୋଇଯାଏ ତେବେ ଆଉ ଜଣେ ମିଳିବା ଅସମ୍ଭବ ହୋଇ ପଡ଼ିବ । ଏତେ ଦିନ ତ ରହିଲାଣି । ବରଂ ଛୁଟିରେ ଆସିବ । ଆଜି ଚାଲୁ ।” ଏଟା ବି ଠିକ କଥା ।

ବୁଢ଼ା ଚୁପ ରହିଲେ । ଆଉ ବେଶୀ ଜୋର ଜବରଦସ୍ତ କରିବାକୁ ତାଙ୍କର ସାହସ ହେଲା ନାହିଁ । ଯାଉ ।

(ଏଇ କେତେଦିନ ସୁନୀତି ଆଖିରୁ ଲୁହ ଶୁଖିନି ।)

ସୁରୁଚି ସୁଶ୍ରୀ, ଶିକ୍ଷିତା, ନିପୁଣା ଗୃହିଣୀ, ଶିକ୍ଷା, ସଭ୍ୟତା, ମାର୍ଜିତ ରୁଚି । କେଉଁଥିରେ କମ୍ ନୁହେଁ । ନିଜର ସଂସାର ଓ ପାରିପାର୍ଶ୍ଵିକ ସାମାଜିକ ଅବସ୍ଥା ସବୁଥିରେ ସେ ଖାପ୍ ଖୁଆଇ ନେଇ ଚଳିପାରୁଛି । ସମସ୍ତେ ତା’ ବ୍ୟବହାରରେ ପ୍ରୀତ । ତାର ସତ୍ୟବାଦିତା ଯେତେ ଅପ୍ରିୟ ହେଲେ ବି ସମସ୍ତେ ସ୍ଵୀକାର କରନ୍ତି । ତା’ ପରିବାର ଏକ ସୁଖୀ ପରିବାରର ଜ୍ୱଳନ୍ତ ଦୃଷ୍ଟାନ୍ତ ।

କିନ୍ତୁ ତା’ ଭିତରର ସୁନୀତିଟା ଏମିତି ସବୁବେଳେ କାନ୍ଦେ କାହିଁକି ?

☆☆☆

 

କଲମ

 

ମଞ୍ଜୁଳା ।

 

ଏକ ଧନୀ ପରିବାରର ଏକମାତ୍ର ଆଦରିଣୀ କନ୍ୟା । ତା’ର ଇଚ୍ଛା—ଅନ୍ୟମାନଙ୍କ ପାଇଁ ଆଦେଶ । ତା’ର ଖେଆଲ—ଅନ୍ୟମାନଙ୍କର ବିସ୍ମୟ କୌତୁକ । ତା’ର ଆନନ୍ଦ—ପରିବାରର ପ୍ରାଣ । ତା’ର ଦୁଃଖ—ପରିବାରର ସବୁଠାରୁ ଶୋକାକୁଳ ମୁହୂର୍ତ୍ତ । ତା’ର ସ୍ୱାସ୍ଥ୍ୟ—ଅନ୍ୟମାନଙ୍କ ଗୁରୁଚିନ୍ତା ।

 

ଉପରେ ତିନିଭାଇ ଉଚ୍ଚପଦସ୍ଥ ସରକାରୀ କର୍ମଚାରୀ । ବାପା ରିଟାୟାର୍ଡ ଚିଫ୍ ଇଞ୍ଜିନିଆର । ମାମୁଁ ସହରର ଜଣେ ବିଖ୍ୟାତ ଶିଳ୍ପପତି । ମଉସା ଓଡ଼ିଶାର ଏକ ସଂଭ୍ରାନ୍ତ ଓ ନମସ୍ୟ ପରିବାରର ଏକମାତ୍ର କୂଳପ୍ରଦୀପ ।

 

ଜୀବନରେ ଦୁଃଖ କଣ ସେ ଜାଣିନି । ପାଇବାର ଆଶାର ଯୋଉ ଜ୍ଵଳନ ତାକୁ ସେ କେବେ ଅନୁଭବ କରିନି । ଧନ, ରୂପ, ଯଶ, ସମ୍ମାନ କୋଉଥିରେ କେବେହେଲେ ସେ ଅଭାବ ବୋଧ କରିନି । ଚମତ୍କାର ଗୀତ ଗାଏ ନୃତ୍ୟରେ ବେଶ୍ ପାରଦର୍ଶୀ । ତୀକ୍‍କ୍ଷଣ୍‍ ମେଧାବୀ ନହେଲେ ବି ବଂଶର ଆଭିଜାତ୍ୟ ନିଜର ରୂପ ଓ ପ୍ରଭାବଶାଳୀ ଭାଇମାନଙ୍କର ପ୍ରତିଷ୍ଠା ପାଇଁ ସେ ପ୍ରଥମ ଶ୍ରେଣୀରେ ହିଁ ପାଶ୍ କରିଥାଏ । ଅତଏବ ସାଧାରଣତଃ ସେ ବୁଦ୍ଧିମତୀ ବୋଲି ହିଁ ଖ୍ୟାତ । ତେବେ କଣ ତାର ଦରକାର ଥିଲା ଯେ—

 

କଲେଜ ଯିବା ବାଟରେ ସେହି ବଡ଼ ଷ୍ଟେସନାରୀ ଦୋକାନ । ମଞ୍ଜୁଳା ଡ୍ରାଇଭରକୁ କହିଲା ଗାଡ଼ି ରଖିବାକୁ । ଦୈନଦିନ ଅଭ୍ୟାସ । ଚକୋଲେଟ୍ ନେବାକୁ ହେବ ଯେ । ଡ୍ରାଇଭର କବାଟ ଖୋଲି ସଂସଭ୍ରମେ ଛିଡ଼ାହେଲା । ଉଶ୍ୱାସ ପାଦରେ ଓହ୍ଲାଇ ଆସିଲା ମଞ୍ଜୁଳା । ହାତରେ ଭେନିଟି ବ୍ୟାଗ୍ । ନାଲି ଡେକ୍ରନ ଶାଢ଼ୀର ଛୋଟ ପଣତ ଦେହ ଉପରେ ରହି ରହୁନି ।

 

କାଉଣ୍ଟାର ପାଖରେ ଛିଡ଼ାହେବା ମାତ୍ରେ ଧାଇଁ ଆସିଲେ ପ୍ରୋପ୍ରାଇଟରଙ୍କ ସାନଭାଇ ନିଜେ ।”କଣ ଦରକାର ଆଜ୍ଞା ? ଚକୋଲେଟ୍ ? ଆଜି କଣ ନେବେ ? ପାଇ ? ମଟନ୍ ? କାଡ୍‍ବରୀ ଫ୍ରୁଟ୍ ନା ମିଲ୍ କ ? ମିଲ୍ କ ! ଆଚ୍ଛା ମିଶେଇ କରି ଦେଉଛି । ଜଷ୍ଟ ଏ ମିନିଟ୍ । କେତେ-? ୨୦୦ ଗ୍ରାମ ? ଆଚ୍ଛା ! ବ୍ୟସ୍ତ ରହିଲେ ପ୍ରୋପ୍ରାଇଟରଙ୍କ କନିଷ୍ଠ ଭ୍ରାତା ।

 

କେଆରଲେସ୍ ଭଙ୍ଗୀରେ ଚାରିଆଡ଼କୁ ଚାହିଁଲା ମଞ୍ଜୁଳା । ତାର ଉପସ୍ଥିତି ସମସ୍ତଙ୍କୁ ଚଞ୍ଚଳ କରିଛି । ଚାରିଆଡ଼ୁ ପ୍ରତି ମୁହୂର୍ତ୍ତରେ ଅସଂଖ୍ୟ ଦ୍ରୁତ ଚାହାଣୀ ଆସି ତା ଉପରେ ପଡ଼ୁଛି । ଏକ ଦୟାର ହସ ହସିଲା ମଞ୍ଜୁଳା । ତଥାପି ବେଶ୍ ଭଲ ଲାଗେ । ସମସ୍ତଙ୍କ ଚାହାଣୀ ଭିତରେ କେମିତି ଗୋଟାଏ କଦର୍ଯ୍ୟ ଆବେଗ ଥିଲେ ବି ତା ଭିତରେ ତା ପ୍ରତି, ସଂଭ୍ରମ, ମିନତି, ପ୍ରଶଂସା, ଆଶ୍ଚର୍ଯ୍ୟ ଓ ବିସ୍ମୟର ଅନୁରାଗ ରଞ୍ଜନ ଚାହାଣୀ ତାକୁ ଏକ ଅଦ୍ଭୁତ ପ୍ରକାରର ସେନସେସନ୍ ଦିଏ । ସବୁକିଛି ମିଶାମିଶି ଗୋଳିଆ ଗୋଳି ହୋଇ ଦିହରେ ତାର ନେସି ହୁଅନ୍ତି ସେଗୁଡ଼ା । ନା, ନିଶ୍ଚୟ ଭଲ ଲାଗେ । ତାର ନିଜର ଉପସ୍ଥିତିର ଏକ ଆଶ୍ଚର୍ଯ୍ୟ ଅସ୍ତିତ୍ଵର ଶିହରଣ । ଏଇ ଯେ ଗୋଳମାଳ, ବ୍ୟସ୍ତତା ଯେ କେବଳ ତାର ଉପସ୍ଥିତିର ଏକମାତ୍ର କାରଣ ବୋଲି ଭାବିବାର ଯୋଉ ଅହମିକାର ଅନୁଭୂତି, ନିଜର ବ୍ୟକ୍ତିତ୍ଵର ଯେ ଗୋଟାଏ ଅଦ୍ଭୁତ ପ୍ରଭାବ ରହିଛି ତାର ଅପୂର୍ବ ଚିନ୍ତା ତାକୁ ବେଳେ ବେଳେ ବିହୁଳ କରି ପକାଏ । କିନ୍ତୁ ସେ ଜାଣେ ସେଗୁଡ଼ାକ ତାର ପ୍ରାପ୍ୟ । ଆଉ ବେଶୀ କିଛି ନୁହେଁ । ସେ ଚାହେଁ ଆହୁରି ଆହୁରି ଅନେକ ବେଶୀ ।

 

ମଞ୍ଜୁଳା ଅନ୍ୟ ଆଡ଼େ ମୁହଁ ଫେରେଇଲା । ସେ ପାଖର କଣ କାଉଣ୍ଟରରେ ତଳକୁ ମୁହଁ ପୋତି ଛିଡ଼ାହୋଇ ଗୋଟାଏ ପିଲା ଫାଉଣ୍ଟେନ୍ ପେନ୍ କିଣୁଛି । ତା ଆଗରେ ଗଦା ହୋଇଛି କେତେ ରଙ୍ଗର କେତେ ପ୍ରକାରର ଫାଉଣ୍ଟେନ୍ ପେନ୍ ସବୁ । ପିଲାଟି କିଛି ଠିକ୍ କରି ପାରୁନି । ପକେଟରେ ହାତ ମାରୁଛି । ଲୋଭନୀୟ ଆଖିରେ ଚାହୁଁଛି ଦାମିକା କଲମଗୁଡ଼ାକ ଆଡ଼େ । ତା ସାମାର୍ଥ୍ୟ ବାହାରେ ସେଗୁଡ଼ା । ତାରି କଲେଜର ପିଲା ସେ । ତାଠୁ ଗୋଟିଏ ଇଅର ଉପରେ ପଢ଼େ । କିନ୍ତୁ ତାକୁ କେବେ ଭଲକରି ଲକ୍ଷ୍ୟ କରି ସେ ଦେଖିନି । ସୁନ୍ଦର ନହେଲେ ବି ପିଲାଟିର ଚେହେରାରେ ଅସମ୍ଭବ ଲାଳିତ୍ୟ । ସାଦାସିଧା ପୋଷାକ । ମଧ୍ୟବିତ୍ତ ପରିବାରର ସନ୍ତାନ ବୋଧହୁଏ । ଗରିବ ବି ହୋଇ ପାରିଥାଏ । କଲେଜରେ କେବଳ ଧନୀ ପିଲାକୁ ଛାଡ଼ିଦେଲେ ଗରିବ ଓ ମଧ୍ୟବିତ୍ତ ପିଲାମାନଙ୍କୁ ବାଛିବା ଅସମ୍ଭବ ।

 

ମଞ୍ଜୁଳାର କାହିଁକି ହଠାତ୍ ଭୀଷଣ ଭାବରେ ଇଚ୍ଛା ହେଲା କଲମ କିଣିବାକୁ । ସେଇ ଶସ୍ତା କଲମରୁ ଗୋଟାଏ । ଆସ୍ତେ ଆସ୍ତେ ଆଗେଇ ଗଲା ସେ । ପ୍ରୋପ୍ରାଇଟରଙ୍କ ଭାଇ ଜିନିଷ ବାନ୍ଧି ସାରିଲେଣି, “ହେଇ ନିଅନ୍ତୁ । ଆଉ କଣ ଦେବି ? ଆଉ କଣ ଦରକାର ?” ସେଇ ପାଖରେ ପହଞ୍ଚି ଚମକ ଭାଙ୍ଗିଲା ମଞ୍ଜୁଳାର । ଛି, ସେ ଏ କଣ କରୁଛି ? ମାନ ସମ୍ମାନ ଖୋଇ ସେ କିଣିବ ଅଢ଼େଇଟଙ୍କିଆ ପେନ୍ । କଣ ଭାବିବ ଦୋକାନୀଟା କିନ୍ତୁ କଲମଟା ପାଇଁ ଅସମ୍ଭବ ଇଚ୍ଛା ହେଉଛି ଯେ, କଣ ସେ କରିବ ? ଦୋକାନୀଟା ବଡ଼ ବିରକ୍ତି କରୁଛି । କେମିତି ତାକୁ ବିଦାୟ କରି ପାରନ୍ତା । ସେ ଚୁପ୍ କରି ଗୋଟେ ଉପାୟ ଭାବନ୍ତା ।

 

କଣ କହିବ ? ସୂତା ? ଉଲ ? ପେନସିଲ୍ ? ଆଲବମ ? ହଁ, ଠିକ୍ ଆଲବମ୍ । ଆଚ୍ଛା, ପ୍ରେଜେଣ୍ଟେସନ ପାଇଁ ଭଲ ଆଲବମ ଅଛି ? ଆହୁରି ବ୍ୟସ୍ତ ହୋଇ ପଡ଼ିଲେ ସିନିଅର କେମ୍ବ୍ରିଜ ଫେଲ୍, ଡ୍ରେନ୍‍ପାଇପ୍ ଟ୍ରାଉଜର ଓ “ଲାରେ ଲାପ୍‍ପା” ହାୱାଇନ ପିନ୍ଧା, ମସୁଣ ଗଣ୍ଡଦେଶ ଓ ବ୍ରିଲକ୍ରିମ୍ ପେଟାର୍ନର ବାଳ କୁଣ୍ଡେଇବା ପ୍ରୋପ୍ରାଇଟରଙ୍କ ଭାଇ । ଆମେରିକାନ କାଇଦାରେ ‘ସୁଅର’ କହି ଆଗେଇ ଗଲେ ଭିତର କୋଠରୀକୁ ତ୍ରସ୍ତବ୍ୟସ୍ତ ହୋଇ । ଗୋଟାଏ ଆଶ୍ୱସ୍ତିର ନିଃଶ୍ଵାସ ଛାଡ଼ିଲା ମଞ୍ଜୁଳା । ମଞ୍ଜୁଳାକୁ ପାଖେଇ ଆସୁଥିବାର ଦେଖି ନିଜର ଉତ୍କଟ ଦାରିଦ୍ର୍ୟତା ପ୍ରକାଶ କରିବାର କୁଣ୍ଠାରେ ସେଇ ଟୋକାଟା କେତେବେଳୁ ପଇସା ଦେଇ ଉଭେଇ ଗଲାଣି । କଲମଗୁଡ଼ା କାଉଣ୍ଟାର ଉପରେ ସେମିତି ପଡ଼ି ରହିଛି ଖେଳେଇ ହୋଇ ।

 

ମଞ୍ଜୁଳାର ଇଚ୍ଛା ପ୍ରବଳ ହୋଇ ଉଠିଲା । ସେ ଚୋରି କରିବ । ଚୁପ୍ କରି ସେ କଲମରୁ ଗୋଟାଏ ଉଠେଇ ନେବ । ଧୀରେ ଧୀରେ ପାଖେଇ ଆସି ବେଖାତିର ଭାବରେ କଲମଗୁଡ଼ାକ ଖେଳେଇବାକୁ ଆରମ୍ଭ କଲା ସେ । ଇସ୍–ତା ଦେହଟା କେତେ ଥରୁଛି । ଝର ଝର କରି ବୋହି ପଡ଼ିଲାଣି ଝାଳ । ସେ ନିଜକୁ ସ୍ଥିର ରଖି ପାରୁନି । କମ୍ପୁଛି । ଉଠେଇ ନେବ କି ? କେହି ଦେଖୁନି ତ-? ଏଇ ତ ସୁଯୋଗ । ନହେଲେ ଆଉ ନୁହେଁ । ଉଃ । ପ୍ରବଳ କାମନାର ନିଆଁରେ ଆଖିଗୁଡ଼ାକ ଝାପ୍ସା ହୋଇ ଆସୁଛି । ସାରା ଦେହଟା ଉତ୍ତେଜନାରେ ଟଣ ଟଣ କରି ଉଠୁଛି, ଆଃ କି ଆନନ୍ଦ ଏଇ ଉତ୍ତେଜନାରେ । ଜୀବନରେ ତାର ପ୍ରଥମ ଅନୁଭବ । ଅସହ୍ୟ, ଆଉ ହେବନି, ଦୋହଲିବାକୁ ଆରମ୍ଭ କଲାଣି ସେ । ମୁହଁଟା ଲାଲ ହୋଇ ଉଠିଲାଣି । ଓଠ ପାଖୁଡ଼ାଗୁଡ଼ାକ ଠକ୍ ଠକ୍ ଥରିବାକୁ ଲାଗିଲାଣି । ଆଖିଗୁଡ଼ାକ ପୋଡ଼ୁଛି । ଲୁହ ଆସିଲାଣି ବୋଧେ । ନିଃଶ୍ୱାସ ଭାରି ହୋଇ ଆସୁଛି-। ଛାତି ଭିତରଟା ଚାପି ହୋଇ ଆସିଲାଣି । ତଣ୍ଟିଟା କେମିତି ଅଠା ଅଠା ଲାଗୁଛି । ଆଃ, ଆଉ ଗୋଟାଏ ମୁହୂର୍ତ୍ତରେ ସେ ମୂର୍ଚ୍ଛା ହୋଇଯିବ ବୋଧେ । ନିଃଶ୍ୱାସ ବନ୍ଦ କରି ସେ ଚଟ୍ କରି ଉଠେଇ ନେଲା କଲମଟା । ଭେନିଟି ବେଗ ଓ ହାତ ପାପୁଲି ମଝିରେ କଲମଟା ରଖି ସେ ଫେରି ପଡ଼ିଲା-। ଏଥର ଟିକେ ଶାନ୍ତି । ଗୋଟାଏ ଦୀର୍ଘ ନିଃଶ୍ୱାସ ଚପା ଚପା ହୋଇ ବାହାରିଗଲା । କିନ୍ତୁ ନା, ଉତ୍ତେଜନାର ଜୁଆର ମାଡ଼ି ଆସୁଛି ଆଉଥରେ । ତାକୁ ଅତିଶୀଘ୍ର ପଳେଇବାକୁ ପଡ଼ିବ । ନହେଲେ ଧରାପଡ଼ି ଯାଇପାରେ । ଯେତେ ଶୀଘ୍ର ପାରେ । ଅଣନିଃଶ୍ୱାସୀ ହୋଇ ଉଠିଲାଣି ସେ ।

 

ତରତର ହୋଇ ଚାଲିଆସିଲା ବେଳକୁ ବିରାଟ ଗଦାଏ ଆବଲମ କାଉଣ୍ଟାର ଉପରେ ଓଜାଡ଼ି ଦେଲେ ପ୍ରୋପ୍ରାଇଟରଙ୍କ ଭାଇ, ନିଜର ଅସାମାନ୍ୟ କୃତିତ୍ଵରେ ଉଲ୍ଲସିତ ହୋଇ । “ଏଇ ଦେଖନ୍ତୁ”, “ଧନ୍ୟବାଦ । କଲେଜ ଟାଇମ୍ ହୋଇଗଲାଣି । ଟିଫିନ ଛୁଟିରେ ଆସି ଦେଖିବି ।” କୌଣସିମତେ ଏତିକି କହି ମଞ୍ଜୁଳା ଏକରକମ ଦଉଡ଼ି ଦଉଡ଼ି ଆସି କାର ଭିତରେ ବସି ପଡ଼ିଲା ।

 

ପ୍ରୋପ୍ରାଇଟରଙ୍କ ଭାଇଙ୍କ ଆଖିରେ ହତଶାର ଶୀଥିଳତା । ନା, ସେ ଛାଡ଼ିବାର ପାତ୍ର ନୁହନ୍ତି । ଚକୋଲେଟ ଗୁଡ଼ା ରହିଯାଇଛି । ଦ୍ରୁତ ପଦକ୍ଷେପରେ ପଛେ ପଛେ ଧାଇଁଲେ ସେ “ଚକୋଲେଟ, ଆଜ୍ଞା ! ଓଃ ବହୁତ ଧନ୍ୟବାଦ । ମେନି ଥାଙ୍କସ୍ ।” ଲୋକଟା ଟିକିଏ ଶାନ୍ତିରେ ରହିବାକୁ ଦେବନି ।

 

ଡ୍ରାଇଭର ଗାଡ଼ିରେ ଷ୍ଟାଟ ଦେଲା ।

 

ଓଃ, ଏଥର ଶାନ୍ତି । ନିଗୁଢ଼ ପ୍ରଶାନ୍ତି । ଏକ ପ୍ରବଳ ଉତ୍ତେଜନା ଭିତରେ ଦେହଟା ଯେମିତି ଅସମ୍ଭବ ରକମର ଦୁର୍ବଳ ଓ ଶୀଥିଳ ହୋଇଯାଇଛି । ଅନେକ କ୍ଳାନ୍ତି ଦେହରେ । କାର ଭିତରେ ନରମ ଗଦି ଉପରେ ଆଉଜିପଡ଼ି ଆଖି ବୁଜିଲା ସେ । ବାହାରର ଥଣ୍ଡା ପବନ ଦିହର ଝାଳ ଉପରେ ଅଜସ୍ର ବରଫକଣା ବିଞ୍ଚି ଦେଇ ଯାଉଥାଏ, କି ତୃପ୍ତି । କି ଆନନ୍ଦ ।

 

ଡ୍ରାଇଭର ଗାଡ଼ି ବନ୍ଦ କରି ଚାହିଁଲା । ଦେଈ ଶୋଇପଡ଼ିଛନ୍ତି । “ଆଜ୍ଞା ! ଆଜ୍ଞା !” କିଏ ଯେମିତି ବହୁଦୂରରୁ ଡାକୁଛି । “ଉଁ” । “କଲେଜ ଆସିଗଲା ଦେଈ ।” ଚମକି ପଡ଼ିଲା ମଞ୍ଜୁ । ଛି । ଲାଜମାଡ଼ିଲା ତାକୁ । କେବେ ତ, ଏମିତି ହୋଇନି ତା’ର । ଡ୍ରାଇଭର ଆଡ଼କୁ ନ ଚାହିଁ ଚଟପଟ କରି ଓହ୍ଲେଇ ଆସିଲା ।

 

କମନ୍ ରୁମ୍ ଭିତରକୁ ପଶି ଯାଉଁ ଯାଉଁ ହାତରେ ତା’ର କ’ଣଟା ଲାଗିଲା । ଆରେ, କ’ଣ ଏଇଟା ? ଓଃ ସେଇ କଲମଟା । ବିଗତ ଆନନ୍ଦର ସ୍ମୃତି, ଗୋଟାଏ ସରୁହସର ରେଖା ଟାଣିଦେଇଗଲା । ଛି, ଛି, ଛି, କି ବାଜେ କଲମଟା । ଏଇଟାକୁ ପୁଣି ସେ ଚୋରୀ କରିଥିଲା କାହିଁକି କେଜାଣି ? ସାଙ୍ଗମାନେ ଦେଖିଲେ କ’ଣ ଭାବିବେ ? ଟଏଲେଟ୍ ରୁମ୍‍ର ବାଲ୍‍ଟି ଭିତରେ ସେଇଟା ପକେଇଦେଇ ପଳେଇ ଆସିଲା ସେ । ଛି, ଛି, ଛି, ବାଜେ ବାଜେ, ବାଜେ କଲମ ।

☆☆☆

 

ବୃତ୍ତ

–୧–

ଆରୋହଣ

 

ନା, ଅସମ୍ଭବ । ଅସହ୍ୟ ଲାଗିଲାଣି ଜୀବନ । ପଣ୍ଡିତ, ଜ୍ଞାନୀ, ବୁଦ୍ଧିଜୀବୀ କହନ୍ତି ପୃଥିବୀ ଜଟିଳ ହେଉଛି । ପୂର୍ବର ସରଳତା ଆଉ ନାହିଁ । କାହିଁକି ? ତା’ର ଉତ୍ତର ଯାନ୍ତ୍ରିକ ଯୁଗ । ନୂତନ ଉଦ୍ଭାବନ । ବାଜେ କଥା । ମଣିଷ ଯେମିତି ଥିଲା ସେମିତି ଅଛି । ପରିବର୍ତ୍ତନ ହୋଇଛି ତା’ର ସ୍ୱାଭାବିକ ପ୍ରକାଶରେ । ତେଣୁ ଆଜିର ଜଟିଳତା ନୂତନ ସଭ୍ୟତାର ଦାନ । ପ୍ରତ୍ୟେକ ସଭ୍ୟ ମଣିଷର ଦାନ । ନିଜର ଭିତରଟାକୁ ଲୁଚେଇ ମୁଖୋସ ପିନ୍ଧି ନାଚ । ଯେ ଯେତେ ସୁନ୍ଦର ଭାବେ ନିଜକୁ ଲୁଚେଇ ପାରିଲା ସେ ସେତେ ସଭ୍ୟ । ଆଜିକାର ଜୀବନ ଏକ ସର୍ବଦା ସୁନିୟନ୍ତ୍ରିତ ଦ୍ୱେତ ବ୍ୟକ୍ତିତ୍ଵ ।

 

ମୋତେ ଉଠିବାକୁ ହେବ । ଅନେକ ବାଟ । ସେଇ ପର୍ବତର ଶୃଙ୍ଗ ଉପରକୁ । ଛୋଟ ବାଟଚଲା ରାସ୍ତା ଦାର୍ଶନିକର ନିଗୃଢ଼ ଭାବନା ପରି ଅଙ୍କେଇ ବଙ୍କେଇ ଲତାପତ୍ରର ଅବିଭାଜ୍ୟ ଗହଳି ଭିତରେ ଉପରକୁ ଉଠିଛି । କାଠକଟା ରାସ୍ତା ଗାଁ ଲୋକଙ୍କର । ପର୍ବତକୁ ସମୀକ୍ଷା କରିବା ମୋର କାମ । ପର୍ବତର ଦେହକୁ ଆଘାତ କରି ମୁଁ ଉଠୁଛି । କିନ୍ତୁ ତା’ର ଧ୍ୟାନଭଙ୍ଗ ହେଉନି । ସେ ସେମିତି ନୀରବ ନିଶ୍ଚଳ ହୋଇ ମୋର ଅଗ୍ରଗତିକୁ ଲକ୍ଷ୍ୟ କରୁଛି ନିର୍ଲିପ୍ତଭାବରେ ।

 

ସୁଚିତ୍ରାର ଚିଠି ଆସିଛି ।

 

ଅନେକ ଅନୁରୋଧ । ବହୁ ଅନୁନୟ, କାତର ପ୍ରାର୍ଥନା । ଦୟା, କ୍ଷମା, କରୁଣା ଚାହିଁଛି । ତା’ର ମୋ’ ନିକଟକୁ ଦେଇଥିବା (ବିବାହ–ପୂର୍ବବର୍ତ୍ତୀ ଜୀବନର) ଚିଠିଗୁଡ଼ାକ ଫେରାଇ ଦେବାକୁ ହେବ । ଏ ପୃଥିବୀ ବଡ଼ ନିଷ୍ଠୁର । ସଙ୍କଟକାଳରେ କେବଳ କବଚ କୁଣ୍ଡଳ ଚାହେଁ । ତା’ର ସମ୍ମୁଖୀନ ହୁଏନା । ଜଣକୁ ନିଃସ୍ୱ କରେ । ନିଃସହାୟ କରି ଶରବିଦ୍ଧ କରେ ।

 

ଗାଁ ପାଖରୁ କୁକୁରଟିଏ ମୋର ପଶ୍ଚାଦ୍ଧାବନ କରୁଛି । ମାଟି ଶୁଙ୍ଘି ଶୁଙ୍ଘି । ରାସ୍ତାର ଏପଟେ ସେପଟେ ତା’ର ଯାତ୍ରାର ସ୍ମୃତିଚିହ୍ନ ରଖି ରଖି । ସେ ଜାଣେ ଏ ମହାପ୍ରସ୍ଥାନ ନୁହେଁ । ତାକୁ ଫେରିଯିବାକୁ ପଡ଼ିବ ।

 

“ବିନୟ ।”

 

କ’ଣ, କହ

 

“କାହିଁକି ତୁମେ ମୋତେ ଏମିତି ପାଗଳିନୀ କରି ଦେଇଛ ? କାହିଁକି ବାରମ୍ଵାର ଏମିତି ତୁମ ପାଖକୁ ଟାଣି ଆଣୁଛ ?”

 

“ଚିତ୍ରା, ତୁମେ କେବଳ ତୁମରି କଥା ହିଁ କହ ।”

 

“କିନ୍ତୁ ବେଳେବେଳେ ତୁମର ଏମିତି ଅନ୍ୟମନସ୍କତା ଦେଖିଲେ ମୋର ଭୟ ହୁଏ । ମୁଁ ତୁମକୁ ଏତେ ଭଲପାଏ ଅଥଚ—”

 

“ମୋର ଭୟଟା ଜେନୁଇନ୍ ଯେ ।”

 

“ଭୟଟା ତୁମର ମନର । ତୁମେ କିନ୍ତୁ ନିଶ୍ଚିନ୍ତଭାବେ ଜାଣ ଯେ ତୁମରିପାଇଁ ମୁଁ ଆମର ପରିବାରର ସମସ୍ତ ସୁନାମ, ପ୍ରତିପତ୍ତିକୁ ଗୋଡ଼ରେ ଆଡ଼େଇ ଦେଇ ତମରି ପାଖକୁ ଧାଇଁ ଆସୁଛି । ତଥାପି—”

 

“ସେଇ ‘ତଥାପି’ରେ ଅନେକ କଥା ଗୋପନ ରହିଯାଉଛି । ତୁମେ ବି ଜାଣ ଯେ ଏଇଟା ହୋଇ ପାରେନା, ହେବା ଅସମ୍ଭବ ।”

 

“ନା, ଅସମ୍ଭବ ନୁହେଁ । ନିଶ୍ଚୟ ସମ୍ଭବ । ତୁମେ ଦେଖିବ ମୁଁ କିଛି ବାଧା ମାନିବିନି, କିଛି ବନ୍ଧନ ମାନିବିନି–”

 

ଭୋ...ଭୋ...ଭୋ... । “ହାସ୍ ହାସ୍ ।” “କ’ଣଟା କ’ଣଟା ?” “କିଛି ନୁହେଁ ବିଲୁଆଟା ।”

 

ପଶୁଗୁଡ଼ା ବଡ଼୍ ବୋକା । ସେମାନେ ସ୍ଵାଭାବିକ ଅତଏବ ମୂର୍ଖ । ନିଜକୁ ଲୁଚାନ୍ତି ନାହିଁ । ନିଜର ପ୍ରକୃତ ଅନୁଭୁତିକୁ ସବୁବେଳେ ପ୍ରକାଶ କରି ପକାନ୍ତି ଅପରର ଭାବନା ପ୍ରତି ଅନ୍ଧ ରହି । ସେଥିପାଇଁ ସେମାନେ ମଣିଷ ସଙ୍ଗରେ ହାର ମାନିଛନ୍ତି । ସ୍ଵୀକାର କରି ନେଇଛନ୍ତି ତା’ର ଦାସତ୍ୱ । ସେ ଯେତିକି ନିଜର ଆବରଣ ଖୋଲେ ତା’ର ସେତିକି ଆଘାତ ପାଇବାର ସମ୍ଭାବନା ।

 

ଧଇଁସଇଁ ଲାଗିଲାଣି । ଦେହସାରା ଗମ ଗମ ଝାଳ । ଫୁସ୍‍ଫୁସ୍‍ଟାର ଅନେକ ପରିଶ୍ରମ-। ଛାଟିପିଟି ହେଉଛି ଛାତି ଭିତରେ । ଗଳାଟା ବି ଶୁଖିଗଲାଣି । କାନଭିତରେ କିଏ କେମିତି ଅବିଶ୍ରାନ୍ତ ଗତିରେ ଧଡ଼୍‍ଧାଡ଼ ପିଟୁଛି । ଠିକ୍ କଳରୁ ବିନ୍ଦୁ ବିନ୍ଦୁ ପାଣି ଗଡ଼ିଲା ପରି ଠପ୍‍ଠାପ୍ ପେଣ୍ଡୁଲମ୍‍ର ମପାଚୁପା ସମୟରେ । ଆଣ୍ଠୁ ଦୁଇଟା ଲାଗିଗଲାଣି । ଜଂଘପାଖଟା କଣ୍ କଣ୍ ହେଉଛି । ଓଃ ବଡ଼ କଷ୍ଟ ।

 

ପାଣି, ଟିକେ ପାଣି । ଟିକେ ଜୀବନ ।

 

ପାହାଡ଼ୀ ଝରଣା । ପଥର ଚଟାଣ ଉପରେ କୁଳୁକୁଳୁ ଧ୍ୱନୀରେ ବହିଯାଉଛି ଚଟାଣ ଶେଷକୁ ଗୋଟାଏ କ୍ଷୁଦ୍ର ଜଳପ୍ରପାତ ସୃଷ୍ଟି କରି । ଏକ ଅବିଶ୍ରାନ୍ତ କୁଳୁକୁଳୁ ଝର୍‍ଝର୍‍ ଶବ୍ଦ । ଏକ ଯନ୍ତ୍ର, କେତେ ରାଗିଣୀ ।

 

ପରୀକ୍ଷାହଲ । ଲାବୋରେଟରୀ ।

 

“କ’ଣ ବିନୟ ।”

 

“ସାର୍ । ଏ ଏକ୍ସପେରିମେଣ୍ଟଟା ତ ଆମ କୋର୍ଷର ବାହାରେ ।”

 

“ବୁଲ, ବୁଲ । ପଲିଟିକ୍‍ସ କର । ଏଇନା କୋର୍ଷ ବାହାରେ ହେବନି । ଡିଫିକାଲ୍‍ଟ ତ ହେବ ନିଶ୍ଚୟ । ସେଇପରି ଏକ୍ସପେରିମେଣ୍ଟ ତ ପ୍ରଭାକରର ପଡ଼ିଛି । ସେ ତ କିଛି କହୁନି ।”

 

ପ୍ରଭାକର ତା’ର ପ୍ରତିଦ୍ଵନ୍ଦୀ । ଆଖିରେ ତା’ର ଶୂନ୍ୟତା । ତା’ ପାଖରେ ସାର୍ ଛିଡ଼ା ହୋଇଛନ୍ତି । କ’ଣ କହୁଛନ୍ତି ବୋଧେ ? ଯିବ କି ? ଛି... । ଆତ୍ମସମ୍ମାନ ଅଛି । ତା’ର ଦାବୀ ଖୁବ୍ ବେଶୀ । ପୀତାମ୍ବର କହୁଥିଲା । ସାର୍ କହନ୍ତି, “ବିନୟଟା ବଡ଼ ଇଗୋଇଷ୍ଟ । ମନେ ମନେ ଖୁବ୍ ଜାଣେ । ଆମ ପାଖକୁ ଆସେନା । ମହାପଣ୍ଡିତ କି ନା । ଲଜ୍ଜା ହୁଏ ବୋଧେ ।” ଖୋସାମତି । ଅପରର ସ୍ଖଳିତ ଆତ୍ମବିଶ୍ୱାସକୁ ଦୃଢ଼ୀଭୂତ କରିବାପାଇଁ ଟିକେ ପ୍ରଶଂସା । ଲଜ୍ଜାକର ଗ୍ଳାନିକର ।

 

ଏ ପୃଥିବୀ ଇସାରାରେ ପ୍ରତିଦ୍ଵନ୍ଦ୍ଵୀର ଜାନୁଭଗ୍ନ କରେ । ଲାଭ ନାହିଁ । ପରାଜୟ ଅବଶ୍ୟମ୍ଭାବୀ ।

 

ସେକେଣ୍ଡ କ୍ଲାସ ।

 

କୁକୁରଟା ପାଖରେ ବସି ହାତେ ଲମ୍ବ ଜିଭ କାଢ଼ି ଧକଉଛି । ଲାଙ୍ଗୁଳ ହଲଉଛି । ଅତି ଆପଣାର ଭଙ୍ଗୀରେ । ଆନୁଗତ୍ୟ । ମୁଁ ତୁମର । ମୁଁ ତୁମର । ଅଧେ ବାଟ ବି ଉଠିନି । ସକାଳର ସୂର୍ଯ୍ୟର ଉତ୍ତାପ ବହୁତ ବଢ଼ିଗଲାଣି । ଗୋଟିଏ ଗୋଟିଏ ଉପରକୁ ଉଠିବାକୁ ହେବ । ସନ୍ଧ୍ୟା ପୂର୍ବରୁ ଫେରିବାକୁ ହେବ । ଚାଲ, ଚାଲ ଉଠ ।

 

ପର୍ବତର ଦାଢ଼ରେ ଜମାଟବନ୍ଧା ଛାଇ । ଶିଖର ଉପରେ ଆଲୋକର ପ୍ଳାବନ ।

 

କୁକୁରଟା ଆଉ ଯିବନି । ଫେରିଯିବାକୁ ଆରମ୍ଭ କଲାଣି । ତା’ର ଜ୍ଞାନର ପରିସୀମା ବାହାରକୁ ସେ ଯିବାକୁ ନାରାଜ । ସେଇଟା ଅଜ୍ଞାତ । ଅତଏବ ଅଜଣାର ଆଶଙ୍କା । କେମିତି ଟିକେ କରୁଣତାର ଭାବ ଦେଖାଇ ମୋ ଚାରିପଟେ ଦୁଇ ଚାରିବେଢ଼ା ବୁଲିଦେଇ ସେ ଫେରୁଛି । ପଛକୁ ଚାହିଁ ଚାହିଁ ହୁଏତ କହୁଛି ହେ ବନ୍ଧୁ ବିଦାୟ । ସି ଅଫ୍ । ହାତ ହଲାଉଛି । ଯାଅ, ଚାଲିଯାଅ । ବାଟେଇ ଦେଲି । ତେଣିକି ତମର ଭାଗ୍ୟ ।

 

“ବିନୁରେ— ।”

 

‘କ’ଣ ବୋଉ ?

 

“କିଛି ଆସିଲାନି କିରେ ? ବଡ଼ ବ୍ୟସ୍ତ କଲାଣି ନିରଂଜନବାବୁ । ଅନେକ ଦିନ ହେଲାଣି ଧାର । ତା’ର ବା ଦୋଷ କ’ଣ ? ବାପା କହୁଥିଲେ ଏଇ କିଛି ଆସିଲା ପର୍ଯ୍ୟନ୍ତ ଆମ ଗାଁ ସ୍କୁଲରେ–”

 

ନା, ଆଉ ଉଠି ହେବନି ବୋଧେ । ପାହାଡ଼ର ଦାଢ଼ଟା ଅତି ତୀକ୍‍କ୍ଷଣ୍‍ ହୋଇ ଆସିଲାଣି, ଏକଦମ ନବେଡ଼ିଗ୍ରୀ କୋଣ । ସେଇ ଛୋଟ ଛୋଟ ବୁଦାଗୁଡ଼ାକ ଧରି ଧରି ଉଠିବାକୁ ପଡ଼ିବ । ଆସ୍ତେ ଆସ୍ତେ । ଧୀରେ । ପାଦ ଖସିଗଲେ ରକ୍ଷା ନାହିଁ । ଦୀର୍ଘ ତିନିହଜାର ଫୁଟର ଗହୀର । ପାଦତଳର ପଥରଗୁଡ଼ାକ ସବୁ ଫସ୍‍କା । ଗାବ୍ଳସ୍ । ଇନ୍‍ସାଇଟ୍ ନୁହେଁ । ସ୍ଥିତି ନାହିଁ । ଗଡଡାଳିକା । ଟେଲାସ୍ । ଅବିଶ୍ଵାସ୍ୟ ।

 

ସ୍ମାର୍ଟ ହେବା ଦରକାର । ପଟାପଟ୍ ଉତ୍ତର ଦେବା ଚାହି । ଭୁଲ ହେଉ ପଛେ ପ୍ରଶ୍ନ ହେବା ମାତ୍ରକେ ଉତ୍ତର । କମିଶନ୍‍ର ମେମ୍ବର ଇମ୍ପ୍ରେସଡ୍‍ ହେବେ । ଫମ୍ପାମାଠିଆର କଦର ବେଶୀ-

 

ଛାଇଗୁଡ଼ାକର ଦୀର୍ଘତା କମି ଆସିଲାଣି । ସକାଳେ ଯୋଉଗୁଡ଼ା ଏତେ ଲମ୍ବ ଲମ୍ବ ଦେଖା ଯାଉଥିଲେ ସେଗୁଡ଼ା ଅନେକ ପାଖେଇ ଆସିଲେଣି । (ସେ ନିଜର ଛାଇର ମୁଣ୍ଡକୁ ଧରିବାର ଚେଷ୍ଟା କରୁଥିଲା ପିଲାଦିନେ ଛାଇ ପଛେ ପଛେ ଦଉଡ଼ି) । ଛାଇଟା ମଇଳା । ଆମ ଦେହ ଅସ୍ଵଚ୍ଛ । ଓପେକ୍ । ସୂର୍ଯ୍ୟକିରଣ ପଶି ପାରେନା । ତେଣୁ ଛାଇ ହୁଏ, କିନ୍ତୁ ଛାଇଟା ମନେହୁଏ ମୋର ଅଥଚ ତା,ର ସୃଷ୍ଟି ପାଇଁ ମୁଁ ଦାୟୀ ନୁହେଁ । ସୂର୍ଯ୍ୟର ଖେଳ ସେ । ବଢ଼ାଏ, କମାଏ । ନିଜର କମ୍ ବେଶୀ ହୁଏନା । ଚାକିରି ପଦମର୍ଯ୍ୟାଦା ଏମିତି ଖେଳ ଖେଳନ୍ତି ଆମ ସାଙ୍ଗରେ ।

 

ପାହାଡ଼ର ଢାଲୁର ଲମ୍ବ ଲମ୍ବ ଗଛ । ସିଧା, ସରଳରେଖା । ଏକମୁଖୀ । ଊର୍ଦ୍ଧ୍ୱ ମୁଖୀ । ଅନେକ ଉଚ୍ଚ । ଲତାଟିଏ ପ୍ରତ୍ୟେକ ଗଛରେ । ଲଟେଇ ଲଟେଇ ପ୍ରିୟର କଣ୍ଠଲଗ୍ନା ହୋଇଉଠିଛି ଉପରକୁ । ଲତା ଦେହରେ ଫୁଟିଛି ବାଇଗଣି ରଙ୍ଗର ଫୁଲ । ନିସ୍ତବ୍ଧ । ନିର୍ଜନ । ଯେପରି ପରସ୍ପର ଆଲିଙ୍ଗନାବଦ୍ଧ ପ୍ରଣୟୀ ଯୁଗଳ ଆନନ୍ଦରେ ଆତ୍ମହରା ହୋଇ ଭାଷାହୀନ । ବନ୍ଧନ । ଅଚ୍ଛେଦ୍ୟ ବନ୍ଧନ ।

 

ସୁପ୍ରିୟାର ଚିଠି ।

 

“ଛଅମାସ ହେଲାଣି । ଛଅଟା ଯୁଗ । କେବେ ଆସିବ ? ବାଟ ଚାହିଁ ଚାହିଁ ଆଖିରୁ ପାଣି ମଲାଣି । ଟୁନି ପେଟଉଛି । ଟିକେ ଟିକେ ଆଣ୍ଠୁ ମାଡ଼ିଲାଣି । ଠିକ୍ ଅବିକଳ ତୁମରିପରି ହେଇଛି । ତୁମେତ ସେଇ ସାତ ଦିନର ଦେଖି ଯାଇଥିଲ । ଏଥର ଆସି ଦେଖିବ କେତେ ବଡ଼ ହେଲାଣି । କେତେ ମଜା କରୁଛି । ତାକୁ ଚାହିଁଲେ ତମ ମୁହଁଟା ଆଖି ଆଗରେ ଭାସିଯାଏ । ସତରେ, କେବେ ଆସିବ ? ଦି ଦିନ କ’ଣ ଛୁଟି ମିଳୁନି ?”

 

ଆଃ! ଆଣ୍ଠୁ ପୁଳେ ଉଡ଼ିଗଲା ବୋଧେ । ହାତକହୁଣୀ ପାଖଟା ବି ଓଦା ଓଦା ଲାଗୁଛି । ପୋଡ଼ୁଛି । ଆଉ ଅଳ୍ପବାଟ । ନୀଳ ଆକାଶଟା ପରିସ୍କୃତ ଦେଖାଯାଉଛି । ଗଛଗୁଡ଼ାକ କ୍ରମଶଃ ଛୋଟ ହୋଇ ଆସୁଛି । ଆଉ ସେ ନିରନ୍ଧ୍ର ପତ୍ରଗହଳିର ଘନ ସବୁଜୀମା ନାହିଁ । ତଳର ନିର୍ଲଜ୍ଜ ପ୍ରତିଦ୍ୱନ୍ଦ୍ଵିତା ଉପରକୁ କମି ଯାଉଛି । ଦୃଷ୍ଟିକୁ ବାନ୍ଧି ରଖିଥିବା ସେ ଦୁର୍ଭେଦ୍ୟ ପ୍ରାଚୀର ପାତଳ ହେଉଛି । ସେଇ ବଡ଼ ପଥରଟା । ତା’ର ଉପରକୁ ଉଠିଗଲେ ଶେଷ । ଯାତ୍ରାଶେଷଟା ହିଁ କଷ୍ଟକର-। ଆଗରେ ଇପ୍ସିତ ବସ୍ତୁ । ହାତ ପାହାନ୍ତାରେ; କିନ୍ତୁ ସେଇଟିକକ ବାଟ ସତେ ଯେପରି ଲମ୍ବିଛି ହଜାର ମାଇଲ ଧରି । ହତାଶା । ଆସଙ୍କାର କୁହୁଡ଼ି ଅଣନିଃଶ୍ୱାସୀ କରୁଛି । ପରାଜିତ ମନୋବୃତ୍ତି ପଛକୁ ଟାଣୁଛି । ଅସଂଲଗ୍ନ ଦେହ ପ୍ରତିବାହ କରୁଛି, କିନ୍ତୁ ନା । ଏ ସବୁକୁ ତ୍ୟାଗ କରିବାକୁ ପଡ଼ିବ-। ଲକ୍ଷ୍ୟ ପାଖରେ ପହଞ୍ଚି ହାରିଯିବା କାପୁରୁଷତା ।

 

ତଣ୍ଟି ଭିତରେ କିଏ ଯେମିତି ଗୁଡ଼ାଏ ଅଠା ଢାଳି ଦେଇଛି । ବାହାରର ପବନ ଅସମ୍ଭବ ଜୋରରେ ଗୋଡ଼ାଉଛି ଭିତରର ପବନକୁ । ଅଙ୍ଗ–ପ୍ରତ୍ୟଙ୍ଗଗୁଡ଼ିକର ଯୋଗସୁତ୍ର ଛିଣ୍ଡିଗଲାଣି । ତାଙ୍କର ସମ୍ମିଳିତ କାର୍ଯ୍ୟର ଗତି କେମିତି ଆତ୍ମକେନ୍ଦ୍ରିକ ହୋଇ ପଡ଼ୁଛି । ଓଃ ।

 

ହେୟ୍ ଗଲା ଗଲା । ହାଁ ହାଁ ହାଁ । ସାବଧାନ । ସାବଧାନ । ଗୋଡ଼ ଖସିଛି । ବାଁ ହାତରେ ବାଦୁଡ଼ି ପରି ଲଟକି ରହିଛି । ଡାହାଣ ହାତର ମୂଳସୁଦ୍ଧା ଉପୁଡ଼ି ଆସିଥିବା ପାହାଡ଼ି ଗଛଟା-। ନିରିଖି ଚାହିଁଲି । ମୁଁ ୟାର ଆଶ୍ରୟ ଚାହିଁଥିଲି । ମୋର ବିଶ୍ଵାସ ଦେଇଥିଲି । କେତେ ଭୁଲ କରୁଁ ଆମେ ଚିହ୍ନିବାରେ । ଛାତିରେ ଦକା ପଶିଯାଇଛି । କ୍ଷଣକ ପାଇଁ ଦେହ ହାତ ସବୁ ଶୀତଳ ହୋଇ ଯାଇଛି । ନିଃଶ୍ୱାସ ପ୍ରଶ୍ୱାସର ଝଡ଼ଟା ଯେମିତି ହଠାତ୍ ବନ୍ଦ୍ ହୋଇଗଲା ମୁହୂର୍ତ୍ତକ ପାଇଁ ।

 

ଓଃ । ଏଥର ଆଉ ଗୋଟେ ଝାଳର ବନ୍ୟା । ଭୟର । ମୃତ୍ୟୁର ।

 

ଆହୁରି ଗୋଟାଏ ପଦକ୍ଷେପ; କିନ୍ତୁ ସେଇ ପଦକ୍ଷେପର ଦୂରତ୍ଵ କି ଲକ୍ଷେ ମାଇଲ ।

 

ଆସ୍ତେ । ଆସ୍ତେ । ଆସ୍ତେ ।

 

ଖୁବ ଜୋରରେ ଧରିବାକୁ ପଡ଼ିବ ଗଛଟାକୁ । ତା’ପରେ ବାଁ ଗୋଡ଼ଟା ଧୀରେ ଧୀରେ ଟେକି ପଥର-ଖୋପ ଭିତରେ ରଖିବାକୁ ହେବ । ଶେଷରେ ଡାହାଣ ଗୋଡ଼ଟା ସେଇ ଗଛମୂଳେ ରଖି ଗୋଟାଏ ଡିଆଁ ।

 

କେତେଟା ମୁହୂର୍ତ୍ତ । କେତେଟା ସମ୍ୱତ୍ସର । କନସେଣ୍ଟ୍ରେସନ୍ । ଏକାନ୍ତ ମନୋଯୋଗ । ଲକ୍ଷ୍ୟ ସ୍ଥିର । ଦେହ ସ୍ଥିର । ମନ ସ୍ଥିର । ରେଡି, ଷ୍ଟେଡି—

 

ଆଃ ।

 

କେତେ ବିସ୍ତୃତ ଏ ପୃଥିବୀ । କେଡ଼େ ବିଶାଳ ଏ ଆକାଶ ।

 

ତଳରେ ପଡ଼ି ରହିଛି ସବୁଜ । ଡାକୁଛି । ଆସ, ଆସ, ଫେରିଆସ । ଉପରେ ନୀଳ । ବହୁଦୂରରେ ସେଇ ସବୁଜ ହଜୁଛି ନୀଳରେ । ଚକ୍ରବାଳର ଚତୁଃପାର୍ଶ୍ଵରେ ଉର୍ଦ୍ଧ୍ୱରେ ନୀଳର ବନ୍ୟା । ସବୁର ଅନ୍ତ କେବଳ ସେଇ ନୀଳରେ ସବୁର ଆରମ୍ଭ ସେଇ ନୀଳରେ ।

 

ନୀଳ । ନୀଳ । ନିଳୀମା ।

 

ଆଲିଙ୍ଗନ କରୁଛି । ଆଦର କରୁଛି । ଏତେ ଡେରି କାହିଁକି ? ପାଗଳ ସନ୍ତାନ । ଏମିତି ଭୁଲନ୍ତି ? ମାତୃତ୍ୱର ହସ । ବାତ୍ସଲ୍ୟର ସ୍ପର୍ଶ ।

 

ମୁଁ ଆଖି ବୁଜିଲି ।

 

ଅନେକ ଶ୍ରାନ୍ତି ଦେହରେ । ବହୁତ କ୍ଳାନ୍ତି ପଥଚଲାର । ଏଥର ତୃପ୍ତିର ନିଦ । ମହାନ୍ ତୃପ୍ତିର । ଗଭୀର ଆନନ୍ଦର ।

 

–୨–

ଶିଖର

 

ଶିଖର । ରାମଗିରି ପର୍ବତର ଚୂଡ଼ା ।

 

ଦୂରରୁ ମନେହୁଏ ସତେ ଯେମିତି ଗୋଟାଏ ପିନ୍‍ର ମୁନିଆ ଅଗ୍ରଭାଗ ପରି; କିନ୍ତୁ ଉପରେ ସମତଳ । ବିସ୍ତୃତ ନୁହେଁ ଏକ ଗୋଲ କଣ୍ଟୁର୍ । ନିବଦ୍ଧ ଜଙ୍ଗଲ ପାତଳ ହୋଇଛି । କେତେଟା ମାତ୍ର ବଡ଼ ବଡ଼ ଗଛ ଅଂସଖ୍ୟ ବିକ୍ଷିପ୍ତ ବୁଦା ଭିତରେ ମୁଣ୍ଡ ଟେକିଛନ୍ତି । ନାରଙ୍ଗୀ ଗାର୍ନେଟରେ ଚିତ୍ରିତ ସଫେଦ୍ ଗ୍ରାନାଇଟ୍ ପଥର ଏକ ବିରାଟ କଇଁଛର ଖୋଳପ ପରି ନିସ୍ତବ୍ଧରେ ପଡ଼ିରହିଛି । ଅସଂଖ୍ୟ ଜଏଣ୍ଟରେ ବିଦୀର୍ଣ୍ଣ । ଫାଟଦେଇ ଉଠିଛି ଲମ୍ବ ଲମ୍ବ ଘାସ । ଶୁଖିଛି । ଧାରେ ଧାରେ ଶିଉଳିର ଶୁଖିଲା ଖୋଳପା କାଛୁ ଉପରର ବକଳା ପରି ଅଧମେଲା । ଚାରିଆଡ଼େ ଧୁସରିଆ ହଳଦିଆର ବିସ୍ତୃତି ।

 

ଫାଲ୍‍ଗୁନ । ପର୍ଣ୍ଣମୋଚୀବନ ପତ୍ର-ତ୍ୟାଗ କରୁଛି । ନିଜକୁ ନୂତନ ଭାବରେ ସଜେଇବାର ପ୍ରଚେଷ୍ଟା କରୁଛି । ପୁରୁଣା ପ୍ରେମିକକୁ ତ୍ୟାଗ କରି ନୂତନ ପ୍ରେମିକର ବାହୁଲଗ୍ନ ହେବାର ମାଧ୍ୟମିକ ବିଶ୍ରାମର ସଲଜ୍ଜ ଦୋଦୋପାଞ୍ଚ ତା’ର ଦେହରେ । ପାହାଡ଼ର ତଳରୁ ଲମ୍ବିଛି ଚିକିଟୀ, ସୁରଙ୍ଗୀର ସମତଳ ଭୂମି । ମଧ୍ୟାହ୍ନର ଖରାର ଈଷତ୍ ଧୂସର ନୀଳ କୁହୁଡ଼ିର ଆସ୍ତରଣ । ଜାଳୁଜାଳୁଆ । ଉପରୁ ତଳକୁ ଚାହିଁବାରେ ଗୋଟାଏ ବିଶେଷତ୍ଵ ଅଛି । ତଳୁ ଜଣାଯାଏ ବିରାଟ—ଉପରୁ କେତେ କ୍ଷୁଦ୍ର କେତେ ନଗଣ୍ୟ । ଦୀର୍ଘ ସମତଳ ଭୂମି ଅସ୍ପଷ୍ଟ । ନୀଳ କୁହୁଡ଼ିରେ ଏକ ପ୍ରଭାତର ସ୍ଵପ୍ନ ପରି ମନେ ହେଉଛି । ଅଙ୍କାବଙ୍କା ହିଡ଼—ଗୁଡ଼ାଏ ପ୍ରସ୍ତରୀଭୂତ ସାପ ପରି । ଗାଁ, ଘର, ଗଛ । ଗୋଟାଏ ବିରାଟ ଧୂସର କାଗଜ ଉପରେ ଗୋଟାଏ ଖିଆଲିପିଲାର ବିରକ୍ତିକର କାଳିବିନ୍ଦୁର ଛିଞ୍ଚଡ଼ା । ଘୋଡ଼ାହାଡ଼ ନଈ ଛଳନାମୟୀ ନାରୀର ଭାଷା ପରି ବଙ୍କାବଙ୍କା ଦରଲୁଚା । ମଝିରେ ମଝିରେ ଚକ୍ ଚକ୍ ମାରୁଛି ତରଳ ଦର୍ପଣ ସେଇକେବଳ ଜୀବନ୍ତ । ଆଉ ସବୁ ସୁପ୍ତ । ସ୍ୱର୍ଗୀୟ ଭାବନାରେ ଧ୍ୟାନମଗ୍ନ । ତଳର ତରଳ ପ୍ରାଣଚଞ୍ଚଳତା ଗତିଶୀଳତା ଯେମିତି ଉପରକୁ ଆସ୍ତେ ଆସ୍ତେ ମିଳାଇ ଯାଇଛି । ଏଇ ଗତିଶୀଳତା ଯେପରି କେବଳ ନିଛକ ଏଇ ମାଟିର । ଅନେକ ଦୂରରେ ବଙ୍ଗୋପସାଗର । ସମତଳ ଭୂମିର ଶେଷ ପ୍ରାନ୍ତରେ । ପବନରେ ସେଥିପାଇଁ ସମୁଦ୍ରର ଆଳାପ । ପତ୍ରଗହଳିର ସରୁ ସୁରର ମର୍ମର ଭିତରେ ସାଗରର ଅବଚେତନିତ ଗମ୍ଭୀର ଖଦ୍‍ସୁର ।

 

ମୁହୁର୍ତ୍ତ ଯାଉଛି । ଫେବୃୟାରୀ ମାସ ଅଠେଇଶ ତାରିଖର ମଧ୍ୟାହ୍ନର ମୁହୂର୍ତ୍ତ । ଫାଲ୍‍ଗୁନ ତୃତୀୟ ଦିନ ଅଠରଶ ଅଠାଶି ଶତାବ୍ଦର ମଧ୍ୟାହ୍ନର ମୁହୂର୍ତ୍ତ । ଏହି କ୍ଷୁଦ୍ର ମୁହୂର୍ତ୍ତ । କେତେ ଘଟଣାରେ ଭାରୀ । ଟୋକିଓ, ହାନୋଇ, ପିକିଂ, ରେଙ୍ଗୁନ, ସିଙ୍ଘାପୁର, କଲିକତା, ବମ୍ବେ, କରାଚୀ, ଇଷ୍ଟାନବୁଲ୍, ମ୍ୟୁନିକ୍ ପାରିସ୍, ଲଣ୍ଡନ, ନିଉୟର୍କ, ମସ୍କୋର ଏକ ଜୀବନ୍ତ ମୁହୂର୍ତ୍ତ । କେତେ ଲକ୍ଷ ଘଟଣା । କେତେ କୋଟି ? ମଣିଷର ପଶୁର ପକ୍ଷୀର ଘଟଣା । ସବୁ ଘଟଣା ଗୋଟାଏ ମୁହୂର୍ତ୍ତର ଅଣୁରେ ବନ୍ଦୀ ହୋଇ ତଳକୁ ଖସୁଛି । ଏକ ଅଫେରନ୍ତା ମୁହୂର୍ତ୍ତ । ତା ପଛକୁ ଆଉ ଗୋଟାଏ—ତା ପଛକୁ...ଶେଷ ନାହିଁ । ଗୋଟିଏ ଗୋଟିଏ ମୁହୂର୍ତ୍ତ ପୁଣି ସେହିପରି ଆହୁରି ଲକ୍ଷ କୋଟି ଘଟଣାର ଭାରରେ ଗର୍ଭବତୀ ହୋଇ ତଳକୁ ଖସୁଛି । ଏ ମୁହୂର୍ତ୍ତର ଶେଷ ନାହିଁ । ଏ ଘଟଣାର ଶେଷ ନାହିଁ । କିନ୍ତୁ କୋଉଠିକି ? ହୁଇଦାର୍ ? କ୍ୱବେଡିସ୍ ? କୁତ୍ର ?

 

ମୁଁ ଶୋଇଛି । ଏକ ଜୀବନ୍ତ ଚେତନା । ଚଳମାନ ମୁହୂର୍ତ୍ତଗୁଡ଼ିକର ଘଟଣାବଳୀର ଗୁରୁଭାବରେ ଅବିଚଳିତ ରହି । ଏଇ ପାହାଡ଼ ପରି । ମୋ ଦେହରେ କେତେ ଗୁରୁଚାପର ଲହରୀ-। ଅଥଚ କେବଳ ଗୋଟାଏ କ୍ଷୁଦ୍ର ନଗଣ୍ୟ ଅନୁଭୂତି ଛଡ଼ା ତା’ର ଆଉ କିଛି ପ୍ରଭାବ ନାହିଁ ମୋ ଉପରେ । ଏଇ ବାୟୁମଣ୍ଡଳୀୟ ଚାପ । ୩୨ ପାଉଣ୍ଡ ପାରସେକେଣ୍ଡ ପାରସେକେଣ୍ଡ ଗୋଟାଏ ସ୍କୋୟାର୍‍ଇଞ୍ଚ ଉପରେ । ଅଥଚ ମୁଁ କିଛି ଜାଣି ପାରୁନି । ହାଲୁକା । ପର । ତୂଳା । ଭାସୁଛି ପବନର ଢେଉରେ ।

ମୁଁ । ଏକ ମଣିଷ । ବିଂଶ ଶତାବ୍ଦୀର, ଅଠରଶ ଅଠାଅଶି ଶତାବ୍ଦର । ପାଠ ପଢ଼ିଛି । ଚାକିରି କରିଛି । ଭଲ ପାଇଛି । ବାହା ହୋଇଛି । ସନ୍ତାନର ଜନକ । କିଛି ନୂଆ ? କିଛି ନାହିଁ । ଆଜିକୁ ବହୁ ବର୍ଷ ତଳେ ପ୍ରଥମେ ମଣିଷ ଯେତେବେଳେ ଏ ପୃଥିବୀକୁ ଆସିଥିଲା ସେ ବି ଠିକ୍ ଏୟା କରିଛି । କେବଳ ବାହ୍ୟିକ କାମର ପ୍ରକାର ଭେଦ ହୋଇଛି । କେତେଗୁଡ଼ାଏ ଉପୁରିଆ କାମର ରୂପାନ୍ତର ହୋଇଛି । ମୁଁ ମୋ ସ୍ତ୍ରୀକୁ ଭଲପାଏ । ମୋ ସନ୍ତାନକୁ ଭଲପାଏ । ମୋ ବାପା ମୋତେ ସେମିତି ଭଲ ପାଉଥିଲେ । ତାଙ୍କୁ ତାଙ୍କ ବାପା । ତାଙ୍କ ବାପାଙ୍କୁ ତାଙ୍କ ବାପା—ନା, କିଛି ପରିବର୍ତ୍ତନ ନାହିଁ । ଠିକ୍ ସେମିତି ମୋର ସନ୍ତାନ । ସେ ବାହା ହେବ । ସେ ପୁଣି ତା’ ର ସନ୍ତାନକୁ ଭଲ ପାଇବ । ସେମିତି ଚାଲିବ ଯୁଗ–ଯୁଗ ଧରି, କିଛି ଅଦଳବଦଳ ହେବନି । ଗୋଟାଏ ମିନୋଟାରର ଭଉଁରୀ । ମୁକ୍ତି ନାହିଁ । ମୁକ୍ତି ନାହିଁ । ଏକ ଐକକେନ୍ଦ୍ରିକ, ସମବ୍ୟାସାର୍ଦ୍ଧର ଏକ ଅଲଙ୍ଘନୀୟ ଘୂର୍ଣ୍ଣାୟମାନ ବୃତ୍ତ ଯା’ର ସେଣ୍ଟ୍ରିଫ୍ୟୁଗେଲ୍ ଫୋର୍ସ ନାହିଁ ।

ସୁପ୍ରିୟା, ଟୁନି ଆଉ ସମସ୍ତେ ସେମିତି ଚକ୍କର କାଟିବେ । ଭାଉଁରୀରେ ବୁଲୁଥିବେ । ଏ ଆଲୋକ । ଆଜିକାର ମଧ୍ୟାହ୍ନର ସୂର୍ଯ୍ୟାଲୋକ । ବନ, ପର୍ବତ, ବିଲ, ପ୍ରାନ୍ତର, ମଣିଷ, ପଶୁ, ପକ୍ଷୀ, ଆକାଶ, ପୃଥିବୀ ସମସ୍ତଙ୍କୁ ଏକ ସ୍ନେହମୟୀ ମା’ର ବିଗଳିତ ମମତା ପରି ଆଲିଙ୍ଗନ କରି ରଖିଛି । ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ସେମିତି ବାନ୍ଧି ରଖିବ ତାର ସହସ୍ର ବାହୁରେ । ମନେହୁଏ ଏଇ ଦିବାଲୋକ ପରି ସତ୍ୟ ଆଉ କିଛି ନାହିଁ । କିନ୍ତୁ ରାତ୍ରି ଆସିବ । ଘନକାଳିମାର ତୂଳିରେ ପୋଛିଦେଇଯିବ ସମସ୍ତ ଆଲୋକ । ଶୋଷି ନେବ ନିଜ ଭିତରକୁ । ଦିନ ଲିଭିବ । ଚିହ୍ନ ଲିଭି ଯିବ-। ତା’ର ସ୍ଥିତି ଆଉ ରହିବନି । ଅସ୍ତିତ୍ଵ ରହିବନି । ରହିବ ଖାଲି ଗୋଟାଏ ସ୍ମୃତି । ପୁରୁଣା ବର୍ଷର କେଲେଣ୍ଡରରେ ଗୋଟାଏ ତାରିଖ । ନିର୍ଜୀବ । ସ୍ମୃତି ।

ମୁଁ ବି । ସେମିତି ସବୁ ମଣିଷ । ଯେତେଦିନ ପର୍ଯ୍ୟନ୍ତ ଚେତନା ସେତେଦିନ ପର୍ଯ୍ୟନ୍ତ ସେ ସତ୍ୟ । ଚେତନାର ବିଲୋପ ପରେ । ଏଇ ଦେହଭିତର ହୃତ୍‍ପିଣ୍ଡର ଶେଷ ସ୍ପନ୍ଦନ ପରେ ସେ ଖାଲି ଏକ ସ୍ମୃତି । ସ୍ୱପ୍ନ । ଇତିହାସର ପୃଷ୍ଠରେ ଗୋଟାଏ ଅକ୍ଷର । ଭାବପ୍ରବଣତାହୀନ ଏକ ନିର୍ଜୀବ, ମୂକ, ଜଡ଼ କଳାଛାପ ।

ମୋର ପ୍ରେମ, ଭଲପାଇବା, ସ୍ନେହ ସବୁ ମୋରି ଭିତରେ ହିଁ ସୀମାବଦ୍ଧ । ମୁଁ ଭଲପାଏ ମୋରିପାଇଁ । ମୁଁ ଘୃଣାକରେ ମୋରିପାଇଁ । ମୁଁ କାହାରି ଅପେକ୍ଷା ରଖେନା । ବାପାଙ୍କର ମୋ ପ୍ରତି ସ୍ନେହମମତାର ସ୍ମୃତି ମୋତେ ଯେତେ ବିଚଳିତ କରୁନି ତା ଅପେକ୍ଷା ହଜାରେ ଗୁଣରେ ବେଶୀ ବିଚଳିତ କରୁଛି ମୋର ସନ୍ତାନ ପ୍ରତି ମୋର ଭାବନା । ମୋ ବାପା ଏକ ସ୍ମୃତି । ମୋ ସନ୍ତାନ ଏକ ଅସ୍ତିତ୍ଵ । ଏକ ଜୀବନ୍ତ ଚେତନା ।

ତେବେ କୋଉଟା ସତ୍ୟ ? ଏ ଦିବାଲୋକ ସତ୍ୟ ନୁହେଁ । ଏ ମୋର ଅସ୍ତିତ୍ଵ ସତ୍ୟ ନୁହେଁ । ସବୁ କେବଳ ଏକ କ୍ଷଣିକର ସତ୍ୟ । ସ୍ଵପ୍ନ । ଯେତେବେଳେ ସେ ଦେଖେ ସେ ଭାବେ ସତ୍ୟ । ନା, କିଛି ସତ୍ୟ ନୁହେଁ ।

ଅଥଚ ମୋ କାମରେ ତ କେହି ବାଧା ଦେଉନି, ମୁଁ ଖାଇବି । ପାଇଖାନା ଯିବି । ଭଲ ପାଇବି, ପିଅନ୍‍ କୁ ରାଗିବି । ଚାକରକୁ ଗାଳି ଦେବି । ବଡ଼ ଅଫିସରକୁ ଖୋସାମତ କରିବି, ଅପେକ୍ଷାକୃତ ସୁଖରେ ଥିବା ବନ୍ଧୁମାନଙ୍କୁ ଈର୍ଷାକରିବି । ସବୁ କରିଯିବି । ଅଥଚ ସେ କାମରେ କିଛି ମୂଲ୍ୟ ନାହିଁ । ନିଦବାଉଳା ଲୋକପରି ଚାଲବୁଲ କରିଯିବି ନିଜ ଅଜାଣତରେ ।

ସୁପ୍ରିୟା, ଟୁନି, ସୂଚିତ୍ରା, ବୋଉ, ବନ୍ଧୁବାନ୍ଧବ, ବଡ଼ ସାହେବ । କେହି ପ୍ରକୃତରେ ନାହିଁ ଅଥଚ ସମସ୍ତଙ୍କର ଅସ୍ତିତ୍ୱ ମୁଁ ଅନୁଭବ କରିଛି । ମୁଁ ବି ନାହିଁ । ଏକ ଅନନ୍ତ ଶୂନ୍ୟତା ଭିତରେ ଦୋଦୁଲ୍ୟମାନ ଏକ ପିଣ୍ଡ । ତଥାପି ମୋର ଅସ୍ତିତ୍ଵ ଅଛି ।

ଏଇ “ଅଛି ନାହିଁର” ଖେଳ ଭିତରେ ମୁଁ ଏକ ବାଧ୍ୟତାମୂଳକ ଅନିଚ୍ଛାକୃତ ଖେଳାଳୀ । ତେବେ କାହିଁକି ମୁଁ ମିଛଟାରେ ଗୁଡେ ଇମୋସନର ବୃଥା ଶିକାର ହେବି । ସୁପ୍ରିୟା ଭଲ ରହୁ ନରହୁ, କୁନି ଭଲ ରହୁ ବା ନ ରହୁ, ବୋଉ, ସୁଚିତ୍ରା, ବନ୍ଧୁବାନ୍ଧବ କେହି ଭଲ ରହନ୍ତୁ ବା ନ ରହନ୍ତୁ କି ଯାଏ ଆସେ ? ସମସ୍ତଙ୍କର ସମାପ୍ତି ମୁଁ ଦେଖିପାରୁଛି । ଫାଶିଦଣ୍ଡ ପାଇଥିବା ବନ୍ଦୀପରି ଏକ ଅସହାୟ, ଘୃଣ୍ୟ, ନୀଚ ସମାପ୍ତି ।

“ଆଜ୍ଞା ଚାଲନ୍ତୁ । ଡେରି ହୋଇଯିବ ।” କୁଲି ଡାକିଲା ।

ଅପରାହଣ ମୋତେ ଅପେକ୍ଷା କରିନି ।

“ଚାଲ୍ ।”

ଓହ୍ଲେଇବା ସହଜ; କିନ୍ତୁ କେମ୍ପକୁ ଫେରିବାକୁ ମନ ଚାହୁଁନି ।

 

–୩–

ଅବତରଣ

 

ଆରୋହଣରେ ଧୈର୍ଯ୍ୟ ବେଶୀ ଦରକାର । ଅବତରଣରେ ସାବଧାନତା । ଟିକିଏ ସାବଧାନ ରହିଲେ ଓହ୍ଲେଇବାରେ ଆଉ କିଛି ଦରକାର ନାହିଁ । ଆରୋହଣରେ କ୍ଳାନ୍ତି ନାହିଁ, ଅବସାଦ ନାହିଁ, କଷ୍ଟଦାୟକ ପରିଶ୍ରମ ନାହିଁ । ତେଣୁ ପତନର ସମ୍ଭାବନା ଅବତରଣରେ ହିଁ ବେଶୀ-

 

—ଧୀରେ । ଧୀରେ ।

 

ସେଇ ଗଛ । ସେଇ ପଥରର ଖୋପ । ଏକ ଅବଲମ୍ବନ ଓହ୍ଲେଇବା ଓ ଉଠିବାର ବ୍ୟବହାର, ଇଚ୍ଛା ଫରକ୍ ।

 

ପାହାଡ଼ ତଳ ଗଛର ପାତଳ ଛାଇ ଗାଢ଼ ହୋଇ ଆସୁଛି । ପରସ୍ପରର ଲମ୍ବମାନ ଛାଇଗୁଡ଼ାକ ପରସ୍ପରକୁ ବିଭିନ୍ନ କୋଣରେ କାଟି କାଟି ଏକ ନୂତନ ଚେସ୍ ବୋର୍ଡର ନମୁନା ତିଆରି କରୁଛନ୍ତି । ପୌଢ଼ ପତ୍ରରେ ଇଷତ୍ ହଳଦିଆ ଦେହଗୁଡ଼ାକ ଭାରି ଦୀର୍ଘ ନିଃଶ୍ୱାସରେ ଥରି ଥରି ଉଠୁଛି । ବିଦାୟର ରାଗିଣୀ । ସବୁଜ ଚେତନାର କଣିକା ପାଲଟୁଛି ହଳଦିଆ ମୃତ୍ୟୁରେ । ଛାୟା । ଶାନ୍ତି ।

 

ପଞ୍ଚାଶ ଫୁଟ । ଶହେ ଷାଠିଏ ମିଟାର୍ । ପାହାଡ଼ ଲମ୍ବିଛି ତଳକୁ ।

 

ବସନ୍ତର ମଳୟ । ଦେହରେ ତା’ର କେତେ ଫୁଲର ବାସ୍ନା । ଛଡ଼ା ଛଡ଼ା ମେଘ ପରି ସୁଗନ୍ଧ କ୍ଷଣେ ଛାଡ଼ି କ୍ଷଣେ ବୋହି ଆସୁଛି । ନାଲି, ହଳଦିଆ, ଧଳା ବାଇଗିଣି—ପଳାଶ, ଶିମୁଳିବଣ, ସୂର୍ଯ୍ୟମୁଖୀ, କୁଡ଼ୁଚି, ଗିରିଡ଼—କେତେ ଫୁଲ, କେତେ ରଙ୍ଗ, କେତେ ବାସ୍ନା ।

 

ଏ ପୃଥିବୀ ସୁନ୍ଦର । ଏ ଜୀବନ ସୁନ୍ଦର ।

 

ସେଇ ଲମ୍ବା ଲମ୍ବା ଆଖି । ଟଣା ଟଣା ଭ୍ରୁଲତା । ସୁପ୍ରିୟା ଆଖିରେ ହସେ । ତା’ର ପାତଳ ନାଲି ଓଠ । ଛୋଟ ଛୋଟ ଦୁଇଧାଡ଼ି ସଫେଇ ଦାନ୍ତ । ନରମ ଗାଲ ହସିବାର ଭାର ସହିନପାରି ଦବି ଦବି ଯାଏ । ସୃଷ୍ଟି କରେ ଛୋଟ ଛୋଟ ଗାତ । ନା–ଅନେକ ଦିନ ହେଲାଣି । ଅସହ୍ୟ ହୋଇ ଉଠିଲାଣି ଜୀବନ । ତାକୁ ଘରକୁ ଯିବାକୁ ପଡ଼ିବ । ନିଶ୍ଚେ । କାଲି କିମ୍ବା ପଅର ଦିନ ।

 

କଦର୍ଯ୍ୟ ଚାକିରି । ନିଜର ପରିବାରକୁ ପାଖରେ ରଖି ହେବନି କିମ୍ବା ପାଖରେ ରହି ହେବନି । ସାଧାରଣ ମଣିଷର ସାଧାରଣ ଜୀବନଯାପନ କରିବାରେ ସୁଯୋଗ ସେ ପାଉନି । ଛି । କି ଲାଭ ଏଇ ଚାକିରିରେ । ଯଦି ସେ ଭଲ ଚାକିରିଟାଏ ପାଆନ୍ତା ଗୋଇଠା ମାରି ଚାଲିଯାଆନ୍ତା କିନ୍ତୁ—

 

ଆହୁରି ପାଞ୍ଚଶ ଫୁଟ୍ । ପଛରୁ କିଏ ଯେମିତି ପେଲୁଛି । ବେକରେ ହାତ ଦେଇ ଠେଲି ଠେଲି ନେଇଛି । ନା—କିଏ ଟାଣୁଛି ? ମାଧ୍ୟାକର୍ଷଣ । ପୃଥିବୀ ଟାଣୁଛି । ଉପରକୁ ଉଠିବାର ଅହମିକା ରଖିଥିବାରୁ ପ୍ରତିଶୋଧ ନେଉଛି ।

 

ଅଧ୍ୟାପକ ମହାନ୍ତି । ସ୍କାଉଣ୍ଡ୍ରେଲ, ପାଜି, ବଦମାସ୍, ତା’ର କେରିଆର୍ ନଷ୍ଟ କରି ଦେଇଛି-। ସାମାନ୍ୟ ବ୍ୟକ୍ତିଗତ କାରଣଯୋଗୁଁ ତା’ର ନିଜର ପ୍ରାପ୍ୟରୁ ବଞ୍ଚିତ କରିଛି । ଅଧ୍ୟାପକ-! ଆଦର୍ଶ ! ଛେନାଗୁଡ଼ । ଘଣ୍ୟ, ନୀଚ, ଅହଙ୍କାରୀ ପଶୁ । ମିନ୍ମାଇଣ୍ଡେଡ଼ ଡେଭିଲ୍ । ଯଦି ଏଥର ଦେଖାହୁଏ ଜୋତା ଖୋଲି ଏମୁଣ୍ଡ ସେମୁଣ୍ଡ ଛାଇ ଦେଇଯିବ ସେ । ଗୁରୁ ? ଯୋଉ ଗୁରୁ, ଶିକ୍ଷକ କେବଳ ବ୍ୟକ୍ତିଗତ ଈର୍ଷାଯୋଗୁ ପ୍ରତିଶୋଧ ନିଏ ଘୁଣ୍ୟଭାବରେ ସେ ସମ୍ମାନାସ୍ପଦ ନୁହେଁ । ସେ ଜଣେ ହତ୍ୟାକାରୀ । ଜଣେ ସାଧାରଣ ହତ୍ୟାକାରିଠାରୁ ବି ସେ ହୀନ । କାରଣ ସେ ଜଣକର ସାରା ଜୀବନକୁ ହତ୍ୟା କରେ ତିଳ ତିଳ କରି—କେବଳ ନିଜର ‘ଇଗୋ’ ର ସନ୍ତୋଷ ନିମିତ୍ତ ।

 

ବେକର ପଛପାଖରେ ଖୁବ୍ ଜୋରରେ କିଏ ଠେଲୁଛି । ମେରୁଦଣ୍ଡରେ କ’ଣ କ’ଣ ସେନସେସନ୍ । ପାଦ ଠିକ୍ ରହୁନି । ନିଜେ ଚାଲୁନି । ଗୋଟାଏ ଅଜଣା ଶକ୍ତି ଯେମିତି ତଳକୁ ଗଡ଼େଇ ନେଉଛି । ସାବଧାନ । ପାଦ ଠିକ୍ ରଖ ।

 

ପାଞ୍ଚଶ ଫୁଟ । ସର୍ବମୋଟ ପନ୍ଦର ଶହ ଫୁଟ ଅବତରଣ ।

 

କିଛି ଲାଭ ନାହିଁ ଭାବି । କେରିଆର ନଷ୍ଟ ହୋଇଯାଇଛି । ଭଲ ଚାକିରିର ଆଶା ନାହିଁ । ଯଦି କିଛି ଟଙ୍କା ସେ ପାଇଯାଆନ୍ତା । ଲକ୍ଷେ କି ଦୁଇଲକ୍ଷ । ଟଙ୍କାହିଁ ଅସଲ । ଟଙ୍କା ନଥିଲେ କିଛି ନାହିଁ । ସମ୍ମାନ, ପ୍ରତିପତ୍ତି, ମର୍ଯ୍ୟାଦା ସବୁ କିଛି କିଣା ଯାଇପାରେ । ଆଜି ଯଦି ତା’ର ଟଙ୍କା ଥାନ୍ତା ସେ କ’ଣ କେବେ ଚାକିରି କରିବାକୁ ଆସିଥାନ୍ତା; କିନ୍ତୁ କି ଉପାୟରେ ଟଙ୍କା ଅର୍ଜନ କରାଯାଇପାରେ ? ଏଇ ଦରମା, ଅସମ୍ଭବ । କିଛି ନୁହେଁ, କିଛି ନୁହେଁ । ଲଟାରୀ ? କିଣି କିଣି ଥକିଲିଣି । ଭାଗ୍ୟ ଅନୁକୂଳ ନୁହେଁ । ତେବେ ? ବିଜିନେସ୍ ? କଣ୍ଟ୍ରାକ୍ଟରୀ ? ଟଙ୍କା ଦରକାର । ଟଙ୍କା-

 

ବେକପାଖର ସେଇ କଣ୍ କଣ୍ ଭାବଟା ଯେମିତି ବେଶୀ ହେଉଛି । ଗଡ଼ାଣିଟା ବେଶ୍ ଧାରୁଆ । ସେ ଯଦି କୌଣସି ମୂଲ୍ୟବାନ ପଥରର ଖଣି ଗୋଟାଏ ଆବିଷ୍କାର କରି ପାରନ୍ତା—ହୀରା, ନୀଳା, ପାନ୍ନା, ଚୁନ୍ନୀ କି ଆଉ କିଛି । ତେବେ ସେ କାହାରିକୁ କିଛି କହନ୍ତା ନାହିଁ । ଗୋପନ ରଖିଯାନ୍ତା । ତା’ପରେ କୌଣସି ଗୋଟାଏ ଅସାଧୁ ବ୍ୟବସାୟୀ ସାଙ୍ଗରେ ଗୋଟାଏ ଗୁପ୍ତ ଚୁକ୍ତି କରି ସେ ସବୁକୁ ଖୋଳି ବିକ୍ରୀ କରିପାରନ୍ତା । ଗୋଟାଏ ଗୋଟାଏ ହୀରାଖଣ୍ଡ । ହଜାର ହଜାର ଟଙ୍କା । ଯଦି ସେ ଏମିତି ଏକ ହଜାରଟା ହୀରାଖଣ୍ଡ ପାଇ ପାରନ୍ତା ତେବେ ? ଅଧା ଦାମ୍ ରେ ବି ବିକିଲେ ହୁଅନ୍ତା ପାଞ୍ଚଲକ୍ଷ ଟଙ୍କା । ଆଉ ଯଦି କୌଣସି ବଡ଼ କ୍ରିଷ୍ଟାଲ୍ ପାଆନ୍ତା, କୋହିନୂର୍ ଠାରୁ ବି ବଡ଼ ତେବେ ସେଇ ଗୋଟାକରେ ହିଁ ସେ ହୁଅନ୍ତା ଲକ୍ଷପତି । ଲକ୍ଷେ, ଦୁଇଲକ୍ଷ, ପାଞ୍ଚଲକ୍ଷ, ଦଶଲକ୍ଷ, ଆଉ କିଛି ଦରକାର ନାହିଁ । ସେ ଫେରିଯାଆନ୍ତା ଘରକୁ । ଗୋଟିଏ ବିରାଟ ପ୍ରାସାଦ । ଏଆର କଣ୍ଡିସନଡ୍ । କାଡିଲାକ୍ କାର୍ । ଫରେନ୍ ବୁଲା । ସବୁ କଥା ସେ କିଣି ପାରନ୍ତା । ସବୁକିଛି ସେ କରିପାରନ୍ତା । ଗୋଟିଏ ହାରେମ୍ ମୋଗଲ ବାଦସା ପରି—

 

ହାଁ ହାଁ ହାଁ । ସାବଧାନ । ପାଦତଳର ପଥର ଖସିଛି । ତଳକୁ, ତଳକୁ, ଆହୁରି ତଳକୁ । ଭୀଷଣ ଜୋରରେ, ପବନ ବେଗରେ । ମାଧ୍ୟାକର୍ଷଣ ୯୮୧ ସେଣ୍ଟିମିଟର ପାର୍ ସେକେଣ୍ଡ ପାର୍ ସେକେଣ୍ଡ । ଧଡ଼ାସ୍ । ଓଃ, ଭାଗ୍ୟେ ଲତାଗୁଡ଼ା ଥିଲା । ନହେଲେ ମୁଣ୍ଡ ଫାଟି ଯାଇଥାନ୍ତା ।

 

ଆଉ ପାଞ୍ଚଶ ଫୁଟ୍ ।

 

ଉଭୟ ଝାଳ, ଗଞ୍ଜି ସାର୍ଟ ଭିଜା । ପବନର ଢେଉରେ ଥଣ୍ଡା ଲାଗୁଛି ।

 

ଭାରି ନିଃଶ୍ୱାସର ଶବ୍ଦ । ପଦେ ପଦେ କଥା । ପାତଳ ସୁର । ଗାଁ–ମାଇପେ କାଠ ନେଇ ଯାଉଛନ୍ତି । ଲମ୍ବା ଲମ୍ବା କାଠର ବୋଝ ମୁଣ୍ଡ ଉପରେ । ଗୋଟାଏ ଲାଇନରେ ଦୋହଲି ଦୋହଲି ନାଚିଲା ଛନ୍ଦରେ ଚାଲିଛନ୍ତି । ଢେଉ ଢେଉକା । ଲୁଗା ଉଠୁଛି । ମଳିଆ ମାଟିଆ ମେଘ ଭିତରେ ସଫେଦ୍ ଫାଳିକିଆ ଜହ୍ନ । କିଛି ଜଙ୍ଘ । ଦୋହଲା ଚାଲିଲେ ଦୁଲୁକି ଦୁଲୁକି ଉଠୁଛି ଗୋଲ ଗୋଲ ସ୍ତନ । ଲୋଭ ହୁଏ । ମଝିରେ କାଳି ହୋଇ ବେଶ୍ ସ୍ୱାସ୍ଥ୍ୟବତୀ ଝିଅଟି । ଭାରି ଭାରି ପଛ । ଉଚ୍ଚ ଉଚ୍ଚ ଛାତି । ଭୀଷଣ ଇଚ୍ଛା ହୁଏ ତା’ର ଶାଡ଼ୀଖଣ୍ଡକ ଓଟାରି ଆଣି ଟିକି ଟିକି ଛିଣ୍ଡେଇ କରି ଫିଙ୍ଗି ଦେଇ ତାକୁ ଉଲଗ୍ନ କରି ବିରାଟ ବିରାଟ ସ୍ତନ ଦୁଇଟାକୁ ଭୀଷଣ ଜୋରରେ ଦଳି ମାଡ଼ି ଗୁଣ୍ଡ କରିଦେବାକୁ । ତା’ର ଓହଳା ପଛରେ ଆଖିବୁଜି ମନଇଚ୍ଛା ଅତି ଜୋରରେ ବିଧା ଗୋଇଠା ମାରି ମାରି ଧୂଳି କରି ଦେବାକୁ ।

 

ଦେହରେ ଉତ୍ତାପ । ଭୀଷଣ ଉତ୍ତାପ । ଛାତି ଭିତରଟା ଫମ୍ଫା । ମନଟା ଶୂନ୍ୟ । ଦେହର ମଧ୍ୟଭାଗରେ ନିଆଁ । ଗୋଟାଏ ଜ୍ୱଳନ୍ତ ମଶାଲ ।

 

କୁଲିକୁ କହିବ ସେଇ ଝିଅଟା ପାଇଁ । ଅସହ୍ୟ । ତାକୁ ଆଜି ଦରକାର । ନିଶ୍ଚୟ ଦରକାର । ଯେତେ ଟଙ୍କା ଦରକାର । ଗୋଟାଏ କଣ୍ଟାଳିଆ ଗଛର କଣ୍ଟା ଫୋଡ଼ି ହେଲା ସାର୍ଟରେ । ଜଳୁଛି । ଟିକିଏ ରକ୍ତ ବାହାରିଲା ବୋଧେ । ବାହାରୁ । ସୁପ୍ରିୟାର ମୁହଁ ଭାସେ । ବର୍ତ୍ତମାନ ନୁହେଁ । ବର୍ତ୍ତମାନ ନୁହେଁ । ବର୍ତ୍ତମାନ କାଳି କନ୍ୟାର କଳା ଯାଦୁ । ସୁପ୍ରିୟା କ’ଣ କେବେ ଜାଣି ପାରିବ ? କିଏ କହିବ ? ସେ ଭାବୁଥାଉ ତା’ର ସ୍ଵାମୀ ଏକ–ପତ୍ନୀବ୍ରତ । କହିଲେ ଅନେକ ଝଞ୍ଜଟ । ଗୁଡ଼େ ଜଂଜାଳ । ଏଗୁଡ଼ା ତା’ର ନିଜସ୍ଵ । ନିଜର ଆନନ୍ଦ । ସୁପ୍ରିୟା ପ୍ରତି ସେ ଅନ୍ୟାୟ କରୁନି । ଅନ୍ୟର ପ୍ରତି ଆସକ୍ତ ରହି ସେ ତ ତାକୁ ଅବହେଳା କରୁନି । ଏଇଟା ଏକ ମୁହୂର୍ତ୍ତର ଆନନ୍ଦ । ଏଗୁଡ଼ା ସୁପ୍ରିୟାର ଗୋପନ ରହୁ । କିଛି ଯାଏ ଆସେନା ।

 

ଆହୁରି ତଳକୁ । ପାଞ୍ଚଶ ଫୁଟ ଆହୁରି । ସିଧା ଉଠାଣି ନରମ ହୋଇଛି ।

 

ମାଇକିନାଗୁଡ଼ାକ ପାଖେଇ ଯାଇ ରାସ୍ତା ଛାଡ଼ିଦେଲେ । ବାବୁ, ସାହେବ । ମନେ ପଡ଼େ କଲିକତା ଆଉ ଦିଲ୍ଲୀର କଥା । ଲେଡିଜ୍‍ ସିଟ୍ ଉଠି ଛିଡ଼ା ହୁଅ । ଲେଡିଜ୍ ଆସୁଛନ୍ତି, ବାଟ ଛାଡ଼ିଦିଅ-। କେତେ ତଫାତ୍ । ଏଇଠି ସେ ଜାଣେ । ଏକା ସରକାରଙ୍କ ପ୍ରତିଭୁ । କ୍ଷମତାର ପ୍ରତିମା-। ବିନା କାରଣରେ ରାଗିଲେ ବି ସମସ୍ତ ମୌନ । ପ୍ରତିବାଦ କରିବାର ମୁହଁ ନାହିଁ । ମାଂସପିଣ୍ଡୁଳା ।

 

କେତେ ଲୋକ । କେତେ ନମସ୍କାର । କେତେ ଭୟ, ଭକ୍ତି, ସମ୍ଭ୍ରମ; ମର୍ଯ୍ୟାଦା, ଦମ୍ଭ ଆସେ । ମୁଁ ଭିନ୍ନ । ମୁଁ ୟୁନିକ୍ । ଏମାନେ ଆଜ୍ଞା । ମୂର୍ଖ । ନିର୍ବୋଧ । ଶହେ ବର୍ଗ ମାଇଲ ଅଞ୍ଚଳରେ ମୁଁ ଅଦ୍ୱିତୀୟ । ଏତେ ପାଠ କେହି ପଢ଼ି ନାହାନ୍ତି । ଏମିତି ବଡ଼ ଚାକିରି କେହି କରିନାହାନ୍ତି । ମୁଁ ସମସ୍ତଙ୍କ ଠାରୁ ଉନ୍ନତ । ସଭ୍ୟ । ସୁଶିକ୍ଷିତ । ଏକ ଅନନ୍ୟ ଅନୁଭୂତି । ତୀବ୍ରଭାବରେ ପରିବର୍ତ୍ତନଶୀଳ ଆଧୁନିକ ପୃଥିବୀର ଶହେବର୍ଗ ମାଇଲ୍ ଅଞ୍ଚଳର ଏକମାତ୍ର ସଭ୍ୟ ବ୍ୟକ୍ତି । ବିସ୍ତୃତ ସବୁଜିମା ଭିତରେ ଏକ ଗାଢ଼ ଲାଲିମାର ପେଚ୍ । ଶିମୁଳି ଗଛରେ ଫୁଲ ଫୁଟିଛି । ଏକ ଜ୍ୱାଳାମୟୀ ଅସ୍ତିତ୍ଵ । ଅନନ୍ୟ । ଏକାକୀ । ଦର୍ପିତ ।

 

“ଆଜ୍ଞା, ନମସ୍କାର ।”

 

“—”

 

ଲୋକଟି ଠିଆ ହୋଇ ରହିଛି । ବୋଧହୁଏ ପ୍ରତ୍ୟୁତ୍ତର ପ୍ରତୀକ୍ଷାରେ । ମୁଁ ଆସିଲିଣି ଅନେକ ବାଟ । ସେ କିଛି ସମୟ ମୁକ ହୋଇ ଛିଡ଼ାହୋଇ ଫେରି ଚାହିଁ ଚାହିଁ ଚାଲି ଗଲାଣି । କ’ଣ ଭାବୁଛି । କିଛି ଭାବୁ ନଥିବ । ପଶୁ କ’ଣ କେବେ ଭାବେ ? ତା’ର ନମସ୍କାର ଭାବନାର ଦୁହେଁ । Instinct । ବାଘ । ଭାଲୁ । ଭୟ । ସ୍ଵାଭାବିକ୍ ।

 

ଓହ୍ଲେଇ ଆସିଲିଣି ଦୁଇହଜାର ପାଞ୍ଚଶହ ଫୁଟ ।

 

ଆଗରେ କ୍ଷୁଦ୍ର ଉପତ୍ୟକାର ସମତଳ ଭୂମି ଉତ୍ତରଦକ୍ଷିଣରେ ବିସ୍ତୃତ ହୋଇ ହଜି ଯାଇଛି ପାହାଡ଼ର ସନ୍ଧିରେ । ଶୂନ୍ୟ କ୍ଷେତ । ଖଣ୍ଡ ଖଣ୍ଡ ହିଡ଼ଦିଆ । ପିଲାଙ୍କର ବାଲିଘର । ଦୂରରେ ଗାଁ । ଛଣ ଛପର । ପାଉଁଶିଆ ଛାତର ଅଗ୍ରଭାଗ । ଖଜୁରୀ ଗଛର ଛତା । ଘର । ଘର । ଧୁଆଁର କୁଣ୍ଡଳୀ ମୋଡ଼ି ମୋଡ଼ି ହୋଇ ଉପରକୁ ଉଠୁଛି । ଧୁଆଁ । ମମତା ଲାଗେ । ମାୟା ଲାଗେ । ଧୁଆଁ ।

 

ଆଉ ଅଳ୍ପ ବାଟ । ପାହାଡ଼ର କଣ୍ଟୁର୍ ଧରି ଓହ୍ଲେଇ ଯାଇଛି ରାସ୍ତାଟା । ବେଶୀ ତୀକ୍‍କ୍ଷଣ୍‍ ଗଡ଼ାଣି ନୁହେଁ । ଓହ୍ଲେଇବାଟା ସହଜ । ସମତଳ ରାସ୍ତା ପରି । ଗଡ଼ିଯାଅ । ପଛପାଖରେ ସେ ଅଜଣା ଲୋକଟା ଆଉ ଠେଲୁନି । ବେଶ୍ ଚାଲି ହେଉଛି । ଦେହରେ କ୍ଳାନ୍ତି ନାହିଁ ।

 

ଆଉ ପାଞ୍ଚଶ ଫୁଟ୍ ।

 

ଏଥର ଶେଷ୍ । ରାସ୍ତାଟା ଏଥର ଦୁଇପାଖ ବିଲ ମଝିରେ ଅଙ୍କେଇ ବଙ୍କେଇ ଗାଁରେ ଉଠିଛି । ଦେଖାଯାଉଛି କେମ୍ପ୍ । ଚାରିଟା ତମ୍ବୁ । କେତେଟା ବଡ଼ ବଡ଼ ଧଳା ବେଙ୍ଗ ମଶା ଧରିବାପାଇଁ ଚକାମାଡ଼ି ଏକାଲୟରେ ବସି ରହିଲା ପରି ଦେଖାଯାଉଛି ।

 

—କିନ୍ତୁ ହଠାତ୍ କାହିଁକି ଦେହରେ ଅନେକ କ୍ଳାନ୍ତି । ବହୁତ ଆଳସ୍ୟ । ବହୁତ ବେଦନା । ଗୋଡ଼ହାତ ଗୁଡ଼ାକ ଅବଶ । ଅବସାଦରେ ଭାରି ହୋଇଯାଇଛି ସମଗ୍ର ଦେହଟା । ଭୀଷଣ ଭାବରେ ଦୁର୍ବଳ ଲାଗୁଛି । ଅସହାୟ ପଙ୍ଗୁପରି । ପକ୍ଷାଘାତ ପଙ୍ଗୁ । ସାରା ଦେହରେ ତା’ର ବିଷାକ୍ତ ଜୀବାଣୁ । ଅଚଳ କରୁଛି । ସ୍ଥାଣୁ । ନିବେଦ । ଜଡ଼ ।

 

ଆଃ, ଟିକେ ବସାଯାଉ ।

 

ଚାଲିବାର ଆଉ ଶକ୍ତି ନାହିଁ । ସେହି ପାହାଡ଼ର ମଥାନଟା ବହୁତ ଦୂର ।

☆☆☆

 

ଦ୍ରଷ୍ଟା

 

ପାହାଡ଼ ଉପରୁ ଓହ୍ଲେଇ ଆସିଲା ବେଳକୁ ବେଳ ପ୍ରାୟ ଦୁଇଟା । ଶେଷ ବସନ୍ତର ପାଉଁଶ ଭିତରେ ତୀକ୍‍କ୍ଷଣ୍‍ଭାବରେ ଅନୁଭୂତ ହେଲାଣି ପ୍ରଥମ ବୈଶାଖର ଜ୍ୱଳନ୍ତ ଅଙ୍ଗାର । ନାଲି ନେଳି ହଳଦୀ ବର୍ଣ୍ଣର ମହଳଣ ଶ୍ରୀ ଭିତରେ ସବୁଜର ନୀରବ ବିସ୍ତୃତି ପ୍ରତିଷ୍ଠା ଲାଭ କରି ସାରିଲାଣି-। କଅଁଳ ବସନ୍ତର ତନୁରେ ଲାଗି ଆସିଲାଣି ଯୌବନର ମାଉଁସ । କ୍ଷୀଣ ତନୁର ଅସ୍ଥିରତା ପୂର୍ଣ୍ଣତାର ଆବରଣ ଭିତରେ ସ୍ଥିର ହୋଇ ଆସିଛି । କୋମଳ, ନରମ ଭେଲଭେଟୀ, ସିଲକ୍‍ପରି ପତ୍ରର ଗହଳି ଭାରି ଭାରି ହୋଇ ଆସିଚି । କଳସୀ ଏବେ ବି ପୂର୍ଣ୍ଣ ହୋଇନି । ପୂର୍ଣ୍ଣ ହେବା ପୂର୍ବର ଡବ ଡବ ଶବ୍ଦ ପ୍ରତିଧ୍ଵନିତ ହେଉଛି ଆକାଶରେ—ପବନରେ ।

 

ଆଗରେ ପାହାଡ଼ତଳକୁ ଠିକ୍ ଲାଗି କରି ବହୁଛି ପାହାଡ଼ି ଝରଣା । ପ୍ରଥମ ବର୍ଷ । ପରେ ନୂତନ କ୍ଷମତାପ୍ରାପ୍ତ ଯୁବକ ଅଫିସର ପରି ସେ ଉଚ୍ଛୃଙ୍ଖଳ ହୋଇ ଉଠିଛି । ଝରଣା ଉପରକୁ ଠିକ୍ ପାଖେ ପାଖେ ଲମ୍ବି ଯାଇଛି ନୂଆ ହୋଇ ତିଆରି ହୋଇଥିବା ପିଚ୍ ରାସ୍ତା । ଚିକ୍‍କଣିଆ କଳାଦେହରୁ ଠିରିକି ପଡ଼ୁଛି ଆଲୁଅର କଣିକା । ରାସ୍ତା ଓ ଝରଣା ମଝିରେ ଗୋଟାଏ ପଥରର ବିସ୍ତୃତ ଚଟାଣ । ଚଟାଣ ଚାରିପାଖେ କେତେ ଗୁଡ଼ିଏ ଗହଳ ଆମ୍ବ ଓ କନକ-ଚମ୍ପାର ଗଛ । ସର୍ବଂସହା ଜନନୀ ପରି ଆମ୍ବଗଛର ଅଳସ ହସରେ ଆତ୍ମପରିତୃପ୍ତିର ଆଭା । ହଜାରେ ଶିଶୁ–ସନ୍ତାନ ଆନନ୍ଦରେ ତା’ର ସବୁଜ ଶାଢ଼ୀର ପଣତ ଧରି ଅଟକି ରହିଛନ୍ତି । ସବୁଜ ଆମ୍ବର ଶିଶୁସୁଲଭ ନିର୍ଦ୍ଦୋଷ ହସରେ ମୁଖରିତ ହୋଇ ଉଠୁଛି ନାଳକୂଳର ଶାନ୍ତତା, ଦୀର୍ଘ, ୠଜୁ, ଶୁଭ୍ର କନକଚମ୍ପା, ତନୁପାତଳୀ, କନକଦେହୀ ଯୁବତୀ ନାରୀପରି ନିଜର ସୌନ୍ଦର୍ଯ୍ୟ ଓ ସୌରଭରେ ନିଜେ ବିସ୍ମିତ ହୋଇ ଝରଣାର ଚଳନ୍ତା ପାଣିରେ ନିଜର ପ୍ରତିବିମ୍ବ ଦେଖୁ ଦେଖୁ ମୁଗ୍ଧ ହୋଇ ଛିଡ଼ା ହୋଇଛି । ଗହଳଛାଇର ଶୀତଳତାଭିତରେ ସେଇ ସୌରଭ ଯେମିତି ଛୋଟ ଛୋଟ କ୍ରିଷ୍ଟାଲ୍ ହୋଇ ଜମାଟ ବାନ୍ଧି ଝରା ଝରା କୁହୁଡ଼ି ପରି ଝରି ପଡ଼ୁଛି । ଆଉ ସେଇ ମଦିରା ପିଇ ପିଇ ନିଶାସକ୍ତ ପ୍ରହର ଘୁମେଇ ପଡ଼ିଛି ।

 

ଟିକେ ବସାଯାଉ ସେ ଚଟାଣ ଉପରେ । ଦେହରୁ ଝାଳ ନିଗିଡ଼ି ପଡ଼ୁଛି । ପିଠି ପାଖ, କାଖତଳ ଭିଜି ସରସର ହୋଇ ଗଲାଣି । ଯେତେ ପାଣି ପିଇଲେ ବି ଟିକିଏ ଗଲେ ପୁଣି ଶୋଷ କରୁଛି । ଅସହ୍ୟ ଖରା । ଚାହିଁ ହେଉନି ଦୂରକୁ । ଆଖି ଝଲସି ଯାଉଛି । ଶ୍ରୀକାନ୍ତ ବସିଲା । ସାଙ୍ଗରେ ଆସିଥିବା କୁଲି ଲେଙ୍ଗ୍‍ ତା କନ୍ଧ ପାଣି ବଟଲଟା ପାଖରେ ରଖି ଦେଇ ଟିକିଏ ଛାଡ଼ି ବସିଲା । ଖାଲି ପାଦରେ ଏତେ ଗରମରେ ସେ ଚାଲୁଛି କେମିତି ? ପୋଡ଼ି ଫୋଟକା ହୋଇଯାଉନି ତଳିପା ? ଆଶ୍ଚର୍ଯ୍ୟ । ଶ୍ରୀକାନ୍ତ ବିସ୍ମିତ ହେଲା । ଯୋତାମାଡ଼ି ମଧ୍ୟ ଗରମରେ ସେ ଚାଲି ପାରୁନି ।

 

ଆଃ, ଶୀତଳତା । କନକଚମ୍ପାର ଗନ୍ଧ ଯେପରି ନିଶା ଢାଳୁଛି । ନିଦର ନିଶା । ଆଖି ବୁଜି ହୋଇ ଆସୁଛି ଶୀତଳତା ଓ ସୌରଭର କକ୍‍ଟେଲରେ, ଶ୍ରୀକାନ୍ତ ଆଖି ବୁଜିଲା ପଥର କଡ଼କୁ ଆଉଜି । ଖସ ଖସ ଶବ୍ଦ । ବଣଜନ୍ତୁର ଶବ୍ଦ ପରି ଗୋଟାଏ ଗ୍ରାଣ୍ଟ୍ । ଶ୍ରୀକାନ୍ତ ଚମକି ପଡ଼ି ଆଖି ଖୋଲିଲା, ଲେଙ୍ଗତା କନ୍ଧ ଡିଆସିଲ ମାଗୁଛି, ବିଡ଼ି ଖାଇବ । ତା’ର ବି ତ ଗୋଟାଏ ସିଗାରେଟ୍ ଖାଇବା ଦରକାର । ପେଣ୍ଟର କଡ଼ ପକେଟ୍‍ରୁ ସିଗାରେଟ୍ ପକେଟ୍ କାଢ଼ିଲା । ଚେପା ହୋଇ ଯାଇଛି । ସିଗାରେଟ୍ ଗୁଡ଼ାକ ଲୋଚାକୋଚା । ଛାତିପକେଟରେ ରଖିଲେ ବୋଧ ହୁଏ ଭଲ ହୁଅନ୍ତା; କିନ୍ତୁ ସହଜରେ ପଡ଼ିଯିବାର ସମ୍ଭାବନା । ଥାଉ, ଚଳି ଯାଉଛି ।

 

ଲେଙ୍ଗ୍‍ତା ଦିଆସିଲି ନେଇ ସେପଟକୁ ଗଲା ।

 

ଶ୍ରୀକାନ୍ତ ସିଗାରେଟ୍ ଦୁଇ ଚାରିଥର ଟାଣି ଦେଇ ପୁଣି ଆଖି ବୁଜିଲା । ନାକରୁ ପାଟିରୁ ଧୂଆଁର କୁଣ୍ଡଳୀ ବାହାରି ତା ମୁହଁ ଚାରିପାଖରେ ଜାଲବୁଣା ଆରମ୍ଭ କରିଗଲେ । ତଣ୍ଟିରେ ଲାଗିଲା-। ଶ୍ରୀକାନ୍ତ ଖକ୍ ଖକ୍ ହୋଇ କାଶି ଉଠିଲା । ତା’ପରେ ଗୋଟାଏ ଗଳା-ଖଙ୍କାରମାରି ମେଞ୍ଚାଏ ଧଳା ଅଠାଳିଆ ଛେପ ‘ଥୁ’ କରି ପକେଇଦେଲା ପଥର ଉପରକୁ । ଅନାସକ୍ତଭାବରେ ଲେଙ୍ଗତା ଆଡ଼କୁ ଥରେ ଚାହିଁ ନେଇ ଆଖି ଫେରେଇ ଆଣିଲାବେଳକୁ ଫଟ୍‍କରି ଅଟକି ଗଲା ସେ-। କୌତୁହଳ ହଠାତ୍ ଝଲକାଏ ଢେଉ ପରି ଉଛୁଳି ଆସିଲା । ତା ହାତରେ ସେଇଟା କ’ଣ-? ଏକ ଲୟରେ ଚାହିଁ ରହିଛି ଲେଙ୍ଗ୍‍ତା ହାତ ଉପରର ସେଇ ବସ୍ତୁଟା ଆଡ଼େ, ବିସ୍ମୟ ଓ କୌତୂହଳରେ ସ୍ତବ୍‍ଧ ହୋଇ ।

 

ଦରବୁଣା ଭେନିଟି ବ୍ୟାଗ୍ । ନାଲି ନେଳି ସବୁଜ ରଙ୍ଗର ନାଇଲନ୍ ସୂତାରେ । ଦେଖି, ଦେଖି ଆଣିଲୁ ଇଆଡ଼େ । ଶ୍ରୀକାନ୍ତ ଡାକିଲା । ଲେଙ୍ଗ୍‍ତା ସେଇଟାକୁ ଅତିଯତ୍ନରେ ଦୁଇହାତରେ ଆଣି ବଢ଼େଇ ଦେଲା ଶ୍ରୀକାନ୍ତକୁ । ଆଶ୍ଚର୍ଯ୍ୟ ହେଲା ସେ । ଏଇ ଗହନ ବନଭିତରେ ଭେନିଟି ବ୍ୟାଗ ? ସେ ଆଖି ଫେରେଇଲା । ସେ ପାଖ ଚଟାଣ ଉପରେ ପାଚିଲା କଦଳୀଚୋପା, ଅଣ୍ଡାର ଖୋଳପା, ପାଉଁରୁଟିର ଖଣ୍ଡ, ସିଗାରେଟ୍ ଖୋଳ ବିଛେଇ ହୋଇ ପଡ଼ିଛି । ସେ ଏ ପର୍ଯ୍ୟନ୍ତ ଦେଖି ନଥିଲା ତ । କିଏ ବୋଧେ ପିକ୍‍ନିକ୍ ପାଇଁ ଆସିଥିଲେ । ଛାଡ଼ି ଯାଇଛନ୍ତି ।

 

ଲେଙ୍ଗ୍‍ତା ଆଖିରେ ଆଶ୍ଚର୍ଯ୍ୟ ଓ କୌତୂହଳ ଭର୍‍ପୁର ହୋଇ ରହିଛି । କ’ଣଟା କେଜାଣି-? ସୂତାପରି ଅଥଚ ସୂତା ନୁହେଁ । କେତେ ନରମ ଓ ପାଲିସ୍ ଲାଗୁଛି ହାତକୁ । ନାଲି, ନେଳି, ସବୁଜ କେତେ ରଙ୍ଗ । ଗୋଟାଏ ନାଲି ଧାଡ଼ି, ତା’ ପରେ ନେଳି, ତା’ ପରେ ସବୁଜ । କେମିତି ବୁଣା ହୋଇଛି କେଜାଣି ? କିଏ ବୁଣିଛି ? କଳରେ ବୋଧହୁଏ । ମଝିରେ ମଝିରେ ଟିକେ ଟିକେ କଣା । ଟୋପି ? ଅଙ୍ଗୀ ? ନା କ’ଣ ? ତା’ ର କଳ୍ପନାରେ ଆସୁନି କିଛି । ଦୁଇଆଡ଼େ ସୂତା ବାନ୍ଧି ମୁଣ୍ଡରେ ପିନ୍ଧିଲେ ସୁନ୍ଦର ଦିଶନ୍ତା । ଧାଙ୍ଗ୍ଡ଼ିମାନେ ଲୋଭାନ୍ତେ । ନୂଆଖିଆ ନାଚବେଳେ ସେ ସେଇଟା ମୁଣ୍ଡରେ ପିନ୍ଧି ନାଚି ପାରନ୍ତା ।

 

ଶ୍ରୀକାନ୍ତ ଆଖିରେ କଳ୍ପନା ।

 

ହୁଏତ ଝିଅଟା ବିବାହିତା । ନା, ଅବିବାହିତା ହୋଇ ଥାଇପାରେ । ଭାଇ-ଭାଉଜ କିମ୍ବା ଭଉଣୀ-ଭିଣୋଇ କିମ୍ବା ହୁଏତ ବାପ-ମା ସାଙ୍ଗରେ ଅବା ହୁଏତ ସାଙ୍ଗ-ସାଥିମାନଙ୍କ ସାଙ୍ଗରେ ଆସିଥିଲା ପିକ୍‍ନିକ୍ କରିବାକୁ । ଗୋରୀ ହୋଇଥିବ ତନୁପାତଳୀ । ମୁହଁଟି ସଜ ଫୁଲ ପରି ସୁନ୍ଦର ସତେଜ । ଆଖି ଦୁଇଟି ଟଣା ଟଣା । ସେ ଆଖିରେ ପତଳା ହୋଇ ଲାଗିଥିବ ଦୁଇଧାର କଜଳର ଗାର । ଟିକିଏ ପରିହାସରେ ଲମ୍ବ ଆଖିପତା ଝାଉଁଳି ଆସୁଥିବ ଲାଜରେ । ମୂରିକି ହସରେ ତା’ ର ନାଲି ନାଲି ନରମ ଗାଲରେ ଛୋଟ ଛୋଟ ଗାତ ସୃଷ୍ଟି ହୋଇ ଭଉଁରୀ ସୃଷ୍ଟି କରୁଥିବ । ଗତିଥିବ ଚଞ୍ଚଳ ମନଥିବ ଆନମନା । ଛାଡ଼ି ଆସିଥିବା ପ୍ରିୟର ଭାବନାରେ ନା, ଅଜଣା ପ୍ରିୟର ମଧୁ କଳ୍ପନାରେ । ସରୁ ସରୁ ଅଙ୍ଗୁଳିର ମୃଦୁ ମୃଦୁ ଆଘାତରେ, ଚମ୍ପାର ସୌରଭରେ ନିଜକୁ ଭୁଲି ନିଜ ଅଜାଣତରେ ବୁଣି ଯାଉଥିଲା ଏଇ ଭେନିଟି ବ୍ୟାଗ୍ । ହଠାତ୍ କାହାର ଡାକ ଶୁଣି ଭୁଲିଯାଇ ତରତରରେ ଯାଉ ଯାଉ ହୁଏତ ଛାଡ଼ି ଚାଲିଯାଇଛି । ଏଇଠି, ଏଇ ପ୍ରତ୍ୟେକ ଗ୍ରନ୍ଥିରେ ତା’ର କୋମଳ ହାତରେ ସ୍ପର୍ଶ ମୃଦୁ ମୃଦୁ ଅତରର ବାସ୍ନା ପରି ଲାଖି ରହିଛି । ପ୍ରତ୍ୟେକ ସିଲାଇରେ ଲିପିବଦ୍ଧ ହୋଇ ରହିଛି ତା’ର ସ୍ୱପ୍ନଭରା ଆଖିର ଚାହାଣୀ । ଏଇ ଭିତରେ ଗୁଡ଼େଇ ତୁଡ଼େଇ ହୋଇ ରହିଛି ତା’ର ଅଜସ୍ର କଳ୍ପନା, କାମନା, ଭାବନା । ହୁଏତ ଶୋଇ ବୁଣୁ ବୁଣୁ କେତେବେଳେ ଛାତି ଉପରେ ରଖି ସେ ଶୋଇପଡ଼ିଛି । ସେଥିପାଇଁ ଏ ଭିତରେ ନେସି ହୋଇ ରହିଛି ସେ ଛାତିର ଉଷୁମ ଉତ୍ତାପ ଓ ଧୀର ସ୍ପନ୍ଦନ । ଆଉ ହୁଏତ କେତେବେଳେ ଅଜଣା ପ୍ରିୟର ଭାବନାରେ ଆତ୍ମବିସୃତ ହୋଇ, ଆନମନା ଭାବରେ ତା’ର କୋମଳ ଓଠପାଖୁଡ଼ା ଦିଓଟି ଏଇ ନିର୍ଜୀବ ସୂତାର ସ୍ତରେ ସ୍ତରେ ଧୀର ଧୀର କରି ଛୁଇଁ ଦେଇ ତା’ର ଗୋପନ ହୃଦୟର ଅଜସ୍ରବାଣୀ ଢାଳି ଦେଇ ଯାଇ ସେମାନଙ୍କୁ ଜୀବନ୍ତ କରି ଦେଇ ଯାଇଛି ।

 

ଶ୍ରୀକାନ୍ତର ହାତ ଅଜାଣତରେ ମୁହଁ ପାଖକୁ ଚାଲି ଆସିଲା । ଭେନିଟି ବ୍ୟାଗରେ ଲାଗିଲା ଶ୍ରୀକାନ୍ତର ଶୁଷ୍କ, ଉତ୍ତପ୍ତ ଓଠ ।

 

ଲେଙ୍ଗ୍‍ତା ଭାବିଲା । ବେଶ୍ ଟାଣ ଅଛି ସୂତାଗୁଡ଼ା । ସେ ଦୁଇ ହାତରେ ଭିଡ଼ିଧରି ମଧ୍ୟ ଛିଡ଼େଇ ପାରିଲା ନାହିଁ । ଗୋଟେ ଖିଅକୁ ଠେକୁଆ, ଗୁରାଣ୍ଡି ଧରିବାର ଫାଶ କଲେ ଖୁବ ଭଲ ହୁଅନ୍ତା । ଜମା ଛିଡ଼େଇ କରି ଯାଇ ପାରନ୍ତେ ନାହିଁ । ବେଶ୍ ସରୁ ଆଉ ଟାଣ । ଗୋରୁ, ଗୋଡ଼ ବାନ୍ଧି ଦେଲେ ତ ଅଟକି ଯିବେ, କିନ୍ତୁ କେଜାଣି କି ଜିନିଷ ? କେତେ ଦାମ୍ ? ବାବୁଟା ହାତରେ ଧରିଲାଣି । ଦେବ କି ନାହିଁ କେଜାଣି ? ମାଗି ଦେଖିବ । ଦେଲେ ଭଲ, ନଦେଲେ ନାହିଁ ।

 

ଶ୍ରୀକାନ୍ତ ଭାବୁଛି । ହୁଏତ ଏହି ପ୍ରଥମ ବୈଶାଖର ସ୍ତବ୍‍ଧ ଦ୍ଵିପ୍ରହର ଅସହ୍ୟ ଉତ୍ତାପରେ ସେ ଫୋନ୍ ଛାଡ଼ିଦେଇ ଅଶକତ ହୋଇ ପଲଙ୍କ ଉପରେ ଶୋଇପଡ଼ି ଭାବୁଥିବ ଛାଡ଼ି ଆସିଥିବା ଭେନିଟି ବ୍ୟାଗ୍‍ର କଥା । କିମ୍ବା ନ ଭାବିପାରେ । ଖୋଜି ଖୋଜି ନପାଇ ସେ ତା’ର ଆଶା ଛାଡ଼ିଦେଇ ଆଉ ଗୋଟେ ନୂଆ ବ୍ୟାଗ୍ ବୁଣିବା ଆରମ୍ଭ କରି ଦେଇଥିବଣି; କିନ୍ତୁ ଏଇଟାର କଥା କ’ଣ ସେ ଏକଦମ୍ ଭୁଲିଯିବ ? ନା ବୋଧହୁଏ କଥାରେ କଥାରେ ସେ ନିଶ୍ଚୟ ମନେ କରିବ । ନୂଆ ବ୍ୟାଗ୍ କରୁ କରୁ ପୁରୁଣା ସାଙ୍ଗରେ ତୁଳନା କରି ବସିବ । ସାଙ୍ଗସାଥୀକୁ ତାହାର ହଜିଲା ଜିନିଷର କଥାଟା ବଡ଼ କରି ଜଣେଇବ । ଯୋଉଟା ହଜେ, ସେଇଟା ବଡ଼ ହୋଇ ରହେ । ମଣିଷର ମନ ଆଶ୍ଚର୍ଯ୍ୟ । ସେ ସବୁବେଳେ ନୂଆ ଖୋଜେ କିନ୍ତୁ ପୁରୁଣାକୁ ସବୁବେଳେ ବଡ଼ କରି ଧରି ରଖେ-

 

ଭୋକ ଲାଗିଲାଣି । ଲେଙ୍ଗ୍‍ତା ଚାହିଁଲା ଆମ୍ବଗଛ ଆଡ଼କୁ ସକାଳୁ କିଛି ଖାଇନି । ଆମ୍ବଟା ଖଟା । ପାଚିଲେ ଅବଶ୍ୟ ମିଠା । ଆଉ କିଛିଦିନ ଗଲେ ପାଚିବ । ଖାଇବା ଭାବନା କମିଯିବ । କିଛି ଝାଡ଼ି କରି ନେଇଯିବ ଘରକୁ । କନ୍ଦା ଆଉ କାନ୍ଦୂଲ ସାଙ୍ଗରେ ସିଜେଇ ଖାଇଲେ ବେଶ୍ ଭଲ ଲାଗେ ।

 

ଆଚ୍ଛା, ସେ ଯଦି ହଠାତ୍ ଫେରି ଆସନ୍ତା । ଶ୍ରୀକାନ୍ତ ଭାବିଲା । ଯେମିତି ଅନେକ ଲୋକ ହଜିଲା ଜିନିଷକୁ ଫେରି ପାଇବାପାଇଁ ଆଖି ବୁଜି ଚେଷ୍ଟା କରନ୍ତି, ଠିକ୍ ସେମିତି ଭାବରେ । ଆଉ ଏ ଘଞ୍ଚ ତମାଳ ବୃକ୍ଷର ଶ୍ୟାମଳ ସ୍ନିଗ୍‍ଧ ଛାୟା ତଳେ ଚମ୍ପକ ବନର ସୁରଭିର ଦୋଳାରେ ଦୋଳି ଖାଉଥିବା ଶ୍ରୀକାନ୍ତର ମୁହଁ ଉପରେ ଲାଗି ରହିଥିବା ତାର ବ୍ୟାଗ୍‍ଟାକୁ ଦେଖି ସେ କ’ଣ ଭବନ୍ତା ? ହୁଏତ ଭାବନ୍ତା, ଅନେକ ଦିନର ଖୋଜିଲା ସେ ଆଜି ପାଇଛି ତା’ର ପ୍ରିୟର ସନ୍ଧାନ । ସେ ନିର୍ବାକ୍ ହୋଇ ଛିଡ଼ା ହୋଇ ରହନ୍ତା । ଅପୂର୍ବ ପୂଲକର ଆବେଗରେ ରୋମାଞ୍ଚ ହୋଇ ଧରି ଥରି ଉଠନ୍ତା ତା’ର ସମସ୍ତ ଅଙ୍ଗ ଏକ ମଧୁରାଗିଣୀର ମୂର୍ଚ୍ଛନା ପରି । ଦେହରେ ଅଗଣିତ ଗୋପବାଳାର ହୋରିଖେଳର ଫଗୁରେ ରଞ୍ଜିତ ହୋଇ ଉଠନ୍ତା ତା’ର ଶୁଭ୍ରଅଙ୍ଗ ଏକ ଅପୂର୍ବ ଲାଲିମାର ଢେଉରେ-। ଲାଜର ଗୁରୁଭାରରେ ନଇଁ ପଡ଼ନ୍ତା ତାର ସୁକୋମଳ ଗ୍ରୀବା, ଦିର୍ଘାୟିତ ଭ୍ରୁଲତା-। କୋମଳ ପାଦର ନରମ ଆଙ୍ଗୁଳିର ମସୃଣ ନଖ ବାଟ ଦେଇ ଲାଜର ଝରଣା ପାତାଳ ପ୍ରବେଶ କରନ୍ତା ବାଟ ନ ପାଇ । ଆଉ ସେ ? ଦୁଇ ହାତରେ ବ୍ୟାଗ୍‍ଟାକୁ ଅଞ୍ଜଳି କରି ଧୀର ଧୀର କରି ଆଗେଇ ଯାଇ ତା’ର ଲକ୍ଷାରଞ୍ଜିତ ପଦତଳେ ରଖିଦେଇ କହନ୍ତା—

 

“ଆଜ୍ଞା ଯିବା ଚାଲ ।”

 

ଚଟ୍ କରି ଉଠି ପଡ଼ିଲା ଶ୍ରୀକାନ୍ତ । ସ୍ଵପ୍ନ ଭାଙ୍ଗିଗଲା । ସାମନାରେ ଛିଡ଼ା ହୋଇଛି କୋଚଟ କାଳିଆ ଗୋଟାଏ ଦୀର୍ଘ ବଳିଷ୍ଠ ଦେହ । ଲେଙ୍ଗ୍‍ତା ।

 

“ବାବୁ, ସେଟା ମୋତେ ଦେବୁ ।”

 

ଶ୍ରୀକାନ୍ତ ଥରେ ଲେଙ୍ଗତା ଆଡ଼କୁ, ଥରେ ବ୍ୟାଗ୍‍ଟାକୁ ଚାହିଁଲା । କିଛି ସମୟ ଭାବି କହିଲା ‘‘ନେ, ନେଇଯା ।”

☆☆☆

 

ବଣା ବାଟୋଇର ଚମ୍ପୂ

 

ନାରାୟଣ ପହଞ୍ଚିଲା ବେଳକୁ ସନ୍ଧ୍ୟା ପାଞ୍ଚଟା ।

 

ଅଙ୍କାବଙ୍କା ପାହାଡ଼ିଆ ରାସ୍ତା । ନୂଆ ତିଆରି ହେଉଛି । ଘାଟୀ ଦୁଇ ପାଖରେ ସୁଉଚ୍ଚ ପର୍ବତ ଶ୍ରେଣୀ । ଦକ୍ଷିଣମୁହାଁ ଚାଲିଛି ସେ । ସୂର୍ଯ୍ୟ ବୁଡ଼ିନି କିନ୍ତୁ ଦେଖାଯାଉନି । ବାଁ ପାଖ ପର୍ବତର ଦାଢ଼ିରେ ମଳିଛିଆ ଛାଇଟା ଅନ୍ଧାରିଆ ହୋଇ ଆସୁଛି । ଡାହାଣ ପାଖ ପର୍ବତର ଶୀର୍ଷରେ ଆଜିକାର ଦିନର ଶେଷ ଆଲୋକ ।

 

ପଛରେ ବେଗ୍‍ଟା ଧରି କୁଲିଟା ଚାଲିଛି । ତଳମୁହାଁ ।

 

ହେମାଳ ପବନଟା ଦେହର ଉତ୍ତାପ ପାଇଁ ବ୍ୟାକୁଳ ହୋଇ ଉଠୁଛି । ତୁଷାର ଦେହରେ ଝାଳ । ଧଇଁସଇଁ ହେଉଛି । ଅଟକି ଅଟକି ଉଠାଣି ଉଠୁଛି । କୁଲିଟା ନିର୍ବିକାରରେ ଚାଲିଛି । ବାବୁ ଛିଡ଼ା ହେଲେ ଅଟକି ଯାଉଛି । କ୍ଳାନ୍ତିରେ ନୁହେଁ; ସଂଭ୍ରମରେ ।

 

ପ୍ରକୃତ ତା’ର ସମସ୍ତ ଉଦାର ହୃଦୟ ସଜାଡ଼ି ଦେଉଛି । ତୁଷାର ଭାବୁଛି । କୁଲିଟା ତ କହିଲା ତୁଷାର ସଂପୂର୍ଣ୍ଣ ସୁସ୍ଥ । ତେବେ କ’ଣ ଏମିତି ହଠାତ୍ ଦରକାର ପଡ଼ିଲା ଯେ ସେ ତାକୁ ଏକ୍ସପ୍ରେସ ଟେଲିଗ୍ରାମ କରି ଡକେଇ ଆଣିଛି । ଆଶ୍ଚର୍ଯ୍ୟ ନିଶ୍ଚୟ କିଛି ଗୋଟାଏ ଗୁରୁତର ଘଟଣା ଘଟିଛି । ଅସମ୍ଭବ ନୁହେଁ । ତୁଷାର ଯେମିତି Impulsive କୌଣସି କିଛି କାରଣ ନଥାଇ ହଠାତ୍ ଗୋଟାଏ ଏତେ ବଡ଼ ଚାକିରି ଛାଡ଼ି ଆସିଲା କଣ୍ଟ୍ରାକ୍ଟରୀ କରିବାକୁ । ଫେରାର ଏଇ ପେଟି କଣ୍ଟ୍ରାକ୍ଟରୀ । ପଇସାପତ୍ର ପ୍ରତି ଯେ ତା’ର ଲୋଭଥିଲା ତା ବି ନୁହେଁ । ଅଥଚ ଏଇ ନିଘଞ୍ଚ ମାଳ ଅଞ୍ଚଳକୁ ସବୁ ଛାଡ଼ି ଛୁଡ଼ି ଦେଇ ପଳେଇ ଆସିବାର ଅର୍ଥ କ’ଣ କୋଜାଣି ? ସେ ପୁଣି ଏକାବେଳକେ ନାସ୍ତିକ । ତା ନହେଲେ ଅବା କହିଥାନ୍ତେ ଯେ ସେ ଯୋଗାଭ୍ୟାସ କରିବାକୁ ଆସିଛି-। ବୁଝିବା ମୁସ୍କିଲ ତାକୁ । ଶୃଙ୍ଖଳା ଭିତରେ ରହିବା ତାର ସ୍ଵଭାବ ବିରୁଦ୍ଧ ।

 

ଆଗରେ ଛୋଟ ଦି ବଖରିକିଆ ଚାଳଘର । ବାହାରେ ଅଧା ଚୂନଦିଆ ଝାଟିମାଟି କାନ୍ଥ-। ତା’ର ପ୍ରାୟ ଦି ଫର୍ଲଙ୍ଗ ଆଗକୁ ଲମ୍ବା ହୋଇ ଦି ତିନିଧାଡ଼ି ଛୋଟ କୁଡ଼ିଆ ଘର । ଖଜୁରିପତ୍ରର କାନ୍ଥ ଛପର ସବୁ । ଆଗରେ ମେଳା ମେଳା କୁଲି ଆଉ ମୂଲିଆଣୀ ।

 

ସମସ୍ତଙ୍କ ଆଖି ତାରି ଉପରେ ।

 

ହଠାତ୍ ଗୋଟାଏ ଚିତ୍କାର ଶୁଣି ସେ ଚମକି ପଡ଼ିଲା । ମୁହଁ ଉଠେଇ ଦେଖେତ ସେଇ ଚାଳଘର ବାରଣ୍ଡା ଉପରେ ଗୋଟାଏ ଅର୍ଦ୍ଧ ଉଲଗ୍ନ ଲୋକ ତା ଆଡ଼କୁ ହାତଠାରି ଡାକୁଛି, “ଆ, ଆ, ଏଇଠିକୁ ଚାଲିଆ ।” ତୁଷାର ନୁହେଁ ତ ? ହଁ ତୁଷାର ତ ! ଦେହରେ ଖାଲି ଗୋଟାଏ ଚଡ଼ି । ନାରାୟଣ ଲଜ୍ଜିତ ହୋଇ ପଡ଼ିଲା । ଏତେ ଗୁଡ଼ାଏ ଯୁବତୀ ଝିଅ ଆଗରେ ତଥାପି ସ୍ଵାଭାବିକ ବନ୍ଧୁତା ତା’ର ଲଜ୍ଜାର ବନ୍ଧ ଭାଙ୍ଗି ଉଜାଣି ବହି ଆସିଲା ।

 

ତୁଷାରର ହାତକୁ ଦୁଇ ହାତରେ ଚାପି ଧରି କହିଲା । “ଆସିତ ଯାଇଛି । ତୁ ଗୋଟେ ଏମିତି ଟେଲିଗ୍ରାମ କରିଛୁ ଯେ ବସିଲାରୁ ଉଠିନ ଆସି ରକ୍ଷାଅଛି । କିନ୍ତୁ କଥା କ’ଣ ? ବେଶ ତ ସୁସ୍ଥ ଦେଖୁଛି ।”

 

ରହ, ସେକଥା ପରେ । ତୋତେ ଟିକିଏ ଭଲ କରି ଦେଖେ । ଅନେକ ଦିନ ହେଲା ତୋ ସାଙ୍ଗେ ଦେଖା ହେଇନି । ବେଶ ମୋଟା ହୋଇ ଯାଉଛୁ ତ । ବାଳଗୁଡ଼ାକ ଗୋଟାଏ ଦିଟା ପାଚିଲେଣି । ପେଟ ଟା–

 

ଧେତ୍, ତୁ ଯେ ଗୋଟାଏ କଣ ? କିଛି ହୋଇନି ଅଥଚ “

 

 

ସିରିଅସ୍ କମ୍ ଇମିଡିଏଟ୍‍ଲି ।” ମୋର ବୁଝିବା ଉଚିତ୍ ଥିଲା ତୋର ବଦ୍‍ମାସି । କିନ୍ତୁ ତୁ ଯେ ଜମା ବଦଳିନୁ, ସେ କଥା–ଆଃ ରହ ରହ । କହିବି କହିବି ସବୁ କହିବି । ଟିକିଏ ହାତ ମୁହଁ ଧୋଇନେ । ଚା ଫା ଖା । ତୁ ତ ଏକାବେଳେ ଝାଳରେ ଗାଧୋଇ ଯାଇଛୁ । ଟିକିଏ ବିଶ୍ରାମ କର, ମୁଁ ଏମାନଙ୍କୁ ବିଦା କରେ ।

 

କହିସାରି ଆଖି ଟିପିଲା କୁଲି ଦଳ ଆଡ଼େ ।

 

ହଉ ।

 

ଆରେ ତ୍ରିଶଙ୍କୁ ! ବାବୁଙ୍କୁ ପାଣି ଦେ । ଚା’ କର ଶୀଘ୍ର ।

 

ତ୍ରିଶଙ୍କୁ । ଅଦ୍ଭୁତ ନାଁ ତ । ନାରାୟଣ ନ ହସି ରହିପାରିଲାନି ।

 

ନା, ଏଇଟା ତା ନିଜ ନାମ ନୁହେଁ । ମୁଁ ଦେଇଛି । ମୁଁ ଗୋଟାଏ ବିଶ୍ଵାମିତ୍ର କିନା ।

 

ପାଗଳ । ତୋର ଯେ କୋଉ ଖିଆଲ—

 

ହଉ, ଆ । ଲୁଗାପଟା ବଦଳା । ସେଇ ଘରଟା । ତୁ ଆସିବୁ ବୋଲି ମୁଁ ନିଶ୍ଚିତ ଥିଲି । ସେଥିପାଇଁ ଦେଖନ୍ତୁ ଖଟଫଟ ସବୁ ରେଡି କରି ରଖିଛି—ଆଚ୍ଛା, ପାଞ୍ଚମିନିଟ୍ ରହ ମୁଁ ଆସୁଛି ।

 

ଦାଣ୍ଡପାଖ ବାରଣ୍ଡାକୁ ବାହାରିଲା ତୁଷାର । ଭିତରକୁ ପଶିଲା ନାରାୟଣ । ଗୋଟାଏ କେମ୍ପ୍‍ ଟେବୁଲ । ଦିଟା ଟିଣ ଚିଆର, ଦିଟା ଦଉଡ଼ିଆ ଖଟ । ଗୋଟାଏ ଖଟ ଉପରେ ବିଛଣା ଅନ୍ୟଟିରେ ସତରଞ୍ଜି ଗୋଟାଏ । ଟେବୁଲ ଉପରେ ଗୁଡ଼ାଏ ବହି କେତେଟା ଖାତା, କାନ୍ଥ କଡ଼କୁ ଗୋଟାଏ କଳ ଟ୍ରଙ୍କ । ଗୋଟାଏ କାଠ ଅଲଗୁଣିରେ ଝୁଲିଛି କେତେଟା ଅଧମଇଳା ପେଣ୍ଟ ଓ ସାର୍ଟ-। ତୁଷାର ତ କିଛି ବିପଦରେ ପଡ଼ିଲା ପରି ବି ଜଣା ପଡ଼ୁନି । ଅଥଚ ତାକୁ ସେ ବୋକା ବନେଇ ନାହିଁ ତ । ଏଥିପାଇଁ ତାକୁ ବେଳେ ବେଳେ ତୁଷାର ଉପରେ ବିରକ୍ତ ଲାଗେ । ମନେ ହୁଏ, ତା ଭିତରେ କିଛି ନାହିଁ । ଅଥଚ ବୁଝିବାକୁ ଗଲେ ବୁଝି ହୁଏନା । ଅତି Illusive ।

 

ତୁ ରେଡି ହୋଇ ଗଲୁଣି । ବାସ୍ ! ତ୍ରିଶଙ୍କୁ, ଚା ଆଣ, କିରେ ମୋତେ ଏମିତି ଚାହିଁ ରହିଛୁ ଯେ ! ଓଃ, ବୁଝିଲି ମୋ ପୋଷାକ ଦେଖି ନା ।

 

ହା ହା ହୋଇ ହସିଲା ତୁଷାର ।

 

ବୁଝିଲୁ । ଆଉ ଭଲ ଲାଗେନା ତୁମର ସେ ରୁଟିନ୍ ଜୀବନ । ଏଇଠି ମୁଁ ମୋ ନିଜ ଇଚ୍ଛାରେ ଚଳି ପାରୁଛି । ଇଛା ହେଲା ଖାଲି ଦେହରେ ରହିବାକୁ—ରହେ । ବାଧା ଦେବାକୁ ଅବା ନାକ ସିଟିକେଇବାକୁ କେହି ନାହିଁ । ତୁ ଜାଣୁ—ମୁଁ ପ୍ରାୟ ଲଙ୍ଗଳା ହୋଇରହେଁ । କିଏ କେତେବେଳେ ଆସିଲେ ଗାମୁଛା ଗୁଡ଼େଇ ଦିଏ । ନହେଲେ—ଆରେ ତୁ ଏମିତି Shocked ହୋଇଯାଉଛୁ କାହିଁକି ? ଘଣା ବଳଦ, ବୁଝିବୁ କୋଉଠି ।

 

ନା ଯେ, ମୁଁ ଭାବୁଛି ମୁଁ ଆଗରୁ ଯାହା ମନେ କରିଥିଲି ଠିକ୍ ସେଇଆ ।

 

ମାନେ ?

 

ମାନେ ତୁ ଗୋଟାଏ ନିହାତି ଉଛୃଙ୍ଖଳ ଲୋକଟେ । ସ୍ୱାଧୀନ ଇଚ୍ଛା ମାନେ କଣ ଉଛୃଙ୍ଖଳତା ?

 

ଠିକ୍ ସେଇଆ ନହେଲେ ବି ତୁ ଯାହା କରୁଛି ସେଇଟାକୁ ତା ଛଡ଼ା ଅନ୍ୟ କିଛି କୁହାଯାଇ ପାରେନା ।

 

ଦେଖ୍, ତୁ’ ଯାହା କହ ପଛେ କିମ୍ବା ଆଉ ଯିଏ ଯାହା କହୁ ପଛେ ମୁଁ ନିଜକୁ ନିଜ ପାଖରେ ଆଉ ଲୁଚେଇ ପାରିବିନି । ନିଜକୁ ନିଜେ ଆଉ ଛଳନା କରିପାରିବିନି । ମୋର ସାଧାରଣ ଦୈନନ୍ଦିନ ଜୀବନର କଥା ଦେଖୁନା । ମୋର ଇଚ୍ଛା ହେଲା ଦଶଟାବେଳେ ଉଠିବାକୁ—ଉଠିଲି । ପନ୍ଦରଦିନ ମାସେ ଦାଢ଼ି କାଟିଲିନି । ଯାହା ଇଚ୍ଛା ତାହା କଲି କେହି କିଛି କହିବାକୁ ନାହିଁ, ଆଉ ତୋ କଥା ଦେଖ୍ । ତୋର ପ୍ରତ୍ୟେକଟି ବ୍ୟବହାର ନିୟନ୍ତ୍ରିତ ହେଉଛି ଅପରର ରୁଚି ବିଚାରର ପରିପ୍ରେକ୍ଷୀରେ । ସକାଳ ସାତଟାରୁ ଉଠ—ସାତଟାରୁ ସାଢ଼େ ସାତଟା ନିତ୍ୟକର୍ମ, ସାଢ଼େ ସାତରୁ ସାଢ଼େ ଆଠ ବଜାର, ନଅଟାବେଳେ ଗାଧୁଆ—ତା’ପରେ ଖିଆ—ତା’ପରେ ଅଫିସ୍ କଲେଜ୍ ଇତ୍ୟାଦି । ଗୋଟାଏ ଛକକଟା ଜୀବନ । ତୁ ନିଜେ ଭାବି ଦେଖ୍, ମୋରି ଜୀବନଟା ଭଲ ନା ତୋରି ଚନ୍ଦ୍ର ବନ୍ଧନୀର ଜୀବନଟା ଭଲ ।

 

ଭଲ ମନ୍ଦର ବିଚାର ମୁଁ କରୁନି । ମୁଁ କହୁଛି ଯୋଉଟା ଉଚିତ୍— ।

 

ଡେମ୍ ଇଟ୍ । ଉଚିତ୍, ଉଚିତ୍, ଉଚିତ୍ । ‘ଉଚିତ୍’ ଭିତରେ ଜୀବନଟା କଟେଇ ଦେଲେ ଜୀବନର ମାନେ କିଛି ହୁଏନା । ନଦୀର ସ୍ରୋତଟା ସରଳରେଖା ନୁହେଁ କି ଠିକ ଗୋଟାଏ ବେଗରେ ନିର୍ଦ୍ଦିଷ୍ଟ ଅନୁପାତର ପାଣି ନେଇ ସେଇଟା ବହେନା । ବହମାନ ଜୀବନ ସେମିତି କାହାରି ଅପେକ୍ଷା ରଖେନା ।

 

ଆଚ୍ଛା, ଛାଡ଼୍ ସେ କଥା । ମୋତେ କାହିଁକି ଡକେଇଲୁ ଶୁଣେ ?

 

ତୁ ରାଗିବୁନି ତ କହ ?

 

ଆରେ, ଏଥିରେ ରାଗିବାର କ’ଣ ଅଛି !

 

ଗପିବା ପାଇଁ ।

 

“କ’ଣ ହେଲା?” ଚିତ୍କାର କରି ଉଠିଲା ନାରାୟଣ ।

 

ଦେଖ୍, ତୁ ରାଗିବୁନି ବୋଲି କହିଛୁ ।

 

କିନ୍ତୁ ଖାଲି ଗପିବା ପାଇଁ ତୁ ମୋତେ ଏତେ ଦୂରକୁ ମିଛ ଟେଲିଗ୍ରାମ୍ କରି ଡକେଇ ଆଣିଛୁ ?

 

କ’ଣ ଆଉ କରନ୍ତି ? ଆଜିକୁ ଚାରି ପାଞ୍ଚ ବର୍ଷ ହେଲା ଆସିବୁ ଆସିବୁ କହି ଏ ପର୍ଯ୍ୟନ୍ତ ଆସିନୁ । ଶେଷକୁ ଦେଖିଲି ଏଇ ପନ୍ଥାର ଆଶ୍ରୟ ନ ନେଲେ ତୁ କେବେହେଲେ ଆସିବୁନି । ମୋର କ’ଣ ଭୁଲ୍ ହେଇଛି ?

 

ନାଇଁ ଯେ– । ମୁଁ ଭାବୁଛି ଗୋଟାଏ କଥା । ଆଜିକୁ ଚାରିବର୍ଷ ଧରି ମୁଁ ପ୍ରତ୍ୟେକ ଛୁଟିରେ ତୋ ପାଖକୁ ଆସିବାକୁ ଚେଷ୍ଟା କରୁଛି । କିନ୍ତୁ ସବୁ ଠିକ୍ ଠାକ୍ କରି ବାହାରିଲା ବେଳକୁ ଏମିତି ଗୋଟେ କିଛି ଘଟୁଛି ଯେ ଆସି ହେଉନି । ଅଥଚ ଏଥର ‘ନିଶ୍ଚେ ଯିବି’ କରି ଚାଲି ଆସିଲି–ଠିକ୍ ପହଞ୍ଚିଗଲି ତୋ ପାଖରେ । ଏଥର ଅସୁବିଧା ଯେ ନଥିଲା ତା ନୁହେଁ, କିନ୍ତୁ ଅସୁବିଧାଟା ଏତେ ବଡ଼ ହୋଇ ମୋ ଆଖିରେ ଛିଡ଼ା ହେଇନି । ଆଶ୍ଚର୍ଯ୍ୟ ।

 

ଯାଃ, ରାଗିନୁ ତା’ ହେଲେ । ମୋ ଭାଗ୍ୟ ।

 

ରାଗିଲେ କ’ଣ କରିଥାନ୍ତୁ ?

 

କୃତାଞ୍ଜଳୀ ପୁଟରେ ଆଣ୍ଠୁ ମାଡ଼ି କ୍ଷମା ପ୍ରାର୍ଥନା କରିଥାନ୍ତି ।

 

ନାରାୟଣ କିଛି ସମୟ ଧରି ଚାହିଁ ରହିଲା ତା ଆଡ଼କୁ ।

 

ତୁ ଯେମିତିକି ସେମିତି ଅଛୁ । ଆଉ ଆମେ ସବୁ—

 

ଆରେ ହଁ, କ୍ଷମା କରିବୁ ଭାଇ । ତୋତେ ଦେଖି ମୁଁ ସବୁ ଭୁଲି ଯାଇଛି । ତୋର ସ୍ତ୍ରୀ ଆଉ ପିଲାମାନେ କେମିତି ଅଛନ୍ତି ? ସବୁ ଭଲ ତ ?

 

ହଁ, ମନ୍ଦ ନୁହେଁ । ଚାଲିଛି ଏକରକମ । ସାଧାରଣ ଜୀବନ ।

 

ତୋ ଭଳିଆ ତ ନୁହେଁ, ତେଣୁ ନୂତନତ୍ଵ କିଛି ନାହିଁ ।

 

କିରେ, ଥଟ୍ଟା କରୁଛୁ ?

 

ନାଇଁ ମ, ସତରେ । ମୁଁ ଆଜି ବସ୍‍ରୁ ଓହ୍ଲେଇ ଚାଲି ଚାଲି ଆସିଲା ବେଳେ ଏଠିକାର ପରିବେଶ ଦେଖି ମୁଗ୍‍ଧ ହୋଇଗଲି । କଷ୍ଟ ହେଲା ଅବଶ୍ୟ । ପାଞ୍ଚମାଇଲ୍ ଚାଲିବା ମାଷ୍ଟରିଆ ଜୀବନରେ ଏ ଚାରି ପାଞ୍ଚ ବର୍ଷ ଭିତରେ ସମ୍ଭବ ହୋଇନି । କିନ୍ତୁ ତଥାପି ମୋର କ୍ଳାନ୍ତି ନାହିଁ । କେମିତି ଗୋଟାଏ ଉଶ୍ୱାସ ଲାଗୁଛି ନିଜକୁ । ଗୋଟାଏ ବନ୍ଦ ଘର ଭିତରୁ ହଠାତ୍ ବାହାରକୁ ଆସି ଆକାଶକୁ ଚାହିଁଲେ ଯେମିତି ଦେଖାଯାଏ—

 

ସେଥିପାଇଁ ତ ମୁଁ ତୋତେ କେତେଥର ଲେଖିଛି ଆସିବାକୁ । ପଚା ସହରର ଦୁର୍ଗନ୍ଧ ବାୟୁମଣ୍ଡଳ ଭିତରେ କେମିତି ବର୍ଷ ବର୍ଷ ଧରି ପଡ଼ିରହିଛୁ କେଜାଣି ?

 

ହଉ, ତୋ ଖବର କହ ।

 

ମୋ ଖବର ?

 

ସେଥିପାଇଁ ପରା ମୋତେ ଡାକି ଆଣିଛୁ ।

 

ଡେମ୍ ଇଟ୍ । ଉଚିତ୍, ଉଚିତ୍, ଉଚିତ୍ । ‘ଉଚିତ୍’ ଭିତରେ ଜୀବନଟା କଟେଇ ଦେଲେ ଜୀବନର ମାନେ କିଛି ହୁଏନା । ନଦୀର ସ୍ରୋତଟା ସରଳରେଖା ନୁହେଁ କି ଠିକ ଗୋଟାଏ ବେଗରେ ନିର୍ଦ୍ଦିଷ୍ଟ ଅନୁପାତର ପାଣି ନେଇ ସେଇଟା ବହେନା । ବହମାନ ଜୀବନ ସେମିତି କାହାରି ଅପେକ୍ଷା ରଖେନା ।

 

ଆଚ୍ଛା, ଛାଡ଼୍ ସେ କଥା । ମୋତେ କାହିଁକି ଡକେଇଲୁ ଶୁଣେ ?

 

ତୁ ରାଗିବୁନି ତ କହ ?

 

ଆରେ, ଏଥିରେ ରାଗିବାର କ’ଣ ଅଛି !

 

ଗପିବାପାଇଁ ।

 

“କ’ଣ ହେଲା ?” ଚିତ୍କାର କରି ଉଠିଲା ନାରାୟଣ ।

 

ଦେଖ୍, ତୁ ରାଗିବୁନି ବୋଲି କହିଛୁ ।

 

କିନ୍ତୁ ଖାଲି ଗପିବା ପାଇଁ ତୁ ମୋତେ ଏତେ ଦୂରରୁ ମିଛ ଟେଲିଗ୍ରାମ୍ କରି ଡକେଇ ଆଣିଛୁ ?

 

କ’ଣ ଆଉ କରନ୍ତି ? ଆଜିକୁ ଚାରି ପାଞ୍ଚ ବର୍ଷ ହେଲା ଆସିବୁ ଆସିବୁ କହି ଏ ପର୍ଯ୍ୟନ୍ତ ଆସିନ । ଶେଷକୁ ଦେଖିଲି ଏଇ ପନ୍ଥାର ଆଶ୍ରୟ ନ ନେଲେ ତୁ କେବେହେଲେ ଆସିବୁନି । ମୋର କ’ଣ ଭୁଲ୍ ହେଇଛି ?

 

ନାଇଁ ଯେ— । ମୁଁ ଭାବୁଛି ଗୋଟାଏ କଥା । ଆଜିକୁ ଚାରିବର୍ଷ ଧରି ମୁଁ ପ୍ରତ୍ୟେକ ଛୁଟିରେ ତୋ ପାଖକୁ ଆସିବାକୁ ଚେଷ୍ଟା କରୁଛି । କିନ୍ତୁ ସବୁ ଠିକ୍ ଠାକ୍ କରି ବାହାରିଲା ବେଳକୁ ଏମିତି ଗୋଟେ କିଛି ଘଟୁଛି ଯେ ଆସି ହେଉନି । ଅଥଚ ଏଥର ‘ନିଶ୍ଚେ ଯିବି’ କରି ଚାଲି ଆସିଲି—ଠିକ୍ ପହଞ୍ଚିଗଲି ତୋ ପାଖରେ । ଏଥର ଅସୁବିଧା ଯେ ନଥିଲା ତା ନୁହେଁ, କିନ୍ତୁ ଅସୁବିଧାଟା ଏତେ ବଡ଼ ହୋଇ ମୋ ଆଖିରେ ଛିଡ଼ା ହେଇନି । ଆଶ୍ଚର୍ଯ୍ୟ ।

 

ଯାଃ, ରାଗିନୁ ତା’ ହେଲେ । ମୋ ଭାଗ୍ୟ

 

ରାଗିଲେ କ’ଣ କରିଥାନ୍ତୁ

 

କୃତାଞଳୀ ପୁଟରେ ଆଣ୍ଠୁ ମାଡ଼ି କ୍ଷମା ପ୍ରାର୍ଥନା କରିଥାନ୍ତି

 

ନାରାୟଣ କିଛି ସମୟ ଧରି ଚାହିଁ ରହିଲା ତା ଆଡ଼କୁ

 

ତୁ ଯେମିତିକି ସେମିତି ଅଛୁ । ଆଉ ଆମେ ସବୁ—

 

ଆରେ ହଁ, କ୍ଷମା କରିବୁ ଭାଇ । ତୋତେ ଦେଖି ମୁଁ ସବୁ ଭୁଲି ଯାଇଛି । ତୋର ସ୍ତ୍ରୀ ଆଉ ପିଲାମାନେ କେମିତି ଅଛନ୍ତି ? ସବୁ ଭଲ ତ ?

 

ହଁ, ମନ୍ଦ ନୁହେଁ । ଚାଲିଛି ଏକରକମ । ସାଧାରଣ ଜୀବନ ।

 

ତୋ ଭଳିଆ ତ ନୁହେଁ, ତେଣୁ ନୂତନତ୍ଵ କିଛି ନାହିଁ

 

କିରେ, ଥଟ୍ଟା କରୁଛୁ ?

 

ମୋତେ ଡର ଲାଗିଲାଣି । ମୋ ଡ୍ରେସ୍ ଦେଖି ତୁ ଯେମିତି ଗୋଟାଏ ମାଷ୍ଟରୀଆ ଚାହାଣି ଦେଲୁଣି ମୋ କଥା ଶୁଣିଲେ ତୁ ଛାଟ ନ ବାହାରକରୁ ଯେମିତି ।”

 

ହାଃ, ହାଃ, ହାଃ, । ବହୁତ ଦିନରୁ ଏମିତି ହସିନିରେ ତୁଷାର ।

 

ଆଚ୍ଛା, ତୁ ରହୁଛୁ ତ ଦି’ ଚାରିଦିନ

 

ଦି’ ଚାରିଦିନ ? ପାଗଳ ? ମୁଁ ପଅରଦିନ ସକାଳେ ଯିବି

 

କ’ଣ ଜରୁରୀ ଦରକାର ଅଛି ଯେ ଏମିତି ? ଖାଲି ଯିବି କହିଲେ ହେଲା । ମୁଁ ଛାଡ଼ିଲେ ତ–

 

ନା, ତୁଷାର, ମୁଁ ଯିବି । ତୁ ସିନା ଏମିତି ଫୁଙ୍ଗୁଳା; କିନ୍ତୁ ମୁଁ ଯେତେବେଳେ ତୋପରି ହୋଇ ପାରିନି ସେତେବେଳେ ମୋର ତ କିଛି କର୍ତ୍ତବ୍ୟ ଅଛି । ଝିଅଟାର ଜର । ଫେର୍ ଛୁଟି କଥା ତ ଜାଣୁ । ମୁଁ ଗ୍ରୀଷ୍ମ ଛୁଟିରେ ନିଶ୍ଚୟ ଆସିବି ।

 

ଏଇଟା ମିଛ କଥା । ତୁ ଯେ ଆଉ ଆସିବୁ ସେ କଥା ମୁଁ ବିଶ୍ୱାସ କରୁନି । ତେବେ ତୋତେ ବି ମୁଁ ଜୋର କରି ରଖିବାକୁ ଚାହୁଁନି । ହଉ, ପଅରଦିନ ତ । ତୋର ଯିବା କଥାଟା ଭୁଲାଯାଉ । ସମୟ ଆସିଲେ ଦେଖାଯିବ ।

 

ହଉ ହେଲା । କିନ୍ତୁ ତୋ କଥାତ କିଛି କହୁନୁ

 

ତୁ ମଦ ଖାଉ ?

 

ମଦ ? ଆରେ ଛି ଛି ଛି— । ତୁ ଖାଉଛୁ ନା କ’ଣ

 

ପ୍ରଚୁର । କିନ୍ତୁ ନିଜ ମର୍ଜିରେ । ଘୁଷୁରି, ଗୋରୁ, ପୋଢ଼—ଚଳିବ ?

 

ନାରାୟଣ ସ୍ତମ୍ଭିତ ହୋଇ ରହିଗଲା । କିଛି କହି ପାରିଲାନି । ଆଖି ଡୋଳା ଦୁଇଟା ଅସ୍ୱାଭାବିକ ଭାବେ ବିସ୍ତାରିତ ହୋଇ ଉଠିଲେ । ତୁଷାର ହୋ ହୋ ହୋଇ ହସି ଉଠିଲା ।

 

ମୁଁ ଜାଣେ ତୁ ଭୀଷଣ ଭାବେ ଆଶ୍ଚର୍ଯ୍ୟ ହେବୁ । କିନ୍ତୁ ସେ ସବୁ ମାଂସ ମୋତେ ଭଲ ଲାଗେ ବୋଲି ମୁଁ ଖାଏ ନା । କେବଳ ତମେମାନେ ନିଷେଧ କରିଛ ବୋଲି ଖାଏଁ ।

 

ତୋତେ ଯେ କ’ଣ କହିବି ମୁଁ ବୁଝିପାରୁନି ତୁଷାର । ମୋ ମୁଣ୍ଟା ଗୋଳମାଳିଆ ହୋଇଯାଉଛି । ତୁ ଯେ ଆଉ କ’ଣ ଖାଇବୁ ଆଉ କରିବୁ—

 

ସେଇଟା ଅବଶ୍ୟ ମୋର ପରବର୍ତ୍ତୀ ଇଚ୍ଛା ଉପରେ ନିର୍ଭର କରେ । ତେବେ ତୋର ସେଥିପାଇଁ କିଛି ଚିନ୍ତା କରିବାର ଦରକାର ନାହିଁ । ତୋ ପାଇଁ ସେ ସବୁ କିଛି କରାଯାଉନି । ବେଶ୍ ସୁଷମ ଅଧ୍ୟାପକୀ ଖାଦ୍ୟ । ଆଚ୍ଛା, ମୁଁ ଯଦି ଏଇନା ମଦ ଖାଏଁ, ତୋର କିଛି ଆପତ୍ତି ଅଛି ?

 

ନା ଯେ, ତେବେ ତୁ ଯଦି ମାତାଲ ହେବା ଆରମ୍ଭ କରୁ—

 

ଆରେ ନାଇଁମ—ମାତାଲ ହେବା ମୋ ଜାତକରେ ଲେଖା ନାହିଁ । ଟିକେ—କେବଳ ତୋରି ଉପସ୍ଥିତିର ଆନନ୍ଦରେ ।

 

କାନ୍ଥ ଠଣାରୁ ବୋତଲଟାଏ କାଢ଼ିଲା ତୁଷାର । ମୁହଁ ଲଗେଇ ଢକ୍ ଢକ୍ କରି ପିଇଗଲା ସେଥିରୁ । ଦେଶୀ ମଦର ଦୁର୍ଗନ୍ଧରେ କୋଠରୀରେ ବାୟୁମଣ୍ଡଳଟା ଭାରି ହୋଇ ଉଠିଲା । ମୁହଁରେ ଲୁଗା ଚାପିଲା ନାରାୟଣ ।

 

ଏମିତି ଖାଉଛୁ ? ମରିଯିବୁ ଯେ

 

ଦୂର୍ ବୋକା, ମୋର ମରିବାଟା ଏଡ଼େ ସହଜ ନୁହେଁ ।

 

ତୁ ପ୍ରତିଦିନ ଖାଉ ?

 

ନା, ମନ ହେଲେ ଖାଏ । କେବେ କେବେ ମାସେ ଦିମାସ ପର୍ଯ୍ୟନ୍ତ ଛୁଏଁ ନା । ଆଉ ବେଳେ ବେଳେ ୨।୩ ବୋତଲ ଏକାଥରେ ବି ଶେଷ କରିଦିଏ ।

 

ତୁ ଜୀବନକୁ ଏମିତି ଭାବରେ ନଷ୍ଟ କରିଦେଉଛୁ ?

 

ତୋରି ଜୀବନର ଷ୍ଟାଣ୍ଡାର୍ଡ ମାପକାଠିରେ, ନିଶ୍ଚୟ । କିନ୍ତୁ ମୋର ‘ଶୋଚନା ନାହିଁ ।’

 

ମାନେ ?

 

ମାନେ ମୁଁ ନିଜକୁ ସନ୍ତୋଷ ଦେଉଛି । ନିଜ ଜୀବନକୁ ପୂର୍ଣ୍ଣ ଭାବରେ ଅନୁଭବ କରୁଛି । ପଞ୍ଚଇନ୍ଦ୍ରୀୟ ଓ ପଚିଶ ପ୍ରକୃତି ଭିତରେ । ସେଥିରେ ଯଦି ଜୀବନଟା ତୁମ ଷ୍ଟାଣ୍ଡାର୍ଡରେ ନଷ୍ଟ ହେଲା ତ ହେଉ, ମୋର କିଛି ଯାଏ ଆସେ ନା ।

 

ଦେଖ୍, ତୁଷାର ବିଶୃଙ୍ଖଳ ଜୀବନର କୌଣସି ମାନେ ହୁଏନା । କେଅସ୍‍ରୁ ସବୁବେଳେ ଅର୍ଡାରର ସୃଷ୍ଟି । ମଣିଷର ସମସ୍ତ ଚେଷ୍ଟା ଏଇ ଶୃଙ୍ଖଳାପାଇଁ । କିନ୍ତୁ ତୁ ଯଦି ନିର୍ବୋଧଙ୍କ ପରି ଏମିତି କେଅସ୍ ସୃଷ୍ଟି କରିବାକୁ ଯାଉ—

 

ସେଥିରୁ ହେବ ଏକ ନୂତନ ଅର୍ଡରର ସୃଷ୍ଟି । ନୁହେଁ ?

 

ନା, ପ୍ରକୃତିର ନିୟମ ଶୃଙ୍ଖଳା ଅପରିବର୍ତ୍ତନୀୟ ।

 

କିନ୍ତୁ ସମାଜରେ ନୁହଁ ।

 

କିନ୍ତୁ ମଣିଷ କାହିଁକି ଗଢ଼ିଛି ସମାଜ ? କାହିଁକି ନିଜ ଗୋଡ଼ରେ ଜାଣିଶୁଣି ବେଡ଼ି ପିନ୍ଧେଇଛୁ ? ତା’ର ଅସଲ ଉଦ୍ଦେଶ୍ୟ ଏକ ସୁଶୃଙ୍ଖଳା ଜୀବନ ଗଠନ । ଗୋଟାଏ ନିର୍ଦ୍ଧିଷ୍ଟ ପନ୍ଥା ଭିତରେ ରହି ସୃଷ୍ଠଭାବରେ ଏକ ମହତ୍ତର ଜୀବନ ଗଢ଼ିବାକୁ । ପ୍ରକୃତିର ଉଦ୍ଦେଶ୍ୟହୀନତାକୁ ଉଦ୍ଦେଶ୍ୟ ଦେବାର ନାମହିଁ ସମାଜ ।

 

ଉତ୍ତେଜିତ ହୋଇ ଉଠିଲା ନାରାୟଣ ।

 

ହୋଇପାରେ; କିନ୍ତୁ ସମାଜ ମଣିଷର ବିଚାରବୋଧର ଦାନ । ଯେଁଉ ବିଚାରବୋଧ ଜୀବନକୁ ଉପେକ୍ଷା କରେ ତା’ର ଦାନ ବି ସେଇ ପରି ଅଲୋଡ଼ା । ଆଉ ସେଇ ନିୟମ ସମସ୍ତ ମାନବ ଜୀବନର ଏକମାତ୍ର ଉପାୟ ନୁହେଁ ।

 

ନିଶ୍ଚୟ ନୁହେଁ; କିନ୍ତୁ ‘ବହୁ’ଙ୍କ ପାଇଁ ସେଇଟା ଏକମାତ୍ର ଉପାୟ ।

 

ମୁଁ ଯଦି ସେଇ ‘ବହୁ’ ଭିତରୁ ବାହାରି ଟିକେ ଅଲଗା ବାଟରେ ଯାଏଁ ତେବେ ତୋର କ’ଣ କହିବାର ଅଛି ?

 

କିଛି ନାହିଁ, ଯଦି ତୋର କାମଟା ତୋର ନିଜ ଭିତରେ ସୀମାବଦ୍ଦ ହୋଇ ରହନ୍ତା; କିନ୍ତୁ ତୁ ଯାହା କରୁଛୁ ତା’ ସହିତ ଅନ୍ୟମାନଙ୍କ ଜୀବନ ଜଡ଼ିତ । ତୁ କେବଳ ତୋ ନିଜପାଇଁ ବଞ୍ଚୁନୁ । ତୋର ବଞ୍ଚିବା ପାଇଁ ଅନ୍ୟମାନଙ୍କ ସାହାଯ୍ୟ ଦରକାର ପଡ଼ୁଛି । ଏଣୁ ଅନ୍ୟମାନଙ୍କ ପ୍ରତି ତୋର କର୍ତ୍ତବ୍ୟ ରହିବା ଉଚିତ ।

 

ଏକଦମ୍ ବାଜେ କଥା । କର୍ତ୍ତବ୍ୟବୋଧ, ସମାଜ ପ୍ରତି ଦାୟିତ୍ଵବୋଧ, ସବୁ ଖାଲି ଶିଖା କଥା । ଶୁଆର ରାମନାମ କଲାପରି । ସେଇଟା ଶୁଆର ସ୍ୱଭାବିକ ଭାଷା ନୁହେଁ । କେହି, ଅନ୍ୟ କାହାରି ଜୀବନ ପ୍ରତି ଦାୟୀ ନୁହେଁ । ମୋର କର୍ତ୍ତବ୍ୟ ମୋର ଜୀବନ ପ୍ରତି । ଯଦି କେହି ମୋର ଜୀବନ ଦର୍ଶନ ପ୍ରତି ଆକୃଷ୍ଟି ହୋଇ ସେହି ବାଟରେ ଯାଏ ତେବେ ସେଥିପାଇଁ ମୁଁ ଦାୟୀ ନୁହେଁ । ସେ ନିଜେ ସେଇଟା ଚାହେଁ । ମୁଁ କେବଳ ଏକ ନିମିତ୍ତ ।

 

ତୁ ଭୁଲ୍ କରୁଛୁ । ଆମର ଜୀବନ ସମଷ୍ଟିଗତ । ପ୍ରତ୍ୟେକ ବ୍ୟକ୍ତି ଅନ୍ୟ ଏକ ସହିତ ଆଙ୍ଗାଙ୍ଗୀ ଭାବେ ଜଡ଼ିତ ।

 

ବାଜେ କଥା । ଆମର ଜୀବନ ଏକକ ।

 

ନାରାୟଣ ଚୁପ୍ ରହିଲା । କୋଠରୀ ଭିତରେ ନୀରବତାର କୁହୁଡ଼ି ।

 

କିଛି ସମୟ ପରେ କଥା ବଦଳାଇଲା ତୁଷାର ।

 

ମୋର ବେଟାଲିଅନ୍‍କୁ ଦେଖିଲୁ ?

 

ହଁ, ଗୁଡ଼ାଏ ତ । କେତେ ଲୋକରେ ? ଦି’ଶ ପାଖାପାଖି ହେବେ ।

 

ହଁ, ହେବେ ସେତିକି । ନା, ମୁଁ କ’ଣ କହୁଥିଲି କି—ସେଇ ଝିଅ ଗୁଡ଼ାକୁ ଦେଖିଲୁ ?

 

କାହିଁକି ? କ’ଣ ହେଲା ?

 

କିଛି ନାହିଁ । ମୁଁ ସେମାନଙ୍କୁ—ରହ ଗୋଟାଏ ଭଲ ଶବ୍ଦ ବାଛେ, ନ ହେଲେ ତୁ ଫେର ବିଗୁଡ଼ିବୁ—ଉପଭୋଗ କରିଛି ।

 

ତୁ—ଷା—ର !

 

ସ୍ତବ୍‍ଧ ହୋଇ ରହିଗଲା ନାରାୟଣ ।

 

ଚାରି ପାଞ୍ଚବର୍ଷ ଭିତରେ ଧରିନେ ତା’ର ପାଞ୍ଚଗୁଣ ।

 

ନାରାୟଣ ମୁହଁରୁ ଜିଭଟା କିଏ କାଢ଼ିନେଲା । କହିବାର ଭାଷାଟା ଯେମିତି ସେ ଭୁଲିଗଲା । ବହୁକ୍ଷଣ ଗଲା ପରେ ଗୋଟାଏ ବିରକ୍ତିର ଜୁଆର ମାଡ଼ି ଆସିଲା ତା ଦେହରେ । ଇସ୍ କେତେ ବଡ଼ ଲମ୍ପଟତା । ଅଥଚ ସେ କହୁଛି ଯେମିତି । “ଆଜି କ’ଣ ତରକାରୀ ହୋଇଥିଲା” ପରି ମାମୁଲି ଢଙ୍ଗରେ ।

 

ଇସ୍‍ସ୍‍, ଛି ଛି ଛି—ତୋର କେତେ ଅଧଃପତନ ହୋଇଛି ।

 

ହାଃ, ହାଃ, ହାଃ । ମୁଁ ଜାଣେ ତୁ ଠିକ୍ ଏଇ କଥା କହିବୁ ବୋଲି; କିନ୍ତୁ ମୁଁ ପଚାରେ କାହିଁକି ?

 

ତୁ ନିଜେ ଜାଣି ପାରୁନୁ ଯେ ମୋତେ ଆହୁରି କହିବାକୁ ପଡ଼ିବ ।

 

ମୁଁ ଭାବେ ଏଇଟା ସ୍ଵାଭାବିକ ।

 

ଉଚ୍ଛୃଙ୍ଖଳତା । ଲମ୍ପଟତା । ବର୍ବରତା ।

 

ମୋଟେ ନୁହେଁ । ତୁ ମୋତେ ନିଜ ଷ୍ଟାଣ୍ଡାର୍ଡରେ ମାପୁଛୁ । ତୋର ଜାଣି ରଖିବା ଉଚିତ ନିଜର ମାନଦଣ୍ଡ ସମସ୍ତଙ୍କ ପାଇଁ ନୁହେଁ । କ୍ଷୁଧା ଓ ଯୌନ ମଣିଷର ଆଦିମ ପ୍ରକୃତି । ଏଇ ଦୁଇଟାକୁ ନିୟନ୍ତ୍ରଣ କରି ରଖିବାପାଇଁ ସବୁବେଳେ ସବୁକାଳର ଲୋକେ ଆଗେଇ ଆସିଛନ୍ତି; କିନ୍ତୁ ମୁଁ କହି ରଖେ ଏମାନେ ନିୟନ୍ତ୍ରଣାଧୀନ ନୁହନ୍ତି । ତେଣୁ ସେମାନଙ୍କୁ ସ୍ଵାଧୀନ କରିଦେବା ଦରକାର-। ତା’ ହେଲେ ଏତେ ନୀତି ନିୟମର ଶୃଙ୍ଖଳ ଦରକାର ପଡ଼ନ୍ତା ନାହିଁ । ଏକ ପୂର୍ଣ୍ଣ ସ୍ଵାଧୀନତା ଭିତରେ ସ୍ଵାଭାବିକ ଭାବେ ଗଢ଼ି ଉଠନ୍ତା ତା’ର ନିଜସ୍ଵ ନିୟମ କାନୁନ୍ । ଦେଖନ୍ତୁ—ସେ ଝିଅମାନେ ତ ମୋତେ କିଛି କହୁନାହାନ୍ତି ବରଂ ବେଶ୍ ଭଲପାଆନ୍ତି ମୋତେ ।

 

ପଶୁ !

 

ପ୍ରତ୍ୟେକ ମଣିଷ ଗୋଟାଏ ଭାବୁକ ପଶୁ । ଆଉ କିଛି ନୁହେଁ । କେବଳ ଭାବି ଭାବି ସେ କଳ୍ପନା ଭିତରେ ଅନେକ କିଛି ସୃଷ୍ଟି କରିଛି, ଯାହାର ମୂଲ୍ୟ କିଛି ନାହିଁ । ପଶୁ କେବଳ ପ୍ରବୃତ୍ତିଗତ ପ୍ରାଣୀ । ସେଥିପାଇଁ ତା’ର ପ୍ରବୃତ୍ତି ଓ କାମ ଭିତରେ ପାର୍ଥକ୍ୟ ନାହିଁ । ଏକ ଅପୂର୍ବ ସମନ୍ୱୟ; କିନ୍ତୁ ମଣିଷର ଚିନ୍ତାଶକ୍ତି, ପ୍ରବୃତ୍ତି ଓ ବାସ୍ତବିକତାର କାର୍ଯ୍ୟ ଏ ସବୁଥିରେ ସବୁବେଳେ ପାର୍ଥକ୍ୟ ରହି ଆସିଛି । ସେଥିପାଇଁ ଆମର ଜୀବନ୍ତ ପ୍ରବୃତ୍ତି ଓ ଚିନ୍ତା ଶକ୍ତିର ଆଦର୍ଶ ଭିତରେ ଏଇ ଚିରନ୍ତନ ସଂଘର୍ଷ, ମୁଁ ସମସ୍ତଙ୍କୁ ଏକ କରିଦେବାକୁ ଚାହେଁ । ମୋର ପ୍ରବୃତ୍ତି, ମୋର ଚିନ୍ତା ଓ ମୋର କାର୍ଯ୍ୟକ୍ଷମତା ଏକାବେଳକେ ଗୋଟିଏ ଧାରାରେ ନିୟନ୍ତ୍ରିତ ହେବାକୁ ଚାହେଁ ।

 

ସେଥିପାଇଁ ତୁ ଏ ବାଟ ଧରିଛୁ ନା ।

 

ମୁଁ ବୁଝେନା ତମର ନୀତିର କଥା । ଟ୍ରାଡ଼ିସନ୍, କନ୍‍ଭେନ୍‍ସ୍‍ର କଥା । ଆଜି ଯଦି ଜଣେ ସନ୍ନ୍ୟାସୀ ଉଲଗ୍ନ ହୋଇ ବା କୌପୀନ୍ ମାରି ବୁଲେ ତୁ କିଛି କହିବୁନି; କିନ୍ତୁ ମୁଁ ସେମିତି ହେଲେ ହେବି ପାଗଳା ବା ଆଉ କିଛି ? କାହିଁକି ନା ଏଇଟା ଧରି ନିଆଯାଇଛି ସନ୍ୟାସୀମାନେ ଏମିତି ଭାବରେ ରହିବା ଉଚିତ୍ । ଗୋଟାଏ ପରମ୍ପରାନୁବର୍ତ୍ତିତା । ଆଶ୍ଚର୍ଯ୍ୟ !

 

ତା’ର କାରଣ ସନ୍ନ୍ୟାସୀମାନଙ୍କର ରହିଛି ନିବୃତ୍ତିର ସାଧନା । ତାଙ୍କ ପଛରେ ଯୁଗ ଯୁଗର ଐତିହ୍ୟ ରହିଛି । ଯେ କୌଣସି ପ୍ରକାର ପାର୍ଥିବ ସୁଖ ସମ୍ଭୋଗ ତ୍ୟାଗ କରିବାର ଅଦ୍ୟମ ପ୍ରଚେଷ୍ଟାର ଫଳ ! ଭୋଗ ଭିତରେ ନୁହେଁ ସଂଯମ ଓ ତ୍ୟାଗ ଭିତରେ ।

 

“କାହିଁକ ? କାହିଁକି ପ୍ରବୃତ୍ତି ଭିତରେ ନିବୃତ୍ତିର ସମ୍ଭବ ନୁହେଁ ? ତୁ ଯଦି ଧରିନେଉ ଏଇଟା ପ୍ରକୃତିର ଏକ ସ୍ଵାଭାବିକ ପରିବର୍ତ୍ତନ ତେବେ ଅନ୍ୟ ସବୁ ପରି ପ୍ରବୃତ୍ତିମାନଙ୍କ ମଧ୍ୟ ନିବୃତ୍ତି ଆସିବା ସ୍ଵାଭାବିକ । ଆମେ ଚାହୁଁନା ଅଥଚ ବୃଦ୍ଧତ୍ଵ ଆସେ । ଜରାକ୍ଳିଷ୍ଟ ଜୀବନପାଇଁ ଆମେ ସାଧନା କରୁନା । ଏଇଟା ଏକ ସ୍ଵାଭାବିକ ପ୍ରକ୍ରିୟା । ସେମିତି ଆମେ ଯେତେ ଇନ୍ଦ୍ରିୟାମୁଖୀ ହେଉନା କାହିଁକି ସେ ଇନ୍ଦ୍ରିୟର ଶିଥିଳତା ତ ସ୍ଵାଭାବିକ ଭାବରେ ଆସିବା ଉଚିତ ।”

 

କିନ୍ତୁ ଆସେନା । କାହିଁକି ନା ମଣିଷର ଦେହଟା ସମୟର ଆନୁଗତ୍ୟ ସ୍ଵୀକାର କରେ କିନ୍ତୁ ମନଟା ନୁହେଁ ।

 

ଅତଏବ ଆମର ଇନ୍ଦ୍ରିୟ ଓ ମନ ସମୟର ଉର୍ଦ୍ଧ୍ୱରେ । ନୁହେଁ କି

 

ଇନ୍ଦ୍ରୟ ଓ ମନ ଦେହର ଶିଥିଳତାରେ ହୁଏତ ସାମାନ୍ୟ ପ୍ରଭାବିତ ହୋଇପାରେ, କିନ୍ତୁ ପୂରାପୂରି ନୁହେଁ । କାରଣ ସେମାନେ କାମନାଦ୍ୱାରା ହିଁ ପରିଚାଳିତ ହୁଅନ୍ତି । ଆଉ ଏ କାମନାଟା ହିଁ ଚିର ଯୁବକ । ସେଥିପାଇଁ ସେମାନଙ୍କୁ ସଂଯମ କରିବା ଦରକାର ପଡ଼େ ।

 

ତେଣୁ ଯଦି ଏଇଟା ସ୍ୱାଭାବିକ ପ୍ରକ୍ରିୟା ନୁହେଁ, ଯଦି ଏଇଟା ସୃଷ୍ଟିର ନିୟମ ନୁହେଁ ତେବେ ତା’ର ବିରୁଦ୍ଧରେ ଯିବାର ଦରକାର କଣ ?

 

ମଣିଷ ସମାଜର ଭବଷ୍ୟତ ଲାଗି । ଏକ ମହତ୍ତର ମାନବ ସତ୍ତାର ଉପଲବ୍‍ଧି ଲାଗି

 

ବାଜେ କଥା । ଆମେ ଏସବୁ କିଛି ନ କଲେ ବି ମଣିଷ ବଞ୍ଚିବ ତା’ର ନିଜସ୍ୱ ସ୍ଵାଭାବିକତା ନେଇ । ଯେ ଏଇ ସ୍ଵାଭାବିକତା ଜାଣିଶୁଣି ହତ୍ୟା କରେ ଓ ଏକ ଅସ୍ଵାଭାବିକ ପଥରେ ନିଜକୁ ଯିବାକୁ ବାଧ୍ୟ କରେ ସେମାନଙ୍କ ପ୍ରତି ମୋର ଭୀଷଣ ରାଗ ହୁଏ । ସବୁଠୁ ବେଶୀ ଏଇ ସନ୍ନ୍ୟାସୀମାନଙ୍କ ପ୍ରତି । ମଣିଷ ଜୀବନରେ ସମସ୍ତ ଇଚ୍ଛାକୁ ଏମିତି ଜୋର ଜବରଦସ୍ତି ଭାଙ୍ଗି ଚୁରି ଦେଇ ନିଜକୁ ଅକାରଣେ କଷ୍ଟ ଦେଇ ଗୋଟାଏ ଅଜଣାର ଆଶାରେ ସାଧନା କରିବାରେ ଯେ କି ଦରକାର ମୁଁ ବୁଝେନା । କାମନାକୁ ବିନାଶ କର ତେବେ ଯାଇଁ ଦୁଃଖର ଶେଷ । ଅଦ୍ଭୁତ ! କାମନାର ବିନାଶ ଏକ ଦୁଃଖ ନୁହେଁ କି ? କାମନାକୁ ବିନାଶ ପାଇଁ ଯେତେ ଦୁଃଖ କଷ୍ଟ ଆମେ ସହ୍ୟ କରୁ ହୁଏ ତ କାମନା ଲାଗି ସେତକି ଦୁଃଖ ଆମେ ପାଉନା ।

 

ତପସ୍ୟାର ମାନେ ନୁହେଁ ଅଖିଆ ଅପିଆ ଦେହକୁ କଷ୍ଟ ଦେବା । ତା’ର ଅର୍ଥ ଏଇ ଦେହକୁ ମୋହମୁକ୍ତ କରି ପରମାତ୍ମାଙ୍କର ଅପୂର୍ବ ମହନୀୟ ସତ୍ତାକୁ ଉପଲବ୍‍ଧି କରିବାପାଇଁ ନିଜକୁ ସମର୍ଥ କରିବା ।

 

ସେଇ ଚିରାଚରିତ ଯୁକ୍ତି । ଅତ୍ୟାଚାର କରି ଜୀବନର ପ୍ରବୃତ୍ତିଗୁଡ଼ାକ କିଛିକ୍ଷଣ ପାଇଁ ଦବେଇ ଦିଆଯାଇପାରେ; କିନ୍ତୁ ତା’ର ବନାଶ ଅସମ୍ଭବ । ତା’ର ଜନ୍ମ ଏକ ସ୍ୱାଭାବିକତାର ମଧ୍ୟରେ-। ତେଣୁ ତା’ର ଧ୍ୱଂସ ହେବ ସେଇ ସ୍ଵାଭାବିକ ପରିସ୍ଥିତିରେ । ତେଣୁ ଯୋଉ ମୁହୂର୍ତ୍ତ ପର୍ଯ୍ୟନ୍ତ ଏକ ଉନ୍ମୁକ୍ତ ସ୍ଵାଧୀନତା ଭିତରେ ପ୍ରବୃତ୍ତି ନିଜର ଧ୍ଵଂସକାରୀତା ଉପଲବ୍ଧି ନ କରିପାରିଛି ଏଇ ସଂଯମର ସାଧନା କେବଳ ଗୋଟାଏ ଜରାଜୀର୍ଣ୍ଣ କାରାଗାର ମାତ୍ର ।

 

କିଛି ସମୟ ଚୁପ୍ ରହିଲା ପରେ ସେ ନାରାୟଣ ଆଡ଼କୁ ଚାହିଁ ପଚାରିଲା “ଆଚ୍ଛା, ତୁ ଭଗବାନ ଅଛନ୍ତି ବୋଲି ବିଶ୍ଵାସ କରୁ ?”

 

ମୁଁ ନିଶ୍ଚୟ କରେ

 

କାରଣ ବିପଦରେ ପଡ଼ିଲେ ଲାଞ୍ଚ ଯାଚି ସେଥିରୁ ଉଦ୍ଧାର ପାଇବାକୁ ?

 

ନା ଯେ ।

 

ଟିକିଏ ଅପ୍ରସ୍ତୁତ ହୋଇ ଉଠିଲା ନାରାୟଣ ।

 

ନା କ’ଣ ନିଶ୍ଚୟ । ସମସ୍ତେ ସେମିତି ବିଶ୍ୱାସ କରନ୍ତି । ବିପଦ ବେଳେ ସମସ୍ତେ ଭଗବାନଙ୍କୁ ଡାକନ୍ତି; କିନ୍ତୁ କ’ଣ ପାଇଁ ? ନିଜର ପାର୍ଥିବ ସୁଖର ଟିକିଏ ବିନାଶପାଇଁ ତ ? ଯଦି ସେଇ ଭଗବାନ ଏମିତି ପ୍ରତ୍ୟେକ ଲୋକର ଟିକେ ଟିକେ ସୁଖକୁ ଧ୍ୟାନ ଦେଉଥାନ୍ତି ଭୋଗର ଆଶାରେ, ତେବେ ମୋର ସେ ଭଗବାନକୁ ଦରକାର ନାହିଁ ।

 

ତୁ ବିପଦରେ କେବେ ପଡ଼ିନୁ । ପଡ଼ିଲେ ଜାଣିବୁ ।

 

ନା କେବେ ନୁହେଁ । ଯଦି ମୋର ପତନ ହୁଏ ସେ ହେବ ଏକ ବୀରର ପତନ । ମୁଁ ପ୍ରାଣ ଭିକ୍ଷା ଚାହେଁନା ମୁଁ ତାଙ୍କୁ କେବେ ଡାକିବିନି ଯେ ମୋତେ ରକ୍ଷାକର ବୋଲି । ତେବେ କଣ କରିବୁ ଶୁଣେ ?

 

ନାରାୟଣର କଥାରେ ଶାଣିତ ତାତ୍ସଲ୍ୟ ।

 

ଦେଖ୍‍ ମୋର ପନ୍ଥା ଅଲଗା । ଭଗବାନ ଯଦି ଅଛନ୍ତି, ତାଙ୍କର ନିର୍ଦ୍ଦେଶରେ ଯଦି ମୁଁ ଆସିଛି, ମୋର ପ୍ରତ୍ୟେକ କାର୍ଯ୍ୟକୁ ସେ ଯଦି ନିରୀକ୍ଷଣ କରୁଛନ୍ତି, ତେବେ ସେ ମୋତେ ଯେମିତି ଭାବରେ ଗଢ଼ିଛନ୍ତି ମୁଁ ଠିକ୍ ସେମିତି ଭାବରେ ତାଙ୍କ ପାଖକୁ ଯିବାର ଚାହେଁ । ଯଦି ମଣିଷର ଆତ୍ମାର ସର୍ବଶେଷ ସମାପ୍ତି ସେଇ ପରମାତ୍ମା ପାଖରେ ତେବେ ମୁଁ ନିଶ୍ଚିତ ମୋର ବି ସମାପ୍ତି ସେଇଠି । ସେଥିପାଇଁ ମୁଁ ମୋର ସମସ୍ତ ପ୍ରାକୃତିକ ସ୍ଵାଭାବିକତାକୁ ବଳି ଦେଇ, ମୋର ମାନବୀୟ କାମନା ବାସନାକୁ ବିସର୍ଜନ ଦେଇ ତାଙ୍କ ପାଖକୁ ଯିବାକୁ ଚାହେଁନା । ସେଥିପାଇଁ ମୋର ସାଧନା କରିବାର ବି କୌଣସି ଦରକାର ନାହିଁ । ଆଉ ଯଦି ସେ ନାହାନ୍ତି, ଯୋଉଟା ମୁଁ ବିଶ୍ୱାସ କରେ । ତେବେ ବି ସାଧନା କରିବାର କୌଣସି ଯଥାର୍ଥତା ନାହିଁ ।

 

ରାତି ଅନେକ । ହାଇ ମାରୁଛି ନାରାୟଣ । ଦେହରେ ଅନେକ କ୍ଳାନ୍ତ ।

 

ବିଦାୟର ସକାଳ ।

 

ଅନେକ ଦିନ ପରେ ତୋ ସାଙ୍ଗରେ ଏମିତି ଗପି ଖୁବ୍ ହାଲୁକା ଲାଗୁଛି ମୋତେ । କେମିତି ଛାତି ଭିତରେ ଜମାଟ ବାନ୍ଧି ରହିଥିଲା ସେଗୁଡ଼ା । ତୁ ଯଦି ଆସି ନଥାନ୍ତୁ ତେବେ ହୁଏତ ମୋତେ ବାଧ୍ୟ ହୋଇ ଯିବାକୁ ପଡ଼ିଥାନ୍ତା ।

 

ମୋର ବି କମ୍ ଲାଭ ହୋଇନି । ଏ କଥା ଠିକ୍ ଯେ ଆମ ଦି’ଜଣଙ୍କର ବାଟ ଅଲଗା । ତେବେ ସତରେ ତୋର ଏ ଜାଗାଟା ବାସ୍ତବିକ ଚମତ୍କାର ଖୁବ ଭଲ ଲାଗିଲା ମୋତେ ।

 

ଦରକାର ନଥିଲେ ନିଶ୍ଚେ ରହିଥାନ୍ତି ଆଉ ଦି ଚାରିଦିନ ।

 

ରହିବୁନି ଯେବେ କହି ଲାଭ କଣ ?

 

ହଉ ଭାଇ, ଯାଉଛି, କିନ୍ତୁ ଯିବା ଆଗରୁ ତୋତେ ଗୋଟାଏ କଥା କହି ରଖେ । ତୁ ମୋତେ କାହିଁକି ଡାକିଛୁ ସେଇଟା ତୁ ନିଜେ ବି ବୁଝିନୁ । ତା’ର କାରଣ ଏଇଆ ଯେ ତୁ ନିଜେ ବୁଝିଛୁ ଯେ ତୁ ଯାହା କରୁଛୁ ସେଇଟା ଭୁଲ । ସେଇଥିପାଇଁ ତୁ ମୋ ସାଙ୍ଗରେ ଗପିବାର ବାହାନାରେ ନିଜକୁ ଜଷ୍ଟିଫାୟ କରୁଥିଲୁ ନିଜ ଆଗରେ । ମୁଁ କେବଳ ଗୋଟାଏ ବାହାନା ।

 

ତେତେ ବି ଗୋଟାଏ କଥା କହି ରଖେ । ପ୍ରଥମ ଦିନ ସନ୍ଧ୍ୟାବେଳର ସେଇ ଅପ୍ରସ୍ତୁତ ଓ ବିସ୍ମିତ ଭାବଟା ତୋର ଆଉ ନାହିଁ । ମୋର ଅନୀତିର କଥା ତୋତେ ଆଉ ବାଧୁନି । ତା’ର କାରଣ ତୋର ଗହୀର ମନର ଅବଚେତନର ଗୁମ୍ଫା ଭିତରେ ଯାହା ରହିଛି ମୁଁ ତାର ଜୀବନ୍ତ ପ୍ରତିରୂପ ବୋଲି । ମୁଁ ତୁମର ନୀତିରୁଦ୍ଧ ସମାଜର ବଦ୍ଧ ଜୀବନ ସ୍ରୋତର ସ୍ଳାଇସଗେଟ୍ । ତମର ଅବରୁଦ୍ଧ ଅବଦମିତ କାମନାର ଗୁରୁଚାପର ଆଶ୍ୱସ୍ତିର ଦୀର୍ଘଶ୍ଵାସ । ମୋ ଛଡ଼ା ତୁମର ସ୍ଥିତି ନାହିଁ । ମୋର ଅସ୍ତିତ୍ଵ ସତ୍ୟ—ସେ କେବଳ ତମପାଇଁ ।

 

ଦୁଇଜଣ ପରସ୍ପରକୁ ଚାହିଁ ରହିଲେ ନିର୍ମିମେଶ ନୟନରେ ।

 

ଦୁଇଜଣଙ୍କ ଆଖିରେ ଅଶ୍ରୁ ।

 

ବିଦାୟର ନା ବୁଝାମଣାର ?

 

(ଝଙ୍କାର, ୧୯ଶ ବର୍ଷ, ଦଶମ ସଂଖ୍ୟା)

☆☆☆

 

Unknown

ବିଦୂଷକର ନିବେଦନ

 

ମୁଁ ଜଣେ ବିଦୂଷକ । ସର୍କସରେ ‘କ୍ଳାଉନ୍’, ସିନେମା, ଥିଏଟରରେ ‘କମେଡ଼ିଆନ୍’ ଅପେରା ପାର୍ଟିରେ ‘ଦୁଆରୀ’ । ମୋର କାମ ହେଲା ଲୋକମାନଙ୍କୁ ହସେଇବା; କିନ୍ତୁ କାମଟା ଉପରୁ ଯେତେ ସହଜ ମନେ ହେଲେ ବି ଭିତରେ ଭୀଷଣ କଠିନ । ଲୋକେ ହସିବାକୁ ଯେତେ ଚାହିଁଲେ ବି ପ୍ରକୃତରେ ତାଙ୍କୁ ହସେଇବା ଏକ କଷ୍ଟକର କଥା । ସେମାନେ ଯେତେ ସହଜରେ କାନ୍ଦି ପାରନ୍ତି ସେତେ ସହଜରେ ହସି ପାରନ୍ତି ନାହିଁ । ହସେଇ ପାରିଲା ପରି କ୍ଷମତା ବହୁ ଲୋକର ନଥାଏ । ସେଥିପାଇଁ ବହୁ ପୁରାତନ ଯୁଗରୁ ଏଇ ପଦବୀର ସୃଷ୍ଟି ହୋଇ ଆସିଛି ଆଉ ପ୍ରତ୍ୟେକ ରାଜ ସଭାର ଗୋଟାଏ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ରହି ଆସିଚି । କନ୍ଦେଇବା ପାଇଁ ଲୋକର ଦରକାର ପଡ଼େନା । ମୋର ପୂର୍ବ ସୂରୀମାନଙ୍କ କାମ ସହିତ ମୋର କାମର କିଛି ମୌଳିକ ପାର୍ଥକ୍ୟ ନାହିଁ; କିନ୍ତୁ ଉଦ୍ଦେଶ୍ୟର ଫରକ୍ ରହିଯାଇଛି । ସେମାନଙ୍କ ଅପେକ୍ଷା ମୋ କାମ ଅଧିକତର କଠିନ ହୋଇ ପଡ଼ିଛି, ସେମାନେ ଥିଲେ ‘ଜଣ’ ଙ୍କ ପାଇଁ ମୋ ପରି ‘ଗଣ’ ଙ୍କ ପାଇଁ ନୁହେଁ । ସେ ରାଜା ହେଉ, ଜମିଦାର ହେଉ, ସମ୍ରାଟ ହେଉ କେବଳ ସେଇ ଜଣକର ହିଁ ସେବାରେ ସେମାନେ ନିଯୁକ୍ତ ଥିଲେ । ତେଣୁ ତାଙ୍କର ମନସ୍ତତ୍ତ୍ୱ ଜାଣି ପାରିଲେ ତାଙ୍କ କାମ ଶେଷ୍ । କାରଣ ସେଇ ଜଣକ କେତେବେଳେ ହସିବାକୁ ଚାହୁଁଛୁ; କେତେବେଳେ କାନ୍ଦିବାକୁ ଚାହୁଁଛ ଏଇଟା ବୁଝିବା ତାଙ୍କ ପକ୍ଷରେ କିଛି କଷ୍ଟକର ନଥିଲା । ତା’ର ଜୀବନଧାରା ସହିତ ସେମାନେ ନିଜ ଜୀବନକୁ ଏକାବେଳକେ ଗୋଟିଏ ସ୍ଵରରେ ବାନ୍ଧି ଦେଇ ତା’ର ପ୍ରତ୍ୟେକଟି ଘଟଣାକୁ ନିରୀକ୍ଷଣ କରି ହସ କଥାର ଅବତାରଣା କରୁଥିଲେ ନିହାତି ସହଜ–ସରଳ ଭାବରେ; କିନ୍ତୁ ମୋ କଥା ଦେଖନ୍ତୁ । ଆଜି ସେଇ ‘ଜଣେ’ ଆଉ ନାହିଁ । ଆଜି ‘ଗଣ’ ର ରାଜତ୍ଵ । ତେଣୁ ଲକ୍ଷ କୋଟି ମନୁଷ୍ୟର ମନସ୍ତତ୍ତ୍ୱ ଜାଣି ସେଇ ଅନୁସାରେ କାମ କରିବାକୁ ପଡ଼ୁଛି ମୋତେ । ତେଣୁ “ସବୁବେଳେ ସଫଳତା ହାସଲ କରିବା ମୋ ପକ୍ଷରେ ଏକାନ୍ତ ଅସମ୍ଭବ । କେତେ ଲକ୍ଷ ଲୋକ । କେତେ ବିଭିନ୍ନ ପ୍ରତ୍ୟେକର ମାନସିକ ଅବସ୍ଥା । ତେଣୁ ସମସ୍ତଙ୍କ ମନ ନେଇ ପାରିବା ମୋ ପକ୍ଷରେ କ’ଣ ସମ୍ଭବ । ଜଣକୁ ମୋର କାର୍ଯ୍ୟକଳାପ ଆନନ୍ଦ ଦେଲାବେଳେ ଅନ୍ୟ ଜଣେ ହୁଏ ତ ଅଶ୍ଲୀଳ କହି ମୁହଁ ଘୋଡ଼ାଏ । ଆଉ କେହି ହୁଏତ ‘Mean’ ବୋଲି କହି ସେଠାରୁ ଖସି ପଳାଏ । କେହି କେହି ହୁଏତ ଅତି ସାଧାରଣ ବୋଲି ହସି ପାରନ୍ତିନି । ଆଉ କେହି ହୁଏତ ମୋର ଅପରକୁ ହସେଇବାର ଏଇ ବ୍ୟର୍ଥ ଚେଷ୍ଟାକୁ ଉପହାସ କରି ହସନ୍ତି । ବୁଝି ପାରୁଛନ୍ତି କେତେ କଠିନ ମୋର କାମ ? ସହସ୍ର ମନର ବିଭିନ୍ନତାକୁ ନେଇ ହସର ସୃଷ୍ଟି କରିବାପାଇଁ, ସମସ୍ତଙ୍କ ମନରେ ଏକା ସାଙ୍ଗରେ ହସର ଲହରୀ ବୁଝାଇବା ପାଇଁ କେତେ ସାଧନା, କେତେ ପରିଶ୍ରମ, କେତେ ଅଧ୍ୟବସାୟ ଲୋଡ଼ା ? ମୋର ଏ ସୀମିତ ମାନବୀୟ ଶକ୍ତିଭିତରେ ଏମିତି ଗୋଟାଏ ଅସାଧ୍ୟ ସାଧନ କ’ଣ ସବୁବେଳେ ହୋଇ ପାରିବ ? କିନ୍ତୁ କେହି ବୁଝନ୍ତି ନାହିଁ । ମୁଁ ଟିକିଏ ପୁରୁଣା ହେଲେ ଆପଣମାନେ ଅଲୋଡ଼ା ଭାବରେ ଛାଡ଼ି ଚାଲିଯାନ୍ତି । ପୁଣି ଆଉ କେଉଁଠିକି ଗୋଟାଏ ନୂତନ ରକମର ହସିବାର ବାହାନା ପାଇ ।

 

ବେଳେବେଳେ ମୋତେ ଭାରି ଅସହାୟ ଲାଗେ । ଦୁଃଖରେ ମୁଁ ଭାଙ୍ଗିପଡ଼େ । ବିମର୍ଷତା ଓ ବିବ୍ରତତା ମୋତେ ପଙ୍ଗୁ କରିଦିଏ । ଆପଣମାନଙ୍କ ମାନସିକ ଚଞ୍ଚଳତାରେ ମୁଁ ଅତିଶୟ ବିରକ୍ତ ଓ କ୍ରୋଧ ପ୍ରକାଶ କରେ । କିନ୍ତୁ ସବୁ ବିରକ୍ତି, କ୍ରୋଧ ଅଭିମାନକୁ ଝାଡ଼ି ଝୁଡ଼ି ଦେଇ ମୁଁ ପୁଣି ଉଠେ । ସମସ୍ତଙ୍କୁ ହସେଇବା ମୋର କର୍ତ୍ତବ୍ୟ ନୁହେଁ, ପେଷା । ସେଇଥିରେ ହିଁ ରହିଛି ମୋର ବଞ୍ଚିବାର ପାଥେୟ । ମୁଁ ଆଉ କିଛି ଜାଣେନା । କିଛି କାମ ମୋ ଦ୍ଵାରା ହେବନି । ତେଣୁ ବାଧ୍ୟ ହୋଇ ପୁଣି ବଳ ସଞ୍ଚୟ କରି ନୂତନ ଉଦ୍ୟମରେ ଆଉ ଥରେ ଲାଗିପଡ଼େ ଆପଣମାନଙ୍କ ମୁହଁରେ ହସ ଫୁଟେଇବା ଲାଗି ।

 

ଅନେକ କହନ୍ତି, ଯୋଉମାନେ ହସାନ୍ତି, ଅପରର ବେଦନାକ୍ଳିଷ୍ଟ ମୁହଁରେ ଆନନ୍ଦର ରେଖା ଫୁଟାନ୍ତି ସେମାନେ ନିଜ ଅନ୍ତିର୍ନିହିତଭାବରେ ଦୁଃଖୀ, ଆଉ ଦଳେ କହନ୍ତି ତାର ବିପରୀତ କଥା । ନିଜେ ସୁଖୀ ନହେଲେ ସେ ଅପରକୁ ସୁଖୀ କରିବ କିପରି ? ଦୁଇଟା ଯାକ ଚୂଡ଼ାନ୍ତ ମତବାଦ । ଏ ଦୁଇଟି ବିବାଦମାନ ଅଭିମତଭିତରେ ପ୍ରକୃତ ସତ୍ୟ କଥା ହେଉଛି ମୁଁ ଆପଣମାନଙ୍କ ପରି ଜଣେ ଅତି ସାଧାରଣ ବ୍ୟକ୍ତି । ଆମ ବିଦୂଷକ ସମାଜ ଭିତରୁ ପ୍ରାୟ ଶତକଡ଼ା ଅନେଶତ ଜଣ ମୋ ପରି ସାଧାରଣ । ଦୁଃଖ ଶୋକ ହସ କାନ୍ଦର ଭାରସାମ୍ୟ ଭିତରେ ଆମ ଜୀବନର ଧାରା ଅନ୍ୟମାନଙ୍କ ପରି ଏକଭାବରେ ବହିଚାଲେ; କିନ୍ତୁ ଆମ ଭିତରୁ ଯେ କେହି ଚୂଡ଼ାନ୍ତ ଦୁଃଖୀ କିମ୍ବା ସୁଖୀ ନାହାନ୍ତି ଏ କଥା କହୁନି; କିନ୍ତୁ ସେମାନେ ବିରଳ, ଯାହାର ସଂଖ୍ୟା ବେଶୀ ସେଇମାନଙ୍କୁ ନେଇ ତ ସମାଜ । ଏଣୁ ସେମାନଙ୍କୁ ‘ବ୍ୟତିକ୍ରମ’ ବୋଲି ମୁଁ ବାଦ୍ ଦେଇ ଯାଉଛି । ସଂଖ୍ୟାଗରିଷ୍ଠତାର ନିୟମ ତ ଆଜିକାଲିର ସାର୍ବଜନୀନ ନିୟମ ।

 

ହଁ, ଏଇ ସାଧାରଣ ମନୁଷ୍ୟ ସମାଜ ଭିତରୁ ଆମର ଗୋଟାଏ ଗୋଷ୍ଠୀ, ହସେଇବାଟା ଆମର ପେଷା, ଦୋକାନୀ ଚାଷୀ ବା ଅନ୍ୟ କୌଣସି ଗୋଟାଏ ପେଷାଦାର ଗୋଷ୍ଠୀ ଭଳି; କିନ୍ତୁ ସବୁ ପେଷାଠାରୁ ଆମର ଟିକିଏ ତଫାତ୍ ଅଛି କାରଣ ଆମ ପେଷାରେ ବଂଶାନୁପରମ୍ପରାର ଭିତ୍ତି ନାହିଁ । ମୁଁ ବିଦୂଷକ ବୋଲି ଯେ ମୋ ପୁଅ ବିଦୂଷକ ହେବ ଏହାର କୌଣସି ସ୍ଥିରତା ନାହିଁ । ଅନ୍ୟ ପେଷାରେ ହୁଏତ ତା’ର ନିଶ୍ଚିତତା ଅଛି । ଆମର ପେଷା ବ୍ୟକ୍ତି କେନ୍ଦ୍ରିକ ।

 

ନା, ଆପଣମାନଙ୍କୁ ମୋର ଘରୋଇ କଥା କହି ଲାଭ ନାହିଁ । କାରଣ ଆପଣମାନେ ବଡ଼ ଅସହିଷ୍ଣୁ । ଯାହାକୁ ଯେପରି ଭାବରେ ଶିଖି ଆସିଛନ୍ତି ତାକୁ ନିର୍ଦ୍ଦିଷ୍ଟ କରି ଦେଇଛନ୍ତି । ତା’ଠାରୁ ସେଇ କଥା ଛଡ଼ା ଅନ୍ୟ କଥା ଶୁଣିଲେ ଆପଣମାନେ ବିଗିଡ଼ିବେ, ରାଗିବେ, ତାତ୍ସଲ୍ୟ କରିବେ । ତେଣୁ ମୁଁ ଯଦି ହସେଇବା ବଦଳରେ ଆପଣମାନଙ୍କୁ ଅନ୍ୟ କଥା କହେ ଏଇଟା ନିଶ୍ଚିତ ଯେ ଆପଣମାନେ ମୋର ଉପରେ ବିରକ୍ତ ହେବେ । ତା’ର କାରଣ ହେଲା ମୁଁ ଆପଣମାନଙ୍କ ଜାଣନ୍ତା ପୃଥିବୀର ବାହାରକୁ ଚାଲିଯାଉଛି ବୋଲି, ଆପଣଙ୍କ ମନର ନିର୍ଦ୍ଦିଷ୍ଟ ପରିସୀମା ଟପି ଯାଉଛି ବୋଲି ସେଇଟା କେବେ ହେଲେ ଆପଣ ସହ୍ୟ କରିବେ ନାହିଁ; କିନ୍ତୁ ସେ ସୀମା କିଏ ଦେଇଛି ? ଆପଣମାନେ ନିଜେ ନୁହେଁ କି ? ଆପଣଙ୍କ ମନର ପରିସରଭିତରେ ଚାଖଣ୍ଡେ ଜାଗାରେ ମୋର ନିର୍ଦ୍ଦିଷ୍ଟ ସୀମାରେଖା ଟାଣି ଦେଇଛନ୍ତି । ମୋର ପରିଧିର ଖବର ଆପଣଙ୍କୁ ଅଗୋଚର । ସେଥିପାଇଁ ନିଜ ମନର ସୀମିତ ପରିଧିଭିତରେ ମୋତେ ଆଉ ମୋପରି ଅଗଣିତ ବନ୍ଦୀ ଲୋକମାନଙ୍କୁ ନିର୍ଦ୍ଦିଷ୍ଟ ଜାଗା ଛାଡ଼ି ବାହାରକୁ ନଯିବାକୁ ଆଦେଶ ଦେଇଛନ୍ତି, କିନ୍ତୁ ଆଶ୍ଚର୍ଯ୍ୟ, ଆପଣ ନିଜେ ଚାହାନ୍ତି ଯେ ଅପରର ମନଭିତରେ ଆପଣଙ୍କର ସ୍ଥିତିର କ୍ଷେତ୍ର ଆହୁରି ବଡ଼ ହେଉ–କ୍ରମାଗତ ବଢ଼ିଚାଲୁ । ଆମେ ସମସ୍ତେ ସେଇଆ ଚାହୁଁ; କିନ୍ତୁ ଅପରକୁ ତା’ର ନ୍ୟାଯ୍ୟ ଦାବୀର ସୂଚ୍ୟଗ୍ର ପରିମିତ ଭୂମି ଛାଡ଼ିବାକୁ ନାରାଜ, ସେଇଥିପାଇଁ ଆଜ୍ଞା ଆପଣମାନେ ମୋତେ ବୁଝନ୍ତିନି; ବୁଝିବାକୁ ଚେଷ୍ଟା ବି କରନ୍ତି ନାହିଁ । ସେଥିପାଇଁ ହଁ ମୁଁ ବି ଆପଣଙ୍କୁ ବୁଝେନା । ନିଜ ନିଜର ଘରକରଣାକୁ ସବୁଠୁ ବଡ଼ ବୋଲି ଭାବି ବସୁ ଆଉ ଅପରକୁ ଉପେକ୍ଷା କରିଯାଉଁ । ଛାଡ଼ନ୍ତୁ, ସେ କଥା; କିନ୍ତୁ ମୁଁ ଆଜି ଆପଣଙ୍କୁ ପଚାରେ “ଆପଣ ହସନ୍ତି କାହିଁକି ?” ହୁଏତ କହିବେ “ଏଇଟା କ’ଣ ଗୋଟାଏ ପ୍ରଶ୍ନ ଯେ ତା’ର ଉତ୍ତର ଦରକାର ? ମଣିଷର ଦୁଃଖ ଆସିଲେ ସେ କାନ୍ଦେ, ଆନନ୍ଦ ହେଲେ ସେ ହସେ, ଏଇଟା ତ ସ୍ୱାଭାବିକ ।” ହଁ ସ୍ଵାଭାବିକ; କିନ୍ତୁ ଲୋକ ଅଛନ୍ତି ପ୍ରାୟ ସମସ୍ତେ ଯେତେବେଳେ ଅତ୍ୟଧିକ ଆନନ୍ଦରେ ଅଭିଭୂତ ହୋଇ ପଡ଼ନ୍ତି ସେମାନେ କାନ୍ଦନ୍ତି । ଆହୁରି ବି ଅନେକ ଅଛନ୍ତି; ହୁଏତ ଆପେକ୍ଷିକ ଭାବରେ ତାଙ୍କର ସଂଖ୍ୟା କମ୍; ଯୋଉମାନେ ଅତି ଦୁଃଖରେ ହସନ୍ତି । ତା’ହେଲେ ସ୍ଵାଭାବିକତା ମଝିରେ ଏ ଅସ୍ଵାଭାବିକତା କାହିଁକି ? ସତକଥା ହେଲା ପ୍ରକୃତ ହସ–କାନ୍ଦ ଭିତରେ କିଛି ପ୍ରଭେଦ ନାହିଁ । କେବଳ ଗୋଟିଏ ଏକକର ବିଭିନ୍ନ ପ୍ରକାଶ ମାତ୍ର-। ଆଉ ଆପଣଙ୍କର ହସଟା ପ୍ରକୃତରେ ହସ ନୁହେଁ । ମୁଁ ମିଛ କହୁଛି ? ନିଜେ ବିଶ୍ଳେଷଣ କରି ଦେଖୁ ନାହାନ୍ତି ଆପଣଙ୍କ ହସିବାଟା କ’ଣ ? ସେ ହସିବାଟା କେବଳ ଗୋଟାଏ ଉପହାସ ମାତ୍ର । ଅନ୍ତରର ନିର୍ଦ୍ଦୋଷ ହସ ନୁହେଁ । ମୁଁ ଯେତେବେଳେ ଯୋଉଠି ଆପଣଙ୍କୁ ହସେଇବାର ଚେଷ୍ଟା କରିଛି ସେତେବେଳେ ଏଇଟା ନିର୍ମମଭାବେ ଅନୁଭବ କରିଛି । କେବେହେଲେ ଆପଣମାନେ ଅନ୍ତରର ସହିତ ହସନ୍ତି ନାହିଁ । ମୋର ଜୀବନକାଳ ଭିତରେ ମୁଁ ଅନେକ ଲୋକ ଦେଖିଛି ଅନେକ ଲୋକଙ୍କୁ ହସେଇଛି, କିନ୍ତୁ କୌଣସି ଜାଗାରେ ମୁଁ ଜଣକୁ ପାଉନି ଯେ ପ୍ରକୃତରେ ଅନ୍ତରର ସହିତ ହସେ । ସମସ୍ତେ ହସନ୍ତି; କିନ୍ତୁ ସେ ବାହାରିଆ ମନର ହସ । ‘ଇଗୋ’ର ହସ ।

 

ଆପଣମାନଙ୍କ ମନୋରଞ୍ଜନ ପାଇଁ ମୁଁ ବୋବା ହୋଇଛି, କାଲ ସାଜିଛି, ଅନ୍ଧ, ଛୋଟା, କେମ୍ପା, କୁଜା, କଣା ସବୁର ଅଭିନୟ କରିଛି । ବିଭିନ୍ନ ବିଚିତ୍ର ବେଶ ପୋଷାକ ପିନ୍ଧିଛି, ବିଭିନ୍ନ ପ୍ରକାର ଭଙ୍ଗୀ କରିଛି, ବିଭିନ୍ନ କଥା କହିଛି, କିନ୍ତୁ ସବୁଜାଗାରେ ନିଜକୁ ଛୋଟ କରି, ନିଜକୁ ନଗଣ୍ୟ କରି, ନିଜକୁ ନିର୍ବୋଧ କରି । ଆଉ ଆପଣମାନେ ହସିଛନ୍ତି ମୋର ନଗଣ୍ୟତାକୁ ଉପେକ୍ଷା କରି, ମୋର ଦୈହିକ ବୈକଲ୍ୟକୁ ବ୍ୟଙ୍ଗ କରି । ମୋପାଇଁ ଆପଣ ହସି ନାହାନ୍ତି, ହସିଛନ୍ତି ନିଜପାଇଁ, ମୁଁ ଯେତେବେଳେ ବୋବା ହୋଇ କଥା କହି ନପାରିବାର ଭଙ୍ଗୀରେ ବିଭିନ୍ନ ମୁଦ୍ରା ଦେଖାଇଛି, ଖନାଭାବରେ ବିକୃତ ଶବ୍ଦ ଉଚ୍ଚାରଣ କରିଛି, ସେତେବେଳେ ଆପଣମାନେ ହସିଛନ୍ତି ଅପଣମାନଙ୍କ ପୂର୍ଣ୍ଣତାର ଗୌରବରେ । ମୁଁ ଯେତେବେଳେ ଅନ୍ଧ ଅଭିନୟ କରୁ କରୁ ଷ୍ଟେଜ୍ ଉପରେ କୌଣସି ଯୁବତୀ ଝିଅକୁ ଗଛ ଭାବି ବୋଲି ଆଉଜି ଯାଇଛି ଆପଣମାନେ ହସି ହସି ଗଡ଼ି ଯାଇଛନ୍ତି—ମୋପାଇଁ ନୁହେଁ ସେଇ ଝିଅପାଇଁ । ମୁଁ ଯେତେବେଳ କୁଜା ହୋଇ ବିକୃତଭଙ୍ଗୀରେ ଚାଲିଛି, କେମ୍ପା ହୋଇ ଗୋଟିଏ ପାଖରେ ହାତ ଲଟକାଇ କଥା କହିଛି, ଛୋଟା ହୋଇ ପେଙ୍ଗେଇ ପେଙ୍ଗେଇ ଚାଲିଛି, ଯେତେବେଳେ କାଲ ହୋଇ ଶୁଣି ନପାରିବାର ଅଭିନୟରେ ଅପରର ପ୍ରଶ୍ନର ସମ୍ପୂର୍ଣ୍ଣ ଅପ୍ରାସଙ୍ଗିକ ଉତ୍ତର ଦେଇଛି, ସେ ସବୁ ଅବସ୍ଥାରେ ଆପଣମାନେ ମୋତେ ଦେଖି ହସି ହସି ଗଡ଼ିଯାଇଛନ୍ତି । ମୁଁ ରାସ୍ତାରେ ଯାଉ ଯାଉ ପଡ଼ିଯିବାର ଅଭିନୟ କଲେ ଆପଣମାନେ ତାକୁ ମହାନନ୍ଦରେ ଉପଭୋଗ କରନ୍ତି । ମୁଁ ଅସାଧାରଣ ବେଶ ପୋଷାକ ପିନ୍ଧି, ଅସାଧାରଣ କଥା କହିଲେ, ଆପଣମାନେ ଖୁସି ହୋଇଛନ୍ତି । ଆପଣମାନେ ଭାବି ନେଇଛନ୍ତି ମୋର ସବୁ ଅସାଧାରଣ । ତେଣୁ ହସିବାପାଇଁ, ମୋର ହସ, କାନ୍ଦ, ରାଗ, ଅଭିମାନ, ପ୍ରେମ, ବିରହ, ସବୁଥିରେ ସେଇ ଅସାଧାରଣତ୍ଵ ବା ସାଧାରଣ ବିକୃତ ଅବସ୍ଥାପାଇଁ ଚାହିଁ ରହନ୍ତି । ମୁଁ ଜାଣେ ମୁଁ ସାଧାରଣଭାବେ କଥା କହିଲେ ବା ସାଧାରଣଠାରୁ ଉଚ୍ଚତର ସ୍ତରରେ ଆନନ୍ଦର କଥାବାର୍ତ୍ତା କଲେ ଆପଣମାନେ କେବେ ହସିବେ ନାହିଁ, ହସି ପାରିବେ ନାହିଁ । ସବୁ ଆପଣଙ୍କ ନିମ୍ନରେ ହେବା ଦରକାର । ସବୁ ଅଭିନୟ ଆପଣଙ୍କ ଜୀବନର ଘଟଣାଠାରୁ ଭିନ୍ନ, କେବଳ ଭିନ୍ନ ନୁହେଁ ନିମ୍ନ ସ୍ତରରେ ହେବା ଦରକାର, ତେବେଯାଇ ଆପଣ ହସିବେ; କିନ୍ତୁ ମୁଁ ଦେଖୁଛି ମୁଁ ଯେତେବେଳେ କାଲର ଅଭିନୟ କରି ଆପଣଙ୍କୁ ହସାଉଛି ସେତେବେଳେ ପ୍ରକୃତ କାଲର ଆଖିରେ ଅଶ୍ରୁର ଗୋପନ କ୍ଷରଣ । କେବଳ ସେତିକି ନୁହେଁ, ମୁଁ ଯେତେବେଳେ ଯୋଉ ବିକଳାଙ୍ଗ ଲୋକର ଅଭିନୟ କରିଛି ଠିକ୍ ସେଇ ଅବସ୍ଥାର ଲୋକମାନଙ୍କ ନୟନର ଗୋପନ ଅଶ୍ରୁପାତ ଓ ମୋପ୍ରତି ଗଭୀର ଅଭିଶାପ ମୁଁ ବୁଝିପାରିଛି । ମୁଁ ଯେତେବେଳେ ଆପଣଙ୍କ ଆଗରେ ଅଭିନୟ କରି ହସାଏ, ସେତେବେଳେ ମୁଁ ଠିକ୍ ବୁଝିପାରେ ସେଇ ଅଗଣିତ ଅସାଧାରଣ ବ୍ୟକ୍ତିବିଶେଷମାନଙ୍କ ପୁଞ୍ଜିଭୂତ ଦୀର୍ଘଶ୍ଵାସ ଓ ତୀକ୍‍କ୍ଷଣ, ସୁତୀବ୍ର ଅଭିଶାପର ବୋଝ; କିନ୍ତୁ ମୁଁ ନିରୁପାୟ । ମୋର ଅନ୍ନଦାତା ଆପଣମାନେ । ଆପଣମାନଙ୍କ ସନ୍ତୋଷରେ ମୋର ଜୀବନଧାରଣ ସମ୍ଭବ । ସେଥିପାଇଁ ତାଙ୍କର ସେ ସମସ୍ତ ଗୁରୁ ଅଭିଶାପର ବୋଝ ସମ୍ଭାଳି ମୁଁ ଆପଣଙ୍କୁ ହସାଏ । ସେମାନେ ବୁଝନ୍ତି ନାହିଁ ଯେ ମୁଁ ଜାଣିଶୁଣି ତାଙ୍କର ଏ ଅଙ୍ଗବୈକଲ୍ୟର ଉପହାସ କରୁନି । ସେଥିପାଇଁ ଦାୟୀ ଆପଣମାନେ, ହଁ, ଆପଣମାନେ ଯେଉଁମାନେ ମୋତେ ସେମିତି ଅଭିନୟ କରିବାକୁ ବାଧ୍ୟ କରୁଛନ୍ତି; କିନ୍ତୁ ସେମାନେ କେବେହେଲେ ଆପଣମାନଙ୍କୁ ଦୋଷ ଦିଅନ୍ତି ନାହିଁ । ସେମାନେ କେବଳ ଦୋଷ ଦିଅନ୍ତି ତାଙ୍କର କପାଳକୁ । ଭଗବାନଙ୍କୁ ଓ ମୋତେ । ତେଣୁ ତାଙ୍କର ସମସ୍ତ କ୍ରୋଧ ଓ ଅଭିଶାପର ଗରଳ ମୋତେ ପିଇବାକୁ ପଡ଼େ ବାଧ୍ୟ ହୋଇ ଆଉ ସେଇ ଗରଳ ଭିତରୁ ନୀଳକଣ୍ଠପରି ହସର ସୃଷ୍ଟି କରିବାକୁ ପଡ଼େ ।

 

ଅତଏବ ଆପଣମାନଙ୍କ ମୋର ଅଭିନୟ ଦେଖି ହସିବାଟା ପ୍ରକୃତରେ ହସ ନୁହେଁ, ଉପହାସ ମାତ୍ର । ନିଜର ପରିପୂର୍ଣ୍ଣତାର ଅହମିକା ନେଇ ଅପରର ଅପୂର୍ଣ୍ଣତା ପ୍ରତି ଏକ ନିଷ୍ଠୁର ପରିହାସ । ସେଥିରେ ହସ କାହିଁ ? ଆନନ୍ଦ କାହିଁ ? ବାହାରିଆ ଦୃଷ୍ଟିରୁ ତାକୁ ‘ହସ’ ବୋଲି କହିଲେ ବି ସେ କେବେହେଲେ ‘ହସ’ ନୁହେଁ । ମୋ କଥା ଛାଡ଼ି ଦିଅନ୍ତୁ । ମୁଁ ଆପଣମାନଙ୍କ ସମସାମୟିକ । ଆପଣମାନଙ୍କ ବର୍ତ୍ତମାନର ଜୀବନଯାତ୍ରାର ଜଣେ ପଥିକ; କିନ୍ତୁ ଆମର ପୂର୍ବ ପୁରୁଷମାନେ ମଧ୍ୟ ସେଥିରୁ ଅଲଗା ନଥିଲେ । ସେମାନେ ବି ଠିକ୍ ଏଇ ଅଙ୍ଗ ବା ବୁଦ୍ଧିର ବୈକଲ୍ୟନେଇ ହସିଥିଲେ । ଆପଣମାନେ ହସୁଛନ୍ତି । ୟା ପରେ ଯୋଉମାନେ ଆସିବେ ସେମାନେ ବି ହସିବେ ।

 

ଆମକୁ ସତରେ ହସି ଆସେନା । ଆମେ ହସିବାର ଅଭିନୟ କରୁ ଉପହାସ ଛଳରେ । ସେଥିପାଇଁ ଆମର ଦରକାର ହୁଏ ଅପରର ନିର୍ବୋଧତା, ଅପରର ଅଙ୍ଗହାନି, ଅପରର ପତନ । ସେଥିପାଇଁ ବେଳେ ବେଳେ ମୋର ଭୀଷଣ ରାଗ ହୁଏ ଆପଣମାନଙ୍କ ଉପରେ । ଆପଣମାନେ ହସିଲାବେଳେ ମୋର ଭାରି ଇଚ୍ଛା ହୁଏ ଆପଣମାନଙ୍କ ଦାନ୍ତ ଝଡ଼େଇ ଦେବାକୁ, ବିଧା ଗୋଇଠା ମାରି ଆପଣମାନଙ୍କୁ କୁଜା, କାଲ, କଣା, ପଙ୍ଗୁ କରିଦେବାକୁ । ମୁଁ ଭାବେ ଆପଣମାନେ ମୋର ଏ ନିଲଜ୍ଜ ଅଭିନୟ ସହ୍ୟ କରି ଯାଉଛନ୍ତି କାହିଁକି ? କାହିଁକି ଆପଣମାନେ ସମସ୍ତେ ମିଶି ମୋତେ ମାରି ପିଟି ମୁଁ ଯେଉଁ ଅଭିନୟ କରିବି ତା’ର ପ୍ରାୟଶ୍ଚିତ୍ତ ଲାଗି ସାରା ଜୀବନପାଇଁ ତା’ର ଜୀବନ୍ତ ଅଭିନୟ କରିବାକୁ ବାଧ୍ୟ କରୁ ନାହାନ୍ତି ?

 

ନା ଆପଣମାନେ କିଛି କରିବେ ନି ।

 

ଆପଣମାନେ ଉପହାସ କରିବାକୁ condemned ହସିବା ଆପଣଙ୍କ ଜାତକରେ ହେବନି । ସାରା ଜୀବନ ଧରି କେବଳ ସେଇଆ କରିଯିବେ; କିନ୍ତୁ ଆପଣମାନେ ପରା ସଭ୍ୟ ସୁଶିକ୍ଷିତ, ଉନ୍ନତ ? ତେବେ ହଜାର ବର୍ଷ ତଳେ ଆପଣଙ୍କ ପୂର୍ବ ପୁରୁଷମାନେ ଯାହା କରିଯାଇଥିଲେ ଆପଣମାନେ ସେଇଟାକୁ ଏମିତିଭାବେ ପୁନରାବୃତ୍ତି କରୁଛନ୍ତି କାହିଁକି ? କେତେ କେତେ କୁସଂସ୍କାର, କେତେ କେତେ ଅନ୍ଧବିଶ୍ୱାସ ସବୁ ପଛରେ ପକେଇଦେଇ ଆସିଛନ୍ତି । କେତେ ପ୍ରକାର ଅତ୍ୟାଚାରରୁ ମନୁଷ୍ୟକୁ ମୁକ୍ତି ଦେଇଛନ୍ତି ? କିନ୍ତୁ ନିଜ ପ୍ରତି ଏ ଅବିଚାର କାହିଁକି ? କାହିଁକି ନିଜକୁ ମୁକ୍ତ କରୁନାହାନ୍ତି ଏଇ ଅନ୍ଧବିଶ୍ୱାସରୁ । ଏଇ କୁସଂସ୍କାର ଭିତରୁ ? ସତରେ ଭାବି ବସିଲେ ଆଶ୍ଚର୍ଯ୍ୟ ଲାଗେ ଯାହାର ବାହାରଟା ଏତେ ସଫା ସେ ଘରଭିତରଟାକୁ ଏମିତି ଅପରିଷ୍କୃତ ଅପରିଚ୍ଛନ୍ନ ରଖିଛି କାହିଁକି ?

 

ନା’ ହସିବାଟା କିଛି ଏମିତି କଷ୍ଟକର କଥା ନୁହେଁ ଯେ ଆପଣମାନେ ତାକୁ ପାରିବେନି । ମୁଁ ଭୁଲ କରିଛି । ଖାଲି । ଉପହାସ କରିବାକୁ ଆପଣମାନେ ବାଧ୍ୟ ନୁହଁନ୍ତି । ଟିକିଏ ଚେଷ୍ଟା କଲେ ଆପଣମାନେ ହସିପାରିବେ । ଆପଣଙ୍କ ଜୀବନକାଳ ଭିତରେ ନିଶ୍ଚୟ ଥରେ ନା ଥରେ ଆପଣ ଅନୁଭବ କରିଥିବେ ଏ ହସିବା; କିନ୍ତୁ ସେ କଥା ଆପଣ ଭୁଲି ଯାଇଛନ୍ତି କିମ୍ବା ଭୁଲିଯାଆନ୍ତି । ସେଇଟା ନ ଭୁଲି ପାରିଲେ ଆପଣ ହସିବାଟା ଆପେ ଆପେ ଶିଖି ଯାଆନ୍ତେ । ଆପଣଙ୍କ ଜୀବନରେ କ’ଣ ଏମିତି ଘଟଣା ଆସିନି, ବହୁଦିନର ପ୍ରତୀକ୍ଷା ପରେ, ବହୁ ଆଶା ଆଶଙ୍କା ଭିତରେ ନିଜର ଅଭୀପ୍‍ସା ପୂରଣର ଦିନ ? ସେ ଚାକିରି ହେଉ, ସନ୍ତାନ ଲାଭ ହେଉ, ପ୍ରୀୟଜନର ମିଳନ ମୁହୂର୍ତ୍ତ ହେଉ, ଟଙ୍କା ହେଉ, କ୍ଷମତା ହେଉ; ଯୋଉ ମୁହୂର୍ତ୍ତରେ ଆନନ୍ଦର ବନ୍ୟାରେ ଆପଣ ଆପ୍ଳୁତ ହୋଇ ଏକ ନିର୍ଦ୍ଦୋଷ ହସରେ ଆନନ୍ଦରେ ଅଭିଭୂତ ହୋଇ କାନ୍ଦି ପକେଇଛନ୍ତି । ସେଇ କାନ୍ଦିବାଟା ହିଁ ପ୍ରକୃତରେ ଆପଣଙ୍କ ହସ । ଏକ ଅପରିସୀମ ଅସୀମ ଆନନ୍ଦର ଉତ୍ସ । ଏକ ଗଭୀର ସନ୍ତୋଷର ହସର ଉନ୍ମୁକ୍ତ ଝରଣା, ଯାର ଅଭିବ୍ୟକ୍ତି ମାତ୍ର କେତେ ବିନ୍ଦୁ ଲୁହ ମହାସ୍ୱର୍ଗରେ କେଇବିନ୍ଦୁ ଅମୃତ ।

 

ହୁଏତ ଆପଣମାନେ ଅସ୍ଵୀକାର କରିବେ । ଆପଣମାନେ ପଣ୍ଡିତ, ଜ୍ଞାନୀ, ବୁଦ୍ଧିମାନ । ମୋର କଥାର ସତ୍ୟତା ପାଇଁ ପ୍ରମାଣ ମାଗିବେ; କିନ୍ତୁ ପ୍ରକୃତରେ ମୁଁ କିଛି ପ୍ରମାଣ ଆପଣଙ୍କୁ ଦେଇ ପାରିବିନି । ମୁଁ ଜଣେ ବିଦୂଷକ । ଜଣେ ମୂର୍ଖ, ଅଜ୍ଞାନୀ, ସାଧାରଣ ବ୍ୟକ୍ତି । ମୋର ବିଦ୍ୟା ବୁଦ୍ଧି ବିଶେଷ ନାହିଁ । ଯୁକ୍ତିତର୍କ ମୁଁ ଜାଣେନି; ପୋଥି ପୁସ୍ତକର ଜ୍ଞାନ ମୋର ସୀମାବଦ୍ଧ । ଶାସ୍ତ୍ରର ପ୍ରମାଣ ମୁଁ ଦେଖାଇ ପାରିବିନି । ମୋର ଅଛି କେବଳ ଅନୁଭବ । ଏକ ସାଧାରଣ ମନୁଷ୍ୟର ଅନୁଭବ ଶକ୍ତି-। ମୋ ଜୀବନକାଳ ଭିତରେ ମୁଁ ଯାହା ଅନୁଭବ କରିଛି, ଯୋଉ ବିଭିନ୍ନ ଅନୁଭୂତିର ମୁକ୍ତା ଆହରଣ କରିଛି, କେବଳ ମୁଁ ନିଜେ ନିଜ ଭିତରେ ଯାହା ଉପଲବଧି କରିଛି, ସେଇଆକୁ କେବଳ ଆପଣମାନଙ୍କ ଆଗରେ ବାଢ଼ି ଦେଉଛି । ହଁ, ମୁଁ ମାନୁଛି, ଆଉ ମୋର କିଛି ନାହିଁ ।

 

ମୋର ବକ୍ତବ୍ୟର ଶେଷ ଆଗରୁ ମୁଁ ଆପଣମାନଙ୍କୁ ଗୋଟାଏ ପ୍ରଶ୍ନ ପଚାରେ ? ଆପଣମାନେ କାହିଁକି ଅପରର ଦୋଷ ଦୁର୍ବଳତା ଦେଖି ହସନ୍ତି ? କାହିଁକି ଅପରର ଦୁଃଖରେ ଏତେ ଆନନ୍ଦ ପାଆନ୍ତି ? କାହିଁକି ? କାହିଁକି ? କାହିଁକି ?

 

ଆପଣମାନେ ହସୁଛନ୍ତି ମୋର ଏ ପ୍ରଶ୍ନ ଶୁଣି ?

 

ଆଃ ! ସତରେ ଆପଣମାନେ ବଡ଼ ନିର୍ଦ୍ଦୟ, ବଡ଼ ନିର୍ମମ, ବଡ଼ ନିଷ୍ଠୁର ।

 

(ଝଙ୍କାର, ୧୮ଶ ବର୍ଷ, ଦଶମ ସଂଖ୍ୟା)

☆☆☆

 

ଜଣା ଅଜଣା

 

ବର୍ଷ, ମାସ, ଦିନ, ବାର, ଘଣ୍ଟା, ମିନିଟ ସେକେଣ୍ଡହୀନ ମହାକାଳର କୌଣସି ଏକ ଅବସ୍ଥା । ପୃଥିବୀର ଅର୍ଦ୍ଧକରେ ସକାଳ ହୋଇଛି—ସୂର୍ଯ୍ୟର ପରିପ୍ରେକ୍ଷୀରେ । ଆଉ ସେଇ ପରିପ୍ରେକ୍ଷୀରେ ଓଡ଼ିଶାର, ଫୁଲବାଣୀ ଜିଲ୍ଲାର କୌଣସି ଏକ ଅନାମଧେୟ, ଅଖ୍ୟାତ କନ୍ଧପଲ୍ଲୀରେ ସକାଳ ହୋଇଛି । ଘୂର୍ଣ୍ଣାୟମାନ ପୃଥିବୀର କେତେଗୁଡ଼ାଏ ପଥ ଭ୍ରମଣର ନିର୍ଦ୍ଦିଷ୍ଟ ଦୂରତ୍ୱର ସଙ୍କୁଚିତ କେତେଗୁଡ଼ା ନିର୍ଦ୍ଦିଷ୍ଟ ମୁହୂର୍ତ୍ତ ।

 

(ଅଖ୍ୟାତ କନ୍ଧପଲ୍ଲୀର ଏକ ଅନିର୍ଦ୍ଦିଷ୍ଟ ସକାଳ ।)

 

ଦଦରା କହଁର ସଲପ ଗଛ ମୂଳେ ଶୋଇଛି । ସକାଳ ହେଲା ମାନେ ଶୀତ ଛାଡ଼ିଲା । ଶୀତ ଛାଡ଼ିବା ମାନେ ଆଉ ରାତିର କଷ୍ଟ ନାହିଁ । ଥରକୁ ଥର ନିଆଁ ଜାଳିବା, ବଣୁଆଜନ୍ତୁକୁ ଡରିବା ପରି ନିର୍ଦ୍ଦିଷ୍ଟ କାମ ଆଉ ନାହିଁ । ଭାବନାହୀନ, ନିର୍ଲିପ୍ତ । ଭାବନା ନାହିଁ, ଅତଏବ କାମ ନାହିଁ । କାମ ନାହିଁ । ତେଣୁ କାମ ଗୁଡ଼ାକୁ ରେସନେଲାଇଜ୍ କରିବା ପାଇଁ ନିୟମ ନାହିଁ, କାନୁନ୍ ନାହିଁ । ନିୟମ ନାହିଁ—କାନୁନ୍ ନାହିଁ । ଅତଏବ ସେ ସ୍ଵାଧୀନ । ଇଚ୍ଛାନୁସାରେ ସାରା ଦିନଟା ଶୋଇ ରହିପାରେ । ବାହାରର କେହି ତାକୁ ବାଧ୍ୟ କରୁନି । ଭିତରର ଅଜସ୍ର ନୀତିଗତ ନିୟମର ଶୃଙ୍ଖଳା ମଧ୍ୟ ତାକୁ ବାଧ୍ୟ କରୁନି । ସେ ମୁକ୍ତ । ଭିତରୁ ଓ ବାହାରୁ । କିନ୍ତୁ ସେ ଜୀବନ୍ତ । ସେ ଜାଗ୍ରତ । ବଞ୍ଚିବାର ଚେତନାରେ-। ‘‘ମୁଁ ବଞ୍ଚିଛି”। ଆଉ କିଛି ନାହିଁ । ଏକ ଉନ୍ମୁକ୍ତ ଅହଂର ଚେତନା ।

 

କ’ଣ ଗୋଟାଏ ଶବ୍ଦ ହେଲା । ଦଦରା କହଁର ଆଖି ମେଲିଲା । ସ୍ୱାଭାବିକ ଇନ୍‍ଷ୍ଟିକ୍‍ଟ । ରିଫ୍ଲେକ୍‍ସ୍‍ ଆକ୍‍ସନ୍ । ସୀମାଙ୍ଗି ଆସୁଛି । ତାର ସ୍ତ୍ରୀ । ସେ ଉଠିପଡ଼ି ଗଛ ଉପରକୁ ଚଢ଼ିବାକୁ ଆରମ୍ଭ କଲା । ସୀମାଙ୍ଗିର ଆସିବା ମାନେ ସେ ଚାହିଁବ ସଲପ ରସରୁ ଭାଗ । ଅତଏବ ତାକୁ ହାଣ୍ଡି ଓହ୍ଲେଇବାକୁ ପଡ଼ିବ । ସ୍ୱାଭାବିକ—ଭାବନାହୀନ କାମ । ସୀମାଙ୍ଗି ଆସି ବସିଲା ନିଆଁ ପାଖରେ । ସକାଳର ଖରାରେ ବଡ଼ ଗଣ୍ଡିକାଠର ନାଲି ଅଙ୍ଗାର ବାରି ହେଉନି । କେବଳ ଦେଖାଯାଉଛି ଧୂଆଁର କେତେଗୁଡ଼ାଏ ବହଳ ନେଳି ସୂତା । ସେ ପାଟିରେ ଜିଭ ବୁଲେଇ କାଢ଼ି ଆଣିଲା ନାଳମିଶା ହଳଦୀ ଧୂସର ଲଣ୍ଡାଏ ଦୋକ୍ତା ଗୁଣ୍ଡର ଛେପ । ପିଚ୍ କରି ଛେପ ଲଣ୍ଡାକ ଗୋଟାଏ ଛୋଟ ଧଳା ବଲ୍ ପରି ପଡ଼ିଲା ନିଆଁ ଉପରେ । ଲିଭିଲା ନିଆଁ ପ୍ରତିବାଦ କଲା କ୍ଷୀଣ ସେଁ ଶିରି ଶିରି ଶବ୍ଦରେ । ନିଆଁ ଆଡ଼କୁ ଚାହିଁ ବସି ରହିଲା ସେ । ଗଛକୁ ଚାହିଁବାର ଦରକାର ନାହିଁ । ଦଦରା ଗଛ ଉପରୁ ହାଣ୍ଡି କାଢ଼ିଲା କି ନାହିଁ, ଓହ୍ଲଉଛି କି ଖୋଲୁଛି, କିଛି ଦେଖିବା ଦରକାର ନାହିଁ । ବିଶ୍ଵାସର ଅପେକ୍ଷା । ଭାବନା ଶୂନ୍ୟତାର ସନ୍ଦେହହୀନତା । ସନ୍ଦେହ ନାହିଁ । ତେଣୁ ଅପେକ୍ଷାର ଆକୁଳତା ନାହିଁ ।

 

ଦଦରା ଗଛର ମୂଳ ପାଖକୁ ଖସି ଆସିଲାଣି । ଡାକିବା ଦରକାର ନାହିଁ । ସୀମାଙ୍ଗି ଜାଣି ପାରିଲା । ଆପେ ଆପେ ଉଠିଗଲା ଗଛତଳକୁ । କଳସୀଟା ମୁଣ୍ଡରେ ଧରି ସେ ଫେରି ଆସିଲା ନିଆଁ ପାଖକୁ ।

 

କଳସୀ ଶୂନ୍ୟ କି ପୂର୍ଣ୍ଣ ଦେଖିବା ଦରକାର ନାହିଁ । ତେଣୁ ଆନନ୍ଦ ନାହିଁ କି ବିଷାଦ ନାହିଁ-। ଚଳମାନ ମୂର୍ତ୍ତିମନ୍ତ ଦୁଇଟି ନିର୍ଲିପ୍ତ ପ୍ରତିମା ।

 

(ଅଖ୍ୟାତ କନ୍ଧପଲ୍ଲୀର ଅନିର୍ଦ୍ଦିଷ୍ଟ ସକାଳ—କଟକ, ଫେବୃଆରୀ ଅଠର ତାରିଖ ୧୯୭୬ ସାଲ, ମାଘ ୨୭ ଦିନ, ୧୮୮୭ ଶକାବ୍ଦ, ଶୁକ୍ରବାର ସକାଳ ସାଢ଼େ ଆଠଟା)

ହରିବନ୍ଧୁ ବାବୁ ବ୍ୟସ୍ତ ହୋଇ ଉଠିଲେଣି । ଆଠଟା ଚାଳିଶରେ ଟ୍ରେନ୍ । ବେଡିଂ ବନ୍ଧା ହୋଇନି । ମାତ୍ର ଦଶମିନିଟ୍ ସମୟ ଅଛି । ଟ୍ରେନ୍ ଅବଶ୍ୟ ୧୫ ମିନିଟ ରହିବ । କିନ୍ତୁ ପହଞ୍ଚିବାକୁ ତ ସମୟ ଦରକାର । ଆଃ, କୁଆଡ଼େ ଗଲା ସେ ହରିଚରଣ ? “ହରି, ହରି ଏ ହରି, ରିକ୍ସାଟାଏ ଡାକି ଆଣ ଶୀଘ୍ର । ମୁଁ ପଛେ ବେଡିଂଟା ବାନ୍ଧି ଦେଉଛି । ଯା, ଦୌଡ଼ି ଯା, ଦୌଡ଼ି ଯା ।”

କାଠଗଡ଼ାସାହିର ଛୋଟ ନୁଆଁଣିଆ ଚାଳଘରେ ବ୍ୟସ୍ତ ହୋଇ ଉଠିଲେଣି ଘରର ଗୃହିଣୀ ସିନ୍ଧୁସୁତା ଦେବୀ । ସାଢ଼େ ଆଠଟା ହେଲାଣି, ଭାତ ତରକାରୀ ବସିନି । ଆଉ କେତେବେଳେ ହେବ କେଜାଣି ? ଇଏ ଖାଇ କରି ଅଫିସ ଯିବେ କେମିତି ? ପିଲାଏ ସ୍କୁଲ ଯିବେ କେମିତି । ଇସ୍ ସାଢ଼େ ଆଠଟା ! ଆଜି ସକାଳୁ ଉଠୁ ଉଠୁ ଟିକିଏ ଡେରି ହୋଇଗଲା ବୋଲି ସବୁକାମ ବାକି ପଡ଼ିଛି । “ଆଲୋ, ଏ ମିନି । ଯା, ମା ଶାଢ଼ିଟା ପାଲଟି ଝଅଟ୍ କରି ଭାତ ଆଉ ଡାଲିଟା ବସେଇ ଦେ । ଡାଲିରେ ଦି’ ଚାରିଟା ଆଳୁ ପକେଇ ଦେଇଥିବୁ । ମୁଁ ଗାଧୋଇ ସାରି ଆସୁଛି । ଯୋଗକୁ ବାସନମଜା ଚାକରାଣୀ ବି ଆଜି ଡେରି କରିଛି । ଓଃ, କେତେ କହିବ ଏଗୁଡ଼ାକୁ-। ଆଜିକାଲି କ’ଣ ଖାତିର ଅଛି ।”

ଡଗରପଡ଼ାର ଗଳି ଭିତରେ ଜୟନାରାୟଣ ବାବୁ ତରତର ହୋଇ ଗାଧୁଆଘର ଆଡ଼କୁ ଛୁଟିଛନ୍ତି । ସାଢ଼େ ଆଠଟା ହେଲାଣି । ନଅଟା ଦଶରେ ଭୁବନେଶ୍ଵର ବସ୍ । ଅଫିସରେ ଆଜି ଖାତାରେ ନାଲି ଦାଗ ପଡ଼ିବା ନିଶ୍ଚିତ । “ଆଲୋ କିଏ ସେ ଗାଧୁଆ ଘରେ ? ଏତିକିବେଳକୁ ସବୁ ଗାଧୋଇବାକୁ ମନେପଡ଼େ ନାଁ ? ଯେତେକ ଅଳସୁଆ ତ ଯୁଟିଛନ୍ତି ମୋ ଘରେ । ଟିକିଏ ସକାଳୁ ସକାଳୁ ଉଠି କାମ ସାରିଦେଲେ ହୁଏ ନା ? ଠିକ୍ ମୁଁ ଯେମିତି ଗାଧୋଇବାକୁ ବାହାରିବି, କିଏ ନା କିଏ ଗାଧୁଆଘରେ ପଶିଥିବେ । କିହୋ, ତମର ହେଲାଣି ନା ନାହିଁ ? ଭାତ ଦିଟା ଥଣ୍ଡା କରି ରଖିଥା ।”

“ମଲା, ସାଢ଼େ ଆଠ୍ । ହଷ୍ଟେଲର ୧୭ ନମ୍ବର ରୁମ୍ ଭିତରେ ଚମକି ପଡ଼ିଲା ମହେଶ୍ଵର-। ମର୍ନିଂ କ୍ଲାସ ଆରମ୍ଭ ହୋଇଗଲାଣି । ଗଲା, ଏ ପ୍ରାକ୍ଟିକାଲ କ୍ଲାସଟା । ଆଜି ସେ ଭାବିଥିଲା ଗତଥରର ଏକ୍ସପେରିମେଣ୍ଟଟା ଶେଷ କରିବାକୁ, ଫେର୍ ରହିଲା ପଛକୁ । କି କାଳନିଦ୍ରା ତାକୁ ଘୋଟିଥିଲା କେଜାଣି ? କାଲି ରାତିରେ ସେ ଡିଟେକ୍ଟିଭ୍ ଉପନ୍ୟାସଟା ପଢ଼ୁ ପଢ଼ୁ ଡେରି ହୋଇଗଲା । କିଏ ହେଲେ ତାକୁ ଡାକି ଦେଲେନି । “ଆବେ ଏ ଅଜିତ୍, ମୋତେ ଟିକିଏ ସକାଳୁ ଉଠେଇ ଦେଲୁନି କାହିଁକି ?”

“ମୋତେ କଣ କହିଥିଲୁ ?” ନ ହେଲେ ବା । ତୋର ତ....”

“ମୋ ବୋଉ ଲୋ ! ସାଢ଼େ ଆଠୁଟା ହେଲାଣି । ଦୋକାନ ଫିଟାଇବାକୁ ଆଜି ଦେଖୁଛି ନଅଟା ହୋଇଯିବ । ଗରାଖ ବାହୁଡ଼ି ଯାଇଥିବେଣି ? ଇସ୍ ଶଳା ୟାହ୍‍ପ, ଯାତ୍ରା ଦେଖୁ ଦେଖୁ ପାହାନ୍ତା ହୋଇଗଲା । ଟିକିଏ ଆଖି ମାଡ଼ିଛି କି ନାହିଁ ଘୋଟି ଆସିଲା ତ ନିଦ । “ଆଲୋ, ଏ ମିନି ବୋଉ ଏତେବେଳ ହେଲାଣି ମୋତେ ଟିକିଏ ଉଠେଇ ଦେଉନୁ ?” “ମଲା, ମୁଁ କଣ କରିବି ମ ? ସକାଳ ପହରୁ ତମକୁ ଉଠେଇ ଉଠେଇ ଥକିଲିଣି ।” ହୁଁ, ହୁଁ, ଉଠୁଛି ଉଠୁଛି କରି ତ ଏତେବେଳ କଲାଣି—ଏଥିରେ ମୋର ଦୋଷ କଣ ହେଲା ?” ହଉ, ହଉ ଦେଲୁ ଦେଲୁ ତେଲଟା ଦେ ।” ଫଟାଫଟ୍ ଚାରିଆଙ୍ଗୁଳିରେ ତେଲ ଏପଟ ସେପଟ ମାରି ଦେଇ ମୋଚି ସାହୁ ଧାଇଁଲା । କେନାଲ କୂଳ ଆଡ଼କୁ ।

 

“ସକାଳ ଆଠଟା ବାଜି ତିରିଶ ମିନିଟ୍ ଓ ପାଞ୍ଚ ସେକେଣ୍ଡ୍ । ଆକାଶବାଣୀର ପ୍ରଥମ ଅଧିବେଶନ ଆଜି ପାଇଁ ଏତିକିରେ ଶେଷ କରୁଛୁ ।”

 

ଘଡ଼ି ମିଳେଇଲେ ସୁକାନ୍ତ ଚୌଧୁରୀ । ଯୌତୁକ ପାଇଛନ୍ତି ନୂଆ ରୋଲେକ୍‍ସ୍‍ ଘଡ଼ି । ମାସଟିଏ ବି ଯାଇନି । ଏକଜାକ୍ଟ ସମୟ ରଖୁଛି । ସେକେଣ୍ଡ ପର୍ଯ୍ୟନ୍ତ ।

 

ଚୌଦ୍ଵାର ବିମାନଘାଟୀରେ ଏରୋପ୍ଳେନ୍ ଟେକ୍ ଅଫ୍ ନେଲା । ଆଠଟା ବାଜି ତିରିଶ ମିନିଟ୍ ପାଞ୍ଚ ସେକେଣ୍ଡ । “ଚାରବାଟିଆ କଲିଂ—ହାଲୋ କେଲକେଟା—କେଲକେଟା ଓଭାର୍ ।”

 

କଲେଜର ପଦାର୍ଥ ବିଜ୍ଞାନ ଗବେଷଣାଗାର । ଗବେଷକ ଅନନ୍ତ ଗଡ଼ନାୟକ ଷ୍ଟପ୍ ୱାଚ୍‍ର ସୁଇଚ୍ ଦାବିଲେ । ଏକ—ଦୁଇ—ତିନି—ଚାରି—ପାଞ୍ଚ.......ଲ ଅଫ୍ ଫଲିଂ ବଡିଜ୍ । ପଡ଼ନ୍ତ ବସ୍ତୁର ନିୟମ । ଭେଲେସିଟି ଇନ୍‍କ୍ରିଜେସ୍‍ ପ୍ରପୋରସନାଲ୍ ଟୁ ଟାଇମ ।

 

ଆଲୋକ ପ୍ରତି ସେକେଣ୍ଡରେ ୧୮୦୦୦ ମାଇଲ ଗତି କରେ । ପାଞ୍ଚ ମିନିଟ୍ ଭିତରେ ଆଲୋକ ଚନ୍ଦ୍ର ମଣ୍ଡ଼ଳରେ ପହଞ୍ଚି ସାରିଥିବ । ତିରିଶ ମିନିଟ୍ ରେ ମଙ୍ଗଳ ଗ୍ରହ । ଏକ ସେକେଣ୍ଡରେ ପୃଥିବୀର ଚାରି ପାଖରେ ବୁଲି ଆସି ସାରିଥିବ ।

 

କେତେ କ୍ଷୁଦ୍ର ଏ ମୁହୂର୍ତ୍ତ । କେତେ କ୍ଷୁଦ୍ର ହୋଇପାରେ । କିନ୍ତୁ ସେଇ କ୍ଷୁଦ୍ରତା ଭିତରେ ବି କେତେ ପରିବର୍ତ୍ତନ ଘଟିପାରେ । କେତେ ପ୍ରକାର ଘଟଣା ଘଟିଯାଇପାରେ । ସମୟକୁ ଯେତେ କ୍ଷୁଦ୍ର ଅଂଶରେ ବିଭକ୍ତ କଲେ ବି କାର୍ଯ୍ୟ ଓ ଘଟଣା ତା’ଠାରୁ ଆହୁରି ଦ୍ରୁତ ଗତିରେ ଚାଲିଛି । ଆଲୋକ—ଶବ୍ଦ—ଇଥର୍ ବୈଦ୍ୟୁତିକ ।

 

(ଅଖ୍ୟାତ କନ୍ଧପଲ୍ଲୀର ଅନିର୍ଦ୍ଦିଷ୍ଟ ସକାଳ=କଟକ, ଫେବ୍ରୁଆରୀ, ଅଠର ତାରିଖ, ୧୯୬୬ ସାଲ୍ ଶୁକ୍ରବାର, ସକାଳ ସାଢେ଼ ଆଠଟା=ନିଉୟର୍କ, ଫେବ୍ରୁଆରୀ, ଅଠର ତାରିଖ, ୧୯୬୬ ସାଲ୍ ରାତ୍ରି ସାତଟା ୧୯ ମିନିଟ୍)

 

ଜର୍ଜ ବ୍ରାଉନ୍ ହାତ ଘଡ଼ିକୁ ଦେଖିଲେ । ସିକ୍‍ସଥ୍‍ ଏଭିନ୍ୟୁ । ସାତଟା ଊଣେଇଶ୍ । ସାତଟା କୋଡ଼ିଏରେ ଲଗ୍ ସିମ୍ପସନ୍ ଆସିବାର କଥା । ସାତଟା ପଚିଶ୍‍ରୁ ସାତଟା ପଇଞ୍ଚାଳିଶ୍ ଡିନାର୍ । ସାତଟା ପଚାଶରୁ ଆଠଟା ପନ୍ଦର । ଟେଲିଭିଜନରେ ପ୍ରସିଦ୍ଧ ଚିତ୍ର ତାରକା ଇଭା ମାର୍ଗାରେଟ୍ । ଆଠଟା ପନ୍ଦରରୁ ବାରଟା କ୍ଲବ । ତା’ ପରେ ବେକ୍ ଟୁ ଫ୍ଲାଟ୍ । ଲରା—ହ୍ଵାଟ୍ ଏ ଫିଗାର୍ । ଅଲ୍ କର୍ଭସ୍ ।

 

ୱାଲ୍ ଷ୍ଟ୍ରିଟ୍ । ଅଫିସ୍ କେତେବେଳୁ ବନ୍ଦ ହେଲାଣି । ଜନ୍ ଡ ରୁଥାର୍ ଫୋଡ୍‍ ତଥାପି ଅଫିସରେ । ଅଧୈର୍ଯ୍ୟ ହୋଇ ପଡ଼ିଲେଣି । ଲସ୍ ଏଞ୍ଜେଲ୍‍ସ୍‍ର ଏ ପର୍ଯ୍ୟନ୍ତ ଖବର ଆସିନି । କାଲିଫୋର୍ଣ୍ଣିଆରୁ ବି କିଛି ଖବର ଆସିନି । ସାତଟା ଊଣେଇଶ୍ । ସାତଟା ତିରିଶରେ ବୋର୍ଡ ମିଟିଂ-। “ନନ୍‍ସେନ୍‍ସ । ସନ୍ ଅଫ୍.....” । କଣ କରୁଛନ୍ତି କେଜାଣି ଏତେ ଆଗରୁ ଅର୍ଜେଣ୍ଟ କଲ୍ ଦିଆ ହୋଇଛି । ବେଶୀ ହେଲେ ପାଞ୍ଚ ମିନିଟ୍ ଡେରି ହୁଅନ୍ତା । ସେ ବୁକ୍ କରିଥିଲେ ସାତଟା ପାଞ୍ଚରେ-। ସାତଟା ପନ୍ଦର ବେଳକୁ ଖବର ଆସିଯିବା କଥା । ଆଜି ମିଟିଂରେ ତାଙ୍କର ଭାଗ୍ୟ ନିର୍ଭର କରେ ଅଥଚ.....

 

ସୁସି ଗାର୍ଡନାର୍ । ପ୍ରାଇଭେଟ୍ ସେକ୍ରେଟାରୀ । ବାରମ୍ବାର ଘଡ଼ି ଆଡ଼କୁ ଚାହୁଁଛନ୍ତି । ସାତଟା ଊଣେଇଶ୍ । ଉଃ- । ସାତଟା ତିରିଶରେ କଲିନ୍‍ସର ଆସିବାର କଥା । ମାତ୍ର ଏଗାର ମିନିଟ୍ । କିନ୍ତୁ ସେ ଯାଇପାରୁନି । ଯଦି ଚାଲିଯାଏ ମିଃ ରୁଥାରଫୋଡ୍‍ ଡିସ୍‍ମିସ୍ କରି ପାରନ୍ତି । ଏତେ ସୁନ୍ଦର ଚାକିରି—ଏତେ ଡଲାର୍ ଦରମା । ବର୍ଷ ବର୍ଷ ଚେଷ୍ଟା କଲେ ବି ମିଳିବା ସମ୍ଭବପର ନୁହେଁ । ପୁଣି ତାର ଆଶା ରହିଛି ଡାଇମଣ୍ଡ ନେକ୍‍ଲେସ୍—ମିଙ୍କ୍ କୋଟ୍......... । କିନ୍ତୁ କଲିନ୍‍ସ, ସେ କଣ ବୁଝିବ ? ଉଃ......

 

ଅବ୍‍ଜାର୍ ଭେଟୋରୀ । ଡାକ୍ଟର ଆଡ୍‍ମଣ୍ଡ ଡେଭିସ ଟେଲିସ୍କୋପ୍ ପାଖରେ ନିରୀକ୍ଷଣ କରି ବସି ରହିଛନ୍ତି । ରାଡାର୍ ଠିକ୍ କାମ କରୁଛି ? ସବୁ ଯନ୍ତ୍ରପାତି ଠିକ୍ ଅଛି । ପରୀକ୍ଷା ଶେଷ ହୋଇଛି । ଏଥର କେବଳ ପ୍ରତୀକ୍ଷା । ନୀରବ ନିଶ୍ଚଳ ପ୍ରତୀକ୍ଷା । ବୈଜ୍ଞାନିକ ଦଳ ଯେ ଯାହା ଜାଗାରେ ରେଡି ହୋଇ ବସି ରହିଲେଣି । ଆଉ କେତେଟା ମୁହୂର୍ତ୍ତ— । ଆଶା, ଆଶଙ୍କା ଉତ୍ତେଜନାରେ ଦେହ ଶିର୍ ଶିର୍ କରୁଛି । ଅସ୍ଥିର ହୋଇ ଉଠୁଛି ମନ, ଦେହ, ହୃଦୟ । ସାତଟା ୧୯ ମିନିଟ୍ ବାର ସେକେଣ୍ଡ୍ । ଠିକ୍ ସାତଟା କୋଡ଼ିଏରେ—ନା, ସାତଟା ୧୯ ମିନିଟ୍ ୫୫ ସେକେଣ୍ଡରେ....

 

(ଅନିର୍ଦ୍ଦିଷ୍ଟ ସକାଳ=କଟକ, ଫେବ୍ରୁଆରୀ, ଅଠର ତାରିଖ ୧୯୬୬ ସାଲ ସକାଳ ସାଢ଼େ ଆଠଟା=ନିଉୟର୍କ, ଫେବ୍ରୁଆରୀ; ୧୮ ତାରିଖ, ୧୮୬୬, ରାତ୍ରି ସାତଟା ୧୯ ମିନିଟ୍=କେପ୍ କେନେଡ଼ି=ସାତଟା ୧୯ ମିନିଟ୍ ୨୨ ସେକେଣ୍ଡ)

 

ମହାକାଶ ଗବେଷଣାଗାର । ରକେଟ୍ ନିକ୍ଷେପ ଘାଟୀ । ମଣିଷ ଯାତ୍ରା କରୁଛି ମହାଶୂନ୍ୟକୁ । ଅନ୍ତହୀନ ଶୂନ୍ୟତାର ଭିତରକୁ । ତାର ପ୍ରକୃତି ନିର୍ଣ୍ଣୟ କରିବାକୁ । ଅଲ୍ ସେଟ୍ । ବୈଜ୍ଞାନିକ ଦଳ ନିଃଶ୍ୱାସ ବନ୍ଦ କରି ବସି ରହିଛନ୍ତି । ଆଉ କେତୋଟି ସେକେଣ୍ଡ୍ ମାତ୍ର । ସାତଟା ଉଣେଇଶ ମିନିଟ ୨୨ ସେକେଣ୍ଡରେ । ଫାୟାରିଂ ହେବ ଠିକ୍ ୭ଟା ୧୯ ମିନିଟ୍ ୨୪୧/୦୦୦ ସେକେଣ୍ଡରେ । ଅପେକ୍ଷା । କେବଳ ଅପେକ୍ଷା । ଗୋଟାଏ ମୁହୂର୍ତ୍ତ ଗୋଟାଏ ଯୁଗ । କେତେ ଆଶା, ଆଶଙ୍କା, ଉତ୍ତେଜନା—କେତେ ଆନନ୍ଦ, କେତେ ବିସ୍ମୟ । ଭବିଷ୍ୟତର ସୁନେଲି ସ୍ଵପ୍ନ । ନିଜ ନିଜର ଆଶା ଆକାଂକ୍ଷା । ଦେଶର ଗୌରବ—ବିଜ୍ଞାନର ଜୟଗାନ । ସମଗ୍ର ପୃଥିବୀର ସହସ୍ର କୋଟି ଜନସାଧାରଣଙ୍କ ଆଖି ନିବଦ୍ଧ ଏଇ ଗୋଟିଏ ମାତ୍ର ସେକେଣ୍ଡ ଉପରେ ।

 

ସାତଟା ଉଣେଇଶ ମିନିଟ୍ ୨୩ ସେକେଣ୍ଡ । ରେଡି । ଆଉ ଦେଶ ନାହିଁ—ଜାତି ନାହିଁ–ମଣିଷ ନାହିଁ— । କେବଳ କେତେଗୁଡ଼ିଏ ଜ୍ୱଳନ୍ତା ଅଗ୍ନିରେଖା—ଅଙ୍କେଇ ବଙ୍କେଇ ବହିଯାଉଛି-। ଫାୟାର୍ଡ଼ !!! ଏକ ଜ୍ଵଳନ୍ତ ଅଗ୍ନିପିଣ୍ଡ । ରାଡାରରେ ଗୋଟାଏ ସୂକ୍ଷ୍ମ ଜ୍ଵଳନ୍ତ ଆଲୋକ ବିନ୍ଦୁ-। ୨୪ ୨/୧୦୦୦ ସେକେଣ୍ଡ—ପୃଥିବୀ ପୃଷ୍ଠର ୦.୫ ମାଇଲ୍ । ୨୪ ୩/ ୧୦୦୦ ସେକେଣ୍ଡ—୧ ମାଇଲ—୨୪ ୪/୧୦୦୦—୧.୫ ମାଇଲ୍.......ଗତି—ଗତି—କେବଳ ଗତି—

 

(ଅଖ୍ୟାତ କନ୍ଧପଲ୍ଲୀର ଅନିର୍ଦ୍ଦିଷ୍ଟ ସକାଳ= କଟକ, ସକାଳ ସାଢ଼େ ଆଠଟା ଫେବ୍ରୁଆରି ୧୮ ତାରିଖ ୧୯୬୬ ସାଲ= ନିଉୟର୍କ ଫେବ୍ରୁଆରୀ ଅଠର ତାରିଖ ୧୯୬୬ ସାଲ୍, ରାତ୍ରି ସାତଟା ୧୯ ମିନିଟ୍= କେପ୍ କେନେଡି, ରାତ୍ରି ସାତଟା ୧୯ ମିନିଟ୍ ୨୫ ସେକେଣ୍ଡ= ମହାଶୂନ୍ୟର ଅନିର୍ଦ୍ଦିଷ୍ଟ ଅବିଭାଜ୍ୟ ସମୟ)

 

ବର୍ଷ ମାସ ଦିନ ପ୍ରହରହୀନ ଅନିର୍ଦ୍ଦିଷ୍ଟ ଅବିଭାଜ୍ୟ ସମୟ । ଅନନ୍ତ ମହାକାଳ । ତା ମଧ୍ୟରେ କେବଳ ଗତି । ସମସ୍ତ ନିର୍ଦ୍ଦିଷ୍ଟତା ଭିତରୁ ମୁକ୍ତି ପାଇ ଜନ୍ମ ନେଇଛି ଏକ ମହାନ ଗତିଶୀଳତା । ସେଇ ଗତି କେବଳ ଗତି ପାଇଁ । ଚରୈବତି...ଚରୈବତି... । ଅଣୁ ପରମାଣୁର ମୌଳିକତ୍ୱ ଏକାଠି ନିର୍ଦ୍ଦିଷ୍ଟ ଆକାର ନେଇନି । ସବୁ ଆକାରହୀନ, ନିରାକାର କିନ୍ତୁ ଗତିଶୀଳ । ଅନନ୍ତ ସମୟ—ଅନନ୍ତ, ମହାଶୂନ୍ୟ ଅନନ୍ତ ଗତିଶୀଳତା ।

 

ଲକ୍ଷ୍ୟହୀନ ? କାରଣହୀନ ? ଉଦ୍ଦେଶ୍ୟସ୍ଥାନ ।

 

(ଝଙ୍କାର, ଦ୍ଵାଦଶ ସଂଖ୍ୟା ୧୯୬୬)

☆☆☆

 

ପର୍ଶୁରାମ

 

ପୂଜା ମଣ୍ଡପରୁ ଯିବା ଆଗରୁ ସୁପ୍ରିୟା ମୋ ସାଙ୍ଗରେ କଳି ଲଗାଇଲା । ତା’ର ଏକାଜିଦ୍ ମୋତେ ତା’ସାଙ୍ଗରେ ଯିବାକୁ ହେବ ବୋଉର ବି ସେଇ ଇଚ୍ଛା ।

—କାହିଁକି ଯିବନି ?

—ତୁମେ ତ ଜାଣ ମୋର ଏଥିରେ ବିଶ୍ୱାସ ନାହିଁ

—ଛି, ଦେବୀକୁ ଏମିତି କହନ୍ତି ? ତମେ ଯେ—

ମୁଁ ଦେବୀ ଫେରା ମାନେ ନା । ଗୋଟାଏ ଲଙ୍ଗଳା, ବୀଭତ୍ସ ନାରୀମୂର୍ତ୍ତିକୁ—ପାଟିରେ ହାତ ଦେଲା ସୁପ୍ରିୟା ।

—ଚୁପ୍ କର । ଏଡ଼େ ବଡ଼ ପାଟିରେ ନ କହିଲେ କ’ଣ ହୁଏନା ? ଆର ଘରେ ବୋଉ ଅଛନ୍ତି । ସେ କ’ଣ ଭାବିବେ ? ତା’ଛଡ଼ା ତମେ ଦେବୀଙ୍କୁ ଏମିତି କଦର୍ଯ୍ୟଭାବରେ କହୁଛ କାହିଁକି-? ଛି ଛି କି ନାସ୍ତିକ ତୁମେ । ହେ ମା କାଳୀ, ରକ୍ଷା କର ମା’ ମୁଣ୍ଡରେ ହାତ ଯୋଡ଼ି ଦେବୀ ଉଦ୍ଦେଶ୍ୟରେ ପ୍ରମାଣ କଲା ସେ, ମୋର ପାପର ପ୍ରକ୍ଷାଳନ ପାଇଁ ।

ବୋଉ ଶୁଣିଲେ କ’ଣ ହେଲା ? ମୁଁ ଯୋଉଟା ଠିକ୍ ବୁଝିଛି ସେଥିରେ ଅନ୍ୟମାନେ ବିଗିଡ଼ିଲେ ବା ମନଦୁଃଖ କଲେ ମୋର କିଛି ଯାଏ ଆସେନା ।

—ମୋ-ରାଣ ତୁମେ ଚୁପ୍ କର । ତମେ ଯାହା ଭାବୁଛ ଭାବ, ଏମିତି କହି ଆମେ ମନରେ ଆଉ କଷ୍ଟ ଦିଅନା । ତମେ ବିଶ୍ୱାସ କର ବା ନକର ଆମ ସାଙ୍ଗରେ ପୂଜାମଣ୍ଡପକୁ ଆସିଲେ କ’ଣ କ୍ଷତି ହୁଅନ୍ତା ?

—ମଣିଷର ଗୋପନ ଭୟକୁ ଏକ ଅଶ୍ଲୀଳ ବୀଭତ୍ସତାର ପ୍ରତିମୂର୍ତ୍ତିରେ ରୂପ ଦେଇ ସାର୍ବଜନୀନ ପୂଜା କରିବା ପରି ନିର୍ବୋଧ ମୁଁ ନୁହେଁ ।

—ଇସ୍...ବୋଉ ଲୋ । ମୁଁ କ’ଣ କରିବି ? ତମେ କେମିତି ଏମିତି କଥା କହୁଛ ? ତମ ପାଟିରେ ଏମିତି କଥା ଆସୁଛି କେମିତି ? ହେ ମା କାଳୀ, ହେ ମା ଚଣ୍ଡୀ, ତମେ ରକ୍ଷାକର ମା । ମନେ ମନେ ଆହୁରି କେତେ କଣ ଗପି ସୁପ୍ରିୟା ପୁଣି ଥରେ ପ୍ରଣାମ କଲା ।

—କିରେ ଯିବୁନି ? ବୋଉ ଡାକିଲା

—ନା

ହଉ, ନ ଯା । ଆସ ବୋଉ । ସେ ନ ଯାଉ । କେତେ କେତେ ପାଠପଢ଼ୁଆ ପଣ୍ଡିତ ଲୋକେ ଯାଉଛନ୍ତି, ଆଉ ଏ ଅତି ବୁଦ୍ଧିମାନ ହୋଇଗଲା । ଠାକୁର ଦେବତାଙ୍କୁ ଭକ୍ତି ନାହିଁ । ମୋ ପେଟରେ ଏମିତି ନାସ୍ତିକ କେମିତି ଜନ୍ମ ନେଲା ମୁଁ ବୁଝି ପାରୁନି ।

 

—ସେମାନେ ଯାଉଛନ୍ତି; ସେଥିରେ ବିଶ୍ୱାସ କରନ୍ତି ବୋଲି ସେମାନେ । ମୁଁ ତ ସେମାନଙ୍କୁ ଖରାପ କହୁନି ବା ତୁମକୁ ଯିବାକୁ ତ ମନା କରୁନି । ମୁଁ ବିଶ୍ୱାସ କରେନା ତେଣୁ ମୁଁ ଯିବିନି ।

 

କିଛି ନ କହି ଗରଗର ହୋଇ ବୋଉ ବାହାରିଗଲା । ପଛେ ପଛେ ସୁପ୍ରିୟା । ଭୟ, କେବଳ ଭୟ । ମୃତ୍ୟୁର ଭୟ । ଆଉ ସେଇ ଭୟରୁ ରକ୍ଷା ପାଇବା ପାଇଁ ଭୟକୁ ହିଁ ପୂଜା କର ।

 

ଗୋଟିଏ ତ୍ରିପଣ୍ଡ କଳା ମୁକ୍ତକେଶୀ ଉଲଗ୍ନ ନାରୀ ମୂର୍ତ୍ତି ।

 

(ଗୋଟାଏ କୃଷ୍ଣବର୍ଣ୍ଣା ନାରୀର ଉଲଗ୍ନତାଠାରୁ ବୀଭତ୍ସ ଆଉ କିଛି ଅଛି ?

 

ଉନ୍ମୁକ୍ତ ଲହ ଲହ ରକ୍ତ ବର୍ଣ୍ଣ ଜିହ୍ଵା । କଳାଭିତରେ ଲାଲର ଉତ୍କଟତା

 

(ଚିତ୍ରକାରର ଦୃଷ୍ଟିକୋଣ ବି ଅଛି ଭୟର ସୃଷ୍ଟି ପାଇଁ)

 

ଗଳାରେ ମୁଣ୍ଡମାଳ । ଛିନ୍ନ ମସ୍ତକରୁ ଝରୁଛି ଟୋପା ଟୋପା ରକ୍ତ ।

 

(ହତ୍ୟାର ଭୟ)

 

ସ୍ଥାନ—ଶ୍ମଶାନ ।

 

(କାରଣ ମଣିଷ ମୃତ୍ୟୁକୁ ଭୟ କରେ ଓ ମୃତ୍ୟୁପରର ସ୍ଥାନ ଶ୍ମଶାନ । ଗୋଟାଏ ଅଜଣା ଜଗତର କଳ୍ପନାକୁ ରୂପାୟିତ କରିବାକୁ ଦରକାର ପଡ଼େ କେତେଗୁଡ଼ାଏ ଆକାର । ସେଥିପାଇଁ ସୃଷ୍ଟି ହୋଇଛି ଆହୁରି କେତେଗୁଡ଼ିଏ ବୀଭତ୍ସ କଦାକାର ମୂର୍ତ୍ତି । ଡାହାଣୀ, ଚିରୁଗୁଣୀ; ପ୍ରେତିନୀ । ବିକଟାଳ, ବିକୃତ, ଭୟଙ୍କର)

 

ସମୟ ଅମାବାସ୍ୟା । ଏକ ନିବିଡ଼ ଅନ୍ଧକାର ରାତ୍ରି ।

 

(ଯାହା ସବୁ ମଣିଷର ଅଜ୍ଞାତ ସବୁ କେବଳ ଭୟର ସାମଗ୍ରୀ)

 

ଭୟକୁ ଜୀବନ୍ତ ରୂପ ଦେବାପାଇଁ ଆଉ କ’ଣ ସାମଗ୍ରୀ ଦରକାର ? ବାସ୍ତବିକ୍, ପୁରାଣକାରର କଳ୍ପନା ଅତି ସୁକ୍ଷ୍ମ । ‘ଭୟ’କୁ ଜୀବନ୍ତ କରି ରଖିବାକୁ ତା’ର ସମସ୍ତ କଳ୍ପନାକୁ ଅତି ଚମତ୍କାର ଭାବେ ସନ୍ନିବେଶିତ କରି ରଖିଛି ଏଇ ମୂର୍ତ୍ତି ଦେହରେ । ସେ ‘ଭୟକୁ’ ବଞ୍ଚେଇ ରଖିବାପାଇଁ ତା’ର ପୂଜା ତ ଦରକାର । ନହେଲେ ପୂଜକର ସମ୍ମାନ କାହିଁ ? ଧର୍ମର ରକ୍ଷା ନାହିଁ । ଗୋଟାଏ କାଳ୍ପନିକ ଧର୍ମକୁ ବଞ୍ଚେଇ ରଖିବା ନାଁରେ ନିଜର ସ୍ଵାର୍ଥସିଦ୍ଧ କରିବାକୁ ମଣିଷର ନିରାଟ ବାସ୍ତବତା ମୃତ୍ୟୁର ଭୟକୁ ଆପଣା ସ୍ୱାର୍ଥରେ ବ୍ୟବହାର କରିବା ଛଡ଼ା ଆଉ ଉପାୟ କ’ଣ ?

 

ଦେହ ମନ ମୋର ଜଳି ଉଠିଲା ଏକ ପ୍ରତାରଣାରେ । ଚିତ୍କାର କରି ଉଠିଲା ମୋର ମନ ‘‘ହେ ପୁରାଣକାର, ସହସ୍ର ବର୍ଷ ଧରି ତମେମାନେ ଆମ ଦେଶର ଅଗଣିତ ମଣିଷକୁ ତାଙ୍କର ସରଳ ମନର ସୁଯୋଗ ନେଇ ଅତ୍ୟାଚାର କରି ଆସିଛ । ତାଙ୍କର ‘ଭୟ’ କୁ ଯୁଗ–ଯୁଗଧରି ବଞ୍ଚେଇ ରଖିଛ ନିଜର ସ୍ଵାର୍ଥପାଇଁ; କିନ୍ତୁ ଆଜି ନୁହେଁ । ଆଜି ତୁମର ଶେଷ ଲଗ୍ନ । ମୁଁ ଆସିଛି ସାହସର ଆଲୋକବର୍ତ୍ତିକା ନେଇ ତମରି କାଳିମାର କାଳୀକୁ ଭସ୍ମୀଭୂତ କରିବା ପାଇଁ ।

 

ମୁଁ ଭୟ କରେନା । ମୁଁ ମୃତ୍ୟୁକୁ ଭୟ କରେନା । ସେଥିପାଇଁ ତମର କଳ୍ପନାର କାଳୀକୁ ବି ମୁଁ ଭୟ କରେ ନା । ମୁଁ ଏକ ମଣିଷ । ମଣିଷର ଦୁର୍ଦ୍ଦମ ଶକ୍ତିରେ ମୁଁ ଶକ୍ତିମାନ୍ । ତା’ର ଦୁର୍ଜୟ ସାହସର ଉତ୍ସର ସନ୍ଧାନ ମୁଁ ଆଜି ପାଇଛି । ସେଇ ସାହସରେ ମୁଁ ଆଜି ପ୍ରଜ୍ୱଳିତ । ତା’ର ମାନବତ୍ଵର ଗୌରବରେ ମୁଁ ଆଜି ଗରିୟାନ୍ ।

 

ତମେମାନେ ଅତ୍ୟାଚାରୀ । ସ୍ଵାର୍ଥପର । ନିର୍ଲଜ୍ଜଭାବେ ସ୍ୱାର୍ଥପର । ସେଥିପାଇଁ ତମେ ସଷ୍ଟି କରିଛ ଏଇ ବୀଭତ୍ସତାକୁ । ସେଇ ବୀଭତ୍ସତା ମଧ୍ୟରେ ସେଇ ଭୟର ପୂଜକ ଭିତରେ ତମେ ତମର ବିଜୟ ଚିରସ୍ଥାୟୀ କରିବାର କଳ୍ପନା କରିଛ; କିନ୍ତୁ ମୁଁ ତୁମର ଭଣ୍ଡାମି, ତମର ପ୍ରତାରଣା ବୁଝି ପାରିଛି । ତମେମାନେ ମଣିଷକୁ ଅଜ୍ଞ କରି ରଖି ତାକୁ ନଗଣ୍ୟ କରି ଦେଖି ଆସିଥିଲ । ଅଶରୀରୀ ଦେବଦେବୀର କଳ୍ପନାରେ ମୃତ୍ୟୁ ଭୟ ଦେଖେଇ ମଣିଷକୁ ହୀନ, ତୁଚ୍ଛ କରି ତା’ର ଅନନ୍ତ ଶକ୍ତିକୁ ତା’ଠାରୁ ଗୋପନ କରି ରଖିଥିଲ । ସେ ଯଦି ତା’ର ଶକ୍ତିର ଗାରିମା ବୁଝିପାରେ ତେବେ ତମର କୌଣସି ଶକ୍ତି ରହିବନି । ସେଥିପାଇଁ ଶାସ୍ତ୍ରର ଭଣ୍ଡାମି ଗାଇ ତାଙ୍କୁ ଅଜ୍ଞ ନିର୍ବୋଧ କରି ରଖିଥିଲ; କିନ୍ତୁ ମୁଁ ଆଜି ସେମାନଙ୍କ ଆଖିରୁ ସେ ସହସ୍ର ଯୁଗର ଅନ୍ଧପୁଟୁଳି ଖୋଲିବି । ପ୍ରତ୍ୟେକ ପ୍ରାଣରେ ସଞ୍ଜୀବିତ କରିବି ଏଇ ମହାମନ୍ତ୍ର ‘‘ମଣିଷଠାରୁ ଆଉ କେହି ବଡ଼ ନାହିଁ । ଦେବଦେବୀ କେବଳ କଳ୍ପନା, କେବଳ ଭଣ୍ଡାମି । ମୃତ୍ୟୁର ପୂଜନରେ ମୃତ୍ୟୁଠାରୁ ମୁକ୍ତି ନାହିଁ । ମୃତ୍ୟୁଠାରୁ ମୁକ୍ତିର ଉପାୟ କେବଳ ନିଜତ୍ଵର ଆବିଷ୍କାର । ନିଜତ୍ଵର ନିର୍ଣ୍ଣୟ ।”

 

ନିଜର ଭାବନାରେ ନିଜେ ମୁଁ କମ୍ପି ଉଠୁଥିଲି । ଗୋଟାଏ ଅପ୍ରତିହତ ଶକ୍ତି ଯେମିତି ମୋ ଭିତରେ ସମୁଦ୍ରର ଜୁଆର ଭଳି ମାଡ଼ିଆସି ମୋତେ ଆଗକୁ ଠେଲି ଠେଲି ନେଇ ଯାଉଛି । ମୁଁ ସ୍ଥିର ହୋଇ ବସି ପାରୁ ନଥାଏ । ଗୋଟାଏ ନୂତନ ଅସ୍ଥିରତା ମୋର ସମସ୍ତ ଦେହରେ ।

 

ସେଇଦିନ ରାତି ।

 

ପ୍ରାୟ ଗୋଟାଏ ହେବ । ଅମାବାସ୍ୟାର ଅନ୍ଧକାର ଚାରିଆଡ଼େ ନିବିଡ଼ ହୋଇ ରହିଛି । କାଳୀର ଭୟରେ ସମସ୍ତ ପଥଘାଟ ନିର୍ଜନ । ଆଜି ଚାମୁଣ୍ଡା ପୃଥିବୀ ପ୍ରଦକ୍ଷିଣା କରିବେ । କଞ୍ଚା ଚୋବେଇଯିବେ ଜୀବନ୍ତ ମଣିଷକୁ । ଢକ୍–ଢକ୍‍ କରି ରକ୍ତ ପିଇଯିବେ ।

 

ପାଖ ଖଟରେ ପୁଅକୁ ଧରି ସୁପ୍ରିୟା ନିଘୋଡ଼ ନିଦରେ ଶୋଇଛି, କାଳୀପୂଜାର ସାର୍ଥକତାରେ ନିଶ୍ଚିନ୍ତ ହୋଇ । ଦାଣ୍ଡ କୋଠରୀରେ ବୋଉ ଶୋଇଛି । ତା’ର ଘୁଙ୍ଗୁଡ଼ିର ଶଦ୍ଦ କାନରେ ବାଜୁଛି । କୋଳୀକୁ ପୂଜା କରି ସେ ମୃତ୍ୟୁକୁ ଜୟ କରିଛି ବୋଲି ନିଶ୍ଚିତ ହୋଇ ଶୋଇଛି-। ସମସ୍ତେ ନିଶ୍ଚିନ୍ତ, ସମସ୍ତେ ସୁପ୍ତ ।

 

ମୁଁ ଧୀରେ ଧୀରେ ବିଛଣା ଛାଡ଼ି ଉଠିଲି । ସୁପ୍ରିୟା କର ମୋଡ଼ିଲା । ଆସ୍ତେ ଆସ୍ତେ ସାର୍ଟଟା ଗଳେଇ ପକେଇ ଅତି ସନ୍ତର୍ପଣରେ କବାଟ ଖୋଲି ପଦାକୁ ଆସିଲି । ମଧ୍ୟରାତ୍ରିର ଆକାଶ ଅଗଣିତ ତାରକାର ଉଜ୍ଜ୍ଵଳ ରଶ୍ମିରେ ପରିଷ୍କାର ଜଣାପଡ଼ୁଛି । ସେ ଆଲୋକର ପ୍ରଭାବରେ ପୃଥିବୀର ଅନ୍ଧକାର ମଧ୍ୟ ଏତେ ନିବିଡ଼ ଜଣା ପଡ଼ୁନି । କେବଳ ଏକ ଅସ୍ପଷ୍ଟ ଅନ୍ଧକାରର ଘୋଡ଼ଣୀ ପୃଥିବୀକୁ ଘୋଡ଼େଇ ରଖିଛି ।

 

ଆକାଶରୁ ଗୋଟାଏ ଉଲ୍‍କା ଖସିଲା । ଖୁବ୍ ପାଖରେ । ତା’ରି ଆଲୋକରେ ବାରଣ୍ଡା ଉପରେ କ’ଣ ଗୋଟାଏ ଚକ୍‍ଚକ୍ କରି ଉଠିଲା । ପାଖକୁ ଯାଇ ଦେଖେତ ଗୋଟାଏ କୁରାଢ଼ୀ, ମୁଁ ମନେ ମନେ ଆନନ୍ଦିତ ହୋଇ ଉଠିଲି । ସତେ ଯେମିତି ମୋର ଇଚ୍ଛା ବଳରେ ସବୁ କିଛି ଜିନିଷ ମୋ ହାତପାହାନ୍ତାକୁ ଆସି ଯାଉଛି ।

 

କାନ୍ଧରେ କୁରାଢ଼ୀଟା ପକେଇ ମୁଁ ବାହାରକୁ ଆସିଲି ।

 

ଅନେକ ଦୂରରେ ଏକ ନିର୍ଜନ ପ୍ରାନ୍ତର ଭିତରେ କେବଳ ଗୋଟାଏ ଉଜ୍ଜ୍ଵଳ ଆଲୋକ ପୂଜାମଣ୍ଡପ । ନଭେମ୍ବର ରାତ୍ରିର ହେମାଳ ପବନ । ଦେହରେ ତା’ର ହିମାଳୟର ଗନ୍ଧ; କିନ୍ତୁ ମୋତେ ଶୀତ ଲାଗୁନି । ଠିକ୍ ପ୍ରବଳ ଉତ୍ତାପରେ ଦେହ ମୋର ଜଳୁଛି । ଗୋଟାଏ ଉତ୍ତପ୍ତ ଅଗ୍ନିପିଣ୍ଡ ପରି ମୁଁ ଆଗକୁ ଆଗକୁ ମାଡ଼ି ଚାଲିଲି ।

 

ପୂଜାମଣ୍ଡପ ନିର୍ଜନ । ବିଭୀଷିକା ରାତ୍ରିର ନିର୍ଜନ ପ୍ରହରୀ ପରି ଇଲେକ୍ଟ୍ରିକ୍ ବଲ୍‍ବଟା କେବଳ ଜଳୁଛି ନିଃସଙ୍କୋଚରେ, ନିର୍ଭୟରେ । ଚାରିଆଡ଼େ ଭାସୁଛି ଝୁଣା ଓ ଧୂପର ଗନ୍ଧ । ସେଇ ଗନ୍ଧ ଆଚ୍ଛନ୍ନ କରି ରଖିଛି ସମସ୍ତ ପୂଜା ମଣ୍ଡପକୁ । ଆଉ ତା’ରି ଭିତରେ ଏକ ଅନ୍ଧକାର ରାତ୍ରିର ନିର୍ଜନ ପ୍ରହରରେ ଏକ ଶୂନ୍ୟ ପ୍ରାନ୍ତର ଭିତରେ ଲେଲିହାନ ଜିହ୍ନା ବିସ୍ତାର କରି ଭୟଙ୍କର ଚାମୁଣ୍ଡା ସ୍ତବ୍‍ଧ ହୋଇ ଛିଡ଼ା ହୋଇଛି ନିଜର ଭୟଙ୍କରତାରେ ନିଜେ ଭୟଭୀତ ହୋଇ । ପଦତଳେ ବିଛାଡ଼ି ହୋଇ ରହିଛି ନାନାରଙ୍ଗର ଫୁଲର ପାଖୁଡ଼ା–ନାନାପ୍ରକାର ପ୍ରସାଦ । ଆଉ କେତେଗୁଡ଼ାଏ ପାତ୍ରରେ ଜମାଟବନ୍ଧା ନାଲିଚିଆ ମାଟିଆ ବର୍ଣ୍ଣର ରକ୍ତ । ସମସ୍ତ ଝୁଣା ଧୂପ ଫୁଲର ସୌରଭକୁ ଚିରି ଦେଇ ଏକ ମାଂସାଳ ଗନ୍ଧ ବିଛୁରିତ ହେଉଛି ରାତ୍ରିର ନିସ୍ତବ୍‍ଧ ପ୍ରହରରେ ।

 

ମୁଁ ଚାହିଁ ରହିଲି ସେଇ ମୂର୍ତ୍ତିକୁ କେତେଟା ମୁହୂର୍ତ୍ତ । ତା’ପରେ ଏକ ଭୀଷଣ ରୋଷରେ ଉନ୍ମାଦ ହୋଇ ପ୍ରବଳ ଭାବରେ ଆଘାତ କରିବାକୁ ଲାଗିଲି ସେଇ ମୂର୍ତ୍ତି ଉପରେ । ମୋର କୁଠାରର ତୀବ୍ର ଆଘାତରେ ଭାଙ୍ଗି ପଡ଼ିଲା ମାଟିର ପିତୁଳା । ଛିନ୍ନଭିନ୍ନ ହୋଇଗଲା କଦାକାର ବିଭତ୍ସ ନାରୀମୂର୍ତ୍ତି—ତା’ର ମୁଣ୍ଡମାଳ ତା’ର ଲେଲିହାନି ଜିହ୍ନା—ପ୍ରଜ୍ୱଳିତ ଚକ୍ଷୁ, ଭୂତପ୍ରେତ ଡାହାଣୀ ଚିରୁଗୁଣୀର ସମାହାର ।

 

ପ୍ରଥମ ରୋଷର ବେଗ କଟିଗଲା ପରେ ମୁଁ ସ୍ତବ୍‍ଧ ହୋଇ ରହିଗଲି କିଛିକ୍ଷଣପାଇଁ । ନିରୀକ୍ଷଣ କରିବାକୁ ଲାଗିଲି ସେଇ ଛିନ୍ନଭିନ୍ନ ଧ୍ଵଂସାବଶେଷକୁ । ଗୋଟାଏ ମାଟିର ପିତୁଳା—ସେ ପୁଣି ଏତେ ଭୟର ସୃଷ୍ଟି କରିପାରେ ? ଏଇତ ମହାଶକ୍ତି କାଳୀ—ଖଣ୍ଡ ଖଣ୍ଡ କୁଟା ମାଟିର ଭଗ୍ନାଂଶ-। ଏଇ ତ ଭୟ—ବିପର୍ଯ୍ୟସ୍ତ ରଙ୍ଗ ଓ କଳ୍ପନାର ଯାଦୁକରୀ । ଏଇ ମାଟି ଖଣ୍ଡକୁ ଏତେ ଭୟ-?

 

ମୁଁ ହୋ ହୋ ହୋଇ ହସି ଉଠିଲି । ମୋର ଅଟ୍ଟହାସର ପ୍ରତିଧ୍ଵନି ନିସ୍ତବ୍‍ଧ ଆକାଶରେ ପ୍ରତିଧ୍ଵନିତ ହୋଇ ଉଠିଲା ବହୁଗୁଣିତ ହୋଇ ! କମ୍ପିବାକୁ ଲାଗିଲା ବାୟୁମଣ୍ଡଳ । ଏଇତ ଆହ୍ଵାନ । ଏଇ ତ ମନୁଷ୍ୟତ୍ୱର ଡାକ । ନିଜତ୍ଵର ଉଦାତ୍ତି ଚିତ୍କାର । ସ୍ୱାଧୀନତାର ପ୍ରଥମ ସ୍ଳୋଗାନ୍ ।

 

ପରଦିନ ସକାଳ ।

 

ସୁପ୍ରିୟାର ଡାକରେ ମୋର ନିଦ ଭାଙ୍ଗିଲା ।

 

—“ଦେଖ ତ, କାଳୀମୂର୍ତ୍ତିକୁ କିଏ ଭାଙ୍ଗି ଦେଇଛି । କେତେ ବଡ଼ ଅଶୁଭ କଥା କହ ତ-? କ’ଣ ହେବ ? କ’ଣ ହେବ ଆମ ଦେଶକୁ ? ଆମ ଟାଉନ୍‍ର ଏଥର ଆଉ ରକ୍ଷା ନାହିଁ-। କିଏ ଏତେ ବଡ଼ ପାଷାଣ୍ଡ ? କାହା ହାତ ଗଲା ଏମିତି କାମ କରିବାକୁ ? କିଏ ବିଧର୍ମୀ ନିଶ୍ଚୟ ଏ କଥା କରିଛି ? ହେ ମା କାଳୀ, ହେ ମା’ ଭବାନୀ, ରକ୍ଷା କର ମା ।”

 

ମୁଁ ଆଶ୍ଚର୍ଯ୍ୟ ହୋଇ ଚାହିଁରହିଲି ସୁପ୍ରିୟାକୁ । ପ୍ରବଳ କ୍ରୋଧରେ ଫାଟି ପଡ଼ିଛି ସେ । “ଯଦି ଧରା ପଡ଼ନ୍ତା ତାକୁ ସେଇ ମା’ କାଳୀଙ୍କ ପାଖରେ ବଳି ଦିଅନ୍ତେ ।”

 

ମୁଁ ଶିହରି ଉଠିଲି । ଏଇ କ’ଣ ମୋ ସ୍ତ୍ରୀ ସୁପ୍ରିୟା ? ମୁଁ ତାକୁ ଚିହ୍ନିପାରିଲିନି । ଅବାକ୍ ହୋଇ ଚାହିଁ ରହିଲି କେବଳ ।

 

“ଯାଅ, ଚାହିଁଛ କ’ଣ ? ସମସ୍ତେ ଗଲେଣି ପୂଜା ମଣ୍ଡପକୁ । କ’ଣ ଗୋଟାଏ ବ୍ୟବସ୍ଥା କରିବାକୁ ତ ହେବ । ଆଜକୁ ପଚାଶ ବର୍ଷ ହେଲା ପୂଜା ହୋଇ ଆସୁଛି । କେବେ ତ ଏମିତି ହୋଇନି । ଏ ନିଶ୍ଚୟ ଦୈବୀ କାଣ୍ଡ । ମଣିଷ ନୁହେଁ । କାହାର ସାହସ ହେବ ଏତେ ରାତିରେ ଦେବୀ ପାଖକୁ ଯିବାକୁ ? କଞ୍ଚା ଖାଇଯିବନି ମା’ ? ପୂଜାରେ ନିଶ୍ଚୟ କିଛି ଅନୀତି ଘଟିଛି । ସେଥିପାଇଁ ଏସବୁ କଥା । ମୁଁ ଜାଣେ ପରା, ଭଲ ନୈଷ୍ଠିକ ବ୍ରାହ୍ମଣ ନହେଲେ କ’ଣ ଚଣ୍ଡୀପୂଜା କରି ପାରିବି ? କ’ଣ ଖେଳଘର କଥା ହୋଇଛି କି ? କୁଆଡ଼ୁ ଗୋଟାଏ ଭିକମଗା ବ୍ରାହ୍ମଣକୁ ଏଥର ଧରି ଆଣିଛନ୍ତି । ପୁରୁଣା ବ୍ରାହ୍ମଣକୁ କିଛି ବେଶୀ ପଇସା ଦେଇଥିଲେ ହୋଇ ନଥାନ୍ତା ? କେଇଟା ଟଙ୍କା ପାଇଁ........”

 

ସୁପ୍ରିୟା ବକି ଚାଲିଛି ଅନବରତ ।

 

ରାସ୍ତା ଘାଟରେ ଲୋକ ପରିପୂର୍ଣ୍ଣ । ଦଳଦଳ ଲୋକ ଛକମୁଣ୍ଡରେ , ଦୁଆରମୁହଁରେ । ସୁପ୍ରିୟାର ଆଶଙ୍କା ପ୍ରତିଟି ମଣିଷ ମନରେ ପ୍ରସ୍ଫୁଟିତ ହୋଇ ଉଠିଛି । ସମସ୍ତେ ଭୟାତୁର । ସମସ୍ତେ ଆଶଙ୍କାକୁଳିତ । ଏକ ଅଜଣା ଭୟରେ କାକୁସ୍ଥ, ନିପୀଡ଼ିତ, ଭୟାର୍ତ୍ତ । ଦଳ ଦଳ ନାରୀପୁରୁଷ ଭିଡ଼ି ବାନ୍ଧି ଚାଲିଛନ୍ତି ପୂଜା ମଣ୍ଡପ ଆଡ଼କୁ । ଦୈବୀ ଦୁର୍ଘଟଣା ? ମନୁଷ୍ୟର ଇଚ୍ଛାକୃତ ବଦମାସି ? ଅସମ୍ଭବ । ଏ ନିଶ୍ଚୟ ମହାମାୟା କାଳୀଙ୍କର ଇଚ୍ଛାକୃତ ।

 

କିନ୍ତୁ କ’ଣ ପାଇଁ ? କି ଅନୀତି ? କିଏ କଲା ? ଭୟ, ଆଶଙ୍କା, ଅଜାଣତରେ କ୍ରୋଧ ମାଡ଼ି ବସୁଛି, ପାଟିତୁଣ୍ଡ, ହଟ୍ଟଗୋଳ, ପରସ୍ପର ପ୍ରତି ଦୋଷାରୋପ ତୀବ୍ର ହୋଇ ଉଠୁଛି । ବହୁଦିନର ସଞ୍ଚିତ ଈର୍ଷା । କ୍ରୋଧ, ପ୍ରତିଶୋଧ ଜୀବନ୍ତ ହୋଇ ଉଠୁଛି ଏଇ ବାୟୁମଣ୍ଡଳରେ, ଘଟଣା ଗୋଟାଏ ବାହାନା ।

 

ମଣିଷ କ’ଣ କେବେ ମୃତ୍ୟୁ ଭୟରୁ ରକ୍ଷା ପାଇବନି ?

 

ମୁଁ ସମସ୍ତଙ୍କ ମୁହଁକୁ ଚାହିଁବାକୁ ଲାଗିଲି । ସବୁଠି ସେଇ ଭୟର ପ୍ରତିବିମ୍ବ । ପ୍ରତ୍ୟେକଟି ମୁହଁରେ ଆଶଙ୍କାର ଛାଇ । ମୁଁ କାହାକୁ ଭାଙ୍ଗିଲି ? କାହାକୁ ଧ୍ଵଂସ କଲି, ଆଃ, ମୁଁ କିଛି କରିପାରିନି । ଗୋଟାଏ ପିତୁଳାକୁ ଭାଙ୍ଗିଛି ସତ; କିନ୍ତୁ ଭାଙ୍ଗି ପାରିନି ଅଗଣିତ ଲୋକର ପୁଞ୍ଜିଭୂତ ବିଶ୍ଵାସକୁ; କିନ୍ତୁ କ’ଣ ପାଇଁ ଏ ବିଶ୍ୱାସ ? କେବଳ ଭୟଭୀତ ମାନବର ଆଶଙ୍କାକୁଳିତ ଅଭିବ୍ୟକ୍ତି କ’ଣ ଏଇ ବିଶ୍ୱାସ ? କେବଳ ଦେହର ରକ୍ଷା ନିମିତ୍ତ ନିର୍ବୋଧ ଲୋକମାନଙ୍କର ଗୋଟାଏ ଅଶରୀରୀ ନିକଟରେ ଦାୟିତ୍ଵ ସମର୍ପଣର ନାମ ହିଁ, କ’ଣ ବିଶ୍ୱାସ ? ଦେହର ବିନାଶ ଜାଣି ସୁଦ୍ଧା ତାକୁ ବିଳମ୍ବିତ କରିବାର ପ୍ରୟାସର ନାମ କ’ଣ ବିଶ୍ୱାସ ?

 

ମୁଁ ପୁଣି ସମସ୍ତ ଲୋକଙ୍କୁ ଗୋଟି ଗୋଟି କରି ନିରୀକ୍ଷଣ କରିବାକୁ ଲାଗିଲି । ଏଇ ଅଗଣିତ ଜନସମୁଦ୍ର ଭିତରେ ନିଜକୁ ଭୀଷଣଭାବେ ନିଃସଙ୍ଗ, ଏକାନ୍ତଭାବେ ଏକାକୀ ମନେ ହେଲା-। ମୁଁ ଗଭୀର ହତାଶାରେ ଚାହିଁ ରହିଲି ସେଇ ଭଙ୍ଗା ପ୍ରତିମାର ଅବଶିଷ୍ଟାଂଶ ଆଡ଼େ ଅପଲକ ଦୃଷ୍ଟିରେ । କେତେ ସମୟ ଏମିତି ବିତିଯାଇଛି ଜାଣେନା । ହଠାତ୍ ସମ୍ବିତ ପାଇ ଫେରି ଚାହିଁ ଦେଖେତ କେହି ଲୋକ ଆଉ ସେଠାରେ ନାହାନ୍ତି । ସମସ୍ତେ ପାଲଟି ଯାଇଛନ୍ତି କେବଳ ଗୋଟିଏ ପ୍ରତିମୂର୍ତ୍ତିରେ । ଯୁବା, ବୃଦ୍ଧ, ଶିଶୁନାରୀ ସମସ୍ତେ ପରିବର୍ତ୍ତିତ ହୋଇ ଯାଇଛନ୍ତି ଏକ ପ୍ରଦିପ୍ୟମାନା ଖଣ୍ଡାଖର୍ପର ଧାରିଣୀ କାଳୀମୂର୍ତ୍ତିରେ ପ୍ରତ୍ୟେକଟି ଜୀବଜନ୍ତୁ ଜଡ଼ ଜଗତ କେବଳ ସେଇ ପ୍ରତିମୂର୍ତ୍ତିର ପ୍ରତିବିମ୍ବ ମାତ୍ର ।

 

ମୋର ମନେହେଲା ସବୁ କେମିତି କ୍ରମେ କ୍ରମେ ପାଲଟି ଯାଉଛି । ମୁଁ ବି ପାଲଟି ଯାଇଛି ସେଇ କାଳୀମୂର୍ତ୍ତିରେ । ଧୀରେ ଧୀରେ ବୃହତ୍‍ରୁ ବୃହତ୍ତର ହୋଇ ଉଠୁଛି । ମୋର ହାତପାଦ ଦେହ କ୍ରମଶଃ ବିସ୍ତୃତ ହୋଇ ଉଠୁଛି ଆଦିଗନ୍ତ । ବ୍ୟପ୍ତ ହୋଇ ଯାଉଛି ସମଗ୍ର ବ୍ରହ୍ମାଣ୍ଡ ଭିତରେ ।

 

ସକାଳର ରୌଦ୍ରଦୀପ୍ତ ଆକାଶ ଅଖଣ୍ଡ ସୂର୍ଯ୍ୟାଲୋକରେ ଦୀପ୍ୟମାନା ପୃଥିବୀ କ୍ରମଶଃ ସ୍ତିମିତ ହୋଇ ଆସୁଛି ମୋ ଆଖିରେ । ଆକାଶରେ ସୂର୍ଯ୍ୟ ଅସ୍ତ ଗଲା— କିନ୍ତୁ ଚନ୍ଦ୍ର ନାହିଁ, ତାରା ନାହିଁ, ନାହିଁ ବା ରାତ୍ରିର ଅନ୍ଧକାର । ଏକ ପ୍ରଦୀପ୍ତ ଗୋଧୂଳିର ଜ୍ୟୋତିରେ ଆକାଶ ପୃଥିବୀ ଏକ ହୋଇଗଲା । ସ୍ତବ୍‍ଧ ହୋଇଗଲା ପୃଥିବୀ । ନିସ୍ତବ୍‍ଧ ହୋଇ ଉଠିଲା ବାୟୁମଣ୍ଡଳ । ନିର୍ଜନ ହୋଇଗଲା ସମସ୍ତ ପ୍ରାନ୍ତର । ମୁଁ ଆଖି ଖୋଲି ଦେଖିଲି—ମୁଁ ଛିଡ଼ା ହୋଇଛି ଏକ ମହାଶ୍ମଶାନର ଅଭ୍ୟନ୍ତରରେ । ଆଦିଗନ୍ତ ବିସ୍ତୃତ ମହାଶ୍ମଶାନ । ତା ଭିତରେ କେତେ ଅଗଣିତ ଜୀବଜନ୍ତୁଙ୍କର ଭଗ୍ନାବଶେଷ କେତେ ସହର ଜନପଦ ଗ୍ରାମର ଧ୍ୱଂସାବଶେଷ; କେତେ ଗ୍ରହ ନକ୍ଷତ୍ର ଛାୟାପଥର ଧ୍ୱଂସାବଶେଷ । ଖାଲି ଧୂସର ଚିହ୍ନ । ପାଉଁଶ, ହାଡ଼ଗଦା, ଅଙ୍ଗାର ପୋଡ଼ାକାଠ, ଭଙ୍ଗାମାଠିଆ, ଅନନ୍ତ, ଅସୀମ ଅଚିନ୍ତନୀୟ ମହାଶ୍ମଶାନ । ତା’ର ଆରମ୍ଭ ନାହିଁ, ତା’ର ମଧ୍ୟ ନାହିଁ, ତା’ର ଶେଷ ନାହିଁ, ଅନନ୍ତ ତାର ପରିବ୍ୟାପ୍ତି । ଆଉ ସେଇ ମହାଶ୍ମଶାନକୁ ବ୍ୟାପୃତ କରି ବିସ୍ତୃତ ହୋଇ ରହିଛି ଏକ ଅନନ୍ତ ଗୋଧୂଳିର ସୁତୀବ୍ର ଜ୍ୟୋତି ।

 

ଚିରନ୍ତନ, ଅନନ୍ତ, ଶାଶ୍ଵତ ସେ ମହାଶ୍ମଶାନ ଓ ତା’ର ଅଖଣ୍ଡ, ପ୍ରଜ୍ଜ୍ଵଳୀତ, ଚିରୋଜ୍ଜ୍ୱଳ ମହଜ୍ୟୋତି ।

 

ମୁଁ ସଂଜ୍ଞା ହରେଇ ବସିଲି

 

(ଝଙ୍କାର, ୧୯ଶ ବର୍ଷ ଚତୁର୍ଥସଂଖ୍ୟା, ଜୁଲାଇ୧୯୬୬)

 

ଟୁଲୁ ସା’ନ୍ତବାପାକୁ ଡାକେ ବାପା ବୋଲି । ପିଲାଦିନୁ ଅଭ୍ୟାସ ।

 

“ଆଚ୍ଛା, ବାପା, ତୁମର ଏମିତି ଛବିବହି ଥିଲା ?

 

“ଉହୁଁ ।”

 

“ତେବେ କେମିତି ପଢ଼ୁଥିଲ ?”

 

“ଆମ ଚାହାଳୀ ଥିଲା । ଅବଧାନେ ତଳେ ଲେଖି ଦେଉଥିଲେ । ଆମେ ତା’ ଉପରେ ମଡ଼େଇ ମଡ଼େଇ ଲେଖୁଥିଲୁ । ଜାଣୁ, ଆମ ଅବଧାନେ ଭାରି ରାଗୀ । ତାଙ୍କ ପାଖରେ ଦି’ହାତ ଲମ୍ବ ପାଚିଲା ବେତ ଥାଏ । ଟିକେ ପାଠ ନ ଆସିଲେ ସଫା ସଫା ମାଡ଼ ନହେଲେ ଏକ—ଗୋଡ଼ିକିଆ । ବେଶୀ କିଛି ହେଲେ ଦି ଗୋଡ଼ ଫାଙ୍କାକରି ନଇଁ ଗୋଟେ ହାତ ଭୂଇଁରେ ଆଉ ଗୋଟେ ହାତ ପିଠି ଉପରେ ରଖି ଘଣ୍ଟା ଘଣ୍ଟା ରହିବାକୁ ପଡ଼େ ।”

 

“ଭାରି କଷ୍ଟ ହେଉଥିବ ତ । ତୁମେ ତମ ଡାଡ୍‍ଡିଙ୍କି କହିଦିଅ ନାହିଁ । ମୁଁ କେମିତି ସାର୍ ମାରିଲେ ଡାଡ୍‍ଡିଙ୍କି କହିଦିଏ ଯେ ସେ ଗାଳି ଦିଅନ୍ତି ତାଙ୍କୁ ।”

 

“ହୁଁ ।” ଗୋଟାଏ ଚପା ଦୀର୍ଘ ନିଃଶ୍ଵାସର ଶବ୍ଦ । କଡ଼ାଗଣ୍ଡା, ପାହି, ପଣକିଆ, ଓଡ଼ାଙ୍କ, ଫେଡ଼ାଙ୍କ ଫେଣ୍ଟିହୋଇ ଯେମିତି ଏଇ ନୀରବ ଦୀର୍ଘଶ୍ଵାସରେ ବାହାରିଗଲା ।

 

“ହୁଁ, କଲ ଯେ ?”

 

“କିଛି ନାହିଁ । ମୋ ବାପା ସେମିତି ଅବଧାନକୁ ଗାଳି ଦେଉ ନଥିଲେ ।”

 

“ତୁମ ଡାଡ୍‍ଡି ଖୁବ୍ ଖରାପ, ନୁହେଁ ?”

 

“ହଅଅ.........” । କିଛି ମାନେ ନାହିଁ ।

 

“ଆଚ୍ଛା, ବାପା ତୁମର ତ ଛବିବହି କି ଗପବହି ନଥିଲା । କ’ଣ ପଢ଼ୁଥିଲ ?”

 

“ଭାଗବତ, ମଥୁରାମଙ୍ଗଳ, ରସକଲ୍ଲୋଳ—କେତେ ବହି ।”

 

“ଭାଗବତ ବହି ? ସେଇଟା ପୁଣି କ’ଣ ? ଏଇ ଏରୋପ୍ଲେନ, ରକେଟ, ହୀରାକୁଦ ବନ୍ଧ ଗପ ସବୁ ସେଥିରେ ଥିଲା ।”

 

ଗୋଟାଏ ସ୍ତମ୍ଭିତ ଆଖିରେ ଚାହିଁଲେ ନାତି ଟୋକାକୁ । ଦୀର୍ଘ ନିଃଶ୍ୱାସର ଗତିଟା ଯେମିତି ବଢ଼ିଗଲା ।

 

“ଏଇ ଟୁଲୁ । ଟୁଲୁ–ଉ–ଉ–ଉ ।” କ’ଣ ଏଠି ଚବର ଚବର ହେଉଛୁ । ଇଆଡ଼େ ପରା ମାଷ୍ଟ୍ରେ ବସିଲେଣି ।” ନାରୀକଣ୍ଠର ତୀକ୍‍କ୍ଷଣ୍‍ ଚିତ୍କାର । ପୁତ୍ର ବଧୂ ଟୁଲୁର ବୋଉ ।

 

“ବାପା, କୁହ ନା ବୋଉକୁ—ଆଜି ପଢ଼ିବିନି । ପଶି ଆସିଲେ ଶ୍ୟାମାଙ୍ଗୀ, କୃଶା, ସୁନ୍ଦରୀ ନାରୀଟିଏ ।

 

“ଆଜି ଆଉ ନହେଲେ—ପିଲାଟା ନାହିଁ କରୁଛି ।”

 

“ଆପଣ ତାକୁ ଆଦର ଦେଇ ଦେଇ ନଷ୍ଟ କରିଦେବେ । ତାକୁ ମୁଁ ଲାଗିପଡ଼ି ଚେଷ୍ଟା କରୁଛି ଏ ବର୍ଷ କ୍ଲାସ ଫୋର୍ ରେ ଭର୍ତ୍ତି କରିବି ଆଉ—ଏଇ ଟୁଲୁ, ଚାଲ୍ କହୁଛି ।”

 

ପ୍ରତିବାଦର ଶକ୍ତି ନାହିଁ । ଟୁଲୁ ଚାଲି ଗଲାଣି ।

 

ତେଣୁ ନୀରବ ଘରଟା ଆହୁରି ନୀରବ ହୋଇ ଯାଇଛି । ଖାଲି ଶୂନ୍ୟତା ।

 

ଟୁଲୁର ବାପା ଗୌରୀକିଶୋର । ତାକୁ ଆଠ ବର୍ଷ ହେଲା ପର୍ଯ୍ୟନ୍ତ ସେ ତା’ ବୋଉକୁ ଦିନବେଳେ ଭଲକରି ଦେଖି ନାହାନ୍ତି । ଆଉ ତାଙ୍କ ବାପା ? ସେଇ ପ୍ରଥମ ବାହାଘର ମୁହଁଚାହାଁ ଦିନଠୁ ମଲାପର୍ଯ୍ୟନ୍ତ ଦି ବହୂ ମୁହଁ ଦେଖିପାରି ନାହାନ୍ତି । ଓଢ଼ଣା ଯେ ହାତେ ଲମ୍ବ । କଥା କହୁଥିବ ଯେ ଜଣେ ଛଡ଼ା ଦି’ଜଣ ଶୁଣି ପାରିବ ନାହିଁ ।

 

ଶୂନ୍ୟତା ଭିତରେ ଅନେକ ପରିଚିତ ମୁହଁ । ଆଃ, । ‘ଏଇ ଶୁଣୁଛ ?’

 

“ହୁଁ, କହ । କ’ଣ ହେଲା ? ଏତେ ଚିତ୍କାର କାହିଁକି ?”

 

“ଏଇ ବାପାଙ୍କ କଥା ଦେଖ ନା । ଟୁଲୁଟାକୁ ଆଦର ଦେଇ ଦେଇ ତା ମୁହଁ ବଢ଼େଇ ଦେଲେଣି ।”

 

“ତମେ ବାପାଙ୍କ ପାଖରୁ ଆସୁଛ ?”

 

ହଁ, ପରା । ଟୁଲୁ ଜମା ପଢ଼ିବାକୁ ମଙ୍ଗୁ ନଥିଲା । ଆଉ ଇଏ—”

 

“ଏମିତି ଓଢ଼ଣା ନଦେଇ ଯାଇଥିଲ ?”

 

“ହଁ, କ’ଣ ଭାସିଗଲା ସେଇଠୁ ? ମୁଁ ଏତେ ମନେ କରିପାରେ ନା ଯା—”

 

“ଓଢ଼ଣା ନଦେଇ ଗଲେ ସେ ଟିକେ ମନେ ମନେ ଦୁଃଖ କରନ୍ତି । ମୁଁ କେତେଥର କହିଲିଣି ତୁମକୁ ? ଟିକେ ଦେଇଦେଲେ ଅବା କ’ଣ ଏମିତି ଅଶୁଦ୍ଧ ହୋଇ ଯାଆନ୍ତା ?”

 

“ମୋର କେତେ କାମ ଅଛି ନା ଖାଲି ଓଢ଼ଣା ଦେବାକୁ ସବୁବେଳେ ମନେ କରୁଥିବି ? ତୁମର ତ ସେଇ ମରହଟିଆ ଇଚ୍ଛା ଅଛି କହ—ବାପାଙ୍କ ମୁଣ୍ଡରେ ଦୋଷ କାହିଁକି ଦେଉଛ ?”

 

“ନାଇଁମ, ତୁମେ ତ ବୁଝିବନି । ଖାଲି—”’

 

“ହଁ ମ, ମୁଁ ବୁଝୁଛି ଯେ—ଦେଖ, ଏମିତି ସବୁବେଳେ କ’ଣ ମଣିଷର ମନେ ରହେ ? ତା’ ଛଡ଼ା ଏଟା ଏମିତି ଯେ—ଆଚ୍ଛା, ବାପା ଯଦି ତମକୁ କହନ୍ତି ଗେରୁଆ ଗାମୁଛା ପିନ୍ଧ ପାଇଖାନା ଯାଅ, କଛା ମାରି ଭାତ ଖାଅ, ନିଶ କାଟି ଦିଅ—ତମେ କରିବ ?

 

“ଧେତ୍, କୋଉ କଥାରୁ କୋଉ କଥା ? ଆଜିକାଲି କ’ଣ—”

 

“ହଁ ସେଇ କଥା, ଆଜିକାଲି କ’ଣ—”

 

“ହଉ ବାବା ହେଲା । ମୁଁ ଆଉ ତୁମ ସାଙ୍ଗରେ ପାରୁନି । ଆମ ବନ୍ଦନା କାହାନ୍ତି ?”

 

“ତା କଲେଜର ଲେକ୍‍ଚରାର ପରା ଆସିଛନ୍ତି । ସେ ସେଇ ଦାଣ୍ଡଘରେ । ହଁ, ମନେପଡ଼ିଲା । ଆଚ୍ଛା, ବୁନି କଲେଜରେ ପଢ଼ିଲାଣି । କେତେବେଳେ କେମିତି ତା ସାଙ୍ଗ କି ଆଉ କିଏ ବୁଲି ଆସୁଛନ୍ତି । ସେ ତାଙ୍କ ସାଙ୍ଗରେ କଥା ହେବନି । ଏଇପାଇଁ ପୁଣି ବାପାଙ୍କର ରାଗ । କ’ଣ ଯେ କରିବି—ହଉ ଯାଏଁଲୋ ମା । ବୁନି ଚାପାଇଁ କହିଗଲାଣି ।

 

ବନ୍ଦନା ଓରଫ୍ ବୁନି । ଟୁଲୁର ମାଉସୀ ।

 

“ବନ୍ଦନା”

 

“ଉଁ”

 

“ରାଜକନ୍ୟା । ରାଜକୁମାରୀ ।”

 

“ଏମିତି ଥଟ୍ଟା କଲେ ମୁଁ ଉଠିଯିବି କହୁଛି ।”

 

“ନା, ନା ସତରେ । ଏମିତି ରାଜକନ୍ୟାର ରୂପ । ବେଳେବେଳେ ମୁଁ ଭାବେ ମୋର ଭାଗ୍ୟ ମୁଁ ଏ ଯୁଗରେ ଜନ୍ମ ହୋଇଛି । ନହେଲେ ଏ ରାଜକନ୍ୟାର ପାଖରେ ଏତେ ସହଜରେ ବସି ସାନ୍ନିଧ୍ୟ ଅନୁଭବ କରିବାର ସୌଭାଗ୍ୟ କ’ଣ ହୋଇଥାନ୍ତା ?”

 

“କାହିଁକି ?

 

କାହିଁକି ? ଆଗକାଳ ହୋଇଥିଲେ କୋଉ ମାଲୁଣିକି ଖୋସାମତ୍ କରିବାକୁ ପଡ଼ନ୍ତା ଫୁଲଭିତରେ ଭାଷା ନେବାପାଇଁ । ସାତତାଳ ଉଚ୍ଚ ପାଚିରୀ ଡେଇଁବାକୁ ପଡ଼ନ୍ତା । ବାରହାତ ଖଣ୍ଡା ବୁଲେଇବାକୁ ପଡ଼ନ୍ତା । ଘୋଡ଼ା ଚଢ଼ିବାକୁ ପଡ଼ନ୍ତା । ବୁଢ଼ୀ ଅସୁରୁଣୀକୁ ମାରିବାକୁ ପଡ଼ନ୍ତା । ଆହୁରି କେତେ କଥା କରିବାକୁ ପଡ଼ନ୍ତା ତାର ସୀମା ଅଛି ?

 

“ବୁଢ଼ୀମା କାହାଣୀ କହୁଛନ୍ତି ?”

 

“ନ ହେଲା ଅବା । ଧର ଆଜିକୁ ପଚାଶବର୍ଷ ବଳେ । ତମେ ଏମିତି କଲେଜରେ ପଢ଼ୁଥାନ୍ତ ନା ମୋର ଦେଖା ହୋଇଥାନ୍ତା । ତା ପରେ ବି ମୁଁ କଣ ଏମିତି ବିନା ବାଧାରେ ଏଠିକୁ ଆସି ପାରୁନଥାନ୍ତି ନା ତମ ସାଙ୍ଗରେ ବସି ତମର ହାତରୁ ଉଷୁମ ଚା’ର ଅମୃତର ଆସ୍ଵାଦ ପାଇ ପାରିଥାନ୍ତି ?

 

“ଧେତ୍, ଆପଣ ଭାରି ଥଟ୍ଟା କରି ପାରନ୍ତି ।”

 

ପ୍ରତ୍ୟେକ କୋଠରୀର ଅସରନ୍ତି ସୁଅଭିତରେ ବୃଦ୍ଧଙ୍କ ଘରେ ଗଭୀର ନୀରବତାର ଦ୍ଵୀପ-। ଏକ ଅସୀମ ନିସ୍ତବ୍‍ଧତା । ଭଗ୍ନାବଶେଷର ନିର୍ଜନତା । ହରପ୍‍ପା, ମହେଞ୍ଜୋଦାରୋ, ଶିଶୁପାଳ ଗଡ଼ ।

 

ଅନେକ ଦୂରରେ ବିଜୟନଗର ଗଡ଼ରେ ରାଜା ବୀରେନ୍ଦ୍ର କିଶୋର ଭଞ୍ଜଦେଓଙ୍କ ପ୍ରାସାଦର କୋଠରୀ ଭିତରେ ନୀରବତା । ରାଜାସାହେବ ବିଛଣା ଛାଡ଼ିଲେ । ଦିନଟା ତାଙ୍କର ରାତ୍ରି-। ରାତିଟା ଦିନ । ‘ଶ୍ୟାମ କିଙ୍କର !’ ହୁଙ୍କାର ଛାଡ଼ିଲେ ରାଜାସାହେବ । ଗୁଡ଼ାଏ ପ୍ରତିଧ୍ୱନୀ ଗୁମରି ଗୁମରି କାନ୍ଦି ଉଠି ମିଳେଇଗଲା ଆକାଶର ନୀଳିମା ଭିତରେ ।”ଆଜ୍ଞା, ମଣିମା ।” ସୁନା ଛାଉଣୀ ବିରାଟ ହୁକା ନେଇ ପ୍ରବେଶ କଲା ଶ୍ୟାମ କିଙ୍କର । ବହୁ ପୁରାତନ ଅଭ୍ୟାସ ବିଛଣା ଛାଡ଼ିଲିମାତ୍ରେ ହୁକା ସେବନ । ଶ୍ୟାମ କିଙ୍କର ପଦ ମର୍ଦ୍ଦନ ଆରମ୍ଭ କଲା । ହୁକାର ଭୁଡ଼ୁ ଭୁଡ଼ୁ ଧ୍ୱନି ବହୁଦିନରୁ ଲୁପ୍ତ ହୋଇ ଯାଇଥିବା କୋଠରୀର ବାୟୁମଣ୍ଡଳରେ ଆତ୍ମଗୋପନ କରିଥିବା ସୀତାରର ଝଙ୍କାରକୁ ଉପହାସ କରିବାକୁ ଲାଗିଲା ।

 

ରାଜାସାହେବ ବିଛଣା ଛାଡ଼ନ୍ତି ରାତି ସାତଟାରେ । ‘ପ୍ରାତଃ ଭୋଜନ’ ରାତି ଦଶଟାରେ । ମଣୋହ ରାତି ଦୁଇଟା । ରାତି ପାଞ୍ଚଟାରେ ପୁଣି ଶୟନ ।

 

“ସୂର୍ଯ୍ୟ ଅସ୍ତ ଗଲେଣି ଶ୍ୟାମ କିଙ୍କର ?”

 

“ଆଜ୍ଞା, ମଣିମା ।”

 

“ସୂର୍ଯ୍ୟ ଅନେକବେଳୁ ଅସ୍ତଗଲେଣି ନା ଶ୍ୟାମ କିଙ୍କର ?” ମନେ ମନେ ପ୍ରଳାପ କଲେ ରାଜାସାହେବ । ‘‘ସୂର୍ଯ୍ୟ ଅନେକବେଳୁ ଅସ୍ତ ଯାଇଛନ୍ତି । ବାକି କେବଳ ଅନ୍ଧାର, ଖାଲି ଅନ୍ଧାର ।”

 

ଅନ୍ଧାର ବି ଜମିଛି ମୁଜାଫରାବାଦରେ । ମୋତିମହଲର ମାର୍ବଲ୍‍ର ମସୃଣ ଅନ୍ତଃପୁର ହାରେମର ପ୍ରକୋଷ୍ଠରେ । ନବାବ୍ ବାହାଦୁର୍ ଆମଜାଦ୍ ଆଲିଶାହ୍‍ଙ୍କ ଆଖିରେ । ଶୂନ୍ୟତାର ରାଜୁତି ମଝିରେ ଶୂନ୍ୟଦୃଷ୍ଟିରେ ଚାହିଁ ବସିଛନ୍ତି ନବାବ ବାହାଦୁର୍ । ଆଗରେ ମହମବତୀ ଜଳୁଛି ରୂପାର ବତୀଦାନୀରେ । କୋଠରୀରେ ଏକ ତୀବ୍ର ଉତ୍କଟ ଗନ୍ଧ—ଦେଶୀ ମଦର । ହାତରେ ତାଙ୍କର ସ୍ଵର୍ଣ୍ଣ ପାନପାତ୍ର । ଏକମାତ୍ର ବହୁମୂଲ୍ୟ ଅବସ୍ଥାର ବ୍ୟକ୍ତିଗତ ସମ୍ପତ୍ତି । ହାୟ !

 

“ଶମ୍ମା ଜଲତୀ ହୈ । ଜଲ୍ ନେ ଦୋ । ଏକ ମାସୁମ୍ ହସୀନା କି ଉଭରତୀ ହୁଇ ଜାମ୍-ଏ-ଶବାବ୍, ହୁସେନ୍-ଏ-ନଜାକତ୍, ପିଘଲତୀ ହୁଇ ଆଁଶୁକେ ତରହ ବହଜାନେ ଦୋ । ଟୁଟ୍‍ଜାନେ ଦୋ ୟେ ଟୁଟାହୁଆ ପୈମାନା, ଖ୍ୱାଇସ୍ ଔର ଖ୍ୱାବ ସେ ଭରାହୁଆ ମେହଫିଲ୍‍ । ଶୀଶେ ଔର ସପନୋଁ ସେ ବନା ହୁଆ ୟେ ହୁସ୍‍ନାମା, ଆଲିଶାଁ ଶୀଶ୍ ମହଲ୍ । ନବାବୋଁଜୀ ଦୁନିଆ କେ ୟେ ଝୁଠୀ ଶାନେ ଔର ଶୌକତ...... ।”

 

ଝୁଲୁ ପଢ଼ୁଛି । ପାଟିକରି ।

 

“ପୁରାକାଳରେ ଓଡ଼ିଶା ଏକ ସମୃଦ୍ଧଶାଳୀ ଦେଶ ଥିଲା । ଏହାର ରାଜଧାନୀ ଥିଲା କଟକ । କଟକରେ ବାରବାଟୀ ଦୁର୍ଗ ଓ ତା’ ଭିତରେ ରାଜାଙ୍କ ନବତଳ ପ୍ରାସାଦ ଥିଲା । ରାଜାମାନେ ଅତିଶୟ ଧର୍ମପ୍ରାଣ ଓ ପ୍ରଜାବତ୍ସଳ ଥିଲେ । ରାଜ୍ୟରେ ଅସଂଖ୍ୟ ଦେବାଳୟ ଓ ପୁଷ୍କରିଣୀ ନିର୍ମାଣ କରାଇଥିଲେ; କିନ୍ତୁ ଓଡ଼ିଶାର ଶେଷ ସ୍ୱାଧୀନ ରାଜା ମୁକୁନ୍ଦଦେବଙ୍କ ସମୟରେ ବଙ୍ଗଳାର କଳାପାହାଡ଼ ଓଡ଼ିଶା ଆକ୍ରମଣ କରି ଅନେକ ମନ୍ଦିରକୁ ଭାଙ୍ଗି ଚୂରୀ ଧ୍ୱଂସ କରି ଦେଇଥିଲେ । ମୁକୁନ୍ଦଦେବଙ୍କ ରାଣୀ......”

 

“ହୁଁ ।” ଶୂନ୍ୟ କୋଠରୀରେ ବୃଦ୍ଧଙ୍କ ହୁଙ୍କାର ଉଲ୍‍କା ପରି କ୍ଷଣିକ ଆଲୋକରେ ଉଦ୍ଭାସିତ ହୋଇ ଶୂନ୍ୟତାର ବାୟୁମଣ୍ଡଳରେ ହଜିଗଲା କେବଳ ମାତ୍ର ଶଦ୍ଦ ତରଙ୍ଗର କେତେଗୁଡ଼ାଏ ବୃତ୍ତ ସୃଷ୍ଟି କରି । ବୃତ୍ତର ବ୍ୟାସାର୍ଦ୍ଧ କ୍ରମେ ବଢ଼ି ଚାଲିଲା । ଅସ୍ପଷ୍ଟ ହୋଇ ଆସିଲା ତା’ର ସୀମାରେଖା । ତା’ପରେ ତା’ର ପରିଧିର ସତ୍ତା ବି ଲିଭିଗଲା ।

 

“କଳାପାହାଡ଼ ? ହୁଁ । କଳାପାହାଡ଼ ମଣିଷ ନୁହେଁ । କଳାପାହାଡ଼ ଅତୀତ ନୁହେଁ । ସେ ଏକ ନିତ୍ୟନୈମିତ୍ତିକ ବର୍ତ୍ତମାନ । ନିତ୍ୟ, ନିଗମ, ଅବ୍ୟୟ, ଅକ୍ଷୟ, । ସେ ଏବେ ବି ଭାଙ୍ଗୁଛି । ଭାଙ୍ଗି ଚାଲିଥିବ ଯୁଗ ଯୁଗ ଧରି ।

 

“ମୂର୍ଖ । ମୂର୍ଖ । ମୂର୍ଖ ।”

☆☆☆

 

ବିଶର ମହାନ୍ତି

 

ଦେବପ୍ରିୟ ଦର୍ପଣରେ ନିଜ ମୁହଁକୁ ନିଠେଇ କରି ଚାହିଁଲା । ଛତିଶ ବର୍ଷର ମୁହଁ । ମୁଁହରେ ଦି’ଦିନର ଦାଢ଼ି । କେତେ କଳା, କେତେ ଧଳା । ଧଳାର ପ୍ରଧାନ୍ୟ କ୍ରମଶଃ ବେଶି ହୋଇ ଆସୁଛି । ମୁଣ୍ଡରେ ବି ସେମିତି କଳା ଗୋରାର ଅପୂର୍ବ ସହାବସ୍ଥାନ । ଚାରି ପାଞ୍ଚବର୍ଷ ଆଗରୁ ସୁପ୍ରିୟା ତା ମୁଣ୍ଡର ଧଳାବାଳ ସବୁ ବାଛି ଦେଉଥିଲା । ଆଉ ସେ ନିଜେ—ନିଠେଇ ନିଠେଇ ନିଶ ଭିତରୁ ଧଳାର ଆବିର୍ଭାବକୁ ଚିମୁଟା ଦେଇ ନିର୍ମୂଳ କରୁଥିଲା । ପ୍ରତିଦିନ ସକାଳୁ ଓଲଟଭାବେ ଖିଅର ହୋଇ ମୁଁହଟାକୁ ଚିକ୍‍କଣ କରି ରଖୁଥିଲା । ଯୌବନକୁ ବାନ୍ଧି ରଖିବାକୁ ଚାହୁଁଥିଲା ସେ ।

 

ହସ ମାଡ଼ିଲା ଦେବପ୍ରିୟକୁ । କେତେବଡ଼ ମୁର୍ଖ ଥିଲା ସେ । ଭବିତବ୍ୟକୁ ପ୍ରତିରୋଧ କରୁଥିଲା ତାର ସୀମିତ ଶକ୍ତି ଦେଇ । ତିରିଶ ବର୍ଷ ପର୍ଯ୍ୟନ୍ତ ଯୌବନ । ତା’ପରେ ଆସେ ବୃଦ୍ଧତ୍ୱର ପ୍ରଥମ ଆଭାସ, ଅତି ଅଲକ୍ଷ୍ୟରେ ଅତି ସଂଗୋପନରେ । ଗୋପନରେ ଗୋପନରେ ଦେହର ଗ୍ରନ୍ଥି ଶୀଥିଳ ହୁଏ । ମନ–ନଦୀର ଉଦ୍ଦାମଗତି ମନ୍ଥର ହୁଏ । ଜୀବନସମୁଦ୍ରର ଉତ୍ତାଳ–ଲହରୀରେ ଭଟ୍ଟାର ଧିମା ଧିମା ତାଳ ଶୁଭେ । ନିଜର ଅଜାଣତରେ ଦେହର ବଇଁଶୀ ବିଦାୟର କରୁଣ ରାଗିଣୀ ଶୁଣାଏ । କିନ୍ତୁ ସବୁ ଜାଣିଶୁଣି ବି କାନ ଦେଇନି । ଆଖିବୁଜି ଲାଗିପଡ଼ିଛି ଯୌବନକୁ ଆହୁରି କିଛିଦିନ ବଢ଼େଇ ଦେବାକୁ । ହାଃ !

 

ଛତିଶ ବର୍ଷ ! ଛତିଶ ବର୍ଷର ମୁହଁ ଏଇଟା । କେତେ ପରିବର୍ତ୍ତନ ଦେଇ ଗତି କରୁଛି । ମସୃଣ ମୁହଁ ରୁକ୍ଷ ହୋଇଛି । ପ୍ରଥମ ନରମ ଦାଢ଼ି ଆସ୍ତେ ଆସ୍ତେ କର୍କଶ ହୋଇଛି । ଧୂସର ରଙ୍ଗ କ୍ରମଶଃ ମିଳେଇ ଯାଇଛି ଘନକୃଷ୍ଣ ରଙ୍ଗ ଭିତରେ । ପୁଣି ସେଇ କଳାରଙ୍ଗ ଭିତରୁ ଅପ୍ରତ୍ୟାଶିତଭାବେ ଆତ୍ମପ୍ରକାଶ କରିଛି ଧଳା ରଙ୍ଗ । ପ୍ରଥମ ସୂଚନା । ଆଜି ତାଙ୍କରି ପ୍ରାଧାନ୍ୟ, ନାକର ଦୁଇ ପାଖରୁ ଦୁଇଟା ଗଭୀର ରେଖା ଓଠର ଦୁଇକୋଣ ଦେଇ ବହି ଆସିଛି ଚିବୁକ ପାଖକୁ-। ଆଖି ତଳେ ତଳେ ଦୁଇ ଚାରିଟା କୁଞ୍ଚିତ ରେଖା ଅଧାହୋଇ ରହିଛି । ଆଉ କିଛି ଦିନ ଗଲେ ସମଗ୍ର ଆଖିକୁ ବେଷ୍ଟନ କରିବ ଏଇ ରେଖାର ପରିଖା । ଦୃଷ୍ଟିରେ ଆଜି କାଲି ହଠାତ୍ କେମିତି ଝାପ୍‍ସା ଦେଖାଯାଉଛି ବେଳେବେଳେ । କେତେ ଦୂତ ଜରାର । କେତେ ଭୀଷଣ, ଅତ୍ୟାଚାରୀ ଦୂତ-। ପ୍ରତ୍ୟେକଟିର ଆଗମନର ସୂଚନା ଆଘାତରେ । ଆଘାତ ଦେଇ ସେମାନେ ଚେତେଇ ଦେବାକୁ ଚାହାନ୍ତି ତାଙ୍କର ଅପ୍ରତିହତ, ଦୁର୍ଦ୍ଦମ, କଠୋର ବାର୍ଦ୍ଧକ୍ୟ-ସମ୍ରାଟର ଭୀଷଣତା ।

 

ଦୁଃଖ ଲାଗେ ଏ ଜୀବନର ଶେଷ ହେଲା ବୋଲି । କିନ୍ତୁ ତାର ଦୁଃଖ କଣ ? ଏଇ ଛତିଶ ବର୍ଷ ଜୀବନରେ ସେ ସବୁ କିଛି ପାଇଛି । ଊଣା ଅଧିକେ ସମସ୍ତ କାମନା ବାମନା ଚରିତାର୍ଥ ହୋଇଛି । ବଡ଼ ଅଫିସର ହୋଇଛି । ଅନେକ ଟଙ୍କା ଅର୍ଜନ କରିଛି । କୋଠା ତୋଳିଛି । କାର କିଣିଛି । ସୁନ୍ଦରୀ ସ୍ତ୍ରୀ । ଦୁଇଟି ସନ୍ତାନ, କଣ ଆଉ ତାର ବାକି ? ଅନେକ ସୁନ୍ଦରୀ ଯୁବତୀଙ୍କୁ ସାମୟିକ ଭାବେ ଅଙ୍କଶାୟିନୀ କରିବାର ସୁଯୋଗ ମଧ୍ୟ ସେ ପାଇଛି । ତେବେ କିଛିରେ ତ ତାର ଦୁଃଖ ହେବା ଅସ୍ଵାଭାବିକ । ତେବେ କାହିଁକି ଗୋଟାଏ ଅଜଣାର ଆଶାରେ ସେ ଏତେ ବ୍ୟାକୁଳ ହୋଇ ଉଠୁଛି । ତାର କାମନାର କିଛି ଗୋଟାଏ ନିର୍ଦ୍ଦିଷ୍ଟ ରୂପ ନାହିଁ ଅଥଚ ସେଇ ଅନିର୍ଦ୍ଦିଷ୍ଟ ବସ୍ତୁ ପାଇଁ ତାର ଏ ସୁଖର ସଂସାର ଯେମିତି ଗୋଟାଏ ବିରକ୍ତିକର ମନୋଟନାସ୍ । କଣ ପାଇଁ ତାର ଏ ବିତୃଷ୍ଣା ? ତାର ଉଚ୍ଚାକାଙ୍‍କ୍ଷାର ତ ଏ ପର୍ଯ୍ୟନ୍ତ ଶେଷ ହୋଇନି । ତାର ସମସ୍ତ ପାର୍ଥିବ କାମନାର ତ ଶେଷ ହୋଇନି । ତେବେ କାହିଁକି ? ଏଇଟା କଣ ଜରାତ୍ଵର ପ୍ରଥମ ସୂଚନା ? ଏଇ ଅଜଣାର ଚିନ୍ତା କରିବା କଣ ବାନପ୍ରସ୍ଥର ବାର୍ତ୍ତାବହ ।

 

ସୁପ୍ରିୟା ପଲଙ୍କ ଉପରେ ଶୋଇଛି । ଗଭୀର ନିଦ୍ରାରେ ମଗ୍ନ ହୋଇ । ଦେହ ପ୍ରତି ସଂପୂର୍ଣ୍ଣ ବିମୁଖା ହୋଇ । ନୀଳବଲ୍ ର ନୀଳ ଆଲୋକର ବନ୍ୟା ତାକୁ ଏକ ଅସାମାନ୍ୟ ନୀଳପରୀ ଭଳି ଦେଖାଯାଉଛି । ଅତି ଆକର୍ଷଣୀୟ, ଅତି ମନୋହର, ଅତି ରମଣୀୟ ।

 

ଦୁଇଟି ସନ୍ତାନର ଜନନୀ ଅଠେଇଶ ବର୍ଷ ବୟସ୍କା ସୁପ୍ରିୟା ବର୍ତ୍ତମାନ ସୁଦ୍ଧା ବି ଯୁବତୀ ହୋଇ ରହିଛି । ନାନା ପ୍ରକାର ପ୍ରସାଧନ ଭିତରେ ନିଜର ଯୌବନକୁ ଅଟକେଇ ରଖିଛି । କିନ୍ତୁ ରାତିର ଏହି ନୀରବ ପ୍ରହର ଭିତରେ ତାର ଶୀଥିଳ ଅଙ୍ଗଲତା ନିଃସହାୟ ହୋଇ ପଡ଼ିଛି । ଦୁର୍ବଳ ହୋଇ ଲୋଟି ପଡ଼ିଛି ତାର ଅତୀତର ଉନ୍ନତ ସ୍ତନ ଯୁଗଳ । ପେଟ ତଳେ ତଳେ ମେଦ ବୃଦ୍ଧି ହୋଇ ଗୋଟାଏ ନରମ ସିଲ୍‍କର ଦଉଡ଼ି ପରି ମେଞ୍ଚା ହୋଇରହିଛି । ନରମ ଦେହ ଆହୁରି କୋମଳ ହୋଇ ଉଠୁଛି । ଆଃ, ନିର୍ବୋଧ ସୁପ୍ରିୟା । ନିଜ ଅଜାଣତରେ ତାରି ଦେହ ତାରି ସାଙ୍ଗରେ ବାଦ ସାଧୁଛି । ସେ ବି ବୟସର ପାହାଚ ଖସୁଛି ଅଥଚ ସେ ତା ମାନିବାକୁ ଚାହେଁନା । ଯୁଦ୍ଧ କରୁଛି ସେ-। ଜାଲ ଭିତରର ମାଛ ପରି ନିଷ୍ଫଳ ଆକ୍ରୋଶରେ ।

 

ସୁପ୍ରିୟା ଏବେ ବି ପାଖରେ ଶୁଏ । ଛୁଆ ଦିଓଟି ଆୟା ପାଖରେ ଶୁଅନ୍ତି । ତା ସାଙ୍ଗରେ ନ ଶୋଇଲେ କୁଆଡ଼େ ତାକୁ ନିଦ ହୁଏନା । ଆଧୁନିକା, କନଭେଣ୍ଟ ଶିକ୍ଷତା; ବଡ଼ ଲୋକର କନ୍ୟା ସୁପ୍ରିୟା । ସାହେବୀ କାଇଦାରେ ବଢ଼ି ଆସିଛି । ପାଶ୍ଚାତ୍ୟ ଦେଶର ବେଶଭୁଷା, ଆଦବ୍ କାଇଦାରେ ନକଲି ଦେଶୀରୂପ । ରାତିରେ ଛୋଟ ରାତ୍ରପୋଷାକ ପିନ୍ଧି ଶୁଏ । ଅଧାଛାତିରୁ ଆରମ୍ଭ କରି ମଧ୍ୟ ଜଙ୍ଘ ପର୍ଯ୍ୟନ୍ତ ସେଇ କନାର ବିସ୍ତୃତି । ତାରି ଆଦେଶରେ ଦେବପ୍ରିୟର ବି ରାତ୍ରପୋଷାକ ତିଆରି ହୋଇଛି । ସେ ବି ସାହେବ ହୋଇଛି ।

 

କିନ୍ତୁ ଆଉ କେତେଦିନ ? ସୁପ୍ରିୟା ବୁଢ଼ୀ ହେବ । ବାଳ ଧଳା ହେବ । ଯୋଉ ଦେହ ପାଇଁ ସେ ଏତେ ପାଗଳ ସେଇ ଦେହରେ ଭର୍ତ୍ତି ହୋଇଯିବ ଅସଂଖ୍ୟ ଜିଆ ପରି କୁଞ୍ଚିତ ରେଖା ।ଯୋଉ ହସ ପାଇଁ ସେ ଏତେ ବିମୁଗ୍ଧ, ଯେଉଁ ସରୁ ସରୁ ଦାନ୍ତଗୁଡ଼ିକ ସେଇ ହସକୁ ଏକ ହୀରକର ଔଜ୍ଜଲ୍ୟରେ ଉଦ୍ଭାସିତ କରିଦିଏ ସେ ସବୁ ଲିଭିଯିବ ଗୋଟାଏ ଗହ୍ଵର ଭିତରେ । ସେ ହେବ ପାକୁଆ ପାଟି ବୁଢ଼ୀ । ଗାଲ ପଶିଯିବ, ଆଖିର ଔଜ୍ଜଲ୍ୟ ଲିଭିଯିବ । ତାର ସୌନ୍ଦର୍ଯ୍ୟ ଜରାର ନିଷ୍ଠୁର ଆଘାତରେ ଭାଙ୍ଗିରୁଜି ଧ୍ଵଂସ ହୋଇଯିବ । ଆଉ ସେ ? ଗଳିତ ନଖଦନ୍ତ, କ୍ଷମତାହୀନ ଏକ ରିଟାୟାର୍ଡ ବୃଦ୍ଧ । ବାଡ଼ି ଧରି ଯା’ ଆସ କରିବ । ମୋଟା ଚଷମା ଭିତର ଦେଇ ଲୋକ ଚିହ୍ନିବ । ମଧ୍ୟରାତ୍ର ପରଠାରୁ ବିଛଣାରେ ପଡ଼ି ପଡ଼ି ଅତୀତ ସ୍ମୃତିର ରୋମନ୍ଥନ କରିବ ଗୋଟାଏ ଗୃହପାଳିତ ପଶୁପରି । ଆଃ, ସବୁଶେଷ । ସବୁ କାମନା, ବାସନା, ଆକାଙ୍‍କ୍ଷାର ପରିସମାପ୍ତି ହେବ ସେଇ ଘୃଣ୍ୟ ପରିବେଶ ମଧ୍ୟରେ । ତା ଆଗରୁ ସେ ମରିଯାଇ ପାରନ୍ତାନି ? ସେ ମରନ୍ତା କେବଳ ଯୌବନର ସ୍ମୃତି ନେଇ । ଜରାଜୀର୍ଣ୍ଣ ଅବସ୍ଥାରେ ପଙ୍କିଳ ନର୍ଦମା ଭିତରେ ଘାଣ୍ଟି ହୋଇ ଶେଷ ଜୀବନଟାକୁ କେବଳ ବିସ୍ଵାଦିତ କରିବାକୁ ପଡ଼ନ୍ତା ନାହିଁ । ସେ ଯଦି ମରି ପାରନ୍ତା, ବର୍ତ୍ତମାନ ଏଇ ମୁହୂର୍ତ୍ତରେ ।

 

ମୃତ୍ୟୁ ? ନିଜ ଭାବନାରେ ନିଜେ ଚମକି ପଡ଼ିଲା ଦେବପ୍ରିୟ । ଛି ଛି ଛି, କଣ ସେ ଭାବୁଛି ? କେତେ କାମ ଆହୁରି ବାକି ଅଛି ତାର ? ଆହୁରି ଦୁଇଟି ପ୍ରମୋସନ, ଝିଅ ବାହାଘର । ପୁଅ ଏପର୍ଯ୍ୟନ୍ତ ପ୍ରତିଷ୍ଠିତ ହୋଇନି । ଘରର ଦୋତାଲାଟା ସଂପୂର୍ଣ୍ଣ ହୋଇନି । ପୁରୀର ଜାଗାଟା ସେମିତି ପଡ଼ିଛି । ସୁପ୍ରିୟା କହୁଥିଲା ନୂଆ କାର କିଣିବାକୁ । ଟେଲିଭିଜନ୍ ବୁକ ହୋଇଛି । ପୁଣି କେତେଟା ଲୋକକୁ ଦେଖି ନେବାକୁ ହେବ । ଏଇ ପ୍ରମୋସନରେ ସେ ସେମାନଙ୍କୁ ଉଚିତ ଶିକ୍ଷା ଦେବ । ନାଃ–ନାଃ–ନାଃ ଏତେବେଳେ ସେ ମରି ପାରେନା । ପୁରୀରୁ ଆଜି ଫେରିଲା ପରେ କଣ ହୋଇଛି ତାର ? ଯେତେସବୁ ବାଜେକଥା ଭାବୁଛି ।

 

ସ୍ଵର୍ଗଦ୍ଵାର ପାଖରେ ଗୋଟାଏ ଶବପୋଡ଼ା ହେଉଥିଲା । ଇଃ, କି ବିକିଟିଆ ଗନ୍ଧ ପୋଡ଼ାମାଂସର । ବର୍ତ୍ତମାନ ବି ଯେମିତି ଏଇ କୋଠରୀ ଭିତରେ ସେ ଗନ୍ଧଟା ଭାସି ବୁଲୁଛି । କଦର୍ଯ୍ୟ, ବୀଭତ୍ସ, ଅଣନିଃଶ୍ୱାସୀକର ବର୍କିଟିଆ ଗନ୍ଧ । ଧୂଆର ନୀଳ କୁଣ୍ଡଳୀଟା ସେଇ ଗନ୍ଧକୁ ସାରା ସମୁଦ୍ର କଳରେ ଖେଳେଇ ଦେଇ ଧୀରେ ଧୀରେ ଉପରକୁ ଉଠି ସାଗର ଓ ଆକାଶର ନୀଳିମାରେ ହଜିଯାଉଥିଲା ସେଇ ଗନ୍ଧରେ ପାଗଳ ହୋଇ । ସମୁଦ୍ରର ଉତ୍ତାଳ ଲହରୀ ଗୁଡ଼ାଏ ଗୁଡ଼ାଏ ମାଂସ ଲୋଭୀ ହିଂସ୍ର ଆଲସେସିଆନ୍ କୁକୁର ପରି ବେଳା ଭୂମିର ଉପରେ ଛାଟିପିଟି ହୋଇ ଅଜାଡ଼ି ହୋଇ ପଡ଼ୁଥାନ୍ତି ଏକ ତୀବ୍ର ଆକ୍ରୋଶରେ । ଲହରୀ ପରେ ଲହରୀ । ଅବିଶ୍ରାନ୍ତ, ଅବିରାମ । ସମସ୍ତଙ୍କୁ ଧ୍ଵଂସ କରି ତାରି ନୀଳଗର୍ଭରେ ଲୀନ କରିଦେବାକୁ ଏକ ପ୍ରବଳ ବେଗରେ ମାଡ଼ି ଆସୁ ଆସୁ କେଉଁ ଅଜଣା ବ୍ୟକ୍ତିର ନିର୍ଦ୍ଦେଶରେ ଅଟକି ଯାଇ ପ୍ରଗାଢ଼ ଅସନ୍ତୋଷରେ ଚିତ୍କାର ଛାଡ଼ୁଥାନ୍ତି ଅତି ଉଚ୍ଚ ସୁରରେ । ଆଉ ସେଇ ଅର୍ଦ୍ଧପାଗଳ ଜଟିଆ ବାବାଜୀଟା ସ୍ଵର୍ଗଦ୍ଵାରରେ ପାଚିରୀ କାନ୍ଥକୁ ଆଉଜି, ମଝିରେ ମଝିରେ ହସି ହସି ଗଡ଼ିଯାଇ, ଖଞ୍ଜଣିମାଡ଼ରେ କାନ ଅତଡ଼ା ପକାଇ ଅତି କର୍କଶ ସ୍ଵରରେ ଗାଉଥିଲା ଅତି ପୁରୁଣା’ ବହୁ ଶ୍ରୁତ ପୁରୁଣା ଚଉତିଶାଟା—“ଛ ଗଣ୍ଠି କାଠ”......ଅଶାନ୍ତ ସମୁଦ୍ର, ନିର୍ଲିପ୍ତ ଆକାଶର ବାୟୁ–ବିଚିକିଟିଆ ଗନ୍ଧ ଓ ସର୍ବୋପରି ଜଟିଆ ବାବଜିର ଉଦାର କଣ୍ଠସ୍ୱର ଯେମିତି ପୁନରାବୃତ୍ତି ହେଉଛି—ଏଇ ନୀରବ, ଶାନ୍ତ କୋଠରୀକୁ ପ୍ରତିଧ୍ଵନୀତ କରି । ହାଃ ହାଃ ହାଃ ‘ଛ ଗଣ୍ଠି କାଠ’—ବାଃ; ବାଃ ଛ ଖଣ୍ଡି କାଠ । ଦେବପ୍ରିୟ ଦେହରେ ଅଜଣା ଅସ୍ଥିରତା । ବ୍ୟାକୁଳ ଅସହାୟତା । ସେ ଯେତେ ଛାଟିପିଟି ହେଇଛି ସେଇ ଚଉତିଶାର ପ୍ରତ୍ୟେକଟି ପଦ ଯେପରି ଗୋଟାଏ ଗୋଟାଏ ସାପ ପାଲଟି ଯାଇ ୟାର ଦେହ ମନ ପ୍ରାଣ ସବୁଥିରେ ଗୁଡ଼େଇ ହୋଇ ଯାଇଛନ୍ତି । ସମୁଦ୍ରର ସେଇ ଫେଣାକ୍ତ ଢେଉଗୁଡ଼ାକ ବିକଟାଳ ମୁହଁ କରି ମାଡ଼ି ଆସୁଛନ୍ତି ତାରି ଆଡ଼କୁ । ଚାରିଆଡ଼େ ଏକ ଗଭୀର ନୀଳବର୍ଣ୍ଣର ଅନ୍ଧକାର । ଆକାଶ ପୃଥିବୀ ସବୁ ସେଇ ଘନନୀଳର ବହଳ ଆସ୍ତରଣ ଭିତରେ ନିଶ୍ଚହ୍ନ ହୋଇଯାଇଛନ୍ତି । ଆଉ କିଛି ନାହିଁ—ଖାଲି ସାପ ଆଉ ରାକ୍ଷସ ।

 

‘ଆଃ’ । ମୁଣ୍ଡଟା ମଶାରୀବାଡ଼ରେ ବାଜି ସଂବିତ ଫେରି ପାଇଲା ଦେବପ୍ରିୟ । ଦେହରେ ଅଜସ୍ର ଝାଳ । କି ଦୁଃସ୍ୱପ୍ନ । ବସି ବସି ସେ ସ୍ଵପ୍ନ ଦେଖୁଛି । ଛିଃ ଛିଃ । ବଡ଼ ଦୁର୍ବଳ ହୋଇପଡ଼ୁଛି, ସେଣ୍ଟିମେଣ୍ଟାଲ । ସବୁ କେବଳ ଆରମ୍ଭ କେଇଟା ଧଳାବାଳରୁ । କଣ ହୋଇଛି ତା’ର ? ମୋଟେ ଛତିଶ ବର୍ଷ ବୟସ ମାତ୍ର । ଆହୁରି ଅନେକ ଦିନ ଅଛି । କି ହେବ ସେଗୁଡ଼ା ଚିନ୍ତା କରି ? ବର୍ତ୍ତମାନ ଜୀବନ୍ତ । ଭବିଷ୍ୟତର କଥା ଚିନ୍ତା କରି ଲାଭ କଣ ?

 

ଏଇ ତ ସୁପ୍ରିୟା ଶୋଇଛି । ଦେହର ରଙ୍ଗୀନ୍ ନିଶାର ବିପଣୀ ଖୋଲି । ଏଇତ ତାର ସିଲକ କୋମଳ କେଶଗୁଚ୍ଛ । ଏଇତ ତାର ଦୀର୍ଘାୟିତ ଭ୍ରୂଲତା । ଏଇତ ତାର ସୁକୋମଳ ଗଣ୍ଡଦେଶ, ନରମ ଓଷ୍ଠଧାର । ଦେବପ୍ରିୟ ଦେହରେ କାମନାର ପ୍ରଥମ ଅଗ୍ନିକଣା ଝଲସି ଉଠିଲା । ସେ ସୁପ୍ରିୟାକୁ ଦୁଇ ହାତରେ ଉଠେଇ ଆଣି ପାଗଳ ଭାବରେ ଚୁମା ଦେବାକୁ ଲାଗିଲା । ନା ସେ ଆଉ କିଛି ଭାବିବନି । କିଛି ନା । ସୁପ୍ରିୟା ସତ୍ୟ । ସୁପ୍ରିୟାର ଯୌବନ ସତ୍ୟ । ଆଜିକାର ଏଇ ମୁହୂର୍ତ୍ତ ସତ୍ୟ ।

 

ନିଦ ବଲବଲ ଆଖିରେ ମୃଦୁହସି ସୁପ୍ରିୟା ଚାହିଁଲା ।”ରାତି ଅଧରେ ଫେର ବଦମାସି ।” ହସ ନୁହେଁ ସେ । ଆକର୍ଷଣ । ଦେବପ୍ରିୟର ଅଗ୍ନିହୋତ୍ରୀ । ଦେବପ୍ରିୟ ଉତ୍ତେଜିତ ହୋଇ ଉଠିଛି । ଉନ୍ମତ୍ତ ହୋଇଉଠିଛି । ନା, ସୁପ୍ରିୟାର ଭିତରେ ସେ ଆଜି ନିମଗ୍ନ ହୋଇଯିବାକୁ ଚାହେଁ । ତାର ଯୌବନର ସମୁଦ୍ର ଭିତରେ ଝାସ ଦେଇ ସେ ନିଜର ସତ୍ତା ଭୁଲିଯିବାକୁ ଚାହେଁ । ସେ ଭୁଲିଯିବାକୁ ଚାହେଁ ତାର ଭବିଷ୍ୟତକୁ । ଅବଶ୍ୟମ୍ଭାବୀ ନିର୍ମମ ଭବିଷ୍ୟତକୁ । ସେ ମଗ୍ନକରି ଦେବାକୁ ଚାହେଁ ତାର ଅଳୀକ ଭାବନାର ସମସ୍ତ କଳଙ୍କକୁ । ଆଗାମୀ ଜୀବନର ସମସ୍ତ ଗ୍ଳାନିକୁ ।

 

କିନ୍ତୁ କାହିଁ ? ତଥାପି ଦେବପ୍ରିୟକୁ ନିଦ ମାଡ଼ୁନି । ସୁପ୍ରିୟା ବାଥ୍‍ରୁମ୍‍ରୁ ଯାଇ ଫେରି ଆସି ଶୋଇପଡ଼ିଲାଣି ଅନେକବେଳୁ । ତାର ଗଭୀର ନିଶ୍ଵାସ ତା ଦେହରେ ବାଜୁଛି । ଅଥଚ ତା ଆଖିରେ ନିଦ ନାହିଁ । ନିଃଶେଷ ହୋଇଯିବାର କ୍ଳାନ୍ତି ଓ ଶୂନ୍ୟତା କିଛି ସମୟ ପାଇଁ ତାଙ୍କୁ ତନ୍ଦ୍ରାତୁର କରି ଦେଇଥିଲା ମାତ୍ର । ଆହୁରି ଥରେ ମାଡ଼ି ଆସୁଛି ସେଇ ବିରକ୍ତିକର ଚିନ୍ତାର ଜୁଆର । ଯୋଉଟାକୁ ସେ ଏତେ କରି ଭୁଲିବାର ଚେଷ୍ଟା କରୁଛି, ଉପେକ୍ଷା କରିବାର ଚେଷ୍ଟା କରୁଛି, ସେ ସେତିକି ଜୋରରେ ତା ମନ ଭିତରେ ଆସ୍ଥାନ ମାଡ଼ି ହସୁଛି । ଏ ଚିନ୍ତାର ନାଗଫାଶରୁ ତାର ଆଉ ମୁକ୍ତି ନାହିଁ । ସେ ତାକୁ ଆଚ୍ଛନ୍ନ କରି ରଖିବ ହିଁ ରଖିବ । ଏକ ଚିରନ୍ତନ କଣ୍ଟାପରି ତାରି ମନ ଭିତରେ ସଦାସର୍ବଦା ଫୋଡ଼ି ଚାଲିଥିବ ।

 

କିନ୍ତୁ ଏତେଦିନ ଧରି ତ ସେ କଣ୍ଟାର ଅସ୍ତିତ୍ଵ ସମ୍ବନ୍ଧରେ କିଛି ଜାଣି ନଥିଲା । ଆଜି କାହିଁକି ସେଇଟା ଏତେ ପ୍ରଭାବଶାଳୀ ହୋଇ ଉଠି ତାର ସମସ୍ତ ସୁଖକୁ ଏକ ନିର୍ମମ ଆଘାତରେ ଚୂର୍ଣ୍ଣ ବିଚୂର୍ଣ୍ଣ କରି ଦେଉଛି । ପ୍ରତ୍ୟେକ ଆନନ୍ଦକୁ ଏକ ବିଷାଦର ରସରେ ରସାଣିତ କରୁଛି । ବିଷାକ୍ତ କରିଦେଉଛି ତାର ହସଖୁସି ଆଶା ଓ ସ୍ୱପ୍ନକୁ ।

 

ସେଇ ମନ୍ଦିର ଭିତରେ ପ୍ରଥମଥର ପାଇଁ ସେ ସଚେତନ ହେଲା ଏହାର ଅସ୍ତିତ୍ଵ ସମ୍ବନ୍ଧରେ । ମନ୍ଦିରର ଆଲୋକାନ୍ଧକାର ଭିତରେ, ସ୍ଵଳ୍ପ ଦୀପାଲୋକରେ ଅର୍ଦ୍ଧ ଅନ୍ଧକାରାଚ୍ଛନ୍ନ, ମନ୍ଦିର ଅଭ୍ୟନ୍ତରର ଧୁପଝୁଣା ବିମୋଦିତ ଗମ୍ଭୀର ବାୟୁମଣ୍ଡଳ ଭିତରେ ଜଗନ୍ନାଥକୁ ଦେଖୁଁ ଦେଖୁଁ କାହିଁକି ହଠାତ୍ ତାରି ମନରେ ଉଦୟ ହେଲା ଏ ପ୍ରଶ୍ନ । ଜଗନ୍ନାଥ କଣ ସତ୍ୟ ? ଅଦ୍ଭୁତ ! ଏ ପ୍ରଶ୍ନ କେବେହେଲେ ତାର ଛତିଶ ବର୍ଷ ଜୀବନରେ ଥରକ ପାଇଁ ବି ଫୁଟି ଉଠିନି । କେବେ ଉଠିବାର ଛାୟା ବି ତା ମନରେ ଦେଖା ଦେଇନି । ଜଗନ୍ନାଥକୁ ସେ କେତେଥର ନିଷ୍ପ୍ରାଣ ଭାବରେ ଦର୍ଶନ କରିଛି । ଯନ୍ତ୍ରଚାଳିତ ଭାବରେ ଫୁଲ ଚଢ଼େଇଛି । ପ୍ରଣାମ କରିଛି । ମନେ ମନେ ନିଜର ଅଭୀପ୍‍ସା ପୂରଣ ପାଇଁ ପ୍ରାର୍ଥନା ଜଣେଇଛି । କେବେତ ଏମିତି ହୋଇନି । କିଏ ତାକୁ ଏ ପ୍ରଶ୍ନ କଲା ? ଆଉ କାହିଁକି ସେ ପ୍ରଶ୍ନ ତା ମନ ଭିତରେ ଜବରଦସ୍ତ ମାଡ଼ିବସି ଉତ୍ତର ପାଇଁ ତାକୁ ଅସ୍ଥିର କରୁଛି । କେବେ ତ ଜଗନ୍ନାଥକୁ ବିଶ୍ଳେଷଣ କରିନି, କିନ୍ତୁ କିଏ ତାକୁ ଜବରଦସ୍ତି ବାଧ୍ୟ କରୁଛି ଜଗନ୍ନାଥକୁ ବିଶ୍ଳେଷଣ କରି ଦେଖିବାକୁ ?

 

ସେଇଠି ସେ ଫୁଲ ହାତରେ ଧରି ଭାବିଛି ପ୍ରକୃତରେ ଜଗନ୍ନାଥ କଣ ? ତାଙ୍କୁ ନିରୀକ୍ଷଣ କରି ଦେଖିଛି । ବଡ଼ ବଡ଼ କଳାଡ଼ୋଳାକୁ ଚାହିଁ ପ୍ରଶ୍ନ କରିଛି, କିଏ ତୁମେ ? କେତେଗୁଡ଼ାଏ ବିଚିତ୍ର ଭାବରେ ରଙ୍ଗବୋଳା ଆଦି ମାନବର ପ୍ରସ୍ତର ଚିତ୍ରପରି ଗୋଟାଏ କାଠର ମୂର୍ତ୍ତି ନା ଆଉ କିଛି ? ଦେବତା କାହିଁ ? ସତ୍ୟ କାହିଁ ? କିଏ କେତେ ପ୍ରକାର ଭାବେ ଏଇ ଜଗନ୍ନାଥକୁ ଦେଖିଛି । ସମସ୍ତେ ତାର ପ୍ରତ୍ୟେକ ପରିବର୍ତ୍ତନକୁ ଭାବିଛନ୍ତି ସତ୍ୟ ବୋଲି । କିନ୍ତୁ ପ୍ରକୃତରେ କୋଉଟା ସତ୍ୟ ?

 

ଆଜିକାର ଜଗନ୍ନାଥ ଅତୀତର ଏକ ବୁଢ଼ା ନିମ ଗଛ । ସମସ୍ତଙ୍କ ପାଖରେ ଥିଲା ନିମଗଛ । କିଏ ଦେଖିଥିଲା ତା ଭିତରେ ଜଗନ୍ନାଥକୁ ? ଜଣେ ଉଦ୍ଭିଦବିଜ୍ଞାନୀ ପକ୍ଷରେ ସେଇ ନିମଗଛଟା ଗୋଟାଏ Species–ଏକ ଲାଟିନ୍ ନାମ । ସେଥିରେ ଅସଂଖ୍ୟ ପ୍ରକାର ଜୀବକୋଷ-। ଜାଇଲେମ୍, ଫ୍ଳୋଏମ୍ । ପ୍ରତି ପତ୍ରରେ କେତେ ପ୍ରକାର ଶିରା ପ୍ରଶିରା । ଫୁଲ, ଫଳ, ତାର ଜୀବନବୃତ୍ତର ଇତିହାସ ହିଁ ତା ପକ୍ଷରେ ସତ୍ୟ । ପଶୁପକ୍ଷୀ, ମଣିଷ ପାଖରେ ନିମ ଫଳଟା ପିତା-। ସେଇ ତିକ୍ତତା ହିଁ ସମସ୍ତଙ୍କ ପାଖରେ ସତ୍ୟ । ଯୋଉ ବଢ଼େଇ ଏଇ କାଠକୁ ନେଇ ଜଗନ୍ନାଥ ଗଢ଼େ ସେ ଗଛ ଦେଖେନା, ଫଳ କଥା ଜାଣେନା, ସେ ଦେଖେ କାଠଟାକୁ । ଗୋଲାକାର ଗଣ୍ଡି-। ଚାରିକୋଣିଆ । ଲମ୍ବ, ଓସାର, ଇଞ୍ଚ, ଫୁଟ । ସବୁକୁ ଯୋଡ଼ି ସେ କରେ ଜଗନ୍ନାଥ । ମାପେ, ସାଇଜ୍ କରେ, ଚାଞ୍ଛି ପାଲିସ କରେ । ଜଗନ୍ନାଥକୁ ସେ ଦେଖେନା, ସେ ଦେଖେ ଗୋଟାଏ ନିର୍ଦ୍ଦିଷ୍ଟ ମାପରେ ଗୋଟାଏ କଳ୍ପନାକୁ ଯୋଉଟାକୁ ସେ ଗଢ଼େ ତା’ ପକ୍ଷରେ ସେଇ ନିର୍ଦ୍ଦିଷ୍ଟ କଳ୍ପନାର କାଠର ମୂର୍ତ୍ତିଟାହିଁ ସତ୍ୟ । ଆଉ ଯୋଉ ଚିତ୍ରକର ରଙ୍ଗ ବୋଳେ ତା ପାଖରେ ତାର ସେଇ ରଙ୍ଗର କଳ୍ପନାଟା ହିଁ ସତ୍ୟ-। ଆଉ ଯେତେ ପଣ୍ଡା ସୁଆର, ସେବକ ପୂଜକ ସମସ୍ତଙ୍କ ପାଖରେ ଯାତ୍ରୀହିଁ ସତ୍ୟ । ଯୋଉ ମୁହୂର୍ତ୍ତରୁ ଯାତ୍ରୀ କମିଯିବେ ଠିକ୍ ସେଇ ମୁହୂର୍ତ୍ତରୁ ଜଗନ୍ନାଥ କେବଳ ନିମଗଣ୍ଡି ଉପରେ କେଉଁ ଏକ ବିକୃତ ମସ୍ତିଷ୍କ ଚିତ୍ରକାରର ଅଦ୍ଭୁତ ରଙ୍ଗ ସୃଷ୍ଟି । ଜଗନ୍ନାଥ ଆଉ ସେ ପତିତପାବନ ଦୀନତାରଣ ଜଗନ୍ନାଥ ନୁହେଁ । ଐତିହାସିକ ଦେଖେ ଜଗନ୍ନାଥକୁ ଅନ୍ୟ ରୂପରେ । କିଏ କହେ ସେ ବୁଦ୍ଧର ଅପଭ୍ରଂସ । କିଏ କହେ ସେ ଶବରର ଦେବତା । ଅସଂଖ୍ୟ କିମ୍ବଦନ୍ତୀ, ଶିଳାଲପି, ସ୍ଥାପତ୍ୟ ଭିତରୁ ସେ ଜଗନ୍ନାଥର ପରିଚୟ ଖୋଜେ । ତାର ଐତିହାସିକ ପରିଚୟହିଁ ତା ପାଖରେ ସତ୍ୟ । ଆଉ ଆମେ ଯୋଉମାନେ ଭକ୍ତ, ଯାତ୍ରୀ ଦୂର ଦୂରାନ୍ତରରୁ ବହୁ କାମନା ବାସନା, ଆଶା ବିଶ୍ୱାସ ନେଇ ଆସୁ, ଆମ ପାଖରେ ସେ ଭଗବାନ୍, ସେ ସତ୍ୟ, ସେ ବ୍ରହ୍ମ । କିଏ ତାକୁ ଦେଖେ ଏକ ନିର୍ମମ ନିଷ୍ଠୁର ନିର୍ଲିପ୍ତ ନିର୍ଗୁଣ ବ୍ରହ୍ମ ଭାବରେ, କିଏ ତାକୁ ଦେଖେ ଏକ ଦୟାଳୁ, କ୍ଷମାଶୀଳ, ଅପୂର୍ବ କରୁଣାମୟ, ମହାନ୍ ପିତା ଭାବରେ ଆଉ କିଏ ଅବା ଅତ୍ୟାଚାରୀର ଶତ୍ରୁ, ପାପୀର ଦଣ୍ଡବିଧାତା, ପାପର ମୁକ୍ତିଦାତା, ଧାର୍ମିକର ରକ୍ଷାକର୍ତ୍ତା ଭାବରେ । କିନ୍ତୁ ଅସଲରେ ଜଗନ୍ନାଥ କଣ ? ସେ କଣ କେବଳ ଗୋଟାଏ ଜଡ଼ କାଠଗଣ୍ଡି ନା ଏକ ମହାନ୍ ଦେବତା ? କେଉଁଟା ସତ୍ୟ ?

 

ସତ୍ୟ କେଉଁଟା ନୁହେଁ । ସତ୍ୟ କେଉଁଥିରେ ନିହିତ ନାହିଁ । ସତ୍ୟ କେବଳ ବ୍ୟକ୍ତି ଭିତରେ ହିଁ ନିହିତ, ବ୍ୟକ୍ତିତ୍ଵ ଭିତରେ ସୀମାବଦ୍ଧ । ଯେ ଯେମିତି ଭାବେ ନିଜକୁ ଦେଖେ ସେ ସେମିତି ଭାବେ ତାଙ୍କୁ ଅନୁଭବ କରେ । ଆଜିକାର ସତ୍ୟ ଏକ ବୈୟକ୍ତିକ ସତ୍ୟ । subjective reality କାହିଁ ସେଇ ମୌଳିକ ସତ୍ୟ, ଯେ ସ୍ଥିର, ଯେ ନିର୍ଲିପ୍ତ, ନିର୍ବିକାର ନିର୍ଗୁଣ ନିରାକାର ଚିରନ୍ତନ । ସେମିତି କିଛି ନାହିଁ ବୋଧେ ?

 

ତା ନ ହୋଇଥିଲେ ଆଜିକୁ ଛତିଶବର୍ଷଧରି ସେ ଯୋଉଗୁଡ଼ାକୁ ଅଭ୍ରାନ୍ତ ସତ୍ୟ ବୋଲି ଧରି ନେଇଥିଲା ଆଜି ସେଗୁଡ଼ାକ ଗୋଟାଏ ପ୍ରଶ୍ନର ଆଘାତରେ ଏମିତି ଖଣ୍ଡଖଣ୍ଡ ହୋଇ ଭାଙ୍ଗି ପଡ଼ନ୍ତେ କାହିଁକି ? ଗୋଟିଏ ସତ୍ୟକୁ ପରୀକ୍ଷା କରିବାକୁ ଯାଇ ସେ ଦେଖୁଛି ତା ସାଙ୍ଗରେ ଥିବା ସବୁ ସତ୍ୟ ଗୁଡ଼ାକ କେବଳ ଭ୍ରାନ୍ତିକର ମିଥ୍ୟା । ଯାହା ଉପରେ ବିଶ୍ୱାସ ରଖି, ଯାହାକୁ ଅବଲମ୍ବନ କରି ସେ ଜୀବନର ସୁଖ ପାଇବା ପାଇଁ ପାହାଚ ପରେ ପାହାଚ ଗଢ଼ିଯାଇଛି, ଆଜି ତାର ଶେଷ ମୁଣ୍ଡରେ ପହଞ୍ଚି ଦେଖୁଛି ନିଶୂଣୀର ଶେଷରେ କେବଳ ଶୂନ୍ୟ । ଉପରକୁ ଯିବାର ଉପାୟ ନାହିଁ—ତଳକୁ ଫେରିବାର ବି ଉପାୟ ନାହିଁ ।

 

ଦେବତା ମିଛ । ସତ୍ୟ ମିଛ । ଜଗନ୍ନାଥ ମିଛ । ସ୍ଥିର ସତ୍ୟ ବୋଲି କିଛି ନାହିଁ । ସବୁ କେବଳ ଏଇ ବର୍ତ୍ତମାନର ସତ୍ୟ—ବ୍ୟକ୍ତିଗତ ସତ୍ୟ ।

 

ଏଇ ସୁପ୍ରିୟା ଅଛି । ସେ ଅଛି । ତାଙ୍କର ଯୌବନ ଏବେବି ଶେଷ ହୋଇନି । ସେ ଉପଭୋଗ କରିଯିବ ଏଇ ବର୍ତ୍ତମାନକୁ । ସ୍ପଷ୍ଟରୂପେ ପ୍ରତିଭାତ ହେଉଥିବା ବର୍ତ୍ତମାନର ବାସ୍ତବ ସତ୍ତା ଭିତରେ ସେ ନିଜକୁ ଉପଭୋଗ କରିଯିବ । ଯେତେବେଳେଯାଏଁ ସେ ଏଇ ବର୍ତ୍ତମାନକୁ ପୂଜା କରିଯିବ ସେତେଦିନ ଯାଏଁ ସେ ଶାନ୍ତି ପାଇବ । ଜରା ଆସୁ, ବାର୍ଦ୍ଧକ୍ୟ ଆସୁ, କେବଳ ସେଇ ‘ବର୍ତ୍ତମାନ’ ର ପରିପ୍ରେକ୍ଷୀରେ ସେସବୁ ସହ୍ୟ କରିଯିବ । ପ୍ରତ୍ୟେକଟି ଅବସ୍ଥାର ନୂତନ ନୂତନ ସତ୍ୟକୁ ସେ ଅନୁଭବ କରିଯିବ ସେଇ ନମ୍ର ପରିବର୍ତ୍ତନଶୀଳ ନିତ୍ୟ ନୂତନର ନୂତନତ୍ଵ ଭିତରେ । ସେ ବୁଢ଼ା ହେବ, ସୁପ୍ରିୟା ବୁଢ଼ୀ ହେବ । ଏଇ ଶେଷ କଥା । ସମସ୍ତ କାମନା, ବାସନା, ଆଶା ଆକାଙ୍‍କ୍ଷା ସେଇ ସଙ୍ଗେ ସଙ୍ଗେ ଲୋପ ପାଇଯିବ । ଆଉ ମୃତ୍ୟୁ ଆସି ଚିରଦିନ ପାଇଁ ପୋଛି ନେଇଯିବ ଦୁଇଟି ସତ୍ତାକୁ । ଏଇତକ ସତ୍ୟ । ଆଉସବୁ ବାଜେ କଥା ।

 

ଦେବପ୍ରିୟ କବାଟ ଖୋଲି ବାହାରକୁ ଆସିଲା । ବାହାରେ ଶୀତଳ ପବନ ଆତ୍ମସନ୍ତୋଷରେ ସୁସୁପ୍ତା ପୃଥିବୀର ଆରାମର ଦୀର୍ଘଶ୍ୱାସ ମନେ ହେଉଛି । ମଧ୍ୟରାତ୍ରିର ନୀରବ ପ୍ରହରରେ ମଧ୍ୟଯୁଗର କୁଳଭୁଆଷୁଣୀ ପରି ଅନ୍ଧାର ଭିତରେ ଖୋଲାପବନ ଟିକକ ଅନୁଭବ କରୁଛନ୍ତି ଗୁଡ଼ାଏ ତାରା । ସହର ଶୋଇଛି ପ୍ରଜ୍ଵଳିତ ବିଜୁଳିବତୀର ସଙ୍ଗୀନ୍ ପହରାରେ ନିଶ୍ଚିନ୍ତ ହୋଇ ।

 

ସେତ କିଛି ଦେଖିନି ଆଗରୁ ।

 

ନା, ଅନେକ କିଛି ସେ ଦେଖି ବି ଦେଖିନି । ବହିପଢ଼ା ବିଦ୍ୟା କେବଳ ବହି ଭିତରେ ହିଁ ସୀମାବଦ୍ଧ ହୋଇ ରହି ଯାଇଛି । ସେ ଅନୁଭବ କରି ଶିଖିନି । ତେଣୁ ସେ ଜାଣିନି ଏ ପୃଥିବୀର ଜରାମୃତ୍ୟୁ, ଦୁଃଖଶୋକର ଇତିହାସ । ମାୟାମମତାର ବନ୍ଧନ ଭିତରେ ପାର୍ଥିବ ସୁଖର ଭୋଗବିଳାସ ମଧ୍ୟରେ ଜର୍ଜରିତ ମାନବିକତାକୁ । ଆଉ ଏଇ ଦୃଶ୍ୟମାନ ପୃଥିବୀର ସମସ୍ତ ଅବ୍ୟବସ୍ଥା ସତ୍ୱେ ଏକ ନିର୍ଦ୍ଦିଷ୍ଟ ନିୟମକୁ ମାନି ଚଳୁଥିବା ଅନ୍ତର୍ନିହିତ ଏକତ୍ୱକୁ । ସେ କଣ ଭାବି ଦେଖିଛି କେବେ କାହିଁକି ଏ ଏକତ୍ୱ ? କାହିଁକି ଏ ପୃଥିବୀ ? କାହିଁକି ଏତେ ଜୀବଜନ୍ତୁ ଗଛଲତା ? ଆଉ କାହିଁକି ବା ସେ ? କଣ ବା ତାର ଉଦ୍ଦେଶ୍ୟ ? ସେ କଣ କେବେ ଖୋଜିଛି ଏଇ କ୍ଷଣପରିବର୍ତ୍ତନଶୀଳ ନିତ୍ୟ ନୂତନ ସତ୍ୟ ଭିତରେ ଏକ ଅଚଞ୍ଚଳ ସତ୍ୟକୁ ? କିନ୍ତୁ ସତ୍ୟ କାହିଁ ? ସେ ତ ଏଇମାତ୍ର ଭାବି ଦେଖିଛି ଏକ ସ୍ଥିର ସତ୍ୟ ବୋଲି କିଛି ନାହିଁ; କିନ୍ତୁ ସତ୍ୟ କଣ ସେ ପ୍ରକୃତରେ କେବେ ଖୋଜିଛି କି ?

 

ଆଃ, ଖାଲି ବିଭ୍ରାନ୍ତିକର ଭାବନା । ସଂସ୍କାର ଓ ବିଶ୍ୱାସର ଶିକୁଳି । ଜଗନ୍ନାଥ–ଦେବତା ସତ୍ୟ । ଜଗନ୍ନାଥ ବ୍ରହ୍ମ, ନିର୍ଗୁଣ, ନିରାକାର । ସବୁ ମିଛ କଥା । ସବୁ ବାଜେ କଥା । ଦେବତା ମିଥ୍ୟା, ଜଗନ୍ନାଥ ମିଥ୍ୟା, ଚିରନ୍ତନ ସତ୍ୟ, ମିଛ କଥା । କେହି କିଛି ଜାଣେନା । କେହି କିଛି ବୁଝେନା-। ଯଦି ପ୍ରକୃତରେ ଜଗନ୍ନାଥ ସତ୍ୟ ସେ ଜଗନ୍ନାଥକୁ ଭାଙ୍ଗି ଚୂରି ଦେଖିବାକୁ ଚାହେଁ ସେଇ ସତ୍ୟଟା କଣ ? କାଠଗଣ୍ଡିକୁ ଗଡ଼ଗଡ଼ କରି କାଟି ଦେଖିବ ସେଇ କାଠଗଣ୍ଡି ଭିତରେ ଯୋଉଟା ଏତେ ଯୁଗ ଧରି ଲୁଚି ରହିଛି । ଆବିଷ୍କାର କରିବ ସେଇ ଚିର ଜାଜ୍ୱଲ୍ୟମାନ ମୁକ୍ତାକୁ । ଲୋକ ସମ୍ମୁଖରେ ତୋଳି ଧରିବି ସେଇ ଗୋପନୀୟ ତଥ୍ୟକୁ । ଜଗନ୍ନାଥର ନବକଳେବର ଆଉ ହେବନି । ଲୋକଲୋଚନ ଅନ୍ତରାଳରେ ସେ ସତ୍ୟ ଆଉ ସ୍ଥାନ ପରିବର୍ତ୍ତନ କରିବନି । ପ୍ରସ୍ତ ପ୍ରସ୍ତ କୁସଂସ୍କାର ଓ ଅନ୍ଧବିଶ୍ୱାସ, ଆଉ କୁଢ଼ କୁଢ଼ ମିଥ୍ୟା, ଭଣ୍ଡାମି ଓ ଅନାଚାର ଭିତରୁ ତାକୁ ପୁନରାବିଷ୍କାର କରିବାକୁ ପଡ଼ିବ-। ତା’ ପରେ ସେ ଜାଣିବ ଜଗନ୍ନାଥ ସତ୍ୟ ନା ଏକ ମିଥ୍ୟା ଭଣ୍ଡାମିର କଳ୍ପନା ?

 

ଏକ ଅସମ୍ଭବ ଶକ୍ତିର ସ୍ରୋତ ପ୍ରତିସ୍ରୋତ ଭିତରେ ଦେବପ୍ରିୟ ଉତ୍‍କ୍ଷିପ୍ତ ହୋଇ ଉଠିଲା-। ନୀରବ ରାତ୍ରର ଉନ୍ମୁକ୍ତ ପ୍ରାଙ୍ଗଣ ଭିତରେ ଛିଡ଼ା ହୋଇ ଚିତ୍କାର କରିବାକୁ ଲାଗିଲା–‘‘ଭାଙ୍ଗ, ଭାଙ୍ଗ ଭାଙ୍ଗିଯାଏ କଳେବର । ଜଳିଯା, ପୋଡ଼ିଯା, ରଙ୍ଗବେରଙ୍ଗ କାଠର ମୂର୍ତ୍ତି । ସମୁଦ୍ରର ଅନ୍ତହୀନ ବେଳାଭୂମିର ବାଲୁକା ଶର୍ଯ୍ୟାରେ ଜଳିଯାଉ—ଧ୍ୱଂସ ହୋଇଯାଉ ସେଇ ଜଡ଼ କାଠଟା । ସେଇ ଚିତା ସଙ୍ଗେ ଜଳିଯାଉ ଯେତେ ଭଣ୍ଡାମି, ଯେତେ ଅନାଚାର, ଯେତେ କୁସଂସ୍କାରର ଆବର୍ଜନା-।”

 

ସାରା ଆକାଶରେ ଅଗ୍ନିର ଉତ୍ତପ୍ତ ନାଲି ଆଲୋକ । ଚିତାର ନିଆଁ ଆକାଶ ସ୍ପର୍ଶ କରିଛି-। କାଠ ଜଳୁଛି । ଶୁଖିଲା ନିମକାଠ । ବିସ୍ତୃତ ବେଳାଭୂମିର ବାଲୁକାଶଯ୍ୟା ଉତ୍ତପ୍ତ ହୋଇ ଉଠିଛି-। ସମୁଦ୍ର ସ୍ତବ୍‍ଧ । ଚିରଚଞ୍ଚଳ ଲହରୀମାଳା ଶାନ୍ତ । ସମୁଦ୍ର ଆକାଶ ଏକ କରି ସେଇ ଆଲୋକ ଲାଲ୍–ଲାଲ୍–ଗାଢ଼ ଲାଲ୍ ଆଲୋକ । ସେଇ ଆଲୋକରେ ନିଜେ ବି’ ଜଳିଯାଉଛି ଦେବପ୍ରିୟ-। କିନ୍ତୁ ସେଇ ଭିତରୁ ଧୀରେ ଧୀରେ ହସି ହସି ବାହାରି ଆସୁଛି ଗୋଟାଏ କ୍ଷୁଦ୍ର ଖର୍ବକାୟ ଲୋକଟିଏ-। ସେ କହୁଛି । ଉଦାତ୍ତ ଗମ୍ଭୀର କଣ୍ଠସ୍ୱର । “ହଁ ସତ୍ୟ ଅଛି, ଚିରନ୍ତନ ସତ୍ୟ । ସେ ଜଗନ୍ନାଥ କାଠଗଣ୍ଡି ଭିତରେ ନାହିଁ, ମନ୍ଦିରରେ ନାହିଁ, ମସ୍‍ଜିଦରେ ନାହିଁ, ଗୀର୍ଜାରେ ନାହିଁ, ବୌଦ୍ଧ ବିହାରରେ ନାହିଁ-। ସେ ରହିଛି ପ୍ରତ୍ୟେକ ମନୁଷ୍ୟର ଅନ୍ତଃ ସ୍ଥଳରେ । ଲକ୍ଷକୋଟି ମନୁଷ୍ୟର ହୃଦୟ କନ୍ଦରରେ ପ୍ରସ୍ଫୁଟିତ ସେଇ ସତ୍ୟ ଏକ ଅନନ୍ତ ବିଶ୍ୱାସ ନେଇ ପୁଞ୍ଜିଭୂତ ହୋଇଛି ଏକ ମହାନ୍‍ସତ୍ୟରେ, ସେଇ ପୁଞ୍ଜିଭୂତ ବିଶ୍ୱାସ ଯେତେବେଳେ ଯୋଉଠି ପ୍ରକାଶିତ ହୋଇଛି, ସେ କାଠହେଉ, ପାଷାଣ ଶିଳା ହେଉ, ସେଇ ଅଗଣିତ ବିଶ୍ୱାସର ଅଦ୍ଭୁତ ପ୍ରାଣସଞ୍ଜିବନୀ ମନ୍ତ୍ରରେ ଜୀବନ୍ୟାସ ପାଇ ଜନ୍ମ ଦେଇଛି ମହାନ୍ ଦେବତାକୁ ।”

 

ଦେବପ୍ରିୟ ସେଇ ନୂଆ ମଣିଷକୁ ସ୍ତବ୍‍ଧ ହୋଇ ପ୍ରଶ୍ନ କଲା— “ଆପଣ କିଏ ?”

 

ମୁରୁକି ହସି ଲୋକଟି କହିଲା ‘‘ମୁଁ ବିଶର ମହାନ୍ତି ।”

☆☆☆

 

ଚିର ପଥିକର ଚାରଣ ଗୀତି

 

କଟକ ଷ୍ଟେସନରେ ଏବେ ଏମିତି ଧରପଗଡ଼ ହେଉଛି ମୋତେ ଆଗରୁ ଜଣାନଥିଲା । ଥିଲେ ଅବା ସେପଟ ଦେଇ ମାଲଗାଡ଼ି ତଳେ ଗଳି ଚାଉଳିଆଗଞ୍ଜ ବାଟେ ବାହାରି ପଳେଇଥାନ୍ତି । କିନ୍ତୁ ସମୟ ଆଉ କୋଉଠୁ ମିଳିଲା ? ଗାଡ଼ିରୁ ଓହ୍ଲେଇବା ମାତ୍ରେ ଟିକେଟ କଲେକ୍ଟରଟା ସାମ୍ନାରେ ଛିଡ଼ାହୋଇ ଟିକେଟ ମାଗିଲା । ସରପ୍ରାଇଜ୍ ଚେକିଂ । ଆଉ ଉପାୟ ନାହିଁ । ବାଧ୍ୟ ହୋଇ ଗୋଟିଏ ଗୋଟିଏ ଆସିବାକୁ ପଡ଼ିଲା ପଛରେ । ଅବଶ୍ୟ ଜେଲ ଯିବାକୁ ମୋର ଭୟ । ସେକଥା ନୁହେଁ । ବିନା ଟିକେଟ୍ ରେ ରେଳଯାତ୍ରା ପାଇଁ କେତେଥର, ଅନ୍ତତଃ ପଚାଶ ଥରରୁ ତ କମ ନୁହେଁ, ଜେଲ ଯାଇଛି । କେଉଁଠି ସାତ ଦିନ, କେଉଁଠି ପନ୍ଦର ଦିନ । ତଥାପି ସେଗୁଡ଼ା ଥିଲା ଓଡ଼ିଶା ବାହାରେ । ଏଇତ କଟକରେ, ନିଜ ଜାଗାରେ ଜେଲ ଯିବାଟା— । ମୋର ନିଜପାଇଁ ଚିନ୍ତା ନାହିଁ ଯେ ଚିନ୍ତା କେବଳ ଭାଇବନ୍ଧୁ ପରିଜନମାନଙ୍କପାଇଁ । ସେମାନେ ଲଜ୍ଜିତ ହେବେ । ଗାଳିଗୁଲଜ ତ ଭିତରେ ଭିତରେ କରୁଛନ୍ତି, କରିବେ, ସେଥିପାଇଁ ଭାବନା ନାହିଁ । କିନ୍ତୁ ବାହାର ଲୋକଙ୍କ ଦୃଷ୍ଟିରେ ଛୋଟ ହୋଇଯିବେ । ଲୋକେ କହିବେ ‘‘ଦେଖ ହୋ, ଇଏ ଏତେବଡ଼ ଅଫିସରର ଭାଇ ବିନା ଟିକେଟରେ ରେଲଯାତ୍ରା ପାଇଁ ଜେଲରେ ।” ନା, ସେମାନଙ୍କୁ କାହାରିକି ମୁଁ ଟଙ୍କା ମାଗି ପାରିବି ନାହିଁ । ଅବଶ୍ୟ ମୋ’ରି ପାଇଁ ଯେ ସେମାନେ କାହିଁକି ଲଜ୍ଜିତ ଓ ଅପମାନିତ ହେବେ ମୁଁ ବୁଝିପାରେନା । ମୁଁ ଯୋଉ କାମଟା କରୁଛି ସେଇଟା କେବଳ ‘ମୁଁ’ କରୁଛି ? ସେମାନେ ମୋ ଭାଇ ବନ୍ଧୁ ହେଲେ ବୋଲି ଦୋଷୀ ହେବେ କାହିଁକି ? ଆଶ୍ଚର୍ଯ୍ୟ । ସେ ଯାହାହେଉ, ମୋର ଗୋଟାଏ ବଡ଼ କାମ ହୋଇଯିବ ମୁଁ ଜେଲ ଗଲେ । ମନ୍ତ୍ରୀ ସାର୍ଟିଫିକେଟ ଗୋଟାଏ ଦରକାର ଥିଲା । ଦେଖାଯାଉ ।

 

ଆରେ ଦୀନାଦାସ୍ ନା ? ହଁ ତ, ଦୀନା ଦାସ । ତାର ଗାଲ ଉପରର କଳାଦାଗଟା ଆଉ ଆଖି ଉପର କଟାଦାଗଟା ପରିଷ୍କାର ଜଣା ପଡ଼ୁଛି । ସେ ଏବେ ରେଲୱେ ମାଜିଷ୍ଟ୍ରେଟ । ବାଃ । ବେଶ୍ ମୋଟା ହୋଇଯାଇଛି । ଖୁବ୍ ଗମ୍ଭୀର ଜଣାପଡ଼ୁଛି । ଆଖିରେ ମୋଟା କଳା ଫ୍ରେମର ଚଷମା ଦେଇ ବେଶ୍ କଡ଼ା ହାକିମ ପରି ଦେଖାଯାଉଛି । ସତରେ, ଡର ଆସିଯିବା ପରି ଚେହେରା କରିଛି । ମୋର ଟିକିଏ ଦମ୍ଭ କମିଗଲା ତାକୁ ଦେଖି । କିନ୍ତୁ ମୁଁ ମନକୁ ପ୍ରବୋଧ ଦେଲି । ଏଇ ସେଇ ଦୀନା ଦାସ ଯାହା ସାଙ୍ଗରେ ସ୍କୁଲରେ ପଢ଼ିଲାବେଳେ ମୋ ଦାଦାଙ୍କ ବାଡ଼ିରୁ ପାଚିଲା କଦଳୀ କାନ୍ଦି ଚୋରି କରିଥିଲୁ । ଏଇ ସେଇ ଦୀନା ଦାସ ଯେ ମୋର ବିନା ଲାଇସେନ୍‍ସ, ବିନା ବ୍ରେକ୍, ବିନା ଲାଇଟ୍ ଥିବା ସାଇକେଲ ପଛରେ ଡବଲ ବସି ଆସୁଥିବା ବେଳେ ପୋଲିସକୁ ଦେଖି ଡରରେ କଚାଡ଼ି ହୋଇ ପଡ଼ିଥିଲା ଓ ତାର ଆଖି ଉପରେ ମାଡ଼ ବାଜି କଟି ଯାଇଥିଲା । ଏଇ ସେଇ ଦୀନା ଦାସ, ଯେ ମୋର କଲେଜ ଜୀବନର ପ୍ରଧାନ ବିଶ୍ଵସ୍ତ ଅନୁଚର ଥିଲା । ଦେଖାଯାଉ ଅନେକ ଦିନ ହେଲାଣି । କଲେଜରୁ ବି.ଏ.ପାଶ୍ କରି ସାରିଲା ପରେ ଆଉ ଦେଖା ହୋଇନି । ସେ ହୋଇଗଲାଣି ଦଶ ବାରବର୍ଷ । ଚିହ୍ନି ପାରୁଚି ନା ନାହିଁ କେଜାଣି ?

 

‘ନାମ ?’ ତଳକୁ ମୁହଁପୋତି ସେ ପଚାରି ଚାଲିଛି ।

 

ସୁବ୍ରତ ପଟ୍ଟନାୟକ । ଡାକ ନାଁ ‘ସୁବୁ ମାଷ୍ଟର’ । (କାରଣ ଏଇ ନାଁରେ ମୁଁ କଲେଜରେ ପରିଚିତ ଥିଲି ।)

 

ଚମକି ପଡ଼ି ଚାହିଁଲା ଦୀନା ଦାସ । ତାର ଆଖି ଡୋଳା ଦୁଇଟି ଟେକି ହୋଇଗଲା । ତାର ଗମ୍ଭୀରତା ଯେମିତି ନିମିଷକେ କୁଆଡ଼େ ଉଭେଇଗଲା । ଅତି ବିବ୍ରତ ହୋଇପଡ଼ିଲା ସେ । ମୁହଁରୁ ଆଉ କଥା ବାହାରୁ ନଥାଏ । ଖାଲି ଆଁଟା କରି ମୋ ଆଡ଼କୁ ଚାହିଁ ରହିଥାଏ । ମୋତେ ବେଶ୍ ମଜା ଲାଗୁଥାଏ ତାକୁ ଦେଖି ।

 

ମୁଁ ଶେଷ ଆସାମୀ । କେତେଜଣ ପଇସା ଦେଇ ଚାଲିଗଲେଣି । ବାକି ସବୁ ଭେନ୍ ଭିତରେ । ମୁଁ ଜାଣି ଶୁଣି ଆସିଛି ସବାଶେଷରେ ।

 

ବାଃ, ଦୀନା ଦାସର ବିବ୍ରତ ଭାବ ବେଶ୍ ମଜା ଲାଗୁଛି । ସେ କଣ କରିବ କିଛି ଠିକ୍ କରିପାରୁନି । ଗମ୍ଭୀର ହୋଇ ମାଜିଷ୍ଟ୍ରେଟ ହେବ ନା ଏତେଦିନପରେ ବନ୍ଧୁର ମିଳନରେ ଆନନ୍ଦିତ ହେବ କିଛି ବୁଝିପାରୁନି । ହସ ଆସୁଛି, ହସି ପାରୁନି । ଗମ୍ଭୀର ହେବାକୁ ଚେଷ୍ଟା କରୁଛି କିନ୍ତୁ ହୋଇପାରୁନି । ଚେୟାର ଛାଡ଼ି ଉଠିବାକୁ ଖସ୍ ଖସ୍ ହେଉଛି ଅଥଚ ଉଠି ପାରୁନି । ମୁଁ ମୁଚୁ ମୁଚୁ ହୋଇ ହସୁଥାଏ । ନା, ଆଉ ନୁହେଁ । ତାକୁ ରକ୍ଷା କରିବାକୁ ହେବ । ସବୁବେଳେ ମୁଁ ତାକୁ ରକ୍ଷା କରି ଆସିଛି । ‘‘ଇଉର ଅନାର୍, ମୁଁ ଏଇ ଷ୍ଟେସନକୁ ଜଣେ ବନ୍ଧୁଙ୍କୁ ଦେଖା କରିବାକୁ ଆସିଥିଲି । ଅବଶ୍ୟ ମୁଁ ପ୍ଲାଟଫର୍ମ ଟିକେଟ କରିପାରି ନଥିଲି ତରତରରେ । ମୋତେ ଏଇ ଥର କ୍ଷମା ଦିଅନ୍ତୁ ।” ଦୀନା ଦାସ କୌଣସିମତେ ପୂର୍ବ ଅବସ୍ଥାକୁ ଫେରି ଆସିଲା । ‘ସତ କହୁଛନ୍ତି ?’ “ନିଶ୍ଚୟ” ମୁଁ ଅନର୍ଗଳ ମିଛ କହିବାକୁ ଲାଗିଲି । ଏଇଟା ତ ନୂଆ ନୁହେଁ ମୋ ପକ୍ଷରେ । ଦୀନା ଦାସ ଆଶ୍ଚର୍ଯ୍ୟ ହେଲା । ‘ଯାଆନ୍ତୁ’ ଏଇଥର ସାବଧାନ କରି ଦିଆହେଲା । ଆଉ କେବେ ବିନା ଟିକେଟରେ ପ୍ଲାଟଫର୍ମରେ ପଶିବେ ନାହିଁ ।’ ‘ଇଏସ୍ ଇଉର ଅନାର୍ । ଥାଙ୍କ୍ ଇଉ ସାର୍ ।’ ଏତିକି କହି ମୁରୁକି ହସି ଆଖି ମାରି ଦେଇ ଦୂରରେ ଆସି ଛିଡ଼ାହେଲି । କିଛି ନାହିଁ । ଚା ଖାଇବା ପାଇଁ ବି ପଇସା ନାହିଁ । ଚାଲିକରି ଯିବାକୁ ହେବ । ଚାର୍ମିନାର ସିଗାରେଟ୍ କାଢ଼ି ଲଗେଇଲି । ହଠାତ୍ ପଛରେ କାହାର ହାତର ସ୍ପର୍ଶ ପାଇ ଦେଖେ ତ ସ୍ଵୟଂ ଦୀନା ଦାସ ମୋ ପଛରେ । ‘କିରେ ଶଃ’ ଦୀନା ଏପଟ ସେପଟକୁ ଟିକେ ତରକି ତରକି ଅନେଇ ମତେ କୁଣ୍ଢେଇ ପକେଇଲା । ପୋଲିସ ଭେନ୍ କେତେବେଳୁ ଅଦୃଶ୍ୟ ହୋଇଯାଇଛି । ‘ମୋତେ ବଞ୍ଚେଇ ଦେଲୁ । ଏତେଦିନ ପରେ ତୋତେ ଏମିତି ଅବସ୍ଥାରେ ଦେଖି ମୁଁ ଅବାକ୍ ହୋଇଯାଇଥିଲି । ମୋ ପାଟିରୁ କଥା ବାହାରିଲା ନାହିଁ ।’ “ତୋ ଅବସ୍ଥା ଦେଖି ମୁଁ ଠିକ୍ ବୁଝି ନେଇଥିଲି । ତୋତେ ପ୍ରଥମେ ଦେଖି ମୋର ଟିକିଏ ଡର ଆସି ଯାଇଥିଲାରେ । ସତରେ, ତୁ ଭାରି ଗମ୍ଭୀର ହୋଇଯାଇଛୁ ଆଜିକାଲି ।” କିନ୍ତୁ ତୋର ଖବର କଣ କହିଲୁ ? କୋଉଠି କେମିତି, କାହିଁକି ?” “ବତ୍ସ ଧୈର୍ଯ୍ୟଧର, କାଲି ରାତିଠୁ କିଛି ଖାଇନି । କଲିକତାରୁ ଆସିଲି । ପାଖରେ ଗୋଟେ ପଇସା ନାହିଁ । ଆଗେ ମୋତେ ଟିକିଏ ଖାଇବାକୁ ଦେବାର ବନ୍ଦୋବସ୍ତ କର, ପଛେ ସବୁକଥା ହେବ ।” “ହଉ, ଚାଲ ରେସ୍ତୋରାଁକୁ । ଗୋଟାଏ ଯୁଗ ପରେ ଦେଖା । ଉଃ ।” ନା, ଦୀନା ଦାସ ଭୁଲିନି । ମାଜିଷ୍ଟ୍ରେଟ ହୋଇ ଗମ୍ଭୀର ହୋଇଯାଇଛି ଯାହା-। ତାଛଡ଼ା ବୟସଟା ବି ତ ବଢ଼ିଛି ।

 

ଦୀନା ଦାସ ଉପରେ ବେଶ୍ ଖାଇବାଟା ଉଠିଗଲା । ବର୍ତ୍ତମାନ ଚବିଶଘଣ୍ଟା ପାଇଁ ଫ୍ରି । ତା ପାଖରୁ ପାଞ୍ଚଟା ଟଙ୍କା ବି ହାତେଇ ନେଲି । କେତେବେଳେ କଣ ଦରକାର ଅଛି । ଦୀନା ଦାସ ସବୁ ଶୁଣି ମୋତେ ଉପଦେଶ ଦେବାକୁ ଆରମ୍ଭ କରୁଥିଲା । କିନ୍ତୁ ସବୁ ପଛକଥା ମନେ ପକେଇ ଦେବାରୁ ଚୁପ୍ ରହିଲା । ଦୀନା ଦାସ ପାଖରେ ମୁଁ କୃତଜ୍ଞ କିନ୍ତୁ ତା ବୋଲି ତାର ଉପଦେଶ ମୁଁ ଶୁଣିବାକୁ ଯିବି କାହିଁକି ?

 

ଦୀନା ଦାସ ପାଖରୁ ଫେରି ଭାବିଲି କୁଆଡ଼େ ଯିବି । ମୋ ସାନଭାଇ ଏଇଠି ଅଛି । ଏସ୍.ପି । ତା ବସାକୁ ଗଲେ ହୁଅନ୍ତା । ଖାଇବା ପିଇବାର ଭାବନାଟାରୁ ଅନ୍ତତଃ ରକ୍ଷା ମିଳନ୍ତା । ନା, ଯିବିନି । ଗତ ଘଟଣାଗୁଡ଼ାକ ମନେପଡ଼ିଗଲା । ବିଚରା ଦୀନା ଦାସ ପରି ବିବ୍ରତ ହେବ କେବଳ । କହି ପାରିବନାହିଁ କି ସହି ପାରିବ ନାହିଁ । ବୋଉ ପାଖକୁ ଚିଠି ଲେଖିବ ରାଗିମାଗି । ସେଥର ଠିକ୍ ମନା ନକଲେ ବି ସୂଚେଇ ଦେଇଥିଲା ଯେ ମୋର ତା ବସାଟାକୁ ଯିବା ଉଚିତ୍ ନୁହେଁ ବୋଲି ।

 

ଟୁନା ମୋଠୁ ଛଅ ସାତ ବର୍ଷ ଛୋଟ । ତାକୁ ଏକରକମ କୋଳରେ କାଖରେ ମଣିଷ କରିଛି । ପିଲାବେଳେ ସବୁବେଳେ ମୋ ପାଖରେ ଥାଏ । ଏମିତିକି ବୋଉ ପାଖକୁ ମଧ୍ୟ ଯାଏନା । ‘ମଝି ଭାଇ’ ‘ମଝି ଭାଇ’ କହି ଚବିଶ ଘଣ୍ଟା ପଛରେ ପଛରେ ଗୋଡ଼ଉଥିବ । ବେଶ ଚମତ୍କାର ହୋଇଥିଲା ଦେଖିବାକୁ । ମୋଟାମୋଟି ଗୋଲଗାଲ ଗୋରା ତକ୍ ତକ୍ । ପୋଲିସ ପୋଷାକରେ ତାକୁ ବେଶ୍ ସୁନ୍ଦର ମାନେ । ଆମ ଘରଭିତରେ ତାର ଚେହେରାଟା ଥିଲା ସବୁଠୁ ସୁନ୍ଦର । ପଢ଼ୁଥିଲା ବି ଭଲ । ତାକୁ ଦେଖିବାର ପାଞ୍ଚବର୍ଷ ହୋଇଗଲାଣି । ସେଇ ଟୁନା ଏବେ ମୋତେ ମନା କରୁଛି ତା ଘରକୁ ଯିବାକୁ । ମଜାଲାଗେ ଭାବିଲେ । ଭଲରେ ଆଉ ବିଚରା । ତାର ପ୍ରେଷ୍ଟିଜ୍ ଅଛି, ସମ୍ମାନ ଅଛି । ମୁଁ ତ କେବଳ ଦରିଦ୍ର ଭାଇ ନୁହେଁ, ଛଞ୍ଚଡ଼ା, ବାରବୁଲା ଏକ ଅସାମାଜିକ ବ୍ୟକ୍ତି ।

 

ସେ ଥରକ କଥା ମନେ ପଡ଼େ । ସେ ଥିଲା ପୁରୀରେ । ମୁଁ ହଠାତ୍ ଯାଇ ପହଞ୍ଚିଲି । ନୂଆ ହୋଇ ଏସ୍.ପି ହୋଇଥାଏ । ମୋର ତ ଏଇ ବେଶ, ଏଇ ପୋଷାକ । ଛିଣ୍ଡା ମଇଳା ଧୋତି ପଞ୍ଜାବୀ ଓ ଟାୟାରର ଚପଲ । ପ୍ରଥମେ ତ କନେଷ୍ଟବଲ୍ ଟା ଭିତରକୁ ପଶିଯିବାକୁ ଦେଉନଥିଲା । କୌଣସିମତେ କୁହାବୋଲା କରି ଭିତରକୁ ଯାଇ ଦେଖେ ତ ସେ ତାର ବନ୍ଧୁମାନଙ୍କୁ ଗୋଟାଏ ପାର୍ଟି ଦେଉଛି । ଅନେକ ଭଦ୍ରମହିଳା ବି ଥାଆନ୍ତି । ତା ସ୍ତ୍ରୀ ଥାନ୍ତି ସେ ଭିତରେ । ମୋତେ ଦେଖି ସେ ଭୂତ ଦେଖିଲା ପରି ଛାନିଆ ହୋଇଗଲା । କିଛି ବିଦେଶୀ ପାନୀୟର ବନ୍ଦୋବସ୍ତ ବି ଥିଲା ବୋଧହୁଏ । ମୋର ଅବଶ୍ୟ ସେଥିରେ କିଛି ଆପତ୍ତି ନାହିଁ । ମୁଁ ଯାଇ ବେଶ୍ ଆରାମରେ ତାଙ୍କ ସଙ୍ଗେ ଯୋଗ ଦେଇ ପାରିଥାନ୍ତି । କିନ୍ତୁ ସେ ସଙ୍କୋଚ କରେ । ତା ସ୍ତ୍ରୀ ବି । ମୁଁ ଅବଶ୍ୟ ଏ ଦେଢ଼ଶୁର ଭାଇବୋହୂ ପ୍ରଥା କିଛି ମାନେନା । ସେ ବି ମଧ୍ୟ ମାନନ୍ତି ନାହିଁ । ଭିତରେ ଭିତରେ କିନ୍ତୁ ବାହାରେ ଓଢ଼ଣା ପକେଇ ଚାକରକୁ କହନ୍ତି କାନ୍ଥ ଆଢ଼ୁଆଳରେ, ମୁଣ୍ଡିଆ ମାରୁଛି ବୋଲି କହିଦେବୁ-। ଛାଡ଼ । ମୁଁ ସବୁବେଳେ ସ୍ଵାଭାବିକ ବ୍ୟବହାର କରେ । କିନ୍ତୁ ଟୁନାର ସଙ୍କୋଚଭାବ ଛାଡ଼େ ନା-। ସେ ଯାହା ହେଉ, ସେଦିନ ସେ ମୋତେ ଦେଖି ଏତେ ବିବ୍ରତ ହୋଇ ପଡ଼ିଲା ଯେ ମୋର ସାଙ୍ଗେ ସଙ୍ଗେ ପଳେଇ ଆସିବାକୁ ଇଚ୍ଛା ହେଉଥିଲା । କିନ୍ତୁ ଆସିଯାଇଛି ଯେତେବେଳେ କଣ ଆଉ କରାଯାଏ । ମୁଁ ତାକୁ କହିଲି “ମୋତେ ଗୋଟେ ଜାଗା ଦେଖେଇ ଦେ । ମୁଁ ବସୁଛି । ତୁ ଯା, ତୋର ଡାକି ନେଇଗଲା ଘର ଭିତରକୁ । ଡ୍ରଇଂରୁମ୍ ବାଟେ ନୁହେଁ, ତା ପାଖରୁମର କବାଟ (ଯେଉଁଟା ପ୍ରାୟ ସବୁବେଳେ ବନ୍ଦଥାଏ) ସେଇ ବାଟ ଦେଇ । ତା ପରେ ଘର ବାହାରେ ଥିବା ଗୋଟାଏ ଆଉଟ୍‍ରୁମରେ ମୋର ସବୁ ବନ୍ଦୋବସ୍ତ ହେଲା । ସେ ଆଉ ଆସିନି । ଚାକରବାକର ସବୁ କରିଦେଇ ଗଲେ । ଘରେ ବସି ଶୁଣିଲି ବନ୍ଧୁ ମାନଙ୍କ ପ୍ରଶ୍ନର ଉତ୍ତରରେ ସେ କହୁଛି ‘‘ମୋର ଜଣେ ବଡ଼ଭାଇ ଆସିଛନ୍ତି ।” ସମସ୍ତେ ପଚାରିଲେ “କଣ ଦେବବ୍ରତ ବାବୁ ?” ଦେବବ୍ରତ ମୋଠୁ ସାନ-। ସେ ବର୍ତ୍ତମାନ ଏସ୍.ଡି.ଓ ଅଛି । ସେ ମନା କଲା । କହିଲା ‘‘ନାହିଁ, ସେ ମୋ ବଡ଼ ଭାଇଙ୍କ ତଳେ-। କିଛି କରନ୍ତି ନାହିଁ । Useless । ଆମ ପରିବାରର ଗୋଟାଏ Black Sheep । ବୋଉର ତାଙ୍କ ପାଇଁ ସବୁବେଳେ ଚିନ୍ତା ।” ବଡ଼ ବିରକ୍ତ ଭାବେ କଥା ଗୁଡ଼ାକ କହୁଥିଲା ସେ । ମୁଁ କିନ୍ତୁ କିଛି ମନେ କରିନି । କହୁ ସେ । ସାନ ଭାଇଟା । ଅବୋଧ । ସେଠି ମୁଁ ୨/୩ ଦିନଥିଲି । ବେଶୀ ଦିନ ରହିବା ପାଇଁ ଇଚ୍ଛା ଥିଲେ ବି ରହି ପାରିଲିନି । ଟୁନାଟା କାହିଁକି କେଜାଣି ଭାରି ଛଟପଟ ହେଉଥାଏ । ମୁଁ ଯିବା ପରଦିନ ପଳେଇଲା ଟୁରରେ ଯେ ଆସିଲା ତିନି ଦିନ ପରେ । ତା ପରଦିନ ମୁଁ ଚାଲି ଆସିଲି । ନା ମିଛ କହି ଲାଭ ନାହିଁ । ପଚାଶଟା ଟଙ୍କା ଦେଇଥିଲା । ମୁଁ ମାଗିଥିଲି । ପରେ ପରେ ବୋଉ ପାଖକୁ ଲେଖିଥିଲା ଯେ ଏମିତି ସାନଭାଇ ପାଖରୁ ଟଙ୍କା ମାଗିବାକୁ ମୋର କାହିଁକି ଲଜ୍ଜା ଲାଗେନା ବୋଲି । ମୁଁ ବି ଭାବେ ସତରେ ମୋର କାହିଁକି ଲଜ୍ଜା ଲାଗେନା ଟଙ୍କା ମାଗିବାକୁ-। ଭାଇ ପାଖରୁ ଟଙ୍କା ମାଗିଲେ ଲଜ୍ଜାର କଣ ଅଛି ମୁଁ ଜାଣି ପାରେନା । ସେ ବେଶୀ ଟଙ୍କା ଦରମା ପାଉଛି-। ମୋତେ କିଛି ଦେଲା । ତା ଆଗରୁ ବି କେତେଥର ଦେଇଛି, ମୁଁ ମନା କରୁନି । କିନ୍ତୁ ସେଇଟା ତ ମୋର ଦାବୀ । ମୋର ଅଧିକାର । କିନ୍ତୁ ସେ ଅଧିକାରକୁ ସେ ଅସ୍ୱୀକାର କରେ । କରୁ, ପିଲାଟା-। କିନ୍ତୁ ସେଇଦିନରୁ ତାକୁ ମୁଁ ହାଇରାଣରେ ପକାଏନା । ଖାଲି ମିଛଟାରେ ସେ କାହିଁକି ଏମିତି ହୁଏ କେଜାଣି ? ମୋର ଦୋଷପାଇଁ ତ ସେ ଦାୟୀ ନୁହେଁ । ଟୁନାଟା ସବୁବେଳେ ପିଲା ହୋଇ ରହିଗଲା ।

 

ଦେବୁ ବସାକୁ ବେଳେ ବେଳେ ଯାଏ । କିନ୍ତୁ ତାର ୫/୬ଟି ପିଲା । ନିଜକୁ ଭଲକରି ଅଣ୍ଟେନା । ସେ ବା ମତେ କଣ ଦେବ ? ସେଥର ତା ଘରେ ଦଶଦିନ ରହିଲା ପରେ ସେ କଥାରେ କଥାରେ ଅନେକ କିଛି କହିଲା । କେତେ ବା ଦରମା । ଭଲକରି ଅଣ୍ଟୁନି । ଚାକର ରଖିବା କାଠିକର ପାଠ । ଇତ୍ୟାଦି । ଇତ୍ୟାଦି । ମୁଁ ବୁଝିଲି ସେ ମୋତେ ପ୍ରକାରାନ୍ତରେ ମନା କରୁଛି ବୋଲି-। କିନ୍ତୁ ମୁଁ କଣ କରିବି ? ମୁଁ କଣ ଯାଏଁ ଖାଲି ଖାଇବାପାଇଁ ? ତା ନୁହେଁ । ମୁଁ ଯାଏଁ କେବଳ ସେଇ ଛୁଆଗୁଡ଼ାକ ପାଇଁ । ମୋର କାହିଁକି ବଡ଼ ଦୁର୍ବଳତା ସେମାନଙ୍କ ପ୍ରତି । ସେମାନେ ମୋତେ ଅଦ୍ଭୁତ ଭାବରେ ଆକର୍ଷଣ କରନ୍ତି । ସେଇ ଥରକ କଥା । ମୁଁ ଯାଇ ପହଞ୍ଚିଲାମାତ୍ରେ ପିଲାମାନେ ପାଟିକରି ଉଠିଲେ “ବଡ଼ବାପା ଆସିଛନ୍ତି ।” ଦେବୁର ସ୍ତ୍ରୀ ମୋତେ ଶୁଣେଇ ଶୁଣେଇ କହିଲା କି ନାହିଁ ମୁଁ ଜାଣେନା, ତେବେ ମୁଁ ଶୁଣି ପାରିଲି “ଉଠ ମ, ବଡ଼ବାପା ସତେ ଯେମିତି ତମପାଇଁ ମିଠେଇ ହାଣ୍ଡି ଧରି ଆସିଛନ୍ତି । ଆସିଲେ ତ ଏବେ ରହିବେ ପନ୍ଦରଦିନ କି ମାସେ । ଖାଲି ଖାଇମାଲୁ । ବସି ବସି ଖାଇବା ଯାର ଅଭ୍ୟାସ ହୋଇଗଲାଣି ସେ କଣ ଆଉ କିଛି କାମ କରିପାରିବ ?”

 

ମୁଁ କିଛି ଭାବିନି । ଶୁଣି ବି ଶୁଣିଲେନି । କେତେ ଲୋକ କେତେ କଥା କହୁଛନ୍ତି ସେ ସବୁ ଶୁଣୁଛି କିଏ ? କିନ୍ତୁ ପିଲାଙ୍କ ପାଇଁ ଟିକିଏ ଦୁଃଖ ଲାଗିଲା । ଏତେଥର ଆସୁଛନ୍ତି, ପିଲାଙ୍କ ପାଇଁ ବିସ୍କୁଟ୍ ପାକେଟ୍ ଟା କିମ୍ବା ଦି ପଇସାର ଲଜେନ୍ ସ ଭଲା କେବେ ଆଣିଛନ୍ତି ? ସତ କଥା, ମୁଁ ଆଣିନି । ଆଣିବାର ଇଚ୍ଛା ନଥାଏ ଯେ ନୁହେଁ କିନ୍ତୁ ପାଖରେ ପଇସା ଥିଲେ ତ ଆଣିବି । ପିଲାମାନଙ୍କୁ ମୋତେ ଭଲଲାଗେ, ତାଙ୍କ ପାଇଁ ମୁଁ ପ୍ରାଣ ଦେଇପାରେ । କିନ୍ତୁ ଭଲପାଇବା କେବଳ ଭଲ ପାଇବାରେ ନିହିତ ନୁହେଁ । ତା ପାଇଁ କିଛି ବସ୍ତୁର ପ୍ରତିଦାନ ଲୋଡ଼ା । ମୁଁ ଦେଇ ପାରେନା । ସେଥିପାଇଁ ମୋର ଅନ୍ତରର ନିର୍ମଳ ଭଲପାଇବା ବି ସେମିତି ଅଲୋଡ଼ା, ଅଖୋଜା, ନିରର୍ଥକ । ସଂସାର କେଡ଼େ ବିଚିତ୍ର ।

 

କାହିଁକି ଯେ ଏମାନେ ମୋତେ କାମ କରିବାକୁ ବାଧ୍ୟ କରୁଛନ୍ତି ମୁଁ ବୁଝି ପାରେନା । କି କାମ ମୁଁ କରିବି ? ଅନେକପ୍ରକାର କାମ କରି ମୁଁ ଦେଖିଛି । ସେତେବେଳେ ପ୍ରଥମ ପାଞ୍ଚଜଣ ଡେପୁଟିମାନଙ୍କ ଭିତରେ ମୋ ନାଁ ଥିଲା । କିନ୍ତୁ କମ୍ୟୁନିଷ୍ଟ ଦୋଷ ଲାଗିଥିଲା ବୋଲି ମୁଁ ଚାକିରି ପାଇଲି ନାହିଁ । ଭଲ ହେଇଛି । ସେ ସବୁ କାମ ମୋ ପାଇଁ ନୁହେଁ । ତାପରେ ୨/୪ ଜାଗା କାମ କରି ଦେଖିଛି ଭଲ ଲାଗିଲାନି । ଛାଡ଼ି ଦେଲି । ମୋତେ ଏମିତି ବୁଲିବାକୁ ଭଲ ଲଗେ । ସାରା ପୃଥିବୀ ବୁଲିବୁଲି, ତାର ବିପୁଳତା ଭିତରେ, ତାର ବିଭିନ୍ନତା ଭିତରେ ହଜିଯାଇ ତାର ସମସ୍ତ ବିରାଟତ୍ଵକୁ ଅନୁଭବ କରିବାକୁ ଇଚ୍ଛା ହୁଏ । ସେଥିପାଇଁ ଆଜି ବମ୍ବେ,କାଲି କଲିକତା, ବନାରସ, ହରଦ୍ୱାର, ବଦ୍ରିନାଥ, ମଶୋରୀ, ଡେରାଡୁନ, ଶ୍ରୀନଗର, ବାଙ୍ଗାଲୋର ଏମିତି ହୋଇ କିଛି ଆଉ ବାକି ନାହିଁ । ମୁଁ ସଦାସର୍ବଦା ଅସ୍ଥିର । ଅବ୍ୟବସ୍ଥିତ । କାଳ ସ୍ରୋତର ଏକ ବହମାନ ଗଡ୍‍ଡାଳିକା । ସ୍ଥିତିହୀନ, ଶୈବାଳହୀନ ଗୋଟାଏ ଉନ୍ମୁକ୍ତ ଗତିଶୀଳ ଜୀବନ । ସେଇ ବିମୃକ୍ତ ଜୀବନରେ ଛନ୍ଦର ସ୍ପର୍ଶ ଯେ ନ ପାଇଚି ସେ କଣ ବୁଝିବ ମୋତେ ? ସେଥିପାଇଁ ଘରେ, ବାହାରେ ବନ୍ଧୁ ଘରେ ଯୋଉଠିକି ଯାଇଚି ସବୁତ ସେଇ ଏକା ପ୍ରଶ୍ନ” କିଛି କାମ କାହିଁକି କରୁନ ? “ମୁଁ କଣ କିଛି କାମ କରୁନି । ମୋର ଏଇ ବୁଲିବା କଣ କାମ ନୁହେଁ ? ଖାଲି ଯୋଉ କାମରେ ପାରିଶ୍ରମିକ ମିଳେ ସେଇଟା କେବଳ ଏକମାତ୍ର କାମ ? ଆଶ୍ଚର୍ଯ୍ୟ ଏମାନଙ୍କର କାମର ସଂଜ୍ଞା । ସେଇଥିପାଇଁ ଯଥାସମ୍ଭବ ସମସ୍ତଙ୍କୁ ଏଡ଼େଇ ଚାଲୁଛି ଆଜିକାଲି । ଅନେକ ଅବଶ୍ୟ କହିବା ଛାଡ଼ି ଦେଲେଣି ଏ ଭିତରେ । କେହି କେହି ବୋଉକୁ ପରାମର୍ଶ ବି ଦେଇଥିଲେ ଯେ ‘‘ତାକୁ ବାହାକରି ଦିଅ । ବେକରେ ଜୁଆଳି ପଡ଼ିଲେ ଆପେ ଆପେ କାମ କରିବ ।”

 

ଘରେ ଗଲେ ଅବଶ୍ୟ କିଛିଦିନ ଆରାମରେ ରହି ହୁଅନ୍ତା । ଭାଇ ଅବଶ୍ୟ ଚିଡ଼ନ୍ତେ । କିନ୍ତୁ ତାଙ୍କର ଚିଡ଼ିବା ଦେବୁ ଆଉ ଟୁନା ପରି ନୁହେଁ । ତାଙ୍କ ଗାଳିରେ ମୁଁ ସ୍ନେହର ସ୍ପର୍ଶ ପାଏ । ବଡ଼ ନୂଆ ବୋହୁ ବେଶ ଭଲ ଲୋକଟି । ପିଲାଗୁଡ଼ାକ ବି ମୋତେ ଖୁବ ଭଲ ପାଆନ୍ତି । କିନ୍ତୁ ବୋଉ ପାଇଁ ଯିବାକୁ ଇଚ୍ଛା ହୁଏନା । ସେ ଖାଲି କାନ୍ଦିବ । “ବାହା ହୋଇପଡ଼, ଘରଦୁଆର କର । ସମସ୍ତଙ୍କ ପରି ସୁଖରେ ରହ । ମୁଁ ଟିକିଏ ଶାନ୍ତିରେ ମରେ ।” ବୋଉକୁ ଆଉ କେମିତି ବୁଝେଇବି ? ତାର ଜାଣନ୍ତା ଦୁନିଆର ସୀମାବଦ୍ଧତା ଭିତରେ ସେ ଯାହା ଦେଖିଛି, ବୁଝିଛି ସେଇଟାକୁ ଏକାନ୍ତ ଭାବେ ସତ୍ୟ ବୋଲି ଧରିନେଇ ତାର ପରିପ୍ରେକ୍ଷୀରେ ମୋତେ ବି କଳନା କରୁଛି । ସେ ଜାଣେ ଯେ ବାହାହୋଇ, ସ୍ତ୍ରୀ ପିଲା ନେଇ ଆଉ ପାଞ୍ଚଟାଙ୍କ ପରି ଘର ସଂସାର କରି ରହିବାରେ ପ୍ରକୃତ ସୁଖ । କିନ୍ତୁ ମୋର ଏଇ ବନ୍ଧନହୀନ ଖୋଲା ଜୀବନର ଯୋଉ ଆନନ୍ଦ ସେ କେମିତି ବୁଝିବ ଆଉ ମୁଁ ବା ବୁଝେଇବି କେମିତି ? ସେ ଭାବେ ମୁଁ ଖାଲି ହସୁଛି ମୋର ଭିତରର କାନ୍ଦଟା ଲୁଚେଇବା ପାଇଁ । ବୋଉଗୁଡ଼ା ଏମିତି ସବୁବେଳେ ବାଜେକଥାରେ ମନଦୁଃଖ କରି ଲୁହ ଗଡ଼ାନ୍ତି ।

 

ସେମିତି ସେ ବାହାଘର ବେଳେ । ମୋ ତଳ ଦି ଭାଇଙ୍କ ବାହାଘର ଏକ ସାଙ୍ଗରେ ହେଲା । ସେ ପ୍ରାୟ ସାତ ଆଠ ବର୍ଷ ତଳେ । ମୁଁ ତୋ କାମ କଲିନି । ଯେତେବଳେ ବେଶି ଚାପ ପଡ଼ିଲା ଘରଛାଡ଼ି ବାହାରି ଗଲି । ବୁଲି ବୁଲି ଫେରିଲି ପ୍ରାୟ ପାଞ୍ଚବର୍ଷ ପରେ । ସେତେବେଳକୁ ଦେବ ଡେପୁଟୀରେ ନିଯୁକ୍ତି ପାଇସାରିଥାଏ ଓ ଟୁନା ଆଇ:ପି:ଏସ୍: ଟ୍ରେନିଂରୁ ଫେରି ଏ:ଏସ୍:ପି: ଥାଏ । ମୁଁ ଶୁଣି ନଥିଲି ବାହାଘର କଥା । ହଠାତ୍ କଲିକତାରେ ଜଣେ ଓଡ଼ିଆ ଭଦ୍ରଲୋକ ସଙ୍ଗେ ଦେଖା । ଗପ ଜମଉ ଜମଉ ଜଣାପଡ଼ିଲା ଯେ ସେ ଭଦ୍ରଲୋକ ଟୁନାର ଭାବି ସ୍ତ୍ରୀର ଭାଇ । ସେ ଆସିଛନ୍ତ କଲିକତା କାର୍ ବନ୍ଦୋବସ୍ତ କରିବାକୁ । ଯୌତୁକ ଦେବାପାଇଁ । ମୁଁ ଅବଶ୍ୟ କିଛି ପରିଚୟ ଦେଇନି । ଖାଲି ପଚାରିଲି ବାହାଘର ତାରିଖଟା । ତା ପରଦିନ ଛୁଟିଲି ଘରକୁ । ମୋ ସାନଭାଇମାନଙ୍କ ବାହାଘର ହେଉଛି ଆଉ ମୁଁ ଶୁଣି ବି ଯିବିନି ? ଠିକ୍ ବାହାଘର ଆଗଦିନ ଯାଇ ପହଞ୍ଚିଲି । ଘରେ ମୋର ଉପସ୍ଥିତିଟା ଏ ଆନନ୍ଦ ବେଳାରେ ବେଶ ଆହୁରି ଆନନ୍ଦ ଦେଲା । କିନ୍ତୁ ତା ସାଙ୍ଗେ ସାଙ୍ଗେ ବୋଧହୁଏ ଟିକିଏ ଟ୍ରାଜେଡୀର ସ୍ପର୍ଶ ଦେଉଥିଲା । ମୁଁ କିନ୍ତୁ ଏ ବିଷୟରେ ସଂପୂର୍ଣ୍ଣ ଅଜ୍ଞାତ ଥିଲି । ବଡ଼ ଭିଣୋଇ ହସି ହସି କହିଲେ Return of the prodigal son-। ଭଉଣୀମାନେ ଏକାବେଳେ ମିଶିଗଲେ । ଫେର୍ ନୂଆବୋହୁ । ପୁଣି ବୋଉ । “କାହିଁକି ଏମିତି ବୁଲୁଚୁ ? କାମ କରୁନୁ ? ବାହା ହଉନୁ ? ତୋ ସାନ ଭାଇମାନେ ସବୁ ବାହା ହେଉଛନ୍ତି । ତୁ ଆଉ କେତେଦିନ ଏମିତି ବୁଲିବୁ ?” କେତେ ଅଭିଯୋଗ । କେତେ ସସ୍ନେହ ଭର୍ସନା । କେତେ ଲୁହ-। ପ୍ରଥମେ ପ୍ରଥମେ ବେଶ୍ ମଜା ଲାଗୁଥିଲା ଶୁଣିବାକୁ । ପରେ ଭୀଷଣ ବୋର୍ ଲାଗିଲା । ମୁଁ କହିଲି “ଦେଖ, ଆଉ ଏ ବିଷୟରେ ଯଦି କେହି ମୋତେ ପଦେ କଥା କହିଚ ମୁଁ ଏଇ ମୁହୂର୍ତ୍ତରେ ପଳେଇବି ।” ସମସ୍ତେ ଚୁପ୍ ରହିଲେ କଥାଟା ଶୁଣି । କିନ୍ତୁ ବଡ଼ ନୂଆବୋହୂ ବର ବାହାରିବା ଆଗରୁ ଅରୁଆଚାଉଳ, ଦୁବ, କୋଳି ପତ୍ର ନେଇ ଯାଉ ଯାଉ ମୋ ଉପରେ ଦି’ଟା ପକେଇ ହସି ହସି ଥଟାରେ କହିଲେ “ଏ ବୁଢ଼ା ଅଭିଆଡ଼ା ଦିହରେ ଦି’ଟା ପଡ଼ିଥାଉ, କାଳେ ଯଦି ବାହାଘର ହୋଇଯିବ ।” କିନ୍ତୁ କହୁ କହୁ ତାଙ୍କର ଗଳା ଭାରି ହୋଇ ଆସିଲା ଓ ସେ ଆଖିର ଉଦ୍‍ଗତ ଲୁହକୁ ଚାପିରଖି ନ ପାରି ବାହାରିଗଲେ ତରତରରେ କାନି ପଣତରେ ଆଖି ପୋଛୁ ପୋଛୁ । ଆଉ ବୋଉ ? ଛାଡ଼ । ମୁଁ ଯଦି ପଳେଇବି ବୋଲି କହି ନଥାନ୍ତି ସେ କଣ କରିଥାନ୍ତା କେଜାଣି ? କିନ୍ତୁ ବରବେଶ ସାଜି ହୋଇ ସେମାନେ ବାହାରିଲା ବେଳକୁ ବୋଉ ମୋ ମୁଣ୍ଡରେ ହାତ ବୁଲାଉ ବୁଲାଉ କାନ୍ଦି କାନ୍ଦି ଲୁହରେ ଭସାଇ ଦେଉଥାଏ । ବୋଉର ଯେ ପିଲାଦିନୁ ମୋ ପ୍ରତି ବେଶି ସ୍ନେହ ଥିଲା ସେ କଥା ନୁହଁ । ତାର ବେଶି ପ୍ରିୟ ବଡ଼ଭାଇ ଓ ଟୁନା । କିନ୍ତୁ ମୁଁ ଦୁର୍ବଳ ଓ ଅପାରଗ ବୋଲି ତାର ଧାରଣା । ତେଣୁ ପରେ ପରେ ମୋ ପ୍ରତି ତାର ସ୍ନେହ କ୍ରମଶଃ ବଢ଼ି ଚାଲିଲା । ସବୁ ମା’ମାନଙ୍କୁ ବୋଧହୁଏ ତାଙ୍କର ଦୁର୍ବଳ ସନ୍ତାନ ପ୍ରତି ସ୍ନେହ ଓ ମମତା ବେଶୀ ଥାଏ । ମୁଁ ବୋଉକୁ ବୁଝେଇଲି-। “ବୋଉ, ତୁ ମିଛଟାରେ କାହିଁକି କାନ୍ଦୁଛୁ କହିଲୁ ? ମୁଁ ତ ବାହା ହେଉନି ଇଚ୍ଛାକରି । ସେଥିପାଇଁ ତୁ ଦୁଃଖ କରୁଛୁ କାହିଁକି ? ଆଉ କାନ୍ଦୁଛୁ ବା କାହିଁକି ? ମୋ ସାନଭାଇମାନେ ବାହା ହେଉଛନ୍ତି-। ସେଥିରେ ମୋର ଖୁସି, ମୋର ଆନନ୍ଦ । ସତରେ, ବୋଉ ତୋ ଦିହ ଛୁଇଁ କହୁଚି ମୋର ଜମା ଦୁଃଖ ନାହିଁ । ଯା, ସେମାନେ ବାହାରିଛନ୍ତି କେତେ ଖୁସିରେ । ତୁ ଯାଇ ସେମାନଙ୍କୁ ଆଶୀର୍ବାଦ କର-। ଯା ଯା, ତୋତେ ସମସ୍ତେ ଖୋଜିଲେଣି ।” ବୋଉ ବୁଝିଲା କି ନାହିଁ କେଜାଣି କିନ୍ତୁ ଉଠିଯାଇଥିଲା ମୋ ପାଖରୁ । ସେଇଠୁ ସିଧା ଆସି ମୁଁ ବସ୍ ଭିତରେ । ମୋର ତ ଲୁଗାପଟା କିଛି ନଥିଲା । ସେଇ ବାହାଘର ମେଳରୁ ଧୋତି ଯୋଡ଼େ, ପଞ୍ଜାବୀ ସବୁ ମିଳିଗଲା । ମୁଁ ବରକର୍ତ୍ତା ଭାବରେ ଯାଇଥିଲି ଦେବୁ ସାଙ୍ଗରେ । ଟୁନା ସାଙ୍ଗରେ ଭାଇ ଯାଇଥିଲେ । ଯେତେହେଲେ ବଡ଼ଘର ବନ୍ଧୁ-। କାର୍ ଯୌତୁକ ଦେଉଛନ୍ତି । ତା’ଛଡ଼ା ଟୁନା ମୋତେ ତା ସାଙ୍ଗରେ ନେବାକୁ ରାଜି ନଥିଲା । ଦେବୁ ଯେ ରାଜିଥିଲା ତା ନୁହେଁ, ତେବେ ବାଧ୍ୟ ।

 

ସେ କିଛିଦିନ ବେଶ୍ ଆରାମରେ କଟିଗଲା । ଗହଳ ଚହଳ । ଆରାମରେ ଖିଆପିଆ । ମୋତେ ଭାରି ଫୁର୍ତ୍ତି ଲାଗୁଥାଏ । ଦିନରାତି କାମ କରି ବି ଜମା କ୍ଳାନ୍ତ ଲାଗୁ ନଥାଏ । ସମସ୍ତେ କହିଲେ ମୁଁ ଥିଲି ବୋଲି କୁଆଡ଼େ ସବୁ କାମ ସୁରୁଖୁରୁରେ ଉଠିଗଲା । ବେଶି ଗହଳି ହେଲେ ଗୋଟାଏ ସୁବିଧା ପର୍ସନେଲ କଥାବାର୍ତ୍ତା ବେଶି ହୋଇ ଉଠେନା । ଅନ୍ତରଙ୍ଗତା ଜମେନା । କେମିତି ନୈବ୍ୟକ୍ତିକ ହୋଇଉଠେ ପାରପ୍ସରିକ ସମ୍ବନ୍ଧଟା । ମୋତେ ଏଇଟା ବେଶ୍ ସୁହାଉଥିଲା । କାରଣ ତା ନ ହୋଇଥିଲେ ମୋତେ ଆହୁରି କେତେକଥା ଶୁଣିବାକୁ ପଡ଼ିଥାନ୍ତା । କିନ୍ତୁ ବାହାଘର ଦଶ ପନ୍ଦର ଦିନ ପରେ ଯେ ଯେମିତି ଯୁଆଡ଼େ ଚାଲିଗଲେ । ମୋ ରହିବାଟା ଅସମ୍ଭବ ହୋଇ ଉଠିଲା । ତଥାପି ନାହିଁ ନାହିଁ କହି ମାସେ ରହିଗଲି । ତାପରେ ଦିନେ ଧରିଲି ବେଗ । ଚାଲିଲି ବାଟରେ । ସବୁଦିନ କିଆ ବାଟୋଇ ଗୋଟାଏ ମୁଁ । କୋଉଠି ରହି ପାରୁଛି କି ସ୍ଥିରହୋଇ । କିଏ ଯେମିତି ବେକରେ ଧକ୍କା ଦେଇ ନିକାଲିଦିଏ ମୋତେ । ସେଥର ବଡ଼ଅପା ଘରକୁ ଯାଇଥିଲି । ଡାକି ଯାଇଥିଲା ସେ । ବଡ଼ ଭିଣୋଇ ଥାନ୍ତି ଜବଲପୁରରେ । ରେଲୱେ ଅଫିସର୍ ସୁପରିଣ୍ଟେଣ୍ଡେଣ୍ଟ । ପିଲାପିଲି ମାତ୍ର ଆଠୋଟି ।

 

ବଡ଼ ଅପା ମୋଠୁଁ ପ୍ରାୟ ଆଠବର୍ଷ ବଡ଼ । ପିଲାଦିନେ ମୁଁ ତାର ଭାରି ଗେହ୍ଲା ଥିଲି । ତା ଘରେ ବେଶ କିଛିଦିନ କଟିଗଲା । ପ୍ରାୟ ଦେଢ଼ମାସ । ଆଉ ବି କିଛିଦିନ ରହିଯାଇଥାନ୍ତି । କିନ୍ତୁ ମୋର ତ ଭାଗ୍ୟ ଭ୍ରମଣ । ଚେର ଲାଗୁଛି କୋଉଠୁ ? ଯଦି ବା କୋଉଠି ମୁଁ ଭୁଲରେ ଇଚ୍ଛାକରି ବସା ବାନ୍ଧିବାକୁ ଚାହିଁଛି ମୋର ଭାଗ୍ୟ ମୋତେ ତଡ଼ି ନେଇଛି । କେତେବେଳେ ଗୋଟାଏ ନିଷ୍ଠୁର ଆଘାତରେ ଆଉ କେତେବେଳେ ଅବା ଗୋଟାଏ ନରମ ଧକ୍କା ଦେଇ । ଅପାଘରେ ରହିବା ପରେ ବସା ବାନ୍ଧିବାର ଇଚ୍ଛାଟା ଚେର ଓହଳାଇ ସାରିଥିଲାଣି । ଦିନକର କଥା । ସେଦିନ କୌଣସି କାରଣରୁ ଅଫିସରୁ ରାଗିମାଗି ଘରକୁ ଆସିଥିଲେ । ଅଫିସର ଗାଳି ଦେଇଥିଲା ନା କଣ ? ଏମିତିରେ ବେଶ ଶାନ୍ତ, ସରଳ ନିରୀହ ଲୋକଟି । କଳି ତକରାଳ ପାଖରେ ପଶନ୍ତି ନାହିଁ । କିନ୍ତୁ ସେଦିନ କଣ ହେଲା କେଜାଣି ଗୋଟାଏ ଝଡ଼ ପାଲଟି ଗଲେ ତ ସେ । କଣ ଗୋଟାଏ ଜିନିଷ ପାଇଁ ଖୁଟ୍‍ଖାଟ୍ ଲାଗିଲା ଅପା ସାଙ୍ଗରେ । ସେ ରାଗରେ କହି ଉଠିଲେ ‘‘ନିଜ ଭାଇକୁ ଯେ ଆଣି ଦି’ମାସ ହେଲା ପାଖରେ ରଖିଛି ସେଇଟା ମନେ ପଡ଼ୁନି ? ବସି ବସି ମାଗଣା ଖାଉଛି ଯେ ସେଇଟା ଦିଶୁନି ଆଖିରେ ? ସେ ପଇସା କୋଉଠୁ ଆସୁଛି ? କଣ ବାପଘରୁ ଆଣିଥିଲ ?” ବାସ୍ ଅପାକୁ କିଏ ଦେଖେ । ପାଗଳି ହୋଇଗଲା ତ ସେ । ମୁଣ୍ଡର ବାଳ ସବୁ ଖୋଲା । ଦେହରେ ମୁଣ୍ଡରେ ଲୁଗା ନାହିଁ । ଆଖିରୁ ଝରୁଛି ଦୁଇଧାର ଲୁହ । ମୋତେ ହାତଧରି ଟାଣି ଟାଣି ବାହାରେ ଛାଡ଼ି ଦେଇଗଲା । ବେଗ୍‍ଟା ଆଣି ମୋ ଉପରେ ଛାଟି ଦେଇ ଚିତ୍କାର କରି କହିଉଠିଲା ‘‘ବାହାର୍ ବାହାର । ଏଇ ମୁହୂର୍ତ୍ତରେ ବାହାର ଏଇଠୁ । ତୋତେ ଲାଜ ଲାଗୁନି ଭିଣୋଇ ଘରେ ଆସି ମାସ ମାସ ଧରି ବସି ଖାଇବାକୁ । ଖାଇବାକୁ ନ ମିଳୁଛି ଯଦି ଭିକ ମାଗି ଖାଇପାରୁନୁ ? ନହେଲେ ମରିପାରୁନୁ । ତୁ ଯଦି ଏଇନା ମୋ ସାମ୍ନାରୁ ଦୂର ନ ହୋଇ ଯାଇଛୁ ମୁଁ ବେକରେ ଦଉଡ଼ି ଦେଇଦେବି ।” ଅପା ଉପରେ ସାମାନ୍ୟ ବିରକ୍ତ ହେଲି । କଣ ଟିକେ କହିଦେଲେ ସହ୍ୟ କରିଗଲେ ହୁଅନ୍ତାନି । ନା, ବାପଘରର ଆଭିଜାତ୍ୟ । ବାପଘର ଅପମାନ ଅସହ୍ୟ । ଅଭିମାନରେ ଫାଟିପଡ଼ୁଛି ତାର ହୃଦୟ । ଦୁଃଖ, କ୍ରୋଧ, ଅଭିମାନ ଅସହାୟତାରେ ବିସ୍ଫୋରିତ ହେଉଛି ସ୍ନେହଶୀଳତା । ଆହା, ଅପା ମୋତେ କେତେ ଭଲପାଏ ସତେ । ଅପା ବୋଉ ମୋର ।

 

ଉପାୟ ନାହିଁ । ଅପା ଯେମିତି ଅବସ୍ଥାରେ ଅଛି ଦଉଡ଼ି ଦେଇଦେବା ତା ପକ୍ଷରେ ଅସମ୍ଭବ ନୁହେଁ । ରାତି ସାଢ଼େ ଆଠଟା । ଖାଇ ନଥାଏ । ଚାରିଟା ବେଳେ ସାମାନ୍ୟ ଜଳଖିଆ ଖାଇଥିଲି । ପାଖରେ ବଜାର ସଉଦାରୁ ବଳିଥିବା ମାତ୍ର ଗୋଟାଏ ଟଙ୍କା । କଣ ଆଉ କରାଯିବ । ଝାଡ଼ିଝୁଡ଼ି ହୋଇଉଠି ସେତିକକୁ ସମ୍ବଳ କରି ଚାଲିଲି ବେଗ୍ଟାକୁ କାନ୍ଧରେ ପକେଇ । ଏ ବି ବେଶ୍ ଭଲହେଲା । ଯଦିଓ ଭାଗ୍ୟର ଏଇ ଟଣାଟା ବେଳେ ବେଳେ ନିଷ୍ଠୁର ତଥାପି ସେଇଟା ଚେତେଇ ଦେଇଯାଏ ଯେ ଉଡ଼ନ୍ତା ଚଢ଼େଇର ନୀଡ଼ବନ୍ଧା ସାଜେନା । ତାର ସ୍ଵପ୍ନ ଦେଖିବା ଭୁଲ୍ । ଭାବୁ ଭାବୁ କେତେବେଳେ ଜବଲପୁର ଷ୍ଟେସନରେ ପହଞ୍ଚି ଯାଇଛି ଜାଣି ପାରି ନଥିଲି । ସାମ୍ନାରେ ଦେଖିଲି ବମ୍ବେ ମେଲ୍ ଛିଡ଼ା ହୋଇଛି । କିଛି ନ ଭାବି ଉଠିପଡ଼ିଲି ।

 

ଧରାପଡ଼ିଲି ୱାର୍ଦ୍ଧାରେ । ପନ୍ଦରଦିନ ଜେଲ । ଲେଖିଥିଲେ ଭିଣୋଇ ଆସିଥାନ୍ତେ ନିଶ୍ଚୟ-। କିନ୍ତୁ କି ଦରକାର ? ସବୁ ବନ୍ଧନ କାଟିଦେବା ଭଲ । କୌଣସି ଗୋଟାଏ ରହିଲେ ବି ପଛରେ ସେଇଟା ଦୁଃଖ ଦେବ ।

 

ସେଇଠୁ ପୁଣି ଆରମ୍ଭ ହେଲା ଯାତ୍ରା । କେତେବେଳେ ଟ୍ରେନରେ, କେତେବେଳେ ବସ୍‍ରେ, କେତେବେଳେ ଚାଲିକରି, କେତେବେଳେ ଟ୍ରକ୍ ପଛଆଡ଼େ— କିଛି ଠିକ୍ ନାହିଁ । ଚଟିଘର, ଗଛମୂଳ, ପିଣ୍ଡା କିଛିର ବାଛ ବିଚାର ନାହିଁ । ପାଖରେ କିଛି ଥିଲେ ତ ଭୟ । ଖାଇବାକୁ ପାଇଲେ ପାଏ । ନ ପାଇଲେ ପାଣି ପିଇ ରହିଯାଏ । ଆଉ ଖାଇବା ପିଇବାରେ ବି ମୋର ବାଛ ବିଚାର ନ ଥାଏ । ମୋ ପାଖରେ ଅଖାଦ୍ୟ ବୋଲି କିଛି ନାହିଁ । ଯାହା ଯୋଉଠୁ ପାଏ ନିର୍ବିକାରଭାବେ ଖାଇଦିଏ । ଘୁଷୁରି, ଗୋରୁ, ଘୋଡ଼ା, ସାପ କିଛିର ମାଂସ ଛାଡ଼େନା । ଅନ୍ୟ ମଣିଷ ଯେତେବେଳେ ସେଗୁଡ଼ା ଖାଇ ପାରୁଛନ୍ତି ମୁଁ ନ ଖାଇ ପାରିବି କାହିଁକି ? ପ୍ରଥମେ ଟିକିଏ ଅଡ଼ୁଆ ଲାଗୁଥିଲା । ବାନ୍ତି ହେଉଥିଲା ପ୍ରଥମେ ପ୍ରଥମେ । କିନ୍ତୁ ଏବେ ଆଉ ନାହିଁ । ଏସବୁ ଖାଲି ମନର ବିକାର ମାତ୍ର । ଖାଇବାର ଅଭ୍ୟାସ ବଦଳିଗଲା ମାତ୍ରେ ମୋର ଆଉ ଖାଇବାର ଅଭାବ ରହିନି । ଆଦିବାସୀମାନଙ୍କ ଗାଁରେ ବେଶ ଆରାମରେ ଚଳେ । ମଧ୍ୟପ୍ରଦେଶରେ ବୁଲିଲାବେଳେ ମୋର କିଛି ଅସୁବିଧା ହୋଇନି । ଖଜୁରୀ, ସଲପ, ମହୁଲୀମଦ ପ୍ରଚୁର ପରିମାଣରେ । ଖାଇବାକୁ ଦେବାରେ ସେମାନେ ବି କୁଣ୍ଠାବୋଧ କରନ୍ତିନି । ଅସୁବିଧା କେବଳ ଟାଉନମାନଙ୍କରେ । ଥରକର କଥା । ସେଇଟା କୋଉଠି ଠିକ୍ ମନେପଡ଼ୁନି । ଉଦୟପୁରରେ ବୋଧ ହୁଏ । ବୁଲି ବୁଲି ଯାଇ ସେଇଠି ପହଞ୍ଚିଥାଏ । ଭୀଲ, ଅଃ । ବେଶ ଅତିଥିବତ୍ସଳ ଲୋକଗୁଡ଼ା । କିନ୍ତୁ ଉଦୟପୁରରେ ଦି ଦିନ ପର୍ଯ୍ୟନ୍ତ ଖାଇବାକୁ ପାଇଲି ନାହିଁ । ବଡ଼ କଷ୍ଟରେ ଥାଏ । ତା ପରଦିନ ବୁଲୁ ବୁଲୁ ଦେଖିଲି ଗୋଟାଏ ଯାଗାରେ ଅନ୍ନଛତ୍ର ଦିଆହେଉଛି । ମୋ ପିଣ୍ଡରେ ପ୍ରାଣ ପଶିଲା । ଚକାମାଡ଼ି ବସିଗଲି । ବଗଡ଼ା ଚାଉଳ ଓ ବିରିଡ଼ାଲିର ଖେଚେଡ଼ି ପକେଇ ଦେଲି ପେଟେ । ମାରୁଆଡ଼ିମାନେ ଏ ଦିଗରୁ ଖୁବ୍ ଦୟାଳୁ । ଯେ ଯାହା କହୁ ପଛେ । ସେ ମାସଟା ବୋଧହୁଏ ବାହାଘର ମାସ ନା କଣ ? ଅନ୍ନଛତ୍ର ସେ ସହରଟା ଭିତରେ ଅନ୍ତତଃ ପନ୍ଦରଟା ଖଣ୍ଡେ ମୁଁ ଆଟେଖ୍ତ କରିଥିବି ସାତଦିନ ଭିତରେ-। କିଛି ଶୁଖିଲା ପୁରୀ ଓ ମିଠା ମଧ୍ୟ ଦାତାମାନଙ୍କ ଦୟାରୁ ମିଳିଥିଲା । ସେତକ ସମ୍ବଳ କରି ଚାଲିଲି ଜୟପୁର ।

 

ଖାଇବାଟା ତ ବଡ଼ କଥା ନୁହେଁ । ମିଳିଯିବା କୋଉଠୁ ନା କୋଉଠୁ । କିନ୍ତୁ ସମୟ କାହିଁ-? ବୟସ ଯାଉଛି । ଅଥଚ ଆହୁରି କେତେ ଜାଗା ଦେଖିବାକୁ ବାକି । ଛଅଟା ମାସ ମୋର ରାଜସ୍ଥାନରେ କଟିଯାଇଛି । କେତେ ଭଗ୍ନ ପ୍ରାସାଦର ସ୍ତୂପ । ଯେତେ ମୁଣ୍ଡିଆ—ସେତିକି ଦୁର୍ଗ-। ବୀରଭୂମି ରାଜସ୍ଥାନ । ରାଣାପ୍ରତାପ, ଧାତ୍ରୀ ପାନ୍ନା, ରାଣୀ ପଦ୍ମିନୀର ରାଜସ୍ଥାନ । ତାର ପ୍ରତ୍ୟେକଟି ପାହାଡ଼ର ଭଗ୍ନ ରାଜପ୍ରାସାଦରେ ବୁଲି ବୁଲି ଦେଖିଛି । ସେଇ ଇଟା ପଥରର ଗଦା ଭିତରୁ ନିଖୋଜ ହୋଇଥିବା ଅଗଣିତ ମଣିଷର ପଦଚିହ୍ନ ଆବିଷ୍କାର କରିଛି । ଅନେକ ଗୋପନକଥାର ନିର୍ଝରର ସ୍ରୋତ ଆବିଷ୍କାର କରିଛି । ନା, ସେ କଥା ସବୁ ଇତିହାସର ନୁହେଁ । ଆଉ ସେ କଥା ମୋର ଭ୍ରମଣ କାହାଣୀ ପାଇଁ ବି ନୁହେଁ । ସେ ସବୁ ଏକାନ୍ତ ନିଜର । ଏକାନ୍ତ ଆପଣାର । ଅତି ସଂଗୋପନୀ ହୃଦୟ କନ୍ଦରର ପ୍ରଶାନ୍ତ ଅନୁଭବ । ସେଇଟା କେବଳ ମୋ ପାଇଁ ।

 

ଏଇ ମୋର ଜନ୍ମଭୂମି ଭାରତ । କେତେ ଭାଷା, କେତେ ଜାତି, କେତେ ବର୍ଣ୍ଣ, କେତେ ରାଜନୀତି, ଚାଲିଚଳଣ, ବେଶଭୂଷା । କିନ୍ତୁ ସବୁଠି ସେଇ ମଣିଷକୁ ମୁଁ ଖୋଜି ପାଇଛି । ଏକ ସମ୍ବେଦନଶୀଳ ଚିରନ୍ତନ ଭାରତବାସୀ ଚିରନ୍ତନ ମଣିଷକୁ । କିଛିର ଫରକ ନାହିଁ ମଣିଷ ଭିତରେ । ଯେତେ ବଡ଼ ହେଲେ ବି, ଯେତେ ପିଞ୍ଜରା ଭିତରେ ଅଲଗା କରି ରଖିଲେ ବି ସେ ଏକ ଓ ଅନନ୍ୟ-

 

ଭୂସ୍ଵର୍ଗ କାଶ୍ମୀରର ନାନାରଙ୍ଗର ଫୁଲର ବର୍ଣ୍ଣାଢ଼୍ୟ ମହୋତ୍ସବ ଭିତରେ ଶୁଭ୍ର, ତୁଷାରଘେରା ଗିରିଶୃଙ୍ଗର ପାଦଦେଶର ଉପତ୍ୟକାରେ ପାଇନ୍ ବଣର ସ୍ନିଗ୍‍ଧ ଛାୟା ତଳେ ଅବା କେରଳର ନାରୀକେଳକୁଞ୍ଜ ଶୋଭିତ ଶ୍ୟାମଶ୍ରୀର ମଞ୍ଜୁ ମଞ୍ଜୁଳ ଶ୍ୟାମଛାୟା ତଳେ, ଅବା ରାଜସ୍ଥାନରେ ଶୁଷ୍କ ଟାଙ୍ଗର ଧୂସର ରୁକ୍ଷ ମରୁଭୂମି ଭିତରେ ସେଇ ଚିରନ୍ତନ–ଏକକ ମଣିଷକୁ ମୁଁ ଆବିଷ୍କାର କରିଛି । ଏହି ବହୁ ବର୍ଣ୍ଣ, ବହୁ ରଙ୍ଗ, ବହୁ ଧର୍ମ, ରୀତିନୀତି, ବେଶଭୂଷା, ପୋଷାକ ପରିଚ୍ଛଦ, ଭାଷା ଭିତରେ ଗୋପନ ଫଲ୍‍ଗୁ ପରି ବହୁଥିବା ଚିରନ୍ତନୀ ଏକତ୍ଵର ବହମାନ ଧାରାର ପ୍ରଶାନ୍ତ ଜଳର ଅନୁଭବ କେତେ ଉନ୍ମାଦକର, କେତେ ସ୍ୱର୍ଗୀୟ, କେତେ ଶାନ୍ତ । ମୁଁ ଉତ୍‍ଫୁଲ୍ଲିତ ହୋଇଛି, ମହାନନ୍ଦର ଚରମ ସୁଖରେ ଉପନୀତ ହୋଇ ଅଶ୍ରୁ ବିଗଳିତ ହୋଇଛି, ନିଜର ବିରାଟତ୍ଵରେ ନିଜେ ବିସ୍ମିତ ହୋଇଛି, ନିଜର ବିପୁଳତାରେ ଏକ ଅପୂର୍ବ ପୁଲକ ଅନୁଭବ କରିଛି । ସେଇ ଶାଶ୍ଵତ ଜୀବନଧାରାରେ ଉଦ୍‍ବୁଦ୍ଧ ହୋଇ ମୁଁ ମିଶି ଯାଇଛି ଏଇ ମହାଭାରତର ପ୍ରାଣେ ପ୍ରାଣେ, ତାର ଅନ୍ତରର ପ୍ରତିଟି ଅଣୁକଣା ଭିତରେ । ଆଉ ମୋର ଏଇ ବିରାଟତ୍ଵ ଦେଇ ତାକୁ ଆଲିଙ୍ଗନ କରି ରଖିଛି ଏଇ ଆକାଶ ପରି ।

 

ଲୁଗାପଟାର ଅସୁବିଧା ମୋତେ ବେଶୀ ବାଧିଲା । ଦିଖଣ୍ଡ଼ ଲୁଗା ଓ ଖଣ୍ଡେ ପଞ୍ଜାବୀ, ଖଣ୍ଡେ ଗାମୁଛା । ଚବିଶଘଣ୍ଟା ପିନ୍ଧିଲା ପରେ ଆଉ କେତେଦିନ ଯାଆନ୍ତା । ରାଜସ୍ଥାନରୁ ଦିଲ୍ଲୀ ଆଡ଼କୁ ଫେରିଲା ବାଟରେ ସେଗୁଡ଼ା ଆଉ ପିନ୍ଧିବା ଅବସ୍ଥାରେ ନଥାଏ । କଣ ଆଉ କରିବି ? ମାଗି ଦେଖିଲି ଦି ଚାରି ଜାଗା । ସବୁଠି ନାସ୍ତିବାଣୀ । “ଏମିତି ସୁସ୍ଥସବଳ ଲୋକଟା ଭିକ ମାଗୁଛି । ଯା, ଭାକ୍ । କାମକରି ପାରିବୁ ?” ଏତିକି ବେଳେ ହଠାତ୍ କରି ଏ ବୁଦ୍ଧିଟା ଆସିଲା ମୋର । ମଥୁରାକୁ ପ୍ରାୟ କୋଡ଼ିଏ ମାଇଲ ବାକି ଥାଏ । ସବୁ ଛିଣ୍ଡା ଲୁଗାକୁ ଗେରୁଆ ମାଟିରେ ରଙ୍ଗେଇଦେଇ ଅଧେ କୌପିନ୍ ମାରି ବାକି ଅଧକ ମୁଣ୍ଡରେ ପଗଡ଼ି କରି ଚାଲିଲି ସର୍ବତ୍ୟାଗୀ ସନ୍ନ୍ୟାସୀ ‘ସର୍ବାନନ୍ଦ’ ଭାବରେ । ମଥୁରାରେ ଯାଇ ଭଜନ କୀର୍ତ୍ତନ କରି ବେଶ୍ କିଛିଦିନ କଟିଗଲା । ଖିଆପିଆ ମଠରେ-। ମାଗଣାରେ ଯଥେଷ୍ଟ ଗଞ୍ଜେଇ । ଚିନ୍ତା ଆଉ କିଛି ନଥିଲା । କିନ୍ତୁ ଏମିତି ଆଉ କେତେଦିନ ରହିହେବ ? ମୋତେ ଯେ ବାଟ ଡାକୁଛି । ଅସହ୍ୟ ତାର ଆକର୍ଷଣ । ମନେ ମନେ ଉପାୟ ଚିନ୍ତା କରୁଛି ଏମିତି ସମୟରେ ହଠାତ୍ ଦେଖା ହୋଇଗଲା ‘‘କଲିକତା ନିବାସୀ ଚିନ୍ତାମନି କୁଣ୍ଡୁର ବିଧବା ପତ୍ନୀ ସୁରବାଲା ଦାସୀ” ସାଙ୍ଗରେ । ମଥୁରାକୁ ତୀର୍ଥ କରିବାକୁ ଆସିଥାନ୍ତି । ବାକି ଜୀବନଟା ଏଇଠି କଟେଇବେ । ପୁଅ ନାତି ସବୁ ବଡ଼ ମହାଜନ । ଯଥେଷ୍ଟ ପଇସା । ଲକ୍ଷ ଲକ୍ଷ ଟଙ୍କାର କାରବାର-। କାହିଁକି ଯେ ପ୍ରଥମ ଦେଖାରେ ବୁଢ଼ୀ ମୋତେ ଭଲପାଇ ବସିଲା ସେ କଥା ସେ ଜାଣେ କିନ୍ତୁ ମୁଁ ଭାବିଲି ଏଇଟା ମୋର ଭାଗ୍ୟ । ବୁଢ଼ୀ ମୋତେ ଡାକେ ‘ଗୌର ସନ୍ନ୍ୟାସୀ’ । ବଡ଼ ବଡ଼ ପଣ୍ଡା ପଢ଼ିଆରୀ ସବୁ ବୁଢ଼ୀ ପଛରେ । ମହୁମାଛି ପରି ଘେରି ରହିଥାନ୍ତି ବୁଢ଼ୀକୁ । ସେ ଭିତରେ ମୋ ଉପରେ ବୁଢ଼ୀର ଆଖି ପଡ଼ିବାଟା ମୋର ଭାଗ୍ୟ ନୁହେଁ ତ କଣ ? ଦିନେ ଡକେଇ ପଠେଇଲା । ତା ପରଦିନଠୁ ପ୍ରତିଦିନ । କୀର୍ତ୍ତନ ଶୁଣାଅ, ଭଜନ ଶୁଣାଅ । ପିଲାଦିନେ ଶିଖିଥିବା ୨।୪ ଟା ଭଜନ ଓ କୀର୍ତ୍ତନ ଖୁବ୍ କାମ ଦେଲା । ବୁଢ଼ୀ ମୋତେ କହେ କିଛି ମାଗିବାକୁ । ମୁଁ ମାଗେନା । କଣ ଦରକାର ଅଛି ? ବୁଢ଼ୀର ସେଥିପାଇଁ ବୋଧହୁଏ ମୋ ଉପରେ ବେଶୀ ବିଶ୍ୱାସ ହୋଇଗଲା । ସେ କହେ ‘‘ଯତୋ ସବ୍ ପାଣ୍ଡା ଦେଖ୍‍ଚୋ ଗଉର ସନ୍ନ୍ୟାସୀ ସବ୍ ଚୋର । ଟାକାର ପେଛନେ ଲେଗେ ଆଛେ-।” ମୁଁ ହସେ । ବୁଢ଼ୀ ଖୁସି ହୁଏ । ଏମିତି କିଛି ଦିନ ଗଲାପରେ ହଠାତ୍ କରି ଆଇଡିଆଟା ଆସିଲା ମନରେ । ମୁଁ କେବେ ଚିନ୍ତା କରେନା । ହଠାତ୍ କରି କେତେବେଳେ ଯୋଉ ଭାବନା ଆସିଲା ତାରି ପରିପ୍ରେକ୍ଷୀରେ ମୁଁ କାମ କରିଯାଏ । ବୁଢ଼ୀକୁ ମାଗିଲି ଖଣ୍ଡେ ଧୋତି ଓ ଚାଦର । ବୁଢ଼ୀର ଆନନ୍ଦ ଆଉ ଦେଖେ କିଏ ? ଯେମିତି ତାର ଗରଜ । ଯୋଡ଼େ ନେବାପାଇଁ ତାର କେତେ ମିନତି । କିନ୍ତୁ ମୁଁ ଦରକାର ବାହାରେ ବେଶୀ ନେଇ କଣ କରିବି ? ଗୋଟାଏ ବୋଝ ହେବ ସିନା ତା ପରଦିନ ମୁଁ ମଥୁରା ଛାଡ଼ି ଚାଲିଲି ଦିଲ୍ଲୀ ।

 

ଦିଲ୍ଲୀରେ ଦେଖା ପରିକ୍ଷିତ ମିଶ୍ର ସାଙ୍ଗରେ ଆଶ୍ଚର୍ଯ୍ୟ, ଲୋକଟା ମୋତେ ନ ଚିହ୍ନିପାରିବାର ଛଳନା କଲା । ଅବଶ୍ୟ ତାର ମୋର ଦେଖା ହୋଇନି ପ୍ରାୟ ବାରବର୍ଷ । କିନ୍ତୁ ପରିଚୟ ଦେଲା ପରେ ବି ସେ କେମିତି ଅଚିହ୍ନା ଅଚିହ୍ନା ଭାବ ଦେଖେଇଲା । ହସ ଲାଗିଲା ମୋତେ । ମୁଁ କହିଲି “ଦେଖ୍ ପରୁ, ତୋର ଯଦି ନିହାତି ମନେ ନ ପଡ଼ୁଛି ମୁଁ ମନେ ପକେଇ ଦେଉଛି । ଥରେ ଯେତେବେଳେ ମେସ୍ ରୁ ପଚାଶଟଙ୍କା ମାରି ନେଇଥିଲୁ ବୋଲି ତୋତେ ବାହାର କରିଦିଆ ହେଉଥିଲା ସେତେବେଳେ ଯେ ତୋତେ ରକ୍ଷା କରିଥିଲା ମୁଁ ସେଇ ସୁବ୍ରତ ଦାସ । ଚିନ୍ତା ମୁଖାର୍ଜି ପଛରେ ରିମାର୍କ କରି ଓ ବାଣ ଫୁଟେଇ ଯେତେବେଳେ କଲେଜରୁ ରଷ୍ଟିକେଟ୍ ହେବାକୁ ଯାଉଥିଲୁ ସେତେବେଳେ ପ୍ରିନ୍‍ସପାଲ ସଙ୍ଗରେ କଳିକରି ପାଞ୍ଚଟଙ୍କା ଫାଇନ୍ କୁ ଯେ ଖସେଇ ଆଣିଥିଲା, ମୁଁ ସେଇ ସୁବ୍ରତ ଦାସ । ଏଥର ମନେ ପଡ଼ୁଛି ?” ଓଃ, ପରୀକ୍ଷିତ ମାଟିରେ ମିଶିଯିବା ପରି ହେଲା ।

 

“ମୁଁ ତୋତେ କିଛି ମାଗିବାକୁ ଆସିନି କି ତୋ ଘରେ ରହିବାକୁ ବି ଆସିନି । ମୁଁ ଆସିଥିଲି ତୋତେ ଦେଖା କରିବାକୁ କେବଳ ପୁରୁଣା ବନ୍ଧୁତ୍ୱର ଖାତିରିରେ । ମୁଁ ଜାଣେ ତୁ ବଡ଼ ଅଫିସର । ଆଉ ମୁଁ ଜଣେ ବାରବୁଲା, ଛତରା ।” ହସି ହସି ତା ପାଖରୁ ପଳେଇ ଆସିଥିଲି । ପରୀକ୍ଷିତଟା ସତରେ ବୋକାଟା ।

 

ଦିଲ୍ଲୀରେ ଭାରି ହଇରାଣ ହେଲି । ସେତେବେଳକୁ ଡିସେମ୍ବର ପ୍ରବଳ ଶୀତ ପଡ଼ିଥାଏ । ଏଣେ ଖାଇବାକୁ ମିଳିବା ଦୁଷ୍କର । ମାତ୍ର ଦୁଇ ଦିନ ରହି ପଳେଇ ଆସିଲି । ଫେର୍ ବିନା ଟିକେଟ୍‍ରେ ଧରାହେଲି । ପୁଣି ଜେଲ ପନ୍ଦରଦିନ । ଶୀତଦିନଟା ପ୍ରାୟ ମୋର ଜେଲ ଭିତରେ କଟେ । ଏତେ ଚାଦର, କମ୍ବଳ ମୁଁ କୋଉଠୁ ପାଇବି ? ଆରାମରେ ଦି ତିନିଟା ମାସ କଟିଯାଏ । ସେଥିପାଇଁ ଶୀତଦିନେ ମୁଁ ଆପେ ଆପେ ଧରାଦିଏ । ଚେଷ୍ଟାକରେ ନା ପଳେଇ ଯିବାକୁ । କିନ୍ତୁ ଶୀତ ଛାଡ଼ିଗଲେ ମୁଁ ପୁଣି ବାହାରେ । ଚେଷ୍ଟାକରେ ଧରା ନ ପଡ଼ିବାକୁ । କେବେ ଶୀତ ଦିନେ ଗାଁମାନଙ୍କୁ ପଳାଏ । ମାଗଣାରେ କାଠ ବହୁତ । ଧୂନି ଜାଳି ରାତି ସାରା ଶୁଏ ।

 

ପାରୀକ୍ଷିତ କଥା ମନେ ପଡ଼ିଲେ ମନେ ପଡ଼େ ଅନ୍ୟ ବନ୍ଧୁମାନଙ୍କ କଥା । ପ୍ରାୟ ସେଇ ଏକ ଭଳି ଅବସ୍ଥା । ଏତେ ବେଶି ନହେଲେ ବି ଧରଣଟା ଏକା । ଯେ ଯେତିକି ବଡ଼ ଚାକିରି ପାଇଛି ସେ ସେତିକି କମ୍ ଚିହ୍ନେ ।

 

ନା, କାହାରି ପ୍ରତି ମୋର ଅଭିଯୋଗ ନାହିଁ । ସେମାନେ ମୋତେ ପରଖ କରୁଛନ୍ତି ତାଙ୍କରି ଜାଣିବାର କେଇଟା ପରଶ ପଥରରେ । ସମାଜ ନୀତିନିୟମର ମାପକାଠିରେ । ଅନ୍ୟ ସମସ୍ତଙ୍କ ପରି ସେମାନେ ଦେଖିଛନ୍ତି ମୁଁ ତାଙ୍କପରି ନୁହେଁ । ଅନ୍ୟ ଜିନିଷ । ସେଥିପାଇଁ ସେମାନଙ୍କ ପାଖରେ ମୁଁ ଅଲୋଡ଼ା, ବେଦରକାରୀ, ମୂଲ୍ୟହୀନ । ବିଚାରର ପାର୍ଥକ୍ୟ ଘଟେ । ସେଥିପାଇଁ କାହାରି ବିଚାର ମୁଁ କରେନା । ପ୍ରତ୍ୟେକ ମଣିଷ ନିଜ ନିଜର ବିଚାରପତି । ତାପାଇଁ ମୁଁ ମୁଣ୍ଡ ଖେଳେଇବି କାହିଁକି ? କିନ୍ତୁ ଆଶ୍ଚର୍ଯ୍ୟ ଯେ ସମସ୍ତେ ମୋ ପାଇଁ ମୁଣ୍ଡ ଖେଳାନ୍ତି । ସେମାନେ ଦୁଃଖ କରନ୍ତି । ବିଚାର କରନ୍ତି । ଦେଖା ହେଲେ ଉପଦେଶ ଦିଅନ୍ତି । ମୋ କାମର ବିଚାର କରି ରାୟ ଦିଅନ୍ତି । ବୋର୍ ସବୁ । କାହିଁକି ଯେ ମୋ ବାଟରେ ମୋତେ ଛାଡ଼ିଦେବାକୁ ତାଙ୍କର ଏତେ ଆପତ୍ତି ମୁଁ ବୁଝେନା । ପ୍ରତ୍ୟେକ କାମର ଷ୍ଟାଣ୍ଡାର୍ଡ ମାପକାଠି ହେଲା ଟଙ୍କା । ସେଇ ଅନୁସାରେ ବଡ଼ ଛୋଟର ବାଛ ବିଚାର ହୁଏ । ସେମାନେ ମାପୁଥାନ୍ତୁ କି ଯାଏ ଆସେ ? ସେମାନଙ୍କୁ ନେଇ ମୋର ଜୀବନ ନୁହେଁ । ଜୀବନଟା ମୋର । ତାକୁ ନେଇ ମୁଁ ଯେମିତି ଭାବରେ ଆନନ୍ଦ ପାଇବି ସେଇଟା ମୁଁ ଠିକ୍ କରିବି । ଅନ୍ୟ କିଏ କାହିଁକି ଠିକ୍ କରିଦେବ ? କରିନେଲେ ବି ସେଇଟାକୁ ମୁଁ ମାନିନେବି କାହିଁକି ମୋ ଇଚ୍ଛା ବିରୁଦ୍ଧରେ ?

 

ଏଇ ବାରବୁଲା ଜୀବନଯାତ୍ରା ଭିତରେ କେତେ ଲୋକ ଦେଖିଛି । କେତେ ଘଟଣା ଦେଖିଛି । କେତେ ଗୁଡ଼ାକ ଅଛି—ବାକି ଗୁଡ଼ା ଲିଭିଗଲାଣି । କେତେ ହସ କାନ୍ଦ, ମାନ ଅଭିମାନ, ପ୍ରେମ ବିରହ । ସବୁଗୁଡ଼ାକ ମୁଁ ଦୂରରେ ଥାଇ ଦେଖିଛି । ପର୍ଯ୍ୟବେକ୍ଷଣ ଭାବରେ, ଅନ୍ୟ ଦେଶୀ ଲୋକ ପରି । ଦେଖେ କେମିତି ଲୋକେ ଛଟପଟ ହେଉଛନ୍ତି ଏ ଭିତରେ ପଡ଼ି । ଗୋଟିଏ ଯାଦୁ ମନ୍ତରରେ ସୂତା ଯାର ଅସ୍ତିତ୍ଵ ବୋଲି କିଛି ନାହିଁ । କିନ୍ତୁ ତାରି ଭିତରେ ବାନ୍ଧି ହୋଇ ସେମାନେ କେତେ ଡହଳବିକଳ ହୁଅନ୍ତି ମୁକ୍ତି ପାଇଁ । ମଜା ବି ଲାଗେ । ଦୁଃଖ ବି ଲାଗେ । କିନ୍ତୁ କିଏ ଯଦି କହେ ଆସ ସେ ମନ୍ତର ସତାକୁ ମୁଁ ଫିଟେଇ ଦେବି ସେମାନେ ଲୁଚିବେ । ତାରି ସପକ୍ଷରେ ଘଣ୍ଟା ଘଣ୍ଟା ଧରି ଉପଦେଶ ଦେବେ ।

 

ସେଥର ମୋର ବି କଣ ସେମିତି ହୋଇ ନଥିଲା ? ଦିନ କେତେ ମୁଁ ବେଶ୍ ଛଟପଟ ହୋଇଥିଲି । ଆଉ ଭଲ ବି ଲାଗୁଥିଲା ସେମିତି ଛଟପଟ ହେବାରେ । ଆଶ୍ଚର୍ଯ୍ୟ ! କିନ୍ତୁ ବେଶୀ ଦିନ ନ ଯାଉଣୁ ପୁଣି ସେଇ ଅଜଣା ଆକର୍ଷଣରେ ଟାଣି ହୋଇ ଛିଟିକି ପଡ଼ିଲି ଖୋଲା ରାଜପଥ ଉପରେ । ଫେର୍ ଯାତ୍ରା । ଏ ଯାତ୍ରାରେ ଶେଷ ନାହିଁ । ଘଟଣାଟା ଘଟିଥିଲା ଆସାମରେ । ସେଇଠି ଯାଇ ରହିଲି ଖରାଦିନଟା । ଖାସି ଜାତିଟା ଖୁବ୍ ଅତିଥି ବତ୍ସଳ । ତାଙ୍କର Maternal society-। ପୈତୃକ ସମ୍ପତ୍ତି ବୋଲି କିଛି ନାହିଁ । ସବୁ ମା’ର । ପୁଅ ପାଏନା ଝିଅ ପାଏ । ତେଣୁ ଝିଅମାନଙ୍କର ସ୍ଵାଧୀନତା ବେଶୀ । ସେମାନେ ଗୋଟିଏ ପୁରୁଷକୁ ଛାଡ଼ି ଅନ୍ୟ ଗୋଟାଏକୁ ବାହାହୋଇ ପାରନ୍ତି ଅନାୟାସରେ । ସେହିଠି ଥିଲାବେଳେ ଖାସି ଝିଅ ହାସ୍‍ନା ପଡ଼ିଲା ମୋର ପ୍ରେମରେ । ମୁଁ ସେ ଝିଅଟାକୁ ଭଲ ପାଇ ନ ଥିଲି କହିଲେ ଭୁଲ୍ କହିନି । ଅନେକଦିନ ବୁଲିଲା ପରେ ଗୋଟାଏ କ୍ଲାନ୍ତି ଆସିଥିଲା ମନରେ ଓ ଦେହରେ । ସେହି ପାହାଡ଼ ଘେରା କ୍ଷୁଦ୍ର ପଲ୍ଲୀରେ ଉମ୍ରିୟମ ନଦୀ କୂଳର ଶାନ୍ତ ବାତାବରଣ ଭିତରେ ମନ ଚାହୁଁଥିଲା ବିଶ୍ରାମ । ଅତଏବ ମୋର ନିଜ ଅଜାଣତରେ ବି ମୁଁ ବାସ୍ନାର ଘରବାଲା ହୋଇ ଯାଇଥିଲି କିଛି ଦିନ ଭିତରେ । ଖାସି ଭାଷାରେ ଉମ୍ରିୟମ ନାଁର ମାନେ ‘ଅଶ୍ରୁମତୀ’ । ସେଇ ଅଶ୍ରୁମତୀ ନଦୀକୂଳରେ ମୋର ପ୍ରେମର ଜନ୍ମ । ପ୍ରାୟ ଦୁଇବର୍ଷ ରହିଥିଲି ବୋଧହୁଏ । ଗୋଟାଏ ପୁଅ ହୋଇଥିଲା, ଆଜିକୁ ପ୍ରାୟ ୩୪ ବର୍ଷ ହୋଇ ଯାଇଥିବ । କେତେ ବଡ଼ ହେଲାଣି ? ଦେଖିବାକୁ କେମିତି ହୋଇଛି ? ମୋର ମୁଁହ ପରି ଅନେକଟା ଦେଖାଯାଉଥିଲା । ଆଉ ବାସ୍ନା ? ସେ କଣ କରୁଛି ? ହୁଏତ ଆଉ କାହାରିକୁ ରଖି ସାରିବାଣି । କିନ୍ତୁ— । ଆଃ, ଅନେକ ପ୍ରଶ୍ନ । ଅନେକ ଜଦୁମନ୍ତର ସୂତା । ଦେହରେ ମନରେ ଗୁଡ଼ାଇ ତୁଡ଼ାଇ ହୋଇ ଯାଉଛି ବୁଢ଼ୀଆଣୀ ଜାଲପରି ।

 

ସେଦିନ ଏକ ଶୀତରାତ୍ରିର ପାହାନ୍ତାରେ ଅଶ୍ରୁମତୀ ନଦୀକୂଳରେ ଶାନ୍ତ ବାତାବରଣ ଭିତରେ ସୁଖ ନିଦ୍ରାରେ ସୁସୁପ୍ତା ହାସ୍ନା ଓ ମୋର ଘୁମନ୍ତ ଶିଶୁ ପୁତ୍ରକୁ ଛାଡ଼ି ଦେଇ ମୁଁ ଫେର୍ ବାହାରି ଆସିଲି ପଥ ଉପରକୁ । ଚାଲ, ଚାଲ, ଆଗେଇ ଚାଲ । ଆଜିକୁ ପ୍ରାୟ ତିନି ହଜାର ବର୍ଷ ତଳେ ଜଣେ ରାଜପୁତ୍ର ଏମିତି ଭାବରେ ବାହାରି ଆସିଥିଲା ଏଇ ପଥର ଡାକରାରେ । ତାକୁ ଲୋକେ ଜାଣନ୍ତି ଏକ ମହାପୁରୁଷ ଏକ ମହାମାନବ ଭାବରେ । ମୁଁ ବି ବାହାରି ଆସିଛି ସେଇ ଲକ୍ଷରେ । କିନ୍ତୁ ମୋତେ ଲୋକେ କହନ୍ତି ବାରବୁଲା, ଛତରା, ଦାୟିତ୍ୱହୀନ, ଲମ୍ପଟ ।

 

ନା, କିଛି ଅଭିଯୋଗ ଆଉ ନାହିଁ । “ଚାରିଦଉଡ଼ି ଯେ କାଟି ଦେଇଛି ଆଉ କିସ ଫାନ୍ଦେ ଜଡ଼ାଇବ ହେ ।”

 

ଭାରତ ଭ୍ରମଣ ଶେଷ ହୋଇଛି । କିନ୍ତୁ ପୃଥିବୀ ଦେଖିନି । ଆହୁରି ଦେଶ, ଆହୁରି ମଣିଷ, ଆହୁରି ବେଶଭୂଷା, ରୀତିନୀତି ଚାଲିଚଳନ । ଆଜିକାଲି ବଡ଼ ଅସୁବିଧା ହୋଇ ଗଲାଣି । ଦେଶ ଦେଶ ଭିତରେ, ଗୋଷ୍ଠୀ ଗୋଷ୍ଠୀ ଭିତରେ ସବୁବେଳେ ସନ୍ଦେହ, ସବୁବେଳେ ଅବିଶ୍ଵାସ । ମୁଁ ଜଣେ ମଣିଷ । ମୁଁ ଦେଖିବାକୁ ଚାହେଁ ମୋର ଅନ୍ୟାନ୍ୟ ଭାଇ ଭଉଣୀମାନଙ୍କୁ । କିନ୍ତୁ ମୁଁ କଣ ଯାଇପାରୁଛି ସୁବିଧାରେ ? ସେଥିପାଇଁ ପାଶପୋଟି ଦରକାର, ଭିସା ଦରକାର । କେତେ କଣ ? କାଳେ ଗୁପ୍ତଚର ହୋଇଥିବି ? ନା, ଅନେକ ଅସୁବିଧା, ଅନେକ କଟକଣା, ମଣିଷ ପାଖକୁ ଯିବାରେ । ସେଥିପାଇଁ କଟକ ଆସିଛି । ମନ୍ତ୍ରୀଙ୍କ ପାଖକୁ ସାର୍ଟିଫିକେଟଟା ନେଲେ ଆନେକଟା ସୁବିଧା ହୋଇଯିବ ଥରେ ପାଶପୋର୍ଟ ମିଳିଗଲେ ଆଉ ଚିନ୍ତା ନାହିଁ । ଯଦି ବି ପରିବ୍ରାଜକ ଭାବରେ ନ ମିଳେ ଜାହାଜର ଖଲାସି ଭାବରେ ଯିବାକୁ ଠିକ୍ କରିଛି । ସିନ୍ଧିଆ କମ୍ପାନୀର ବଡ଼ବାବୁକୁ ଧରିଛି-। ସେ କହିଛି ପାଞ୍ଚଶ ଟଙ୍କା ଦେଲେ ଚାକିରି ଗୋଟାଏ ଯୋଗାଡ଼ କରିଦେବ । ମନ୍ତ୍ରୀଙ୍କ ସାର୍ଟିଫିକେଟ କିମ୍ବା ୫୦୦ ଟଙ୍କା । ଯେମିତି ହେଉ ସଂଗ୍ରହ କରିବାକୁ ପଡ଼ିବ, ଶେଷଥର ପାଇଁ ଘରକୁ ବି ଯିବି । କିଏ ଜାଣେ ଫେରି ପାରେ ନପାରେ ।

 

ମରିବା ପାଇଁ ମୋର ଡର ନାହିଁ । ଆଉ ଯେଉଁଠି ବି ମରେ ସେଥିପାଇଁ ଭାବନା ବି ନାହିଁ । ଏ ପୃଥିବୀ ତ ମଣିଷମାନଙ୍କର । ଆଉ ସବୁ ମଣିଷ ତ ମୋର ଭାଇ ବନ୍ଧୁ, କୁଟୁମ୍ବ । ତେଣୁ ଯୋଉଠି ମଲେ ବି ମୁ ତାଙ୍କର ଭିତରେ ତ ମରିବି । ସେଥିପାଇଁ ଆଉ ଦୁଃଖ କଣ ?

 

ନା, କିଛିର ଦୁଃଖନାହିଁ, ଅନୁତାପ ନାହିଁ, ଅନୁଶୋଚନା ନାହିଁ । କିନ୍ତୁ ବେଳେ ବେଳେ କେଜାଣି କାହିଁକି ମୋତେ କ୍ଷଣକପାଇଁ ବିବ୍ରତ କରି ଆଖି ଆଗରେ ଭାସିଯାଏ ଗୋଟାଏ ଚିତ୍ର । ଚିରନ୍ତନ, ଚିରଅଭୁଲା ଗୋଟାଏ ଅବିସ୍ମରଣୀୟ କଳ୍ପନା ।

 

ସନ୍ଧ୍ୟାର ରାଗ ରଞ୍ଜିତ ପ୍ରଶାନ୍ତ ଗୋଧୂଳିର ଅସ୍ପଷ୍ଟ ଛାୟାରେ ଅଶ୍ରୁମତୀ ନଦୀକୂଳରେ ବସି ଅଶ୍ରୁ ବିସର୍ଜନ କରୁଥିବା ଗୋଟିଏ ନାରୀର ଦୃଶ୍ୟ ।

☆☆☆

 

Unknown

ପରକୀୟା

 

ବଡ଼ ଅନୁନୟ, ଅନେକ ଆଶା ଥିଲା ସୁନନ୍ଦାର କଣ୍ଠରେ ।

 

“ଅନେକ ଦିନରୁ ମୋର ଗୋଟାଏ କଳ୍ପନା ରହିଛି । କହ ତମେ ସେଇ ଆଶା ପୁରଣ କରିବ କି ନାହିଁ ? ତମେ ହିଁ କହ । କହନା । ନିଶ୍ଚୟ ? ଶପଥ କର ।”

 

ମୋର ହାତକୁ ତାର କୋମଳ ହାତ ଭିତରେ ଚାପି ଧରି, ମୋ ମୁହଁକୁ ସ୍ଥିର ଚକ୍ଷୁରେ ନିରୀଷଣ କରୁ କରୁ ଛଳ ଛଳ ଆଖିରେ କହୁଥିଲା ସେ ।

 

ଅଦ୍ଭୁତଭାବରେ ରୋମାଣ୍ଟିକ୍ ଏଇ ନାରୀ ସୁନନ୍ଦା—ମୋର ବନ୍ଧୁପତ୍ନୀ । କଥା କହୁ କହୁ ହଠାତ୍ ସ୍ଵପ୍ନବିଭୋର ହୋଇଯାଏ । ହସୁ ହସୁ ହଠାତ୍ ବନ୍ଦ ହୋଇଯାଏ । ଅକାରଣରେ ଆଖିରୁ ଲୁହ ଝରାଏ । କଳ୍ପନା ଭିତରେ ହିଁ କେବଳ ସେ ନିଜକୁ ଫେରିପାଏ । ବାସ୍ତବତାର ପଟ୍ଟଭୂମିରେ ସେ ଏକାନ୍ତଭାବେ ନିଃସହାୟା, ବିଦେଶିନୀ ନାରୀ ।

 

ସୁନନ୍ଦା ସାଙ୍ଗରେ ମୋର ପରିଚୟ ମାତ୍ର ଦୁଇଟି ବର୍ଷର; କିନ୍ତୁ ଗୋଟାଏ ଦିନ ଭିତରେ ହିଁ ମୁଁ ହୋଇଗଲି ତା’ର କେତେ ଆପଣାର । ସୁକୁମାର ପାଖରେ ତା’ର ଯେତେ ଅଳି ନୁହେଁ, ମୋରି ପାଖରେ ତା’ର ସମସ୍ତ ଦାବୀ, ସମସ୍ତ ଅଳି । ନିହାତି ପରିଚିତ ଭାବରେ, ନିଜର ଅନ୍ତରଙ୍ଗ ବନ୍ଧୁଠାରୁ ଆହୁରି ଅନ୍ତରଙ୍ଗ ଭାବରେ ସେ ନିଜକୁ ମୋ ପାଖରେ ଅଜାଡ଼ି ଦେଇଯାଏ ନିଃସଙ୍କୋଚରେ । ମୋ ପାଖରେ ତା’ର ଲଜ୍ଜା ନାହିଁ, ସଙ୍କୋଚ ନାହିଁ, ବାଧା ନାହିଁ, ବନ୍ଧନ ନାହିଁ । ସରଳା, ଚପଳା କିଶୋରୀ ହୋଇଉଠେ ସେ ମୋ ପାଖରେ । କେତେବେଳେ ହସି ହସି ମୋ ଉପରେ ଅଜାଡ଼ି ହୋଇପଡ଼େ ତ କେତେବେଳେ କାନ୍ଦି କାନ୍ଦି ମୋ କୋଳରେ ମୁହଁ ଲୁଚାଏ । ପୁଣି କେତେବେଳେ ଦୁଷ୍ଟାମି କରି ମୋ ମୁଣ୍ଡ ବାଳ ଅଲରା କରି ତାଳି ମାରି ହସି ଉଠେ ।

 

ପ୍ରଥମେ ସନ୍ଦେହ ହୋଇଥିଲା ମୋର ସୁନନ୍ଦା ଉପରେ । ଭାବିଥିଲି ଗୋଟାଏ ବାରବିଳାସିନୀ କାମୁକୀ ନାରୀ ବୋଲି, କିନ୍ତୁ କିଛିଦିନ ଯିବା ଆସିବା ପରେ ମୋର ସେ ଭୁଲ୍ ଭାଙ୍ଗିଗଲା । ସୁନନ୍ଦା ନାରୀ ନୁହେଁ । ଯୌବନର ଘୃତରେ ପ୍ରଜ୍ୱଳିତ କାମନାର ଅଶିଖଣ୍ଡ଼ ନୁହେଁ । ଶୁଦ୍ଧ କଳ୍ପନାର ଏକ ଅଖଣ୍ଡ ସ୍ୱପ୍ନ । ତା’ର ଯୌବନ ନାହିଁ, ତା’ର ଯୌନ ନାହିଁ—ଏକ ସ୍ୱପ୍ନ ବିଳାସୀ ରାଜହଂସୀ ।

 

ପ୍ରଥମ ପରିଚୟ ପରଠୁ ପ୍ରାୟ ପ୍ରତି ଦିନେ ଛଡ଼ା ଦିନେ ମୁଁ ତାଙ୍କ ଘରକୁ ଯାଏ । ଯଦି ନ ଯାଏ, ସୁନନ୍ଦା ନିଜେ ଆସି ପହିଞ୍ଚବ ମୋ କ୍ଵାଟରରେ । ମୁଁ ଭାରି ଅପ୍ରସ୍ତୁତ ବୋଧ କରେ । ଜଣେ ବୟସ୍କ ଅବିବାହିତର କ୍ଵାଟରରେ ଜଣେ ଅପରୂପ ସୁନ୍ଦରୀ ଯୁବତୀ ବିବାହିତା ନାରୀ କେମିତି ଅଶ୍ଳୀଳ ବୋଧହୁଏ । ତା’ଛଡ଼ା ସୁନନ୍ଦାର ସମ୍ମାନ ସୁକୁମାରର ସମ୍ମାନ କଥା ଭାବିଲେ ମୋତେ ବେଶି ବିବ୍ରତ ଲାଗେ । ମୁଁ ପୁରୁଷ । ମୋର ଦୋଷ ଓ କଳଙ୍କ ହୁଏତ ଲିଭିଯିବ; କିନ୍ତୁ ସୁନନ୍ଦା ? ସେ କେବଳ ଯୁବତୀ ନୁହେଁ—ଏକ ବ୍ୟକ୍ତିର ସ୍ତ୍ରୀ ମଧ୍ୟ । ତା’ର କଳଙ୍କ ତା’ର ନିଜସ୍ଵ ନୁହେଁ । ଦୁଇଟି ପରିବାରର ମାନ ସମ୍ମାନ ତା’ରି ଉପରେ ନିର୍ଭର କରୁଛି ।

 

କିନ୍ତୁ ସୁନନ୍ଦା କିଛି ବୁଝେନା । କୌଣସି କଥା ପ୍ରତି ତା’ର ଭ୍ରୂକ୍ଷେପ ନାହିଁ । ସେ ଆସେ ଏକ ସ୍ଵାଭାବିକ ମଳୟ ପରି । ଦେହରେ ଅନେକ ଫୁଲର ବାସ୍ନା ନେଇ । ମନରେ ଅନେକ ପକ୍ଷୀର ରଙ୍ଗ ନେଇ, ହୃଦୟରେ ଅନେକ ଅନୁରାଗର ଛନ୍ଦ ନେଇ । କେବଳ ତା’ରି ସମ୍ମାନ ପାଇଁ ମୁଁ ତାଙ୍କ ଘରକୁ ଯିବାକୁ ବାଧ୍ୟ ହୁଏ । ତାକୁ ଯେମିତି କେବେ ମୋ ପାଖକୁ ଆସିବାକୁ ନ ପଡ଼େ । ମଣିଷ ଗୋପନତା ଭିତରେ ନିହାତି ଜଘନ୍ୟ କାର୍ଯ୍ୟ ବି ସହ୍ୟ କରେ, କିନ୍ତୁ ପ୍ରକାଶ୍ୟ ଭାବରେ ସାମାନ୍ୟତମ ବିଶୃଙ୍ଖଳା ସହ୍ୟ କରେନା ।

 

ସୁକୁମାର ଯେ ଏକଥା ଜାଣେନା—ସେ କଥା ନୁହେଁ । ସୁନନ୍ଦାର ଯେ ମୋ ପ୍ରତି ଏକ ଅହେତୁକ ଆକର୍ଷଣ ରହିଛି ଏକଥା ବି ସେ ଭଲ ଭାବରେ ଜାଣେ । ସ୍ଵାମୀଠାରୁ ଈର୍ଷାପ୍ରିୟ ବ୍ୟକ୍ତି ଆଉ କେହି ନାହିଁ । ସାଧ୍ଵୀ ସ୍ତ୍ରୀଠାରୁ ଈର୍ଷାପରାୟଣା ଆଉ କେହି ସ୍ତ୍ରୀ ନାହିଁ । ପ୍ରେମର ଅପର ପାର୍ଶ୍ଵଟାର ନାମ ହିଁ ବୋଧହୁଏ ଈର୍ଷା; କିନ୍ତୁ ସୁକୁମାର ମୋର ବହୁ–ଦିନର ବନ୍ଧୁ । ଆମର ପରସ୍ପରର ଘନିଷ୍ଠତା ଓ ଅନ୍ତରଙ୍ଗତା ପ୍ରାୟ ପିଲାଦିନରୁ, କିନ୍ତୁ ସେ ଯେତେ ଅନ୍ତରଙ୍ଗ ହୋଇ ଥାଉନା କାହିଁକି ଏ ଅଧିକାର କେହି କେବେ କୌଣସି ବନ୍ଧୁକୁ ଦେଇ ପାରେନା । ଏ ଅଧିକାର ନିଜର ପୁରୁଷତ୍ଵର ଅଧିକାର । ପୁରୁଷ ସବୁ ସହ୍ୟ କରିଯିବ, କିନ୍ତୁ ତା’ର ପୁରୁଷକାର ଉପରେ ଆଘାତକୁ ସେ କେବେହେଲେ ସହ୍ୟ କରି ପାରେନା । ମୁଁ ବି ଏ କଥା ନିଜେ ବୁଝି ପାରୁଥିଲି, କିନ୍ତୁ ମୁଁ ନାଚାର ।

 

ସୁନନ୍ଦା ସାଙ୍ଗରେ ପରିଚୟ ହେବାର ଛମାସ ପରେ ।

 

ଦିନେ ରାତି ଦଶଟାବେଳେ ସୁକୁମାର ଆସି ପହଞ୍ଚିଲା ମୋ ଘରେ । ସୁକୁମାର ଆଗରୁ ପ୍ରାୟ ପ୍ରତ୍ୟେକ ଦିନ ଆସୁଥିଲା; କିନ୍ତୁ ଏଇ ଦୁଇ ତିନିବର୍ଷ ହେଲା ଯୋଉ ଦିନଠୁ ସେ ବଡ଼ କଣ୍ଟ୍ରାକ୍ଟର ଭାବରେ ପରିଚିତ ହୋଇଛି, ସେ ବେଶି ଆସେନା । ଜାଣି ଶୁଣି ଯେ ମୋତେ ଉପେକ୍ଷା କରି ଆସେନା ତା ନୁହେଁ ବରଂ ଟିକିଏ ସମୟ ପାଇଲେ ସେ ମୋ ପାଖକୁ ହିଁ ଆସେ; କିନ୍ତୁ ପ୍ରକୃତରେ ତା’ର ସମୟ ନାହିଁ । ଧନୀ ହେବାର ଏଇ କଷ୍ଟ, ସମୟ ନାହିଁ । ଆଜି କଲିକତା, କାଲି ସମ୍ବଲପୁର, ପଅରଦିନ ରାଉରକେଲା, ୱ । କିଂ ସାଇଟ୍, ଇଞ୍ଜିନିଅର, ମନ୍ତ୍ରୀ ହେଉ ହେଉ ତା’ର ସମୟ ଅଣ୍ଟେନା, କିନ୍ତୁ ସେଦିନ ତା’ର ପହଞ୍ଚିବା ସ୍ଵାଭାବିକ ନୁହେଁ, ଅସ୍ଵାଭାବିକ । ତାଙ୍କୁ ଦେଖିଲାମାତ୍ରେ ମୁଁ ସେ କଥା ବୁଝିପାରିଲି ।

 

ସେ କିଛି ଭୁମିକା ନ କରି ପଚାରିଲା ‘‘ତୁ ନିଶ୍ଚୟ ବୁଝିପାରୁଛୁ ମୁଁ କାହିଁକି ଆସିଛି ?

 

“ଅନୁମାନ କରି ପାରୁଛି ।” ମୁଁ ଉତ୍ତର ଦେଲି ।

 

“ବେଶ୍, ତୋତେ ମୁଁ କହି ରଖେ ପରିସ୍ଥିତି ଯେମିତି ହେଉଛି ସେଥିରେ ମୁଁ ସୁଖୀ ନୁହେଁ-।”

 

“ତୋ ମୁହଁରୁ ସେଇଟା ପରିଷ୍କାର ଜଣାପଡ଼ୁଛି । ତୁ କଣ ଆମକୁ ସନ୍ଦେହ କରୁଛୁ ? ଫ୍ରାଙ୍କ୍‍ଲି କହ ।”

 

“ଦେଖ ଜ୍ଞାନ ମୁଁ—”

 

“ସୁକୁମାର, ଆମର ଅନେକ ଦିନର ବନ୍ଧୁତ୍ୱ ଅନ୍ତତଃ ମୋତେ କଥାଟାକୁ ସରଳ ଓ ପରିଷ୍କାର ଭାବରେ ପଚାରିବା ପାଇଁ ତୋତେ ଅଧିକାର ଦେଇଛି ।”

 

“ଜ୍ଞାନ, ତୋତେ ମୁଁ କ’ଣ କହିବି କିଛି ବୁଝିପାରୁନି, ସତ କଥା ଯେ ତୁମ ଦିହିଙ୍କୁ ମୁଁ ସନ୍ଦେହ କରିପାରୁନି । ମୋର ଅନ୍ତରାତ୍ମା ସେଥିରେ ବାଧା ଦେଉଛି, କିନ୍ତୁ ଯେତେବେଳେ ସବୁ ଘଟଣାଗୁଡ଼ିକ ମୋ ଆଖିରେ ଭାସିଯାଉଛି ଅଜାଣତରେ ବି ମୁଁ କେମିତି ବିଦ୍ରୋହୀ ହୋଇ ଉଠୁଛି । ତଥାପି ବିଶ୍ୱାସ କରିପାରୁନି । ଜ୍ଞାନ, ମୁଁ ବଡ଼ ଅସ୍ଵସ୍ତି ବୋଧ କରୁଛି ଏମିତି ଏକ ଅଦ୍ଭୁତ ପରିସ୍ଥିତିରେ-। ମୁଁ ଯଦି ତୋତେ ପରିଷ୍କାର ଭାବେ ସନ୍ଦେହ କରି ପାରନ୍ତି ତା’ ହେଲେ ମୁଁ ବଞ୍ଚି ଯାଆନ୍ତି-। ଯଦି ସୁନନ୍ଦାକୁ ଚରିତ୍ରହୀନା ବୋଲି ଅନୁଭବ କରିପାରନ୍ତି ତା’ ହେଲେ ମୋର ଅସ୍ୱସ୍ତିର ଗୋଟାଏ କାରଣ ଖୋଜି ପାଆନ୍ତି; କିନ୍ତୁ ଏମିତି ଗୋଟାଏ ଅନିଶ୍ଚିଁନ୍ତ ଅବସ୍ଥାରେ ମୋତେ ପାଗଳ ପରି ଲାଗୁଛି-। କ’ଣ କରିବି କିଛି ବୁଝି ପାରୁନି । ମୁଁ ତୁମ ଦୁଇଜଣଙ୍କୁ ହତ୍ୟା କଲେ ବୋଧହୁଏ ଶାନ୍ତି ପାଆନ୍ତି; କିନ୍ତୁ ସେ କଥା ବି ମୁଁ ଜୀବନଥିବାଯାକେ କରି ପାରିବିନି । ତୁ ମୋତେ ରକ୍ଷାକର, ଜ୍ଞାନ-। ମୁଁ ନ ହେଲେ ପାଗଳ ହୋଇଯିବି ଇ—ଇଃ କି କଷ୍ଟ ଏଇ ଅନିଶ୍ଚିତ ପରିସ୍ଥିତିର ! ଜ୍ଞାନ, ତୁ ମୋତେ ଏଇନା କହୁଥିଲୁ ନା ଫ୍ରାଙ୍କ୍ ହେବାପାଇଁ ? ଏଥର ତୋର ପାଳି । ତୁ ମୋତେ ପରିଷ୍କାର କରି କହ ତୁ କ’ଣ ସୁନନ୍ଦାକୁ—ସିଧା କହ

 

ସିଧା ପ୍ରଶ୍ନଟା ମୋତେ କିଛିକ୍ଷଣ ସ୍ତବ୍‍ଧ କରି ଦେଇଥିଲା ।

 

“ସୁକୁମାର, ମୁଁ ସୁନନ୍ଦାକୁ ଭଲପାଏ । କେମିତି ଭାବରେ ଭଲପାଏ ତୋତେ ଠିକ୍ ବୁଝେଇ ପାରୁନି । କେତେବେଳେ ହୁଏତ ଝିଅପରି, କେତେବେଳେ ମା’ ପରି, କେତେବେଳେ ବନ୍ଧୁ ବା କେତେବେଳେ ଭଉଣୀ, କେତେବେଳେ ପ୍ରେମିକା—ଠିକ୍ କରି କହିବା ଅସମ୍ଭବ; କିନ୍ତୁ ମୁଁ ଶପଥ କରି କହିପାରେ ସୁକୁମାର, ତୋର ସ୍ୱାମିତ୍ଵର ଅଧିକାରକୁ ବିନ୍ଦୁମାତ୍ର କ୍ଷୁର୍ଣ୍ଣକରି ମୁଁ ତାକୁ ଭଲପାଏନା । ମୋର ତା’ ପ୍ରତି ଦୈହିକ କାମନା ନାହିଁ ।”

 

“ତୋର କ’ଣ କେବେ ତା’ ପ୍ରତି କିଛି କାମନା ଅସିନି ?”

 

“ପୁରୁଷ ହୋଇ ତୁ କ’ଣ ନିଜେ ଏକଥା ବୁଝି ପାରୁନୁ ଯେ ମୋତେ ପଚାରୁଛୁ ? କିନ୍ତୁ ସେତେବେଳେ ସୁନନ୍ଦାକୁ ମୁଁ ବୁଝିପାରି ନଥିଲି । ଏବେ ବି ଯେ ଠିକ୍ ବୁଝିଛି ତା’ନୁହେଁ । ସୁନନ୍ଦାକୁ ବୁଝିବା ଯେ କେତେ କଷ୍ଟ ତୋଠାରୁ ଏକଥା କିଏ ବେଶୀ ଜାଣେ ?”

 

“ଜ୍ଞାନ, ତୁ କ’ଣ ଭାବୁଛୁ ମୁଁ ଏ ସବୁ କଥା କିଛି ଦେଖିନି କି ଜାଣିନି ? ଦିନ ଦିନଧରି ମୁଁ ଦି’ଜଣଙ୍କୁ ପରୋକ୍ଷରେ ଦେଖିଛି । ଲକ୍ଷ୍ୟ କରିଛି ଲୁଚି ଲୁଚି । ତୁ ହସୁଛୁ ? କିନ୍ତୁ ତୁ ବାହା ହୋଇନୁ । ସେଥିପାଇଁ ତୁ ବୁଝି ପାରୁନୁ ସ୍ୱାମୀତ୍ଵର କେତେ ଜ୍ଵାଳା—କେତେ ଈର୍ଷା। ଭଲ ପାଇବାର କେତେ କଷ୍ଟ । ମୁଁ ସବୁ ଦେଖିଛି, ସବୁ ଜାଣେ । ତଥାପି ମୁଁ ତୋତେ ପଚାରିବାକୁ ଆସିଥିଲି–କେବଳ ମୋର ମନର ଅଶାନ୍ତଟାକୁ ଚିରଦିନ ପାଇଁ ଶାନ୍ତ କରିଦେବାକୁ । କେବଳ ତୋର ମୁହଁରୁ ପଦଟିଏ କଥା ଶୁଣିବାପାଇଁ ମୁଁ ଏତେବାଟ ଦଉଡ଼ି ଆସିଛି । ସୁନନ୍ଦାକୁ ପଚାରିବାର ସାହସ ମୋର ନାହିଁ ।”

 

ଚେଆର ଛାଡ଼ି ଉଠିଲା ସେ । ଧୀରେ ଧୀରେ କୋଠରୀ ଭିତରେ ବୁଲିବାକୁ ଲାଗିଲା ବହୁ ସମୟ ଧରି । ତା’ପରେ ହଠାତ୍ ମୋ ଆଡ଼କୁ ଚାହିଁ, ଚେଆର ଉପରେ ଭରା ଦେଇ ସେ କହିବାକୁ ଲାଗିଲା ‘‘ଜ୍ଞାନ, ତୁ ଜାଣୁ ମୁଁ ବଡ଼ ପ୍ରାକ୍‍ଟିକେଲ । କାମ, କାମ, କାମ । ୟା ଛଡ଼ା ମୋ ଜୀବନରେ କିଛି ନାହିଁ । ସେଇ ରୁକ୍ଷ କାମ ଭିତରେ ହିଁ ଯେମିତି ମୋର ସବୁ ସୂକ୍ଷ୍ମ ଭାବନା ନିଃଶେଷ ହୋଇ ଯାଇଛି । ମୁଁ ଜାଣେ ସୁନନ୍ଦା କ’ଣ ଚାହେଁ; କିନ୍ତୁ ମୁଁ ନିରୁପାୟ । ଏହା ମୋର ଶକ୍ତି–ବହିର୍ଭୁତ । ମୁଁ ମଦ୍ୟପ । ମୁଁ ଲମ୍ପଟ । ମୁଁ ସବୁ କିଛି; କିନ୍ତୁ କୌଣସି କଥା ଭାବିବାର ସମୟ ମୋର ନାହିଁ । ମୁଁ ନାରୀ ଚାହେଁ । ଅଧଘଣ୍ଟାଏ କି ଘଣ୍ଟାଏ ପାଇଁ । ତା’ ଠାରୁ ବେଶୀ ସମୟ ସେମାନଙ୍କୁ ମୋର ଦରକାର ନାହିଁ; କିନ୍ତୁ ମୁଁ ସୁନନ୍ଦାକୁ ଭଲପାଏ । ମୋର ସମସ୍ତ ବର୍ବରତା ସତ୍ତ୍ୱେ ସେଇଟି ମୋର ଦୁର୍ବଳତା ।”

 

ପୁଣି କିଛି ସମୟ ସେ ଅସ୍ଥିରଭାବରେ କୋଠରୀ ଭିତରେ ବୁଲିବାକୁ ଲାଗିଲା । ମୁଁ ସିଗାରେଟ୍ ଯାଚିଲି । ସେ ହାତ ହଲେଇ ନାହିଁ କଲା । ମୁଁ ନୀରବରେ ବସି ସିଗାରେଟ୍ ପିଇବାକୁ ଲାଗିଲି । କୋଠରୀ ଭିତରେ ଏକ ଅନିଶ୍ଚିତ ନୀରବତା । ହଠାତ୍ କରି ଆଖି ଦୁଇଟା ତା’ର ଛଳ ଛଳ ହୋଇ ଉଠିଲା । ଅତି ଗଭୀର ଆବେଗରେ ମୋର ହାତ ଦୁଇଟାକୁ ଖୁବ୍ ଜୋରରେ ଚାପିଧରି ଭଙ୍ଗା ଭଙ୍ଗା କଣ୍ଠରେ କହିଲା ‘‘ଜ୍ଞାନ, ସୁନନ୍ଦା ଫୁଲଠାରୁ ନିଷ୍ପାପ । ଦେବୀଠାରୁ ପବିତ୍ର । ମୋର ସମସ୍ତ ପ୍ରତିପତ୍ତି, ସମ୍ମାନ, ଧନ ସମ୍ପତ୍ତି ଭିତରେ ସେଇ ଗୋଟିଏ ମାତ୍ର ସ୍ଥିର ସମ୍ପତ୍ତି—ମୁଁ ତାକୁ ତୋର ବିଶ୍ୱାସରେ...‘‘ଆଖି ଦୁଇଟା ତାର ଦୁଇଟି ସ୍ଥିର ବିଜୁଳି ପରି ମୋରି ଆଖି ଉପରେ ନିବଦ୍ଧ ହୋଇ ରହିଲା । ଓଃ, କି ସେ ଆଖି । ପିଞ୍ଜରାବଦ୍ଧ ବାଘୁଣୀ ଯେମିତି କାତର ଆଖିରେ ମିନତି କରୁଛି ତା’ର ଛୋଟ ଶିଶୁଟିର ପ୍ରାଣରକ୍ଷାପାଇଁ । ପିଞ୍ଜରା ବାହାରେ ଶିଶୁ ବାଘଟି ଖେଳୁଛି ତା’ର ଅବସ୍ଥା ପ୍ରତି ଅଜ୍ଞ ରହି । ମୋ ଛାତି ଭିତରୁ ଯେମିତି କିଏ ଓଟାରି ଆଣିଲା କଥାଗୁଡ଼ାକ ।

 

“ସୁକୁମାର, ଯୋଉଦିନ, ଯୋଉ ମୁହୂର୍ତ୍ତଠାରୁ ସୁନନ୍ଦା ପ୍ରତି ମୋର ସାମାନ୍ୟତମ କାମନା ଜନ୍ମ ନେବ ମୁଁ ଶପଥ କରି କହୁଛି ସେଇ ମୁହୂର୍ତ୍ତଠାରୁ ତୁ ମୋତେ ଏ ପୃଥିବୀରେ ଦେଖିବୁ ନାହିଁ ।” କିଛି କଥା ନ କହି ସୁକୁମାର ମୋତେ ଖୁବ୍ ଜୋରରେ କୁଣ୍ଢେଇ ଧରିଲା । ତା’ର ଚାପରୁ ମୁଁ ବୁଝି ପାରିଲି ତା’ର ବିଶ୍ୱାସର ଗୁରୁତ୍ଵ । କିଛି ସମୟ ପରେ ସେ ମୁହଁ ପୋଛି ବାହାର ଆଡ଼କୁ ମୁଁହ କରି କହିଲା ‘‘ମୁଁ ଯାଉଛି । ଠିକ୍ ଅଛି—ସବୁ ଯେମିତି ଭୁଲିଯାଉ—!”

 

ସେଇ ଦିନଠାରୁ ମୁଁ ସୁନନ୍ଦା ସାଙ୍ଗରେ ଅବାଧ ମିଳାମିଶାର ସୁଯୋଗ ପାଇଛି; କିନ୍ତୁ କେବେହେଲେ ଅଜାଣତରେ ବି ମୁଁ ସୁନନ୍ଦାର ଦେହରେ କାମନାର ଅଗ୍ନିକଣା ଦେଖିବାକୁ ପାଇନି, ସେ ପ୍ରକୃତରେ କାହାରିକୁ ଚାହେଁନା । ସେ ନିଜେ ସୁଖୀ ନିଜ ଭିତରେ । ମୁଁ କେବଳ ତା’ର ଗୋଟାଏ ଛାୟା । ତେଣୁ ତା’ର ଉପସ୍ଥିତିରେ ମୁଁ ମୋର ନିଜତ୍ଵ ଭୁଲିଯାଏ । ଭୁଲିଯାଏ ମୁଁ ସ୍ତ୍ରୀ ନା ପୁରୁଷ । ମୋର ପୁରୁଷତ୍ଵକୁ ସେ ଦେଖେନା ବୋଲି ମୁଁ ବି ବୋଧହୁଏ ଭୁଲିଯାଏ ମୋର ପୁରୁଷତ୍ଵକୁ-

 

ସୁନନ୍ଦାର ଭାଷାକୁ ମୁଁ ଅନୁଯୋଗ, ମିନତି ଓ ଅନୁରାଗରେ ଭରା ବୋଲି କହିଛି; କିନ୍ତୁ ତା’ର ଭାଷାର ଅନୁଭବ ପ୍ରକୃତରେ ସେଇଟା ନୁହେଁ । ତା’ର ଭାଷାକୁ ବୁଝାଇବାକୁ ଯାଇ ମୁଁ କେତେ ବିଶେଷଣ ହୁଏ ତ ଦେଇପାରେ—କିନ୍ତୁ ତା’ର ଭାଷା ସମ୍ପୂର୍ଣ୍ଣ ଅଲଗା, ତାକୁ ପ୍ରକାଶ କରିବାକୁ ଭାଷା ନାହିଁ । ସେ ଯାହା କହେ—ସେଇଟା ଯେମିତି ଗୋଟାଏ ପ୍ରବଳ, ନୈବ୍ୟକ୍ତିକ ଇଚ୍ଛାଶକ୍ତି । ଏକ ଦୁର୍ଦ୍ଦମନୀୟ ଆବେଗ । ଭାଷାର ଶବ୍ଦଗୁଡ଼ାକ କେବଳ ଅନାବଶ୍ୟକ ଆଭରଣ । କିଛି ନ କହିଲେ ବି ସେ ସବୁକଥା କହେ । ଏଇ ନୀରବତାହିଁ ତା’ର ମୁଖରତା । ତେଣୁ ସେ ଯେତେବେଳେ ଯାହା ଚାହେଁ, ମୋର ମତ ଲୋଡ଼େ, ସେତେବେଳେ ମୁଁ ଦେଖେ ଯେ ମୋର ଭିନ୍ନ ମତ ବୋଲି କିଛି ନାହିଁ । ମୋର ବ୍ୟକ୍ତିତ୍ୱ, ମୋର ସ୍ଵାଧୀନ ଚିନ୍ତା କିଛିର ଅସ୍ଥିତ୍ଵ ନାହିଁ । ସେଇ ଦୁର୍ଦ୍ଦମନୀୟ ଆବେଗ ମୋତେ ଯେମିତି ମୋର ନିଜସ୍ଵ ସ୍ୱକିୟତରୁ ବିମୁକ୍ତ କରି ତା’ର ଅପାର୍ଥିବ ସତ୍ତା ଭିତରେ ମୋତେ ଲୀନ କରିଦିଏ ।

 

ତେଣୁ ସେଦିନ ଯେତେବେଳେ ମୋତେ ସେ କହିଲା “ମୁଁ ତମ ସାଙ୍ଗରେ କୋଣାର୍କରେ ରାତ୍ର କଟେଇବାକୁ ଚାହେଁ” ମୁଁ କଥାଟାର ଗୁରୁତ୍ଵ ଏକାବେଳକେ ବିସ୍ମୃତ ହୋଇଯାଇଥିଲି । ସାଧାରଣ ଭାବରେ ସେ କଥାଟା ଯେ କେତେ ନିର୍ଲଜ୍ଜ, କେତେ କଦର୍ଯ୍ୟ ଓ କେତେ ଅଶ୍ଳିଳ ମୁଁ ସେଇଟା କଳ୍ପନା ବି କରିନଥିଲି । ସୁନନ୍ଦା ବି ପାରି ନଥିଲା । ସେ ବୁଝେନା ଭାଷାଟାର ଗୁରୁତ୍ଵ କ’ଣ-? ଅର୍ଥ କ’ଣ ? ଅନ୍ୟ କୌଣସି ନାରୀ ହୋଇଥିଲେ ତା’ର ଏ ନିର୍ଲଜ୍ଜ ଉକ୍ତିରେ ମୋର ସାରା ମନ ଘୃଣାରେ ପୂରି ଉଠିଥାନ୍ତା, କିନ୍ତୁ ସୁନନ୍ଦା ଅନନ୍ୟା । ସେ ଅତି ଅଶ୍ଳୀଳ କଥାକୁ ମଧ୍ୟ ଅତି ସହଜରେ କହିଦେଇ ପାରେ । କହେ ମଧ୍ୟ, କିନ୍ତୁ ତା ପାଟିରେ ସେଗୁଡ଼ା ଜମା ଅଶ୍ଳୀଳ ମନେ ହୁଏନା-। ସୁନନ୍ଦା ପବିତ୍ର ଜଳର ବହମାନଧାରା । ଅନେକ ଦଳ, ପଚାପତ୍ର, ମୁର୍ଦ୍ଦାର, ଭସ୍ମ ଓ କର୍ଦ୍ଦମ ସତ୍ତ୍ୱେ ବି ସେ ପବିତ୍ର ପିୟୁଷମୟୀ, ଶାନ୍ତା, ପାପନାଶିନୀ ମହାନୀୟା ଗଙ୍ଗା ।

 

ମୁଁ ପ୍ରତିବାଦ କରି ପାରିନି ତା’ର ଏ କଥାରେ; କିନ୍ତୁ ମୁଁ ତ ପବିତ୍ର ନୁହେଁ । ମୁଁ ଏକ କାମନାର ମାନବ । କ୍ଷୁଧାତୁର ଯୌନର କ୍ଷୁଧା । ସୁନନ୍ଦାର ସ୍ପର୍ଶରେ ମୁଁ ଭୁଲିଯାଏ ମୋର ନିଜତ୍ଵ; କିନ୍ତୁ ସେ କେବଳ ସେଇ କେଇଟା ମୁହୂର୍ତ୍ତ ପାଇଁ । ମୁଁ ଏକ ସ୍ଫଟିକ । ସୁନନ୍ଦା ପାଖରେ ଥିଲାବେଳେ ତା’ ରି ରଙ୍ଗ ନିଏ; କିନ୍ତୁ ମୁଁ ଯେତେବେଳେ ମୋର ସଂସାରକୁ ଫେରିଆସେ ସେତେବେଳେ ଅନ୍ୟ ବହୁ ରଙ୍ଗ ମୋତେ ରଞ୍ଜିତ କରନ୍ତି । ସେଥିପାଇଁ ଘରକୁ ଫେରିଆସିଲା ପରେ ସେ କଥାଟା ମନେ ପଡ଼ିଲା ମାତ୍ରେ ମୁଁ ନିଜେ ଲଜ୍ଜିତ ହୋଇଗଲି । ସତରେ କ’ଣ ସୁନନ୍ଦା କେବଳ ଏକ ଯୌନଉନ୍ମାଦିନୀ ନାରୀ । ତା’ର ସମସ୍ତ କଥା, ବ୍ୟବହାର କ’ଣ ପ୍ରବଞ୍ଚନା, ଛଳନା ? ସ୍ୱାମୀର ତା ପ୍ରତି ବିଶ୍ଵାସ ଆଣିବାର ଏକ ଚାତୁରୀ । କିଏ ବୁଝିବ ନାରୀକୁ ? ପୁଣି ସୁନନ୍ଦା ପରି ନାରୀକୁ ? କିନ୍ତୁ ନା ମୁଁ ଜାଣି ଶୁଣି ଏମିତି ଭୁଲ୍ କରିବିନି । ସୁନନ୍ଦା ହୁଏତ ଅଜାଣତରେ ଭୁଲ୍ କରୁଛି; କିନ୍ତୁ ମୁଁ କେମିତି କରିବି ? ଏଇଠି ଏଇ ଘରେ ବସି ମୁଁ ସୁକୁମାରକୁ କଥା ଦେଇଛି । ତେବେ ମୁଁ କ’ଣ ଏମିତି ପଶୁ ଯେ ସାମାନ୍ୟ ସମ୍ଭୋଗପାଇଁ ତା’ର ଏତେ ବଡ଼ ବିଶ୍ୱାସକୁ ବଳି ଦେବି ?

 

କିନ୍ତୁ ପରକ୍ଷଣରେ ମୋର ମନ ଭିତରେ ଦେଖାଦେଲା ଏକ ତୀବ୍ର ଆନ୍ଦୋଳନ । ସୁନନ୍ଦାର ସୌନ୍ଦର୍ଯ୍ୟ । ତା’ର ଅପରୂପ ଯୌବନ । ଉଃ, ଅନିନ୍ଦନୀୟ ଅପୂର୍ବ । ସୁନନ୍ଦାର ଏଇ ରୂପ ତ କେବେ ମୋ ଆଖିରେ ଆସିନି । କେଡ଼େ ସୁନ୍ଦର ସେ ରୂପ । କେତେ ଉନ୍ମାଦକର । ତାକୁ କୋଳରେ ନିବିଡ଼ଭାବେ ଆଲିଙ୍ଗନ କରି ଧରିବାର, ପ୍ରାଣଭରି ଉପଭୋଗ କରିବାର ଏ ସୁବର୍ଣ୍ଣ ସୁଯୋଗ ଆଉ ହୁଏତ କେବେ ଆସିବନି । ସୁନନ୍ଦା ନିଜେ ମୋତେ ଏ ସୁଯୋଗ ଦେଇଛି । ସେ ମୋତେ ଆହ୍ୱାନ ଜଣେଇଛି । ଆଉ ମୁଁ ଗୋଟାଏ ଭୀରୁ କାପୁରୁଷ ଯେ ତା’ର ଆହ୍ୱାନକୁ ଗ୍ରହଣ କରି ପାରୁନି—କେବଳ ଗୋଟାଏ ମିଛ ବିଶ୍ଵାସର ପ୍ରତିଶ୍ରୁତିରେ—ଛି ଛି ଛି । ନାରୀ ଡାକୁଛି ପୁରୁଷକୁ । ଦୁର୍ବାର, ଅପ୍ରତିହତ ତା’ର ଆହ୍ୱାନ । ମୁଁ କ’ଣ ପଛଘୁଞ୍ଚା ଦେଇ ପଳେଇ ଯିବି ? ଏତେ ଭୀରୁ, ଏତେ ବଡ଼ କାପୁରୁଷ ମୁଁ ? ସୁନନ୍ଦା ଯଦି ନିଜେ ଜଳି ଯିବାକୁ ଚାହେଁ—ମୁଁ ତାକୁ ବାଧା ଦେବି କାହିଁକି ? ଯାଉ, ଜଳିଯାଉ । ମୁଁ ବି ଜଳି ଯାଏ । ତୋତେ କଥା ଦେଇଛି ସୁକୁମାର, ମୁଁ ମୋର ପ୍ରତିଜ୍ଞା ନିଶ୍ଚେ ରଖିବି । ସୁନନ୍ଦାର ଥରକର ସମ୍ଭୋଗ ବଦଳରେ ମୁଁ ମୋର ଜୀବନ ତୋତେ ଉପହାର ଦେଉଛି ।

ତା’ ପରଦିନ ସୁଦ୍ଧା ମୁଁ ସେମିତି ଅସ୍ଥିର ହୋଇ ରହିଥାଏ । ନିଜର ସନ୍ଦେହ, ନିଜର ବିଶ୍ୱାସ ଓ ଅବିଶ୍ଵାସର ବିଭିନ୍ନ ସ୍ରୋତର ଭଉଁରୀ ଭିତରେ ଘୂରି ବୁଲିଲି । ଅନିଶ୍ଚିତ ଅସ୍ଥିର, ଅଶାନ୍ତ ମନ । ସୁନନ୍ଦା ଘରକୁ ମୁଁ ଯାଇ ପାରିଲିନି । କେମିତି ଯାଇଥାଆନ୍ତି ଏମିତି ଗୋଟାଏ ଖଣ୍ଡିଆଭୂତ ମନ ନେଇ ? ଦିନ ତିନିଟା ସୁଦ୍ଧା ମୁଁ ଅପ୍ରସ୍ତୁତ ଅବସ୍ଥାରେ ଥାଏଁ । ଯିବିକି ନ ଯିବି କିଛି ଠିକ୍ କରିପାରୁ ନଥାଏ । ଶେଷରେ ନ ଯିବାକୁ ଠିକ୍ କରି କୁଆଡ଼େ ପଳେଇ ଯିବାକୁ ବାହାରୁଛି ସୁନନ୍ଦା ପହଞ୍ଚିଲା କାର୍ ନେଇ । ମୁଁ କିଂକର୍ତ୍ତବ୍ୟବିମୂଢ଼ ହୋଇ ଛିଡ଼ା ହୋଇ ରହିଲି, ଭୟରେ, ଲଜ୍ଜାରେ, ଅପମାନରେ, କିନ୍ତୁ ସୁନନ୍ଦା—ସେଇ ସୁନନ୍ଦା ।

“ଏତେବେଳଯାଏଁ ରେଡି ହୋଇନ ? କି ଆଶ୍ଚର୍ଯ୍ୟ । ସବୁବେଳେ ପୁରୁଷମାନେ ଦୋଷ ଦିଅନ୍ତି ସ୍ତ୍ରୀମାନଙ୍କୁ । ତମେ ସ୍ତ୍ରୀଙ୍କଠୁ ବଳି ଗଲଣି ଦେଖୁଛି ? ଆସ, ଆସ । ଶୀଘ୍ର ଶୀଘ୍ର ବାହାରିପଡ଼-। ତମର କିଛି ନେବା ଦରକାର ନାହିଁ । ମୁଁ ସବୁ ନେଇ ଆସିଛି । ତମେ ପେଣ୍ଟ୍ ସାର୍ଟ ପିନ୍ଧି ବାହାରି ପଡ଼ିଲ । ଶୀଘ୍ର । ଆରେ ଏମିତି ଛିଡ଼ା ହୋଇ ରହିଛ କ’ଣ ? ଲାଜ ମାଡ଼ୁଛି । ମୋତେ ଲାଜ କରୁଛ-? ହି ହି ହି ।

ସୁନନ୍ଦା ହସି ହସି ଗଡ଼ିପଡ଼ିଲା ଖଟ ଉପରେ ।

ସୁନନ୍ଦାର କଥା—ଆଦେଶ । ମୋର ଆଉ କିଛି ପ୍ରତିବାଦ କରିବାର ନାହିଁ । କ୍ଷଣକ ଆଗରୁ ମୁଁ ଯେ ସୁନନ୍ଦାକୁ ନେଇ କ’ଣ ଭାବୁଥିଲି ସବୁ ଭାବିଗଲି ତା’ର ଏଇ ସ୍ଵାଭାବିକ ହସର ପ୍ରାଣବନ୍ୟାରେ । ମୋର ସମସ୍ତ ସଙ୍କୋଚ, ଲଜ୍ଜା, ଅପମାନ ଭାସିଗଲା ସେଇ ସୁରଧୂନୀର ଶୀତଳ ସ୍ରୋତରେ ।

“ଆଉ ହସିବା ଦରକାର ନାହିଁ । ଚାଲ । ମୁଁ ରେଡି ।”

“ହଁ, ଚାଲ ଶୀଘ୍ର । ନହେଲେ ସୁର୍ଯ୍ୟାସ୍ତଟା ଦେଖି ହେବନି । ଯଦିଓ ସମସ୍ତେ ସୂର୍ଯ୍ୟୋଦୟ ଦେଖିବାକୁ ଭଲ ପାଆନ୍ତି ମୋତେ ଦୁଇଟାଯାକ ଏକାପରି ଭଲ ଲାଗେ । ଉଦୟ ଆଉ ଅସ୍ତ ଭିତରେ ତଫାତ୍ କ’ଣ ? ସେ ସୌନ୍ଦର୍ଯ୍ୟରେ ବା ପାର୍ଥକ୍ୟ କୋଉଠି ?”

 

“ପାର୍ଥକ୍ୟ କେବଳ ବାର ଘଣ୍ଟାର” ଥଟ୍ଟା କରିବାକୁ ଯାଇ ବି କେମିତି ଗମ୍ଭୀର ହୋଇଗଲି । କାହିଁକି କେଜାଣି ? ସୁନନ୍ଦାର ଗମ୍ଭୀରତା ମୋତେ ସ୍ପର୍ଶ କଲା ବୋଧହୁଏ ।

 

ସୁନନ୍ଦା କେବଳ ଗମ୍ଭୀରଭାବେ କହିଲା “ହୁଁ”

 

କିନ୍ତୁ ସେମିତି ଗୋଟାଏ ଅସ୍ଥିରତା ମୋର ପେଟ ଭିତରେ ଯେମିତି ମୋଡ଼ି ହୋଇ ଉଠିଲା । କଥାଟାକୁ ସମ୍ପୂର୍ଣ୍ଣ କରିବାକୁ ମୁଁ ପାଗଳ ହୋଇ ଉଠିଲି ।

 

“ବୁଝିଲ ସୁନନ୍ଦା—ସୋନ୍ଦର୍ଯ୍ୟରେ ପାର୍ଥକ୍ୟ ନାହିଁ । ଫରକ୍‍ ଆମର ମନର । ଗୋଟାଏ ବିଶ୍ରାମ ପରର ସୌନ୍ଦର୍ଯ୍ୟ—ଆଉ ଗୋଟାଏ କ୍ଳାନ୍ତିକର ଶ୍ରମବହୁଳ ଦିନ ପରର ସୌନ୍ଦର୍ଯ୍ୟ । ଆମେ ଯେମତି ଅବସ୍ଥାରେ ଥାଉ ସୌନ୍ଦର୍ଯ୍ୟକୁ ସେମିତି ଭାବରେ ଗ୍ରହଣ କରୁ ।”

 

ସୁନନ୍ଦା କିନ୍ତୁ ଗମ୍ଭୀର । ଷ୍ଟିଅରିଂ ମୋତେ ଛାଡ଼ି ଦେଇ ସେ ବସି ରହିଲା ମୋ ପାଖରେ ଗୋଟାଏ କାଠପିତୁଳା ପରି ନିର୍ଜୀବ ଭାବରେ । କେତେବେଳେ ଯେ ମୋ କାନ୍ଧରେ ମୁଣ୍ଡ ରଖି ସେ ଶୋଇ ପଡ଼ିଛି ମୁଁ ବି ଜାଣେନା । ଅପୂର୍ବ ତା’ର ସେ ସ୍ଵପ୍ନମଗ୍ନା ରୂପ । ସକାଳର ଆକାଶ ପରି ଶାନ୍ତ-। ସନ୍ଧ୍ୟାର ଆକାଶ ପରି ରମଣୀୟ । ମୁଁ ତାକୁ ଛୁଇଁବାକୁ ସାହସ କଲିନି । କେବଳ ଅତି ସନ୍ତର୍ପଣରେ ଥରେ ମାତ୍ର ଚାହିଁ ଷ୍ଟିଅରିଂ ଉପରେ ଆଖି ରଖିଲି । ମୋର ଆଖିର ଅଗ୍ନି ସ୍ପର୍ଶରେ ତା’ର ସ୍ୱପ୍ନର କଳିକା ଜଳି ପୋଡ଼ିଯିବ । ମୋର ଆଖିର ବିଷାଣତା ତା’ର ନୈସର୍ଗିକ ମାଧୁରୀକୁ ସାଂସାରିକ କାମନାରେ ଜର୍ଜରିତ କରିଦେବ । ଦ୍ଵିତୀୟଥର ପାଇଁ ବି ମୁଁ ତା ଆଡ଼କୁ ଚାହିଁବାର ଚେଷ୍ଟା କରିନି । ଗୋଟାଏ ଭାରି ନିଃଶ୍ୱାସ ପରି ଅତି ଉଶ୍ୱାସ ଓ ଅତି କୋମଳ ତା’ର ଦେହର ଭାରା-। ତାକୁ ଦେଖି ହୁଏନା, ଅନୁଭବ କରିହୁଏ ।

 

ସମସ୍ତ ରାସ୍ତା ସେ ସେମିତି ମୋ ଉପରେ ଶୋଇଯାଇଛି । ଶୋଇଥିଲା କି ଚାହିଁଥିଲା ତା’ ବି ମୁଁ କହି ପାରିବିନି; କିନ୍ତୁ ଗୋଟାଏ ପଦ କଥା ବି ସେ କହିନି ଦୀର୍ଘ ଦେଢ଼ଘଣ୍ଟା ଭିତରେ । କୋଣାର୍କ ପହଞ୍ଚିଲା ବେଳକୁ ପ୍ରାୟ ପାଞ୍ଚଟା ହେବ । ବୈଶାଖର ସୂର୍ଯ୍ୟ ସେତେବେଳେ ସୁଦ୍ଧା ଅତି ଉତ୍ତପ୍ତ । ସୂର୍ଯ୍ୟାସ୍ତ ଆହୁରି ପ୍ରାୟ ଘଣ୍ଟାଏ ବାକି । ମନ୍ଦିର ବେଢ଼ା ପାଖରେ କାର୍‍ର ବ୍ରେକରେ ଧକ୍‍କା ଖାଇ ଉଠିପଡ଼ିଲା ସୁନନ୍ଦା । ସେ ଯେମିତି ବିହ୍ୱଳ ହୋଇଯାଇଛି । କୋଉ ଜାଗା ସେ ଚିହ୍ନିପାରୁନି । ଏ ଲୋକମାନେ ବା କିଏ ? କିଛି ସମୟ ସେମିତି ଅବାକ୍ ଭାବରେ ଚାହିଁ ରହିଲା ପରେ ହଠାତ୍ ଯେମିତି ତା’ର ସ୍ଵପ୍ନ ଭାଙ୍ଗିଗଲା । ହଠାତ୍ କହିଲା ‘‘ଚାଲ ପଇଡ଼ ଖାଇବା ।”

 

ପଇଡ଼ ଖାଉ ଖାଉ ମୁଁ ତାକୁ ପଚାରିଲିଙ ‘‘ସୂର୍ଯ୍ୟାସ୍ତ ତ ଆହୁରି ଘଣ୍ଟାଏ ବାକି । କ’ଣ ମନ୍ଦିର ଭିତରେ ବୁଲି ଆସିବ ଘେରାଏ ?”

 

“ନା, ନା, ମନ୍ଦିରକୁ ଯିବା ନାହିଁ । ‘‘ଚାଲ ବରଂ ସମୁଦ୍ର କୂଳରେ ଝାଉଁବଣ ଭିତରେ ଟିକିଏ ବସିବା ।”

 

“ହଁ, ରେଷ୍ଟ ହାଉସରେ ବି କହିଦେଇ ଯିବାକୁ ପଡ଼ିବ ଦୁଇଟା ରୁମ୍ ପାଇଁ ।”

 

ସୁନନ୍ଦା କେମିତି ବ୍ୟଥାତୁର ଭାବରେ ଚାହିଁଲା ମୋ ଆଡ଼କୁ । ଗଭୀର ବ୍ୟଥାର ତୀବ୍ର ହତାଶର ଚାହାଣି ।

 

“ତୁମକୁ କିଏ କହିଲା ମୁଁ ରେଷ୍ଟ ହାଉସରେ ରାତି କଟେଇବାକୁ ଏଠାକୁ ଆସିଛି ବୋଲି-? ମୁଁ ଆଜି ବାହାରେ ଶୋଇବି । ସମୁଦ୍ର କୁଳର ବେଳାଭୂମିର ନରମ ବାଲୁକା ଶେଯରେ-। ଭୟ କ’ଣ, ତମେ ତ ଅଛ ।”

 

ସୁନନ୍ଦା ସତରେ ବଡ଼ ନିଷ୍ଠୁର । ଏମିତି ଭାବରେ ମୋତେ କଷ୍ଟ ଦେବାର କ’ଣ ଦରକାର ତା’ର ? ସେ କ’ଣ ବୁଝିପାରୁନି ମୁଁ ଜଣେ ପୁରୁଷ । କେବଳ ପୁରୁଷ, ପୁରୁଷ, ପୁରୁଷ । ମୁଁ ପାଗଳ ହୋଇଯିବି ତା’ର ବିଶ୍ୱାସର ଭାରରେ ଓ ମୋ ସନ୍ଦେହର ପ୍ରତିବାଦରେ । ମୁଁ ଜଳିଯିବ ମୋରି ନିଆଁର ଉତ୍ତାପରେ । ମନେ ହେଲା କହିବାକୁ ‘‘ସୁନନ୍ଦା ମୋତେ କ୍ଷମାକର । ମୁଁ ତୁମର ଏ ପ୍ରସ୍ତାବରେ ରାଜି ନୁହେଁ । କିନ୍ତୁ ତା ବଦଳରେ ମୋ ପାଟିରୁ ବାହାରିଲା ଗୋଟାଏ ଶବ୍ଦ‘‘ହଉ” ।

 

ସମୁଦ୍ରକୂଳ ପାଖରେ ପହଞ୍ଚିଲା ବେଳକୁ ମୁଁ ଅତିମାତ୍ରାରେ ବିବ୍ରତ ଓ ଚିନ୍ତିତ ହୋଇପଡ଼ିଲି । ସୁନନ୍ଦା ବୋଧେ ବୁଝିପାରିଲା ।

 

“ତମର ଚିନ୍ତା କରିବାର କିଛି କାରଣ ନାହିଁ । ମୁଁ ସବୁ ଖାଇବା ଜିନିଷ ନେଇ ଆସିଛି । ଏମିତିକି ତମ ଚା ’ପାଇଁ ଷ୍ଟୋଭ ନେଇ ଆସିଛି । ତେଣୁ ତମେ ନିଶ୍ଚିନ୍ତ ରହ । ବୁଝିଲ, ହିଁ ଆଉରି ଗୋଟାଏ ଭଲ ଜିନିଷ ଆଣିଛି । କହିବ କ’ଣ ? ଆଖିରେ ତା’ର ଦୁଷ୍ଟାମି ।

 

“ମୁଁ କେମିତି ଜାଣିବି ?”

 

“ଯଦି ତମର ଦରକାର ପଡ଼େ ସେଥିପାଇଁ ନେଇ ଆସିଛି । କିଛି ଜିନିଷ ଛାଡ଼ିନି । ଆଜିକାର ଏଇ ରାତ୍ର ମୋର ଜୀବନର ସର୍ବଶ୍ରେଷ୍ଠ ରାତ୍ର । ସାମାନ୍ୟ କେତେଟା ଜିନିଷ ଅଭାବରେ ମୁଁ କ’ଣ ତାକୁ ନଷ୍ଟ କରିଦେବି ।”

 

“କିନ୍ତୁ କ’ଣଟା ଆଣିଛ ଶୁଣେ ?” ମନେ ମନେ ବିରକ୍ତ ହୋଇ ଉଠିଥିଲି ।

 

ସୁନନ୍ଦା କିନ୍ତୁ କିଛି ଉତ୍ତର ଦେଲାନି ।

 

“ଦି’ଟା ସତରଞ୍ଜି, ଦି’ ଟା ତକିଆ ଓ ଚାଦର ବି ନେଇ ଆସିଛି । ଦରକାର ନହୋଇ ବି ପରେ; ନେଇ ଆସିଛି । ଆରେ କ’ଣ ଭାବୁଛ ?”

 

“କିଛି ନାହିଁ ତ ?”

 

“ମୋ ଉପରେ ରାଗୁଛ ? ଛି ମୋର ଏତେ ସୁନ୍ଦର ମୂହୁର୍ତ୍ତ ଗୁଡ଼ାକୁ ତମେ ନଷ୍ଟ କରିଦେବ ? ତମକୁ ନେଇ ମୋର ସବୁ କଳ୍ପନା ଅଥଚ ତମେ ଯଦି ଏମିତି ରାଗିବ ବା ଅନ୍ୟମନସ୍କ ରହିବ ତେବେ ଚାଲ ବରଂ ଫେରିଯିବା ।”

 

“ନା, ନା, ସୁନନ୍ଦା ସେ କଥା ନୁହେ । ମୁଁ ତମ ଉପରେ ରାଗିନି; କିନ୍ତୁ କେତେଟା କଥା ଯୋଗୁ ମୋତେ ଭାରି ବିବ୍ରତ ଲାଗୁଛି ।”

 

“କୋଉ କଥା ?”

 

“ତମେ କହୁଛ ବାହାରେ ଶୋଇବା; କିନ୍ତୁ କାହିଁକି କେଜାଣି ମୁଁ ସେଇଟାକୁ ସମର୍ଥନ କରିପାରୁନି ଅଥଚ ନାହିଁ କରି ପାରୁନି । ତମେ ପରକୀୟା ମୋତେ ସେଇଟା ଆଗରୁ କହିଥିଲେ ହୁଏତ ମୋର ମାନସିକ ପ୍ରସ୍ତୁତି ହୋଇଥାନ୍ତା; କିନ୍ତୁ ହଠାତ୍ ଏଭଳି ଭାବରେ ମୋତେ କେମିତି—ସାମାଜିକ ନିୟମ ଜାଣତ । ପ୍ରତି ରକ୍ତଧାରାରେ ତା’ର ଅସ୍ତିତ୍ଵ ରହିଛି ?”

 

ଖିଲ ଖିଲ ହୋଇ ହସି ଉଠିଲା ସୁନନ୍ଦା ।

“ଜ୍ଞାନ, ତମେ ଏତେ ଭୟ କର କାହିଁକି କହ ତ ? ସତରେ ତମେ ବଡ଼ ଭୀରୁ । କାହିଁ, ମୁଁ ତ ନାରୀ ହୋଇ ଭୟ କରୁନି । ତମେ ପରା ପୁରୁଷ ! ଭୀରୁ, ଡରକୁଲା କେଉଠିକାର । ମୁଁ ତମର ସେ ଭୟ ଭାଙ୍ଗିବି ଆସ ।” ହାତ ଧରି ଜୋର୍ କରି ମୋତେ ସେ କାର୍ ତଳକୁ ଓହ୍ଲେଇ ନେଲା । ଠିକ୍ ସମୁଦ୍ର କୂଳକୁ ଲାଗି କେତେଗୁଡ଼ାଏ କୁଡ଼ିଆ । ଗୋଟାଏ ଦି’ଟା ଚା’ ଦୋକାନ । ସେଇଠୁ କିଛି ଦୂରରେ ଛାଡ଼ି ନୋଳିଆମାନଙ୍କ ଛୋଟ ଛୋଟ ପଲା । ଲମ୍ବା ଲମ୍ବା ଡାଙ୍ଗ ଦେହରେ ଶୁଖୁଛି କେତେଗୁଡ଼ାଏ ଜାଲ । ପଲା ସାମ୍ନାରେ ଚୁଲିରୁ ଧୁଆଁ ଉଠୁଛି । ନୋଳିଆ ସ୍ତ୍ରୀ କେତେଜଣ ପଲା ସାମନାରେ ବସି ମୋଟା ମୋଟା ପିକା ଖାଉ ଖାଉ ଗପ କରୁଛନ୍ତି । ସାମ୍ନାରେ ପଟିଗୁଡ଼ିକ ଉପରେ, ଶୁଖିଲା ବାଲିରେ ଶୁଖୁଛି ନାନା ପ୍ରକାର ମାଛ । କେତେ ରଙ୍ଗ, କେତେ ଆକାର । ପବନରେ ଭାସୁଛି ପଚା ଶୁଖୁଆର ବିଚିକିଟିଆ ଗନ୍ଧ । କାଳିଆ କାଳିଆ ଲଙ୍ଗଳା ପିଲା ଗୁଡ଼ାଏ ଘେରିଗଲେ କାର୍ ଚାରିପଟେ ‘‘ବାବୁ ପଇସା ମା, ପଇସା ।” କି ସୁନ୍ଦର ଦେହରେ ଗଠନ । ଏତେ ମଇଳା, ଏତେ ଅପରିଷ୍କାର ସତ୍ତ୍ୱେ ବି ତାଙ୍କର ପ୍ରତ୍ୟେକ ଅବୟବରେ ଫୁଟି ଉଠୁଛି ଅପୂର୍ବ ସ୍ୱାସ୍ଥ୍ୟର ଲାବଣ୍ୟ । ମୁଁ ସେମାନଙ୍କୁ ଘଉଡ଼େଇ ଦେବାକୁ ବସିଛି । ସୁନନ୍ଦା ମନା କଲା । ‘ଆହା, ବିଚରାମାନେ ।’ ଭେନିତି ବେଗରୁବାହାର କଲା ଗୁଡ଼ାଏ ରେଜା ପଇସା । କାହାର ଚାରଣା, କାହାକୁ ଆଠଣା, କିଏ ଦଶ ପଇସା । କିଛି ଭ୍ରୁକ୍ଷେପ ନାହିଁ । ଦୁଇ ହାତରେ ବାଣ୍ଟି ଚାଲିଛି ସେ ମନ୍ତ୍ରମୁଗ୍‍ଧ ପରି । ମୁ ପାଟି କରି ଉଠିଲି ‘‘ସୁନନ୍ଦା, ଏ କ’ଣ ହେଉଛି ।” “ତମେ ଚୁପ୍ ରହ । ସେମାନଙ୍କ ମୁହ ଗୁଡ଼ାକୁ ଦେଖୁଛ । କି ସୁନ୍ଦର ହସ, କି ସୌନ୍ଦର୍ଯ୍ୟ କି ଲାବଣ୍ୟ ସେମାନଙ୍କ ମୁହଁରେ-।” ତା ‘ପରେ ଗୋଟାଏ ଚତାନି ଉଠେଇ ଆଣି ମୋ ମୁହ ସାମ୍ନାରେ ଧରି ପଚାରିଲା ‘‘କ’ଣ ଦେଖୁଛ ଏଥିରେ ?” ମୁ ଆଶ୍ଚର୍ଯ୍ୟ ହୋଇ ପଚାରିଲି ‘କିଛି ନାହିଁ । କ’ଣ ହେଲା ?’ “କିଛି ନାହିଁ ନୁହେ । ତେବେ ତମର ଏତେ ମାୟା କାହିଁକି ? ଏଇ ପ୍ରାଣବନ୍ତ ସୌନ୍ଦର୍ଯ୍ୟ ଏଇ ଅଫୁରନ୍ତ ପ୍ରାଣପ୍ରାଚୁର୍ଯ୍ୟ କୋଉଠୁ ପାଇବ ତମେ ଏଇ ଗୋଟାଏ ଜଡ଼ ପଦାର୍ଥ ପାଖରେ ? ଯଦି ସେଇ ପ୍ରାଣର ସ୍ପର୍ଶ ଟିକିଏ ପାଏ ଏଇ ଜଡ଼ତାକୁ ଫିଙ୍ଗି ଦେଇ—ତେବେ ତମେ ମୋତେ ମନା କରୁଛ କାହିଁକି ? ସୁକୁମାରର ଅନେକ ପଇସା ।”

ମୁଁ ଚୁପ୍ ରହିଲି ।

ଭିଡ଼ ସେତେବେଳକୁ ଗୋଟାଏ ବିରାଟ ଜନତାର ଆକାର ଧାରଣ କଲାଣି । ଯୋଉ ନୋଳିଆ ମାଇକିନା ସବୁ ବସିଥିଲେ ଘୁମନ୍ତ ଶାଗୁଣା ପରି ସେମାନେ ସବୁ ଯେମିତି ଏଇ କୋଳାହଳରେ ଚମକି ପଡ଼ି ଧାଇଁ ଆସିଲେ ଏଇ ଆଡ଼କୁ କାଖରେ ଆହୁରି ପୁଞ୍ଜାଏ ଲଙ୍ଗଳା ପିଲାଙ୍କୁ ଧରି । ଜନତାଭିତରେ ସେତେବେଳେ ପରସ୍ପର ମଧ୍ୟରେ କଳହ ଆରମ୍ଭ ହୋଇଗଲାଣି । ଦଳା ଚକଟ !, ମାରପିଟ୍, ହସ କାନ୍ଦରେ ସେ ଜାଗାଟା ଫାଟି ପଡ଼ିବାକୁ ଆରମ୍ଭ କଲାଣି । କେତେଜଣ ସୁନନ୍ଦାର ଶାଢ଼ିର ପଣତ ଧରି ଟାଣି ଟାଣି ତା’ର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରୁଛନ୍ତି । ଅପେକ୍ଷାକୃତ ବଳବାନ୍ ଟୋକାଏ ଦି’ ତିନିଥର ଲେଖାଏ ନେଇ ସାରିଲେଣି । ମାଇକିନିଆପଲ ଶାଗୁଣା ପରି ବେଢ଼ି ଆସିଲେଣି ଚାରିଆଡ଼ୁ ।

ମୁଁ ଆଉ ସହ୍ୟ କରି ପାରିଲିନି । ଜୋର କରି ତା’ ହାତରୁ ବେଗ୍‍ଟା ଛଡ଼େଇ ନେଇ ଚିତ୍କାର କରି କହିଲି ‘‘ସୁନନ୍ଦା; ବନ୍ଦ କର ଏ ସବୁ । କ’ଣ ହେଉଛି ଦେଖି ପାରୁଛ ?” ସୁନନ୍ଦା ଫଟ କରି ଚମକି ପଡ଼ିଲା । ସ୍ୱପ୍ନୋତ୍‍ଥିତ ପରି କିଛି କ୍ଷଣ ଏପଟ ସେପଟ ଚାହିଁ ନିଜକୁ ସଂଯତ କରି ନେଇ ଗମ୍ଭୀରଭାବେ ଆଦେଶ ଦେଲା ‘ପଳାଅ, ପଳାଅ ସବୁ ଏଠୁ । ପଳାଅ ।” ସ୍ତବ୍‍ଧ ହୋଇ ପିଲାଗୁଡ଼ାକ ସବୁ ଆଡ଼େଇ ଗଲେ । କ୍ଷଣକପାଇଁ ଛାଇଗଲା ଏକ କଠିନ ନୀରବତା । ସୁନନ୍ଦା ଏକ ଅଦ୍ଭୁତ ଆଖିରେ ସମସ୍ତଙ୍କୁ ନିରୀକ୍ଷଣ କରି ସାରି ଆସ୍ତେ ଆସ୍ତେ ମୋ ପଛେ ପଛେ ଆସିଲା । କେତେ ଜଣ ଜିଦ୍‍ଖୋରିଆ ଟୋକା ଓ ସଦ୍ୟ ଆଗତ କେତେଟା ମାଇକିନା ଅଭିଯୋଗ ସୁରରେ ପୁଣି ମିନତି କରି କରି ତା’ର ପଛେ ପଛେ ଆସିବାକୁ ଲାଗିଲେ ।

 

ହାତଟା ଉଠେଇ ଉହୁଙ୍କି ଗଲି ମୁଁ ସେମାନଙ୍କ ଆଡ଼କୁ । “ଭାଗୋ, ଭାଗୋ । ଏତେ ନେଲଣି ତଥାପି ମନ ମାନୁନି ।” ସମସ୍ତେ ଛିନ୍‍ଭିନ୍ ହୋଇ ପଳେଇ ଗଲେ । ଦଳ ଦଳ ହୋଇ ଏପଟ ସେପଟ ବୁଲି ବୁଲି ପରସ୍ପର ଲାଭର ହିସାବ ନିକାଶ କରିବାକୁ ଲାଗିଲେ । କେତେ ଜଣ ସ୍ତ୍ରୀ ଲୋକ ତାଙ୍କ ସନ୍ତାନମାନଙ୍କର ଅର୍ଜନର ହିସାବ ଦାବୀ କରିବାରୁ ସେଥିପାଇଁ ଛୋଟକାଟିଆ କେତେଗୁଡ଼ାଏ ଦ୍ୱନ୍ଦ୍ୱର ସୁତ୍ରପାତ ମଧ୍ୟ ହୋଇ ଗଲାଣି । ପରସ୍ପରର ଚିତ୍କାର, ଦଉଡ଼ା ଧାପଡ଼ା, ମାଡ଼ ଗାଳିରେ ଜାଗାଟା ଆଉଥରେ ପୂରି ଆସିଲାଣି ।

 

ମୁଁ ଚୁପ୍‍ଚାପ ଝାଉଁବଣ ଆଡ଼କୁ ଧୀରେ ଧୀରେ ଆଗେଇ ଗଲି । ଏମିତି ପରିସ୍ଥିତି ମୋତେ ଭାରି ବିବ୍ରତ କରେ ।

 

ସୁନନ୍ଦା ମୋ ପଛେ ପଛେ ଆସିଲା । ସେ ବି ନୀରବ । କିଛି ବାଟ ଆସିଲା ପରେ ମୁଁ ଝାଉଁବଣର ଛାଇରେ ଛିଡ଼ା ହୋଇ ସିଗାରେଟ୍ ଲଗାଇଲି । ସୁନନ୍ଦା ଆସି ପାଖରେ ଛିଡ଼ା ହେଲା । ମୁଁ ତାକୁ ଦେଖୁ ନଥାଏ । “ରାଗିଛ ?” “ନା ତ ।”

 

“ତମେ ମୋତେ ଭୁଲ ବୁଝନା । ମୁଁ ଦାନୀ ବୋଲି ଦେଖାଇ ହେବାକୁ ଚାହେନା । ଦାନ କରି ପୁଣ୍ୟ ଅର୍ଜନ କରିବାକୁ ଚାହେନା; କିନ୍ତୁ ଏଇ ପିଲାମାନଙ୍କୁ ଦେଖିଲେ ମୁଁ କେମିତି ନିଜକୁ ଭୁଲିଯାଏ—ତମେ ମୋତେ ଭୁଲ୍ ବୁଝିନ ତ ?”

 

“ନା, ନା, ସୁନନ୍ଦା । ମୁଁ ସେ କଥା କଳ୍ପନାରେ ସୁଦ୍ଧା ଭାବିନି ।”

 

“ମୁ ବି ଲୋଭକୁ ଘୃଣା କରେ, ଜ୍ଞାନ । ଭୀଷଣଭାବରେ ଘୃଣା କରେ । ସେଥିପାଇଁ ମୁଁ ଚାଲି ଆସିଲି ସେଇଠୁ । ସେଇ ନିଷ୍ପାପ ମୁହଁଗୁଡ଼ାକ ଲୋଭ ହିଂସାରେ କେମିତି ଉତ୍କଟ ହୋଇ ଆସିଥିଲା ତମେ ଲକ୍ଷ୍ୟ କରିଛ ? ଉଃ କି ବିଭତ୍ସ !

 

ମୁଁ ନୀରବ ରହିଲି ।

 

କିଛି ସମୟ ପରେ ସୁନନ୍ଦା କହିଲା “ଚାଲ; ଆଉ ଟିକିଏ ଦୂରକୁ ଯିବା ସେଇ ଝାଉଁ ବଣର ଶେଷ ଆଡ଼କୁ ।” ହାତ ଧରାଧରି ହୋଇ ଆମେ ବାଲି ଉପରେ ଚାଲିବାକୁ ଆରମ୍ଭ କଲୁଁ । ସୁନନ୍ଦାର ଜୋତାରେ ବାଲି ପଶିଯିବାରୁ ସେ ତାକୁ କାନ୍ଧରେ ପକାଇ ଖାଲି ପାଦରେ ଚାଲିଥାଏ । କ୍ଷଣକ ଭିତରେ ସୁନନ୍ଦା ଆଉ ଥରେ ପାଲଟିଗଲା ସେଇ ଚପଳା ଚଞ୍ଚଳା ଝରଣାରେ । ହସ ଥଟ୍ଟା, ଗୀତର ଅସରନ୍ତି କୁଳୁକୁଳୁ ରାଗିଣୀ ତା’ର କଣ୍ଠରେ ।

 

ପ୍ରାୟ ଅଧମାଇଲିଏ ବାଟ ଚାଲି ଆସିଲୁଣି ଆମେ । ସୁନନ୍ଦାର ମୁହଁଟା ପରିଶ୍ରମରେ ଲାଲ ହୋଇ ଉଠିଛି । ମୁହଁରେ ତା’ର ବିନ୍ଦୁ ବିନ୍ଦୁ ଝାଳ । ଲାଲ ପ୍ରବାଳର ପର୍ବତ ଉପରେ ଫୁଟିଛି ଅଗଣିତ ମୁକ୍ତାବିନ୍ଦୁ । ଝାଉଁଗଛ ତଳେ ଧଡ଼ାସ୍ କରି ବସି ପଡ଼ି କହିଲା ସେ “ଉଃ ଆଉ ଚାଲି ପାରିବିନି । ଥକି ଗଲାଣି ।” ମୁଁ ବସି ପଡ଼ିଲି ତା’ ପାଖରେ ।

 

“ତମେ ଗୋଡ଼ଟା ଲମ୍ବେଇଲ ମୁଁ ତମ କୋଳରେ ମୁଣ୍ଡ ଦେଇ ଶୁଏଁ ।

 

“କିନ୍ତୁ ସୁନନ୍ଦା—”

 

“କାଟିବ ନାହିଁ ମ, ମୁଁ ଆସ୍ତେ କରି ମୁଣ୍ଡ ରଖିବି ।”

 

ମୁଁ ଇତସ୍ତତଃ ହୋଇ ଇଚ୍ଛା ଅନିଚ୍ଛାର ପ୍ରବଳ ଦ୍ୱନ୍ଦ ଭିତରେ ଗୋଡ଼ ଲମ୍ବେଇ ଦେଲି । ସୁନନ୍ଦା ମୋର କୋଳ ଉପରେ ମୁଣ୍ଡ ରଖି ଲମ୍ବା ହୋଇ ଶୋଇ ପଡ଼ି କହିଲା “ଆଃ କି ଶାନ୍ତି; କି ଶାନ୍ତି ।”

 

ଅନେକ ପ୍ରକାର ଭାବନା, ମୋ ମନରେ ଅଗଣିତ ଇମୋସନର ପ୍ରବାହ । ଅନେକ ପ୍ରକାର ଶକ୍ତିର କରେଣ୍ଟ ଆଉ କ୍ରସ୍ କରେଣ୍ଟ । କିଛି ନିର୍ଦ୍ଧିଷ୍ଟ ନାହିଁ । କିଛିର ଆକାର ନାହିଁ । ସବୁ କେବଳ ସେଇ ଘୂର୍ଣ୍ଣିବାୟୁର ଘୂର୍ଣ୍ଣୀୟମାନ ସିଲିଣ୍ଡାର ଭିତରେ ଅସ୍ପଷ୍ଟ—ନିରାକାର । ପ୍ରବଳ ଗତିଭିତରେ ନିରୁଦ୍ଦିଷ୍ଟ । ମୁଁ କିଛି ଦେଖି ପାରୁନି । କିଛି ଶୁଣି ପାରୁନି । କିଛି ଅନୁଭବ କରିପାରୁନି । କେବଳ ଅନୁଭବ କରୁଛି—ମୋର କୋଳରେ ଥିବା ଏକ ଉତ୍ତପ୍ତ ଅଗ୍ନିପିଣ୍ଡର ଜ୍ଵାଳାମୟ ଅସ୍ତିତ୍ଵ ।

 

ମୋର ସମସ୍ତ ଭାବନାର ଘୂର୍ଣ୍ଣିବାୟୁକୁ ଗୋଟାଏ ଫୁତ୍‍କାରରେ ଉଡ଼ାଇ ସୁନନ୍ଦା ହସି ଉଠିଲା—ଝଡ଼ ପରର ଆକାଶ ପରି ଶାନ୍ତ ନିର୍ବେଦ ଓ ନିର୍ଲିପ୍ତଭାବରେ ।

 

“ମୁଁ ଜାଣେ ନା ତମେ କ’ଣ ଭାବୁଛ ଜ୍ଞାନୀନ୍ଦ୍ର । ମୋର କଥାବାର୍ତ୍ତା ଚାଲିଚଳନ ବ୍ୟବହାର ସବୁ କେମିତି ଖାପଛଡ଼ା ଲାଗୁଥିବ ତମକୁ; ନୁହେଁ ? ତମର ସାମାଜିକ, ନୈତିକ ଓ ବ୍ୟାବହାରିକ କୌଣସି ନିୟମରେ ମୁଁ ବନ୍ଧା ନୁହେଁ । ମୁଁ ବାନ୍ଧି ହୋଇ ପାରିବିନି; ମୁଁ ସ୍ଵାଧୀନା । ତେଣୁ ମୋତେ ସେଇ ନିୟମ ଦେଇ ବିଚାର କରନା ଜ୍ଞାନୀନ୍ଦ୍ର । ମୁଁ ମୋର ସ୍ଵତନ୍ତ୍ର ନିୟମ ।”

 

ତା’ର ଆଚମକା କଥାରେ ମୁଁ ସ୍ତବ୍‍ଧ ହୋଇ ପଡ଼ିଲି । କିଛି ଉତ୍ତର ଦେବାକୁ ମୁହଁରେ ଭାଷା ନଥିଲା । ମୁଁ ତା’ର ହାତ ଧରିଲି ।

 

“ସୁକୁମାର ମୋର ସ୍ଵାମୀ । ମୁଁ ତାକୁ ଭଲପାଏ । ଖୁବ୍ ଭଲପାଏ; କିନ୍ତୁ ସତକଥା ଜ୍ଞାନୀନ୍ଦ୍ର, ତା ପ୍ରତି ମୋର ଜମା ଆସକ୍ତି ନାହିଁ—ମୋହ ନାହିଁ । କାହାରି ପ୍ରତି ବି ନାହିଁ । ସେଥିପାଇଁ ସୁକୁମାରର ଯିବା ଆସିବା ମୁଁ କିଛି ଲକ୍ଷ୍ୟ କରି ପାରେନା । ତା’ର କୌଣସି କାମର ତଦାରଖ କରି ପାରେନା । ସେ ମୋଠୁ ଅନେକ କିଛି ଚାହେଁ । ମୋର ବି ହୁଏତ ଦେବାର ଅଛି, କିନ୍ତୁ କାହିଁକି କେଜାଣି ହୋଇ ଉଠେନା । ମୁଁ ଜାଣେ ସୁକୁମାର ମୋତେ ପାଇ ଅସୁଖୀ; ତଥାପି ସେ ମୋତେ ଛାଡ଼ିବାକୁ ଚାହେଁନା । କାହିଁକି କହ ତ ଜ୍ଞାନୀନ୍ଦ୍ର ?”

 

ମୋର କହିବାର କିଛି ନାହିଁ । ଖାଲି ଶୁଣିବାର କଥା । ସୁନନ୍ଦା କାହାରି ଅପେକ୍ଷା ରଖେନା । କାହାରି ଉପରେ ନିର୍ଭର କରେନା ।

 

“କିନ୍ତୁ ସୁକୁମାରକୁ ମୁଁ ଅନେକ କିଛି ଦେବାକୁ ଚାହେଁ ଯେ, କେମିତି ଦେବି ମୁଁ ବୁଝି ପାରୁନି । ହୁଏତ ମୋର ତା’ ପାଖରେ ରହିବାଟା ବୋଧହୁଏ ମୋର ତା ପ୍ରତି ସବୁଠୁ ବଡ଼ କର୍ତ୍ତବ୍ୟ-। ସେଥିପାଇଁ ମୁଁ ବେଳେ ବେଳେ ଚାଲିଯିବାକୁ ଇଚ୍ଛା କଲେ ବି ଯାଇ ପାରେନା । ନା, ନା, ମୁଁ ଅସୁଖୀ ନୁହେଁ । ମୁଁ ଖୁବ୍ ସୁଖୀ । କେବଳ ଅନ୍ୟମାନଙ୍କୁ ଦେଖିଲେ ମୋତେ ଦୁଃଖ ଲାଗେ-।”

 

କିଏ କହିବ ସୁନନ୍ଦା ତମେ ଅସୁଖୀ ବୋଲି । ପୃଥିବୀରେ ଯଦି କିଏ ଜଣେ ସୁଖୀ ଥାଏ ତେବେ ହେଉଛି ତମେ ।

 

ମନେ ମନେ କହିଲି କଥାଗୁଡ଼ାକ । କହିଥିଲେ ବି ସୁନନ୍ଦା ଶୁଣି ନଥାନ୍ତା ।

 

“ତୁମେ କିନ୍ତୁ ଅଲଗା । ସମସ୍ତଙ୍କ ଠାରୁ ଅଲଗା । ତମ ପାଖରେ ମୋର କିଛି ନାହିଁ । ଲଜ୍ଜା ନାହିଁ ସଙ୍କୋଚ ନାହିଁ । ମାନ ଅପମାନ କିଛି ନାହିଁ । ତମେ କ’ଣ କେବେ ଭାବି ଦେଖିଛ ? ହୁଏତ ଦେଖିଥିବ; କିନ୍ତୁ ଭୁଲ ଭାବିଥିବ । ତମେ ପ୍ରକୃତରେ ମୋର ସର୍ବସ୍ଵ । ମୋର ପ୍ରାଣ, ମୋର ମନ, ଜୀବନ, ମୋର ଚେତନା । ତମେ ମୋର ମୋର ମୋର...କେମିତି ବୁଝେଇବି ତୁମକୁ ମୁଁ ଠିକ୍ ଭାଷା ପାଉନି । ଜ୍ଞାନ, ତୁମେ ହେଉଛ ମୁଁ । you are me ।”

 

ମୁଁ ବରଫ ପାଲଟି ଗଲି ସୁନନ୍ଦାର ହାତମୁଠାରେ । ଆଉ ଠିକ୍ ପରମୁହୂର୍ତ୍ତରେ ହିଁ ସୁନନ୍ଦା କହିଲା ଏ କଥାଗୁଡ଼ାକ ।

 

“କ’ଣ ଆଣିଛ ବୋଲି ତମେ ଅନୁମାନ କରି ପାରୁଛ ? ସେତେବେଳେ ଯୋଉ କହୁଥିଲି-? ପାରି ନ ବୋଧହୁଏ, ନୁହେଁ ? ସ୍କଚ୍ ହୁଇସ୍କି । ମୁଁ ପ୍ରଥମଥର ଓ ଶେଷଥର ପାଇଁ ତୁମର ସାଙ୍ଗରେ ଆଜି ମଦ ପିଇବି । I shall get drunk to–day–ମୁଁ ଆଜି ମାତାଲ ହେବାକୁ ଚାହେଁ ।

 

ମୁଁ କିଛି ଭାବିବା ଅବିସ୍ଥାରେ ନଥିଲି । ହୁଏତ ପ୍ରକୃତିସ୍ଥ ଅବସ୍ଥାରେ ଥିଲେ ତା’ର କଥାରେ ଏଇ ବିସ୍ଫୋରଣ ଭିତରେ ମୁଁ ଟିକ୍ ଟିକ୍ କରି ଭାଙ୍ଗି ରୁଜି ଯାଇଥାନ୍ତି ।

 

ସୂର୍ଯ୍ୟ ସେତେବେଳକୁ ଅସ୍ତମିତ ହେଲେଣି ଝାଉଁବଣର ଉହାଡ଼ରେ, ଚାରିଆଡ଼େ ବିଷର୍ଣ୍ଣ ଗୋଧୂଳିର କୁହୁଡ଼ିଆ ଆଲୋକ । ପୂର୍ବାକାଶରେ ପ୍ରତିବିମ୍ବିତ ହେଉଛି ପଶ୍ଚିମଆକାଶର ବିଚିତ୍ର ବର୍ଣ୍ଣାଳୀ ।

 

ସୁନନ୍ଦା ମୋ କୋଳରୁ ମୁଣ୍ଡ ଉଠେଇ କହିଲା “ଯାଅ କାର୍‍ରୁ ସବୁ ଜିନିଷ ନେଇ ଆସ-।”

 

ସୁନନ୍ଦାକୁ ସେଇଠି ତା’ର ସ୍ୱପ୍ନର ବିଭୋର ହେବାକୁ ଛାଡ଼ିଦେଇ ମୁଁ ଆସିଲେ ରାସ୍ତା ପାଖକୁ, ମନ୍ତ୍ରମୁଗ୍‍ଧ, ହିପନୋଟାଇଜ୍‍ଡ ବ୍ୟକ୍ତି ପରି । ଯନ୍ତ୍ରଚାଳିତ ଭାବରେ ସମସ୍ତ ଜିନିଷ ଓହ୍ଲେଇ, ନୋଳିଆ ପିଲାମାନଙ୍କ ସାହାଯ୍ୟରେ ସେଇ ଝାଉଁବଣ ଆଡ଼କୁ ପଠେଇ ଦେଲି ସବୁ । କାର୍‍ର ଝରକା ବନ୍ଦ କରି; ଇଞ୍ଜିନ୍ ଲିକ୍ କରି ଦୋକାନୀକୁ କହି ଦେଇ ଆସିଲି ଟିକେ ନଜର ରଖିବାକୁ । ଦୋକାନୀ କେମିତି ଗୋଟାଏ ଅଦ୍ଭୁତ ଚାହାଣି ଦେଲା ମୋ ଆଡ଼କୁ । ମୁଁ ତା’ର ଇଙ୍ଗିତ ବୁଝି ପାରିଲି, କିନ୍ତୁ ଅନୁଭବ କରି ପାରିଲିନି । ସୁନନ୍ଦା ପାଇଁ ମୁଁ ସାରା ପୃଥିବୀକୁ ଭ୍ରୂକ୍ଷେପ କରେନା ।

 

ମୁଁ ପହଞ୍ଚିଲାବେଳକୁ ଜିନିଷପତ୍ର ଥୋଇ ଦେଇ ନୋଳିଆ ପିଲା ଦୁଇଟି ଆଶା ଆଶଙ୍କା ଓ ବିସ୍ମୟରେ ଛିଡ଼ା ହୋଇ ରହିଥାନ୍ତି ସୁନନ୍ଦା ଆଡ଼କୁ ଚାହିଁ । ସୁନନ୍ଦା ସେମାନଙ୍କୁ ଦେଖି ପାରୁନି । ପଇସା ଆଠଣା ତାଙ୍କ ଆଡ଼କୁ ବଢ଼େଇ ଦେଇ ମୁଁ କହିଲି “ଏଇନେ ଯାଅ । ସକାଳୁ ଆସିବ ।” ଦି’ ଜଣଯାକ ଆମ ଆଡ଼କୁ କୌତୁହଳ ଦୃଷ୍ଟିରେ ଫେରି ଫେରି ଚାହିଁ ଚାଲିଗଲେ ସେଇ ପଲା ଆଡ଼କୁ ।

 

ନିର୍ଜନ ବେଳାଭୂମି ଉପରେ ମୁହାଁମୁହିଁ ବସି ରହିଲୁ ଆମେ ଦୁଇଜଣ । ଜଣେ ସ୍ତ୍ରୀ—ଜଣେ ପୁରୁଷ ।

 

ଅନେକ ସମୟ ପରେ ସୁନନ୍ଦା କହିଲା ‘ଜାଣ ଜ୍ଞାନ, କାହିଁ କେତେ ଯୁଗ ଆଗେ ଏଇଠି ଚନ୍ଦ୍ରଭାଗା ନାଚି ଖେଳି ବୁଲୁଥିଲା ସମୁଦ୍ର ସୈକତରେ ଏଇ ନିର୍ଜନ ବେଳାଭୂମିରେ ଆଉ ସୂର୍ଯ୍ୟ ପାଗଳ ହୋଇ ଛୁଟିଥିଲେ ତା’ର ପଛରେ—ପ୍ରେମ–ପାଗଳ ସୂର୍ଯ୍ୟଦେବ ।”

 

ପୁଣି କିଛି ସମୟ ନୀରବ ରହିଲା ସେ । ତା’ପର ହଠାତ୍ ଚିତ୍କାର କରି ଉଠିଲା ସୁନନ୍ଦା-। ‘‘ହୋଇ ଦେଖ ।” ଉତ୍ତେଜନାରେ ଦେହ ତାର ଥରି ଥରି ଉଠୁଛି, ଆଖି ଦୁଇଟି, ଦୁଇଟି ଉଜ୍ଜ୍ୱଳ ତରକାପରି ଯେମିତି ସ୍ତବ୍‍ଧ ହୋଇ ଲାଖି ରହିଛି ପୂର୍ବାକାଶର ଚକ୍ରବାଳରେ । ସାରା ଅଙ୍ଗରେ ବେପଥୁ । ସମସ୍ତ ଅବୟବରେ ରୋମାଞ୍ଚ । ପ୍ରିୟର ସ୍ୱପ୍ନରେ ବିମୁଗ୍‍ଧା, ଆତ୍ମାଜ୍ଞାନଶୂନ୍ୟା, ଚିରନ୍ତନ ଅଭିସାରିକା ।

 

ମୁଁ କାହାକୁ ଦେଖିବି କିଛି ଠିକ୍ କରି ପାରିଲିନି ।

 

ଦୂର ଚକ୍ରବାଳ ତୀରେ ତୀରେ ସମୁଦ୍ରର ଅନନ୍ତ ଗର୍ଭରୁ ଧୀରେ ଧୀରେ ଜନ୍ମ ନେଉଥିବା ସମୁଜ୍ଜଳ ପୂର୍ଣ୍ଣଚନ୍ଦ୍ରକୁ ନା ଚନ୍ଦ୍ରର ଦର୍ଶନରେ ବିମୁଗ୍‍ଧା, ଚନ୍ଦ୍ରପ୍ରିୟାର, ଚନ୍ଦନବୋଳା ଶ୍ରୀ ଅଙ୍ଗର କମନୀୟ ଶୋଭାଶ୍ରୀକୁ ? ଦୁହେଁ ଅବିସ୍ମରଣୀୟ । ନା, ଚନ୍ଦ୍ର ପୁଣି ଆସିବ, କିନ୍ତୁ ଯମୁନା କୂଳର ଶ୍ୟାମଳ ତମାଳବନର ପ୍ରସ୍ପୁଟିତା ସୁବର୍ଣ୍ଣ ମଞ୍ଜରୀ ତଳେ ତଳେ ବଂଶୀମତୁଆଲା ବୃଷଭାନୁ ଜେମାର, ଏ ସ୍ନିଗ୍‍ଧ, ଲାବଣ୍ୟମୟୀ ପ୍ରେମମୂର୍ତ୍ତି ମୁଁ ତ ଆଉ ଜୀବନରେ ଦେଖି ପାରିବି ନାହିଁ । ମୁଁ ବିସ୍ମୟବିମୂଢ଼ ହୋଇ ଚାହିଁ ରହିଲି ସେ ଅଲୌକିକ ରୂପବତୀ ନାୟିକାର ପ୍ରେମବିଦଗ୍‍ଧା ପ୍ରତିମୂର୍ତ୍ତିକୁ-

 

ଅନେକ ସମୟଧରି ଆମେ ଏମିତି ଅବସ୍ଥାରେ ରହିଲୁ । ତା’ର ଆଖି ଚନ୍ଦ୍ର ଉପରେ—ମୋର ଆଖି ତା’ର ମୁହଁ ଉପରେ ।

 

ସମ୍ବିତ୍ ଫେରି ପାଇଲା ସୁନନ୍ଦା । ମୋ ଆଡ଼କୁ ଫେରି ଚାହିଁ କହିଲା “ମୋତେ ଭାରି ଭୋକ ହେଲାଣି । ବାସ୍କେଟରୁ ସବୁ ବାହାର କର । ମୁଁ ଟିକିଏ ଲୁଗା ବଦଳେଇ ଆସେ ।” ବେଗ୍ ନେଇ ସେ କିଛି ଦୂରରେ ଥିବା ବାଲିବନ୍ତର ଆଢ଼ୁଆଳକୁ ଚାଲିଗଲା ।

 

ବାଃ, ସୁନନ୍ଦା ପ୍ରକୃତରେ ସବୁ ଜିନିଷ ନେଇ ଆସିଛି ।

 

ସେଣ୍ଡଉଇଚ୍, କଟଲେଟ୍, ଚିକେନ୍ ତନ୍ଦୁରୀ, ସିଝା ଅଣ୍ଡା, କମଳା, ଅଙ୍ଗୁର, କଦଳୀ, ସନ୍ଦେଶ । କିଛି ଶଙ୍କା ନାହିଁ । ବଡ଼ Water bottleରେ ପାଣି । ଥର୍ମୋସରେ ଚା’ । ଦୁଇଟା ବଡ଼ ପ୍ଲେଟ । କଣ୍ଟା ଚାମୁଚ । ପେପର ନାପ୍‍କିନ୍ । ଦି’ଟା କାଚଗ୍ଲାସ ।

 

ବାସ୍କେଟ୍‍ର ସବାତଳେ ରହିଛି ବୋତଲଟା—୨ ଆଉନ୍‍ସର ସ୍କଚ୍ ହୁଇସ୍କି । କାଢ଼ୂ କାଢ଼ୂ ହାତ ମୋର ଅଟକି ଗଲା । ନିଆଁ ଖଣ୍ଡ ଉପରେ ହାତ ପଡ଼ିଗଲା ଯେମିତି । ମୁଁ ଯେ ଖାଏନା ତା ନୁହେଁ କିନ୍ତୁ ଏମିତି ପରିସ୍ଥିତିରେ ସେ ବୋତଲଟା କେମିତି ଘୃଣ୍ୟ ଓ ହିଂସ୍ର ମନେ ହେଲା । ମୁଁ ସବୁ ଜିନିଷ ଦୁଇଟା ପ୍ଲେଟରେ ସଜେଇ ରଖିଲି ।

 

ସୁନନ୍ଦା ସତରେ ଖୁବ୍ ଡେରି କରୁଛି । ଭୀଷଣ ଭୋକ ହେଲାଣି ମୋତେ । ପୁଣି ସମୁଦ୍ରର ପବନରେ ବାଲିସବୁ ଉଡ଼ି ଆସି ଜମିଯାଉଛି ପ୍ଲେଟ ଉପରେ । ମୁଁ ତଉଲିଆଟା ପ୍ଲେଟ ଉପରେ ଘୋଡ଼େଇ ଦେଇ ସିଗାରେଟ୍ ଲଗେଇ ବସି ରହିଲି । ସିଗାରେଟ୍ ଶେଷ ହେବାକୁ ବସିଲାଣି ତଥାପି ସୁନନ୍ଦାର ଦେଖା ନାହିଁ । କ’ଣ ଏମିତି ସଜ ହେଉଛି କି ସେ ? ତା’ର ଶାଢ଼ି ବଦଳେଇବାର ଖସ୍ ଖସ୍ ଶବ୍ଦ, କାଚର ରୁଣୁଝୁଣୁ, ଗୁଣୁଗୁଣୁ ସଙ୍ଗୀତ ସବୁ ସ୍ପଷ୍ଟ ଭାବରେ ଶୁଣାଯାଉଛି ।

 

ମୁଁ ସମୁଦ୍ର ଆଡ଼କୁ ଚାହିଁ ରହିଲି । ଆକାଶ ପୃଥିବୀ ଏକାକାର ହୋଇଯାଇଛି ନୀଳ ଜ୍ୟୋସ୍ନାର ଜୁଆରରେ । ମେଘବିମୁକ୍ତ ଆକାଶରେ ପୂର୍ଣ୍ଣମୀର ଚନ୍ଦ୍ରର ଶୀତଳ ଆଲୋକରଶ୍ମି ଛୁଉଁଛି ସମୁଦ୍ରର ଦେହ । ଧୀର ପରଶରେ ସମୁଦ୍ର ଉତ୍ତେଜିତ ହେଉଛି—ଉନ୍ମାଦ ହେଉଛି । ପାଗଳ ହୋଇ ସେ ନିଜର ସତ୍ତା ଭୁଲି ଚନ୍ଦ୍ରକୁ ଧରିବାକୁ ଚାହୁଁଛି ତା’ର ସହସ୍ର ଢେଉର ହାତ ଦେଇ ।

 

ଛମ୍ ଛମ୍ ନୂପୁରର ଶବ୍ଦରେ ମୋର ସ୍ଵପ୍ନ ଭାଙ୍ଗିଲା ।

 

ମୁଁ ଫେରି ଚାହିଁଲା । ମୁଁ ସ୍ତବ୍‍ଧ, ନିର୍ବାକ୍, ବିମୁଗ୍‍ଧ । ଏ ସ୍ଵର୍ଗର ଅପ୍‍ସରୀ ନା ସୁନନ୍ଦା ?

 

ଆଜି ସୁନନ୍ଦାର ରାତ୍ରି । ଆହୁରି କେତେ ବିସ୍ମୟ ଦେଖିବାକୁ ପଡ଼ିବ କିଏ ଜାଣେ ? ସୁନନ୍ଦା ହସିଲା । ଖିଲ୍ ଖିଲ୍ ହସ ଜ୍ୟୋତ୍ସ୍ନାର ପାତଳ କୁହୁଡ଼ି ଉପର ଦେଇ ପହଁରି ଗଲା ମଳୟର ଛୋଟ ଛୋଟ ଢେଉ ତୋଳି ।

 

ତା’ର ସମସ୍ତ ସ୍ୱର୍ଣ୍ଣ ଅଳଙ୍କାରର ସାଜରେ ସୁନନ୍ଦା ଆଜି ସାଜିଛି ନର୍ତ୍ତକୀର ବେଶ । ସବୁ ଯେପରି ସେ ନିଖୁଣଭାବେ ଉଠେଇ ଆଣିଛି କୋଣାର୍କର ନୃତ୍ୟରତା ଅଳସକନ୍ୟା ଦେହରୁ । ସେଇ ଆଭରଣ, ସେଇ ବେଶ, ସେଇ ସ୍ଵର୍ଣ୍ଣାଳଙ୍କାର, ସେଇ ମୁଦ୍ରା, ସେଇ ଭାବ । କୋଣାର୍କର ସେଇ ଅଳସକନ୍ୟା ପ୍ରାଣ ପାଇ ଉଠି ଆସିନି ତ ? ଛମ୍ ଛମ୍ ନୂପୁରର ଶବ୍ଦ କରି ଭୀରୁ ଚରଣପାତରେ ଆଗେଇ ଆସିଲା ସୁନନ୍ଦା—“ମୁଁ ଆଜି ଚନ୍ଦ୍ରଭାଗା ସାଜିଛି । ତୁମେ ମୋର ସୂର୍ଯ୍ୟଦେବ । ନାଚି ନାଚି ମୁଁ ଆଜି ପାଗଳ ହେବାକୁ ଚାହେ । କାହିଁ ମୋତେ ଦିଅ ।” ତାଉଲିଆଟା ଉଠେଇ ନେଇ କହିଲା “ଆରେ ଏଗୁଡ଼ା କ’ଣ ? କାହିଁ ସୋମରସ ? ତମେ ବଡ଼ ଅପଦାର୍ଥ ଜ୍ଞାନୀନ୍ଦ୍ର ।”

 

ସୁନନ୍ଦା ଆଜି ଭସ୍ମ ହେବାକୁ ଚାହେଁ । ମୁଁ କିଏ ତା’ର ପ୍ରତିରୋଧ କରିବାକୁ ? ତାର ନିଜସ୍ଵ ଯଜ୍ଞରେ ସେ ନିଜେ ହିଁ ପୂର୍ଣ୍ଣାହୂତି । ମୁଁ କେବଳ ସାମାନ୍ୟ କାଠଖଣ୍ଡର ଇନ୍ଧନ ମାତ୍ର ।

 

ଢକ୍ ଢକ୍ କରି ପିଇଗଲା ସେ ପ୍ରଥମ ଗ୍ଲାସ । ଅନଭ୍ୟସ୍ତ ଗଳ । ମୁହଁ ପ୍ରତିବାଦ କରି ଉଠିଲେ । କାଶି ଉଠିଲା ସେ । କିନ୍ତୁ ଯେ ନିଜର ସମସ୍ତ ପ୍ରାଣ ଚୈତନ୍ୟକୁ ଏକାକାର କରି ଦେଇ ପ୍ରବଳ ଗତିବେଗରେ ଗଙ୍ଗୋତ୍ରୀର ପ୍ରବାହ ପରି ବହି ଯାଉଛି ସାମାନ୍ୟ ଦେହର ତୁଷାରଖଣ୍ଡ ତାକୁ ରୋକିବ କେମିତି ?

 

ସ୍ୱପ୍ନାବିଷ୍ଟ ପରି ସେ ଖାଇବାକୁ ଲାଗିଲା । ଆଉ ମଝିରେ ମଝିରେ ପିଇବାକୁ ଲାଗିଲା । ମୁଁ ବି ଯେମିତି ପ୍ରତିଛାୟା ପରି ତା’ରି କାର୍ଯ୍ୟର ପୁନରାବୃତ୍ତି କରିବାକୁ ଲାଗିଲା । ମୋର ଯେମିତି ଆଉ କିଛି ସତ୍ତା ନାହିଁ । ସେ ଯାହା କରିବ ମୁଁ ସେଇଆ କରିବାକୁ ବାଧ୍ୟ ।

 

ସମସ୍ତ ବୋତଲଟା ଶେଷ କରି ଉଠିଲା ସୁନନ୍ଦା । ସେତେବେଳେକୁ ପାଦ ତା’ର ଟଳିବାକୁ ଆରମ୍ଭ କଲାଣି । ଗଳାର ଶବ୍ଦ ଭାରି ହୋଇ ଆସିଲାଣି । ଆଖି ଦୁଇଟା ବିସ୍ଫାରିତ ହୋଇ ଉଠିଛି; କିନ୍ତୁ ଦେହର ସମସ୍ତ ଅବଶତାକୁ ନିଜର ପ୍ରବଳ ଇଛାଶକ୍ତିରେ ସାମାନ୍ୟ ତୁଳାଖଣ୍ଡ ପରି ଝାଡ଼ି ଦେଇ ସୁନନ୍ଦା ଛିଡ଼ା ହୋଇଗଲା ଏକ ଦୃପ୍ତ ଭଙ୍ଗୀରେ । ମୋର ମୁଣ୍ଡ ବି ସେତେବେଳକୁ ବୁଲିବାକୁ ଆରମ୍ଭ କଲାଣି । ଦେହରେ ଅଜସ୍ର ଅବଶତାର ଜୁଆର ମାଡ଼ି ଆସୁଛି । ଆଖି ବୁଜି ହୋଇ ଆସୁଛି ଗଭୀର କ୍ଲାନ୍ତିରେ; କିନ୍ତୁ ଏ ରାତ୍ରିରେ ନିଦ ଅସମ୍ଭବ । ଏ ମୋର ଜୀବନର ସର୍ବଶ୍ରେଷ୍ଠ ରାତ୍ରି । ମୋର ସମସ୍ତ ଜୀବନର ଲକ୍ଷ୍ୟ—ମୋର ମାନବ ଜୀବନର ଚରମ ମୁହୂର୍ତ୍ତ । ୟା ପରେ ମୋର ଆଉ କିଛି ନାହିଁ—ମୁଁ କେବଳ ମୁଠାଏ ଭସ୍ମ ମାତ୍ର ।

 

ସୁନନ୍ଦା ସେତେବେଳକୁ ଆରମ୍ଭ କଲାଣି ତା’ର ଚନ୍ଦ୍ରଭାଗା ନୃତ୍ୟ । ବାଲିରେ ଗୋଡ଼ ପଶି ଯାଉଛି । ନୃତ୍ୟର ତାଳ ଭଗ୍ନ ହେଉଛି । ପାଦ ଠିକ୍ ପଡ଼ୁନି, କିନ୍ତୁ ସେ ନାଚି ଚାଲିଛି ଏକ ଆତ୍ମସମାହିତା ଦେବଦାସୀ ପରି । ଦ୍ଵାପର ଯୁଗର ବଂଶୀମତୁଆଲୀ ରାଈକିଶୋରୀ ଯମୁନାର ବନବୀଥି ମଥିତ କରି, ଗୋପପୁରର ଆକାଶକୁ ନୂପୁରର ସିଞ୍ଜନରେ ମୁଖରିତ କରି ନାଚି ଯାଉଛି । ପ୍ରଥମ ଆଷାଢ଼ର ମେଘମେଦୂର ଆକାଶକୁ ଚାହିଁ ନାଚୁଛି ମୟୂରୀ । ଡମ୍ବରୁର ତାଳେ ତାଳେ ନାଚୁଛି ପାର୍ବତୀ ଲୀନ ହେବାକୁ ଜଟାଧାରୀରେ ଭସ୍ମବୋଳା ବିଭୂତି ଅଙ୍ଗରେ ।

 

ଏ ନୃତ୍ୟ ମେନକାର ନୁହେଁ, ଉର୍ବଶୀର ନୁହେଁ, ରମ୍ଭାର ନୁହେଁ । ଏ ନୃତ୍ୟର ତୁଳନା ନାହିଁ-। ଅତୁଳନୀୟ, ଅବର୍ଣ୍ଣନୀୟ, ବିମୁଗ୍‍ଧା, ଆତ୍ମବିସ୍ମୟତା ଭକ୍ତର ନୃତ୍ୟ । ଏ ନୃତ୍ୟର ଉଦ୍ଦେଶ୍ୟ ନାହିଁ, କାରଣ ନାହିଁ । ଏ ନୃତ୍ୟର ତାଳ ନାହିଁ, ମାନ ନାହିଁ, ଲୟ ନାହିଁ । ଏ ନୃତ୍ୟ ସ୍ଵୟଂସମ୍ପୂର୍ଣ୍ଣ । ଏ ନୃତ୍ୟର ନର୍ତ୍ତକୀ ଓ ଦ୍ରଷ୍ଟା ଏକ ।

 

ମୁଁ କ’ଣ ସହ୍ୟ କରି ପାରିବି ଏ ନର୍ତ୍ତନର ଗୁରୁଭାର ? କିନ୍ତୁ ହଠାତ୍ ଯେମିତି ଏକ ଅନିର୍ବିଚନୀୟ ଆନନ୍ଦରେ ଦେହ ମନ ମୋର ଏକ ହୋଇଗଲା । ମୁଁ ବି ନାଚିବାକୁ ଲାଗିଲା । ସେଇ ନିର୍ଜନ ବେଳାଭୂମି ଉପରେ ଆତ୍ମସମାହିତ, ଆତ୍ମବିସ୍ମୃତ, ଦୁଇଟି ଯୁବକ ଯୁବତୀ ନାଚି ଚାଲିଲେ ଏ ପୃଥିବୀ ପ୍ରତି ସଂପୂର୍ଣ୍ଣରୂପେ ବିମୁଖ ରହି—କେବଳ ନିଜ ଅନୁଭୂତିରେ ନିଜେ ମଗ୍ନ ହୋଇ ।

 

ହଠାତ୍ ରାତ୍ରିର ଗଭୀର ପ୍ରହରରେ ମୋର ନିଦ ଭାଙ୍ଗି ଗଲା । କିଏ ଯେମିତି ଅତି ଧୀରେ ଧୀରେ ମୋତେ ହଲେଇ ଦେଇ ନିଦ ଭାଙ୍ଗି ଦେଲା । ଚମକି ପଡ଼ି ଉଠି ବସିଲି ।

 

ସମଗ୍ର ପୃଥିବୀରେ ଛାଇଯାଇଛି ପୂର୍ଣ୍ଣିମାର ସମୂଜ୍ଜ୍ଵଳ ଜ୍ୟୋତ୍ସ୍ନା । ଚାରିଆଡ଼େ ନିର୍ଜନ । ମଝିରେ ମଝିରେ ଉନ୍ମାଦ ପରି ବହି ଯାଉଛି ମତୁଆଲା ପବନର ସ୍ରୋତ । ଏକ ସୁତିବ୍ର ଗୋପନ କାମନାର ବହ୍ନିରେ ଫୁଲି ଫୁଲି ଉଠୁଛି ସମୁଦ୍ର । ବାୟୁମଣ୍ଡଳରେ ତା’ର ଗୁରୁ ଗମ୍ଭୀର ନିର୍ଘୋଷ । ଭୀଷଣ ଜୋରରେ ତା’ର ଫେନାକ୍ତ ଢେଉଗୁଡ଼ା ହିଂସ୍ର ଶ୍ୱାପଦ ପରି ମଥା ପିଟି ଚାଲିଛନ୍ତି ଶାନ୍ତ ସମାହିତ ବାଲୁକା-ବେଳାଭୂମି ଉପରେ ।

 

ମୁଁ ଆଖି ଫେରେଇ ଚାହିଁଲି ।

 

ସୁନନ୍ଦା ଶୋଇଛି ! ପବନର ଉନ୍ମତ୍ତ ଢେଉରେ ତା’ର ଶାଢ଼ୀ କେତେବେଳୁ ଖସି ଉଡ଼ିଯାଇ ପଡ଼ିଛି ଖଣ୍ଡେ ଦୂରରେ । ବ୍ଲାଉଜ୍ ଫିଟି ଯାଇ ଦୁଇଟି ମୁଦ୍ରିତ ପଦ୍ମକୋରକ ପରି ମୁଣ୍ଡ ଟେକି ଦରବିକଶିତ ହୋଇରହିଛି ତା’ର ସମୁନ୍ନତ ସ୍ତନଯୁଗଳ । ନିର୍ମଳ ଜ୍ୟୋତ୍ସ୍ନାର କିରଣ ପ୍ରତିବିମ୍ବତ ହେଉଛି ତା’ର ଉଲଗ୍ନ ଜଂଘର ମସୃଣ ଚଟାଣ ଉପରେ । ପ୍ରତିଫଳିତ ହୋଇଛି ଅନାବୃତ୍ତ ଯୋନିଦେଶର ଗହଳ ଅରଣ୍ୟ ଭିତରେ ।

 

ସେଇ ନିସ୍ତବ୍‍ଧ ହେମାଳ ବାୟୁମଣ୍ଡଳ ଭିତରେ ଗୋଟାଏ ମୁହୂର୍ତ୍ତରେ ମୁଁ ଜ୍ୟେଷ୍ଠ ମଧ୍ୟାହ୍ନର ସୂର୍ଯ୍ୟପରି ଜଳିବାକୁ ଲାଗିଲା । ସମୁଦ୍ର ପରି ଫୁଲି ଫୁଲି ଉଠିଲି । ବତାସ ପରି ଉନ୍ମାଦ ହୋଇ ଉଠିଲି । ପୂର୍ଣ୍ଣିମାର ଜୁଆର ପରି ହିଂସ୍ର ହୋଇ ଉଠିଲି । ମୁଁ ଭୁଲିଗଲି ମୋର ସତ୍ତା । ମୋର ମାନବତ୍ଵ । ମୁଁ କେବଳ ଏକ ପ୍ରଚଣ୍ଡ ଅଗ୍ନିଶିଖା । ଖାଣ୍ଡବ ଭକ୍ଷଣ ପୂର୍ବର କ୍ଷୁଧାତୁର ପ୍ରଚଣ୍ଡ ବହ୍ନି ।

 

ପ୍ରବଳ ବେଗରେ ସୁନନ୍ଦାକୁ ଦୁଇହାତରେ ଭିଡ଼ି ଆଣୁ ଆଣୁ ମୁଁ ସ୍ଥାଣୁ ପାଲଟି ଗଲି । ମୋର ଆଖି ଦୁଇଟା ଲାଖି ରହିଲା ତା’ର ମୁହଁ ଉପରେ । କି ନିଷ୍ପାପ, କି ଶାନ୍ତ, କି ଗଭୀର । ଏକ ଶିଶୁ ପରି ନିଶ୍ଚିନ୍ତରେ ଶୋଇଛି ମୋର ଅସ୍ତିତ୍ଵ ସମ୍ବନ୍ଧରେ ଅଚେତନ ରହି । ମୋରି ବାହୁଛାୟା ତଳର ଅଭୟ ଆଶ୍ରାପାଇଁ ନିଶ୍ଚିନ୍ତ ରହି । କିଏ ଯେମିତି ଦୁଇହାତରେ ଠେଲି ଫୋପାଡ଼ି ଦେଲା ମୋତେ; କିନ୍ତୁ ପ୍ରତିରୋଧ ପାଇଁ ଯେମିତି ମୋର ଅଗ୍ନିଶିଖା ଆହୁରି ପ୍ରବଳତର ହୋଇ ଉଠିଲା । ଦୁଇ ପ୍ରବଳ ଶକ୍ତିର ସାମନ୍ତରିକ କ୍ଷେତ୍ରଭିତରେ ମୁଁ ବିଧ୍ୱସ୍ତ ହୋଇ ତୃତୀୟ ରାସ୍ତାର diagonal ଦେଇ ଛିଟିକି ପଡ଼ିଲି କ୍ଷେତ୍ର ବାହାରକୁ, ନିଜକୁ ସମ୍ବରଣ କରିବାକୁ ଯାଇ ସେଇ ବାଲୁକାପ୍ରାନ୍ତର ଭିତରେ ମୁଁ ଦ୍ରୁତବେଗରେ ଦଉଡ଼ିବାକୁ ଆରମ୍ଭ କଲି ସମୁଦ୍ର ଆଡ଼କୁ । ଦୌଡ଼ି, ଦୌଡ଼ି । ଏଇ ଗତି ଭିତରେ ନିଃଶେଷ ହୋଇଯାଉ ଏ ଅଗ୍ନିଶିଖା ।

 

ହଠାତ୍ ସମୁଦ୍ର ଜଳଭିତରେ କାହାକୁ ଦେଖି ମୁଁ ଚମକି ଉଠି ଛିଡ଼ା ହୋଇଗଲି । କିଏ ? କିଏ ସେ ? ପାଟି ମୋର ଖନି ମାରିଗଲା ଭୟରେ ।

 

ସନ୍ୟାସୀ ଫେରି ଚାହିଁଲେ । ମୁଣ୍ଡିତ ମସ୍ତକ, ଦିଗମ୍ବର ସନ୍ୟାସୀ ଆଖିରେ ତାଙ୍କର ଉଜ୍ଜ୍ୱଳ ଦୀପ୍ତି । ସ୍ୱର୍ଗୀୟ ଆଭାରେ ମୁଖମଣ୍ଡଳ ଉଦ୍ଭାସିତ । ଓଠରେ ଲାଖି ରହିଛି କ୍ଷୀଣ ହସର ଅମୃତମୟୀ ଧାରା ।

 

ଦୁହେଁ ଦୁହିଁକୁ ଚାହିଁ ରହିଲୁ ଅନେକ ସମୟ ଧରି ।

 

ବହୁକ୍ଷଣ ପରେ ସାହାସ ସଞ୍ଚୟ କରି ମୁଁ ପଚାରିଲି “କିଏ ?”

 

“ମୁଁ କିନ୍ତୁ ତମକୁ ଜାଣେ ।” ଏକ ଶାନ୍ତ କଣ୍ଠସ୍ଵର ।

 

“ମୁଁ—ମୋର ତ......”

 

ସନ୍ୟାସୀ ହସିଲେ । ଏକ ବିସ୍ତୃତ ହସ ।

 

“ମୁଁ ସେଇଠି ଥାଏ । ହେଇ, ଦେଖ ।” ସନ୍ୟାସୀ ହାତ ବଢ଼େଇଲେ ।

 

ମୁଁ କିଛି ଦେଖି ପାରିଲିନି । କେବଳ ଜଳଶୂନ୍ୟ ବିସ୍ତୃତ ବାଲୁକା ଶଯ୍ୟା । ଆଉ ସେଇ ବିସ୍ତୃତ ପଟ୍ଟଭୂମି ଉପରେ ଭାସି ଉଠିଲା ସୁନନ୍ଦାର ଉଲଗ୍ନ ରୂପ, କୋଣାର୍କର ଅଳସ କନ୍ୟାର ଏକ ଅପୂର୍ବ ଭଙ୍ଗିମାରେ ।

 

“କିନ୍ତୁ ସେ ତ ସୁନନ୍ଦା”

 

“ଉହୁଁ, ଭଲ କରି ଦେଖ ।”

 

ପୁଣି ସେଇ ସୁନନ୍ଦା । ତା’ର ଉଲଗ୍ନ ସ୍ତନ, ଜଘନ ଯୋନି ।

 

“ସେଇ ତ ।”

 

“ଆହୁରି ଭଲ କରି ଦେଖ ।”

 

ମୁଁ ଆଖି ମଳି ଚାହିଁଲି । ହଠାତ୍ ବାଲୁକାବେଳାର ବିରାଟ ବିସ୍ତୃତିଭିତରେ ପ୍ରତିଭାତ ହୋଇ ଉଠିଲା କୋଣାର୍କ ମନ୍ଦିରର ସିଲହୋଏଟ୍ ।

 

“ଏ ତ ମନ୍ଦିର ।”

 

“ହଁ, ସେଇଟା ମୋ ଘର । ଆସ ।”

 

ମୋ ମୁହଁରେ ଭାଷା ନାହିଁ । ମୁଁ ମନ୍ତ୍ରମୁଗ୍‍ଧପରି ତାଙ୍କ ପଛରେ ଚାଲିବାକୁ ଆରମ୍ଭ କଲି-

 

ଗଭୀର ଅନ୍ଧକାର ଜମିଛି ମନ୍ଦିର ଚାରିପଟେ । ନିବିଡ଼, ନିରନ୍ଧ୍ର ଘନ ଅନ୍ଧକାର । ମୁଁ କିଛି ଦେଖି ପାରୁନି । ଦିଗ ବାରି ପାରୁନି ।

 

“ଆସ, ଚଳିଆସ ।” ସନ୍ୟାସୀ ଡାକିଲେ ।

 

“ମୁଁ କିଛି ଦେଖି ପାରୁନି ।”

 

“ମୋ ହାତ ଧର । ମୁଁ ତମକୁ କଢ଼େଇ ନେବି ।”

 

“ଉଃ, ଝୁଣ୍ଟି ପଡ଼ିଲି ।”

 

“ପାଦ ଠିକ୍ ରଖ ।”

 

“ରାସ୍ତା କେତେ ପିଚ୍ଛିଳ ?”

 

“ମୋ ହାତ ଜୋରରେ ଧରି ନିଅ ।”

 

“ଆହୁରି କେତେ ବାଟ ?”

 

“ବିଶ୍ୱାସ ରଖ ।”

 

“ମୋତେ ଭୟ ଲାଗୁଚି ?”

 

“ସାହସୀ ହୁଅ ।”

 

ହଠାତ୍ କରି ସବୁ ଅନ୍ଧାର ଦୂରୀଭୂତ ହୋଇଗଲା ଏକ ପ୍ରଚଣ୍ଡ ଆଲୋକରାଶି ସମ୍ମୁଖରେ ।

 

ଅନ୍ଧକାର ନାହିଁ ଅଥଚ କିଛି ବସ୍ତୁ ଜଣା ପଡ଼ୁନି । ଆଲୋକର ପ୍ରଖରତା ଭିତରେ ଅନ୍ଧାରର ନିବିଡ଼ତା ପରି ସବୁ କିଛି ନିଶ୍ଚିହ୍ନ ହୋଇଯାଇଛି । ଚାରିଆଡ଼େ କେବଳ ଆଲୋକ । ଆଲୋକ । ଆଲୋକ । ଆଲୋକ । ନିବିଡ଼, ନିରନ୍ଧ୍ର ଘନ ଆଲୋକର ଦ୍ୟୁତି । ଏକ ଭୟଙ୍କର ଭୟର ଜୁଆରରେ ମୁଁ ଥରି ଉଠିଲି । ଏକ ବିସ୍ମୟାଗୀତ ଆଲୋକର ଶାନ୍ତ ଶୀତଳ ବନ୍ୟାରେ ମୁଁ ଯେପରି ଅଭିଭୂତ ହୋଇପଡ଼ିଲି । ପ୍ରଖର ସୂର୍ଯ୍ୟ ପରି ଦେଦୀପ୍ୟମାନ—ଅଥଚ ତା’ର କିରଣ କି ଶାନ୍ତ, କି ଶୀତଳ ।

 

ଅସହ୍ୟ । ଅସହ୍ୟ ଏ ଚିରନ୍ତନ ଆଲୋକର ଜ୍ଵାଳା । ଭୟ, ବିସ୍ମୟ, ଆନନ୍ଦ ପୁଲକ ବିଭିନ୍ନ ଭାବରାଶିର ମନ୍ଥନ ଭିତରେ, ଅବିଶ୍ରାନ୍ତ ଘୂର୍ଣ୍ଣନଭିତରେ ମୁଁ ଯେମିତି ଦଳି ଚକଟି ହୋଇ ଧ୍ୱଂସ ହୋଇଯାଉଚି । ସବୁ ଯେମିତି ଖଣ୍ଡ ଖଣ୍ଡ ହୋଇ ଚୂର୍ଣ୍ଣୀଭୂତ ହୋଇଯାଉଛି । ଆଉ ସେଇ ଭସ୍ମରାଶିର ମନ୍ଥନ ଭିତରୁ ନିଗିଡ଼ି ନିଗିଡ଼ି ପଡ଼ୁଛି ଟୋପାଏ ଆଲୋକର ବିନ୍ଦୁ । କି ତେଜ, କି ଦ୍ୟୁତି, କି ଭାସ୍ଵର ସେଇ ଆଲୋକ ବିନ୍ଦୁର । ନିଜର ଗତିରେ ବତିବାନ୍ ସେଇ ଆଲୋକବିନ୍ଦୁ, କ୍ରମଶଃ ବଢ଼ିବାକୁ ଲାଗିଲା ଓ ଚାହୁଁ ଚାହୁଁ ଲୀନ ହୋଇଗଲା ସେଇ ପ୍ରଚଣ୍ଡ ଜ୍ୟୋତିଷ୍ମାନ୍ ମହାନ ଆଲୋକର ସମୁଜ୍ଵଳ ସତ୍ତା ଭିତରେ ।

 

ମୁଁ ଭୟରେ ସନ୍ୟାସୀକୁ କୁଣ୍ଢେଇ ଧରିଲି ପ୍ରାଣପଣେ । ଅଚେତନ ହୋଇ ପଡ଼ିଗଲି ତା’ର ବିଶାଳ ଛାତି ଉପରେ ।

 

ପରଦିନ ସକାଳ ।

 

ଉଷାର ଶୁଭ୍ର ବିମଳ ଆଲୋକରାଶିରେ ମୋର ତନ୍ଦ୍ରା ଭାଙ୍ଗିଲା ।

 

ସୁନନ୍ଦା ଡାକୁଛି ମୋତେ ।

 

ରାତ୍ରିର ସ୍ଵପ୍ନ ମନେପଡ଼ିବା ମାତ୍ରେ ମୁଁ ଚମକି ପଡ଼ି ଉଠି ବସି ଦେଖେ ତ ବେଳାଭୂମିଠାରୁ ଅନେକ ଦୂରରେ ଏକ ବାଲିବନ୍ତ ଉପରେ ମୁଁ ନିଜକୁ ନିଜେ ଆଲିଙ୍ଗନ କରି ଶୋଇପଡ଼ୁଛି ।

 

ସୁନନ୍ଦା ଡାକୁଛି ମୋତେ ।

 

ମୁହଁରେ ପାଣି ଛାଟି ଦେଇ । କାନରେ କାଠି ପୁରେଇ ସୁଲୁ ସୁଲୁ କରି । ‘‘ନିଦ ଭାଙ୍ଗିବନି କି ? ଉଠ, ସୂର୍ଯ୍ୟୋଦୟ ଦେଖିବ ପରା ।”

 

ତା’ର କଣ୍ଠରେ ମୁଁ ଚମକି ପଡ଼ିଲି ।

 

ଏଇ ତ ସେଇ ସନ୍ୟାସୀର ସ୍ୱର ।

 

ମୁଁ ଚଟ୍ କରି ଫେରି ପଡ଼ି ସୁନନ୍ଦାକୁ ଚାହିଁଲି ।

 

ସୁନନ୍ଦା ନାହିଁ ।

 

ମୁଁ କେବଳ ମୋରି ପ୍ରତିଚ୍ଛବି ଦେଖିଲି ।

 

(ଝଙ୍କାର, ୨୦ଶ ବର୍ଷ, ପ୍ରଥମ ସଂଖ୍ୟା)

☆☆☆

 

ଭୁବନେଶ୍ୱର

 

ମଧ୍ୟ ରାତ୍ରିର ନିସ୍ତବ୍‍ଧ ପ୍ରହର । ଆକାଶରେ ମେଞ୍ଚା ମେଞ୍ଚା ତାରା । ଜହ୍ନହୀନ ଆକାଶ । ପ୍ରତ୍ୟେକ ତାରା ଯେମିତି ପରସ୍ପର ସହିତ ପ୍ରତିଦ୍ୱନ୍ଦିତା କରି ଉଜ୍ଜ୍ୱଳ ଭାବରେ ଜଳିବାକୁ ବ୍ୟଗ୍ର । ଆକାଶଟା ଆଜି ଗୋଟାଏ ବଳିଷ୍ଠ ନେତାହୀନ ଦେଶ ପରି ।

 

ଅନେକ ଦିନ ତଳେ—ଅନେକ ଆଗର କଥା । ମୁଁ ଗୀତ ଗାଉଥିଲି । ସଞ୍ଜବେଳେ ସାନଭାଇ ଓ ସାଇ ଟୋକାଙ୍କ ସାଙ୍ଗରେ ମିଶି ।

 

ଏକ ତାରା—ନାହିଁ ଦୋଷ୍ ।

 

ଦୁଇ ତାରା—ମଣିଷ ମରା

 

ତିନି ତାରା—ଘରେ ପଶ୍ ।

 

ହୁଏତ ଅର୍ଥହୀନ; କିନ୍ତୁ ସେତେବେଳେ ଥିଲା ଏମିତି ଏକ ବୟସ, ଯେତେବେଳ କୌଣସି ଜିନିଷର ଅର୍ଥ ଖୋଜା ଯାଏନା । ସେ ସମୟ ହଜିଛି । ରହିଯାଇଛି ତା’ର ଆବେଗ ମୁଗ୍‍ଧ ସ୍ମୃତି । ସ୍ମୃତିଟା କ’ଣ ? ଅତୀତର ସମୟକୁ ବର୍ତ୍ତମାନର ପରିସର ଭିତରକୁ ଟାଣି ଆଣି ସେଇ ଘଟଣାର ପୁନରାବୃତ୍ତି କରିବା । ଯେମିତି ଅତୀତ–ବର୍ତ୍ତମାନ । ତେଣୁ ସ୍ମୃତିଟା ରିଆକ୍‍ସନାରୀ । କାରଣ ଅତୀତଟା କେବେହେଲେ ବର୍ତ୍ତମାନ ହୋଇପାରେନା ।

 

ତେଣୁ ଗାଅ । ଟୁଇଙ୍କଲ୍ ଟୁଇଙ୍କୁଲ୍ ଲିଟିଲ୍‍ ଷ୍ଟାର୍ । ସେ ଚିକ୍‍ଚିକ୍ ତାରକା—କିଏ ଜାଣେ ତମେ କ’ଣ ? ଆଉ ବର୍ତ୍ତମାନ ବା ମୋ ମନ ଭିତରେ ଭାବନାର ସୁଅ ସୃଷ୍ଟି କରିବାକୁ ତମର କି ଅଧିକାର ?

 

ସାରା ଭୁବନେଶ୍ୱରରେ ଲାଇଟ୍ ଲିଭି ଯାଇଛି । ସେଇ ସଞ୍ଜବେଳଠୁଁ ଲିଭିଛି ଯେ ଏ ପର୍ଯ୍ୟନ୍ତ ଜଳିବାର ଆଶା ଦେଖା ଯାଉନାହିଁ । ଝଡ଼ଟା ଖୁବ୍ ପ୍ରବଳ ହୋଇଥିଲା । କେଉଁଠି ଖୁଣ୍ଟି ଭାଙ୍ଗିଛି । କାହିଁ ତାଳଚେରରେ—କିମ୍ବା ହୀରାକୁଦ ପାଖରେ ।

 

ଆଜିର ରାତ୍ରି ଅନ୍ଧକାରର ରାତ୍ରି ।

 

ଏଇ ରାତିରେ ଡାହାଣୀମାନେ ବାହାରନ୍ତି, ପିତାଶୁଣି, ଡାକିନୀ ଚିରିଗୁଣିମାନେ ଆଜି ମହୋତ୍ସବ କରିବେ । ଅନେକ ବର୍ଷ ପରେ ସେମାନେ ଆଜି ଖୋଲା ଭାବରେ ବିଚରଣ କରିବେ । ଆଲୁଅର ଉଜ୍ଜ୍ୱଳତା ଭିତରେ ସେମାନେ ବାହାରି ନପାରି ଅଣନିଃଶ୍ୱାସୀ ହୋଇ ପଡ଼ିଥିଲେ । ଆଜି ଆଉ ଭୟ ନାହିଁ ।

 

ଏମିତି ରାତିରେ କିନ୍ତୁ ମୋତେ ବୁଲିବାକୁ ଭଲ ଲାଗେ । ପ୍ରେତମାନଙ୍କ କଥା ଶୁଣିବାକୁ ପିଲାଦିନର କୌତୂହଳୀ ମନଟା ବ୍ୟାକୁଳ ହୋଇ ଉଠେ । କାହିଁକି କେଜାଣି ଅନ୍ଧକାର ଭିତରେ ମିଶିଯାଇ, ନିଜର ଅସ୍ତିତ୍ଵ, ଆକାରକୁ ସୀମାହୀନ ଘନ କାଳିମା ଭିତରେ ହଜେଇ ଦେଇ ମତୁଆଲା ପବନ ପରି ହାଲୁକା ହୋଇ ବହି ଯିବାକୁ ଇଚ୍ଛା ହୁଏ ।

 

ଦେହଟା ଗୋଟାଏ ଗୁରୁଭାର ।

 

ତା’ର ଓଜନ ଅଛି । ତା’ର କ୍ଳାନ୍ତି ଅଛି । ତା’ର ରୋଗ ଅଛି । ତା’ର ଆକାର ଅଛି । ତା’ର ନାମ ଅଛି । ଛି–ବିରକ୍ତିକର । ଗୋଟାଏ ବନ୍ଧନ—ଅଚ୍ଛେଦ୍ୟ, ଦୁର୍ଭେଦ୍ୟ, ଶକ୍ତି ।

 

କିନ୍ତୁ ଅନ୍ଧକାର ତା’ର ଆକାର ଲିଭେଇ ଦିଏ । ତା’ର ନାମ ପୋଛି ଦିଏ । ତାର ଚିହ୍ନ, ତାର ବ୍ୟକ୍ତିତ୍ଵକୁ ମିଳେଇ ଦିଏ; ଅନ୍ଧକାର ଭିତରେ ସେଥିପାଇଁ ବେଶ୍ ଫୁର୍ତ୍ତି ଲାଗୁଛି ମୋତେ । ପିଚ୍ ରାସ୍ତା ଲମ୍ବିଛି । ଗୋଡ଼ି ନାହିଁ କି ଖାଲ ନାହିଁ । ସାପ ନାହିଁ, ବେଙ୍ଗ ନାହିଁ । ବେଶ୍ ଚମତ୍କାର ରାସ୍ତା ।

 

ତେଣୁ ‘ଚାଲରେ ମନ’—କୁଆଡ଼େ ?

 

‘ଆଗେଇ ଚାଲ୍ । ଆଗେଇ ଚାଲ୍’ ।

 

ନା, ଏଠି ଆଗପଛ, ସାମନା ଭିତର କିଛି ନାହିଁ । ଅନ୍ଧକାର ଏକ ମହାବୃତ୍ତ, ଏଥିରେ ତଟ ନାହିଁ, ଉପର ନାହିଁ । ଏଣୁ ନିଶ୍ଚିନ୍ତରେ ବୁଲ । ଲକ୍ଷ୍ୟ ନାହିଁ । ପହଞ୍ଚିବାର ଆକାଙ୍‍କ୍ଷା ନାହି, ନ ପହଞ୍ଚିବାର ଗ୍ଳାନି ନାହିଁ । ତେଣୁ ଫୁର୍ତ୍ତିରେ ବୁଲ । ବାୟାମନରେ—ଅତୀତ ନାହିଁ—ଭବିଷ୍ୟତ ନାହିଁ-। କେବଳ ନିତ୍ୟ ନୈମିତ୍ତିକ ବର୍ତ୍ତମାନ । ସେଇ ଏକକ ବର୍ତ୍ତମାନ ପେଟରେ ଅତୀତ ଓ ଭବିଷ୍ୟତ ଏକାକାର । ଅତୀତଠାରୁ ଭବିଷ୍ୟତ ପର୍ଯ୍ୟନ୍ତ କେବଳ ଏକ କ୍ରମଲମ୍ବମାନ ବର୍ତ୍ତମାନ ।

 

ପାଦକୁ କେମିତି ଖଦଖଦଡ଼ିଆ ଲାଗିଲା ରାସ୍ତାଟା । ପିଚ୍ ରାସ୍ତା ଛାଡ଼ି ଆସିଲି କି ? ଅନ୍ଧାରରେ ଜାହାର ଫିସ୍‍ଫାସ ସ୍ୱର । ଟପଟପ ଘୋଡ଼ା ଟାପୁର ଶବ୍ଦ । ସାମ୍ନାରେ ଜଣେ କିଏ ଅଶ୍ୱାରୋହୀ ପଥ ଅବରୋଧ କରି ଛିଡ଼ା ହୋଇଛି । କିଏ ? ଭୂତ ! ବାଃ ବେଶ୍ । ଆଜି କଥାବାର୍ତ୍ତା ହେବ ତା’ ସାଙ୍ଗରେ, ପଛରେ ପଛରେ ଅନେକ ଛାୟା । ଠିକ୍ ଭାବିଥିଲି ମୁଁ । ଆଜି ସତରେ ଭୂତ ପ୍ରେତମାନଙ୍କ ମହୋତ୍ସବ ।

 

ତମେ କିଏ ? ଓଃ, ବକ୍ସି ଜଗବନ୍ଧୁ । ଏଇ ଭୁବନେଶ୍ୱରର ଜଙ୍ଗଲରେ ଲୁଚି ରହି କ’ଣ ଇଂରେଜୀ ସାଙ୍ଗରେ ଗରିଲା ଯୁଦ୍ଧ କରୁଛ ? କିନ୍ତୁ କ’ଣ ପାଇଁ ? ଦେଶ ପାଇଁ ? ତମରି ଅମଳର ଦେଶ କ’ଣ ଏପର୍ଯ୍ୟନ୍ତ ସେମିତି ରହିଛି ଭାବିଛ ? କିଛି ନାହିଁ । ହଁ, ନାମ ରହିଛି । ତମରି ନାଁରେ ଏଇଠି କଲେଜ ହୋଇଛି, ଯୋଉ କଲେଜର ଶତକଡ଼ା ଅନେଶତ ପିଲା ତମେ କିଏ ଓ କ’ଣ କରିଥିଲ ସେକଥା ଜାଣନ୍ତି ନାହିଁ । କିନ୍ତୁ ଜଗବନ୍ଧୁ, ତୁମେ ଜଣେ ହିପ୍ରୋକ୍ରିଟ୍ । ଦେଶ ଏକ ବିମୂର୍ତ୍ତ କଳ୍ପନା । ସବୁ କେବଳ ସ୍ୱାର୍ଥ । ତମେ ଲଢ଼ିଥିଲ ତମରି ସ୍ୱାର୍ଥପାଇଁ—(ଦେଶ କେବଳ ବାହନ) ଆରେ ବୀର ତମେ ! ଖଣ୍ଡା ଉଠଉଛ ମୋ ପରି ଜଣେ ନିରସ୍ତ୍ର ଉପରେ—ଆରେ–ଆରେ । ମୁଁ ଦୌଡ଼ିଲି ପ୍ରାଣପଣେ । ପଛେ ପଛେ ମୋର ଶତାଧିକ ପାଇକ ଓ ନିଜେ ବକ୍‍ସି ।

 

ଆବିଷ୍କାର କଲି ନିଜକୁ ଏକ ଜଙ୍ଗଲ ଭିତରେ ।

 

କଣ୍ଟା ଗଛରେ ପରିପୂର୍ଣ୍ଣ ବୁଦୁବୁଦୁକିଆ ଜଙ୍ଗଲ । ମଝିରେ ମଝିରେ ଗୋଟାଏ ଗୋଟାଏ ବଡ଼ ବଡ଼ ଗଛ । ଗଛ ଉପରୁ ସରୁ ସରୁ ସାପ ପରି ରାସ୍ତା ଉପରକୁ ଓହ୍ଲେଇ ଆସିଛି ନହକା ଲତା । ବଣ କ୍ରମେ ପାତଳ ହେଉଛି । ଦୂରରେ ଦେଖା ଯାଉଛି ମିଞ୍ଜିମିଞ୍ଜିଆ ଆଲୁଅ ।

 

“ଆଲ୍ଲା ହୋ ଆକବର୍ । ଦିନଇଲ୍ ଇଲ୍ଲା........କାହାର ଶିବିର ? ନବାବ୍ ଆଲିବର୍ଦ୍ଧି ଖାଁ । ଆଦାବ୍ ହୋ ଜହାଁପନା ।”

 

ଉତ୍କଳର ଗଜଗତି ପରାସ୍ତ । ବୀରଶ୍ରୀ ବିରବର ନବକୋଟି କର୍ଣ୍ଣାଟୋତ୍କଳ ବର୍ଗେଶ୍ୱର ଆଜି ବିଜିତ । ଭୁଲୁଣ୍ଠିତ ହୋଇଛି ତା’ର ନେତ୍ର ପତାକା । ଆଃ, ଚତୁର୍ଦ୍ଦିଗରେ ସେଥିପାଇଁ ଏତେ ବିଷାଦ । ବାୟୁମଣ୍ଡଳରେ ସେଥିପାଇଁ ଏକ ଘନୀଭୂତ ବେଦନାର ପ୍ରବାହ । ମନ୍ଦିର ପରେ ମନ୍ଦିର ଆଜି ଭୁଲୁଣ୍ଠିତ । ଧାମକ ଜନତାର ଏକମାତ୍ର ବଳିଷ୍ଠ ଅବଲମ୍ବନ ଏକମାତ୍ର ଆଶାର ପ୍ରଦୀପ ଆଜି ଲୁଣ୍ଠିତ, ନିର୍ବାପିତ ।

 

ଇତିହାସର ପୃଷ୍ଠାରେ ଏହା ନୂତନ ଘଟଣା ନୁହେଁ । ମଝିରେ ମଝିରେ ନିଜର ରକ୍ତ ନିଜେ ଚାଖିବାକୁ ମଣିଷ ଜାତି ବ୍ୟାକୁଳ ହୋଇ ଉଠେ । ଧର୍ମ ଏକ ନିମିତ୍ତ । ରାସ୍ତା ଲମ୍ବୁଛି । ଭୁବନେଶ୍ୱର ରାସ୍ତା । ଖଦଖଦଡ଼ିଆ ଶଗଡ଼ ଗୁଳାର ରାସ୍ତା ।

 

ପୁଣି ଏ କାହାର ସୈନ୍ୟଛାଉଣୀ ?

 

ବର୍ଗୀ ଆସିଛି । ମରହଟ୍ଟା ବୀର । ମସ୍ତକରେ ଚିତ୍ରିତ ବସ୍ତ୍ରର ଉଷ୍ଣୀଷ । କଟିତଟରେ ତୀକ୍‍କ୍ଷଣ୍‍ ତରବାରୀ । ଡାହାଣ ପାଖରେ ଖୋସା ହୋଇଛି ତୀକ୍‍କ୍ଷଣ୍‍ ଛୁରୀକା । ଚକ୍ଷୁରେ ହିଂସ୍ର, କୁଟିଳ ଚାହାଣି । ମୁହଁରେ ବିଜୟ ଦୀପ୍ତି । ଅଦୂରରେ ଦେଖାଯାଉଛି ଭସ୍ମୀଭୂତ ଗ୍ରାମମାନ । ରାତ୍ରିର ଅନ୍ଧକାରରେ ଅର୍ଦ୍ଧ ନିର୍ବାପିତ ଗାଢ଼ ନାଲି ଆଲୋକ ହିଂସ୍ର ଶ୍ୱାପଦର ଅଗ୍ନି ଚକ୍ଷୁ ପରି ଦୀପ୍ୟମାନ ବାୟୁମଣ୍ଡଳରେ ଭାସୁଛି ବହୁ ନରନାରୀମାନଙ୍କ ଆର୍ତ୍ତ ଚିତ୍କାର । ଏପଟରେ ଭାସୁଛି ବିଜୟ ଉଲ୍ଲାସର ପ୍ରମତ୍ତ କୋଳାହଳ ।

 

ନାଁ, ଅସହ୍ୟ ହୋଇ ଉଠୁଛି ଏଇ ଦୃଶ୍ୟ ।

 

ଭୁବନେଶ୍ୱର ଇତିହାସରେ ଏକ ବିୟୋଗାନ୍ତକ କରୁଣ ଚିତ୍ରପଟ । ଡିକାଡେନସର ଶେଷ ସୋପାନ । ଏଇ ମାଟିରେ ଛିଡ଼ା ହୋଇ ସେଇ ଗ୍ଲାନିକୁ ନିଜ ଚକ୍ଷୁରେ ଦେଖି ଅନୁତପ୍ତ, ଲଜ୍ଜିତ କ୍ରୋଧାନ୍ୱିତ ହେବା ଅପେକ୍ଷା ଆଗେଇ ଯିବା ଭଲ ।

 

ମୁଁ ଆଗେଇ ଚାଲିଲି ।

 

ରାସ୍ତା ଏଥର ସୁନ୍ଦର । ଦୁଇପଟେ ଲମ୍ବି ଯାଇଛି ଶ୍ୟାମଳ କ୍ଷେତର ବିସ୍ତୃତି, ଦୂର ଦିଗ୍‍ବଳୟ ପର୍ଯ୍ୟନ୍ତ । ଧରିତ୍ରୀ ହସୁଛି, ହସୁଛି ପ୍ରଥମ ଗର୍ଭବତୀ ନାରୀ ପରି—ମାତୃତ୍ୱର ଆନନ୍ଦରେ ଅପରିସୀମ ପରି ପୂର୍ଣ୍ଣତାରେ । ପବନରେ ସ୍ନିଗ୍ଧ ଶୀତଳତା । ସ୍ପର୍ଶରେ ତା’ର କେତେ ମମତା–କେତେ ମାୟା, କେତେ ସ୍ନେହ ।

 

କିନ୍ତୁ ଲୋକମାନେ ଏମିତି ଭୀତତ୍ରସ୍ତ ହୋଇ ଦଉଡ଼ୁଛନ୍ତି କାହିଁକି ? ଦିଗବିଦିଗଶୂନ୍ୟ ହୋଇ ଆବାଳ–ବୃଦ୍ଧ–ବନିତା ପ୍ରାଣଭୟରେ ପଳେଇ ପଳେଇ ଯାଉଛନ୍ତି; କିନ୍ତୁ କାହିଁକି ? କାହାର ଭୟରେ ? ଚକ୍ଷୁ ବିସ୍ଫାରିତ । ମୁହଁରେ ଭାଷା ନାହିଁ । ଏକ ବିରାଟ ଭୟ ଓ ଆଶଙ୍କାରେ ସମସ୍ତେ ମୁକ, ସ୍ତବ୍‍ଧ—ପଶୁପରି ପ୍ରବୃତ୍ତିଗତ ତାଡ଼ନାରେ ସମସ୍ତେ ଜୀବନ ରକ୍ଷା ନିମନ୍ତେ ପଳାୟମାନ; କିନ୍ତୁ—

 

କଳାପାହାଡ଼ ଆସୁଛି । କଳାପାହାଡ଼ । ଦୌଡ଼ି, ଦୌଡ଼ି । ବଣ ଜଙ୍ଗଲ ଗୁମ୍ଫା ଭିତରେ ପ୍ରାଣ ବଞ୍ଚାଅ । ନହେଲେ ରକ୍ଷା ନାହିଁ । ରକ୍ଷାକର୍ତ୍ତା କେହି ନାହିଁ । ଗଜପତି ମୁକୁନ୍ଦଦେବ କାହିଁ କେତେ ଦୂରରେ ? ଦୁର୍ଦ୍ଧର୍ଷ ପାଇକସେନା ଦକ୍ଷିଣମୁଖୀ । ନବତଳ ପ୍ରାସାଦ କଳାପାହାଡ଼ର ହସ୍ତଗତ-। ରାଣୀ ବନ୍ଦିନୀ । ନା, ଆଉ ରକ୍ଷା ନାହିଁ । ନିଜେ ନିଜର ଆତ୍ମରକ୍ଷା କର । ପ୍ରବଳ ଜୁଆର ପରି ମାଡ଼ି ଆସୁଛନ୍ତି କଳାପାହାଡ଼ର ସୈନ୍ୟ । ଅଶ୍ୱଖୁରାର ଧୂଳିରେ ଚାରିଦିଗ ଆଚ୍ଛନ୍ନ । ‘ଆଲ୍ଲା ହୋ ଆକବର୍’ ଧ୍ୱନୀରେ ଗଗନ ପବନ ପ୍ରକମ୍ପିତ । ପ୍ରତିଶୋଧର ଅଗ୍ନିରେ କଳାପାହାଡ଼ର ସୈନ୍ୟ ଜ୍ଵାଳାମୟୀ । ମନ୍ଦିର ଭୁଲୁଣ୍ଠିତ ହେଉଛି । ପ୍ରତିମା ଭାଙ୍ଗିଛି । ମଳମୂତ୍ରରେ ମନ୍ଦିର ଅଭ୍ୟନ୍ତର ପୁତିଗନ୍ଧମୟ ନରକରେ ପରିଣତ ହେଉଛି ଧ୍ଵଂସର ଲୀଳା—ବିଜୟୀର ଉନ୍ନାଦ ଚିତ୍କାର । ଭୀରୁ ପଳାୟନପନ୍ଥୀ ନରନାରୀର କାତର ପ୍ରତିଧ୍ୱନୀ ।

 

ଜୋରରେ ଜୋରରେ ପାଦ ବଢ଼ାଇଲି । ପରାଜୟ ବଡ଼ ଗ୍ଳାନିକର । ଜୀବନ ବଦଳରେ ବି ପରାଜୟ ଗ୍ରହଣୀୟ ନୁହେଁ । ପରାଜୟ ମଣିଷର ମନୁଷ୍ୟତାକୁ ହତ୍ୟାକରେ—ତା’ର ସୂକ୍ଷ୍ମ ଅନୁଭୂତିକୁ ଧ୍ୱଂସ କରେ; ତାକୁ ପଶୁତ୍ଵର ଶେଷ ସୀମାକୁ ଘେନି ଯାଏ ।

 

କିନ୍ତୁ ବିଜୟୀ କଳାପାହାଡ଼—ପ୍ରତିଶୋଧ ବହ୍ନିରେ ଦେଦୀପ୍ୟମାନ କାଲାଚାନ୍ଦ । ମନ୍ଦିର କେବଳ ଏକ ପ୍ରତୀକ । ପ୍ରତୀକ ଦେହରେ ଭଗବାନ୍ ଥାଇ ପାରନ୍ତି; କିନ୍ତୁ ଭଗବାନ୍ ପ୍ରତୀକ ନୁହନ୍ତି-। ଯୋଉ ଧର୍ମ ଲକ୍ଷ ଲକ୍ଷ ଜନତାର ନିଭୁତ ଅନ୍ତଃକୋଣରେ ସୁପ୍ରତିଷ୍ଠିତ-ସାମାନ୍ୟ କେତେଟା ମନ୍ଦିର ଭାଙ୍ଗିଗଲେ, ସେ କ’ଣ କେବେହେଲେ ନଷ୍ଟ ହୋଇପାରେ ? ପୁଣି ସେ ଆତ୍ମପ୍ରକାଶ କରିବ ନୂତନ ରୂପରେ, ନୂତନ ଛନ୍ଦରେ । ସେଇ ଶାଶ୍ୱତ ଗୀତିକାର ମୃତ୍ୟୁ ନାହି ସେ ଅନୁରଣିତ ହେଉଥିବ ଚିରକାଳ ପର୍ଯ୍ୟନ୍ତ ।

 

ଅନେକ ବାଟ ଆଗେଇ ଆସିଲିଣି । ଏଥର ଖୋଲା ରାଜରାସ୍ତା । ଚାରିଆଡ଼େ ସ୍ୱର୍ଣ୍ଣାଭ କ୍ଷେତ ଦୂର ଦିଗ୍‍ବଳୟ ପର୍ଯ୍ୟନ୍ତ ବ୍ୟାପ୍ତ । ପବନରେ ପାଚିଲା ଧାନର ମିଠା ମିଠା ବାସ । ରକ୍ତର ସ୍ରୋତ ଭିତରେ, ପୂର୍ଣ୍ଣତାର ସ୍ୱପ୍ନରେ ବାୟୁମଣ୍ଡଳ ଆତ୍ମବିଭୋର ।

 

ଚାରିଆଡ଼ୁ ଭାସି ଆସୁଛି ମୃଦଙ୍ଗ, କରତାଳ ଓ କୀର୍ତ୍ତନର ଧ୍ୱନି ।

 

ରାଜପଥରେ ବହୁଦିନରୁ ଲିଭିଯାଇଛି ବିଜୟୀ ସୈନିକର ଜୟଯାତ୍ରାର ପଦଶବ୍ଦ । ରଣଭେରୀ, ମର୍ଦ୍ଦଳ, ଶିଙ୍ଗାର ଉଚ୍ଚାଟମୟୀ ସ୍ୱର । ରାଜା ଭୁଲିଛି ଅଧିକାର—ଲିପ୍‍ସା । ସେନାପତି ଭୁଲିଛି ଯୁଦ୍ଧ । ସୈନିକ ଭୁଲିଛି ଖଡ୍‍ଗର ଝନତ୍‍କାର । ଏକ ଚୈତନ୍ୟର ପ୍ରାଣମୟୀ ବନ୍ୟାର ପ୍ଲାବନରେ ଧୋଇ ପୋଛି ନିଶ୍ଚିହ୍ନ ହୋଇଯାଇଛି ସମସ୍ତ ଉତ୍ତେଜନା, ଅହଙ୍କାର, ବିଜୟ ଲିପ୍‍ସା ।

 

ଧର୍ମ ମଣିଷର ଏକ ମନସ୍ତାତ୍ତ୍ଵିକ ଆବଶ୍ୟକତା । କୌଣସି ଏକ ନୀତି ନିୟମବଦ୍ଧ ପ୍ରଚଳିତ ଅର୍ଥରେ ଧର୍ମ ନୁହେଁ—ମଣିଷର ସ୍ୱାଭାବିକତାର ଏକ ସ୍ୱତଃସ୍ଫୁର୍ତ୍ତି ଆତ୍ମପ୍ରକାଶ ହିଁ ଧର୍ମ । ତା’ର ଜୀବନଧାରାର ଶାନ୍ତପ୍ରବାହ । ମଣିଷର ସମସ୍ତ ଚଞ୍ଚଳତା, ଗତିଶୀତଳତାକୁ ଧର୍ମ ଦିଏ ଦିଗ୍‍ଦର୍ଶନ । ତାକୁ ଶାନ୍ତ କରେ, ସୁରଭିତ କରେ । ରାଧା ଓ କୃଷ୍ଣର ପ୍ରେମଲୀଳାର ବ୍ୟାଖ୍ୟାନ ଧର୍ମ ନୁହେଁ—ଧର୍ମ ତା’ର ଅନ୍ତର୍ନିହିତ ଶାଶ୍ୱତ ରୂପ । ପ୍ରଚଳିତ ଧର୍ମର ଐତିହାସିକମାନେ କହନ୍ତି ‘ରାଧା’ କେବଳ ପୁରାଣକାରମାନଙ୍କର ଏକ କଳ୍ପନା । କୃଷ୍ଣ ବା ବିଷ୍ଣୁ ଏକକ । ‘ରାଧା’ କେବଳ ଏକ ପରବର୍ତ୍ତୀ ଖିଆଲି କବିର ସଂଯୋଗ । ହୋଇପାରେ, ‘ରାଧା’ କଳ୍ପନା; କିନ୍ତୁ କି ଜୀବନ୍ତ କଳ୍ପନା—କି ଚିରନ୍ତନ ତା’ର ରୂପ ! ସେଇ କାନ୍ତ କୋମଳ ବ୍ରୀଡ଼ାମୟୀ, ମାନମୟୀ ଭୀରୁ କିଶୋରୀର ଏକାଗ୍ର ଭଲପାଇବାର ଉଚ୍ଛ୍ୱାସ ଆଜି ବି ସହର, ଜନପଦ ଓ ପଲ୍ଲୀ ପ୍ରାନ୍ତରକୁ ଏକ ସ୍ଵର୍ଗୀୟ ଆବେଶରେ ମୁଗ୍‍ଧ କରି ରଖିଛି—ରସାଣିତ କରୁଛି । ତା’ର ଐକାନ୍ତିକ ନିଷ୍ଠା, ସମ୍ପୂର୍ଣ୍ଣ ଆତ୍ମସମର୍ପଣ ଆଜି ବି ପ୍ରତିବିମ୍ବିତ ଲକ୍ଷ ଲକ୍ଷ ପ୍ରଥମା କିଶୋରୀର ତରଳ ଚପଳ ମୁଖ-ଦର୍ପଣରେ । ଏ ନାୟିକା ସବୁ କାଳର, ସବୁ ସ୍ଥାନର, ସବୁ ମଣିଷର ।

 

ତେଣୁ ସେମାନେ ଆଜି ସେଇ ଶାଶ୍ୱତ ନାୟିକାର ଆଦର୍ଶରେ ଅନୁପ୍ରାଣିତ । ଧ୍ୟେୟ ଅଙ୍ଗରେ ଲୀନ ହେବାପାଇଁ ନିଜକୁ ସମ୍ପୁର୍ଣ୍ଣଭାବେ ଅଜାଡ଼ି ଦେଉଛି ନାଚ, କୀର୍ତ୍ତନ, ଖୋଳ କରତାଳର ଧ୍ୱନିଭିତରେ ।

 

ଗୋଟାଏ ଦୁର୍ଦ୍ଧର୍ଷ ଜାତି ଦୀର୍ଘ ଦୁଇହଜାର ବର୍ଷଧରି ରକ୍ତର ନଦୀରେ ସନ୍ତରଣ କଲାପରେ ଏଥର ଯୁଦ୍ଧର କ୍ଳାନ୍ତି ଭୁଲିଯିବାକୁ ଦୀକ୍ଷା ନେଇଛି ପ୍ରେମର । ସେ ଭୁଲିବାକୁ ଚାହେ ଯୁଦ୍ଧର ଭୟାବହତା—ତା’ର ବିଭୀଷିକା । ସେ ମତ୍ତ ହେବାକୁ ଚାହେଁ ପ୍ରେମର ରସରେ । ତରବାରୀ ବଦଳରେ ହାତରେ ଆଜି ତା’ର ଏକତାରା । ଢାଲ ବଦଳରେ ଧରିଛି ମୃଦଙ୍ଗ । ଗିନିର ରିଣିଝିଣି ଧ୍ୱନିରେ ସେ ଭୁଲିବାକୁ ଚାହିଁଛି ଅସ୍ତ୍ରର ଝନତ୍‍କାର । ସେ ପୁରୁଷକାର ଭୁଲିଛି । କାରଣ ପୁରୁଷକାର ଅନ୍ଧ ଅହମିକାରେ ହିଂସା ପ୍ରଜ୍ଜ୍ୱଳିତ ହୋଇଛି । କେତେ କେତେ ନିରୀହ ଜନତାର ପ୍ରାଣ ବିସର୍ଜନ ହୋଇଛି । ରକ୍ତର ବନ୍ୟାରେ ନିଶ୍ଚିହ୍ନ ହୋଇ ଯାଇଛି କେତେ ଗ୍ରାମ, ନଗର ଜନପଦ । ତେଣୁ ସେ ଏଥର ନାରୀ ହେବାକୁ ଚାହେଁ । ନାରୀର ସ୍ନେହ, ମମତା, କରୁଣା, ବାତ୍ସଲ୍ୟରେ ନିଜକୁ ଦ୍ରବୀଭୂତ କରି ସେ ଆଜି ବୁହାଇବାକୁ ଚାହେଁ ଏକ ପ୍ରେମର ଗଙ୍ଗା ।

 

ଏ ଏକ ନିଶ୍ଚିତ ପ୍ରତିକ୍ରିୟା । ଏଥିରେ ଦୁଃଖ ବା ଗ୍ଳାନିର କିଛି ନାହିଁ । ଯୁଦ୍ଧର ଅବସାଦ ଏମିତି ଆଧ୍ୟାତ୍ମିକ ଓ ଅନ୍ୟାନ୍ୟ ଆନୁସଙ୍ଗିକ ପ୍ରତିକ୍ରିୟା ସୃଷ୍ଟି କରେ ।

 

କିଏ ସେ ?

 

ରାସ୍ତାକଡ଼ର ଗଛତଳର ଆଢ଼ୁଆଳରେ ବିପରୀତ ରାତିରେ ଆବଦ୍ଧ ଉନ୍ମାଦନାଗ୍ରସ୍ତ ବୈଷ୍ଣବ ବୈଷ୍ଣବୀ । ଯୋଉଠି ପ୍ରିୟ କେବଳ ଏକ, ସେଇଠି ଦେହ ଦେହ ମଧ୍ୟରେ ପାର୍ଥକ୍ୟ କାହିଁ ? ତେଣୁ ସେଇ ଆଧ୍ୟାତ୍ମିକ ପ୍ରଭାବରେ ଏ ରତିରାସ ଅନୁଷ୍ଠିତ ହେଉ ରାଧାକୃଷ୍ଣଙ୍କର କଳ୍ପନାର କେଳିର ପାର୍ଥିବ ରୂପ ପରି ।

 

ଏଇ ବି ଏକ ପ୍ରକାର ପ୍ରତିକ୍ରିୟା, ଧର୍ମକୁ ଅତିମାତ୍ରାରେ ନିୟମରୁଦ୍ଧ କରିବାର ନିଶ୍ଚିତ ପରିଣାମ । ଧର୍ମଭିତରୁ ଯେତେବେଳେ ଅନ୍ତରର ପ୍ରାଣରସର ମୂଳ ଉତ୍ସ, ଶୁଷ୍କ ଆଚାରବିଚାର ନିୟମକାନୁନ୍ କର୍ମକାଣ୍ଡର ଚୋରାବାଲି ଭିତରେ ନିଃଶେଷ ହୋଇଯାଏ—ସେତେବେଳେ ଦେଖାଦିଏ ଅବକ୍ଷୟ, ଯା’ର ପରିଣାମ ଏଇମାନେ ।

 

ତେଣୁ ସେମାନେ ଆନନ୍ଦ କରନ୍ତୁ । ମଣିଷ ସେମିତି ସବୁଦିନେ ନିଜ ନିଜର ଆଶା ଆକାଙ୍‍କ୍ଷା ଗୋଟାଏ କାଳ୍ପନିକ ମୂର୍ତ୍ତିରେ ଆରୋପ କରି ନିଜର ଇଚ୍ଛା ପରିପୂରଣ କରେ ।

 

“କି କହବରେ ସଖି କେଲି ବିଲାସ

ବିପରୀତ ସୁରତ ନାୟକ ଅଭିଳାଷ

ମାନାୟତ ନାଗର ଦୂରେ ରହ ଲାଜ

ଅବିରତ କିଂକିନି କଂକନ ବାଜ ।”

 

“ବଂ ବଂ ଶିବ ଶମ୍ଭୁ ।

ହରହର ମହାଦେବ ।”

 

କାହାର ଉଦାତ୍ତ ଚିତ୍କାରରେ ମୁଁ ଚମକି ପଡ଼ିଲି । ଏକାମ୍ର କାନନର ରାସ୍ତା । ଚାରିଆଡ଼େ ଠିକ୍ ଭୀଷଣ କୋଳାହଳ । ଠକ୍ ଠାକ୍ ପଥର ହଣାର ଶବ୍ଦ । ନିଘଞ୍ଚ ଆମ୍ବଗଛର ଛାଇ ତଳେ ତଳେ ଉଠୁଛି ନୀଳ ଧୂଆଁର ବହଳ ରେଖା । ପ୍ରତ୍ୟେକ ଗଛମୂଳରେ ବସି ରହିଛନ୍ତି କୌପିନଧାରୀ ଜଟା ଜୁଟ ମସ୍ତକ ସାଧୁ, ଧନି ଜାଳି । ବହଳ ଆମ୍ବବନର ସେପଟେ ଦେଖା ଯାଉଛି ଏକ ଅର୍ଦ୍ଧନିର୍ମିତ ମନ୍ଦିର । ନିହାଣ ମୁଗୁରର ଧ୍ୱନିରେ ଚତୁର୍ଦ୍ଦିଗ ମୁଖରିତ । ଶହ ଶହ ଶିଳ୍ପୀ ନିବିଷ୍ଟ ଚିତ୍ତରେ କାର୍ଯ୍ୟରତ-। ପ୍ରତ୍ୟହ ମୁଗୁରର–ପ୍ରହାରରେ ପାଷାଣ ଶିଳା ଜୀବନ୍ୟାସ ପାଉଛି । ରୂପ ପରିଗ୍ରହ କରୁଛି ଅନନ୍ତ ସୌନ୍ଦର୍ଯ୍ୟ । ଶିଳ୍ପୀର କଳ୍ପନା ରୂପ ପାଉଛି । ସେଇ ସୌନ୍ଦର୍ଯ୍ୟର କଳ୍ପନାକୁ ରୂପ ଦେବାପାଇଁ ସେ ଏତେ ଅଭିନିବିଷ୍ଟ, ଏତେ ତନ୍ମୟ ।

 

ଏକାମ୍ରନିବାସୀ ଲିଙ୍ଗରାଜ ।

 

ଦେଉଳ ତୋଳାଉଛନ୍ତି ପ୍ରବଳ ପରାକ୍ରମୀ ଦିଗ୍‍ବିଜୟୀ ମହାଧାର୍ମିକ ସମ୍ରାଟ ଚୋଳଗଙ୍ଗ ଦେବ । ନିହାଣର ଝନତ୍‍କାର ଶିଳାଫାଟିବାର ରୁଦ୍ଧ ଶବ୍ଦ ଭିତରେ ମଝିରେ ମଝିରେ ଶୁଣାଯାଉଛି ଶିଳାବାହୀ ଶ୍ରମିକମାନଙ୍କ ପ୍ରତିରକ୍ଷୀର କୁହାଟ—ଆଉ ତନ୍ମୟ ଶିଳ୍ପୀର ଶିବ ସ୍ତୋତ୍ର ଅଥବା ଲଘୁପ୍ରାଣ ସଙ୍ଗୀତ । କେତେ ଶିଳ୍ପୀ—କେତେ ଶ୍ରମିକ । ନାମହୀନ ଅସ୍ତିତ୍ୱ ‘ବହୁ’ । ସମସ୍ତଙ୍କର ଏକୀଭୂତ ସୌନ୍ଦର୍ଯ୍ୟ ସାଧନାର ମୂର୍ତ୍ତିମନ୍ତ ପ୍ରତୀକ ଏଇ ମନ୍ଦିର । ନାମରେ ଲୋଭ ନାହିଁ, ଯଶପାଇଁ ଆକାଙ୍‍କ୍ଷା ନାହିଁ, ସ୍ଥାୟିତ୍ୱପ୍ରତି ଭ୍ରୂକ୍ଷେପ ନାହିଁ—ହେ ସ୍ରଷ୍ଟା, କାଳଜୟୀ ଅମର ମଣିଷ, ତମକୁ ନମସ୍କାର ? ମୁଁ ସେଇ ଅନାମଧେୟ, ଅପରିଚିତ ଶିଳ୍ପୀମାନଙ୍କୁ ପ୍ରଣାମ କରି ଆଗେଇ ଚାଲିଲି ।

 

ସନ୍ଧ୍ୟାର ଛାଇ କ୍ରମଶଃ ଗଭୀର ହେଲାଣି । ଚାରିଆଡ଼େ ବ୍ୟାପି ରହିଛି ଅମାବାସ୍ୟାର ଗହଳ ଘନୀଭୂତ ଅନ୍ଧକାର । ଅନ୍ଧାର ଭିତରୁ ସହସା ଏକ ବିକଟାଳ ଚିତ୍କାର ଗର୍ଜି ଉଠିଲା—‘‘ଜୟ ମା ତାରା ।” ମୁଁ ଚମକି ପଡ଼ି ଚାହିଁଲି । ଏକ ଶ୍ମଶାନ । ଚାରିଆଡ଼େ ଭଙ୍ଗା ମାଟି ହାଣ୍ଡି, ଦରପୋଡ଼ା କାଠ, ରାଶି ରାଶି ଭସ୍ମ ଓ ହାଡ଼ । ତା’ରି ଭିତରେ ଗୋଟିଏ କଣକୁ ଦାଉ ଦାଉ ଜଳୁଛି ଏକ ପ୍ରଚଣ୍ତ ଅଗ୍ନିଶିଖା । ସେଇ ଅଗ୍ନିଶିଖାସମ୍ମୁଖରେ ଦୀର୍ଘଜଟାଯୁକ୍ତ, ଶୁଶ୍ରୂପୂର୍ଣ୍ଣ ଏକ ଉଲଗ୍ନ କାପାଳିକ । କପାଳରେ ରକ୍ତ ଚନ୍ଦନର ଓ ସିନ୍ଦୂରର ଏକ ରେଖା ନାସାଗ୍ର ପର୍ଯ୍ୟନ୍ତ ଲମ୍ବିଯାଇଛି । ରକ୍ତବର୍ଣ୍ଣ ଚକ୍ଷୁ । ଆଗରେ ସଦ୍ୟ ବଳି ପଡ଼ିଥିବା ଏକ ଛାଗଶିଶୁ । ବିଭିନ୍ନ ପାତ୍ରରେ ସଜ୍ଜିତ ହୋଇ ରହିଛି ଚନ୍ଦନ, ସିନ୍ଦୂର, ଦୁର୍ବା, ଅକ୍ଷତ ଓ ମଦ୍ୟ ଇତ୍ୟାଦି ପୂଜାର ସାମଗ୍ରୀ । ହଠାତ୍ ସେଇ ଆଲୋକରେ ଦେଖିବାକୁ ପାଇଲି ସ୍ଥିର ବିଜୁଳି ପରି ପ୍ରଦୀପ୍ତା ଏକ ଅସାମାନ୍ୟା, ରୂପସୀ ବିମୁକ୍ତକେଶା ଆବରଣହୀନା ଉଲଗ୍ନ କନ୍ୟା । ଭୟ, ଆଶଙ୍କା, ଉତ୍ତେଜନା ଓ ଉଦ୍‍ବେଗରେ ସେ ସ୍ଥିର ହୋଇ ରହିଛି ପଥରପରି । ନୟନଯୁଗଳ ବିସ୍ଫାରିତ । ହାତ ଦୁଇଟି ଊର୍ଦ୍ଧମୁଖୀ । ଭୟ ଓ କୌତୂହଳରେ ମୁଁ ରୋମାଞ୍ଚିତ ହୋଇ ଉଠିଲି । ଅଜାଣତରେ ଆକର୍ଷିତ ହୋଇ ଚାଲିଲି ମୁଁ ସେମାନଙ୍କ ଆଡ଼କୁ । ପୁଣି ଉଦାତ୍ତ କଣ୍ଠରେ ଶୁଣିଲେ ମହାମନ୍ତ୍ର:

 

“ଓଁ ଯୋନିରୂପେ ମହାମାୟେ

ସର୍ବସମ୍ପତ୍‍ପଦେ ଶୁଭେ

କୃପାୟା ସର୍ବସିଦ୍ଧିଂ ମେ

ଦେହି ଦେହି ଜଗନ୍ମୟି ।”

 

କାପାଳିକର ଦେହ ସ୍ଥିର । ଉତ୍ତେଜନାରେ ବେହେଲାର ତାର ପରି ଟଣ ଟଣ । ମନରେ ଉତ୍ତାପର କୁହୁଡ଼ି ।

 

ରକ୍ତମିଶ୍ରିତ ଅକ୍ଷତଦୁର୍ବା ତରୁଣୀର ସର୍ବାଙ୍ଗ ସ୍ପର୍ଶ କଲା । ଚଞ୍ଚଳ ହୋଇ ଉଠିଲା କୁମାରୀ-। ଚହଲି ଚହଲି ବହିଗଲା ଏକ ଆଗ୍ନେୟ ରେଖା ।

 

“ଯୋନିରୂପେ ମହାଦିବ୍ୟେ ସର୍ବଦା ମୋକ୍ଷଦାୟିନୀ

କୃପୟା ସର୍ବସିଦ୍ଧିଂ ମେ ଦେହି ଦେହି ଜଗନ୍ମୟି ।”

 

ଭୈରବର ଉତ୍ତେଜନା କ୍ରମଶଃ ପ୍ରଶମିତ ହେଉଛି । ଚକ୍ଷୁ ନିମୀଳିତ ହୋଇଆସୁଛି । ଦେହ ଫେରି ଆସୁଛି ସ୍ଵାଭାବିକ ଅବସ୍ଥାକୁ । ମନର ନିଆଁ ନିର୍ବାପିତ ହୋଇ ଆସୁଛି ।

 

ହଠାତ୍ ବିଦ୍ୟୁତ୍ ଗତିରେ ସେ କନ୍ୟାକୁ ଭିଡ଼ିଆଣି ନିଜର କୋଳ ଉପରେ ବସାଇ ଦେଇ ଆହୂତି ପ୍ରଦାନ କରିବାକୁ ଲାଗିଲା ।

 

ମୋ ଦେହରେ ଅଗ୍ନିର ସ୍ଫୁଲିଙ୍ଗ ସଂକ୍ରମିତ ହେଉଛି ।

 

ଦେହ ମନ ଆତ୍ମାକୁ ଏକ କରି, କାମନାକୁ କୋଳରେ ରଖି, ପ୍ରବୃତ୍ତିକୁ ସ୍ପର୍ଶ କରି, ଅଗ୍ନିକୁ ଆଲିଙ୍ଗନ କରି, ନିର୍ବିକାର ନିର୍ଲିପ୍ତଭାବରେ ଆବୃତ୍ତି କରି ଆହୂତି ପ୍ରଦାନ କରିଚାଲିଛି କାପାଳିକ । ତାର ଗୋଟାଏ ହାତ ଯୁବତୀର ସର୍ବାଙ୍ଗ ସ୍ପର୍ଶ କରୁଛି । ଯୁବତୀଟା ଲଜ୍ଜାରେ ମୂର୍ଚ୍ଛାଗତ । ଉତ୍ତେଜନାରେ ଜର୍ଜ୍ଜରିତ । ଭୈରବର ଘନକୃଷ୍ଣ ଅଙ୍ଗାର ଦେହରେ ସତେ ଯେମିତି ଏକ ଜ୍ୱଳନ୍ତ ରକ୍ତବର୍ଣ୍ଣର ଅଗ୍ନିପିଣ୍ଡ଼ । ଭୈରବ ତଥାପି ନିର୍ବିକାର ।

 

“ଓଁ ସୌ ବାଳେ ତ୍ରିପୁରା ସୁନ୍ଦରୀ,

ଯୋନିରୂପେ ମମ ସର୍ବସିଦ୍ଧିଂ ଦେହି

ଯୋନି ମୁକ୍ତଂ କୁରୁ କୁରୁ,

ସ୍ଵାହା, ସ୍ଵାହା, ସ୍ଵାହା ।”

 

ଉତ୍ତେଜନାର ଗରମ ବାଷ୍ପ ମୋର ଦେହ ମନରେ ଆସ୍ତେ ଆସ୍ତେ ଛାଇଯାଉଛି । ଝାପ୍‍ସା ହୋଇ ଆସୁଛି ଚାରିଆଡ଼ । ମୁଁ ଆଖି ବୁଜିଲି ଏକ ଭୟଙ୍କର ବେଗବତୀ ପ୍ରବାହକୁ ରୁଦ୍ଧ କରିଦେବା ପାଇଁ । ପ୍ରବୃତ୍ତି ଭିତରେ ନିବୃତ୍ତି, ଆସକ୍ତି ଭିତରେ ଅନାସକ୍ତକୁ ଖୋଜି ବାହାର କରିବାର ଏ ଯେଉଁ ଭୟଙ୍କରୀ ପ୍ରଚେଷ୍ଟାର ପ୍ରବଳ ଦ୍ୱନ୍ଦ୍ଵ ମୋତେ ଯେମିତି ବିଭକ୍ତ କରି ଦେଉଛି । ମୁଁ ପ୍ରାଣପଣେ ନିଜକୁ ଅଖଣ୍ଡ ରହିବାକୁ ଚେଷ୍ଟା କଲି ।

 

ହଠାତ୍ ଶହ ଶହ ଘୋଡ଼ା ଟାପୁ ଓ ହ୍ରେଷା ଶବ୍ଦ, ଶହ ଶହ ହସ୍ତୀଙ୍କର ଗୁରୁଗାମ୍ଭୀର ପାଦଶବ୍ଦ, ହଜାର ହଜାର ପଦାତିକ ସୈନ୍ୟଙ୍କର ତୀର, ବର୍ଚ୍ଛା, କୁନ୍ତ, ଗଦା, ଖଣ୍ଡା ଢାଲର ଝନତ୍‍କାର, ରଣଭେରୀର ଉଚ୍ଚକିତ ସ୍ୱର, ଢୋଲ ମର୍ଦ୍ଦଳ ଘଣ୍ଟାର ସମ୍ମିଳିତ ଐକ୍ୟତାନ ଓ ସହସ୍ର ସହସ୍ର ସୈନ୍ୟବାହିନୀଙ୍କର ଉଚ୍ଚସ୍ୱରର ରଣକୁହାଟ ଓ ଜୟଧ୍ଵନିରେ ମୋର ତନ୍ଦ୍ରା ଭାଙ୍ଗିଲା । କାହାର ଏ ବିପୁଳ ବାହିନୀ ? ଓ, ଚେଦିବଂଶାବତଂଶ, ମହାମହିମ ମହାମେଘବାହନ ଖାରବେଳଙ୍କ ଦିଗ୍‍ବିଜୟ ଯାତ୍ରା । ବହୁଦିନ ବହୁଶତାବ୍ଦୀ ପରେ କଳିଙ୍ଗ ଯୁଦ୍ଧର ତୀକ୍‍କ୍ଷଣ୍‍ କ୍ଷତ ଲିଭିଯାଇଛି; କିନ୍ତୁ ତା’ର ଅପମାନ, ଅନୁଶୋଚନା ଓ ତା’ର ତୀବ୍ର ଗ୍ଳାନି ଏଇ ଦୀର୍ଘ ଶତାବ୍ଦୀ ଧରି ରକ୍ତରୁ ରକ୍ତ ଧରି ବଂଶ ବଂଶଧରି ସଞ୍ଚରି ଆସିଥିଲା ଏକ ତରଳ ଅଗ୍ନିପରି ନିଷ୍ଫଳ ଆକ୍ରୋଶରେ । ଆଜି ସେଇ ଅଗି ସ୍ଫୁଲିଙ୍ଗ ପୁଣି ଏକତ୍ର ହୋଇ ଜନ୍ମ ଦେଇଛି ଏକ ଅନଳ । ପ୍ରତିଶୋଧ ଓ ପ୍ରତିହିଂସାର ଘୃତାହୃତିରେ ସେ ଅନଳ ଆଜି ପ୍ରଜ୍ଜ୍ୱଳିତ । ତା’ର ଲେଲିହାନ ଶିଖା ଆଜି ପରାଜୟର ଗ୍ଳାନିକୁ ଧ୍ଵଂସ କରିଦେବାକୁ ଚାହେଁ । ଏଇ ଖଣ୍ଡ–ବିଖଣ୍ଡିତ ପରାଜିତ ଦେଶର ପ୍ରତ୍ୟେକ ଧୂଳିକଣାରେ ସୁପ୍ତ ହୋଇ ରହିଥିବା ଦେଶପ୍ରେମର ଚିରନ୍ତର ଅଗ୍ନି କଣା, ତଥାଗତଙ୍କର ଦୟା, କ୍ଷମା, କରୁଣାର ଅମୃତ–ସ୍ରୋତର ପ୍ରବାହରେ ନିର୍ବାପିତ ହୋଇଯାଇ ନାହିଁ । ବିଜୟୀ ସମ୍ରାଟର ଅନୁତାପର ଅନ୍ତର୍ଜାଳା, ଆତ୍ମ ପ୍ରକ୍ଷାଳନର ଆବେଗ ସିକ୍ତ ଉଦ୍‍ବୋଧନ, କ୍ଷମା, କରୁଣା, ମେତ୍ରୀର ମଧୁସିକ୍ତ ଆବେଦନ ସବୁ ଯେପରି ଏକ ଶୀତ ସକାଳର କୁହୁଡ଼ି ପରି କ୍ଷଣକରେ ସମସ୍ତ ଦେଶକୁ ଆଚ୍ଛନ୍ନ କରି ଉଭେଇ ଯାଇଛି କୌଣସି ପଦଚିହ୍ନ ନ ରଖି । ଏ ଦେଶ ବିଜୟୀର ଦେଶ, ବୀରର ଦେଶ । ବୀର ଚାହେ ବୀରର ସମୁଚିତ ନ୍ୟାୟ । ସେ ଦୟା ଚାହେଁନା–। ପ୍ରତିପକ୍ଷର ଦୟା ଅତି ଘୃଣ୍ୟ, ଅତି ଅପମାନ ଜନକ । ସେଇଥିପାଇଁ ଏ ଦେଶର ହୃତ୍ ପିଣ୍ଡରେ ସେ କଳଙ୍କରଗ୍ଳାନି, ଏ ପର୍ଯ୍ୟନ୍ତ ଦୁକ୍ ଦୁକ୍ ହୋଇ ଜଳି ଚାଲିଥିଲା । ଆଉ ସେଇଥିପାଇଁ ତଥାଗତଙ୍କର ପ୍ରଥମ ଶିଷ୍ୟ ହୋଇ ମଧ୍ୟ ଏ ଦେଶ ତାଙ୍କରିଦ୍ଵାରା ପ୍ରଚାରିତ ଏକ ମହାନ୍ ଧର୍ମକୁ, ବିଜୟୀ ସମ୍ରାଟର ଆଦେଶରେ ପ୍ରଚାରିତ ହୋଇଥିବା ଯୋଗୁ ଏ ଦେଶର ଜାତୀୟ ଧର୍ମ ବୋଲି ଗ୍ରହଣ କରିପାରିଲା ନାହିଁ । ଏ ଦେଶର ପ୍ରାଣ ଶକ୍ତିରେ ତା’ର କ୍ଷୀଣତମ ପ୍ରଭାବ ସୁଦ୍ଧା ରହିଲା ନାହିଁ ।

 

ଆଜି ସେଇ ଜାତୀୟ କଳଙ୍କ ବିମୋଚନର ମହାଦିବସ । ସମଗ୍ର ଜାତିର ଆଶା, ଆକାଙ୍‍କ୍ଷାକୁ ରୂପ ଦେବାପାଇଁ, ଦୁସ୍ଥ, ପରାଜିତ ଏକ ଖଣ୍ଡିତ ଜାତିକୁ ଏକ ଅପୂର୍ବ ଜାତୀୟତା ମନ୍ତ୍ରରେ ଦୀକ୍ଷିତ କରି ଦେଶ ପ୍ରେମର ଏ ଯେଉଁ ମହାଯଜ୍ଞର ପୁରୋଧା ମୁଁ ତାଙ୍କୁ ପ୍ରଣାମ କଲି ଯୋଡ଼ହସ୍ତରେ ।

 

କାହାର ମନ୍ଦ୍ର ମଧୁର ସ୍ଵରରେ ମୋର ତନ୍ଦ୍ରା ଭାଙ୍ଗିଲା । ମୁଁ ଆଖି ଖୋଲି ଚାହିଁଲି । ପୂର୍ବଦିଗରେ ଉଷାର ଗୋଲାପି ଆଲୋକ । ପ୍ରଭାତର ମୃଦୁମନ୍ଦ ପବନରେ ଶୀତଳତାର ସ୍ପର୍ଶ । ସେ ସାମ୍ନାରେ ଛିଡ଼ା ହୋଇଛନ୍ତି ଗୈରିକ ବସନ-ପରିହିତ ଏକ ଲଣ୍ଡିତ ମସ୍ତକ ବୌଦ୍ଧଭିକ୍ଷୁ । ଚକ୍ଷୁରୁ ତାଙ୍କର ଝରୁଛି ଅସରନ୍ତି କରୁଣା ଓ ଦୟାର ଧାରା ।

 

କଳିଙ୍ଗର ରାଜପଥ ।

 

ରାସ୍ତାର ଧାରେ ଧାରେ, ଛକରେ ବହୁ ଚୈତ, ସ୍ତୁପ, ଶିଳାଲିପି ଅନୁଶାସନ ଅଦୂରରେ ଦେଖାଯାଉଛି । ମହାବିହାରର ଚୂଡ଼ା । ରାଜପଥ ଉପରେ ଶହ ଶହ ବୌଦ୍ଧଭିକ୍ଷୁ ଓ ପରିବ୍ରାଜକ । ସ୍ତୁପ ଓ ଚୈତ ନିକଟରେ ଅନେକ ଲୋକଙ୍କର ଭିଡ଼ । ସମସ୍ତଙ୍କ ମୁହଁରେ ପ୍ରାପ୍ତିର ଏକ ଅଦ୍ଭୁତ ପୂର୍ଣ୍ଣିତା । ଆକାଶରେ, ବାୟୁମଣ୍ଡଳରେ ଅଗଣିତ ନରନାରୀଙ୍କ ମୁଖମଣ୍ଡଳରେ ପ୍ରତିବିମ୍ବିତ ହେଉଛି ସେହି ସ୍ୱର୍ଗୀୟ ପ୍ରଶାନ୍ତ । ସେଇ ନିଃସ୍ତବ୍‍ଧ ନିଃଶବ୍ଦ ଅଥଚ ଗତିଶୀଳ ପ୍ରଶାନ୍ତିକୁ ମୋର ଭାଙ୍ଗିବାକୁ ଇଚ୍ଛା ନାହିଁ ।

 

ଆସ୍ତେ ଆସ୍ତେ ରାଜପଥ ଉପରେ ମୁଁ ନୀରବରେ ଚାଲିବାକୁ ଆରମ୍ଭ କଲି । ଜଗତର ଶ୍ରେଷ୍ଠ ମହାନାସ୍ତିକ ଓ ମହାବିପ୍ଳବୀ ବୁଦ୍ଧ । ସେ ହିଁ ପ୍ରଥମ ଥର ପାଇଁ କହିଥିଲା ଆଶାହୀନ ପୃଥିବୀ ଉପରେ ମଣିଷ ଭଗବାନ୍ ହୀନ ଆକାଶକୁ ନ ଚାହିଁ ଚାହିଁବ ନିଜକୁ । ନିଜ ଭିତରର ଶକ୍ତିକୁ । ପରମ କାରୁଣିକ, ଦଯା କ୍ଷମା, ପ୍ରେମ ଓ କରୁଣାର ଶାଶ୍ଵତ ମୂର୍ତ୍ତି ପୁଣି ଏହି ମହା ନାସ୍ତିକ—ଏକ ମହାନ୍ ମଣିଷ ।

 

ହଠାତ୍ ପବନରେ ଭାସି ଆସିଲା ଏକ ବିଚିକିଟିଆ ଦୁର୍ଗନ୍ଧ । ଅନେକ ଲୋକର କାତର ଚିତ୍କାର । ମିଳିତ କ୍ରନ୍ଦନର କୋରସ୍ । ଆହତର କରୁଣ ଆର୍ତ୍ତନାଦ—ମରଣୋନ୍ମୁଖୀ ମନୁଷ୍ୟର ଗଁ ଗଁ ରଡ଼ି । ମୁଁ ଯେତେ ଆଗେଇବାକୁ ଲାଗିଲି ସେତେ ଜୋର୍ ରେ ସେଇ ଶବ୍ଦ ମୋ କାନ ଭିତରେ ପ୍ରବେଶ କରି ମୋତେ ସ୍ତବ୍‍ଧ କରି ଦେଉଥାଏ । ମଝିରେ ମଝିରେ ସମସ୍ତ କାତର କ୍ରନ୍ଦନକୁ ନିର୍ବାପିତ କରି ବଜ୍ର ନିର୍ଘୋଷ କଣ୍ଠରେ ଉଠୁଥାଏ ଜୟଧ୍ଵନି । ବିଜୟ ମହୋଲ୍ଲାସର ବିକଟାଳ ଚିତ୍କାର । ହଠାତ୍ ମୋର ପାଦ ଥମିଗଲା । ମୋ ଆଗରେ ଲମ୍ବିଯାଇଛି ଏକ ରଣଭୂମିର ଶ୍ମଶାନ । ଲକ୍ଷ ଲକ୍ଷ ମୃତାହତଙ୍କ ରକ୍ତରେ କର୍ଦ୍ଦମାକ୍ତ ପଥ । ଚତୁର୍ଦ୍ଦିଗରେ ବିଞ୍ଚିହୋଇ ପଡ଼ିଛି ଢାଲ, ଭାଲ, ତରବାରୀ, କୁନ୍ତ, ପରିଘ, ମୁଦ୍‍ଗର, ବର୍ଚ୍ଛା । ଅସ୍ତ୍ରର ସେଇ କଣ୍ଟକିତ ଶଯ୍ୟାରେ ଭୂଲୁଣ୍ଠିତ ହୋଇଛି ଅଗଣିତ ସୈନ୍ୟର ଛିନ୍ନ ମସ୍ତକ— । କିଏ ଜଣେ ଯନ୍ତ୍ରଣା-ଜର୍ଜରିତ ହୋଇ କାତର ଚିତ୍କାର କରୁଛି । କିଏ ଅବା ପାଣି ଟିକିଏପାଇଁ ଆର୍ତ୍ତନାଦ କରୁଛି । କାହାର ମୁଣ୍ଡ ନାହିଁ, କାହାର ହାତ ନାହିଁ, କିଏ ବା ମେଞ୍ଚାଏ ମାଂସପିଣ୍ଡ । ଅଗଣିତ ଅଶ୍ଵ ଓ ହସ୍ତିର ଗୁରୁଗମ୍ଭୀର କାତର ଧ୍ଵନି । ମୁଁ ଆଉ କିଛି ଦେଖି ପାରିଲି ନାହିଁ । ଆଖି କାନ ବନ୍ଦକରି ମୁଁ ଦୌଡ଼ିବାକୁ ଲାଗିଲି । ଆଗରେ ବିରାଟ ଶିବିର । ଶିବିରରେ ଦିଗ୍‍ବିଜୟୀ, ପ୍ରବଳପରାକ୍ରମୀ ମହାମହିମ ଅଶୋକ—ଚଣ୍ଡାଶୋକ ।

 

ହୃଦୟରେ ବେଦନା । ଆଖିରେ ଅଶ୍ରୁ । ମନରେ ପଶ୍ଚାତ୍ତାପ ଅନୁଶୋଚନା । ବିଜୟୀ ସମ୍ରାଟ ମୁହଁରେ ହସ ନାହିଁ । ଏକ ଅତଳ ବେଦନାର ଗଭୀର ଛାପ ।

 

ଯୁଦ୍ଧ ଇତିହାସର ଏକ ଅପରିହାର୍ଯ୍ୟ ନିମିତ୍ତ । ଯୁଦ୍ଧରେ ମଣିଷ ପୁଣି ଥରେ ନିଜକୁ ଆବିଷ୍କାର କରେ । ପୁଣି ଥରେ ତା’ର ପ୍ରଚଳିତ ନିୟମ ଓ ମୂଲ୍ୟବୋଧଗୁଡ଼ିକୁ ପରଖି ଦେଖେ । ତା’ର ପରିପ୍ରେକ୍ଷୀରେ ପୁଣି ନୂତନ ମୂଲ୍ୟାଙ୍କନ ହୁଏ । ଏକ ନୂତନ ସମାଜର ପରିକଳ୍ପନା ଜନ୍ମେ । ସବୁ ଭୁଲ୍ ଭ୍ରାନ୍ତକୁ ପଛରେ ଛାଡ଼ିଆସି ସେଇ ନୂତନ ସମାଜ ଜନ୍ମ ନିଏ ନୂତନ ଆଶା, ନୂତନ ବିଶ୍ୱାସ ଓ ନୂତନ ଉଦ୍ଦୀପନାରେ । ଇତିହାସ କର ଲେଉଟାଏ । ତା’ର ଏକ ପାର୍ଶ୍ଵ–ପରିବର୍ତ୍ତନପାଇଁ ପୁଣି ବଳି ହୁଅନ୍ତି ଲକ୍ଷ ଲକ୍ଷ ଲୋକ—ଆଉ ତାଙ୍କ ସହିତ ତାଙ୍କର ସହସ୍ରକୋଟି କଳ୍ପନା, ଆଶା, ଆକାଙ୍‍କ୍ଷା କାମନା ଓ ବାସନା । ଇତିହାସ ନୈବ୍ୟକ୍ତିକ । ତା’ର ବେଦନା ନାହିଁ, ଦୁଃଖ ନାହିଁ । ରୁକୁଣା ରଥ । ସେ ଗଡ଼ିଚାଲେ । କେଉଁଠୁ ତା’ର ଆରମ୍ଭ ଆଉ କେଉଁଠି ତା’ର ଶେଷ କିଏ କହିବ ! କିନ୍ତୁ ସେଇ ରଥର ବିଭିନ୍ନ ପରିକ୍ରମଣ ବିଭିନ୍ନ ରୂପ ନେଇଛି ।

 

ଉତ୍କଳର ରାଜରାସ୍ତା ।

 

ଦୁଇ ପାର୍ଶ୍ଵରେ ଧାଡ଼ି ଧାଡ଼ି କୁଟୀର ମାଳା । ରାସ୍ତାରେ ସେମାନେ ଚାଲିଛନ୍ତି । ଦୀର୍ଘବାୟ ବଳିଷ୍ଠ ଦେହ । ଚାଲିରେ ସ୍ଵାଧୀନତାର ଗର୍ବ । ପ୍ରତି ପଦପାତରେ ବିଜୟୀର ମତ୍ତତା । ଅପରାଜେୟ କଳିଙ୍ଗର ଅଧିବାସୀ ସେମାନେ । ସେଥିପାଇଁ ଏତେ ଦୃଢ଼ଭଙ୍ଗୀ—ଏତେ ଅହଙ୍କାର, ଏତେ ଗର୍ବ । ରାସ୍ତା ଲମ୍ବିଛି । ବସ୍ ସ ଓ ଭଞ୍ଜମାନଙ୍କର ଗୌରବ ରାସ୍ତା, ଅହେତୁବାଦୀ, ଅକ୍ରିୟାବାଦୀମାନଙ୍କର ସିଧାରାସ୍ତା । ମହାଗୁରୁ ପୁରାଣ କଶୀପଙ୍କର ଉଦ୍‍ବୋଧନ ସେମାନଙ୍କର ଆଦର୍ଶ ।”ଏ ଜନ୍ମର କୌଣସି କାରଣ ନାହିଁ । ଏହାର ନିର୍ଦ୍ଦିଷ୍ଟ ପରିଣତି ବୋଲି କିଛି ନାହିଁ । ଜୀବନ କେବଳ ଜୀବନ ପାଇଁ ।” ଛଳନା ନାହିଁ । ହିପୋକ୍ରାସି ନାହିଁ । ଏକ୍‍ଦମ ସିଧା ସରଳ ଯୁକ୍ତି । ହୁଏତ ମଣିଷର ଆତ୍ମା ଅଛି; କିନ୍ତୁ ସେ ତ ସ୍ଥାଣୁ, ନିର୍ବିକାର । ଦୈନନ୍ଦିନ ଜୀବନର ଭଲମନ୍ଦ ଉପରେ ପ୍ରଭାବ ତା’ର ନାହିଁ । ଭଲମନ୍ଦ ମଣିଷର ବ୍ୟକ୍ତିଗତ କଥା । ଜୀବନ ଯେମିତି ସରଳ—ତା’ର ପ୍ରଶ୍ନ ଓ ସମାଧାନ ସେମିତି ବି ସରଳ ।

 

ଆଗରେ ପୁଣି ବୁଦୁବୁଦୁକିଆ ଜଙ୍ଗଲ । ଅରଣ୍ୟ ନିବିଡ଼ରୁ ନିବିଡ଼ତର ହୋଇ ଆସୁଛି । ଲଟା ଗହଳରେ ଦିନରେ ବି ଅନ୍ଧାର ଜଣା ପଡ଼ୁଛି ଚାରିଆଡ଼ । ହଠାତ୍ ଶୁଣାଗଲା ମହାବଳ ବାଘର ହେଣ୍ଟାଳ । ମୁଁ ଚମକି ପଡ଼ି ଚାହିଁଲି । ଦୂରରେ ବୁଲୁଛନ୍ତି ଦଳଦଳ ଭାଲୁ, ପଲପଲ ହାତୀ, ବାଘ । ସବୁ ହିଂସ୍ରଜନ୍ତୁମାନଙ୍କ ମେଳା ବସିଛି ଯେମିତି । ଦିନ ଦି’ପହରେ ବି ମୋ ଛାତି ଭୟରେ ଥରି ଉଠିଲା । ମୁଁ ଆସ୍ତେ ଆସ୍ତେ ଗୋଟାଏ ଗୁମ୍ଫା ଆଡ଼କୁ ଆଗେଇଗଲି ଲୁଚିବାକୁ । ଆଁ ଏଁ, ଏମାନେ କିଏ ? ପାହାଡ଼ ଗୁମ୍ଫାଭିତରେ ଲୁଚି ବସିଛନ୍ତି, ଲଙ୍ଗଳା ଲଙ୍ଗଳା ମଣିଷ ପରି ଜନ୍ତୁ ଗୁଡ଼ାଏ । ମୁଣ୍ଡରେ କତଳିଆ ବାଳ । ହାତରେ ପଥର ତିଆରି ହତିଆର । ମାଙ୍କଡ଼ ପରି ଗଛ ଉପରକୁ ଅବଲୀଳାକ୍ରମେ ଉଠୁଛନ୍ତି । କଞ୍ଚା ଫଳମୂଳ ଖାଇ ଯାଉଛନ୍ତି । ପୁଣି କୌଣସି ହିଂସ୍ରଜନ୍ତୁର ଆଭାସ ପାଇଲେ ଗୁମ୍ଫା ଭିତରେ ପଶି ଯାଉଛନ୍ତି । ଏମାନେ ତେବେ ମୋର ପୂର୍ବ ପୁରୁଷ ? ପ୍ରାଚୀନ ପ୍ରସ୍ତର ଯୁଗର ଆଦି ମଣିଷ । ମୁଁ ସେମାନଙ୍କୁ ନିରୀକ୍ଷଣ କରିବାକୁ ଲାଗିଲା । ଏଇମାନେ ସତରେ ବିଂଶ ଶତାବ୍ଦୀର ଅଦ୍ଭୁଦପୂର୍ବ ବୈଜ୍ଞାନିକ ଆବିଷ୍କାରର ଆଦି ଉତ୍ସ ! ଚନ୍ଦ୍ର ଅଭିଯାତ୍ରୀର ଆଦି ପିତା ? ସମଗ୍ର ମଣିଷସମାଜର ଅନନ୍ତ ସମ୍ଭାବନାର ମୂଳ ବୀଜ ? ଆଃ କେତେ ଆଶ୍ଚର୍ଯ୍ୟ ! କେତେ ଅଦ୍ଭୁତ ! ଏଇ ଅସଭ୍ୟ, ବର୍ଗର ପଶୁ ପୁଣି ଆଜିକାର ସଭ୍ୟ, ଉନ୍ନତ ଚିନ୍ତାଶୀଳ ସଭ୍ୟ ମଣିଷ ।

 

ମୁଁ ପୁଣି ରାସ୍ତାକୁ ଫେରିଲି । ପଛକୁ ଫେରିବାର ଉପାୟ ନାହିଁ । ମୁଁ ଆଗେଇ ଚାଲିବାକୁ ବାଧ୍ୟ । ଆରେ, ରାସ୍ତା କ’ଣ ଏଇଠି ସରିଛି ନା କ’ଣ ? ଆଗରେ ଲମ୍ବିଛି ଭୟଙ୍କର ଅରଣ୍ୟ । ନାନା ପ୍ରକାର ପ୍ରକାଣ୍ଡ ବୃକ୍ଷମାନଙ୍କର ନଭଶ୍ଚୁମ୍ୱୀ ଉଚ୍ଚତା ଭିତରେ ଆକାଶ ଅଦୃଶ୍ୟ । ନିଘଞ୍ଚ, ନିରନ୍ଧ୍ର ମହାଅରଣ୍ୟ । କେତେ ଅଜଣା ଆଶୁଣା ପଶୁ ପକ୍ଷୀ । କେତେ ଅଦେଖା ଗଛଲତା । କେତେ ପ୍ରକାର ବାସ୍ନା । କେତେ ପ୍ରକାର ଉତ୍କଟ ଗନ୍ଧ ।

 

ଏଇଟା କି ଦେଶ ? ଭୁବନେଶ୍ଵରର ଅନାମ ଅଚିହ୍ନା, ପ୍ରାଗୈତିହାସିକ ପୂର୍ବପୁରୁଷ । ଏଠି ସ୍ଥାନର ନାମ ନାହିଁ, ଗଛର ନାମ ନାହିଁ, ପଶୁ ପକ୍ଷୀ କାହାର ନାମ ନାହିଁ । ଏକ ଅନନ୍ତ ନାମହୀନ ବିଶ୍ୱରେ କେତେଗୁଡ଼ାଏ ନାମହୀନ ବୃକ୍ଷଲତା, ପଶୁପକ୍ଷୀ ପତଙ୍ଗ । ମୁଁ ଛାଟିପିଟି ବାହାରି ଆସିବାକୁ ଚାହିଁଲି; କିନ୍ତୁ ରାସ୍ତା କାହିଁ ? କେବଳ ସେଇ ନୀରବ ନିଥର ଜଙ୍ଗଲ ଭିତରେ ଭୁଆଁ ବୁଲିବାକୁ ଲାଗିଲି ।

 

ପୁଣି ଏ କି ନୂତନ ଅରଣ୍ୟ ! ଫୁଲ ନାହିଁ, ଫଳ ନାହିଁ । ଥୁଣ୍ଟା ଖଜୁରୀ ଗଛପରି ଗୁଡ଼ାଏ ଗଛ । ତା’ ଭିତରେ ଖୁନ୍ଦି ହୋଇ ରହିଛି ବୁଦୁବୁଦୁକିଆ ଫାନ । ପୁଷ୍ପହିନ ଅରଣ୍ୟ ଭିତରୁ କେଉଁଠୁ ଆସୁଛି କେଜାଣି ଏକ ବିଚିକିଟିଆ ଗନ୍ଧ । ଦିଗନ୍ତବ୍ୟାପି ଖାଲି ଏକ ଜିମ୍‍ନୋସ୍ପର୍ମ ଓ ଫନର ଘଞ୍ଚ ଜଙ୍ଗଲ ନିବୁଜ ହୋଇ ମାଡ଼ି ରହିଛି । ମୋର ଜଣାଶୁଣା ପୃଥିବୀର ଗଛଲତା ପଶୁପକ୍ଷୀ ସହିତ ଏଠିକାର କୌଣସି ସମ୍ବନ୍ଧ ନାହିଁ । ଏକ ଅଭିନ୍ନ ପୃଥିବୀରେ ଯେପରି ମୁଁ ପହଞ୍ଚି ଯାଇଛି । ଆଃ, ଏଇ ତେବେ ସେଇ ଦୂର ଅତୀତର ସେଇ ‘ଜରାସିକ୍ ଯୁଗ’ ! ୭୦୦ ଲକ୍ଷ ବର୍ଷ ତଳର ଭୁବନେଶ୍ୱର । ହଠାତ୍ ଏକ ଭୟଙ୍କର ଗର୍ଜନ ଶୁଣି ମୁଁ ସ୍ତବ୍ଧ ହୋଇ ଛିଡ଼ା ହୋଇଗଲି । ପଛପଟକୁ ଫେରିଚାହିଁ ଦେଖେତ ଏକ ପ୍ରକାଣ୍ଡ ସରୀସୃପ ଜଙ୍ଗଲକୁ ଚିରି ଏକ ବିରାଟ ‘ଆଁ’ କରି ମୋ ଆଡ଼କୁ ମାଡ଼ି ଆସୁଛି-। ଅକ୍ଲେଶରେ ସେ ଗୋଟାଏ ହାତୀକୁ ମଧ୍ୟ ଗିଳି ଦେଇପାରେ । ଏଣ୍ଡୁଅ ପରି ମୁହଁ । ଲମ୍ବ ଲମ୍ବ ଦାନ୍ତ । ବିକଟାଳ, ଭୟଙ୍କର । ଏକ ଭୟାନକ ଆତଙ୍କରେ ମୁଁ ସ୍ତବ୍‍ଧ ହୋଇ ରହିଗଲି । ପୁଣି ଉପରକୁ ଏକ ଭୟଙ୍କର ଗର୍ଜନ ଶୁଣି ଉପରକୁ ଚାହିଁଲି । ଆଶ୍ଚର୍ଯ୍ୟ, ଉଡ଼ନ୍ତା ଏଣ୍ଡୁଅ-। ନୀଳଆକାଶକୁ ଆବୃତ୍ତ କରି ଖଣ୍ଡେ ଖଣ୍ଡେ କଳା ବାଦଲ ପରି ସେମାନେ ମାଡ଼ି ଆସୁଛନ୍ତି । ତାଙ୍କୁ ଦେଖି ଛୋଟ ପାହାଡ଼ ପରି ଗୋଟାଏ କ’ଣ ପାଣି ଭିତରକୁ ଖସି ପଡ଼ିଲା । ବେଙ୍ଗ । ପଚାଶଫୁଟ ଉଚ୍ଚତାର ବେଙ୍ଗ । ମୁଁ ସ୍ଵପ୍ନ ଦେଖୁନି ତ ? ନା, ଏସବୁ ସତ୍ୟ । ଐତିହସିକ ସତ୍ୟ । ଏକ ଡିନୋସାର୍ ଟେରୋସାର୍‍ର, ଦଳ ଦିନେ ପୃଥିବୀ ଅଧିକାର କରିଥିଲେ । ଆଜି ବି ସଞ୍ଚିତ ହୋଇ ରହିଛି ତାଙ୍କର ଫସିଲ ତାଙ୍କ ଏକତା ଅସ୍ତିତ୍ଵର ମୂକସାକ୍ଷୀରୂପେ ।

 

କିନ୍ତୁ କୁଆଡ଼େ ଗଲେ ସେମାନେ ? ମଣିଷ ପରି, ତାଙ୍କର ଦିନେ ଥିଲା ନିରଙ୍କୁଶ ରାଜତ୍ଵ, ଏଇ ପୃଥିବୀପୃଷ୍ଠରେ । ମଣିଷ ଅଭ୍ୟୁଦୟର ବହୁ ପୂର୍ବରୁ ସେମାନେ ଥିଲେ ଏକ ପୃଥିବୀର ଏକଚ୍ଛତ୍ର ଶସନକର୍ତ୍ତା, ଅଥଚ ସେମାନେ ସମସ୍ତେ ନିଶ୍ଚିହ୍ନ ହୋଇ ଯାଇଛନ୍ତି । କାହିଁକି ଓ କିପରି ଏଇ ଶକ୍ତିଶାଳୀ, ଦୂର୍ଦ୍ଧର୍ଷ ସରୀସୃପ ସମ୍ରାଟମାନେ ସମଗ୍ର ପୃଥିବୀରେ ଏକକାଳୀନ ଧ୍ୱଂସ ହୋଇଗଲେ ସେଇଟା ଆଜି ଗବେଷଣାର ବସ୍ତୁ, କିନ୍ତୁ ବିବର୍ତ୍ତନର ଗତିପଥରେ ସେମାନଙ୍କ ଆବିର୍ଭାବ ଯେପରି ଆକସ୍ମିକ, ବିଲୟ ମଧ୍ୟ ତତୋଧିକ ଆକସ୍ମିକ ।

 

ହୁଏତ ସମଗ୍ର ମଣିଷଜାତି ଏମିତି ଦିନେ ହଠାତ୍ ନିଶ୍ଚିହ୍ନ ହାଇଯିବେ । ଆଜିକୁ ପଚାଶ ଲକ୍ଷ ବର୍ଷ ତଳେ କିଏ ଜାଣିଥିଲା ମଣିଷ ପରି ଗୋଟାଏ ପ୍ରାଣୀ ଜନ୍ମନେଇ ତା’ର ବୁଦ୍ଧି ବୃତ୍ତିରେ ତା’ଠାରୁ ବହୁବଳଶାଳି ପଶୁଜଗତକୁ ପଦାନତ କରି ନିଜର ପ୍ରତିଷ୍ଠା ଜାହିର୍ କରିବ ? ସେମିତି ହୁଏତ ଆହୁରି ପଚାଶ ଲକ୍ଷ ବର୍ଷପରେ ମନୁଷ୍ୟ ସମାଜର ପତ୍ତାବି ରହିବନି ।

 

କିନ୍ତୁ ବିବର୍ତ୍ତନର ଗତିପଥରେ ସବୁ ଆଶା ଓ କଳ୍ପନାର ଉର୍ଦ୍ଧ୍ୱରେ କିଏ ଚିନ୍ତା କରିଥିଲା ଭବିଷ୍ୟତର ଏଇ ନିଶ୍ଚିତ ସମ୍ଭାବନାକୁ ? କିଏ ବା କହିବ ଆଗାମୀ ଭବିଷ୍ୟତର କଳ୍ପନା ? କିନ୍ତୁ ଏଇ ସମ୍ଭାବନା କେବଳ ଏକ ନିଶ୍ଚିତ ଅବଶ୍ୟମ୍ଭାବୀ ଜୈବିକ ପ୍ରକ୍ରିୟା ନା କିଏ ଏହାକୁ ନିୟନ୍ତ୍ରିତ କରି ନେଇ ଆସୁଛି ? ଏ ବିବର୍ତ୍ତନ ସ୍ଵଂୟକ୍ରିୟ ନା ପରିଚାଳିତ ? ଏଇସମସ୍ତ ପ୍ରାଣୀଜଗତ ଓ ଉଦ୍ଭିଦ ଜଗତର ଅଗଣିତ ରୂପ, ଅସଂଖ୍ୟ ରଙ୍ଗ, ଜୀବନଧାରାର ବହୁସହସ୍ର ବୈଚିତ୍ର୍ୟ କ’ଣ ଏକ ଅନ୍ଧ ଜୈବିକ ପ୍ରକ୍ରିୟା ? ଆଃ କିଏ ଉତ୍ତର ଦେବ ୟାର ? କିଏ ଉତ୍ତର ଦେବ ଏ ଜୀବନଧାରାର ଶେଷ କେଉଁଠି ? ପୁଣି ଆଉ କେଉଁ ଆକାର, କେଉଁ ରଙ୍ଗ, କେଉଁ ବୈଚିତ୍ର୍ୟ ଘେନି ଆସିବ ନୂତନ ଯୁଗର ନୂତନପ୍ରାଣୀ ? ବିବର୍ତ୍ତନର ଅସୀମ ରାଜପଥରେ ମଣିଷ ଯେ ଶେଷ ପାହାଚ କିଏ କହିବ ? ଏତେ ବିଚିତ୍ର ପୃଥିବୀର କ’ଣ ଏଇ ବୈଚିତ୍ର୍ୟହୀନ ଶେଷ ପରିଣତି ?

 

ଆଉ ପଥ ନାହିଁ ! ଚତୁର୍ଦ୍ଦିଗରେ ବ୍ୟାପ୍ତ ଏକ ଅନନ୍ତ ସମୁଦ୍ର । ସ୍ଥଳଭାଗ ଭାସୁଛି ଖଣ୍ଡେ ଖଣ୍ଡେ କ୍ଷୁଦ୍ର ଦୀପ ପରି । ଦୂର ଦିଗ୍‍ବଳୟ ପର୍ଯ୍ୟନ୍ତ ବିସ୍ତୃତ ହୋଇ ରହିଛି ଅଖଣ୍ଡ, ଅତଳ ମହାସମୁଦ୍ରର ଫେନିଳ ଜଳରାଶି । ରହସ୍ୟମୟ ଭୟଙ୍କର ଘନନୀଳ ମହାସାଗର । ଜୀବନର ସମସ୍ତ ରୂପ, ଆକାର ଆଜି ବିଲୁପ୍ତ । ନିରାକାର ଜଳାର୍ଣ୍ଣବ ସମସ୍ତ ରୂପ, ଆକାର ଓ ରଙ୍ଗକୁ ନିଜ ଗର୍ଭ ମଧ୍ୟରେ ଲୀନ କରି ଦେଇଛି । ବିବର୍ତ୍ତନର ଶେଷରେ ପୁଣି ଜୀବନ ସମାଧିଗ୍ରସ୍ତ ହୋଇଛି, ଆତ୍ମ-ସମାହିତ ହୋଇ ଶୋଇ ପଡ଼ିଛି । ଅନ୍ଧକାର ଘୋଟିଛି ଚାରିଆଡ଼େ । ମୁହଁକୁ ମୁହଁ ଦିଶୁ ନାହିଁ । ନୀରବ, ନିସ୍ତବ୍‍ଧ ମହାକଳ୍ପର ଅନ୍ଧକାର । କ୍ଷୀରାବ୍‍ଧି ସାଗରରେ ବିଷ୍ଣୁ ମହାନିଦ୍ରାରେ ଅଭିଭୂତ । ସେଇ ନିରାକାର, ଅନନ୍ତ, ଅସୀମ ମହାନାସ୍ତି ଭିତରେ ସୁପ୍ତ ରହିଛି ଜୀବନ ମହାମନ୍ତ୍ରର ବୀଜ । ରୂପହୀନ, ବର୍ଣ୍ଣହୀନ, ଗନ୍ଧହୀନ, ଅବର୍ଣ୍ଣନୀୟ, ଅଚିନ୍ତନୀୟ, ଜାଗ୍ରତ ମହାଚୈତନ୍ୟ । ସେଇ ମହସୁସୁପ୍ତି ମଧ୍ୟରୁ କେବେ ଫୁଟିବ ସୃଷ୍ଟିର ସ୍ଵର୍ଣ୍ଣ-କମଳ ?

 

ହଠାତ୍ ସେଇ ଅନ୍ଧକାର କାହାର ଯାଦୁକରୀ ଶକ୍ତିରେ ସହସା ବିଦୁରିତ ହୋଇଗଲା । ଚାରିଆଡ଼େ ଉଜ୍ଜ୍ଵଳ ଆଲୋକର ପ୍ଲାବନ ।

 

ଏ ବି ଏକଦା ଭୁବନେଶ୍ୱରର (ବର୍ତ୍ତମାନ କି ନାମ କେଜାଣି ?) ରାଜରାସ୍ତା । ପାଞ୍ଚଶ ଫୁଟ ଚୌଡ଼ାର ଦୀର୍ଘ ମସୃଣ ରାଜପଥ । ଦୁଇ ଧାରରେ ଲମ୍ବିଛି ସାରି ସାରି ଆକାଶଚୁମ୍ବୀ ସ୍କାଇସ୍କ୍ରେପାର୍ କୋଠା । ସାରି ସାରି ବିପଣୀ ନାନା ବର୍ଣ୍ଣର ବିଦ୍ୟୁତ୍ ଆଲୋକରେ ଉଦ୍ଭାସିତ । କେତେ କେତେ ଅଜଣା ଅପରିଚିତ ବସ୍ତୁର ସମାହାର । ବିଚିତ୍ର ବସ୍ତୁ । ବିଚିତ୍ର ଲୋକ । ବିଚିତ୍ର ଭାଷା । ନାରୀ ପୁରୁଷର ଦେହର ଗଠନ ପ୍ରାୟ ସମାନ । ନାରୀର ବକ୍ଷ ଓ ପୁରୁଷର ବକ୍ଷ ପ୍ରାୟ ଏକା । ଶିଶୁ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ପରେ ନାରୀର ସ୍ତନ କ୍ରମଶଃ ଲୋପ ପାଇ ଯାଇଛି ଅଦରକାରୀ Vestegeal ଅଙ୍ଗପରି । ଦୋକାନମାନଙ୍କରେ ବିରାଟକାୟ ବିଦ୍ୟୁତ୍ ଚଳିତ କିମ୍ବା ଆଟମିକ୍ ରିଆକ୍ଟରଚାଳିତ ସାଇନ୍‍ବୋର୍ଡ । ଅଗଣିତ ଯାନ । ଅଦ୍ଭୁତ ଡିଜାଇନ । ମାଟିରେ ଚାଲୁଛି, ଆକାଶରେ ଉଡ଼ୁଛି । ବିରାଟ ଫୁଟପାଥ୍‍ରେ ପାର୍କିଂ ପ୍ଲେସରେ ଓହ୍ଲେଇ ପଡ଼ୁଚି ପୁଣି ଉଡ଼ିଯାଇ ସ୍କାଇସ୍କ୍ରେପାର୍ ଛାତରେ ବସି ପଡ଼ୁଛି । କେହି ଚାଲୁ ନାହାନ୍ତି । ସମସ୍ତେ କିଛି ନା କିଛି ଆରୁଢ଼ । ଆରେ; ସମସ୍ତଙ୍କର ଗୋଡ଼ ଓ ପାଦଗୁଡ଼ା କେତେ ଛୋଟ ! ଠିକ୍ ବାମନ ପରି, ଅଥଚ ମୁଣ୍ଡଟା ଅସ୍ଵାଭାବିକଭାବେ ବଡ଼ ।

 

ସାଇନବୋର୍ଡ: “ହୃତ୍‍ପିଣ୍ଡ ଷ୍ଟୋର୍ଏଠାରେ ହୃତ୍‍ପିଣ୍ଡ ଓ ଅନ୍ୟାନ୍ୟ ଶିରା ପ୍ରଶିରା, ଫୁସ୍‍ଫୁସ୍ ସହଜ ଓ ଶସ୍ତାରେ ମିଳେ ।” ଭାବନା କଂପ୍ୟୁଟର:ସମସ୍ତ ସମସ୍ୟାର ମୁହୂର୍ତ୍ତକ ମଧ୍ୟରେ ସମାଧାନ । “ରୋବଟ୍ ଷ୍ଟୋର ।” ରନ୍ଧାବଢ଼ା ଠାରୁ ଗୋଡ଼ମୋଡ଼ା ପର୍ଯ୍ୟନ୍ତ ସବୁଥିକୁ ଉପଯୋଗୀ । ସେ ପାଖରେ ଗୋଟାଏ ଦୁଇ ହଜାର ଫୁଟ ଉଚ୍ଚର ପ୍ରାସାଦ । ଗ୍ରହାନ୍ତର ଯାତ୍ରାରେ ବୁକିଂ ଅଫିସ । ଚନ୍ଦ୍ର, ମଙ୍ଗଳ ଓ ଶୁକ୍ର ଗ୍ରହପାଇଁ ଅଗ୍ରୀମ ଟିକେଟ ଏଠାରେ ମିଳେ । ରକେଟରେ ସମସ୍ତ ସୁବନ୍ଦୋବସ୍ତ ରହିଛି । ପ୍ରାସାଦ ଚାରିପଟେ ବିଭିନ୍ନ ସହର ଦର୍ଶନୀୟ ସ୍ଥାନର ବିରାଟକାୟ ପୋଷ୍ଟର-

 

ଚାରିଆଡ଼େ ଅଜସ୍ର ଯାନରେ ଅସଂଖ୍ୟ ଲୋକର ଭିଡ଼ । ଅଧିକାଂଶ ଉଲଗ୍ନ । ଯୋଉମାନେ ମନୋକିନୀ ଓ ବିକିନୀ ପରିଧାନ କରିଛନ୍ତି, ସେମାନେ ପରିହାସର ପାତ୍ର । ପୁରୁଣାକାଳିଆ—କଞ୍ଜରଭେଟିଭ୍; କିନ୍ତୁ କୋଉଠି କେମିତି ଟିକିଏ ବି ଉତ୍ତେଜନା ନାହିଁ । ସବୁ ଯେମିତି ହୃଦୟହୀନ, ପ୍ରାଣହୀନ; ରାସ୍ତାରେ ଛିଡ଼ା ହୋଇ ଦି’ଜଣ ଯୁବକ ଯୁବତୀ ମୈଥୁନରତ । କିନ୍ତୁ ସେମାନଙ୍କୁ ଦେଖି କାହାରି ଫେରି ଚାହିଁବାର ବ୍ୟାକୁଳତା ନାହିଁ—ଉତ୍ତେଜିତ ହେବାର ବା ଅପମାନିତ ହେବାର କୌଣସି ଲକ୍ଷଣ ନାହିଁ । କେମିତି ଏକ ଉତ୍ତେଜନାହୀନ, ନିରୁଦ୍‍ବେଗ ବାୟୁମଣ୍ଡଳ ।

 

ଏମାନେ ଏକ ନୂତନ ଯୁଗର ମଣିଷ । ଏମାନଙ୍କ ସହ ମୋର ସମ୍ବନ୍ଧ ନାହିଁ, ପରିଚୟ ନାହିଁ । ଏ ଅଦ୍ଭୂତ ନୂତନ ଦେଶରେ ମୁଁ କେବଳ ଗୋଟାଏ ଜୀବନ୍ତ ଫସିଲ ।

 

ହଠାତ୍ ଗୋଟାଏ କୋଳାହଳ ଶୁଣାଗଲା । ପଛକୁ ଫେରି ଚାହିଁ ଦେଖେ ତ ଅଗଣିତ ଯାନ ମୋ ଚାରିପଟେ ଘେରି ଆସୁଛନ୍ତି । ସମସ୍ତେ ମୋତେ ଦେଖି ଏକ ଅବାକ୍ ବିସ୍ମୟରେ ଚାହିଁ ରହିଛନ୍ତି । କୌତୂହଳରେ ଉଦ୍‍ବେଳ ହୋଇ ଉଠୁଛନ୍ତି । ଆଃ, ସେମାନେ ମୋତେ ଧରିବାକୁ ଆସୁଛନ୍ତି । ମୋତେ ପଳେଇବାକୁ ପଡ଼ିବ; ଶୀଘ୍ର, । ଓଃ, ମୁଁ ପ୍ରାଣପଣେ ଦୌଡ଼ିବାକୁ ଆରମ୍ଭ କଲି । ସେମାନେ ମୋ ପଛରେ ଭିନ୍ନ ଭିନ୍ନ ଯାନରେ ମୋ ପିଛା ଧରିଲେ । ମୁଁ ଦୌଡ଼ୁଛି । ଅଣନିଃଶ୍ଵାସୀ ହୋଇ, ପଛକୁ ନ ଚାହିଁ ଏକ ଲକ୍ଷ୍ୟରେ ଦୌଡ଼ି ଚାଲିଛି । ପୁଣି କେତେ ସହର, କେତେ ଜନପଦ, କେତେ ପ୍ରାନ୍ତର ପଛରେ ଛାଡ଼ି ମୁଁ ଦୌଡ଼ିଛି ଆଖି ବୁଜି । କେତେ ସମୟ—କେତେ ଯୁଗ, କେତେ ମନନ୍ତ୍ଵର ଏମିତି ଖାଲି ମୁଁ ଦୌଡ଼ିଛି । ଯେତେବେଳେ କ୍ଳାନ୍ତ ହୋଇ ବସି ପଡ଼ିଲି ସେତେବେଳକୁ ଚତୁର୍ଦ୍ଦିଗ ଅନ୍ଧକାର । କାହିଁ କେତେ ଦୂରରେ ଲୁଚି ଯାଇଛି ଅଜଣା ନଗରୀର ଆଲୋକମାଳା ।

 

ଆଃ, ପୁଣି ଅନ୍ଧକାର । ପୁଣି ବିସ୍ମୃତି । ପୁଣି ବିଲୟ । ଘର ନାହିଁ, ଗ୍ରାମ ନାହିଁ, ସହର ନାହିଁ, ପ୍ରାଣୀ ନାହିଁ—କିଛି ନାହିଁ । ମେରୁବୃତ୍ତର ବରଫାବୃତ ଧୁ ଧୂ ପ୍ରାନ୍ତର ନିବିଡ଼, ନିରନ୍ଧ୍ର ଅନ୍ଧକାର ଭିତରେ ବିସ୍ମୃତ ହୋଇ ରହିଛି । ପୃଥିବୀ ପୃଷ୍ଠରେ ଜୀବନ ଅବଲୁପ୍ତ । ସୃଷ୍ଟିର ଲୀଳା ଶେଷ ହୋଇଛି-। ଶତ ସହସ୍ର କୋଟି ବର୍ଷ ପୂର୍ବେ ‘ଗୋଟାଏ ସାମାନ୍ୟତମ କୋଷରୁ ଜୀବନ, ବିକାଶ ଲାଭକରି କେତେ କେତେ ପରିବର୍ତ୍ତନ ଗତି କରି ଆଜି ପୁଣି ଶେଷଥରପାଇଁ ନିଶ୍ଚିହ୍ନ ହୋଇ ଯାଇଛି-। ଆକାର ପୁଣି ନିରାକାର ହୋଇଛି । ବିଭିନ୍ନତା ପୁଣି ଏକତ୍ଵ ଭିତରେ ହଜିଯାଇଛି ।

 

ସେଇ ଅନନ୍ତ ଶୂନ୍ୟତା ଭିତରେ, ଏକ ଅଚିନ୍ତନୀୟ ମହାବ୍ୟାପ୍ତୀ ଭିତରେ ସମୟ ସ୍ତାଣୁ ହୋଇ ରହି ଯାଇଛି । ଏଇ ସ୍ଥାନ ଭୁବନେଶ୍ୱର । ପୃଥିବୀର ଗୋଟିଏ ବିନ୍ଦୁ । ବ୍ରହ୍ମାଣ୍ଡର ଏକ କ୍ଷଦ୍ରାତିକ୍ଷୁଦ୍ର ଅଣୁ । ପାଞ୍ଚ ହଜାର ନିୟୁତ ବର୍ଷ ଧରି ତା’ର ଆକାର ରହିଛି । କୋଟି କୋଟି ବର୍ଷ ଧରି ସୂର୍ଯ୍ୟ ପ୍ରଦକ୍ଷିଣ କରିଛି । ପ୍ରତି ପରିକ୍ରମଣରେ ନୂତନ ନୂତନ ରୂପ ନେଇଛି । କେତେ ବର୍ଣ୍ଣ, କେତେ ରୂପ, କେତେ ନାମ ନେଇ ଏଇ ମହାଶୂନ୍ୟର ମହାଘୂର୍ଣ୍ଣନ ଭିତରେ ଚକ୍ରାକାରରେ ପରିଭ୍ରମଣ କରୁଛି । କିନ୍ତୁ ସେ ‘ବିନ୍ଦୁ’ ରହିଛି ଅପରିବର୍ତ୍ତନୀୟ । ତା’ର ସ୍ଥିତି ସ୍ଥିର ନୁହେଁ । ଆଉ ସେଇ ସ୍ଥିତିର ପରିପ୍ରେକ୍ଷୀରେ ସମୟ ମଧ୍ୟ ସ୍ଥିର ନୁହେଁ ।

 

ସବୁକିଛି ଆପେକ୍ଷିକ । ସ୍ଥାନର ନିର୍ଦ୍ଦିଷ୍ଟତା ନିରୂପିତ ହୁଏ ସମୟର ପରିପ୍ରେକ୍ଷୀରେ । ସମୟ ନିର୍ଦ୍ଦିଷ୍ଟ ହୁଏ ଘଟଣାର ପରିପ୍ରେକ୍ଷୀରେ । ଘଟଣା ନିର୍ଦ୍ଦିଷ୍ଟ ହୁଏ ବ୍ୟାପ୍ତି ଓ ସମୟର ସୀମା ଭିତରେ । ସମୟ, ବ୍ୟାପ୍ତି ଓ କାରଣର ଏ ମହାଘୂର୍ଣ୍ଣନ ।

 

ଏ ଘୂର୍ଣ୍ଣନ ଅବିରାମ—ଅବିଛିନ୍ନ—ଅବିଶ୍ରାନ୍ତ ।

 

ତେବେ ସ୍ଥାଣୁ କିଏ ?

 

ଭୁବନେଶ୍ୱରକୁ ଦେଖିଲି । ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ତା’ର ନବ ନବ ଉନ୍ମେଷକୁ ନିରୀକ୍ଷଣ କଲି । କିନ୍ତୁ ସବୁ ଭୁବନେଶ୍ୱରର ଆପେକ୍ଷିକ ରୂପ । କାହିଁ ତା’ର ସେଇ ଅଚଞ୍ଚଳ, ସ୍ଥାଣୁ ‘ବିନ୍ଦୁ’ ?

 

ଏବେ ବି ଲାଇଟ୍ ଆସିନି । ରାତ୍ରି ଶେଷ ହୋଇ ଆସିଲାଣି । ପୂର୍ବ ଦିଗରେ ବିଚ୍ଛୁରିତ ଆଲୋକରେ ଅସ୍ପଷ୍ଟଭାବରେ ପ୍ରତିଭାତ ହେଉଛି ଲିଙ୍ଗରାଜ ମନ୍ଦିରର ଘନକୃଷ୍ଣ ଅଗ୍ରଭଗ । ମୁଁ ତାକୁ ଦେଖିବାକୁ ଲାଗିଲି ଏକ ଅଜଣା ଆନନ୍ଦ ଓ ଉତ୍ତେଜନାରେ ।

 

(ଝଙ୍କାର, ୨୨ଶ ବର୍ଷ, ସପ୍ତମ ସଂଖ୍ୟା)

☆☆☆

 

Unknown

କବନ୍ଧ

 

ଆଶ୍ଚର୍ଯ୍ୟ କଥା । ବିଂଶ ଶତାବ୍ଦୀରେ ପୁଣି ଭୂତ ପ୍ରେତର ଭୟ । ପ୍ରଥମେ ଆମେ କେହି ବିଶ୍ୱାସ କଲୁନି କଥାଟା ଶୁଣି । ତା’ଛଡ଼ା ଆମର ଏହି ଇସ୍ପାତ ସହରଟି ଆଧୁନିକତାର ଓ ବିଜ୍ଞାନର ଚୁଡ଼ାନ୍ତ ପୀଠ । ପୃଥିବୀର ଶ୍ରେଷ୍ଠ ବୈଜ୍ଞାନିକମାନଙ୍କ ଦ୍ୱାରା ପ୍ରସ୍ତୁତ ନୂତନ ବୈଜ୍ଞାନିକ ପ୍ରଣାଳୀରେ ଏଇଠି ଲୁହା ନିଷ୍କାସିତ ହେଉଛି । ରାସ୍ତାଘାଟ ପରିଷ୍କାର ପରିଚ୍ଛନ୍ନତାରେ ଏହା ଇଉରୋପର ଯେ କୌଣସି ସହର ସାଙ୍ଗରେ ତୁଳନୀୟ । ବିଜୁଳିବତୀର ଆଲୋକରେ ଏଠାରେ ରାତ୍ରି ନାହିଁ । ଏଠାରେ ପ୍ରାୟ ଅଧିକାଂଶ ବ୍ୟକ୍ତି ଶିକ୍ଷିତ, ସଭ୍ୟ । ଯୋଉମାନେ ଅବା ପାଠ ପଢ଼ିନାହାନ୍ତି, କୁଲି ଓ ଶ୍ରମିକଶ୍ରେଣୀୟ ଲୋକମାନେ—ସେମାନେ ମଧ୍ୟ ତାଙ୍କର କୁସଂସ୍କାର ଛାଡ଼ି ଦେଇଛନ୍ତି । ଆଉ ସେମିତି ପୂଜା ଅର୍ଚ୍ଚନା ବି ନାହିଁ । ସମସ୍ତେ ଶିଖିଲେଣି ଭଗବାନ୍‍ଙ୍କ ଅପେକ୍ଷା ମଣିଷ ହିଁ ବଡ଼ । ତା’ର ମସ୍ତିଷ୍କଦ୍ଵାରା ସବୁକିଛି ସମ୍ଭବ । ତେଣୁ ଆମର ଏହି ସହରଟି ବିଜ୍ଞାନର ଜୟଯାତ୍ରା ପଥର ଏକ ବିଜୟୀ ସେନାପତି । ବାସ୍ତବବାଦର ଏକ ଜୀବନ୍ତ ପ୍ରତୀକ । ଗୋଟିଏ କଥାରେ ମୂର୍ତ୍ତିମାନ ବାସ୍ତବବାଦ । ସେଇଠି spiritualism, mysticismର ପ୍ରଶ୍ନ କାହିଁ ?

 

ସେଥିପାଇଁ ଯେତେବେଳେ ପୁରାତନ ସହରରୁ ରଘୁ ଆସି ସମ୍ବାଦ ଦେଲା ଆମେ ଆଶ୍ଚର୍ଯ୍ୟ ହେଲୁ । ଆମ ସହରଟା ଦୁଇଭାଗରେ ବିଭକ୍ତ । ନୂତନ ଓ ପୁରାତନ । ପୁରାତନ ଓ ନୂତନ ଭାଗକୁ ବିଭକ୍ତ କରିଛି ଗୋଟାଏ ଛୋଟ ପାହାଡ଼ | ପୁରୁଣା ସହର କେଜାଣି କୋଉକାଳରୁ ରହିଆସିଛି । ଯୋଜନାହୀନ—ଆବର୍ଜନାପୂର୍ଣ୍ଣ—ବସ୍ତି । ସାରି ସାରି ଘର ଏପଟ ସେପଟ ହୋଇ ମୁଣ୍ଡ ଟେକିଛି । ରାସ୍ତାରେ ଗୋଟାଏ ମଟର ରହିଗଲେ ଅନ୍ୟ ଲୋକର ପିଣ୍ଡାକୁ ନ ଉଠିଯିବାର ଉପାୟ ନାହିଁ । ରାସ୍ତା ଦୁଇକଡ଼ରେ ଚା’ ଦୋକାନର ଯେତକ ଅଇଁଠାପତର, ଆଉ ପରିବା ଦୋକାନୀର ପଚା ବାଇଗଣ, ବିଲାତିବାଇଗଣ, କଦଳୀଚୋପାର ସ୍ତୁପ । ଠେସାଠେସି ଘର । ଯେମିତି ଗୋଟାଏ ଏକାନ୍ନବର୍ତ୍ତୀ ପରିବାର ବାହାରୁ ବିପଦର ଆଶଙ୍କା କରି ଏକା ସାଙ୍ଗରେ ପରସ୍ପରକୁ କୁଣ୍ଢେଇ ଧରି ବସିଛନ୍ତି । ଏଇ କୁଢ଼ କୁଢ଼ ଆବର୍ଜନା ଭିତରୁ ତଥାପି ଗୋଟାଏ ପ୍ରାଣର ଝଙ୍କାର ବାଜେ ଗୋଟିଏ ସୁରରେ । ଗୋଟିଏ ସ୍ପନ୍ଦନରେ ଉତ୍‍ଫୁଲ୍ଲ ହୋଇ ଉଠନ୍ତି ସେମାନେ । ହଜାରେ ଲୋକ, ହଜାରେ ବର୍ଣ୍ଣ, ହଜାରେ ସ୍ୱଭାବଭିତରୁ ବି ଏଇ ଏକତ୍ଵର ସୁରର ବ୍ୟଞ୍ଜନା ଏକ ଅପ୍ରତିହତ ପ୍ରେମର ଅବିରାମ ଧାରା ପରି ବହିଆସିଛି ଯୁଗ ଯୁଗଧରି । ଗୋଟାଏ ଆଦିମ ଅରଣ୍ୟ ପରି ବହୁ ବୃକ୍ଷଲତାର ସମାହାରରେ ବି ସେଇ ଚିରନ୍ତନୀ ସବୁଜର ଚେତନା ସମସ୍ତଙ୍କୁ ଏକାଠି କରି ବାନ୍ଧି ରଖିଛି । ଜଣକର ବେଦନା, ଅପରର ପ୍ରାଣରେ ସୃଷ୍ଟି କରେ ସମବେଦନା । ଏକକର ହସ ଖୁସି ଆନନ୍ଦ ଉତ୍ସବର ଢେଉ ଗୋଷ୍ଠୀଗତ ପ୍ରାଣରେ ସୃଷ୍ଟିକରେ, ସମକୈନ୍ଦ୍ରକ ବୃହତ୍ତର ଆନନ୍ଦର ଢେଉର ବୃତ୍ତ ଯା’ର ବ୍ୟାପ୍ତି ସମସ୍ତ ଗୋଷ୍ଠୀଗତ ଚେତନାର ବେଳାଭୂମିରେ ସୀମାବଦ୍ଧ ରହି ପୁଣି ଆହୁରି ସୃଷ୍ଟି କରେ ଏକ ନୂତନ ଆନନ୍ଦର ଢେଉ । ଏଇ ଢେଉର ସମ୍ମିଶ୍ରଣରେ ଜାତ ହୁଏ ଗତି–ସ୍ରୋତ—ଏକ ଜୀବନର ସ୍ରୋତ । ବହମାନ ନିରବଚ୍ଛିନ୍ନ, ଏକମୁଖୀ, ଆନନ୍ଦମୟୀ ଜୀବନଧାରା ।

 

କିନ୍ତୁ ଆମେ ନୂତନ ସହର ଯୋଉଠି ଆମେ ଥାଉଁ ସେଇଠି ୟାର ପୂରାପୂରି ବିପରୀତ । ସାରି ସାରି ଏକ ସରଳରେଖାରେ, ଜ୍ୟାମିତିକ ସୂକ୍ଷ୍ମତା ନେଇ, ଧାଡ଼ି ଧାଡ଼ି ଘର । ସୂତାଏ ବି ଏପଟ ସେପଟ ନାହିଁ । ଦୁଇ ସାରି ଘରଭିତରେ ତିରିଶ ଫୁଟ ଚଉଡ଼ାର ପିଚୁ ଢଳା ମସୃଣ ରାଜପଥ । ପରିଷ୍କୃତ । ଧୂଳି ନାହିଁ, ମଳି ନାହିଁ । ପରିଚ୍ଛନ୍ନ । ଏକ ସଦ୍ୟ ଖୋଳପାଛଡ଼ା କଳା ସାପର ଦେହ ପରି-। ବିଜୁଳି ଆଲୁଅରେ ଚକମକ୍ କରିଉଠେ । ଘର ଆଗରେ ସାମାନ୍ୟ ପରିମିତ ଜାଗାରେ ବଗିଚା–ନାନା ଜାତି ଫୁଲର । ବିଦେଶୀ, ମହାର୍ଘ, ସୁନ୍ଦର, ଗନ୍ଧଭରା, ଗନ୍ଧହୀନ । ସେଇଠି ବି ସେଇ ଜ୍ୟାମିତିର ସରଳ ଅଙ୍କନ । ମାପଚୁପ ହୋଇ ଲଗା ହୋଇଛି ଯୋଉଠି ଗଛ ତା’ର ସ୍ଵାଭାବିକ ବର୍ଦ୍ଧନଶୀଳତାରେ ପ୍ରକୃତର ନିୟମ ମାନି ବଢ଼ି ଯାଇଛି । ତାକୁ କାଟି କୁଟି ପୁଣି ସାଇଜ କରି ରଖାଯାଇଛି । ସୌନ୍ଦର୍ଯ୍ୟ ଏଇଠି ଏକ ସରଳରେଖା, ଅସଜଡ଼ା, ସ୍ଵାଭାବିକ ନୁହେଁ ପ୍ରକୃତିର ନିୟମରେ ନୁହେଁ । ସବୁ ସଜଡ଼ା, ଅସ୍ଵାଭାବିକ, ମନୁଷ୍ୟର ମନତୃପ୍ତି ଦେଲାଭଳି କୃତ୍ରିମ ସୌନ୍ଦର୍ଯ୍ୟ-। ଆଉ ସେମିତି ବି ଏଠିକାର ଲୋକ । ପ୍ରତ୍ୟେକ ପ୍ରତ୍ୟେକଙ୍କ ଠାରୁ ବିଚ୍ଛିନ୍ନ । ନିଷ୍ଠୁର ଭାବରେ ଏକାକୀ । ଜଣକର ବେଦନା କେବଳ ଜଣକଭିତରେ ହିଁ ବନ୍ଦୀ ହୋଇ ରହେ, ତା’ର ବ୍ୟଞ୍ଜନା ତା’ର ରାଗିଣୀ ଅନ୍ୟ ପ୍ରାଣକୁ ସ୍ପର୍ଶ ବି କରେନା । ଏଠାରେ ଗୋଷ୍ଠୀ ନାହିଁ, ଏକତ୍ଵ ନାହିଁ । କେବଳ ସହସ୍ର ଭିନ୍ନମୁଖୀ ଧାରାର ବିଭକ୍ତ ଗତିପଥ । ଇସ୍ପାତନଗରୀରେ କାମ କରିବାକୁ ହେଲେ ଦରକାର ଇସ୍ପାତ–ଦେହ, ଇସ୍ପାତ–ମନ । ତେଣୁ ଏଇ ନୂତନ ନଗରୀରେ ପୁରାତନକୁ ଦୂରେଇ ଦେଇ ଘୃଣ୍ୟ କରି ରଖିଛି । ବାଚ୍ଛନ୍ଦ କରିଛି । ପୁରାତନ ପୁରାତନ ହିଁ ରହୁ । ତା’ରି ଭିତରେ ପଚିସଢ଼ି ଧ୍ଵଂସ ହେଉ-। ତା’ପରେ ନୂତନ ଆସି ଗଢ଼ିବ ତା ଉପରେ ତା’ର ନୂତନତ୍ଵର ବିଜୟ–ସ୍ତମ୍ଭ ।

 

କିନ୍ତୁ ପ୍ରକୃତ ପୁରାତନୀ ମରେନା । ସେ ସନାତନୀ ପ୍ରାଣ ଶକ୍ତିରେ ଉଜ୍ଜୀବିତ ହୋଇ ବଞ୍ଚିରହେ । ଯୁଗ–ଯୁଗଧରି । ଉତ୍‍ଥାନ ପତନ ଭିତରେ ତା’ର ଧାରା କେବେ ମନ୍ଦାକିନୀ ପରି ଆକାଶରେ ଫୁଟେ ଆଉ କେତେବେଳେ ବା ଫଲ୍‍ଗୁ ପରି ଆତ୍ମଗୋପନ କରେ ।

 

ଏମିତି ଏକ ନୂତନ ନଗରୀରେ ପ୍ରାୟ ପାଞ୍ଚବର୍ଷ କାଳ ରହିଲା ପରେ ମୋର କେବେ ବିଶ୍ୱାସ ହେଉ ନଥିଲା ଯେ ଏଠିକା ମଣିଷ ଫେର୍ ଏମିତି ପୁରାତନ ଅନ୍ଧବିଶ୍ଵାସକୁ ନେଇ ମୁଣ୍ଡ ଖେଳେଇବ । ସେଥିପାଇଁ ସେଦିନ ଯେତେବେଳେ ରଘୁ କହିଲା ମୁଁ ଜମା ବିଶ୍ୱାସ କଲିନି । ବିଂଶ ଶତାବ୍ଦୀରେ ପୁଣି ବିଜ୍ଞାନର ହୃଦୟଭିତରେ କବନ୍ଧର ଆବିର୍ଭାବ । ଅସମ୍ଭବ, କିନ୍ତୁ ଯେତେବେଳେ ଆମ ସେକ୍‍ସନରେ ଫୋରମ୍ୟାନ୍ ପାଣ୍ଡେ ଏ କଥା ନିଶ୍ଚିତଭାବେ କହିଲେ ସେତେବେଳେ ଆଉ ଠିକ୍ କଥାଟାକୁ ଉଡ଼େଇ ଦେଇ ହେଲାନି । ସେ କହିଲେ ଗୋଟାଏ କବନ୍ଧର ଆବିର୍ଭାବ ହୋଇଛି ପୁରୁଣା ସହରରେ । ଲୋକେ ତାକୁ ଦେଖିଲେଣି ଥରେ ଦି’ଥର । ତା’ର ମୁଣ୍ଡ ନାହିଁ । ଲମ୍ବା ଲମ୍ବା ହାତ ଦି’ଟା । ଆଉ ଗୋଟାଏ ବିରାଟ ପାଟି । ଠିକ୍ ଛାତି ଉପରେ । ପାଟିର ଠିକ୍ ଉପରେ ଦୁଇକଡ଼କୁ ଦୁଇଟା ବ୍ଲାଷ୍ଟ ଫର୍ନେସ ପରି ବିରାଟ ବିରାଟ ଆଖି । ଆଉ ଉଚ୍ଚ ଉଚ୍ଚ ତାଳଗଛ ପରି ଗୋଡ଼ ଦୁଇଟା । ଅତି ବଳବାନ୍ । ଦୁର୍ଦ୍ଦମନୀୟ, ପ୍ରଚଣ୍ତ । ପାଣ୍ଡେଙ୍କର ଅନ୍ତରଙ୍ଗ ବନ୍ଧୁ ସୁଲେମାନ ଅଲିକୁ ସେ କାଲି ସନ୍ଧ୍ୟାବେଳେ ଖାଇ ଦେଇଛି । ଆଜି ସକାଳେ ତାଙ୍କର ପୁଅ ଆସି ଖବର ଦେଲା-। ନା, ଅବିଶ୍ୱାସ କରିବାର କିଛି କାରଣ ନାହିଁ; କିନ୍ତୁ ତଥାପି କାହିଁକି ସ୍ଵୀକାର କରି ହେଉନି କଥାଟା-। କବନ୍ଧର ଭୟରେ ତେଣୁ ସୁଲେମାନ ଅଲିଙ୍କ ପରିବାର ଆସି ପାଣ୍ଡେଙ୍କ ଘରେ ଆଶ୍ରୟ ନେଇଛନ୍ତି-। କବନ୍ଧ ଭୟ କରିପାରେ, ଏ ଆଡ଼କୁ ଆସିବାକୁ; କାରଣ ପୁରୁଣା ସହରର ଆବର୍ଜନା ଭିତରେ ସେ ସିନା ଲୁଚି ରହିପାରେ । ଏଇଠି ବିଦ୍ୟୁତ୍ ଆଲୋକିତ ନଗରୀଭିତରେ ଲୁଚିବ କୋଉଁଠି-?

 

ସେଦିନ ସନ୍ଧ୍ୟାବେଳକୁ କିନ୍ତୁ କଥାଟା ଆଉ ଆବିଷ୍କାର କରି ହେଲାନି । ପୁରୁଣା ସହରରେ କବନ୍ଧର ଉତ୍ପାତ ବଢ଼ି ଚାଲିଛି । କିଛିଦିନ ଧରି ରାତିରେ ସେ କେବଳ ବାହାରୁଥିଲା । ଲୁଚି ଲୁଚି ଛପି ଛପି ହପା କରୁଥିଲା । କେବଳ ବୟସ୍କ ଲୋକମାନଙ୍କୁ । ନାରୀ ଓ ଶିଶୁମାନଙ୍କୁ ଖାଇବାର ଖବର ନଥିଲା; କିନ୍ତୁ ସନ୍ଧ୍ୟାବେଳକୁ ଶୁଣିଲୁ ସେ ଦିନବେଳେ ବି ବାହାରିଲାଣି । ଦ୍ଵିପ୍ରହର ବେଳେ ନଜାକତ୍ ଅଲିର ଘର ଭିତରେ ପଶି ସେ ତାକୁ ତା’ର ସ୍ତ୍ରୀ ଓ ତିନୋଟି ପିଲାଙ୍କୁ ଖାଇ ଦେଇଛି । ଏଇ ଘଟଣା ପରେ ଦଳ ଦଳ ଲୋକ ପୁରୁଣା ସହର ଭିତରୁ ମାଡ଼ି ଆସିଲେଣି ନୂଆ ସହରକୁ । ସାରା ସହର ନୂଆ କି, ପୁରୁଣା ଚାରିଆଡ଼େ ଗୋଟାଏ ଆତଙ୍କର ଛାୟା ଖେଳିଗଲା । କାହାରି ମୁହଁରେ ଆଉ କିଛି କଥା ନାହିଁ । କେବଳ କବନ୍ଧର କଥା । ତା’ର ନୃଶଂସତାର କାହାଣୀ । ଅଫିସ୍, ବସ୍ ଚା’ ଦୋକାନ, ସ୍କୁଲ ସବୁଆଡ଼େ ସେଇ କବନ୍ଧର ଚର୍ଚ୍ଚା । ଆମ ନୂତନ ନଗରୀରେ ବି ସେଇ ଆଶଙ୍କାର ଛାୟା ଆସିଲାଣି । ସମସ୍ତେ ଭୀତତ୍ରସ୍ତ, ଆଶଙ୍କାକୁଳିତ । କେଜାଣି କେତେବେଳେ ଯଦି ମାଡ଼ିଆସେ । ସମସ୍ତେ ତ କାମିକା ଲୋକ । କିଏ ଅଫିସ ଭିତରେ, କିଏ ବା କାରଖାନା ଭିତରେ । ଘରେ ଖାଲି ଶିଶୁ ଓ ନାରୀ । ଦୁର୍ବଳ ଓ ଅସହାୟ । ଯଦି ସେତିକିବେଳେ ଚାଲି ଆସେ, ଆଉ କିଛି ଉପାୟ ରହିବ ନାହିଁ । ନାନାପ୍ରକାର ଦୁଶ୍ଚିନ୍ତା ଭିତରେ ଅଫିସର କାମ ଆଉ କରି ହେଲାନି । ଆମେ ସବୁ ଦଳ ଦଳ ହୋଇ ଜାତି—ଧର୍ମନିର୍ବିଶେଷରେ ତା’ରି ବିଷୟରେ ଆଲୋଚନା କରିବାକୁ ଲାଗିଲୁ । ଯିଏ କେହି ନୂତନ ଖବର ଆଣିଲା ତା’ରି ଟେବୁଲ ପାଖରେ ଆମେ ସମସ୍ତେ ଗଦା ହୋଇ କବନ୍ଧର ନୂତନ କାର୍ଯ୍ୟ–କଳାପ ଶୁଣିବାକୁ ଉତକର୍ଣ୍ଣ ହୋଇ ରହିଲୁ । ସେ ଦିନଟା କଟିଲା କେବଳ ଉତ୍‍କଣ୍ଠା ମଝିରେ । କେମିତି ସହଲ କାମ ସାରି ଘରକୁ ଫେରିବା କଥା । ଯଦି କବନ୍ଧ ଆସେ ତ ଏକା ସାଙ୍ଗରେ ମୃତ୍ୟୁବରଣ କରିବା, ସ୍ତ୍ରୀ ପୁତ୍ର ସହିତ । ଆଉ ସେମାନଙ୍କୁ ଏକାକୀ ଅବସ୍ଥାରେ ରଖି ଲାଭ କ’ଣ ? ଘରକୁ ଫେରି ମଧ୍ୟ ନିଶ୍ଚିନ୍ତ ହୋଇ ହେଲାନି । ସାରା ରାତି ନୂତନ ନଗରୀର ପ୍ରତ୍ୟେକ ଲୋକ ଅର୍ଦ୍ଧ ନିଦ୍ରା ଭିତରେ କାଟିଛି । କେଜାଣି କେତେବେଳେ ଯଦି ଚାଲି ଆସେ । ସମସ୍ତେ ଉତ୍କଣ୍ଠିତ, ଆଶଙ୍କାକୁଳିତ, ଭୟତ୍ରସ୍ତ । ସନ୍ଧ୍ୟାବେଳୁ ସମସ୍ତେ କବାଟ ପକେଇ ଦେଲେଣି । ସିନେମା ହଲ, ଯୋଉଠି ଟିକେଟ ମିଳେନା, ସେଇଟା ବି ପ୍ରାୟ ଫାଙ୍କା । ସାରା–ଘାଟରେ ଆଉ ଗୋଟାଏ ବି ଲୋକ ଦେଖା ଯାଉନି । ଆମେ ବି ସେଇ ଭୟର ଛାୟାରେ ଭୀତ ହୋଇ ପଡ଼ିଥିଲୁ । ଆମ ମେସର ଆମେ ଆଉ ଚାରିଜଣ ଲୋକ । ଭୂପତି, ସୋମନାଥ, ବ୍ରଜ ଓ ମୁଁ । ସୋମନାଥ ନୂତନ ବିବାହିତ । ବ୍ରଜ ସଦ୍ୟ କଲେଜ ଫେରନ୍ତା । ପ୍ରେମ କରୁଛି କାହାକୁ ଗୋଟାଏ । ପ୍ରତି ଦିନେ ଛଡ଼ା ଦିନେ ଲଫାଫାରେ ନେଳି କାଗଜ ଭର୍ତ୍ତି କରି ପଠାଏ-। ଭୂପତି ଓ ମୁଁ ଅଭିବାହିତ । ଆମର ଏଇ ଚାରିଜଣଙ୍କୁ ନେଇ, ଆମେ କେହି ଘର ପାଇନୁ ବୋଲି ସବୁ ତା’ରି ବସାରେ ଉଠିଛୁ । ବେଶ୍ ମଜ୍ଜାରେ କଟିଯାଏ; କିନ୍ତୁ ଗତ ଛଅ ସାତ ଦିନ ହେଲା ଚାକରଟା ଛୁଟି ନେଇ ଗାଁକୁ ଯାଇଥିବାରୁ ଟିକିଏ ଅସୁବିଧା ହେଉଛି । ହୋଟେଲରେ ଖାଇବାକୁ ବାଧ୍ୟ । ଯଦିବା ପାଳି କରି ଦିନେ ଦି’ଦିନ ରାନ୍ଧିବାକୁ ଚେଷ୍ଟା କରିଥିଲୁ ସେଇଟା ସୁବିଧା ମନେ ହେଲା ନାହିଁ । ବ୍ରଜର ରାତି ଦୁଇଟାରୁ ସକାଳ ଆଠଟା ଡିଉଟି । ସେ ଡିଉଟିରୁ ଫେରି ଲମ୍ବତମ୍ବ ହୋଇ ବିଛଣାରେ ପଡ଼ିଯାଏ । ସୋମନାଥ ସକାଳ ଆଠରୁ ଦିନ ଦୁଇଟା । ମୋର ବି ସେମିତି ବ୍ରଜ ସାଙ୍ଗରେ ଡିଉଟି । କେବଳ ବାକି ରହିଲା ଭୂପତି । ସେ ଅଫିସର ହେଡ ଆସିଷ୍ଟାଣ୍ଟ । ତେଣୁ ସେ କେବଳ ଦଶଟାରୁ ଚାରିଟା ଡିଉଟି କରେ; କିନ୍ତୁ ତା’ ଉପରେ ସବୁ ଭାର ପକେଇବା ଉଚିତ ମନେ ହେଲାନି । ସେ ବା ପାରନ୍ତା କୋଉଠୁ ? ତା’ ଛଡ଼ା ସେ ଆମ ସମସ୍ତଙ୍କଠୁ ବୟସରେ ସିନିଅର । ଆମେ ସମସ୍ତେ ତାକୁ ଭାଇ ବୋଲି ଡାକୁ-

 

ସେଇଦିନ ରାତିରେ ଆମେ ହୋଟେଲକୁ ଖାଇଯାଇଁ ଦେଖୁ ତ ହୋଟେଲରେ ଲୋକ କେହି ନାହିଁ । ହୋଟେଲ ମାଲିକ ସୂର୍ଯ୍ୟ ରାଓ କହିଲା, “ଆଜି ସନ୍ଧ୍ୟା ଛ’ଟାରୁ ସବୁକାମ ଶେଷ । କେବଳ ଆପଣମାନଙ୍କୁ ଅପେକ୍ଷା ଥିଲା । ନହେଲେ ମୁଁ କେତେବେଳୁ ହୋଟେଲ ବନ୍ଦ କରି ସାରନ୍ତିଣି । ଯଦି ଆଉ ଟିକିଏ ଡେରି କରିଥା’ନ୍ତେ ତେବେ ମୁଁ ବନ୍ଦ କରି ଦେଇଥାନ୍ତି । ଆଚ୍ଛା ଏ କବନ୍ଧ ଆସିଲା ? ସତରେ, ଆପଣମାନେ କ’ଣ ଭାବୁଛନ୍ତି ?”

 

ବ୍ରଜ କହିଲା, “ଅବିଶ୍ଵାସ ତ କରି ହେଉନି । ଗତ ଦୁଇଦିନ ହେଲା ଯୋଉ ଘଟଣା ଘଟିଲାଣି ଆଉ ତ ଏହାକୁ ମିଛ ବୋଲି କହିହେବନି; କିନ୍ତୁ ସେ ଯେ ଏହି ନୂତନ ସହରକୁ ଆସିବ ମୋର କାହିଁକି ମନେ ହେଉନି ।”

 

ଭୂପତି କହିଲା, “କାହିଁକି ମନେ ହେଉନି । ସେ ଯେତେବେଳେ ପୁରୁଣା ଟାଉନରେ ଏତେ ଗଣ୍ଡଗୋଳ କରି ସାରିଲାଣି ଏଠାକୁ ନ ଆସିବ କାହିଁକି । ବର୍ତ୍ତମାନ ସେଇଠି ସେ ଯଥେଷ୍ଟ ଖାଦ୍ୟ ପାଉଛି, ସେଥିପାଇଁ ଏଠାକୁ ଆସୁନି । ଯେତେବେଳେ ସେଠିକା କାମ ସରିଯିବ, ଦେଖିବ ନିଶ୍ଚେ ଏଠାକୁ ମାଡ଼ି ଆସିବ । ତାକୁ ପ୍ରତିରୋଧ କରିବା ଦୁଷ୍କର” ।

 

ସୋମନାଥ ଟିକିଏ ରାଗିଯାଇ କହିଲା, “ଆମ ଏ ପୁଲିସମାନେ କ’ଣ କରୁଛନ୍ତି ?” “ଯେତେକ ମେଲେରିଆଗ୍ରସ୍ତ ଡରକୁଳାଗୁଡ଼ାକ ତ ରହିଛନ୍ତି ପୋଲିସ-ବାହିନୀରେ । ଟିକିଏ ଫୁ କରିଦେଲେ ଝଡ଼ି ପଡ଼ିବେ । ରାଇଫଲ ଚଳେଇବା ତ ଦୂରର କଥା । ବୋଧହୁଏ ଭଲକରି ରାଇଫଲ ଦେଖି ନାହାନ୍ତି ସେଗୁଡ଼ାକ । ଆଉ ସେମାନେ କ’ଣ କରିବେ ?” ଯୋଗ କଲି ମୁଁ ।

“କିନ୍ତୁ ସେମାନେ ତ କିଛି ହେଲେ ଚେକ୍ କରି ପାରନ୍ତେ । ଗୋଟାଏ କବନ୍ଧରୁ ଏତେଗୁଡ଼ା ପୁଲିସ କ’ଣ କିଛି କରି ପାରିବେ ନାହିଁ ନାଁ, ଆମ ପୋଲିସ ଯେମିତି, ଆମ ସରକାର ସେମିତି ।”

 

ଭୂପତି ଆଉ ଥରେ ଶାନ୍ତ ଗଳାରେ କହିଲା, “ପୋଲିସ ଓ ସରକାରକୁ ଗାଳି ଦେଇ ଲାଭ ନାହିଁ । କାରଣ ପୋଲିସମାନେ କାହାସାଙ୍ଗରେ ଲଢ଼େଇ କରିବେ ? କାହାକୁ ଗୁଳି ମାରିବେ-? କବନ୍ଧର କ’ଣ ଦେହ ଅଛି ଯେ ତା’ ଦେହରେ ଗୁଳି ବାଜିଲେ ସେ ମରିବ । ତା’ର ଦେହ ବୋଲି ବାହାରକୁ ଦେଖାଗଲେ ବି ପ୍ରକୃତରେ ସେଇଟା ଫାଙ୍କା । ପୁରୁଣା ସହରରେ କ’ଣ କେତେଜଣ ଚେଷ୍ଟା କରି ନଥିଲେ; କିନ୍ତୁ ଦେଖିଲେ ଯୋଉ ଭାବରେ ମାରିଲେ ବି ତା ଦେହରେ କିଛି ବାଜୁନି କି ଲାଗୁନି ।”

 

ସୂର୍ଯ୍ୟ ରାଓ ତାର ଚିକ୍‍କଣ କଳା କୁଞ୍ଚୁକୁଞ୍ଚିଆ ବାଳରେ ଚିନ୍ତିତ ହୋଇ ହାତ ବୁଲେଇଲା-। “ଭଗବାନ ନ କରନ୍ତୁ ସେ ଇଆଡ଼କୁ ଆସୁ ।”

 

ଆମେ ସମସ୍ତେ ଚୁପଚାପ୍ ହୋଇ ନୀରବରେ ଖାଇବାକୁ ଲାଗିଲୁ । ସମସ୍ତେ ଉପରକୁ ଶାନ୍ତ ଓ ଧୀର ବୋଲି ମନେ ହେଉଥାଏ; କିନ୍ତୁ ଟିକିଏ ପର୍ଯ୍ୟବେକ୍ଷଣ କଲେ ଜଣା ପଡ଼ନ୍ତା ଆମେ କେମିତି ଭିତରେ ଭିତରେ କେତେ ଅଶାନ୍ତ ଓ ଅସ୍ଥିର । ଅଜାଣତରେ ବି ଆମେ ଶୀଘ୍ର ଶୀଘ୍ର ଖାଇ ଚାଲିଥାଉ । ଅଜାଣତରେ ହାତରୁ ଭାତଗୁଣ୍ଡା ଖସି ପଡ଼ୁଥାଏ, ଅଜାଣତରେ ଛାତିଭିତରୁ ଦୀର୍ଘ ନିଃଶ୍ୱାସ ବାହାରୁ ଥାଏ । କୌଣସିମୋତେ ଖାଇ ସାରି ଯେତେବେଳେ ହୋଟେଲରୁ ପଦାକୁ ବାହାରିଲୁ ସେତେବେଳକୁ ମାତ୍ର ସାଢ଼େ ଆଠଟା । ଅଥଚ ମନେ ହେଉଥାଏ ସମସ୍ତ ସହରରେ ଯେମିତି ରାତି ଗୋଟାଏ କି ଦୁଇଟା । ଚାରିଆଡ଼ ନିସ୍ତବ୍‍ଧ, ନିର୍ଜନ, ସାରା ସହରକୁ ଘେରି ରହିଛି ଗୋଟାଏ ଥମ–ଥମ ଭାବ । ଆଶଙ୍କା ଓ ଭୟର ଗୋଟାଏ ଘନ କୁହୁଡ଼ି । ସେ ଭିତରେ ବି କେମିତି ଚୁପ୍‍ଚାପ୍ ହୋଇଗଲୁ । ଭୟର କୁହୁଡ଼ି ଯେମିତି ଆମର ରକ୍ତର ପ୍ରତି ଅଣୁକଣାରେ ପ୍ରବେଶ କରି ବରଫ କରି ଦେଉଛି ସମସ୍ତ ରକ୍ତସ୍ରୋତକୁ । ସର୍ବଦା ଗପି ଚାଲିଥିବା ବ୍ରଜ ଓ ମୁଁ ଦୁଇଜଣଯାକ ବି ଅଦ୍ଭୁଦ ଭାବରେ ନୀରବ ଓ ଶାନ୍ତ । ନିର୍ଜନ ରାଜପଥ ଉପରେ ଆମେ ଚାଲିଛୁ ଚାରୋଟି ପ୍ରାଣୀ; କିନ୍ତୁ ସେଇ ନିଃଶବ୍ଦତା ଭିତରେ ସଂପୂର୍ଣ୍ଣଭାବେ ମିଳେଇ ଯାଉଁ, କେଉଁ ଅଶରୀରୀ ଜୀବ ପରି । ମଝିରେ ମଝିରେ କେବଳ ଆମ ଚାରିଜଣଙ୍କର ଭାରୀ ନିଃଶ୍ୱାସ ପଦଶବ୍ଦ ରାତ୍ରିର ନିର୍ଜନତାକୁ ଭଙ୍ଗ କରିବାର ବୃଥା ପ୍ରୟାସ କରୁଛି । ଅଜାଣତରେ ରାସ୍ତା ପାଖେଇ ଥିବା ଗଛ ତଳକୁ, ବଗିଚା ମଧ୍ୟରେ ଜମିଥିବା ପାତଳ ଅନ୍ଧକାର ତଳକୁ ଆଖି ବୁଲି ଆସୁଛି । ସେଇ ଛୋଟ ପୋଲଟା ପାଖରେ ତ ହଠାତ୍ ଚାରିଜଣଯାକ କେମିତି ଏକାଭାବରେ ସ୍ଥିର ହୋଇ ରହିଗଲୁ । ଯେମିତି ଗୋଟାଏ କଣ୍ଢେଇ–ନାଚର ଚାରୋଟି କଣ୍ଢେଇ ପରି ଏକା ସାଙ୍ଗରେ । ହଠାତ୍ ଗୋଟାଏ ଝିଙ୍କାରେ ସ୍ତବ୍‍ଧ ହୋଇଗଲୁ । କ’ଣ ଗୋଟାଏ ଖସ୍ ଖସ୍ ହେଲା, ସେଇ ପୋଲତଳେ, ନିଃଶ୍ୱାସ ରୁଦ୍ଧ କରି ଆମେ ଅତି ନୀରବରେ ପଥର ପରି ଛିଡ଼ା ହୋଇ ରହିଲୁ । କେବଳ ନିର୍ନିମେଷ ନୟନରେ ଚାହିଁ ରହିଲୁ ପୋଲ ଭିତରର ସେଇ ପୁଞ୍ଜୀଭୂତ ପୁଳାଏ ଅନ୍ଧକାର ଆଡ଼କୁ । ପ୍ରାୟ କିଛି ସମୟ ପରେ ସେଠାରୁ ଖସ୍ ଖସ୍ ହୋଇ ବାହାରି ଆସିଲା କୁକୁରଟିଏ, ଆଶ୍ୱସ୍ତିର ଦୀର୍ଘଶ୍ଵାସ ପୁଣି ଏକାବେଳେକେ ଆମ ଚାରିଜଣଙ୍କଠୁ ବାହାରି ଆସିଲା । ବ୍ରଜ ହୋ ହୋ ହୋଇ ହସିଲା ବି । ମୁଁ ବି ତା ସାଙ୍ଗରେ ଯୋଗ ଦେଲି; କିନ୍ତୁ ଏ ହସର ଆବିର୍ଭାବ ଯେମିତି ଆକସ୍ମିକ ତା’ର ବିଲୟ ବି ସେମିତି ଆକସ୍ମିକ । ଭୂପତି ଓ ସୋମନାଥ ଗମ୍ଭୀର ଭାବରେ ଆଗେଇ ଚାଲିଲେ କିଛି ନ କହି । ସେଇ ନିଃଶବ୍ଦତାର ପ୍ରାଚୀର ଭିତରେ ପିଟି ହୋଇ ଆମର ହସଟା ଆମକୁ ବିଦ୍ରୂପ କରିଗଲା ଠୋ ଠୋ ହୋଇ । ଆମେ ଆଉ କିଛି ନ କହି ଆଗେଇ ଗଲୁ ମେସ୍ ଭିତରକୁ ।

 

ସେ ପାଖ କ୍ୱାଟର, ଇଞ୍ଜିନିୟର ରମେଶ ମହାନ୍ତି । ଦୁଇଟି ସନ୍ତାନ । କବାଟ ଝରକା ସବୁ ବନ୍ଦ । ସାମ୍ନା ପଟରେ ଜଳୁଥିବା ଆଲୁଅଟା ମଧ୍ୟ ଆଜି ବନ୍ଦ । କେବଳ ରାସ୍ତାର ନୀଳାଭ ନୀଅନ ଲାଇଟ୍‍ର ଆଲୁଅର ବିକ୍ଷିପ୍ତ ପ୍ରଭା ଆସି ପଡ଼ୁଛି ତା’ର ଉପରେ । ଫିସ୍ ଫିସ୍ କଥା ଶୁଭୁଛି । କ’ଣ ହେବ, କହନା ? ମୋତେ ଭାରି ଡର ମାଡ଼ିଲାଣି । ମୁଁ ଆଉ ଏକା ରହି ପାରିବିନି; ତୁମେ କାଲି କାରଖାନା ଯାଅନା । ପିଲା ଦୁଇଟାକୁ ଧରି ମୁଁ ଏକୁଟିଆ ରହିବି କେମିତି ?” “ତୁମେ ବ୍ୟସ୍ତ ହୁଅନା, କମ୍ପାନୀ ବ୍ୟବସ୍ଥା କରୁଛି ।” “ଛେନା କରୁଛି, ଯେ ଯାହା କହୁ ପଛେ ମୁଁ ଜମା ଏକୁଟିଆ ରହିବିନି । ରହିବିନି । ରହିବିନି । ସଫା କଥା କହି ଦେଉଛି ।” “ତୁମେ ପଣ୍ଡାବାବୁଙ୍କ ଘରକୁ ଚାଲିଯିବ । କେଇଟା ଘଣ୍ଟା ତ ।” “ମୁଁ କ’ଣ ମୋପାଇଁ କହୁଛି । ନା, ତୁମେ ଯିବନି । ମୋ ରାଣ, କଲି ଯାଅନି । ମୋ ମନଟା କିମିତି ଲାଗୁଛି । ମୋ ରାଣ ମାନିବନି ?

 

ଥରେ ଥରକପାଇଁ ମୋ କଥା ମାନ । କେଜାଣି କେତେବେଳେ କ’ଣ ହେବ ? ହେ, ଭଗବାନ । “ଆଚ୍ଛା, ଆଚ୍ଛା, ଏଇନା ତ ଶୋଇପଡ଼, କାଲି ସକାଳେ ସବୁ ବ୍ୟବସ୍ଥା କରାଯିବ ।” “ମୋ ଆଖିକୁ କ’ଣ ନିଦ ଆସୁଛି ? ଆଜି ମୁଁ ଜମା ଶୋଇ ପାରିବିନି । ପଣ୍ଡାବାବୁଙ୍କ ସ୍ତ୍ରୀଙ୍କଠାରୁ ନଜାକତ୍ ଅଲି କଥା ଶୁଣିଲା ବେଳଠୁ ମୋ ଦେହଟା ଖାଲି କମ୍ପୁଛି ।”

 

ପଣ୍ଡାବାବୁଙ୍କ କ୍ଵାଟର । ମେକାନିକାଲ ଫୋରମେନ୍ ।

 

“ଆରେ ରାତି ଅଧରେ କ’ଣ କରୁଛ ? “ଆଉ କ’ଣ ଦିନବେଳେ ଲୋକଙ୍କୁ ଡକେଇ ସମସ୍ତଙ୍କୁ ଦେଖେଇ କରନ୍ତି ନା କ’ଣ ? ଆଚ୍ଛା ମୂର୍ଖାମି କଥା କହୁଛ ତ ? ଆଣ ଆଣ ଶିଳୁପତଟା ଆଣ ।” ପଣ୍ଡାବାବୁ ଝରକା ଦୁଇଟା ସାବଧାନରେ ବନ୍ଦ କରି ଦେଇ ପଛପଟେ ବଡ଼ ବଡ଼ ପଟା ସବୁ ମାପି ମାପି ସାଇଜ କରି କାଟିଲେ । ତା’ ପରେ ଆସ୍ତେ ଆସ୍ତେ ଗୋଟିଏ ପରେ ଗୋଟିଏ ଝରକା ଦୁଇ ଚଉକାଠ ଉପରେ ରଖି କଣ୍ଟା ପିଟିବାକୁ ଲାଗିଲେ ।” ଏମିତିରେ କ’ଣ କେହି ଆସି ପାରିବେ ନି ? “ଆରେ, ଆସିଲେ ତ ଯେମିତି ହେଲେ ଆସିପାରେ । ତେବେ ଆଗରୁ ସାବଧାନ ହେବା ଭଲ-। ଆଉ ତୁମେ ଶୋଇବ ତ ଶୁଅ ମୋ କାମରେ ଆଉ ବାଧା ଦିଅନା । ଆହୁରି ତିନିଟା ଝର୍କା, ଚାରିଟା ଦୁଆର ବାକି ଅଛି । ଦେଖ କେବଳ ଏଇ ଦାଣ୍ଡ ଦୁଆର ଛଡ଼ା ଅନ୍ୟ କୌଣସି ଦୁଆର ଯେମିତି ଖୋଲା ନ ହୁଏ ।”

 

ପ୍ଳେଟମିଲ୍ ଫୋର୍‍ମେନ୍ ସୁରଜିତ୍ ବେନାର୍ଜି । ନବ ବିବାହିତ ।

 

“ଆଜି ଶୁଣିଛ ନା ଘଟଣା ?”

 

“କ’ଣ କବନ୍ଧର ଘଟଣା ତ ? ତା’ ଆଉ ଶୁଣିନି । ଆଜି ତ ମିସେସ୍ ପଣ୍ଡା, ମିସେସ୍ ମହାନ୍ତି, ମିସେସ୍ ଘୋଷ, ମିସେସ୍ ରାମମୂର୍ତ୍ତି, ଆମ ଏ ସାହିର ସମସ୍ତେ ମିଶି ସେଇକଥା ଦ୍ଵି ପ୍ରହରସାରା ହୋଇଛୁ । ମୋତେ ଯାହା ଡରମାଡ଼ିଲା ମୁଁ କ’ଣ କହିବି ? ଥରେ ଏଇ କବନ୍ଧର ଘଟଣା ଶୁଣିଥିଲି କଲିକତାରେ । ସେତେବେଳେ ମୋର ପିଲାଦିନ । ସାତ ଆଠବର୍ଷ ବୟସ; କିନ୍ତୁ କି ନୃଶଂସ, କି ବିଭିତ୍ସ, ସେ କାହାଣୀ । ଆଜି ବି ମନେ ପଡ଼ିଲେ ମୋ ଦେହସାରା ଶୀତେଇ ଉଠେ-। ସାରାଟା ଦ୍ୱି’ପ୍ରହର ଆଜି କ’ଣ ମୁଁ ଘରେ ରହିଛି । ଖାଲି ମିସେସ୍ ମହାନ୍ତି ଘରେ ବସି ରହିଛି ପରା-। ଏକୁଟିଆ କେତେବେଳେ କ’ଣ ଯେ ହେବ ? ହେ, ମା’ କାଳୀ, ତୁମେଇ ଭରସା “ଆଶ୍ଚର୍ଯ୍ୟ, ଆଜି ପୁରୁଣା ସହରରେ ବୀଭତ୍ସକାଣ୍ଡ ଘଟି ଯାଇଛି । ସମସ୍ତ ଘଟଣା ଜଣାପଡ଼ିନି । ତେବେ ଅନ୍ତତଃ ୩୦।୪୦ ତ ହେବଇ । ନାରୀ, ଶିଶୁ କେହି ବାଦ୍ ପଡ଼ି ନାହାନ୍ତି । ଆଖି ବୁଜି ସେ ଖାଇ ଚାଲିଛି । କି ପ୍ରଚଣ୍ଡ ଯେ ତା’ର କ୍ଷୁଧା ।”

 

“କାଲି ଆଠଟାରେ ଡିଉଟି ଯିବ ?”

 

“ନ ଯାଇ ଉପାୟ ଅଛି ?”

 

“ନା, ନା, ଯିବନି ।”

 

“କିନ୍ତୁ—”

 

“ନା ନା ନା, ମୁଁ କୌଣସି କଥା ଶୁଣିବିନି । ତୁମକୁ କାଲି ଛାଡ଼ିବିନି । ଜମା ନୁହେଁ, ମୋଟେ ନୁହେଁ । ମୋ ଦେହ ଛୁଇଁ ଶପଥ କର । କାଲି ତୁମେ ଯିବନି ।”

 

“ଆଚ୍ଛା— ।”

 

“ନା, ଆଚ୍ଛା ନୁହେଁ, ମୋ ଦେହ ଛୁଇଁ, ମା କାଳୀଙ୍କର ଶପଥ ନେଇ କୁହ, କୁହ ନା ?”

 

“ଆଚ୍ଛା, ବାବା, କାଲି ଯିବିନି । ଯିବିନି । ହେଲା ।” ସୁରଜିତ ଖୁବ୍ ଜୋରରେ କୁଣ୍ଢେଇ ଧରିଲା ସୁଜାତାଙ୍କୁ ।

 

ଆଶଙ୍କାର ରାତ୍ରି ଘନୀଭୂତ ହୋଇଛି । ଏକ ପ୍ରବଳ ଅସ୍ଥିରତା ନୂତନ ନଗରୀର ସ୍ନାୟୁରେ ସ୍ନାୟୁରେ । ବାହାରର ଶାନ୍ତଭାବ ଏକ ଘୋଡ଼ଣୀ ମାତ୍ର । ତା’ ଭିତର କୁହୁଳି କୁହୁଳି ଏକତ୍ର ହୋଇ ସଞ୍ଚାରିତ ହେଉଛି ପ୍ରବଳ ଶକ୍ତିଶାଳୀ ବାଷ୍ପ । ଯେ କୌଣସି ମୂହୁର୍ତ୍ତରେ ବିସ୍ଫୁରିତ ହୋଇ ଉଠିବ; କିନ୍ତୁ ସେଇ ଅଶଙ୍କାର ରାତ୍ରି ସମସ୍ତ କାମନା ବାସନାକୁ ସଂପୂର୍ଣ୍ଣଭାବେ ନିଶ୍ଚିହ୍ନ କରି ଦେଇ ନାହିଁ । ଗଣେଶ ପଣ୍ଡା ଭାବୁଛି ତା’ର ପ୍ରମୋସନର କଥା । ରତିକ୍ରିୟା ଭିତରେ ନିଜକୁ ନିଃଶେଷ କରୁଛି ନୂତନ ନଗରୀର ତୃତୀୟାଂଶ ଜନତା । ସେଇ ବାଷ୍ପ ଏକଭାବେ ବିସ୍ଫୁରିତ ହେଉଛି କଳଙ୍କରେ, ରତିକ୍ରିୟାରେ, ଈର୍ଷାରେ, ଦ୍ଵେଷରେ, ଲୋଭରେ । ସମସ୍ତେ ତାକୁ ଶେଷ କରିବାକୁ ଚାହାନ୍ତି । ସେଇ ଅବଦମିତାବଚେତନାକୁ ନିଶ୍ଚିହ୍ନ କରିବାକୁ ଚାହାନ୍ତି ବିଭିନ୍ନ ପରିପ୍ରେକ୍ଷୀରେ ।

 

ପରଦିନ ସକାଳ ।

 

ଭୂପତି ପଚାରିଲେ, “କିରେ ବ୍ରଜ ଯାଇନୁ ? ସୁର, ତୁ ବି ?”

 

“ଯିବାକୁ ଇଛା ହେଲାନି । ଦେହଟା କେମିତି ଲାଗୁଛି ।”

 

“ଆଉ ସୋମାନାଥ ? ତମେ ?”

 

“ନା, ମୁଁ ବି ଯିବିନି ।”

 

“ତେବେ ମୁଁ ଆଉ କାହିଁକି ଯିବି ?”

 

ଗଣେଷ ପଣ୍ଡା ଦାଣ୍ଡଦୁଆର ଅଳ୍ପ ମେଲାକରି ବାହାରକୁ ଚାହିଁଲେ । ତା’ପରେ ତା’ପରେ ସୁରେଶ ମହାନ୍ତିଙ୍କୁ ତାଙ୍କ ଗେଟ୍ ପାଖରେ ଦେଖି ବାହାରକୁ ଆସିଲେ ।

 

“ଆରେ ମହାନ୍ତିବାବୁ ଗୁଡ଼୍‍ମର୍ଣ୍ଣିଂ ।”

 

ଗୁଡ଼୍‍ମର୍ଣ୍ଣିଂ ଗୁଡ଼୍‍ମର୍ଣ୍ଣିଂ, ଗୋଟାଏ କାମରେ ଆସିଥିଲି ।”

 

“କ’ଣ ?”

 

“ମୁଁ ଆଜି ଆଉ ଯିବିନି, ଏଇ ଦରଖାସ୍ତଟା—”

 

“ଆରେ ମୁଁ ବି ଭାବିଥିଲି ସେଇକଥା । ମୁଁ ବି ତ ଯାଉନି ।”

 

“ତେବେ ?”

 

“ଦେଖିବା, ବେନାର୍ଜି ବୋଧହୁଏ ଯିବ ?”

 

“କ’ଣ ବେନାର୍ଜି ବାବୁ, ସାତଟା ବାଜିଲାଣି ବାହାରି ନାହାନ୍ତି ? ଆଜି କ’ଣ—”

 

“ନା, ମୁଁ ଆଜି ଯାଉନି ।”

 

“ଆରେ କ’ଣ ହେଲା ? ସେପଟେ ହୋ ହୋ କାହିଁକି ଶୁଣାଯାଉଛି ?”

 

“ଦେଖନ୍ତୁ ତ ?”

 

ଗୋଟାଏ ଲୋକ ଧଇଁସଇଁ ଧାଇଁଛି । “କ’ଣ କଥା କ’ଣ ?”

 

“ସେକ୍ଟର ଚାରିରେ କାଲି ରାତିରେ କବନ୍ଧ ଆସି କେମିକାଲ ଇଞ୍ଜିନିୟର ମୁଜାଫର ହୋସେନକୁ ହତ୍ୟା କରିଛି ।”

 

“ସତେ ?”

 

“ଏଇ ପରା, କମ୍ପାନୀ ଗାଡ଼ି ଆସି ତାଙ୍କ ସ୍ତ୍ରୀ ଓ ପିଲାପିଲିଙ୍କୁ ନେଇ ଗଲାଣି ।

 

ସ୍ତବ୍‍ଧ ହୋଇ ଛିଡ଼ା ହୋଇ ରହିଲେ ତିନିଜଣ । ରକ୍ଷା ନାହିଁ । ରକ୍ଷା ନାହିଁ । କବନ୍ଧ ପ୍ରବେଶ କରିଛି ନୂତନ ନଗରୀ ଭିତରେ । ସବୁ ନିଶ୍ଚିତତା ଏଥର କଟି ଯାଇଛି । ଯାହା କିଛି ସନ୍ଦେହ ଥିଲା କବନ୍ଧର ଶକ୍ତି ବିଷୟରେ ଆଜି ସମସ୍ତ ଉନ୍ମୁକ୍ତ ହୋଇ ଯାଇଛି । ନା କବନ୍ଧକୁ ରୋକିବା ବାସ୍ତବିକ୍‍ ଦୁଷ୍କର । ଅପ୍ରତିହତ ତା’ର ଗତି । ଦୂର୍ଦ୍ଦମନୀୟ, ପ୍ରଚଣ୍ଡ ।

 

ଦୁଃଖ ଆଉ ଭୟରେ ଆଖିରେ ପାଣି ଜମି ଆସିଲା ସୁରେଶ ମହାନ୍ତିଙ୍କର । ମୁଜାଫର । ଏକା ସାଙ୍ଗରେ ଛାତ୍ର ଥିଲେ ବନାରସ୍ ବିଶ୍ୱବିଦ୍ୟାଳୟରେ । ପାଖକୁ ପାଖ ରୁମ୍ । ତାଙ୍କର ମେକାନିକଲ ଓ ମୂଜାଫରର କେମିକେଲ । ଏତେ ସୁନ୍ଦର ଏତେ ମେଧାବୀ, ଏତେ ଦୟାଳୁ । ଲକ୍ଷ୍ନୌରୁ ପ୍ରାୟ ପ୍ରତି ରବିବାର ଦିନ ତା’ର ଜଳଖିଆ ଆସେ । କେବେ ସେ ଏକା ଖାଏନି । ସାଙ୍ଗ ସାଥିଙ୍କ ସବୁ ଖୁଆଏ । କି ସୁନ୍ଦର୍ ଗଜଲ୍ ଗାଉଥିଲା ସେ । ଗାଲିବ୍, ଫିରାକ୍, ଶକିଲ୍ ସମସ୍ତଙ୍କର । କି ଅପୂର୍ବ କଣ୍ଠ ତାର ଥିଲା । ଆଉ ନିଜେ ବି ଥିଲା ଗୋଟାଏ କବି । ସାୟର । ପ୍ରତିଦିନ ସକାଳେ କ୍ଲାସକୁ ଗଲାବେଳେ ରାସ୍ତାରେ ସେ ଗୋଟାଏ ନୂଆ ଶେର୍ ଶୁଣାଉଥିଲା । ଆଃ, କାଲି ତା ସାଙ୍ଗରେ ଦେଖା ହୋଇଛି । ଦୁଇଜଣଯାକ ଫେରିଛନ୍ତି ତା’ର ଗାଡ଼ିରେ । ଅଥଚ ଆଜି ସେ ନାହିଁ । ତାକୁ କେହି ରକ୍ଷା କରି ପାରିଲେ ନାହିଁ । ବିଂଶ ଶତାବ୍ଦୀର ସୁସଭ୍ୟ ମଣିଷ ଆଜି କେବଳ ଗୋଟାଏ କବନ୍ଧର ଜ୍ୱଳାରେ ବ୍ୟତିବ୍ୟସ୍ତ । ସେ ନିଜକୁ ତା’ଠାରୁ ରକ୍ଷା କରିପାରୁ ନାହିଁ । କି ହେବ ଏଇ ସଭ୍ୟତା, ସଂସ୍କୃତିର ଅହଙ୍କାର ନେଇ । କ’ଣ ହେବ ତା’ର ବିଜ୍ଞାନ, କଳା–ସ୍ଥାପତ୍ୟର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରି ? ସବୁ ଭ୍ରାନ୍ତି, ସବୁ ମିଥ୍ୟା, ସବୁ କେବଳ ଆତ୍ମ–ପ୍ରବଞ୍ଚନା, କେବଳ ନିଛକ ଆତ୍ମ–ପ୍ରତାରଣା । ଆଖିରୁ ଲୁହ ପୋଛି ଫେରି ଆସିଲେ ଘରମୁଁହା ହୋଇ ଦ୍ରୁତ ପଦରେ ।

 

ଖବରଟା ବିଜୁଳି ବେଗରେ ସେକ୍ଟରରୁ ସେକ୍ଟର, ଘରୁ ପ୍ରତିଘର ହୋଇ ଚାରିଆଡ଼େ ଖେଳିଗଲା ନୂତନ ସହରର । ହଠାତ୍ ଧଡ଼୍‍ଧାଡ଼୍ ହୋଇ କବାଟ ପଡ଼ିବାକୁ ଆରମ୍ଭ କଲା । ଦିନ ଆଠଟାବେଳେ ବି ଗଭୀର ନିଶୁତି ଜମି ଆସିଲା ନୂଆ ସହରର ବୁକୁରେ । ଖବର ପରେ ଖବର । ଟ୍ରେନ, ବାସ୍, ଟେକ୍ସି, ରିକ୍ସା ସବୁ ବନ୍ଦ । ଦୋକାନ ବନ୍ଦ, ବଜାର ବନ୍ଦ । ଅଫିସ୍ ବନ୍ଦ, ସ୍କୁଲ ବନ୍ଦ । ଆଉ କିଛି ନାହିଁ । କବନ୍ଧ ଆସୁଛି । ନାଚି ନାଚି, ଦୁର୍ଦ୍ଦମନୀୟ ବେଗରେ ତା’ର ମୃତ୍ୟୁ ତାଣ୍ଡବର ମହୋଲ୍ଲାସରେ । ଆଉ ରକ୍ଷା ନାହିଁ ।

 

ପୁରୁଣା ସହର ଶ୍ମଶାନରେ ପରିଣତ ହୋଇଛି । ଚାରିଆଡ଼େ ଶବର ଗଦା କୁଢ଼ କୁଢ଼ ହୋଇ ଜମିଛି ଘରେ, ବାହାରେ, ରାଜପଥରେ, ନର୍ଦ୍ଦମାରେ । ବୁଢ଼ା–ବୁଢ଼ୀ, ପ୍ରୌଢ଼–ପ୍ରୌଢ଼ା, ଯୁବକ–ଯୁବତୀ, ଶିଶୁ କିଛି ଆଉ ବାଦ୍ ନାହିଁ । ସମସ୍ତେ ସେଇ ନୃଶଂସ କବନ୍ଧର ଶିକାର ହୋଇଛନ୍ତି-। କେଉଁଠି ଅବା କିଏ ତା’ର କବଳରୁ ବର୍ତ୍ତିଯାଇ ଲୁଚି ବସିଛି । ଆଖି ଆଗରେ ଦେଖିଛି ତା’ର ଭାଇ ବନ୍ଧୁ, କୁଟୁମ୍ୱ, ସ୍ତ୍ରୀ, ସନ୍ତାନ ସବୁ ଗୋଟି ଗୋଟି ହୋଇ କବନ୍ଧର କେମିତି ଶିକାର ହୋଇଛନ୍ତି, କିନ୍ତୁ ସେ ନୀରବରେ ବସି ରହିଛି । ବେଦନାର ଗୁରୁଭାରରେ ହୃଦୟ ଫାଟି ପଡ଼ୁଥିଲେ ସୁଦ୍ଧା ସେ କାନ୍ଦି ପାରୁନି । ଜଡ଼ଭରତ ପରି ବସି ରହିଛି କେବଳ ଭୟରେ ସ୍ତବ୍‍ଧ ହୋଇ । କେଉଁଠି ଅବା ଯୁବତୀ ନାରୀ ତା’ର ନାରୀତ୍ଵର ସର୍ବସ୍ୱ ହରାଇ ନିଃଶେଷ ହୋଇ ପଡ଼ି ରହିଛି ମୁମୂର୍ଷୁ ପରି । ତା ମୁହଁରେ ଟୋପାଏ ପାଣି ଦେବାକୁ କେହି ନାହିଁ । କେଉଁଠି ଅବା କବନ୍ଧର ଖେଆଲରୁ ମୁକ୍ତିଲାଭ କରି କେଉଁ ଏକ ପିତୃମାତୃ–ହରା ଶିଶୁ ଆକୁଳ କ୍ରନ୍ଦନରେ ଭସାଇ ଦେଉଛି । ମା’ ମା’ ଡାକି ଖୋଜି ବୁଲୁଛି ତା’ର ଆଶ୍ରୟସ୍ଥଳ ମା’ କୁ । ଚାରିଆଡ଼େ ଏକ ବିଷାଦର ହାହାକାର । ଲକ୍ଷ ପ୍ରାଣର ଆକୁଳ କ୍ରନ୍ଦନ, ବିଷାଦର ଦୀର୍ଘଶ୍ୱାସ, ଭୟର ସ୍ଵେଦବିନ୍ଦୁ, ଆଉ ହତାଶାର ଲବଣାକ୍ତ ଢେଉ ଆଉ ସର୍ବୋପରି ଶହ ଶହ ପ୍ରାଣୀର ଉଷୁମ ରକ୍ତଧାରା ଗଗନପବନକୁ ବେଦନାର୍ତ୍ତ କରି ତୋଳୁଛି ସିନା, କିନ୍ତୁ କବନ୍ଧର ଅସୀମ ବାଲିଚର ଭିତରେ ସବୁ ନିଶ୍ଚିହ୍ନ ହୋଇ ଯାଉଛି । ଏଇ ବିଷାଦିତ ପଟ୍ଟଭୂମିରେ ଶୁଭୁଛି ତା’ର ଆନନ୍ଦର ବିକଟ ଅଟ୍ଟହାସ୍ୟ । ମହୋଲ୍ଲାସ ଓ ବିଜୟର ଉଦାତ୍ତ କୁହାଟ । ବଂ ବଂ ଶିବଶମ୍ଭୁ । ‘ଜୟ ମା କାଳୀ’, ‘ଆଲ୍ଲା ହୋ ଆକବର’ । ବହୁଦିନ ପରେ ପୁଣି କବନ୍ଧ ଫେରି ପାଇଛି ନିଜକୁ । ତା’ର ଅସୀମ ଶକ୍ତିକୁ । ଆଜି ତା’ର ମୁକ୍ତିର ଦିବସ । ତେଣୁ ସେ ରଚିଛି ଆଜି ପ୍ରଳୟ ତାଣ୍ଡବ । ଧ୍ଵଂସ କରି ଦେବ ସେ ଆଜି ମଣିଷ—ସମାଜକୁ । ପଞ୍ଚବଟୀ ସମାଜର ସମସ୍ତ ଋଷିମାନଙ୍କୁ । କେହି ତାକୁ ରକ୍ଷା କରି ପାରିବେ ନାହିଁ । ତା’ର କ୍ଷୁଧାର ଉପଶମ ନହେଲା ପର୍ଯ୍ୟନ୍ତ କୌଣସି ଶକ୍ତି ତା’ର ପ୍ରତିରୋଧ କରି ପାରିବ ନାହିଁ । ନାଚ, ନାଚ, ହତ୍ୟା, ଧ୍ୱଂସ । ଗରମ ଲହୁର ମଦିରାର ଆସ୍ଵାଦରେ ସେ ଆଜି ଆହୁରି ମାତାଲ, ଆହୁରି ଉଚ୍ଛୃଙ୍ଖଳ । ଅନେକ ଆନନ୍ଦ ମଣିଷର ଲୁହ ପିଇବାରେ । ଅନେକ ଆନନ୍ଦ ତାକୁ ମାଡ଼ି ମକଚି, ଦଳି ଧ୍ୱଂସ କରିବାରେ । ଶିଶୁର ନରମ ବେକରେ ଆସ୍ତେ କରି ବୁଲେଇ ଦିଅ ତୀକ୍‍କ୍ଷଣ୍‍ ଛୁରିକା । ପୁରୁଷର ବଳିଷ୍ଠ ବୁକୁରେ ଆଘାତ କରି ଧ୍ୱଂସ କର ତାକୁ ସେଇ ଛୁରିକା ନେଇ । ଆଉ ନାରୀର ନରମ ଛାତିର ଉଦ୍ଧତ ସ୍ତନକୁ କାଟିଦିଅ ଛେନା ପରି । ‘ବଂ, ବଂ ଶିବଶମ୍ଭୁ ! ସେଇ ସୁନ୍ଦର ନାରୀକୁ ଉପଭୋଗ କର । ତାକୁ ଛିନ୍ନ ଭିନ୍ନ କରି ଶାଗୁଣା ପରି ଖାଇଯାଅ । ‘ଆଲ୍ଲା ହୋ ଆକବର’ । ଶଙ୍ଖ-ଧବଳ ଗ୍ରୀବାତଳେ ମୋଟା ନଳଟାକୁ କାଟି କାଟି ଦୁଇଭାଗ କର । ‘ଜୟ ମା କାଳୀ’ ବୀର ହନୁମାନ କି ଜେ’ ।

 

ପ୍ରଳୟ ନିର୍ତ୍ତନରେ ଅବିଶ୍ରାନ୍ତ ଭାବରେ ନାଚି ଚାଲିଛି କବନ୍ଧ ।

 

ସେକ୍‍ଟର ତିରିଶରେ କବନ୍ଧ ଆସି ତା’ର ପ୍ରଥମ ପଦଚିହ୍ନ ରଖି ଦେଇଗଲାଣି । ଆଉ ରକ୍ଷା ନାହିଁ । ଆଜି ତା’ର ବିଜୟ ଅଭିଯାନ ଆରମ୍ଭ କରିବ ସେ । ନା, ଆଉ ସହର ଛାଡ଼ିଯିବାର ଉପାୟ ନାହିଁ । ଏ ଅଭିଶପ୍ତ ସହରର ସମସ୍ତ ମୁକ୍ତି ପଥ ବନ୍ଦ । ଆଉ ଉପାୟ ନାହିଁ । ଏଇ ମୃତ୍ୟୁ ଉପତ୍ୟକା ଭିତରେ ସମସ୍ତଙ୍କର ସମାଧି ହୋଇଯିବ ବହଳ ଭୟର ଘନ ଅଙ୍ଗାରକାମ୍ଳ ବାଷ୍ପରେ ଶ୍ୱାସରୁଦ୍ଧ ହୋଇ ।

 

ସୋମନାଥ କାନ୍ଦୁଛି । ଆଉ ତା’ର ବାସର ରାତିର କାବ୍ୟନାୟିକାର ସ୍ପର୍ଶ ସେ ପାଇବନି-। ତା’ର ଲଜ୍ଜା–ରଙ୍ଗା ନରମ ଓଠର ସ୍ଫୁରିତ ଶିହରଣକୁ ନିଜର ଓଠର ପିଆଲାରେ ଭରିଦେଇ ତା’ରି ମତୁଆଲା ରସରେ ଆତ୍ମବିସ୍ମୃତ ହୋଇ ପାରିବନି । ବାହାଘରର ମାତ୍ର କେତେଟା ମାସ । କେତେ ଆଶା, କେତେ ସ୍ଵପ୍ନ, କେତେ କଳ୍ପନା । ସବୁ ଆଜି ଜାଣି ଶୁଣି ଆଖି ଆଗରେ ଧୀରେ ଧୀରେ ତାସର ଘର ଭାଙ୍ଗି ପଡ଼ୁଛି । ଆଃ, ବିନୀତା । ମରିବା ଆଗରୁ ଥରେ ଯଦି ତା’ର ଦେଖା ପାଆନ୍ତା-। କେବଳ ଯଦି ଥରକ ପାଇଁ ପାଆନ୍ତା ସେଇ ମଧୁକ୍ଷରା ଓଷ୍ଠର ସ୍ପର୍ଶ । କେବଳ ଥରକ ପାଇଁ ଶୁଣନ୍ତା ତା’ର ମଧୁଭାଷା, ଥରକ ପାଇଁ ଅନୁଭବ କରନ୍ତା ତା’ର ମଧୁଝରା ମଧୁହାସ, ଆଉ ସ୍ଵପ୍ନଭରା ଆଖିର ବିହ୍ୱଳ ଚାହାଣି; କିନ୍ତୁ ନା, ସେ ଆଉ ଆସି ପାରିବନି । ସେ ମଧ୍ୟ ଯାଇ ପାରିବନି । ସବୁ ବାଟ ବନ୍ଦ । ତେବେ କ’ଣ ସେ ଏମିତି ବିନା ଚେଷ୍ଟାରେ ଅସହାୟ, ଦୁର୍ବଳଭାବରେ ନିଜକୁ ନିଃଶେଷ କରିଦେବ ? ନା, ନା, ତାହାହେଲେ ମୃତ୍ୟୁପରେ ସେତେବେଳେ ବିନୀତା ପଚାରିବ ତୁମେ କ’ଣ ଆସିବାକୁ ଚେଷ୍ଟା କରିଥିଲ । ସେ କ’ଣ ଉତ୍ତର ଦେବ ? ଏଇଠି ଖାଲି ବସି ବସି ଭାବିଲେ ଲାଭ କ’ଣ ? ତା’ର କିଛି କରିବା ଉଚିତ । ସେ ଯେମିତି ହେଉ ଏଇ ଶାପଗ୍ରସ୍ତ ନଗରୀରୁ ମୁକ୍ତି ନେଇ ପଳାଇବା ଉଚିତ; କିନ୍ତୁ କେମିତି ? କୋଉ ଉପାୟରେ ? ସହରର ଆଗ ଷ୍ଟେସନ ପର୍ଯ୍ୟନ୍ତ ଟ୍ରେନ ଆସୁଛି । ସେ ଯଦି ସେମିତି ବାଟ ଚାଲିଯାଇ ପାରନ୍ତା ତେବେ ଆଉ ଅସୁବିଧା କିଛି ରହନ୍ତା ନାହିଁ-। କେତେ ବାଟ ହେବ ସେଇ ଜାଗା ? କେବେତ ସେ ଆଗରୁ ସେ ବିଷୟରେ ପଚାରି ଦେଖିନି । ଓଃ, ନିଜପ୍ରତି ଘୃଣାରେ ନିଜେ ବିଷାକ୍ତ ହୋଇଉଠିଲା ସୋମନାଥ । ମନେ ମନେ ପୁଣି ହିସାବ କରିବାକୁ ଲାଗିଲା । ହୋଇପାରେ ବାର ମାଇଲ । ସନ୍ଧ୍ୟାବେଳେ ବାହାରିଗଲେ । ସେ ସକାଳେ ଯାଇ ସେଠାରେ ପହଞ୍ଚି ସାରିଥିବ । ଅତଏବ ଯାହା ହେଉନା କାହିଁକି ସେ ନିଶ୍ଚୟ ଯିବ ।

 

ବ୍ରଜ କାନ୍ଦୁଛି । କାନ୍ଦୁ କାନ୍ଦୁ ତା’ର ଜୀବନର ଶେଷ ଇଚ୍ଛା ଲିପିବଦ୍ଧ କରୁଛି । ପୂରା ପ୍ୟାଡ଼ଟା ଶେଷ କରି ସାରିଲାଣି । ସାରା ରାତିଟା ବସି ବସି କଟେଇ ଦେଇଛି ସେ । କ’ଣ ଲେଖୁଛି କେଜାଣି ?

 

ଭୂପତି ଛଟପଟ ହେଉଛନ୍ତି ଖଟ ଉପରେ । ଘରେ ବୃଦ୍ଧା ପିତା ମାତା । ଦୁଇଟି ଭଉଣୀ-। ଭଉଣୀର ବିଭାଘର ହୋଇ ପାରିନି ବୋଲି ଏ ପର୍ଯ୍ୟନ୍ତ ସେ ବିବାହ କରିପାରି ନାହାନ୍ତି-। ଏକମାତ୍ର ପରିବାରର ଅନ୍ନଦାତା ସେ । ଆଜି ଯଦି ତାଙ୍କର ମୃତ୍ୟୁ ହୋଇଯାଏ କ’ଣ ହେବ ସେମାନଙ୍କର ? ତାଙ୍କର ଭବିଷ୍ୟତ ଜୀବନର ଦୁର୍ଦ୍ଦଶାର କଥା ସ୍ମରଣ କରୁ କରୁ ସେ ଆଖିର ଲୁହରେ ତକିଆ ଭିଜେଇ ସାରିଲେଣି ସାରାରାତିଟା ଧରି ।

 

ମୋର ଅବଶ୍ୟ ପ୍ରେମିକା ନାହାନ୍ତି କି ପରିବାରର ଚିନ୍ତା ବି ମୋର ନାହିଁ; କିନ୍ତୁ ତଥାପି କାହିଁକି ଏଇ ଅଯଥାଭାବରେ ମୃତ୍ୟୁବରଣ କରିବା ଲାଗି ଦେହମନ ବିଦ୍ରୋହ କରି ଉଠୁଛି । ମନେ ପଡ଼ୁଛି ଅତୀତ ଜୀବନରେ ଘଟିଥିବା ଯେତେ ସୁଖର କାହାଣୀ । ଆଶ୍ଚର୍ଯ୍ୟ । ଯୋଉଗୁଡ଼ା ମୁଁ ଭୁଲି ଯାଇଥିଲି ବୋଲି ଭାବୁଥିଲି ସବୁଗୁଡ଼ା ପୁଣି ଟିକିନିଖି ହୋଇ ଫୁଟି ଉଠିଛି ଆଖି ଆଗରେ । ମୋରି ଆଖିରେ ମଧ୍ୟ ଲୁହ । ଉପାୟହୀନତାର, ଦୁର୍ବଳତାର ।

 

ଆଶଙ୍କା, ଉଦ୍‍ବେଗ, ଉତ୍କଣ୍ଠା ନେଇ ଆହୁରି ଗୋଟାଏ ରାତ୍ରି କାଟିଲା ଇସ୍ପାତ ନଗରୀ ।

 

ସକାଳୁ ଆସି ପହଞ୍ଚିଲେ ଇଞ୍ଜିନିୟର ସୁରେଶବାବୁ । “ଏମିତି କରି ଦୁର୍ବଳ ଭାବରେ, ଅସହାୟ ଭାବରେ ତ ତା’ର ଅତ୍ୟାଚାରକୁ ସହ୍ୟ କରିଗଲେ ଚଳିବ ନାହିଁ । ଆମ୍ଭେମାନେ ମଣିଷ । ତା’ର ଅନ୍ତତଃ ପ୍ରତିବାଦ ଦରକାର, ପ୍ରତିରୋଧ ଦରକାର । ନହେଲେ ବାହାର ଲୋକ କ’ଣ କହିବେ ? ଆମେ ଶିକ୍ଷିତ, ସଭ୍ୟ, ମାର୍ଜିତ । ଆମର ଦୃଷ୍ଟିକୋଣ ଏମିତି ହେବା ଉଚିତ ନୁହେଁ । ଯଦି ପ୍ରତିରୋଧ କରୁ କରୁ ମୃତ୍ୟୁ ହୁଏ ସେଇଟା ବରଂ ଶ୍ରେୟଃ, କିନ୍ତୁ ଏମିତି ଚୁପଚାପ୍ ନିଷ୍କ୍ରିୟ ଭାବରେ ବସିରହି ନିଜକୁ ତା’ ପାଖରେ ବଳି ଦେବାରେ କ’ଣ ଅର୍ଥ ହୁଏ ? ଚାଲନ୍ତୁ ଆମ୍ଭେମାନେ ବସି ଗୋଟାଏ କମିଟି କରିବା ସେଇଠି ବସି ଉପାୟ ନିର୍ଦ୍ଧାରଣ କରିବା ।” ହଠାତ୍ ଗୋଟାଏ ଆଶାର କ୍ଷୀଣସୂତ୍ର ଉଦିତ ହେବା ଦେଖି ଆମେ ସମସ୍ତେ ସେଇଟାକୁ ନେଇ ବଞ୍ଚିବାପାଇଁ ଉଠି ବସି ଲାଗି ପଡ଼ିଲୁ । ସତେତ, ଏମିତି ଦୁର୍ବଳ ଭାବରେ ବସି ଅଶ୍ରୁମୋଚନ କରିବାରେ ଲାଭ କ’ଣ ? ଏଇ ଆଇଡିଆଟା ସମସ୍ତଙ୍କ ମନକୁ ଏମିତି ପାଇଲା ଯେ ଆମେ ଯାଇ ସୁରେଶବାବୁଙ୍କ ଘରେ ପହଞ୍ଚିବା ଆଗରୁ ଦେଖିଲୁ ଆମ ଏ ପାଖର ପ୍ରାୟ ସବୁ ଲୋକ ସେଇଠି ପହଞ୍ଚି ଯାଇ ସାରିଲେଣି । ସାଙ୍ଗେ ସାଙ୍ଗେ ସେଇଠୁ ଆମଭିତରୁ ମନୋନୀତ ହୋଇ କମିଟି ହେଲା । ସେକ୍ଟର କମିଟି ତା’ ପରେ ଲାଇନ୍ କମିଟି । ସମସ୍ତେ ସେଥିରେ ସଭ୍ୟ । ସାଙ୍ଗେ ସଙ୍ଗେ ବିଚାର ଆଲୋଚନା ବି ଚାଲିଲା । ସେ ଭିତରେ ଗରମାଗରମ ଯୁକ୍ତିତର୍କ ବି ଆରମ୍ଭ ହେଲା । ମଝିରେ ମଝିରେ ଏମିତି ହେଲା ଯେ ଆମେ କେଉଁଥିପାଇଁ ଏଠାକୁ ଆସିଛୁ, ସେଇଟାକୁ ବି ସମସ୍ତେ ଭୁଲିଗଲି । ଯାହା ହେଉ ପ୍ରାୟ ତିନି ଚାରିଘଣ୍ଟାର ଅକ୍ଳାନ୍ତ ପରିଶ୍ରମରେ ଓ ଅଜସ୍ର ବାକ୍ୟ ବ୍ୟୟରେ ପ୍ରସ୍ତାବ ଗ୍ରହଣ କରାଗଲା । ଦିନବେଳେ ସମସ୍ତେ ପ୍ରସ୍ତୁତ ହୋଇ ରହିବେ । ଯଦି କେଉଁଠି କେତେବେଳେ ଜଳନ୍ଧର ଛାୟା ଦେଖାଗଲା ତେବେ ଯିମିତି ଗୋଟାଏ ମିନିଟରେ ଯେ ଯାହାର ଆୟୁଧ ନେଇ ବାହାରକୁ ବାହାରି ଆସିବେ । ରାତି କଥା ଅଲଗା । ସନ୍ଧ୍ୟା ଛ’ଟାରୁ ସକାଳ ଛ’ଟା ପର୍ଯ୍ୟନ୍ତ ସବୁ ରାସ୍ତାରେ ପହରା ଦେବାକୁ ପଡ଼ିବ । ପ୍ରତି ଦଳରେ ଅନ୍ୟୁନ ଦଶଜଣ ଲୋକ ରହିବେ । ଆଉ ପ୍ରତି ଦୁଇ ଘଣ୍ଟାର ଥରେ ଲେଖାଏଁ ଡିଉଟି ପରିବର୍ତ୍ତିତ ହେବ । ତାହାହେଲେ କେହି ପୂରାପୂରି କ୍ଳାନ୍ତ ହୋଇ ପଡ଼ିବେ ନାହିଁ । ଦରକାର ପଡ଼ିଲେ ଯୁଦ୍ଧ କରିବାକୁ ସେମାନେ ମଧ୍ୟ ଯୋଗ୍ୟ ରହିବା ଉଚିତ୍ ।

 

ଅନ୍ତତଃ ଦ୍ଵିପ୍ରହରଟା ଏଇ କଥାରେ ଆଲୋଚନାରେ କଟିଗଲା । କ୍ଷଣକପାଇଁ ସମସ୍ତେ ଯେମିତି ଯୁକ୍ତିର ସ୍ୱାଦ ପାଇ ବଞ୍ଚିଲେ । ତେଣୁ ଦ୍ଵିଗୁଣ ଉତ୍ସାହ ଓ ଉଦ୍ଦୀପନା ନେଇ ଆମେ ପୁଣି ସନ୍ଧ୍ୟାବେଳେ ବାହାରି ପଡ଼ିଲୁ । ସୋମନାଥ ଯେ ପରେ କୁଆଡ଼େ ଖସିଗଲା ଆମେ କେହି ଲକ୍ଷ୍ୟ କରିନୁ । କାରଣ ସେତେବେଳେ ଆମ ମନରେ ଆସିଥାଏ ନୂତନ ଉତ୍ସାହର ଜୁଆର । ଆଉ ଭୟର ଚିନ୍ତାର ପ୍ରାବଲ୍ୟ ଏତେ ନଥାଏ । ପ୍ରଥମ ଦଳରେ ଆମେ ଚାରିଜଣ ଓ ଅନ୍ୟ ଛ’ଜଣ ରହିଲୁ; କିନ୍ତୁ ଆମର ଡିଉଟି ପଡ଼ିଲା ରାତି ବାରଟାରୁ ରାତି ଦୁଇଟା । କାରଣ ଆମର ତ ଆଉ ପରିବାର ନାହିଁ । କିଛି ଅବଶୋଷ ନାହିଁ । କାରଖାନରେ ତ ପୁଣି ରାତି ଡିଉଟି ହେଉଛି । ଏଣୁ ଆମର ଡିଉଟି ସମ୍ବନ୍ଧରେ ସୁରେଶବାବୁଙ୍କଠାରୁ ଠିକ୍ ଖବର ନେଇ ଫେରିଆସି ଦେଖତ ସୋମନାଥ ନାହିଁ । ସେ ତ କୁଆଡ଼ିକୁ ବାହାରିଯିବା ପିଲା ନୁହେଁ । ତା’ ପୁଣି ବର୍ତ୍ତମାନ ସମୟରେ । ଆମ ମନରେ ପାପ ଛୁଇଁଲା । ରାତି ଆଠଟା ବାଜିଲାଣି । କୁଆଡ଼େ ଗଲା ସେ । ହଠାତ୍ ଭୂପତିରେ ମନେପଡ଼ିଲା ଯେ ସକାଳେ ସହରର ଆଗ ଷ୍ଟେସନଟାର ଦୂରତା ପଚାରୁଥିଲା ବୋଲି; କିନ୍ତୁ ସେ କଥାଟାର ଗୁରୁତ୍ଵ ସେତେବେଳେ ଦେଇ ନଥିଲା । ତେବେ ସେ କ’ଣ ସେ ଆଡ଼କୁ ଚାଲି ଯାଇଚି । ତଥାପି କାଳେ ଏଇ ପାଖରେ ଥିବ ଏମିତି ଭାବି ସାରା ସେକ୍ଟର ଚିହ୍ନା ଜଣା ଲୋକଙ୍କ ଘରେ ପଚାରି ଆସିଲୁ; କିନ୍ତୁ ସୋମନାଥର ଦେଖା ନାହିଁ । ନିଶ୍ଚୟ ସେଇଆଡ଼କୁ ଚାଲିଯାଇଛି । ହଠାତ୍ କରି ଗୋଟାଏ ଭାବନା ଖେଳିଗଲା ଆମ ସମସ୍ତଙ୍କ ମନରେ । ଭୂପତି ଚାହିଁଲା ମୋ ମୁହଁକୁ । ମୁଁ ଚାହିଁଲି ବ୍ରଜ ମୁହଁକୁ । ଭୂପତି ମୁହଁ ତଳକୁ କଲେ । ଆମେ ସମସ୍ତେ । ରାସ୍ତାଟା ପୁରୁଣା ସହର ପାଖଦେଇ । ଅନେକ ସମୟଧରି ଆମେ ଚୁପଚାପ ବସି ରହିଲୁ । କୋଠରୀର ନିଃଶବ୍ଦତା ଯେମିତି କ୍ଷଣକୁ କ୍ଷଣ ଆହୁରି ବେଶି ବେଶି ଭାରି ହୋଇ ଉଠୁଥାଏ । ବ୍ରଜ ଆଉ ସହ୍ୟ କରି ପାରିଲିନି । ସୋମନାଥ ବିଛଣାକୁ କୁଣ୍ଡେଇ ଧରି ଭେଁ କରି କାନ୍ଦି ଉଠିଲା । ଭୂପତି ଆଉ ମୁଁ ସମ୍ଭାଳି ପାରିଲି ନାହିଁ ।

 

ରାତି ସାଡ଼େ ଦଶଟା । ନା, ଆଉ ଭାବିବାର ସମୟ ନାହିଁ । ଡିଉଟି କରିବାକୁ ପଡ଼ିବ । ଦିନବେଳେ କୌଣସିମତେ ମେସ୍‍ର ରୋଷେଇ ଘର ଝଡ଼ାଝଡ଼ି କରି ଫୁଟାଫୁଟି କରି ଦି’ଟା ଭାତ ସମସ୍ତେ ଖାଇଥିଲୁ । ତା’ପରେ ସେକଟର ଶେଷର ଦୋକାନୀକୁ ବହୁତ କୁହାବୋଲା କରି ତା’ର ଦୋକାନରୁ ଦି’ ଦିନ ତଳର ଶୁଖିଲା ପାଉଁରୁଟି, କିଛି ଅଣ୍ଡା, ଚା’ ଓ ଚିନି ଆଣି ରଖିଥିଲୁ । ଅନ୍ତତଃ ତିନି ଚାରିଦିନ ପାଇଁ । ତା’ ପରେ ଯେ କ’ଣ ହେବ କେଜାଣି । କାରଣ ସେ ଦୋକାନୀ ପାଖରେ ଆଉ କିଛି ଜିନିଷ ନଥିଲା । ଥଟ୍ଟାରେ ଥଟ୍ଟାରେ ଅଭିରାମବାବୁ କହିଲେ, “ଯାହା ଜଣାପଡ଼ୁଛି, କବନ୍ଧ ଆସୁ କି ନ ଆସୁ, ଆମ ଭିତରୁ ଅଧେ ଭୟରେ ତ ଅଧେ ଭୋକରେ ମରିଯିବା ।” ଖାଇବାକୁ ଇଚ୍ଛା ଆଉ ନଥାଏ । ସକାଳର ସମସ୍ତ ଉତ୍ସାହ,ଉଦ୍ଦୀପନା ଥଣ୍ଡା ପଡ଼ିଯାଇଥାଏ । ତଥାପି କୌଣସିମତେ ଖଣ୍ଡେ ଦୁଇଖଣ୍ଡ ଖାଇ, ଚା’ କପେ କପେ ପିଇ ସମସ୍ତେ ବାହାରିପଡ଼ିଲୁ ଡିଉଟିପାଇଁ । କୌଣସିମତେ ବଞ୍ଚିବାକୁ ପଡ଼ିବ । ନିଜକୁ ରକ୍ଷା କରିବାକୁ ପଡ଼ିବ । ଖାଇପିଇସାରି ବାହାର କବାଟରେ ତାଲା ଝୁଲେଇ ସାଙ୍ଗରେ ତିନିଟା ବଡ଼ ବଡ଼ ଠେଙ୍ଗା ନେଇ ଆମେ ଗେଟ ଖୋଲି ବାହାରକୁ ଆସିଛୁ କି ନାହିଁ ଗଳିମୁଣ୍ଡରେ ଶୁଣାଗଲା ଗୋଟାଏ କୋଳାହଳ । ଗୁଡ଼ାଏ ଲୋକଙ୍କର ପାଟି ଓ ଚିତ୍କାର । ସାଙ୍ଗେ ସାଙ୍ଗେ ଠେଙ୍ଗା ନେଇ ଧାଇଲୁ ସେଇଆଡ଼କୁ । ହଠାତ୍ ଠେଲି ଭିତରକୁ ଯାଇ ଦେଖୁତ ଗୋଟାଏ ପାଗଳା ଲୋକକୁ ଘେରି ସମସ୍ତେ ପାଟିତୁଣ୍ଡ ଆରମ୍ଭ କରିଛନ୍ତି । ପାଗଳଟି କେତେବେଳେ ହସୁଛି, କେତେବେଳେ କାନ୍ଦୁଛି । କେତେବେଳେ ମାରି ଗୋଡ଼ଉଛି । ମୁଣ୍ଡର ବାଳ ଇତସ୍ତତଃ । ବାଁପାଖ ମୁଣ୍ଡଟା ଫାଟି ରକ୍ତ ବୋହି ଶୁଖିଯାଇଛି । ପାଖକୁ ଯାଇ ଦେଖୁଁ ପାଗଳଟି ଆଉ କେହିନୁହେଁ, ଆମରି ସୋମନାଥ । ଖବର ନେବାରୁ ଜଣାଗଲା ସେକ୍ଟର ଲାଇନ୍ କମିଟି ତାକୁ ଲୁଚି ଲୁଚି ଯାଉଥିବାର ଦେଖି କବନ୍ଧ ଭାବି ଯାଇ ଠେଙ୍ଗାଏ ପକାଇଲେ । ତା’ପରେ କାହା ମନରେ କି ସୁବୁଦ୍ଧି ହେଲା କେଜାଣି ତା ପକେଟ୍ ଦରାଣ୍ଡିବାରୁ ପାଇଲେ କମ୍ପାନୀର ଆଇଡେଂଟିଟି କାର୍ଡ । ସେଇଠୁ ତାକୁ ଆଣି ଆମ କାମଟି ପାଖରେ ବର୍ତ୍ତମାନ ଛାଡ଼ି ଦେଇଛନ୍ତି ।

 

ଏଥର ଯଦି ଭଲରେ ଭଲରେ କଲିକତା ଫେରିଯାଏ ବୋଦା ବଳି ଦେବି ମା’ । ତୁ ତାଙ୍କୁ ସହାୟ ହୋଇଥା ମା’ । କିମିତି ଭଲରେ ଏ ଦୁର୍ଯୋଗ କଟିଯାଏ । ଆଃ, ରାତି ବାରଟା ହେଲାଣି । କି ବୁଦ୍ଧି ଏଇ ମଣିଷଟାର କେଜାଣି । ଘରେ ଏକୁଟିଆ ଯୁବତୀ ସ୍ତ୍ରୀକୁ ରଖି ଦେଇ ବାହାରେ ଲଢ଼େଇ କରିବାକୁ ଯାଇଛନ୍ତି । ଯଦି ଏଇନା କିଏ ପଶିଆସେ ମୁଁ କ’ଣ କରିବି ? ରାତି ବାରଟା ବାଜିବାକୁ ବସିଲାଣି, ୟାଙ୍କର ଆଉ ଡିଉଟି ସରୁନି । ସେଇ ସାଢ଼େ ନ’ଟା ବେଳୁ ବାହାରି ଗଲେଣି । ସମସ୍ତେ କ’ଣ ତାଙ୍କ ପରି ଏତେ ଆଗରୁ ଯାଉଛନ୍ତି । ଏଇଟା କ’ଣ କାରଖାନା ଡିଉଟି ହୋଇଛି ଯେ ଖାତାରେ ନାଲି ଦାଗ ପଡ଼ି ଯାଉଛି । ଆଶ୍ଚର୍ଯ୍ୟ ୟାଙ୍କର କଥା ସବୁ । ସାରା ଜୀବନ ତ ପଢ଼ାପଢ଼ିରେ କଟି ଯାଇଛି । ଜୀବନରେ କେବେ ଲାଠି ଦେଖି ନାହାନ୍ତି । ଏ ପୁଣି କରିବେ ଲଢ଼େଇ ? ତା’ଠୁ ବରଂ ଏଇଠି ବସିଥିଲେ ଭଲ ହୋଇଥାନ୍ତା । ଆରେ କିଏ, କିଏ । ନା’ କେହି ନୁହେଁ । ବିଲେଇଟା ଏ କାନ୍ଥରୁ ସେ କାନ୍ଥକୁ ଡେଇଁ ପଡ଼ିଲା । ମା’ ଗୋ । ନା, ଆଉ ପାରିବିନି । କାଲିଠୁଁ ମନା କରିଦେବି ତାଙ୍କର ଆଉ ଯିବା ଦରକାର ନାହିଁ ।

 

ଫତୀମା ବେଗମ୍ କହିଲା ସେକ୍ ମହତାବ୍‍କୁ । ତୁମେ ଆଜି ଆଉ କାହାରି ସାଙ୍ଗରେ ଯାଅନା । କମ୍ପାନୀକୁ ଫୋନ୍ କର । ଆମେ ପଳେଇବା କାରଖାନା ଭିତରକୁ । ଏଇଠି ରହିବାପାଇଁ ମୋ ମନ ଜମା ଭଲ ଲାଗୁନି । ସତରେ, କାହିଁକି କେଜାଣି ଭୀଷଣ ଅସ୍ଵସ୍ତି ଲାଗୁଛି ।

 

“ତୁମେ ଖାଲି ମିଛଟାରେ ଚିନ୍ତା କରୁଛ ? ଏଇଠିକୁ କବନ୍ଧ ଆସି ପାରିବ ନାହିଁ । ତା’ଛଡ଼ା ଏଇତ ଏଇଠି ଅଶୋକ ଚାଟାର୍ଜି, ଭୁପିନ୍ଦର ସିଂ, ବେଣୁ ଲେଙ୍କା ପ୍ରଭୃତି ସମସ୍ତେ ଅଛନ୍ତି । ସେମାନେ ତ ପଳେଇ ଯାଉ ନାହାନ୍ତି ?”

 

“ସେମାନେ ତ ଆଉ ଆମପରି ନୁହଁନ୍ତି ?”

 

“କାହିଁକି ?”

 

“ସେମାନେ ତ ଆମ ଧର୍ମର ନୁହଁନ୍ତି ?”

 

“ହେଲା ତ କ’ଣ ହେଲା ? କବନ୍ଧ ଆସିଲେ କ’ଣ ଭାବିଛ ସେ ଖାଲି ଧର୍ମ ବାଛି ବାଛି ଖାଇବ । ତା’ର କିଛି ବାଛ ବିଚାର ନାହିଁ । ବୁଝିଲ । ସେ ନିର୍ବିଚାରରେ ସମସ୍ତଙ୍କୁ ଖାଇବ । ଏଣୁ ମରିବା ଯଦି ସମସ୍ତେ ଏକା ସାଙ୍ଗରେ ମରିବା । ମୁଁ ଯଦି ବର୍ତ୍ତମାନ ପଳେଇ ଯାଏ, ସେମାନେ ସବୁ କ’ଣ ଭାବିବେ ? ମହତାବ୍ ଆମକୁ ବିଶ୍ୱାସ କରି ପାରିଲା ନାହିଁ । ପରେ ତାଙ୍କୁ ମୁହଁ ଦେଖେଇ ପାରିବି ?”

 

“କିନ୍ତୁ— ?”

 

“କିନ୍ତୁ ଫିନ୍ତୁ କିଛି ନୁହେଁ । ଫତିମା, ସବୁ ଠିକ୍ ହୋଇଯିବ ।”

 

“ତମେ ଯାହା ଭଲ ଭାବୁଛ କର ।”

 

“ଆଚ୍ଛା ତୁମକୁ ଯଦି ଭୟ ଲାଗୁଛି, ତୁମକୁ ତୁମର ଫୁଫୁ ଘରେ ଛାଡ଼ି ଦେଇ ଆସିବି ? କିନ୍ତୁ ଯିବା କେମିତି ? ନା, ଆଉ କିଛି ଭାବନି । ଯାହା ହବାର ହବ । ସବୁ ଆମରି ଭାଗ୍ୟ ।”

 

ମହତାବ୍ ବାହାରିଲା ଲାଇନ୍ କମିଟିରେ ଯୋଗ ଦେବାକୁ, ଅଶୋକ, ଭୁପିନ୍ଦର, ବେଣୁ, ରାମମୂର୍ତ୍ତି ସବୁ ଏକାଠି ହୋଇ ବସିଛନ୍ତି । ମହତାବ୍ ଯାଇ ପହଞ୍ଚିଲା । ଲେଙ୍କା କହିଲା, “ଏଇ ତ ମହତାବ୍ ଆସିଗଲା ।” “କାହିଁକି କ’ଣ ହେଲା ?” “ନା, ତମରି ବିଷୟରେ କଥା ପଡ଼ିଥିଲା ।” “କି କଥା ?” ‘ଦେଖ୍ ମହତାବ୍, ତୋତେ ଗୋଟାଏ କଥା କହିବି ଭୁଲ୍ ବୁଝିବୁନି । ଦେଖ୍ ତୁ ଏଠୁ ଚାଲି ଯା, କାଲି ସକାଳୁ । “କାହିଁକି ?” ଆଗ ଶୁଣି ସାର ।” ଆମେ ମୁଲିନାଥନ୍ ବାବୁଙ୍କୁ କହି ଦେଇଛୁ । ସେ କାଲି ସକାଳେ ଫୋନ୍ କରି କମ୍ପାନୀରୁ ଗାଡ଼ି ମଗାଇ ନେବେ । ତୁ ଓ ତୋର ସ୍ତ୍ରୀ ସେଇ ଗାଡ଼ିରେ ଇଂଜିନିୟରିଂ କଲେଜ ଭିତରକୁ ଚାଲିଯିବ । ଏଇ କେଇଟା ଦିନ ସେଇଠି ରହିଯା । ପରେ ବରଂ ଫେରି ଆସିବୁ ।” “କିନ୍ତୁ କାହିଁକି ?” ତୁମେ କ’ଣ ମୋତେ ବିଶ୍ୱାସ କରନା ?” “ନା, ମହତାବ୍, ଆମେ ନିଜକୁ ବିଶ୍ଵାସ କରୁନା ।” ଅଶୋକ କହିଲା । ତା’ର ହାତ ଦୁଇଟା ଧରି ପକେଇଲା ଭୁପିନ୍ଦର ।” ମହତାବ୍, ହମେ ମାଫ୍ କରୋ ।” “କିନ୍ତୁ କ’ଣ ହେଲା ତୁମମାନଙ୍କର ? ମୋ ପାଇଁ କାହିଁକି ଏତେ ଚିନ୍ତା ?” ”ତୁ ସବୁ ଜାଣି–ଶୁଣି ଅବୁଝା ହୋ ନା ମହତାବ୍ । କବନ୍ଧ ଆସୁଛି ।” “କିନ୍ତୁ ତୁମେ–ମାନେ ?” “ଆମମାନଙ୍କ କଥା ଅଲଗା ।” “ତେବେ ମୁଁ ବି ଅଲଗା । ଲେଙ୍କା, ଭୂପିନ୍ଦର, ଅଶୋକ ଶୁଣ—ମୁଁ ବୁଜଦିଲ୍ ନୁହେଁ । ମୁଁ ଡରରେ ପଳେଇବିନି । ଆଉ ପଳେଇବି ବା କୋଉଠିକି ? ତୁମମାନଙ୍କର ଯୋଉ ବନ୍ଧୁତ୍ଵ ମୁଁ ଏତେ ବର୍ଷଧରି ପାଇ ଆସିଛି, ଯଦି ମୁଁ ବର୍ତ୍ତମାନ ଏଇଠୁ ପ୍ରାଣଭୟରେ ପଳେଇ ଯାଏ ତେବେ ତା’ର ବି କି କୈଫିୟତ୍ ମୁଁ ଆଲ୍ଲା ପାଖରେ ଦେବି ? ଯଦି ମୁଁ ମରେ ତେବେ ମୁଁ ତୁମରିମାନଙ୍କ ଭିତରେ ମରିବି । ଯଦି ମୋର ତକ୍‍ଦିର୍ ରେ ଏଇଟା ଲେଖା ଅଛି, ଯଦି ଆଲ୍ଲାଙ୍କର ଏଇ ବରାଦ୍, ତେବେ ମୋର ସେଇଆ ହେବ; କିନ୍ତୁ ଭାଇ ଦୋସ୍ତିକୁ ମୁଁ କଳଙ୍କିତ କରି ପାରିବି ନାହିଁ, ମୋତେ ମାଫ୍ କର ।

 

ସମସ୍ତେ ଚୁପ୍ ହୋଇଗଲେ । ନା, ୟା ଉପରେ ଆଉ କିଛି କଥା କହି ହେବନି । ରାତି ପ୍ରାୟ ଗୋଟାଏ ହେବ, ହଠାତ୍ ସେକ୍ଟରରୁ ଶୁଭିଲା ଗଣ୍ଡଗୋଳ ଓ ଚିତ୍କାର । ସେଇଟା ଆମ ପାଖ ସେକ୍ଟର । ଆମେ ବୁଲୁଛୁ ଆଠଜଣ । ସାଙ୍ଗେସାଙ୍ଗେ ଆମେ ବି ଚିତ୍କାର କରି ଉଠିଲୁ ଏକା ସାଙ୍ଗରେ-। ମୁହୂର୍ତ୍ତକ ମଧ୍ୟରେ ସାଇରେନ୍ ପରି ସେଇ ଶବ୍ଦର ଝଙ୍କାର ଖେଳିଗଲା ଆମ ଲାଇନ୍ ଚାରିପଟେ-। ଧଡ଼୍‍ଧାଡ଼୍ କବାଟ ମେଲା ହୋଇଗଲା । ଯେମିତି ହଠାତ୍ କିଏ ଗୋଟାଏ ରୁଦ୍ଧ ଡ୍ୟାମ୍‍ର ସୁଇସ୍ ଗେଟ୍ ଏକା ସାଙ୍ଗରେ ଖୋଲି ଦେଇଛି । କାହା ହାତରେ ଛୁରା, କାହା ହାତରେ ବନ୍ଧୁକ, କାହା ହାତରେ ଲାଠି । ପଟ୍ଟନାୟକ, ମହାନ୍ତି, ପଣ୍ଡା, ବାନାର୍ଜି, ଘୋଷ, ସିଂ, ରାମମୃର୍ତ୍ତି, ଆପ୍ପାରାଓ, ମୃତଲୀନାଥନ୍ ସମସ୍ତେ । କ’ଣ ହେଲା ? କାହିଁ ? କାହିଁ ? କବନ୍ଧ କାହିଁ ? ନା, ଆଜି ବହୁଦିନର ଉତ୍କଣ୍ଠାର ଶେଷ । ହୁଏତ କବନ୍ଧର ମୃତ୍ୟୁ ନହେଲେ ନିଜର ମୃତ୍ୟୁ । ଏଇ ଉଦ୍‍ବେଗ ଆଉ ଆଶଙ୍କା ଅସହ୍ୟ । ପାଗଳ ହୋଇ ଛୁଟିଛନ୍ତି ସମସ୍ତେ । କାହିଁ, କେଉଁଠି ? ଆମେ ସମସ୍ତେ ଛୁଟିଲୁ ସେଇଆଡ଼କୁ । ଯାଇ ଦେଖୁଁ ତ ସମସ୍ତେ ଚାଲିଛନ୍ତି ଗୋଟାଏ ଘରଆଡ଼କୁ । ସେଇ ଘର ଚାରିପାଖରେ ଶୁଭୁଛି ଚିତ୍କାର ।

 

କିଏ ଜଣେ ଚିତ୍କାର କରି କହୁଛି—ଏଇଠି ଅଛି ସେ କବନ୍ଧ । ସେ କବନ୍ଧର ବଂଶଧର । ଯେଉଁ କବନ୍ଧ ଆମରି ଭାଇମାନଙ୍କୁ ଖାଇଛି । ଆମରି ମା, ଆମରି ଭଉଣୀ, ଆମରି ଶିଶୁମାନଙ୍କୁ ହତ୍ୟା କରିଛି ନିର୍ବିବାଦରେ । ଯେ ଆମରି ଭଉଣୀମାନଙ୍କୁ ଧର୍ଷଣ କରିଛି, ମାତାର ସ୍ତନ କାଟି ନେଇଛି, ଏଇଠି ଅଛି ସେ କବନ୍ଧ । “ଭାଙ୍ଗ କବାଟ, ଭାଙ୍ଗ ଦ୍ଵାର ।”

 

ହଠାତ୍ ହଜାର କଣ୍ଠରୁ ଶୁଭିଲା ଚିତ୍କାର ‘ଭାଙ୍ଗ ଦ୍ଵାର’ ମୁଁ ଚମକି ପଡ଼ିଲି, ଏଇ ତ କବନ୍ଧର ପାଟି, ଏଇଆ ତ କବନ୍ଧର ଯୁଦ୍ଧଂ ଦେହି ଡାକ । ତେବେ କ’ଣ ? ତେବେ କ’ଣ ?...ହଠାତ୍ ଦେଖିଲି ମୁଁ କବନ୍ଧକୁ । ତା’ର ଗୋଟିଏ ହାତ ନୁହେଁ, ସହସ୍ର ହାତ । ତା’ର ଶକ୍ତି ଗୋଟାଏ ଦେହରେ ନାହିଁ, ସହସ୍ର ଦେହରେ । ତା’ର କ୍ଷୁଧା ଗୋଟାଏ ପେଟରେ ନାହିଁ, ଅନନ୍ତ ପେଟରେ । ସେହି ସେ ସହସ୍ର ଚକ୍ଷୁ, ସହସ୍ର ହସ୍ତବିଶିଷ୍ଟ ମହାଭୟଙ୍କର, ମହାଶକ୍ତିଶାଳୀ, ଛିନ୍ନମସ୍ତା କବନ୍ଧ ନାଚି ନାଚି ଉଠୁଛି-। ସେଇ ବିକଟାଳ ଚିତ୍କାର ଭିତରେ ଲୁଚିଗଲା ଗୋଟିଏ କ୍ଷୀଣକାୟ ମଣିଷର ଆତୁର ଚିତ୍କାର-। ଭିତରେ ଲୁଚିଗଲା ଗୋଟିଏ କ୍ଷୀଣକାୟ ମଣିଷର ଆତୁର ଚିତ୍କାର । ବ୍ୟାକୁଳ କ୍ରନ୍ଦନ । ଆଃ, ଇଏ କ’ଣ ? ସେଇ ସଦା ସ୍ନେହଶୀଳ, ଅପରିସୀମା ଦୟା–କରୁଣାର ଅଫୁରନ୍ତ ସାଗର, ଲେଙ୍କା ବାବୁ-? କ’ଣ ହୋଇଛି ତାଙ୍କର ? ତାଙ୍କର ମୁଣ୍ଡଟା କିଏ କାଟି ନେଇଛି ? ଆଉ ସେ ଏମିତି ପାଗଳ ହୋଇ ଉଠୁଛନ୍ତି କାହିଁକି ? ମୁଁ କ’ଣ ଠିକ୍ ଦେଖୁଛି ? ମୁଁ କ’ଣ ଠିକ୍ ବୁଝି ପାରୁଛି । ମହାନ୍ତି, ପଣ୍ଡା, ବାନାର୍ଜି, ଘୋଷ, ଲେଙ୍କା, ରାମମୂର୍ତ୍ତି, ସିଂ, ପାଣ୍ଡେ, କାହାନ୍ତି ? ସମସ୍ତଙ୍କର ମୁଣ୍ତ କାହିଁ ? ନା, ମୁଣ୍ଡ ମୋର ଘୂରୁଛି ? ମୁଁ ପାଗଳ ହୋଇଯିବି ? ଝାଇଁ ଝାଇଁ ଘୂରୁଛି ମୁଣ୍ଡ । ଅବଶ ହୋଇ ଉଠୁଛି ଦେହ ହାତ-। ଏଇ ତେବେ ସେଇ ଅଶରୀରୀ କବନ୍ଧର ପ୍ରତିରୂପ ?

 

କିନ୍ତୁ ପଡ଼ୁ ପଡ଼ୁ ଶୁଣିଲି ଦୁଇଟି କାତର ଧ୍ଵନି । “ଭୁପିନ୍ଦର ।” “ଦୋସ୍ତ ।” “ଅଶୋକ ଦାଦା-।” ମୁଁ ଯେ ତୁମରି ଭଉଣୀ ।”

 

କିନ୍ତୁ ତା’ପରେ କବନ୍ଧର ବିକଟ ମହୋଲ୍ଲାସରେ ସବୁ କିଛି ନିଶ୍ଚିହ୍ନ ହୋଇଗଲା ।

 

ମୁଁ ବି ଢଳି ପଡ଼ିଲି ସଂଜ୍ଞାହୀନ ଭାବରେ ।

 

(ଝଙ୍କାର, ୨୧ଶ ବର୍ଷ, ତୃତୀୟ ସଂଖ୍ୟା)

☆☆☆

 

ଅନ୍ଧଗଳିର ଅନ୍ଧକାର

 

ଏକ ବିଷଣ୍ଣ ଗୋଧୁଳିର ଛାୟାଚ୍ଛନ୍ନ ଆଲୋକ ଗଳିଟିକୁ ପ୍ରାୟ ଅନ୍ଧକାରବୃତ କରି ରଖିଛି-। ଗଳି ମୁଣ୍ଡରେ ମୁଁ ଏକାକୀ । ଭିତରେ କେତେ ଲୋକର ଦୃତ ପଦଶବ୍ଦ ଶୀତ ମଧ୍ୟାହ୍ନର ପତ୍ରଝଡ଼ା ମର୍ମର ପରି ଅତି କୋମଳ ଓ ଉଶ୍ୱାସ । ସେଇ ଅନ୍ଧକାର ଭିତରେ କିଛି ବାଛି ହେଉନି । କାହାକୁ ଚିହ୍ନି ହେଉନି । ସବୁ ଅସ୍ପଷ୍ଟ ! କେତେଗୁଡ଼ାଏ ଅଶରୀରୀ ପ୍ରେତମାନଙ୍କର ଦେଦୁଲ୍ୟମାନ ଛାୟା-

 

ଅଜଣା ଭୟରେ ଦେହ ଶୀତେଇ ଉଠୁଛି । କିଏ ସେମାନେ ?

 

ମୋର ଭୟ ମୋତେ ପଛରୁ ଓଟାରୁଛି । ପ୍ରାଣପଣେ ମେତେ ଟାଣି ଧରୁଛି; କିନ୍ତୁ ମୋତେ ଯିବାକୁ ହିଁ ହେବ । ବହୁ ଦିନରୁ ମୋର ଶୈଶବକାଳରୁ ଏକ ନିଷିଦ୍ଧ ଗଳି ମୋ ମନରେ ଅନେକ ଭୟ, କୌତୁହଳ ଜିଜ୍ଞାସା ଭିତରେ ଶତ ସହସ୍ର ରୂପ ନେଇ ପ୍ରକଟିତ ହୋଇ ଆସିଛି । ସେଇ ସେଦିନରୁ ସେ ମୋତେ ଅଦ୍ଭୁତ ଭାବରେ ଆକର୍ଷଣ କରି ଆସିଛି; କିନ୍ତୁ ମୋର ଭୟ ତାର ସମସ୍ତ ଆକର୍ଷଣକୁ ପ୍ରତିହତ କରିଛି । ତାରିଦ୍ଵାରା ମୁହଁରେ ମୋର ପଦଯୋଡ଼ିକ ଭୟର ଶିକୁଳିରେ ବାନ୍ଧି ହୋଇ ଯାଇଛି । ମୁଁ ଫେରି ଆସିଛି ସେଇ ଅଜଣାର ଆହ୍ୱାନରେ ପୁଣି ଥରେ ପ୍ରଜ୍ଜ୍ଵଳିତ ହୋଇ କେତେଥର ଯେ ଏମିତି ହୋଇଛି ତାର କିଛି ଇୟତ୍ତା ନାହିଁ; କିନ୍ତୁ ଆଜି ଆଉ ନୁହେଁ । ମୋତେ ନିଶ୍ଚୟ ଯିବାକୁ ପଡ଼ିବ । ସେ ଗଳି ଭିତରର ପ୍ରତ୍ୟେକଟା ଜିନିଷକୁ ତନ୍ନ ତନ୍ନ କରି ଆବିଷ୍କାର କରିବାକୁ ପଡ଼ିବ । କ୍ଷତବିକ୍ଷତ ହେବି । ହୁଏତ ମୃତ୍ୟୁ ବି ହୋଇପାରେ; କିନ୍ତୁ ଏଇ ଜୀବନ୍ମୃତ ଅବସ୍ଥାରେ ଅନିଶ୍ଚିତ ଭାବରେ ନିରନ୍ତର ଦୋଳି ଖେଳିବାଠାରୁ ବରଂ ସେଇ ଅଜଣା ଆବିଷ୍କାର କରି ଆବିଷ୍କାରର ଚରମ ନିଶ୍ଚିତତାରେ, ପ୍ରାପ୍ତିର ପ୍ରଗାଢ଼ ଶାନ୍ତିରେ ମୃତ୍ୟୁ କ’ଣ ଶ୍ରେୟସ୍କର ନୁହେଁ ? ହୁଏତ ମୁଁ ଆମୁଣ୍ଡସେନ ନ ହୋଇପାରେ; କିନ୍ତୁ କ୍ୟାପଟେନ୍ ସ୍କଟ୍ ହେବାରେ କ୍ଷତି କ’ଣ ? ମୋର ଆବିଷ୍କାରର ପଥ ଅନୁରଞ୍ଜିତ ହୋଇ ଉଠିବ ମୋର ରୁଧିରାକ୍ତ ପଦଯୁଗଳର ପ୍ରତିଚିହ୍ନ ।

 

ମୁଁ ନିଜକୁ ନିଜେ ପ୍ରସ୍ତୁତ କରିନେଲି । ଧୀରେ ଧୀରେ ଆଗେଇବାକୁ ଲାଗିଲି ସେ ଗଳିର ଅନ୍ଧକାର ଭିତରକୁ । ଆଃ, କି ହେମାଳ ତା ଭିତରଟା । ମୁଁ ଶୀତରେ ଥରିବାକୁ ଲାଗିଲି । କେତେ ସହସ୍ର କ୍ଷୁଦ୍ର ଉପଗଳି ତା ଭିତରେ ! ପ୍ରହେଳିକା । ମିନୋଟାରର ଭଉଁରୀ; କିନ୍ତୁ ମୁଁ ଆଗେଇ ଆସିଛି । ପଛେଇଯିବା ହେବ ଭୀରୁତା, କାପୁରୁଷତା । ମୁଁ ସମସ୍ତ ଦୁଃଖକଷ୍ଟ ସହ୍ୟ କରିବି, ସମସ୍ତଙ୍କର ସମ୍ମୁଖୀନ ହେବି । ମୋ ଦିହରେ ମୁକ୍ତବିଚାରର ଉଷ୍ମତା, ସୁଚିନ୍ତିତ ଯୁକ୍ତିର ଖଡ଼୍‍ଗ, ତୀକ୍‍କ୍ଷଣ୍‍ ମେଧାର ଉଜ୍ଜ୍ୱଳତା । ଭୟ କ’ଣ ? ମୁଁ ଆଗେଇ ଚାଲିଲି ଅନ୍ଧକାରର ପଥ ବାରି ବାରି ।

 

ଅନ୍ଧକାର ଭିତରେ କିଏ ଜଣେ ମୋର ପଥରୋଧ କରି ଛିଡ଼ା ହେଲା । ଛାତି ଭିତରେ ଗୋଟାଏ ଅଭୁତ ଧକ୍କା । ପ୍ରେତ ? ଭୁତ ? କାହାର ଏ ଅସ୍ପଷ୍ଟ ଛାୟା ?

 

କିଛି ସମୟ ନୀରବ ରହି ସାହସ ସଞ୍ଚୟ କରି ପଚାରିଲି “କିଏ ?” ଛାୟାମୂର୍ତ୍ତି ଉତ୍ତର ଦେଲା । “ମୁଁ ତୋର ବାପା, ଚିହ୍ନି ପାରୁନୁ ?”

 

“ଓଃ । ବାପା ! ବାଟ ଛାଡ଼ ମୁଁ ଯାଏଁ ।”

 

“ନା, ତୁ ଯାଇ ପାରିବୁନି ?”

 

“କାହିଁକି ?”

 

“ମୋର ଆଦେଶ ।”

 

“କ’ଣ ପାଇଁ ?”

 

“ମୁଁ ତୋର ମଙ୍ଗଳାକାଙ୍‍କ୍ଷୀ । ତୋର ଜନ୍ମଦାତା—ତୋ ପ୍ରତି ମୋର ଅଧିକାର ରହିଛି । ଦାବୀ ରହିଛି । ଆଦେଶ ଦେବା ମୋର କର୍ତ୍ତୃତ୍ଵ ।”

 

“ନା, ମୁଁ ନିଶ୍ଚୟ ଯିବି ।”

 

“ନା, ତୁ ଯାଇ ପାରିବୁ ନାହିଁ । ତୁ ମୋର ଆଦେଶ ଅମାନ୍ୟ କରିପାରିବୁ ନାହିଁ । ମୁଁ ତୋର ବାପା ।”

 

“ଚୁପ୍‍କର । ବାରମ୍ଵାର ସେଇ କଥାର ପୁନରାବୃତ୍ତି କର ନା । ତୁମେ ମୋର ରକ୍ଷକ—ନିୟନ୍ତ୍ରକ ନୁହେଁ ।”

 

“ଏସବୁ କ’ଣ କହୁଚ ?”

 

“ମୁଁ ଯାହା କହୁଛି ଠିକ୍ କହୁଛି । ଅଜ୍ଞାତର କୁହୁଡ଼ିରେ ବନ୍ଦୀ ହୋଇ ମୋତେ ବି ଅଜ୍ଞ ବୋଲି ଭାବ ନାହିଁ । ତମେ କାହାରି ପିତା ନୁହଁ, ତମେ କାହାରି ପୁତ୍ର ନୁହଁ । ତମେ କେବଳ ଜଣେ ପୁରୁଷ । ଏଇ ତମର ପ୍ରଥମ ଓ ଶେଷ ପରିଚୟ । ବେଶ ବଦଳେଇଲେ ଦେହ ବଦଳେନା । ପିତୃତ୍ଵ ପୁରୁଷର ଗୋଟାଏ ବେଶ ମାତ୍ର । ଆଜି ମୁଁ ତମକୁ ପଚାରେ ଯେତେବେଳେ ତମେ ବୋଉ ସାଙ୍ଗରେ ଲିପ୍ତ ଥିଲ ସେତେବେଳେ ତମେ କଣ କେବେହେଲେ ମୋ କଥା ସ୍ମରଣ କରିଥିଲ ? ନିଶ୍ଚୟ ନୁହେଁ । ସେତେବେଳେ ତମେ କେବଳ ସୃଷ୍ଟିର ଆଦି ପୁରୁଷ ମାତ୍ର । ତମେ ମତ୍ତ ଥିଲ ସେଇ ଆଦିମ ନିଶାରେ । ମତ ଥିଲ ରକ୍ତର ଉତ୍ତେଜନାରେ । ତମେ କେବେହେଲେ ଭାବିଥିଲ ମୁଁ ଜନ୍ମ ନେବି ବୋଲି ? କେବଳ ମୁଁ’ ? ନା । ହୁଏତ ତମେ ସନ୍ତାନ କାମନା କରିପାରିଥାଅ; କିନ୍ତୁ ସ୍ଵପ୍ନରେ ସୁଦ୍ଧା ଭାବିପାରି ନଥିଲ ‘ମୁଁ’ ଜନ୍ମ ନେବି ବୋଲି ।

 

ନା—ମୋରି ଜନ୍ମ ପାଇଁ ତମକୁ ମୁଁ ଦୋଷ ଦେଉନି । ତମର ଯୌନ କାମନାକୁ ମଧ୍ୟ ମୁଁ ଘୃଣା କରୁନି । କାରଣ ସେଇଟା ସ୍ୱଭାବିକ । ସୃଷ୍ଟି ପ୍ରକ୍ରିୟାର ଅଲଙ୍ଘନୀୟ ପ୍ରବୃତ୍ତି । ତେଣୁ ଯୌନଟା ପାପ ନୁହେଁ, କଳଙ୍କ ନୁହେଁ, ଅଶୁଚି ନୁହେଁ । ତା’ ଶୁଚି, ସୁନ୍ଦର ଓ ପୂଜ୍ୟ । ଧାର୍ମିକ, ଆଧ୍ୟାତ୍ମିକ, ସାମାଜିକ, ନୈତିକ ଯୋଉ ଦୃଷ୍ଟି କୋଣରୁ ବିଚାର କଲେ ବି ଯୌନ କାମନା ଘୃଣ୍ୟ ନୁହେଁ, କାରଣ ସେ ସତ୍ୟ । ଯୋଉଟା ସତ୍ୟ ସେଇଟା ଏକାଧାରରେ ଶିବ ଓ ସୁନ୍ଦର ମଧ୍ୟ । ତେଣୁ ତାର ପ୍ରକାଶ ସ୍ଥଳ ହେଲେ ମଧ୍ୟ ସେ ଏକ ସୂକ୍ଷ୍ମାତିସୂକ୍ଷ୍ମ ପ୍ରଚ୍ଛନ୍ନ ମହାଶକ୍ତି । କିନ୍ତୁ ଯେ କେହି ସେଇ ମହାଶକ୍ତିକୁ ନିଜର ବୋଲି ଦାବୀ କରେ ମୁଁ ତାକୁହିଁ କହେ ଅଜ୍ଞ ।

 

ମୁଁ ମାନୁଛି ତମର ଦିଆ ଶୁକ୍ରକୀଟରେ ମୋର ଦେହର ସୃଷ୍ଟି କିନ୍ତୁ ତମେ ଜାଣନା ସେ ଶୁକ୍ରକୀଟର ଅଭ୍ୟନ୍ତରରେ କ’ଣ ଅଛି । କ୍ରୋମୋଜୋମ୍ । ଜନ୍, ଆର. ଡି. ଏ.—ଏନ୍. ଡି. ଏ. । ଗୋଟାଏ କ୍ଷୁଦ୍ରାତିକ୍ଷୁଦ୍ର ଅଣୁ ଭିତରେ ରହିଛି ଭବିଷ୍ୟତ ଶରୀର ଓ ମାନସିକ ଗଠନର ପୋଟେନ୍‍ସିଆଲିଟି । ଆଉ ସେଇ ଅଣୁର କେତେ କୋଟି ସୁଯୋଗ ଭିତରୁ ଯୁକ୍ତ ହେବାର ଗୋଟାଏ ସମ୍ଭାବନା ।

 

ସେଇ କ୍ଷୁଦ୍ର କୋଷ କ୍ରମେ କ୍ରମେ ବଢ଼ି ଜନ୍ମ ଦେଇଛି ଗୋଟାଏ ଦେହକୁ । ସେଇ ଦେହର ସ୍ୱରୂପ ବି ତମେ ଜାଣନା । ସେ ପୁତ୍ର କି କନ୍ୟା, କଳା କି ଗୋରା, ଦୃଷ୍ଟି କି ସନ୍ଥ କିଛି ତମେ ଜାଣି ନଥିଲ । ଅଥଚ ତମେ ମୋତେ ଦାବୀ କରୁଛ କୋଉ ସାହସରେ ? ମୁଁ କ’ଣ ହେବି, କେମିତି ହେବି ତମେ କ’ଣ ଚେଷ୍ଟାକରି ବଦଳେଇ ପାରିଥାନ୍ତ ? କେବେ ନୁହେଁ । ତମେ ଶୁକ୍ରକୀଟବାହୀ ଗୋଟାଏ ଯନ୍ତ୍ର । ତମେ ଇଚ୍ଛାନୁସାରେ ଶୁକ୍ରକୀଟର ଜନ୍ମ ଦେଇ ପାରିନ, ଇଚ୍ଛାନୁସାରେ ବୃଦ୍ଧି, ମେଧା ଦେଇ ପାରିନ—ଇଚ୍ଛାନୁସାରେ ମୋର ଜନ୍ମତ ସ୍ଵାଭାବିକତାକୁ ପରିବର୍ତ୍ତନ କରିପାରିନ—ତେବେ କାହିଁକି ଦାବୀ କରୁଛ ମୁଁ ତମର ପୁତ୍ର ? ବାପା, ମୁଁ ତମକୁ ସେଇ ନାଁରେ ଡାକି ଆସିଛି ବୋଲି ସେ ସମ୍ବୋଧନ କରୁଛି; କିନ୍ତୁ ‘ବାପା’ ଗୋଟାଏ ଫମ୍ପା ଶଦ୍ଦ । ତାର ଗୁଢ଼ ଅର୍ଥ କିଛି ନାହିଁ । ଅପରର ଜିନିଷ ବୋହିଆଣି କୁଲି କେବେ ଦାବୀ କରିପାରେ ସେ ଜିନିଷ ତାର ବୋଲି ? ତମେ ସେମିତି ଗୋଟାଏ ଭାରବାହୀ ଜୀବ । ଭାର ବହନ କରି ଚାଲିଛ ମାତ୍ର । ତମେ ବୁଝିପାରୁନା ବାପା ଆମେ ସବୁ ଭାଲୁ ଲାଙ୍ଗୁଡ଼ ଧରିଛୁ । ପୁରୁଷ ପୁରୁଷ ଧରି ଏହି ଲାଙ୍ଗୁଡ଼କୁ ଜଣକ ପରେ ଜଣେ ଧରି ଆସିଛୁ, ଧରି ଚାଲିଥିବୁ ଯୁଗ ଯୁଗ ଧରି । ଆମେ ବାଧ୍ୟ । ଏଥିରୁ ଆମର ମୁକ୍ତି ନାହିଁ । ଯୋଉ ଭାର ତମେ ଏତେ ଦିନ ବହନ କରି ଆଣିଛ, ସେଇ ଭାର ଏବେ ମୋ କାନ୍ଧ ଉପରେ ଲଦିଦେଇ ତମେ ନିଶ୍ଚିନ୍ତ । ମୁଁ ସେଇ ଭାର ସମ୍ଭାଳିବାକୁ ଅଭିଶପ୍ତ ।

 

ଆମ୍ଭେମାନେ ସମସ୍ତେ ବନ୍ଦୀ । ସୃଷ୍ଟିର ସ୍ୱାଭାବିକ ପ୍ରକ୍ରିୟାର ଅନନ୍ତ ଜେଲଖାନା ଭିତରେ ତାରି ନିର୍ଦ୍ଦେଶ ପାଳନ କରିଯିବାକୁ ଆମେ ବାଧ୍ୟ । ତାକୁ ଅସ୍ଵୀକାର କରିବାର ଉପାୟ ନାହିଁ-। ସେଇଥିପାଇଁ ତମର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ କେବଳ ଶୁକ୍ରକୀଟର ଅଭ୍ୟନ୍ତରରେ ଥିବା ପ୍ରାଣଶକ୍ତିକୁ ବିତରଣ କରିବାକୁହିଁ କେବଳ ତମର ଇଚ୍ଛାଧୀନ । ବିତରଣ ତମକୁ କରିବାକୁହିଁ ପଡ଼ିବ–ପାତ୍ର ନିର୍ବାଚନର ଭାର କେବଳ ତମର । ସେଥିପାଇଁ ହିଁ ତମର ଯୌନ କାମନା । ଆଉ କିଛି ପାଇଁ ନୁହେଁ ।

 

କିନ୍ତୁ ତମେ ବୃଥା ଦମ୍ଭ, ଆତ୍ମ ଅଭିମାନ, ଅହଂସର୍ବସ୍ୱ ହୋଇ ସେଇ ସତ୍ୟକୁ ଭୁଲି ଯାଇଛି । ଭାବିଛ ସେ ମହାନ୍ ପ୍ରାଣଶକ୍ତିର ଅଧିକାରୀ ତମେ ବୋଲି, କିନ୍ତୁ ସେ କ’ଣ ଗୋଟାଏ ଜାଗାରେ ସୀମାବଦ୍ଧ ହୋଇ ରହିପାରେ ? ତମେ ଜାଣି ନଜାଣି ସୁଦ୍ଧା ବୁଝିନ । ତମର ପ୍ରକୃତରେ କର୍ତ୍ତବ୍ୟ ସେଇ ଶକ୍ତି ପ୍ରତି । ସେଇଥିପାଇଁ ତମେ ବାଧ୍ୟ ହୋଇ ରତିକ୍ରିୟା କରିଛ । ତମର ଯୌନ ଉତ୍ତେଜନା, ସେହି ମମତା, ଭଲ ପାଇବା, ସ୍ୱାର୍ଥତ୍ୟାଗ ସବୁ କେବଳ ସେଇ ଉନ୍ମୁକ୍ତ ମହାଶକ୍ତି ‘ଜୀବନ’ ପାଇଁ, କିନ୍ତୁ ତମେ କାରଣକୁ ଭୁଲିଯାଇ ଘଟଣାକୁ ବଡ଼ କରି ଦେଇଛ । ସେ ସଂକିର୍ଣ୍ଣତା ଭିତରେ ଆବଦ୍ଧ ହୋଇ ବୃଥା ଗୌରବ, ଆତ୍ମଭିମାନ, ଅଧିକାରୋବଧ, ପୁରୁଷତ୍ୱର ଅହଂକାର ଭିତରେ ନିଜର ସ୍ୱରୁପକୁ ଚିହ୍ନିତ କରିଛ ।

 

କିନ୍ତୁ ପ୍ରକୃତରେ ତମେ କେହି ନୁହଁ, କିଛି ନୁହଁ ।

 

ହଁ, ତମେ ମୋ ଦେହକୁ ରକ୍ଷା କରିଛ । ମୁଁ ସେମିତି ମୋର ସନ୍ତାନର ଦେହକୁ ରକ୍ଷା କରିବି । କରିବାକୁ ବାଧ୍ୟ; କିନ୍ତୁ ତମକୁ ନୁହେଁ—ନା—ତମକୁ ନୁହେଁ । ମୁଁ କରିପାରେ କିନ୍ତୁ ସେଥିପାଇଁ ମୋର କର୍ତ୍ତବ୍ୟ ନାହିଁ କି ତମର ଦାବୀ ନାହିଁ । ମୋର କର୍ତ୍ତବ୍ୟ ମୋର ସନ୍ତାନ ପ୍ରତି—ମୋ ପ୍ରତି ନୁହେଁ ।

 

ତେଣୁ ତମେ ଦୁଃଖ କରନା । ଦୁନିଆଠୁ କିଛି ପ୍ରତିଦାନ ଚାହିଁବା ବୋକାମୀ । ଏପରିକି ତମ ସନ୍ତାନଠାରୁ ବି ନୁହେଁ । କାରଣ ତମେ ତାରି ମୁଣ୍ଡରେ ଲଦି ଦେଇଛ ଏକ ଗୁରୁତର ବୋଝ । ଆଉ ସେ ସନ୍ତାନ ବି ତମର ‘ନିଜସ୍ଵ’ ନୁହେଁ—ସେ ସୃଷ୍ଟିର ଭାର ସମ୍ଭାଳିବାର ଆଉ ଏକ ପୁତ୍ତଳିକା-

 

ତେଣୁ ଫେରିଯାଅ ତମେ— । ବାଟ ଛାଡ଼ । ମୋତେ ରୋକିବାର ଶକ୍ତି କାହାରି ନାହିଁ । ମୁଁ କେବଳ ଦେହ ନୁହେଁ—ମୁଁ ଏକ ଅନନ୍ତ ଶକ୍ତି ଯାହା ବୋହି ଆସୁଛି ଯୁଗଯୁଗାନ୍ତରରୁ । ତମରି ଭିତରେ ଦେଇ ହୁଏତ ତାର ପ୍ରକାଶ କିନ୍ତୁ ତମେ ତା’ର ନିୟନ୍ତ୍ରକ ହୋଇ ପାରିବ ନାହିଁ—ହେଇ ନପାର ।

 

ତେଣୁ ତମେ ନିଜକୁ ବୁଝିବାକୁ ଚେଷ୍ଟା କର । ପ୍ରତିଦାନର ଆଶାର ବିଫଳତାରେ ଅକାରଣଟାରେ ନିଜକୁ ବେଦନାତୁର କରନା ।

 

ହଠାତ୍ ସେଇ ଘନ ଅନ୍ଧକାର ଭିତରେ ଗୋଟାଏ ଶବ୍ଦ ଶୁଣି ଆମେ ଚମକି ପଡ଼ି ଚାହିଁଲୁ-। ଘନୀଭୂତ ଅନ୍ଧକାରର ପର୍ଦା ପ୍ରସ୍ତ ପ୍ରସ୍ତ ହୋଇ ରଙ୍ଗମଞ୍ଚର ଯବନିକା ପରି ଉତ୍ତୋଳିତ ହେବାକୁ ଲାଗିଲା । କୋଡ଼ିଏ କି ପଚିଶଟା ପର୍ଦା । କ୍ରମେ ସେଇ ରଙ୍ଗମଞ୍ଚର ଅଭ୍ୟନ୍ତରରୁ ଆଲୋକମାଳା ପ୍ରସ୍ଫୁଟିତ ହୋଇ ଆସିଲା । ଦେଖାଗଲା ଗୋଟାଏ ଘନ ଅରଣ୍ୟର ଦୃଶ୍ୟ । ତା’ ଭିତରେ ଚାରୋଟି ବୃଦ୍ଧ ଓ ବୃଦ୍ଧା ଗୋଟାଏ ପର୍ଣ୍ଣ କୁଟୀରର ସମ୍ମୁଖରେ ଆସୀନ । ଜଣେ ବୃଦ୍ଧ ବୋଧହୁଏ ଅନ୍ଧ । କିଏ ସେମାନେ ?

 

ଓ ! ଅଖଣ୍ଡ ପ୍ରତିପତ୍ତିଶାଳୀ ମହାମହିମ କୁରୁ ସମ୍ରାଟ ଧୃତରାଷ୍ଟ୍ର ! ସାଙ୍ଗରେ ତାଙ୍କ ମହାମତି ବିଦୁର, କୁରୁ ସାମ୍ରାଜ୍ୟର ସାମ୍ରାଜ୍ଞୀ ମହା ପତିବ୍ରତା ଗାନ୍ଧାରୀ ଓ ପଞ୍ଚପାଣ୍ଡବଙ୍କ ମହାମାନ୍ଵିତା ଜନନୀ କୁନ୍ତୀ । କାହିଁକି ଏ ନିର୍ବାସନ ? ଧର୍ମରାଜା ଯୁଧିଷ୍ଟିର କ’ଣ ଏତେ ବଡ଼ ପାଷାଣ୍ଡ ? ନିଜର ପିତୃତୁଲ୍ୟ ଜ୍ୟେଷ୍ଠ ତାତଙ୍କୁ, ନିଜର ଜନ୍ମଦାତ୍ରୀ ମାତାଙ୍କୁ ଏପରି ଭାବରେ ନିର୍ବାସିତ କରିଅଛନ୍ତି ? ସନ୍ତାନର କର୍ତ୍ତବ୍ୟ ପାଳନରେ ଅକ୍ଷମ ହୋଇଛନ୍ତି ? ତେବେ ସେ କିପରି ଧର୍ମରାଜ ? ଧାର୍ମିକ ଶ୍ରେଷ୍ଠ ? କର୍ତ୍ତବ୍ୟପରାୟଣ ?”

 

ଧିକ୍‍କାର କରିବାକୁ ଇଚ୍ଛା ହେଲା ସେପରି ଏକ ବ୍ୟକ୍ତିଙ୍କୁ । କିନ୍ତୁ ଆମର ସମସ୍ତ ଭାବନାକୁ ସ୍ତମ୍ଭୀଭୂତ କରିଦେଇ ଏକ ଜଳଦ ଗମ୍ଭୀର ସ୍ୱର ଭାସି ଆସିଲା ପବନରେ । “ନିର୍ବୋଧ । ଏ ଆମର ସ୍ଵେଚ୍ଛାକୃତ ବନବାସ । ଆମର କର୍ତ୍ତବ୍ୟ ଆମେ ପାଳନ କରୁଛୁ । ପୁତ୍ରର କର୍ତ୍ତବ୍ୟର ମାୟାରେ ବାନ୍ଧହୋଇ ଶେଷ ଜୀବନକୁ ବିଳାସ ଭିତରେ ବିଡ଼ମ୍ବିତ କରିବାକୁ ଯିବୁ କାହିଁକି ? ତୁମେ ବୃଥାରେ ଧର୍ମରାଜଙ୍କୁ ଦୋଷ ଦିଅନା । ଆମର କର୍ତ୍ତବ୍ୟ ଆମର ନିଜ ପ୍ରତି । ତାଙ୍କର ଆମ ପ୍ରତି କୌଣସି କର୍ତ୍ତବ୍ୟ ନାହିଁ ।”

ପୁଣି ଆଉଥରେ ଜମି ଆସିଲା ସେଇ ଘନ ଅନ୍ଧକାର । ଆମେ ନୁହେଁ ନିର୍ବାକ୍, ନିସ୍ପନ୍ଦ ହୋଇ ଛିଡ଼ା ହୋଇ ରହିଲୁ । ତା’ପରେ ମୁଁ ବାପାଙ୍କୁ ପଛରେ ପକେଇ ପୁଣି ଆଗେଇ ଚାଲିଲି ଗଳି ମଧ୍ୟକୁ ।

 

ଦୁଇ ଚାରିପାଦ ଯାଇଛିକି ନାହିଁ ହଠାତ୍ କାହାର ପଣତ ମୋ ଦେହରେ ଗୁଡ଼େଇ ହୋଇଗଲା । ତା’ର ବନ୍ଧନ ଅତି ଉଶ୍ୱାସ ଅତି କୋମଳ; କିନ୍ତୁ ଦୃଢ଼ ! କିଏ ବୋଉ ?

 

“ରହିଯା, ସୁନାଟା ପରା, ମୋ କଥା ମାନ, ତୁ ଯାଆନା ।”

 

“କାହିଁକି ତୁ ମୋତେ ଏମିତି ବାଟ ଓଗାଳୁଛୁ ? ଦେଖିଲୁ ବାପାବି ତ ମୋତେ ଅଟକେଇ ପାରିଲେନି । ଆଉ ତୁ—”

 

“ମୁଁ ତୋର ଜନ୍ମଦାତ୍ରୀ ମା’ । ଏକ ପେଟରେ ଦୀର୍ଘ ଦଶମାସ ତୋତେ ଧରି ଆସିଛି । କେତେ କଷ୍ଟ, କେତେ ଦୁଃଖ ଭିତରେ ମୁଁ ତୋତେ ମଣିଷ କରିଛି । ତୋର ସମସ୍ତ ଅଝଟ, ଅଳି, ଦୁଷ୍ଟାମି ନିର୍ବିବାଦରେ ସହ୍ୟ କରିଛି । ତୁ କଣ ସତରେ ଏଡ଼େ ଅକୃତଜ୍ଞ ? ତୋର ନିଜ ଜନନୀ ପ୍ରତି କିଛି କର୍ତ୍ତବ୍ୟ ନାହିଁ ?”

 

ସ୍ନେହମୟୀ, କରୁଣାମୟୀ ମା ମୋର । ତୁ ହୁଏତ କଷ୍ଟ ପାଉଚୁ । କିନ୍ତୁ ସତକଥା କହିବାକୁ ମୁଁ ବାଧ୍ୟ । ସତ୍ୟଟା ବଡ଼ ନିଷ୍ଠୁର ବୋଉ, ଆଶାକରେ ସହ୍ୟ କରିବାର ଶକ୍ତି ତୋର ଅଛି । ମୋର ନିର୍ଲ୍ଲଜତା ପାଇଁ ମୋତେ କ୍ଷମା କର । କିନ୍ତୁ ମୁଁ ତୋତେ ବି ସେଇ ପ୍ରଶ୍ନ ପଚାରୁଛି ? ଯେତେବେଳେ ତୁ ମୋର ବାପାଙ୍କ ସହିତ ମିଳିତ ହେଇଥିଲୁ କେବେହେଲେ ଭାବିଥିଲୁ ମୋରି କଥା ? ମୁଁ ଜନ୍ମ ହେବି ବୋଲି ? ମୁଁ ତୋର ସନ୍ତାନ ହେବି ବୋଲି ? ନୁହେଁ, ନା ବୋଉ । ତେବେ କି ଦାବୀ ତୋର ମୋ ଉପରେ ? ପେଟରେ ଧରିଥିଲୁ ଦଶମାସ । ସେ ତ ନାରୀର ପ୍ରକୃତି । କୀଟପତଙ୍ଗ ଠାରୁ ଆରମ୍ଭ କରି ସମସ୍ତ ପ୍ରାଣୀ ଜଗତର ‘ନାରୀ’ ର ପ୍ରକୃତି ତ ସେଇଆ । ଗର୍ଭଧାରଣ କରିବା ତୋର ସ୍ଵଭାବ, ତୋର ଧର୍ମ । ତେଣୁ ତୋର ଗର୍ଭରେ ରହିଲି ବୋଲି କ’ଣ ମୁଁ କୃତଜ୍ଞ ହେବାକୁ ବାଧ୍ୟ । ଆଶ୍ଚର୍ଯ୍ୟ । ମୁଁ କଣ ଜାଣିଶୁଣି ତୋ ଭିତରକୁ ଆସିଥିଲି ? ମୁଁ ଯେମିତି ଜାଣିଶୁଣି ଆସିନି, ତୁ ସେମିତି ଜାଣିଶୁଣି ମୋତେ ରଖିବୁ । ମୋର ଆସିବା ଓ ତୋର ରଖିବା ଉଭୟଙ୍କର କର୍ତ୍ତୃତ୍ୱର ବାହାରେ । କେତେ ସମ୍ଭାବନା ମୋର ନ ଆସିବାର । ଗୋଟାଏ ଚାନ୍‍ସ—କୋଟିକ ଭାଗରୁ ଗୋଟିଏ ଭାଗ ଚାନ୍‍ସ । ତଥାପି ବି ମୁଁ କ’ଣ ତୋର ? ମୁଁ ସ୍ୱୀକାର କରୁଛି ତୋର ସ୍ତନ ପାନକରି ମୁଁ ବଞ୍ଚି ରହିଛି । କିନ୍ତୁ ବୋଉ, ତୁ କଣ ସେ କ୍ଷୀର ନିଜ ଇଚ୍ଛାରେ ତିଆରି କରିଥିଲୁ ? ନୁହେଁ ତ । ସେଇଟା ସ୍ୱାଭାବିକ । ଯେମିତି ଅଜାଣତରେ ମୁଁ ତୋ ଭିତରକୁ ଆସିଛି ସେମିତି ଅଜାଣତରେ ବି ତୋର ସ୍ତନ ଭିତରେ ନିହିତ ହୋଇ ଯାଇଛି ମୋ ପାଇଁ ବଞ୍ଚିବାର ଖାଦ୍ୟ । ସେଥିପାଇଁ ତୁ ଦାୟୀ ନୋହୁଁ କି ମୁଁ ନୁହେଁ । ସେ ତୋର ସ୍ୱାଭାବିକତା । ତୁ ମତେ ପିଇବାକୁ ଦେଇ ନଥିଲେ ମୁଁ ତୋତେ ବାଧ୍ୟ କରି ନଥାନ୍ତି । ତେବେ ତୁ ଦେଇଛୁ ବୋଲି ଏତେ ଗର୍ବ କାହିଁକି ? ବଞ୍ଚେଇ ରଖିଛୁ ବୋଲି ଏତେ ଅଭିମାନ କାହିଁକି ? ତୁ ଖାଲି ନିମିତ୍ତ ବୋଉ । ସବୁ କାର୍ଯ୍ୟ ତୋର ଅଧିକାର ଓ ନିଜସ୍ୱ ଇଚ୍ଛାର ଉର୍ଦ୍ଧ୍ୱରେ । ତୁ ମୋ ପାଇଁ କଷ୍ଟ କରିଛୁ । ମାନୁଛି । ସବୁ ନାରୀ ସେମିତି କରନ୍ତି । ପ୍ରକୃତିରେ ସାଧାରଣ ନିୟମ ଏଇଟା । କିନ୍ତୁ କେବେ ଦେଖିଛୁ କି ବୋଉ, କୋଉ ପଶୁ ତାର ସନ୍ତାନ ପାଖରୁ ପ୍ରତିଦାନ ଚାହେ ବୋଲି ? କେବେ କେହି ଚାହେଁନା । କାରଣ ଏଇଟା ସ୍ୱାଭାବିକ ନିୟମ ନୁହେଁ । ପ୍ରକୃତିର ନିୟମ ନୁହେଁ । ତେଣୁ ସେମାନେ କଷ୍ଟ କରନ୍ତି ପ୍ରତିଦାନ ପ୍ରତି ସଂପୂର୍ଣ୍ଣ ରୂପେ ବୀତସ୍ପୃହ ହୋଇ । ସେମାନେ କର୍ତ୍ତବ୍ୟ କରନ୍ତି ପ୍ରତିଦାନ ଉଦ୍ଦେଶ୍ୟରେ ନୁହେଁ ସ୍ୱାଭାବିକତାର ଗତିରେ । କିନ୍ତୁ ପ୍ରତିଦାନ ବା କୃତଜ୍ଞତା ଚାହିଁବା ମଣିଷର ସମାଜିକ ନିୟମ । ଚିନ୍ତାଶକ୍ତିରୁ ଉଦ୍ଭୂତ ଏଇ ଅସ୍ଵାଭାବିକତା । ତେଣୁ ମାତୃତ୍ୱରେ ଆଦର୍ଶ ନାହିଁ, ତ୍ୟାଗ ନାହିଁ, ମହନୀୟତା ନାହିଁ, ଅଛି କେବଳ ନିଛକ ଏକ ସ୍ଵଭାବିକତା । ତେଣୁ ସେଥିପାଇଁ ତ୍ୟାଗ, କଷ୍ଟ, ସହନଶୀଳତାର ପ୍ରତିମୂର୍ତ୍ତି ବୋଲି ଗର୍ବ କରିବାର ତୋର କୌଣସି କାରଣ ନାହିଁ । ଯୋଉଟା ତୋର ଅଧିକାରର ବହିର୍ଭୂତ; ଯୋଉଟା ତୋର ସ୍ୱାଧୀନ ଇଚ୍ଛାର ଉର୍ଦ୍ଧ୍ୱରେ, ଯା ଉପରେ ତୋର କିଛି ହେଲେ କର୍ତ୍ତୃତ୍ୱ ନାହିଁ, ସେଇଟାକୁ ତୁ କାହିଁକି ଭାବୁଛୁ ତୋର ନିଜର ବୋଲି ?

 

ତୁ କେବେ ଭାବି ଦେଖିଛୁ କାହିଁକି ଏଇ ସ୍ୱାଭାବିକତା ? ତୁ ଭାବିନୁ । କାରଣ ତୁ ମନେ କରିଛୁ ତୋର ଏ ମମତା, ସ୍ନେହଶୀଳତା, ବାତ୍ସଲ୍ୟ ସବୁ ନେଇ ଜୀବନ । ସେଇଟା ତୋର ସ୍ୱରୂପ । କିନ୍ତୁ ତୁ ଖାଲି ଜୀବନର ବହିଃରଙ୍ଗରେ ମାତି ଯାଇଛୁ । ଅନ୍ତଃରଙ୍ଗ ପ୍ରତି କେବେହେଲେ ଦୃଷ୍ଟି ଦେଇନୁ । ଏ ସମସ୍ତ ଇମୋସନ କେବଳ ଏଫେକ୍‍ଟ କାରଣ ନୁହେଁ । ପ୍ରତିକ୍ରିୟା କେବେ କାରଣ ହୋଇ ନପାରେ; ତୋର ଦେହରେ ମନରେ ପ୍ରତିଫଳିତ ହୋଇଛି ଏଇ ସବୁ ପ୍ରତିକ୍ରିୟା କିନ୍ତୁ ତୋର ଅଜ୍ଞାତ ରହି ଯାଇଛି ତାର କାରଣ । ତୁ ନିଜ ଇଚ୍ଛାରେ ଭଲ ପାଉନା । ତୋ ଭଲ ପାଇବା ବାଧ୍ୟତାମୂଳକ । ସେ ଏକ ଅଜଣା ଶକ୍ତିର ନିର୍ଦ୍ଦେଶରେ । ତେଣୁ ତୋର ସ୍ଵାଭାବିକତାର ଅନ୍ୟ ନାମହିଁ ଜୀବନ ମହାଶକ୍ତି । ତୁ ସେହି ମହାଶକ୍ତିର ଗୋଟାଏ ଧାରକ ମାତ୍ର ।

 

ସେଇ ଅବିଚ୍ଛିନ୍ନ ମହାଶକ୍ତିର ତୁ ଯେ କେବଳ ଗୋଟାଏ ଲିଙ୍କ୍ । ଆଉ ସେତିକିହିଁ ତୋ ସହିତ ମୋର ସମ୍ପର୍କ । ଆଉ ବାକି ଯେତେ ସମ୍ପର୍କର ଜାଲ ବୁଣା ଯାଇଛି ସେଗୁଡ଼ା କେବଳ ଅହେତୁକୀ ସାମାଜିକତା, ଆଉ କିଛି ନୁହେଁ ।

 

ହଠାତ୍ ସେଇ ଅନ୍ଧକାର ଗଳି ଭିତରେ ଉଭାସିତ ହୋଇ ଉଠିଲା ଗୋଟାଏ କ୍ଷୁଦ୍ର ଆଶ୍ରମ । ପର୍ଣ୍ଣକୁଟୀରର ବାରଣ୍ଡା ଉପରେ ଜଣେ ବୃଦ୍ଧ ଋଷି ଓ ଆଉ ଜଣେ ବାଳକ । କୁଟୀର ଦ୍ଵାରରେ ଦଣ୍ଡାୟମାନ ପରମ ରମଣୀୟା ଋଷିବଧୁ । ଅପ୍ରାତ୍ୟାଶିତ ଭାବେ ଆଶ୍ରମ ଭିତରେ ପ୍ରବେଶ କଲେ ଜଣେ ଯୁବକ ୠଷି । ବିନା ବାକ୍ୟବ୍ୟୟରେ ସେ ୠଷିବଧକୁ ଆଲିଙ୍ଗନ କରି ବଳତ୍କାରରେ ଘେନିଗଲେ ପର୍ଣ୍ଣକୁଟୀର ଭିତରକୁ । ବୃଦ୍ଧ ଋଷି ସ୍ଥାଣୁ, ନିର୍ବେଦ ପରି ଶାନ୍ତ ଭାବରେ ନିରୀକ୍ଷଣ କରିବାକୁ ଲାଗିଲେ ସମସ୍ତ ଘଟଣା ନିର୍ଲିପ୍ତ ଭାବରେ । ଋଷିବାଳକ କିନ୍ତୁ ଅପରିସୀମ କ୍ରୋଧରେ ପ୍ରଜ୍ୱଳିତ ହୋଇ ଉଠିଲେ । ସହସା ଦଣ୍ଡାୟମାନ ହୋଇ ସେ ବୃଦ୍ଧକୁ ତିରସ୍କାର କରିବାକୁ ଲାଗିଲେ । ହେ ପିତା, ତମରି ଚକ୍ଷୁ ସମ୍ମୁଖରେ ମୋର ମାତାଙ୍କୁ ଅନ୍ୟ ଜଣେ ବଳତ୍କାରରେ ହରଣକରି ନେଇ ଯାଉଛି ଅଥଚ ତମେ ନିର୍ଜୀବ, ଭୀରୁ ପରି ବସି ରହିଛି ବିନା ପ୍ରତିବାଦରେ । ତମକୁ ଲଜ୍ଜା ଲାଗୁନି ।” ବୃଦ୍ଧ ୠଷି ଶାନ୍ତ ଭାବରେ ଈଷତ୍ ହସି କହିଲେ “ବତ୍ସ ଶ୍ୱେତକେତୁ, ଏହାହିଁ ସନାତନ ଧର୍ମ । ସ୍ତ୍ରୀମାନେ ସ୍ଵଜାତୀୟ ଶତ ସହସ୍ର ପୁରୁଷଙ୍କ ପ୍ରତି ଆଶକ୍ତ ହେଲେ ସୁଦ୍ଧା ଦୋଷାବହ ନୁହେଁ ।” କିନ୍ତୁ ୠଷିବାଳକ ଏ ଶାନ୍ତ ବାକ୍ୟରେ ପ୍ରଶମିତ ହେଲେ ନାହିଁ । ସେ ଅଭିଶାପ ବର୍ଷଣ କଲେ “ଆଜିଠାରୁ ଯେଉଁ ସ୍ତ୍ରୀ ପ୍ରତି ଭିନ୍ନ ପର ପୁରୁଷ ପ୍ରତି ଆସକ୍ତ ହେବ ଏବଂ ଯେଉଁ ପୁରୁଷ ପତିବ୍ରତା ସ୍ତ୍ରୀକୁ ପରିତ୍ୟାଗ କରି ନୀଚ ସ୍ତ୍ରୀ ଅଭିଳାଷୀ ହେବ ସେମାନଙ୍କୁ ଭୃଣହତ୍ୟା ରୂପ ଘୋର ପାପପଙ୍କରେ ଘାଣ୍ଟି ହେବାକୁ ପଡ଼ିବ ।”

 

ତା’ ପରେ ସେମିତି ଅପ୍ରତ୍ୟାଶିତ ଭାବେ ଅନ୍ତର୍ହିତ ହୋଇଗଲା ସମସ୍ତ ଦୃଶ୍ୟ । ପୁଣି ଆଉଥରେ ଗଭୀର ଅନ୍ଧକାରରେ ଛାଇଗଲା ଗଳିର ମଧ୍ୟଭାଗ । ଆମେ ଦୁହେଁ ସ୍ତବ୍ଧ ହୋଇ ରହିଲୁ କିଛିକ୍ଷଣ ପାଇଁ ।

 

ମୁଁ ଧୀରେ ଧୀରେ କହିଲି “ବୋଉ ସ୍ୱାଭାବିକତାର ପ୍ରଥମ ବନ୍ଧନ ଏଇଠି । ଶ୍ଵେତକେତୁ ସମାଜର ନିୟମ । ହେଉ, ଏଥର ବାଟ ଛାଡ଼ ମୁଁ ଯାଏ ।”

 

ବୋଉର ଉନ୍ମୁକ୍ତ ବାହୁ ଦୁଇଟିକୁ ସଜୋରେ ଆଡ଼େଇ ଦେଇ ମୁଁ ଫେର୍ ଆଗେଇ ଗଲି । ହଠାତ୍ ବାଟ ମଝିରେ ଥିବା ଖାଲ ଭିତରେ ପାଦ ପଶି ଯିବାରୁ ମୁଁ ଝୁଣ୍ଟି ପଡ଼ିଲି । ନିଜକୁ ସମ୍ଭାଳି ଉଠି ଦେଖେତ ମୋ ସାମ୍ନାରେ ପଥରୋଧ କରି ବସି ରହିଛନ୍ତି ଦୁଇଟି ମଣିଷ ।

 

ଅନ୍ଧକାରରେ ମୁଁହ ଦିଶୁନି ।

 

“କିଏ ତମେମାନେ ? ମୁଁ ପ୍ରଶ୍ନ କଲି ।”

 

ଗୋଟାଏ ସୁକ୍ଷ୍ମ ନାରୀ କଣ୍ଠ ଭାସି ଆସିଲା “ମୁଁ ତମର ଭଉଣୀ ।” ତା’ର ପ୍ରତ୍ୟୁତ୍ତର ଶେଷ ନ ହେଉଣୁ ଆଉ ଗୋଟାଏ ମନ୍ତ୍ର ସୁର କହି ଉଠିଲା “ମୁଁ ତୋର ଭାଇ ।”

 

ମୋତେ ହସ ମାଡ଼ିଲା । ମୁଁ ହସି ଉଠିଲି ହୋ ହୋ ହୋଇ । ନିର୍ବୋଧ, ନିର୍ବୋଧ । ତାପରେ ଧୀରେ କହିବାକୁ ଲାଗିଲି “ତମେ ଦି’ଜଣ ବଡ଼ ଅବୋଧ । କିଏ କାହାର ଭାଇ ? କିଏ କାହାର ଭଉଣୀ ? କି ମାନେ ଏଇ ସଂପର୍କର ? କିଛି ନା । ଆମେ ସମସ୍ତେ ବିଭିନ୍ନ । ଆମେ ସମସ୍ତେଏକାକୀ । ଆମେ ସମସ୍ତେ ସମ୍ପର୍କହୀନ ବିଚ୍ଛିନ୍ନ ଦ୍ଵୀପ । ପ୍ରତ୍ୟେକର ଅନୁଭୂତି, ବିଚାରବୋଧ ତା’ର ନିଜସ୍ଵ । ପ୍ରତ୍ୟେକେ ନିଜ ନିଜର ପ୍ରଭୁ । ନିଜେ ନିଜ ପାଇଁ ଦାୟୀ ।

 

ଆମେ ଏକ ପରିବାରରେ, ଏକ ପିତାମାତାର ଔରସରେ ଜନ୍ମ ନେବା କେବଳ ଗୋଟାଏ ଚାନ୍ସ । ଗୋଟାଏ ପରିବାରରେ ରହିବା କେବଳ କିଛିକ୍ଷଣର ସହାବସ୍ଥାନ ମାତ୍ର । ଗୋଟାଏ ହୋଟେଲ କୋଠରୀରେ ବହୁ ବ୍ୟକ୍ତି ବାସ କରନ୍ତି; କିନ୍ତୁ ତା ବୋଲି ସେମାନେ ଏକ ନୁହନ୍ତି । ହୁଏତ ଏକ ବୃହତ୍ତର ପରିପ୍ରେକ୍ଷୀରେ ଆମେ ସମସ୍ତେ ଏକ ଓ ଅଭିନ୍ନ । ତେଣୁ ଆମର ମନ ଭିତରେ ସେଇ ଏକତ୍ଵର ସ୍ୱର ବିଭିନ୍ନ ସଂପର୍କ ନେଇ ପ୍ରସ୍ଫୁଟିତ ହୋଇ ଉଠେ; କିନ୍ତୁ ବାସ୍ତବରେ ଆମେମାନେ ନିଜସ୍ୱ ସ୍ଵଭାବ ଓ ଧର୍ମ ନେଇ ନିଷ୍ଠୁର ଭାବରେ ଏକାକୀ । ଏହି ଏକାକୀତ୍ଵର ଦାୟିତ୍ୱକୁ ବହନ କରିବାକୁ ଅସମର୍ଥ ହୋଇ ମଣିଷ ଗଢ଼ିଛି ସମାଜ । ଆଉ ସେଇ ସମାଜ ଏକତ୍ର ସହାବସ୍ଥାନର ନାମାନ୍ତର ମାତ୍ର । ବ୍ୟକ୍ତିର ଦାୟୀତ୍ଵ ସମଷ୍ଟି ଉପରେ ଆଉ ସମଷ୍ଟି ବୃହତ୍ତମ ବ୍ୟକ୍ତି–ଗୋଷ୍ଠିର ଆଦେଶକୁ ପାଳନ କରେ । ନିଜର ଦାୟୀତ୍ଵକୁ ଅପର ଉପରେ ନ୍ୟସ୍ତ କରିଦେଇ “ବ୍ୟକ୍ତି” ହୁଏ ନିଶ୍ଚିନ୍ତ । ଆଉ ସେଇ ନିଶ୍ଚିନ୍ତତା ଆଣେ ଶିଥିଳତା, ଅବସାଦ ଓ ଆଳସ୍ୟ ।

 

ଭଉଣୀ ମୋର, ତୁ ସମଷ୍ଟିର ଦାୟିତ୍ଵକୁ ନିଜ ମୁଣ୍ଡ ଉପରେ ଲଦି ଭାବି ଦେଖ, ମୋ କଥା ସତ କି ମିଛ ? ଏଇ ବିରାଟ ପୃଥିବୀରେ କିଏ କେତେବେଳେ କୋଉଠି ଜନ୍ମ ନିଏ ତାର କୌଣସି ସ୍ଥିରତା ନାହିଁ । କିଏ କୋଉ ସମାଜରେ ବଢ଼େ ତାର ଠିକଣା ନାହିଁ । ଆମ୍ଭମାନଙ୍କର ସଂପର୍କ କେବଳ ଟ୍ରେନ କମ୍ପାଣ୍ଟମେଣ୍ଟର ସମ୍ପର୍କ । ଶାରୀରିକ ସାଦୃଶ୍ୟ କେବଳ ଯୋଗସୂତ୍ର; କିନ୍ତୁ ସେଇଟା କ’ଣ ଏକମାତ୍ର କାରଣ ତୋର ଦାବୀ କରିବାର । ଧରି ନିଆଯାଉ ଆମର ସମ୍ପର୍କ ଅତି ଘନିଷ୍ଠ; କିନ୍ତୁ ତୋ ସହିତ ମୋର ମିଳନ ଫଳରେ କ’ଣ ସନ୍ତାନ ଜନ୍ମ ହେବ ନାହିଁ ? ନିଶ୍ଚୟ ହେବ । କେହି ସେଥିରେ ବାଧା ଦେଇ ପାରିବ ନାହିଁ । କାରଣ ମୌଳିକ ଭାବେ ଆମେ ବିଚ୍ଛିନ୍ନ । ଆମର ଘନିଷ୍ଠତା କେବଳ ମନୁଷ୍ୟକୃତ ସାମାଜିକତା ।

 

କିନ୍ତୁ ତଥାପି ତୋ ଓ ମୋ ଭିତରେ ଯୌନ ମିଳନ ନିଷିଦ୍ଧ । କାହିଁକି ? ତା’ର କାରଣ ସାମାଜିକତା । ଗୋଟାଏ ପରିବାର ଭିତରେ ସମସ୍ତ ଭଲ ଗୁଣ ଆବଦ୍ଧ ନଥାଏ । ତେଣୁ ଭଲ ଗୁଣର ମିଶ୍ରଣ ପାଇଁ ଦରକାର ପଡ଼େ ଆଉ ଗୋଟାଏ ପରିବାରର ଭଲ ଗୁଣ । ସମାଜ ଶୁଦ୍ଧ ଚାହେଁନା । ଚାହେଁ ହାଇବ୍ରିଡ୍ । ତା’ ନହେଲେ ଗୋଟାଏ ପରିବାର ଭିତରେ ସମସ୍ତ ଭଲ ଗୁଣ ସୀମାବଦ୍ଧ ରହିଯିବ । ଆଉ ସେ ପରିବାରର ଧ୍ଵଂସ ପରେ ସେତକ ଗୁଣ କିଛି କାଳପାଇଁ ବିଲୁପ୍ତ ହୋଇଯିବ । ବୃହତ୍ତର ମଣିଷ ସମାଜରେ ତା’ର ବିସ୍ତାର ଲାଭ ହୋଇପାରିବ ନାହିଁ । ସେଥିପାଇଁ ମଣିଷର ସ୍ଵାଭାବିକ ବ୍ୟବହାରକୁ ସଂକୁଚିତ କରାଯାଇଛି ଗୋଟାଏ ଆଦର୍ଶର ପରିପ୍ରେକ୍ଷୀରେ । ଆଉ ସେଇ ଆଦର୍ଶକୁ ଭିତ୍ତି କରି ପ୍ରତିଷ୍ଠିତ ହୋଇଛି ସମାଜ ।

 

ତେଣୁ ମୋର ତୋ ପ୍ରତି ଆକର୍ଷଣ ପାପ ନୁହେଁ, ଅଶ୍ଳୀଳ ନୁହେଁ, ଘୃଣ୍ୟ ନୁହେଁ—ସ୍ଵାଭାବିକ; କିନ୍ତୁ ଏ ସ୍ଵାଭାବିକତାକୁ ତ୍ୟାଗ କରିବାକୁ ପଡ଼େ କେବଳ ସମଗ୍ର ମଣିଷ ସମାଜର କଲ୍ୟାଣ ପାଇଁ । ଏ ନିଷିଦ୍ଧ ଯୌନ ମିଳନ—ନୈତିକତା ପାଇଁ ନୁହେଁ, ସମଗ୍ର ବିଶ୍ୱର ଭ୍ରାତୃତ୍ଵବୋଧ ପାଇଁ । ଆଉ ସବୁ ଯେତେ ନୀତି, ଯେତେ ପାପ ପୁଣ୍ୟର କଥା, ସବୁ ଖାଲି ଧୁଆଁ ବାଣ । ଶଠତା, ମିଥ୍ୟାଚାରର ମାୟାଜାଲ । ତୁ ଏ ସହଜ, ସାଧାରଣ ମୌଳିକ ମାନବିକତାର ସତ୍ୟକୁ ଗ୍ରହଣ କର-। ଅଯଥା ନୀତି କଥାର ଅନ୍ଧବିଶ୍ୱାସରେ ବୁଡ଼ି ଯାଆନା ।

 

ତେଣୁ ତୁ ମୋ ଆଖିରେ କେବଳ ଜଣେ ନାରୀ ମାତ୍ର । ମୋ ପାଖରେ ତୋର ସେତିକି ମାତ୍ର ପରିଚୟ; କିନ୍ତୁ ତୁ ସେଇ ନାରୀ ଯାହାକୁ ମୋତେ ପରିତ୍ୟାଗ କରିବାକୁ ପଡ଼ିବ, ଅନ୍ୟ ମଣିଷର ହୃଦୟରେ ମୋ ପ୍ରତି ସମ୍ବେଦନଶୀଳତା ଜାଗରଣ କରେଇବା ପାଇଁ—ନୂତନ ରଙ୍ଗରେ ବିଭୂଷିତ ହୋଇ ଉଦ୍‍ଗତ ହେବା ଆସନ୍ତା କାଲିର ମଣିଷମାନଙ୍କ ପାଇଁ ।

 

ତୁ କହୁଛୁ ? କିନ୍ତୁ ମୋର ଆଉ କୌଣସି ଉପାୟ ନାହିଁ । ଏ ଗଳି ଭିତରେ ମୋର ସାମାଜିକତାର ସମସ୍ତ ଖୋଳପା ଗୋଟି ଗୋଟି ହୋଇ ଖସି ପଡ଼ୁଛି । ମୁଁ ସ୍ପଷ୍ଟ କଥା କହିବାକୁ ବାଧ୍ୟ ।

 

ଭାଇ ! ତୁ ବି ମୋ ପରି ଜଣେ ପୁରୁଷ ମାତ୍ର । କାନ୍ଧରେ ତୋର ସେଇ ଗୁରୁଭାର । ଆମର ଯାତ୍ରାର ଆରମ୍ଭ ହୁଏତ ଆକସ୍ମିକ ଭାବରେ ଗୋଟାଏ ଜାଗାରୁ ଆରମ୍ଭ; କିନ୍ତୁ ଆମର ରାସ୍ତା ଅଲଗା । କେବଳ ଶାରୀରିକ ସାଦୃଶ୍ୟ ନେଇ ଆମେ ଏକତ୍ଵର ଗର୍ବ କରିବା ମୂର୍ଖତା । ତେଣୁ ଆମେ ଗୋଟାଏ ପରିବାରରେ ରହିଛୁ ବୋଲି ସେ ଆମେ ଏକାଡ଼ୋରରେ ବନ୍ଧା ଏ କଥା ମିଛ । ଆମେ ପ୍ରତ୍ୟେକେ ଭିନ୍ନ । ଆମର ପରସ୍ପର ଉପରେ କିଛି ଅଧିକାର ନାହିଁ—କିଛି ସମ୍ୱନ୍ଧ ନାହିଁ । ଆମେ ପୃଥକ ।”

 

ମୁଁ ଆଗେଇବାକୁ ଲାଗିଲି । ହଠାତ୍ ଗୋଟାଏ ଶିରାବହୁଳ ଲୋଳଚର୍ମର ହାତ ଆଙ୍କୁଶି ପରି ମୋ ହାତକୁ ଭିଡ଼ି ଧରିଲା । ମୁଁ ଚମକି ପଡ଼ି ଚାହିଁ ଦେଖେତ ଜଣେ ଲଣ୍ଡିତ ମସ୍ତିଷ୍କ, ବୟସ ଭାରରେ ନତ, ଗଳିତ ନଖଦନ୍ତ, ଜଣେ ବୃଦ୍ଧ । ଓ ! “କିଏ ପୁରୋହିତେ ?” “ହଁ ରେ ପୁଅ ମୁଁ । ମୁଁ ଏଇଠି ଛିଡ଼ା ହୋଇ ତୋ କଥା ସବୁ ଶୁଣୁଥିଲି । ଛି ଛି ଛି, କି ପାପ କଥା ତୁ ତୁଣ୍ଡରେ ଧରୁଛୁ ? ପାଠ ପଢ଼ିଲୁ ବୋଲି ଏଇ ଶିକ୍ଷା ତୁ ପାଇଛୁ ? ଇସ୍, । ଘୋର ଅନାଚାର, ଘୋର କଳି । ଧର୍ମ ଗଲା, ନୀତି ଗଲା, ଆଚାର ଗଲା । ଘୋର ବ୍ୟଭିଚାର; କିନ୍ତୁ ତୁ ଏ ପାପରୁ ରକ୍ଷା ପାଇବୁନି । କୁମ୍ଭିପାକ ନର୍କରେ ପଡ଼ି ଘାଣ୍ଟି ହେବୁ । ଗୌରବ ନର୍କରେ ପଡ଼ି ଭୀଷଣ ଯନ୍ତ୍ରଣା ଭୋଗିବୁ । ଏ ବୃଦ୍ଧ ବ୍ରାହ୍ମଣର ଅଭିଶାପ । ତୁ ନର୍କକୁ ଯିବୁ । ନର୍କକୁ ଯିବୁ ।”

 

“ଚୁପ କର ମୂର୍ଖ !” ମୁଁ ଗର୍ଜି ଉଠିଲି । “ଧର୍ମ, ଆଚାର ନୈତିକତାର ପରସ୍ତ ପରସ୍ତ ଦଉଡ଼ି ଦେଇ ତମେ ସବୁ ମାନବତାକୁ ହତ୍ୟା କରିଛ । ସହସ୍ର ବର୍ଷ ଧରି ତମର ଏ ବନ୍ଧନ ମାନବତାକୁ ନିଷ୍ପେଷିତ କରିଛି । ମଣିଷକୁ ଶୃଙ୍ଖଳିତ, ପଙ୍ଗୁ କରି ରଖିଛି । ସ୍ୱର୍ଗ ଓ ନର୍କ ତମର କଳ୍ପନା । ତମର କାରାଗାରକୁ ସୁଦୃଢ଼ କରି ରଖିବାର କାଳ୍ପନିକ ସୃଷ୍ଟି, ମୁଁ ସ୍ୱର୍ଗକୁ ଯିବିନି କି ନର୍କକୁ ଯିବିନି । ମୁଁ ଏଇ ମାଟିର ମଣିଷ ମାଟିରେ ମିଶିବି । ମୋର ସ୍ଥିତି କ୍ଷଣିକର ସ୍ଥିତି । ମୁହୂର୍ତ୍ତ ମୁହୂର୍ତ୍ତ ଧରି ଆହରିତ ଜୀବନୀ ଶକ୍ତିରେ ମୁଁ ବିକଶିତ । ମୋ ପଛରେ ଆତ୍ମା ନାହିଁ—ମୋ ଆଗରେ ଭଗବାନ ନାହିଁ । ଭଗବାନ ଏକ ଅନ୍ଧ ବିଶ୍ୱାସ । ତମରିମାନଙ୍କ ଦ୍ୱାରାହିଁ ତାର ସୃଷ୍ଟି । ଜୀବନ ଓ ମୃତ୍ୟୁ ମଧ୍ୟରେ ଅନ୍ତର୍ନିହିତ ଭାବେ ଆତ୍ମା ବୋଲି କିଛି ନାହିଁ । ଏକମାତ୍ର ସତ୍ୟ କେବଳ ଆମର ଏଇ ଚେତନା ପ୍ରବାହ । ପ୍ରତି ମୁହୂର୍ତ୍ତରେ ଭାବନା କ୍ରମାନ୍ୱୟରେ ବହି ଚାଲିଛି—ସେଇ ଗୋଟିକ ମୁହୂର୍ତ୍ତରେ ହିଁ ତାର ଜନ୍ମ ଓ ତାର ବିଲୁପ୍ତ । ସେ ଭାବନାର ଭାବୁକ କେହି ନାହିଁ, ଆତ୍ମା ନାହିଁ । ଏ ଦେହ ବଦଳୁଛି—ଚେତନା ବଦଳୁଛି । ଆମର ଜୀବନ ତ ଏକ ଚିରନ୍ତନ ଦୁଃଖ । କିନ୍ତୁ ତମେମାନେ ସେତିକିରେ ସନ୍ତୁଷ୍ଟ ନୁହଁ—ଆହୁରି ଗୋଟାଏ ନର୍କ ଦରକାର ଶାସ୍ତି ପାଇଁ । ତମେ ସବୁ ଭଣ୍ଡ, ପ୍ରତାରକ । ମୋର ଭଗବାନ ମୁଁ ନିଜେ । ମୋର ଧର୍ମ ମାନବିକତାର ଧର୍ମ । ମୋର ବିଶ୍ୱାସ ମୋ ନିଜ ଉପରେ, କେଉଁ ଏକ ଅଜଣା କାଳ୍ପନିକ ଭଗବାନ ଉପରେ ନୁହେଁ । ମୁଁ ନିଜକୁ ନିଜେ ଗଢ଼େ । ମୁଁ ଦୁର୍ବଳ ନୁହେଁ, ଅସହାୟ ନୁହେଁ । ମୁଁ ନିଜେ ନିଜର ବାଟ ନିଜେ ଖୋଜିବି । ସେଥିପାଇଁ ଧର୍ମ, ଭଗବାନ କେହି ମୋର ସାହାଯ୍ୟ କରିବେ ନାହିଁ । ତମେ ନିୟମ କରିଛ ବୋଲି ତାକୁ ମୁଁ ଅନ୍ଧ ଭାବରେ ଗ୍ରହଣ କରିବି ନାହିଁ । ମୋର ଚେତନା, ମୋର ଅନୁଭୂତିର କଷଟି ପଥରରେ ମୁଁ ତାକୁ ପରୀକ୍ଷା କରି ଦେଖିବି । ମୋତେ ପରୀକ୍ଷା କରିବାକୁ ଦିଅ । ତମେ ଯଦି ପ୍ରକୃତରେ ଶୁଦ୍ଧ ତେବେ ତମେ ମୋ ଏ ପରୀକ୍ଷାରେ ଭୟ ପାଉଛ କାହିଁକି ! କାହିଁକି ମୋତେ ପଛକୁ ଟାଣୁଛ—ବାଟ ଓଗାଳୁଛ ? ଆଜି କିନ୍ତୁ ମୁଁ କିଛି ମାନିବାକୁ ଚାହେଁନା—କେହି ମୋର ପ୍ରତିରୋଧ କରିପାରିବେ ନାହିଁ ।

 

ହଠାତ୍ ସେଇ ଅନ୍ଧାର ଭିତରେ ଶତ ଶତ ଶ୍ଳଥ, ଅଙ୍କା ବଙ୍କା, ଶିରାଯୁକ୍ତ, ହାଡ଼ୁଆ ହାତ କଣ୍ଟା ପରି ମୋ ଚାରିଆଡ଼େ ବେଢ଼ି ଆସିଲେ । ଗୋଟାଏ ପ୍ରବଳ ଆଘାତରେ ସେମାନଙ୍କ କବଳରୁ ନିଜକୁ ମୁକ୍ତ କରିନେଇ ମୁଁ ଆଗେଇ ଚାଲିଲି l ପଛରେ ଅସ୍ପଷ୍ଟ ଭାବରେ ଶୁଣା ଯାଉଥାଏ ଦନ୍ତହିନ ପାଟିର ଅବିଶ୍ରାନ୍ତ ଅଭିଶାପ, ଅସହାୟତ୍ଵର ହାହାକାର ଓ ଭୟଭୀତର ଅସ୍ପଷ୍ଟ ଚିକାର ।

 

ଗଳି ଭିତରର ଅନ୍ଧକାର ଆହୁରି ନିବିଡ଼ ହୋଇ ଉଠୁଛି । ମୁହଁକୁ ମୁହଁ ଦିଶୁନାହିଁ । ସତୀ ଭେଦ୍ୟ ଅନ୍ଧକାର । ମୁଁ ଅଣ୍ଡାଳି ଅଣ୍ଡାଳି ବହୁ ସମୟ ପରେ ଗୋଟାଏ ଗୋଟାଏ ପାଦ ପକେଇ ଆଗେଇବାକୁ ଲାଗିଲି । ହଠାତ୍ ଗୋଟାଏ ବରଫ ଖଣ୍ଡ ଉପରେ ହାତ ବାଜି ମୁଁ ଶିହରି ଉଠି ଛିଡ଼ା ହୋଇଗଲି । ଅନ୍ଧକାର ଯେମିତି ଖଣ୍ଡ ଖଣ୍ଡ ବରଫ ପରି ଜମାଟ ବାନ୍ଧି ଯାଇଛି । ସେଇ ଭୟଙ୍କର ଅନ୍ଧକାର ଭିତରେ ଅପ୍ରତ୍ୟାଶିତ ଭାବରେ କିଏ ଜଣେ ଅତି ଉଚ୍ଚ ସ୍ଵରରେ ବିକଟ ଅଟ୍ଟହାସ୍ୟ କରିଉଠିଲା । ମୁଁ ଚମକି ପଡ଼ିଲି । କିଛି ସମୟ ପରେ ପଚାରିଲି “କିଏ ?” ସେଇ ନୀରବତା ଭିତରେ ଆହୁରି ପରେ ପ୍ରତିଧ୍ଵନିତ ହୋଇ ଉଠିଲା ସେଇ ଅଟ୍ଟହାସ୍ୟ, ଆଉ ପୁଣି ଥରେ ସେଇ ବିକଟାଳ ହସର ପ୍ରତିଧ୍ଵନି ଜମାଟ ବାନ୍ଧି ଅନ୍ଧକାରରେ ପ୍ରତିଧ୍ଵନିତ ହୋଇ ଉଠିଲା ଦୁଇଗୁଣ ବେଗରେ । ଗୋଟାଏ ଗମ୍ଭୀର କଣ୍ଠସ୍ଵର ଭାସି ଆସିଲା “ନିର୍ବୋଧ କାହିଁକି ମିଛଟାରେ ଆଗେଇବାକୁ ଚେଷ୍ଟା କରୁଛୁ ? ତୁ ଆଉ ଆଗକୁ ଯାଇ ପାରିବୁ ନାହିଁ ।” ମୋ ଭିତରେ ହଠାତ୍ ଗୋଟାଏ ଅଗ୍ନି ସ୍ପୁଲିଙ୍ଗ ଝଲସି ଉଠିଲା । ମୁଁ ଚିତ୍କାର କରି ଉଠିଲି “ମୁଁ ନିଶ୍ଚୟ ଯିବି । ତମେ କିଏ ମୋର ପଥରୋଧ କରିବାକୁ ?” ମୋର ଚିତ୍କାର ବାୟୁମଣ୍ଡଳରେ ମିଳାଇ ଯିବା ପୂର୍ବରୁ ଆଉଥରେ ମେଘ ଗର୍ଜନ ସ୍ଵରରେ ଏକ ଅଟ୍ଟହାସ୍ୟ । କମ୍ପେଇଦେଲା ସେ ଗଳିର ମଧ୍ୟଭାଗକୁ । ଆଉ ବଜ୍ରଗମ୍ଭୀର ସ୍ଵରରେ ଶୁଣାଗଲା ଏକ ନିର୍ଦ୍ଦେଶ “ମୁଁ ତୋର ଭାଗ୍ୟ ।”

 

ମୋ ଭିତରର ପ୍ରଥମ ସ୍ପୁଲିଙ୍ଗ ଦାବାନଳରେ ପରିଣତ ହୋଇଗଲା କ୍ଷଣକ ଭିତରେ । ସେଇ ପ୍ରଜ୍ୱଳିତ ଦାବାନଳ ଇସ୍ପାତ୍ ଖଣ୍ଡ ପରି କଠିନ ହୋଇ ଉଠିଲା । ମୁଁ ଆହୁରି ଉଦାତ୍ତ ସ୍ଵରରେ ଚିତ୍କାର କରି କହିଲି “ଭାଗ୍ୟ ! ତମେ ହିଁ ନିର୍ବୋଧ । ମୋର ଭାଗ୍ୟ ମୁଁ ନିଜେ । ମୋର ଦିଗ ଦ୍ରଷ୍ଟା । ମୁଁ ନିଜେ । ମୋର କର୍ତ୍ତବ୍ୟ ଓ ଗତିପଥର ନିୟନ୍ତ୍ରକ ମୁଁ ନିଜେ । ତମେ କେବଳ ଏକ ପ୍ରହେଳିକା, ଏକ ମାୟା, ଆଳସ୍ୟପରାୟଣବ୍ୟକ୍ତିର ସାନ୍ତ୍ଵନା । କାମନାପିପାସୁ ବ୍ୟକ୍ତିମାନଙ୍କର ପାର୍ଥିବ ବିଫଳତା-। ଯେ ଆଶାକରେ ନା, ତା’ପାଖରେ ତମେ ନିରର୍ଥକ । ମୁଁ ଆଶା କରେ ନା, ମୁଁ ବିଶ୍ଵାସ କରେ-। ମୋର ବିଶ୍ଵାସ ମୋ ନିଜତ୍ଵ ଉପରେ ହିଁ ନିହିତ । ମୁଁ ଚିହ୍ନିଛି ତମର ଅସଲ ରୂପକୁ । ତମେ ମୋର ଦୁର୍ବଳତାର ପ୍ରତିମୂର୍ତ୍ତି । କାମନା–ପ୍ରତିହତ ମାନସର ପ୍ରତିବିମ୍ବ । ଯେତେବେଳଯାଏଁ ମୋର ନିଜ ଉପରେ ବିଶ୍ୱାସ ରହିଛି, ଯେତେବେଳ ଯାଏ ମୁଁ ମୋର ପୁରୁଷକାରର ବିକ୍ରମରେ ବଳୀୟାନ୍; ସେତେବେଳଯାଏଁ ମୁଁ ତମର ଦେଖା ପାଏନା—ତମେ ମୋତେ ଅଟକେଇ ପାରନା । କିନ୍ତୁ ମୁଁ ଯେତେବେଳେ ମୋ ନିଜ ଉପରେ ବିଶ୍ଵାସ ହରାଏ, ସେତେବେଳେ ତମେ “ବିଷକୁମ୍ଭ ପୟୋମୁଖଂ” ବନ୍ଧୁ ପରି ମୋ ପାଖରେ ଗେଲେଇ ହୁଅ, ମୋତେ ଆଶ୍ଵାସନା ଦେଇ ମୋତେ ଆହୁରି ଦୁର୍ବଳ କରିଦିଅ । ତମରି ମାୟା ଜାଲରେ ମୋତେ ଆଚ୍ଛନ୍ନ କରିଦିଅ । ମୋତେ ଭାବିବାକୁ ବାଧ୍ୟ କର ଯେ ତମେହିଁ ମୋର ନିୟନ୍ତ୍ରକ । ମୁଁ କିଛି ନୁହେଁ । ଶେଷକୁ ତମରି ହାତରେ ନିଜକୁ ସମର୍ପି ଦେଇ ତମର ଖେଳନା କଣ୍ଢେଇ ହୋଇ ରହେ । କିନ୍ତୁ ହେ ଭାଗ୍ୟ, ଆଜି ଆଉ ନୁହେଁ—ମୁଁ ତମକୁ ଠିକ୍ ଚିହ୍ନିଛି । ତମର ଅସ୍ତିତ୍ଵ ନାହିଁ—ତମର ଶକ୍ତି ନାହିଁ । ତମେ କେବଳ ମୋରି କଳ୍ପନା—ପ୍ରସୂତ ମାୟା ଶକ୍ତି । ମୋଠାରୁ ଉଦ୍ଭବ ହୋଇ ମୋତେ ପୁଣି ହତ୍ୟାକର । କିନ୍ତୁ ମୋର ପୁରୁଷକାର କେବେଠାରୁ ତମରି ଶକ୍ତି ଅପରହଣ କରି ପାରିଛି । ତମେ ସେଇ ଅପ୍ରତିହତ, ଦୁର୍ଦ୍ଦମନୀୟ, ପ୍ରଚ୍ଛନ୍ନ ମାୟାଶକ୍ତି ନୁହଁ, ଗୋଟାଏ ବିଷହରା ସର୍ପର ବିଫଳ ଫୁତ୍‍କାର ।”

 

ମୁଁ ଏକ ବଳିଷ୍ଠ ପଦକ୍ଷେପ ନେଇ ଆଗେଇ ଗଲି । ହଠାତ୍ ଯେମିତି ସେ ଶୀତଳତା କୁଆଡ଼େ ମିଳେଇଗଲା । ଅନ୍ଧକାର ଗଳି ଫାଲ୍‍ଗୁନର ମଳୟ ପବନର ହିଲ୍ଲୋଳରେ ହିଲ୍ଲୋଳିତ ହୋଇଉଠିଲା । ଏକ ଅଜଣା ମନୋମୁଗ୍‍ଧକର ସୌରଭରେ ପୂରି ଉଠିଲା ଗଳିର ଅଭ୍ୟନ୍ତର । ଉଷାର ଆଲୋକ ପରି ଏକ କୁହୁଡ଼ିଆ ସଫେଦ ଆଲୋକରେ ସମସ୍ତ ଗଳି ଉଦ୍‍ଭାସିତ ହୋଇ ଉଠିଲା ।

କିନ୍ତୁ କିଛିବାଟ ଗଲାପରେ ପୁଣି ଘୋଟି ଆସିଲା ସେଇ ଘନ ଅନ୍ଧକାର । କ୍ଷଣକର ଆଲୋକ ପରେ ଏ ଅନ୍ଧକାର ମନେ ହେଲା ଆହୁରି ନିବିଡ଼, ଆହୁରି ଦୁର୍ଭେଦ୍ୟ । ହୁ, ହୁ ହୋଇ ଶୀତଳ ପବନର ପ୍ରବାହ ମାଡ଼ି ଆସିଲା ଚାରିଆଡ଼ୁ—ତୁଷାର ଝଡ଼ । ଖଣ୍ଡ ଖଣ୍ଡ ବରଫର ତୀକ୍‍କ୍ଷଣ୍‍ ଫଳାକା ମୋର ସାରା ଦେହକୁ ଛୁଞ୍ଚି ପରି ଆଘାତ କରିବାକୁ ଲାଗିଲେ ।

କଠିନ ବରଫରେ ପାଦଗୁଡ଼ା ଜମାଟବାନ୍ଧି ଆସିଲା । ଘୋରି ହୋଇଗଲା ତଳିପା । ତୁଷାର ଆଘାତରେ ଆଙ୍ଗୁଳି ଗୁଡ଼ାକ ଫାଟି ରକ୍ତ ବହିବାକୁ ଆରମ୍ଭ କଲାଣି । ଆଃ, ବଡ଼ କଷ୍ଟ । ଆହୁରି କେତେ ବାଟ କେଜାଣି । କିନ୍ତୁ ମୋତେ ଆଗେଇବାକୁ ପଡ଼ିବ । ଗଳିର ଶେଷକୁ ପହଞ୍ଚିବାକୁ ପଡ଼ିବ । ମୁଁ ଘୁସୁରି ଘୁସୁରି ଆଗେଇବାକୁ ଲାଗିଲି ।

ହଠାତ୍ କାହାର ତୀକ୍‍କ୍ଷଣ୍‍ ଆଘାତରେ ମୁଁ ଫେର୍ ଚମକି ପଡ଼ିଲି କିଏ ଯେମିତି ପଚାରୁଛି “କୁଆଡ଼େ ଯାଉଛୁ ? କାହିଁକି ଯାଉଛୁ ?” ମୋ ଛାତି ଭିତରୁ ଗୋଟାଏ ଶୀତଳତାର ଅଜଗର ଆସ୍ତେ ଆସ୍ତେ ବିସ୍ତୃତ ହୋଇ ମୋତେ ଚାରିଆଡ଼ୁ ବାନ୍ଧି ଆସିଲା । “କେଉଁଠୁ ଆସୁଛୁ ? ତୁ କିଏ ? କାହିଁକି ଏତେ ଦୁଃଖ କଷ୍ଟ ସହି ଏ ଯାତ୍ରାରେ ଆଗେଇ ଚାଲିଛୁ ? କାହିଁକି ? କାହିଁକି ?”

ଆଃ ସତରେ ତ । ମୁଁ କିଏ ? କାହିଁକି ଯାଉଛି ? କୁଆଡ଼କୁ ଯାଉଛି ? ସତରେ କ’ଣ ମୁଁ ଆକସ୍ମିକ ଭାବରେ ଉଦ୍ଭୁତ ଏକ ଜୀବକଣିକା ନିଜର ଜୀବନୀ ଶକ୍ତିରେ ନିଜେ ଆଗେଇ ଚାଲିଛି । ଏ ଜନ୍ମ ନେବା ପଛରେ କଣ କିଛି କାରଣ ନାହିଁ ? ଏ ବାଟ ଚାଲିବାରେ କଣ କିଛି ଉଦ୍ଦେଶ୍ୟ ନାହିଁ-? ନା କିଛି ନାହିଁ । ଏ କେବଳ ଏକ ଆକସ୍ମିକତା । ମୋର ଆଗମନ ଶୂନ୍ୟ ଭିତରୁ, ମୋର ବିଲୟ ମଧ୍ୟ ଶୂନ୍ୟ ଭିତରେ ? ଏଇ ବିରାଟ ଶୂନ୍ୟତା ଭିତରେ ମୁଁ ଏକ କ୍ଷଣିକର ବୁଦ୍‍ବୁଦ୍ । ଏକ କ୍ଷଣିକ ଶୂନ୍ୟତା । ଜନ୍ମ ଆଗରୁ ମୁଁ ଅବ୍ୟକ୍ତ, ମୃତ୍ୟୁ ପରେ ମଧ୍ୟ ମୁଁ ଅବ୍ୟକ୍ତ । କିନ୍ତୁ ଜନ୍ମ ଓ ମୃତ୍ୟୁ ଭିତରେ କେତେକ ନିର୍ଦ୍ଧିଷ୍ଟ ସମୟ ଭିତରେ ଦୃଶ୍ୟମାନ ଦୈର୍ଘ୍ୟ ପ୍ରସ୍ଥ ସ୍ଥିତ ଘେନି ଏକ ଚଳନ୍ତ ବାସ୍ତବତା-। ମୋର ପିତାମାତା କେହି ମୋର ସୃଷ୍ଟି ପାଇଁ ଦାୟୀ ନୁହନ୍ତି । ମୋ ସମାଜ ମୋ ପାଇଁ ଦାୟୀ ନୁହେଁ-। ମୋ ଦେଶ, ଜାତି, ଧର୍ମ, କେହି ମୋ’ପାଇଁ ଦାୟୀ ନୁହନ୍ତି । ମୁଁ ଏକ ଅନନ୍ତ ସୃଷ୍ଟିଛଡ଼ା ମାନବ-। ମୁଁ ନିଜେ ସବୁର ସୃଷ୍ଟିକର୍ତ୍ତା । ମୁଁ ଯାହା, ତାହା ମୋର ଜୀବନ ଜିଜ୍ଞାସାର ଅନୁଭୂତି । ମୁଁ ନିଜେହିଁ ମୋର ସୃଷ୍ଟିକର୍ତ୍ତା ।

 

ହଠାତ୍ ଆଗରେ ଗୋଟାଏ ପ୍ରତିବନ୍ଧକର ସ୍ପର୍ଶରେ ମୋର ତନ୍ଦ୍ରା ଭାଙ୍ଗିଲା । ବିରାଟ ପ୍ରସ୍ତର ଖଣ୍ଡ ? ନା ତ । ଧୀରେ ଧୀରେ ଉଠି ଛିଡ଼ା ହେଲି । ହାତ ପାଉନି । ତେବେ ? ଆଃ ! ପାଚେରୀ ? ଗଳିର ଅଭ୍ୟନ୍ତରରେ କିଏ କଲା ଏ ସୁଦୃଢ଼ ପ୍ରାଚୀର ? ନା, ଆଉ ଆଗକୁ ଯିବାର ଉପାୟ ନାହିଁ । ଏ ପ୍ରାଚୀର ଲଙ୍ଘିବାର ଉପାୟ ନାହିଁ; କିନ୍ତୁ ଏଇ କଣ ଗଳିର ଶେଷ ? ତେବେ ପାଚେରୀ କାହିଁକି । ପାଚେରୀ ତ ପରିସୀମାର ଚିହ୍ନ । ଏକ ନିର୍ଦ୍ଧିଷ୍ଟ ଇଲାକାର ଚିହ୍ନଟ ପଥର । ତା’ପରେ ନିଶ୍ଚୟ ରହିଛି ଅନ୍ୟ ଏକ ଗଳି—ଅନ୍ୟ ଦେଶ । ମୋତେ ଯିବାକୁ ପଡ଼ିବ ସେଇ ଜାଗାକୁ-। ମୋତେ ଆବିଷ୍କାର କରିବାକୁ ପଡ଼ିବ ସେଇ ନୂତନ ପୃଥିବୀକୁ ।

 

ମୁଁ ନୂତନ ସାହସରେ ସେଇ ପାଚେରୀ ଉପରେ ହାତ ପିଟିବାକୁ ଲାଗିଲା । ଭୀଷଣ ଜୋରରେ ଆଘାତ କରିବାକୁ ଲାଗିଲି । ଭାଙ୍ଗ ଭାଙ୍ଗ ଏ ପାଚେରୀ । କିନ୍ତୁ ସେ ପାଚେରୀ ଅତି ଶକ୍ତ-। ଅତି କଠିନ । ହାତ ଗୋଡ଼ ମୋର କ୍ଷତ ବିକ୍ଷତ ହୋଇ ଉଠୁଛି । ସମସ୍ତ ହାତ ହତିଆର ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ପଡ଼ୁଛି । ମୋର ସମସ୍ତ ଆତ୍ମବିଶ୍ଵାସ ଯେମିତି ଧୀରେ ଧୀରେ ହଜି ଯାଉଛି—ସେଇ ସୁକଠିନ ପ୍ରାଚୀନ ସ୍ପର୍ଶରେ । ମୁଁ ଅସହାୟ ହୋଇ ଉଠୁଛି । ନିଜକୁ ଅତ୍ୟନ୍ତ ଏକାକୀ ବୋଧ କରୁଛି-। ଏକା, ଏକା, ଏକା ।

 

ଆଃ, ସବୁ କିଛି ଭୁଲ । ଭୁଲ୍ ଭୁଲ । ମୁଁ ନିଜେ ନିଜର ସୃଷ୍ଟିକର୍ତ୍ତା, ଅଥଚ ମୁଁ ନିଜେ ଜାଣେନା ମୁଁ କାହିଁକି ନିଜକୁ ସୃଷ୍ଟି କରିଛି । କିଛିର ଅର୍ଥ ନାହିଁ । କିଛିର ମୂଲ୍ୟ ନାହିଁ । ମୋର ଜନ୍ମ ଗୋଟାଏ ଚାନ୍‍ସ । ମୋର ମୃତ୍ୟୁ ଗୋଟାଏ ଚାନ୍‍ସ । ସବୁ ଅର୍ଥହୀନ ସବୁ ନିରର୍ଥକ । ମୋର ଜୀବନ, ମୋର ସ୍ଵାଧୀନତା, ମୋର ବାଟ ଚାଲିବା ଖାଲି ନିଦ୍ରାବସ୍ଥାର ଚାଲିବା ପରି । ଅସଂଲଗ୍ନ । ଅର୍ଥହୀନ ।

 

ନାଃ । ଆଉ ହେବନି । ଆଉ ପାରିବିନି । ମୁଁ ଶ୍ରାନ୍ତ, ମୁଁ କ୍ଳାନ୍ତ । ମୁଁ ଦୁର୍ବଳ । ମୁଁ ବୁଝିପାରିଛି ଏ କେବଳ ମୋର ନିଷ୍ଫଳ ପ୍ରଚେଷ୍ଟା । ଏ ପାଚେରୀ ଆଜକୁ ଲକ୍ଷ କୋଟି ବର୍ଷ ଧରି ଛିଡ଼ା ହୋଇ ରହିଛି । ଆଉ କେତେ ମନ୍ଵନ୍ତର ଧରି ଏ ଛିଡ଼ା ହୋଇଥିବ ଜିଜ୍ଞାସା ଓ ସତ୍ୟ ଭିତରେ ଚିର କୌତୂହଳର ଅଲଙ୍ଘନୀୟ ପର୍ଦା ନେଇ । ମୋ’ପରି କେତେ ଲୋକେ ଆସିଛନ୍ତି–ଆହୁରି କେତେ ଲୋକ ଆସିବେ ନୂତନ ସୀମାର ଆବିଷ୍କାର ପାଇଁ । କିନ୍ତୁ ତଥାପି ମୁଁ ଚେଷ୍ଟା କରିଯିବି ଶେଷ ପର୍ଯ୍ୟନ୍ତ ।

 

ମୁଁ ମୋର ସମସ୍ତ ପ୍ରାଣ ମନ ହୃଦୟ ଏକ କରିଦେଇ ସେଇ ପାଚେରୀ ଉପରେ ମୁଣ୍ଡ କୋଡ଼ିବାକୁ ଲାଗିଲି ।

 

ହେ ପ୍ରାଚୀର—ତମେ ହିଁ କଣ ସତ୍ୟ ?

Image